Unknown

 

 

 

 

 

 

 

 

 

 

 

ସାପୁଆ

ବ୍ରଜମୋହନ ମହାନ୍ତି

 

ଲୋକ ସାହିତ୍ୟର ଗବେଷକ

ମୋର ପୂଜ୍ୟ ଗୁରୁଦେବ

ଲୋକରତ୍ନ

ଡକ୍ଟର କୁଞ୍ଜବିହାରୀ ଦାଶଙ୍କ

କର କମଳରେ

ଭକ୍ତି ଉପହାର

‘ସାପୁଆ’ ।

 

ସ୍ନେହାସ୍ପଦ

ବ୍ରଜମୋହନ

Image

 

କୃତଜ୍ଞତା

 

ପଦ୍ମକେଶରୀପୁରର ସାପୁଆକେଳାଙ୍କ ସମ୍ପର୍କରେ ତଥ୍ୟ ଯୋଗାଇଥିବା ବନ୍ଧୁଗଣ-:–

 

 

ପଦ୍ମକେଶରୀପୁରର–

ଶ୍ରୀ ଶୈଳେନ୍ଦ୍ର କୁମାର ଦାସ

 

 

 

ଶ୍ରୀ କୈଳାସ ଚନ୍ଦ୍ର ଦାସ

 

 

 

ଶ୍ରୀ ନାଥ ଦାସ (କ)

 

 

 

ଶ୍ରୀ ନାଥ ଦାସ (ଖ)

 

 

 

ଶ୍ରୀମତୀ ସୁଭଦ୍ରା ଦାସ

 

 

 

ଶ୍ରୀମତୀ ପାଞ୍ଚାଳୀ ଦାସ

 

 

ପଟିଆ ଗ୍ରାମର–

ଶ୍ରୀମତୀ ଉର୍ବଶୀ ଯୋଶୀ

 

 

 

ଶ୍ରୀ ନିଶାମଣି ତ୍ରିପାଠୀ

 

 

 

ଶ୍ରୀ କୁଳମଣି ମିଶ୍ର

 

 

କନିକା ରାଜା–୰ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ସମ୍ପର୍କରେ ତଥ୍ୟ ଯୋଗାଇଥିବା ବନ୍ଧୁଗଣ–

 

 

 

ଶ୍ରୀ କରୁଣାକର ଟୁଡୁ (ଆକାଶବାଣୀ)

 

 

 

ଶ୍ରୀ ବାଘରାଇ ମାଝି (ଆକାଶବାଣୀ)

 

 

ଶିମୁଳିପାଳ ଜଙ୍ଗଲ ସମ୍ପର୍କରେ ତଥ୍ୟ ଯୋଗାଇଥିବା ବନ୍ଧୁ :–

 

 

 

ଶ୍ରୀ ରଙ୍ଗାଧର ମିଶ୍ର (ସହକାରୀ ବନ ସଂରକ୍ଷକ)

 

 

ତଥ୍ୟ ସଂଗ୍ରହ ପାଇଁ ସହଯୋଗୀ ବନ୍ଧୁଗଣ–

 

 

 

ଶ୍ରୀ ଅନାଦି ସାହୁ, ଆଇ.ପି.ଏସ୍‍

 

 

 

ଶ୍ରୀ ଗୋଲଖ ଚନ୍ଦ୍ର ଧଳ (ଆକାଶବାଣୀ)

Image

 

ସହାୟକ ଗ୍ରନ୍ଥ ଓ ପ୍ରବନ୍ଧାବଳୀ

 

୧.

Marriage and Family Customs of Kelas by Sri Bhagirathi Choudhury

 

 

୨.

ସାରଙ୍ଗିକା–ଶ୍ରୀ ବ୍ରଜବନ୍ଧୁ ଦାଶ

 

 

୩.

History of Orissa–by Dr. Harekrusna Mahatab.

 

 

୪.

Reviewed. Working plan for the Reserved Forest of Karanjia Division.

 

 

୫.

ଝଙ୍କାର ମାସିକ ପତ୍ରରେ ପ୍ରକାଶିତ ସର୍ପ ସମ୍ପର୍କୀୟ ପ୍ରବନ୍ଧାବଳୀ ।

 

 

୬.

ଆଦିବାସୀ ଅନୁସନ୍ଧାନ ସଂସ୍ଥା

Image

 

ଲେଖକଙ୍କର ଅନ୍ୟାନ୍ୟ ପୁସ୍ତକ

 

ଉପନ୍ୟାସ

 

ଲଳିତ ଲବଙ୍ଗଲତା

ବିନ୍ଦୁଏ ନଆଁ

କାହାଣୀ ତିନି ବନ୍ଧର

ତକ୍ଷକ ମୁଁ କୃଷ୍ଣ

ନିଃଶବ୍ଦ ଆକାଶ ଅନ୍ଧପୃଥିବୀ

ଅରକ୍ଷିତ ଉପନିଷଦ

ଲୋତକ ଦୁଇଟି ଆଖିର

ଅନେକ କାମନା

କ୍ଷୁଧା ଅଗଣିତ

ତୁମକୁ ମୋ ରାଣ ଏବଂ ଅନ୍ୟାନ୍ୟ

 

କ୍ଷୁଦ୍ରଗଳ୍ପ

 

ଏବଂ ଛିଣ୍ଡା ହାତ

ଅନ୍ୟାନ୍ୟ ଓ ପରିଧିର ରଙ୍ଗ

ପରିବ୍ରାଜକ

ପ୍ରଗଳ୍‍ଭା ନଦୀର ଉପକଥା ଏବଂ ଅନ୍ୟାନ୍ୟ

 

ନାଟକ

 

ଅମ୍ବାପଲ୍ଲୀ

ମୁନିକୁମାର

ଚନ୍ଦ୍ର ଚକୋରୀ

ଶ୍ରୀରାମ ବାଲ୍ୟଲୀଳା

ସୀତାନାଥଙ୍କ ସଂସାର ଏବଂ ଅନ୍ୟାନ୍ୟ

 

ସମାଲୋଚନା

 

ଓଡ଼ିଆ ଭାଷାବିଜ୍ଞାନ

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ (ପ୍ରଥମଭାଗ ଓ ଦ୍ଵିତୀୟଭାଗ)

 

ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦର୍ଶନ

କ୍ଷୁଦ୍ରଗଳ୍ପର ସୃଷ୍ଟି ଓ ସମୀକ୍ଷା

ଜଗନ୍ନାଥ ପରିକ୍ରମା

ଭକ୍ତକବି ମଧୁସୂଦନ

ଜୟଦେବ

ନାରାୟଣାନନ୍ଦ ଅବଧୂତ ସ୍ଵାମୀ

ଅଚ୍ୟୁତାନନ୍ଦ

ଆମ ସ୍ମରଣୀୟ ପ୍ରତିଭା (୧ମ, ୨ୟ, ୩ୟ)

 

କବିତା

 

ଛାୟାପଥ

କୁଆଁତାରାର କାବ୍ୟ

ରକ୍ତ ପଳାଶ

 

ଅନ୍ୟାନ୍ୟ

 

ବ୍ରଜମୋହନ ବିଚିତ୍ରା

ଚେନାଚୂର

ଭାଇ ଭାଇ

 

ସଂକଳନ

 

ଓଡ଼ିଶାର ପର୍ବପର୍ବାଣୀ

ଓଷାବ୍ରତ ଯାନିଯାତ୍ରା

ଓଡ଼ିଶାର ଦେବଦେବୀ

(ପ୍ରଥମ, ଦ୍ଵିତୀୟ, ତୃତୀୟ)

ଓଡ଼ିଶାର ସାଧୁସନ୍ଥ

ପ୍ରତିଭା ପରିଚୟ

ସପ୍ତଶ୍ରଦୀପ

ସପ୍ତଶିଖା

ସପ୍ତରଶ୍ମି

ସପ୍ତଶ୍ରୀ

ସପ୍ତପୁଷ୍ପ ଓ ଅନ୍ୟାନ୍ୟ

Image

 

ପଟିଆ ପଦ୍ମକେଶରୀପୁରର ଗଉଡ଼ିଆ ସାପୁଆକେଳା ସମାଜର ଯୁବକମାନେ ଚାହାନ୍ତି ଆମେ ଶିକ୍ଷିତ ହେବୁ, ଅନ୍ୟ ଜାତିର ଓ ଅନ୍ୟ ସ୍ଥାନର ବ୍ୟକ୍ତିଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିବୁ, ଆମ ପିଲାମାନଙ୍କୁ ଶିକ୍ଷିତ କରାଇ ମଣିଷ କରିବୁ, କିନ୍ତୁ ରକ୍ଷଣଶୀଳ ବୟସ୍କ ଲୋକେ ଚାହାନ୍ତି ଆମ ସମାଜ ସ୍ଵତନ୍ତ୍ର ହୋଇ ରହୁ, ଆମେ କୌଳିକ ଜୀବିକା ଛାଡ଼ିବୁ ନାହିଁ, ସ୍ଥାୟୀ ବାସିନ୍ଦା ହୋଇ ରହିବୁ ନାହିଁ ।

 

ଏହି ସାମାଜିକ ଦ୍ଵନ୍ଦ୍ଵ ଏବଂ ରକ୍ଷଣଶୀଳ ତଥା ପ୍ରଗତିବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷର ଏକ ଚିତ୍ର “ସାପୁଆ” ଉପନ୍ୟାସ ।

 

ଏପରି ଏକ ଉପନ୍ୟାସ ରଚନା ପାଇଁ ପ୍ରଥମେ ପ୍ରେରଣା ଓ ଉତ୍ସାହ ଯୋଗାଇଥିଲେ ଅଧ୍ୟାପକ ଡକ୍ଟର କୃଷ୍ଣଚରଣ ବେହେରା ।

 

ଆଶାକରେ ଏ ଉପନ୍ୟାସ ସାପୁଆକେଳା ସମାଜ ସମ୍ପର୍କରେ ପାଠକଙ୍କୁ ସାମାନ୍ୟତମ ଧାରଣା ଦେବାକୁ କ୍ଷମ ହୋଇପାରିବ ।

 

ଲେଖକ

Image

 

ଦୁଇ ହଜାର ଫୁଟ ଉଚ୍ଚ ମଧୁଭଣ୍ଡାର ପାହାଡ଼ କଡ଼େ କଡ଼େ ଅଙ୍କାବଙ୍କା ରାସ୍ତାରେ ଆଗେଇ ଚାଲିଛନ୍ତି ପାଞ୍ଚଜଣ କଳା କଳା ମଣିଷ ପାଣ୍ଡବ ପାଞ୍ଚ ଭାଇଙ୍କ ସ୍ୱର୍ଗାରୋହଣ ପରି । ଆଗରେ ନାଥ ଦାସ ଏବଂ ପଛକୁ ପଛ ପଞ୍ଚୁ ଦାସ, ଗରିବ ଦାସ, ଶାମ ଦାସ, କେଶବ ଦାସ । ବୟସ୍କ ନାଥ ଦାସ, ବୋଧହୁଏ ଦୀର୍ଘ ଚାଳିଶ ବର୍ଷ ଧରି ଏମିତି କେତେ ପାହାଡ଼ ଚଢ଼ିବାର ଅଭିଜ୍ଞତା ଅର୍ଜନ କରିଛି ସେ । ସେଥିପାଇଁ ଛୋଟ ପାହାଡ଼ ଚଢ଼ାଳି ଦଳଟି ଆଗୁଆ କରିଛନ୍ତି ନାଥ ଦାସକୁ ।

 

ଏମାନେ ପାହାଡ଼ ଚଢ଼ାଳି ଅଭିଯାତ୍ରୀ ନୁହନ୍ତି, ମଧୁଭଣ୍ଡାର ପାହାଡ଼ର ସୌନ୍ଦର୍ଯ୍ୟ-ପିପାସୁ ଦର୍ଶକ ନୁହନ୍ତି, ଏମାନେ କଣ୍ଟା ଝଟା ରାସ୍ତା ଏବଂ ପଥର ମୁଣ୍ଡିଆ ଉପରେ ଚଢ଼ି ଚଢ଼ି ଦୁଇଦିନ ଦୁଇରାତି ଚାଲିଛନ୍ତି ଜୀବିକା ଖୋଜି ଖୋଜି । ସବୁରି ମୁହଁରେ ଗୋଟିଏ ପ୍ରଶ୍ନ–ଆଉ କେତେ ବାଟ-? ଶୁଭୁଛି ଏ ପ୍ରଶ୍ନ ନାଥ ଦାସକୁ । ସଂକ୍ଷିପ୍ତ ଉତ୍ତର ଦେଉଛି ସେ–ଆରେ ଟୋକାଏ–କଷ୍ଟ କରିବ ନାହିଁ ତ କୃଷ୍ଣ ପାଇବ କେମିତି ? ଥରେମାତ୍ର ପାହାଡ଼ ଚଢ଼ି ତୁମ ଗୋଡ଼ ଥକି ପଡ଼ୁଛି-? ଏମିତ କେତେ ପାହାଡ଼ ମୁଁ ଚଢ଼ିଛି । ଏଇ ମଧୁଭଣ୍ଡାର ପାହାଡ଼ ଉପରକୁ ନାଥ କେତେଥର ଆସିଛି, ରାତି ରାତି କଟାଇଛି, ବାଘ ହେଣ୍ଟାଳ, ମିରିଗ ଡାକ ଶୁଣିଛି । ତୁମେ ଏମିତି ତରବର ହେଉଛ କାହିଁକ-?

 

ନାଥ ଦାସର କଥାରେ ନୀରବ ହୋଇ ଆଗେଇବାରେ ଲାଗିଛନ୍ତି ଅନ୍ୟମାନେ । ମୁଣ୍ଡ ଉପରର ସୂର୍ଯ୍ୟ ତଳକୁ ଖସିଛନ୍ତି–କାନ ଫଟାଇ ଚିତ୍କାର କରିଛି ଜଙ୍ଗଲର ଝିଙ୍କାରି, ଛାଇ ମାଡ଼ି ଆସିଛି ମଧୁଭଣ୍ଡାର ପାହାଡ଼ ଉପରକୁ ।

 

ମଧୁଭଣ୍ଡାର ପାହାଡ଼ । ଶିମିଳିପାଳ ପର୍ବତଶ୍ରେଣୀର ସୌନ୍ଦର୍ଯ୍ୟଭରା ଅଞ୍ଚଳ । ଏକ ହଜାର କିଲୋମିଟର ବିଶିଷ୍ଟ ଏ ଦୀର୍ଘ ପାହାଡ଼ମାଳା–ଧାଡ଼ି ଧାଡ଼ି ପିରାମିଡ୍‍ ପରି ଦର୍ଶକର ମନରେ ଅପୂର୍ବ ଆନନ୍ଦ ସୃଷ୍ଟି କରେ । ପାହାଡ଼ ଚଢ଼ାର ରୋମାଞ୍ଚ ଆଣେ ଆରୋହଣକାରୀର ମନ ଭିତରେ । ଏ ପାହାଡ଼ରେ ଅର୍ଜ୍ଜୁନ, ଅସନ, ଭୁର୍କୁଣ୍ଡା, ଧତ୍ତରା, ଜେଉଠ, ଶାଳ, କଶୀ, କାଠକୁସୁମ, କେନ୍ଦୁ, ମହୁଲ, କୋଚିଳା, ପିଆଶାଳ, ଶିରିଶ; ଶିମୁଳି, ତେନ୍ତୁଳି ଓ କରଞ୍ଜ ଗଛରେ ଲମ୍ବ ଲମ୍ବ ମହୁଫେଣା କହେ–ମଧୁଅଛି ଏ ପାହାଢ଼ ଦେହରେ ।

 

ମଧୁଭଣ୍ଡାର ପାହାଡ଼ ଦେହରେ ଗିଲ କଣ୍ଟା, ଶିଆରି ଲଟା, ଅନନ୍ତ ମୂଳ, ଗଇଶିରା, ମୁତୁରୀ ଓ ନଇପଳାଶ ସାଙ୍ଗକୁ, ବିଛୁଆତି, ବରକୋଳି, କଣ୍ଟେଇ କୋଳି ବୁଦା ଏବଂ ଶାଳ, ପିଆଶାଳ, ଅସନ ଗଛ ଶୋଭାପାଏ ଭାରତୀୟ ସମାଜରେ ହାଭ୍‌ସ ଏଣ୍ଡ୍ ହାଭନଟ୍‌ସଙ୍କ ପରି । ଅସନ ଗଛ ଉପରକୁ ଗିଲ କଣ୍ଟା ମାଡ଼ିଚାଲେ । ପିଆଶାଳ ଗଛର ଛାଇରେ କଣ୍ଟେଇ କୋଳି ପତ୍ର ହଳଦିଆ ପଡ଼ି ଆସେ, ତଥାପି ଏ ପାହାଡ଼ର ପଥର ସନ୍ଧିରୁ ଉପାଦାନ ଖୋଜିବୁଲିବାରେ ଏମାନଙ୍କର ଆନନ୍ଦ । ସମତଳର ଉର୍ବରା ଜମିରେ ଶାଳଗଛ ତା’ର ବଂଶ ବିସ୍ତାରକୁ ନାପସନ୍ଦ କରେ, ଶିଆରି ଲଟା ଛପି ରହେ ପାହାଡ଼ୀ ଖୋଲରେ–ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କୁ ବନବିହାର କରାଇ ଦୋଳି ଖେଳାଇବା ପାଇଁ ।

 

ଆଗେଇ ଚାଲିଛନ୍ତି ପାହାଡ଼ ଚଢ଼ାଳି ଦଳ ନାଥ ଦାସ, ପଞ୍ଚୁ ଦାସ, ଗରିବ ଦାସ, ଶାମ ଦାସ ଏବଂ କେଶବ ଦାସ । ଏମାନେ ଯାତ୍ରା ଆରମ୍ଭ କରିଛନ୍ତି ଯଶିପୁର ସୀମାରୁ । ଦୁଇଦିନ ପାହାଡ଼ର ଖାଲ ଢିପ ଉଚ୍ଚା ନୀଚା ଅଂଶରେ ଚଢ଼ି ଏମାନେ ବରେଇପାଣି, ନଅଣା, ଗୁଡ଼ୁଗୁଡ଼ିଆ ଅଞ୍ଚଳ ବୁଲିଛନ୍ତି, ଚାଲିଛନ୍ତି ଯୋରଣ୍ଡା ଜଳପ୍ରପାର ଆଡ଼େ । ସେଇଠି ସେମାନେ ବିଶ୍ରାମ ନେବେ–ଅପେକ୍ଷା କରିବେ ଏବଂ ତା’ପରେ ଫେରିବେ ନିଜ ଗାଁ ଅଭିମୁଖେ । ଲମ୍ବ ଲମ୍ବ ବାଡ଼ି ଦେହରେ ପଶି କାନ୍ଧ ଉପରେ ଝୁଲୁଥିବା ପୁଟୁଳିମାନଙ୍କୁ ପରୀକ୍ଷା କରିନେଲେ ସମସ୍ତେ । ହଁ ପୁଟୁଳିଗୁଡ଼ିକ ଠିକ୍‍ ଅଛି । ଏ ପୁଟୁଳି ଦେହରେ ଛୋଟ ଛୋଟ ପେଡ଼ି, ପେଡ଼ି ଦେହରେ ଚୁଡ଼ା, ଗୁଡ଼, ଗାମୁଛା, ଦିଆସିଲି ଏବଂ ଧୂଆଁ ଟାଣିବା ପାଇଁ ଦୋକତା ପାତ୍ର ।

 

ଆଉ ଆଗକୁ ନ ଯାଇ ଗୋଟାଏ ବଡ଼ ପଥର ଉପରେ ବସି ପଡ଼ିଲା ନାଥ ଦାସ, ଥକ୍‌କା ହୋଇ ଠିଆ ହୋଇଗଲେ ଅନ୍ୟମାନେ । ଆଙ୍ଗୁଳି ଦେଖାଇ କହିଲା ସେ–ଦେଖୁଛ ଟୋକାଏ । ସୁରୁଯ ଦେବତା ବୁଡ଼ିଲେଣି । ଅନ୍ଧାର ଭିତରେ ଆଉ ଆଗକୁ ଯିବା ନାହିଁ । ବାଘ, ଭାଲୁ, ହାତୀ ବାହାରିପାରନ୍ତି । ଆଜି ଏଇ ପିଆଶାଳ ଗଛରେ ଚଢ଼ି ରାତି କଟାଇବା । ପୁଣି ସକାଳେ ଚାଲିବା ଯୋରଣ୍ଡା । ପାଖରେ ଝରଣା ପାଣି । ଚଞ୍ଚଳ ଆସ ପୁଳିଏ ପୁଳିଏ ଚୁଡ଼ା ଖାଇନେବା । ଦୁଇରାତି ଭଲ ନିଦ ହୋଇନାହିଁ । ଆଜି ରାତିଟା ଭଲ କରି ଗଛ ଉପରେ ଶୋଇଯିବା ।

 

ନାଥ ଦାସର କଥା ଶୁଣି କାନ୍ଧରୁ ପୁଟୁଳିଗୁଡ଼ିକ କାଢ଼ି ପଥର ଉପରେ ରଖିଲେ ସମସ୍ତେ-। ବିଳମ୍ବ ନକରି ପେଡ଼ି ଦେହରୁ ଚୁଡ଼ା ବାହାର କରି ଗାମୁଛାରେ ବାନ୍ଧିନେଇ ବୁଡ଼ାଇଲେ ଝରଣା ପାଣିରେ । ଗୁଡ଼ ସହିତ ସେଥିରୁ ପୁଳାଏ ଗୁଳାଏ ଉଦରସ୍ଥ କରି ଥକ୍‌କା ହୋଇ ବସିପଡ଼ିଲେ ପଥର ଉପରେ । ଦାନ୍ତହୀନ ପାଟିକୁ ମେଲା କରି ହାକୁଟି ମାରୁ ମାରୁ ନାଥ ଦାସ କହିଲା–“ଅଉ ବସିଲ କାହିଁକିରେ ଟୋକାଏ ! କେହି ଜଣେ ପହିଲୁ ଗଛକୁ ଚଢ଼ । ଗଛ ଡାହିରେ ଗାମୁଛା ବାନ୍ଧି ତଳକୁ ଝୁଲାଇ ଦେଲେ ସମସ୍ତେ ସହଜରେ ସେଇ ଗାମୁଛାକୁ ଧରି ଚଢ଼ିଯାଇ ପାରିବେ ।” କଥାଟା ଶୁଣୁ ଶୁଣୁ ଅପେକ୍ଷା ନକରି କେଶବ ଦାସ ଖପ୍‌ଖପ୍‍ କରି ଚଢ଼ିଗଲା ଗଛ ଉପରକୁ । ହଲିଗଲା ଗଛଟା, ଗଛ ଉପରେ ଆଶ୍ରୟ ନେଇଥିବା କେତେଟା ବଣ କୁକୁଡ଼ା, କୋଇଲି, ପାହାଡ଼ିଆ ବଣି, ତିତିରି ଏବଂ ହରଡ଼ ଚଢ଼େଇ ଫଡ଼୍‌ଫଡ଼୍‌ ହୋଇ ଉଡ଼ିଯିବାକୁ ବସିଲେ ଆକାଶକୁ । କିଚିରି ମିଚିରି ଶବ୍ଦରେ ମୁଖରିତ ହୋଇଗଲା ସ୍ଥାନଟି ।

 

ଗଛର ତଳ ଶାଖାରେ ବସି ଅଣ୍ଟାରୁ ଗାମୁଛା ଫିଟାଇ ବାନ୍ଧିଲା କେଶବ ଦାସ ଏବଂ ତଳକୁ ଓହଳାଇ ଦେଇ ପାଟିକଲା ସେ, ଦାଦି, ପଞ୍ଚୁ ଭାଇ, ଗରିବ, ଶାମଭାଇ ଉଠିଆସ ଗଛ ଉପକୁ । ମୁହଁଟେକି ଗଛ ଉପରେ ମାଙ୍କଡ଼ପରି ବସିଥିବା କେଶବକୁ ଚାହଁଲେ ସମସ୍ତେ । ସବୁଠାରୁ କମ୍‌ ବୟସର ଯୁବକ କେଶବ । କଳା ମୁଚୁମୁଚୁ କୁନ୍ଦିଲାକାନ୍ଦିଲା ଚେହେରା । ନୂଆ ହୋଇ ଅସିଛି ପାହାଡ଼ ଚଢ଼ିବାକୁ ଗାଁଲୋକଙ୍କ ସହିତ ।

 

କେଶବର କଥା ଶୁଣି ଜଣକ ପରେ ଜଣେ ଉଠିବାକୁ ଚେଷ୍ଟାକଲେ ଗଛ ଉପରକୁ । ସେତେବେଳକୁ ବୁର୍ଜ୍ଜୁଆ ଜହ୍ନ ତାରାପୁଞ୍ଜର ପ୍ରୋଲିଟେରିଏଟ୍‌ ସମାଜ ଭିତରେ ହସର ଫୁଆର ମେଲିଥିଲା ଏବଂ ପଶ୍ଚିମ ଆକାଶରେ ଖଣ୍ଡେ ଖରାଦିନିଆଁ କଳା ମେଘ କ୍ଲାସ୍‌ ଏନ୍‌ମି ପରି ଭୟ ସୃଷ୍ଟିକରି ସମଗ୍ର ଆକାଶକୁ ଗ୍ରାସକରି ଯିବାପାଇଁ ଉପକ୍ରମ କରୁଥିଲା । ଏମିତିବେଳେ ପାକୁଆ ପାଟିର ଓଠ ଥରାଇ କହିଲା ନାଥ ଦାସ–ଗାମୁଛାଗୁଡ଼ାକୁ ଗଛ ଡାଳରେ ବାନ୍ଧି ନିଜ ଅଣ୍ଟାରେ ଭିଡ଼ିଦିଅ, ନହେଲେ ନିଦ ଲାଗିଗଲେ ତଳେ ଖସିପଡ଼ି ଗୋଡ଼ହାତ ଭାଙ୍ଗିଯିବ ।

 

ଅଭିଜ୍ଞ ଗଛ ଚଢ଼ାଳି ଏବଂ ପାହାଡ଼ ଚଢ଼ାଳି ନାଥ ଦାସର କଥା ଶୁଣି କହିଲା କେଶବ–ଦାଦି ! ତୁମେ କେବେ ଗଛରୁ ପଡ଼ିଛ କି ନାହିଁ ? ଏମିତି ଏକ ଅଜବ୍‌ ପ୍ରଶ୍ନ ଶୁଣି ଥାମ୍‌ଖାଇ ଚାହିଁଲା ନାଥ ଦାସ । ଟିକେ ବିଚାର କରି କହିଲା–ହାଁରେ କେଶବ, ଆଜିକୁ ବହୁବର୍ଷ ତଳେ ମହାବିନାୟକ ପାହାଡ଼ ଉପର ତେଲଝର କଡ଼ରେ ଗୋଟାଏ ଗଛ ଡାଳରେ ବସିଥିଲି । ନିଦ ଲାଗିଗଲା । କଡ଼ ଲେଉଟାଉ ଲେଉଟାଉ ଦୁଲ୍‌ କରି ଖସିପଡ଼ିଲି ତଳେ, ପଥର ଉପରେ । ହସରେ ଫାଟିପଡ଼ି କହିଲା କେଶବ–ହଁ ଦାଦି ! ସେତେବେଳେ ତୁମେ ନିଶ୍ଚୟ ଖୁଡ଼ୀକଥା ଭାବୁଥିବ । କେଶବର କଥା ଶୁଣି ହସରେ ମାମିଲ ହୋଇଗଲେ ସମସ୍ତେ । ଖୁଡ଼ୀ–ନାଥ ଦାସର ଜୀବନ ସଙ୍ଗିନୀ, ମାଳତୀ । କେଶବ ଦାସର ବାପା ରତନ ଦାସକୁ ପ୍ରଥମେ ବିଭା ହୋଇଥିଲା ସେ । ମନ ପଟିଲା ନାହିଁ । ରତନକୁ ଛାଡ଼ି ଆସି ରହିଲା ନାଥ ପାଖରେ । ମାଳତୀର ସାନ ଭଉଣୀକୁ ପୁଣି ରଖିଲା ରତନ ଦାସ । ତା’ରି ପୁଅ କେଶବ । ଗୋଟି ଗୋଟି ହୋଇ ନାଥ ଦାସର ଆଖି ଆଗରେ ନାଚିଗଲା ବିଗତଟା । ପଦ୍ମପୋଖରୀ ହୁଡ଼ା ଉପରେ କେତେ ଆଖିମରା, ଲହରୀଭଙ୍ଗା ଗୀତ–

 

ପ୍ରାଣସଙ୍ଗିନୀରେ ଆଉ ନକର ପର ।

 

କେଶବ କହିଲା, ଦାଦି ! ତିନିଦିନ ହେଲା ଘର ଛାଡ଼ିଲେଣି, ଖୁଡ଼ୀ ତୁମ କଥା ମନରେ ପକାଉଥିବ । ପେଡ଼ିରୁ ଦୋକତା ବାହାର କରି ପିକା ବଳୁ ବଳୁ କହିଲା ନାଥ ଦାସ–ଆରେ କେଶବ-! ତୋ ଖୁଡ଼ୀ ତ ମୋତେ ଛାଡ଼ି ଘଡ଼ିଏ ରହିପାରେ ନାହିଁ । ଏକୁଟିଆ ବସି ଆମ କଥା ଭାବୁଥିବ ନିଶ୍ଚୟ । କେବଳ ଆଜି ନୁହଁରେ ପୁଅ, କେତେଥର ମୁଁ ଭିତରକନିକା, ସାତଭାୟା, ମଣିଭଦ୍ରା, ପଞ୍ଚୁଦାରୀ, ଗନ୍ଧମାର୍ଦନ, ମାଲ୍ୟଗିରି, ଦଣ୍ଡକାରଣ୍ୟ, ଉଦୟଗିରି, ଟମ୍‌କା ପାହାଡ଼ ଯାଇଛି–ଫେରିଆସି ଶୁଣେ ମାଳତୀର ରନ୍ଧାବଢ଼ା ଖିଅପିଆ ନାହିଁ । ଅନାଇ ବସିଛି ମୋ ଫେରିବା ବାଟକୁ-। ତା’ପରେ ଆଉ ବିଳମ୍ବ ନକରି, ତାକୁ ଧରି ମୁଁ ବାହାରିଯାଏ ବିଦେଶ କରି ।

 

କଥାଟା ବୁଲାଇ ପଞ୍ଚୁ କହିଲା–ପିଇସା ! ବୁଢ଼ୀ ପିଇସୀକୁ ଛାଡ଼ିଆସି ତ ତୁମେ ଏମିତି ଭାବୁଛ–ଆଉ ଟୋକୀ ମାଇକିନା ଥାଉ ଥାଉ ଆମେ କେମିତି କଲବଲ ହେଉନଥିବୁ । ପଞ୍ଚୁର କଥାରେ ଗଛ ଉପରେ ଖେଳିଗଲା ଏକ ହସର ଜୁଆର । କିନ୍ତୁ ହଠାତ୍‍ ହସଟା ମରିଗଲା ଗରିବ ଦାସର କଥାରେ । ନିଠେଇ କହିଲା ସେ–କେତେ ପେରମ କଥା କହୁଛୁରେ । ତୁମେ ଫେରିଲା ବେଳକୁ ତୁମ ମାଇକିନା ତୁମର ହୋଇଥିବ ତ ?

 

ସତ କଥା, ନାଥଦାସ, ପଞ୍ଚୁଦାସ, ଶାମଦାସ ଏବଂ କେଶବ ଦାସଙ୍କ ସମାଜ ଭିନ୍ନ ଧରଣର । ଏ ସମାଜରେ ଗୋଟାଏ ଟୋକଳି ପାଞ୍ଚଟା ଟୋକା ବିଭା ହୋଇପାରେ, ଗୋଟିଏ ଟୋକା ପାଞ୍ଚଟା ଟୋକଳି ବିଭା ହୋଇପାରେ । ଥରେ ବିବାହ କଲେ ତାକୁ ଛାଡ଼ିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । ଭଉଣୀକୁ ଛାଡ଼ି ଆଉ ସବୁ ଝିଅଙ୍କୁ ବିବାହ କରିବାରେ ବାଧା ନାହିଁ । ଏମିତିକି ଦାଦା ପୁଅ ବଡ଼ବାପା ଝିଅ, ମଉସା ପୁଅ ପିଇସା ଝିଅଙ୍କ ମଧ୍ୟରେ ବିବାହ ହୋଇପାରେ । ସ୍ତ୍ରୀ ସହିତ ମନ ନ ମିଳିଲେ ଅନ୍ୟକୁ ରଖିବା ଦୋଷାବହ ନୁହେଁ, ସେହି ସମାଜର ମଣିଷ ଏମାନେ-। ତେଣୁ ବୁଢ଼ୀ ମାଇପ କଥା ଭାବି ଭାବି ଦିନ କାଟିବାର କାରଣ କ’ଣ ଅଛି ?

 

ଏମିତି ସମୟରେ କଥାଟା ହାଲୁକା କରିବା ପାଇଁ କହିଲା କେଶବ ହଉ ହଉ, ଆଖି ଓଜନିଆଁ ଲାଗିଲାଣି । ଶୋଇପଡ଼ ଡାଳକୁ କୁଣ୍ଢେଇ । ପୁଣି କାଲି ସକାଳୁ କଥାବାର୍ତ୍ତା । କେଶବର କଥା ଶୁଣି ମୋଡ଼ିମାଡ଼ି ହୋଇ ଶୋଇବାକୁ ଚେଷ୍ଟା କଲେ ସମସ୍ତେ ।

 

ରାତି ଜମାଟ ବାନ୍ଧିଆସିଲା । ହାତୀମାନଙ୍କର ପେଁକାଳି ଶବ୍ଦ ଏବଂ ବାଘ ହେଣ୍ଟାଳରେ ବନଭୂଇଁ ଗୁମୁରି ଉଠିଲା । ସେ ଆଡ଼କୁ କାନ ନ ଡେରି ପିଆଶାଳ ଗଛର ପାଞ୍ଚଟି ଶାଖାରେ ହାମ୍ବୁଡ଼େଇ ପଡ଼ି ଘୁଙ୍ଗୁଡ଼ି ମାରୁଥିଲେ ପାଞ୍ଚଜଣ ମଣିଷ ପଞ୍ଚସଖା ପରି । ଏମିତି ବେଳେ ଚାପା କଣ୍ଠରେ ଡାକିଲା କେଶବ–ଦାଦି, ଦାଦି ! ଶୋଇ ଶୋଇ ମାଳତୀକୁ ସ୍ଵପ୍ନ ଦେଖୁଥିବା ନାଥ ଦାସର ନାକପୁଡ଼ା ଉତ୍ତର ଦେଲା କେଶବକୁ–ଏଁ । ‘‘ଗଛତଳେ ଭାଲୁ ଦାଦି” ଡରି ଡରି କହିଲା କେଶବ । ହଠାତ୍‍ ଡାଳ ଉପରେ ସିଧା ହୋଇ ବସି କାନ ଡେରି କହିଲା ନାଥ ଦାସ–‘‘ଆରେ ହଁ, ଭାଲୁ ! ମହୁଲ ଗଛ ତଳୁ ମହୁଲ ଖାଉଛି । ପାଟି ନ କରି ଚୁପ୍‌ଚାପ ଶୋଇପଡ଼ ।” କଥାଶୁଣି ଭୟଭୀତ ହୋଇ ପୁଣି ଶୋଇବାକୁ ଚେଷ୍ଟାକଲା କେଶବ । କିନ୍ତୁ ନିଦ ହେଉନି । ଜୀବନରେ ପ୍ରଥମ ଥର ତା’ର ଏ ପାହାଡ଼ ଚଢ଼ା ଅଭିଜ୍ଞତା । କ’ଣ କରିବ ସେ ? ଆଖି ଆଗରେ ନାଚୁଛି ନିଜ ଗାଁ । ପଦ୍ମକେଶରୀପୁରର ପଦ୍ମପୋଖରୀ । ଯେଉଁ ପୋଖରୀର ପଦ୍ମଫୁଲ ପାଇଁ ଅଳିକରେ ଫୁଲମନି । ସନାତନ ଦାସର ଝିଅ, ଶାମଦାସର ଭଉଣୀ ।

 

ଫୁଲମନିର ଅଳି ଶୁଣି ପୋଖରୀ ପହଁରେ କେଶବ । ଫୁଲ ତୋଳେ ପାଣି ଭିତରୁ । ଅଣ୍ଟିରେ ପୂରାଇ କୂଳକୁ ଆସି କହେ–ଫୁଲମନି ! ମୁଁ ତୋତେ ପଦ୍ମଫୁଲ ଦେବି, ତୁ ମୋତେ କ’ଣ ଦବୁ ? କେଶବର କଥା ଶୁଣି ହସେ ଫୁଲମନି । କହେ–କେଶଭାଇ ! ବଡ଼ ହେଲେ ମୁଁ ତେତେ ସବୁ ଦେବି, ଯାହା ଆଉ କେହି ଦେବେନି । ତୁ ସେମିତି ଫୁଲ ଦବୁ ତ ? ପୋଖରୀ ହୁଡ଼ା ଉପରେ ଦମକି ଠିଆହୁଏ କେଶବ । ପାଖ ବୁଢ଼ା ବରଗଛର ଓହଳରେ ଦୋଳି ଖେଳୁ ଖେଳୁ କହେ–ଲୋ କେଲୁଣୀ ଫୁଲମନି, ତୋ କେଳା କାହିଁ ? କେଶବର କଥାରେ ନାକରେ କାନ୍ଦେ ଫୁଲମନି, ଗୋଡ଼ କଚାଡ଼ି–ନାକ ସୁଁ ସୁଁ କରେ କେଶବକୁ ଚାହିଁ । ଆହୁରି ଚିଡ଼ାଇ ବସେ କେଶବ–ଗୋବିନ୍ଦ ମୂଷାରେ ଗୋବିନ୍ଦ ମୂଷାରେ ଗୋବିନ୍ଦ ମୂଷା । ରାମ ଦେଢ଼ଶୁର ମୁରୁକି ହସା । ପାଣି କାଢ଼ୁଥିବୁ ତର ତର କରି…ତରତର କରି, ଗୋଟି ଗୋଟି କରି ଗୋଟି ଗୋଟି କରି, ନ ହେଲେ ଖାଇବୁ ଟାଙ୍ଗିଆ ଭୁଷାରେ ଗୋବିନ୍ଦି ମୂଷା ।

 

ନାଥ ଦାସର କିଳିକିଳା ପାଟିରେ ଭାଙ୍ଗିଗଲା କେଶବର ସପନ । ଆରେ ଟୋକାଏ ଶୋଇଚ କ’ଣ, ପଅ ଫାଟିଲାଣି, ସକାଳ ହେଲାଣି । ଗଛରୁ ଓହ୍ଲାଇ ପଡ଼ । ଝରଣା ପାଣିରେ ମୁହଁ ଧୋଇ ପୁଣି ଦି ଦି’ଟା ଚୁଡ଼ା ଖାଇ ଚାଲିବା ଯୋରଣ୍ଡା ଆଡ଼େ । ନାଥିଆଦିର କଥା ଶୁଣି ଆଖି ମଳି ମଳି ଉଠିଲେ ସମସ୍ତେ । ହନୁମନ୍ତ ପରି କେଶବ ତଳକୁ ଡେଇଁପଡ଼ି କହିଲା–ଗାମୁଛାଗୁଡ଼ିକ ଫିଟାଇ ତଳକୁ ଆସ ହେ–ମୁଁ ଝରଣାରେ ମୁହଁ ଧୋଉଛି ।

କେଶବ ପଛେ ପଛେ ଖପ୍‌ଖାପ୍‍ ତଳକୁ ଡେଇଁଲେ ସମସ୍ତେ । ଶେଷରେ ନାଥ ଦାସ ଗୋଟି ଗୋଟି କରି ପୁଟୁଳିଗୁଡ଼ିକ ତଳକୁ ବଢ଼ାଇ ଦେଇ ଗଛକୁ ଧରି ଧରି ଓହ୍ଲାଇଲା । ମନେ ହେଉଥିଲା, ସତେଅବା ବୟସର ବୋଝ ତା’ ପ୍ରକୃତିକୁ ମନ୍ଥର କରି ଦେଇଛି । ଆଗୁଆ ହୋଇଥିଲେ ମଧ୍ୟ ଟୋକା ମେଳରେ ବୋକା ପରି ଚାଲିଛି ସେ । ଚାହୁଁ ଚାହୁଁ ସମସ୍ତେ ଝରଣା ପାଣିରେ ମୁହଁ ଧୋଇ, ଦାନ୍ତ ମାଜି, ଚୋବେଇ ବସିଲେ ଚୁଡ଼ା । ବିଚରା ନାଥ ଦାସ ପାକୁଆ ପାଟିରେ ଗୋରୁ ଖାଇଲା ପରି ଚୁଡ଼ାକୁ ପାକୁଳେଇ ପାକୁଳେଇ କହିଲା–ଆରେ ଟୋକାଏ ! ତୁମେ କି ଚୁଡ଼ା ଖାଉଛ, ମୋ ଯୁଆନ ବେଳେ ମୁଁ ଗଉଣି ଗଉଣି ଚୁଡ଼ା ଚୋବାଇ ସଫା କରି ଦେଉଥିଲି । ବିଦେଶ କଲାବେଳେ ମାସ ମାସ ଚୁଡ଼ା ଖାଇ ରହୁଥିଲି । ହସିଲେ ଟୋକା ଦଳ–ପରିହାସ କରି କହିଲା ଶାମ–ସେକାଳ ପଖାଳ ଆଉ ନାହିଁ ବଡ଼ାପା, ଏବେ ପରା ପଖାଳ ପାଇଁ ତାଇଚୁଙ୍ଗ୍‌ ଚାଉଳ, ଚୁଡ଼ା ପାଇଁ ଆଇ ଆର ଆଠ ଧାନ, ଖାଲି ଗନ୍ଧ, ବାସନା କାହିଁ ?

ମୁଣ୍ଡ ଟୁଙ୍ଗାରି ଅବଶ୍ୟ କଥାଟାକୁ ସମର୍ଥନ କଲା ନାଥିଆ । ସେକାଳ ନାହିଁ । ଏକାଳରେ ସେକାଳ କଥା ସାତ ସପନ । ବିଦେଶ କରି ଗଲେ ଭାରକରି ଚାଉଳ ଆଣି ହେଉ ନ ଥିଲା–ପଇସା, ଅଧଲା, ଅଣି, ଦୋଅଣିରେ ଗାଞ୍ଜିଆ ଭର୍ତ୍ତି ହୋଇ ଯାଉଥିଲା । ନାଥିଆର ଡାକ ଶୁଣିଲେ ଜମା ହୋଇ ପଡ଼ୁଥିଲେ ଗାଁ ଛୁଆ, ଗାଁ ମାଇପେ । ଏବେ କିନ୍ତୁ କାଳ ତ ହେଲାଣି ବାବରା । କିଏ ଶୁଣୁଛି କାହା କଥା । ଟୋକାଏ ଅବା ନାଥ କଥା ଶୁଣିବେ କାହିଁକି । ତଥାପି ଅଭିଜ୍ଞ ପାହାଡ଼ ଚଢ଼ାଳି ପରି ବେଳେ ବେଳେ ଆକଟ କରି କହୁଛି ନାଥ । ଆରେ ଟୋକାଏ କଥା ଶୁଣ, ଧାଡ଼ି ହେଇ ଚାଲ । ମୟୂରଭଞ୍ଜ ଜିଲାରେ ଏବେ ଅଖଣ୍ଡ ଶିକାର ସମୟ । ବଣ ଜନ୍ତୁଗୁଡ଼ାକ ହୁରୁଡ଼ି ମାଡ଼ି ଆସି ପାରନ୍ତି-। ଏତେ ମଣିଷଙ୍କୁ ଦେଖିଲେ ଥମିଯିବେ ନିଶ୍ଚୟ । ଅଲଗା ଅଲଗା ହୋଇ ପାଦ ଆଗକୁ ବଢ଼ାଅ ନାହିଁ ।

ନାଥ ଦାସର ବାରମ୍ବାର ଆକଟ ଶୁଣି ପାଖକୁ ପାଖ ଲାଗିଆସିଲେ ପଞ୍ଚୁ, ଗରିବ, ଶାମ ଏବଂ କେଶବ । ଠିକ୍‌ ଏତିକିବେଳେ ଶିଆରି ଲଟାତଳୁ କଲରା ପତରିଆ ବାଘଟାଏ ବାହାରି ଆସି ବସି ପଡ଼ିଲା ରାସ୍ତା ମଝିରେ । ପିଟିବାକୁ ଲାଗିଲା ଲାଞ୍ଜଟାକୁ ବେପରୁଆ ଭାବେ । ଆଖି ଆଗରେ ବାଘଟାକୁ ଦେଖି ଭେଟଣା ହୋଇଗଲେ ସମସ୍ତେ । କାହାରି ପାଟିରେ ଭାଷା ନାହିଁ । ରାତିସାରା ବଣରେ ବୁଲି ବୁଲି ହରିଣ, ମିରିଗ, କୁଟୁରା, ଶିକାର ଶେଷରେ ବସାକୁ ଫେରୁଛି କଲରାପତରିଆ ବାଘ ।

ଚାପା ଗଳାରେ କହିଲା ନାଥ ଦାସ–ଟୋକାଏ ପଛକୁ ଫେର ନାହିଁ, କିମ୍ବା ଆଗକୁ ବଢ଼ ନାହିଁ । ଆଖି ସହିତ ଆଖି ପକାଇ ବାଘକୁ ଚାହିଁ ରୁହ । ତା’ ବାଟରେ ସେ ଚାଲିଯିବ । କିଛି କ୍ଷତି କରିବ ନାହିଁ । କହିବା କଥାଠାରୁ କରିବା କାମ ବଡ଼ କଠିନ । ଆଖି ଆଗରେ ବଣୁଆ ବାଘ । ତା’ ମୁହଁକୁ ଚାହିଁବ କିଏ ? ଯଦି ଝପଟି ଆସେ, ପାହାଡ଼ ଚଢ଼ାଳି ଏ ପାଞ୍ଚଜଣଙ୍କ ଭିତରୁ କାହାରିକୁ ସକାଳ ଜଳଖିଆ କରେ, ତେବେ ? କୁଙ୍କୁରି କାଙ୍କରି ହୋଇ ଜଣକ ନିକଟକୁ ଲାଗି ଆସୁଥିଲା ଆଉ ଜଣେ । ଏମିତି କି ସାହାସ ଦେଉଥିବା ନାଥ ଦାସ ମଧ୍ୟ ପଛେଇ ପଛେଇ ଲାଗି ଆସିଥାଏ ଟୋକାଙ୍କ ମେଳକୁ । ଏମିତିବେଳେ ହଠାତ୍‍ ଗୋଟାଏ ଠେକୁଆ ଡିଆଁମାରି ପଶିଗଲା ଶିଆରି ଲତା ଆଡ଼ୁ ଗିଲକଣ୍ଟା ବୁଦା ଭିତରେ । ତା’ ସହିତ ଲାଙ୍ଗୁଡ଼ ଟେକି ଝାମ୍ପ ମାରିଲା କଲରାପତରିଆ ବାଘଟା-। ନିଃଶ୍ଵାସ ମାରିଲେ ସମସ୍ତେ । କିନ୍ତୁ ଆଉ ଆଗକୁ ଆଗେଇବାକୁ ସାହସ ପାଉ ନାହିଁ । କାଳେ ଗିଲ ବୁଦା ଭିତରେ ବାଘଟା ଛପିରହି ଅପେକ୍ଷା କରିଥିବ ! କାହାର ଜୀବନକୁ ଲୋଭ ନାହିଁ-? ଧୀର ଗଳାରେ କହିଲା ନାଥ ଦାସ–ଟୋକାଏ ! ଯାଇ ହେବନି । ଏଇଠୁ ଫେରିଯିବା ।

ନାଥଦାସର କଥା ଶୁଣି ଜଣେ ଚାହିଁଲା ଆଉ ଜଣକୁ । ଏମିତିବେଳେ ଆଗକୁ ବାହାରି ଆସି କହିଲା ଟୋକା କେଶବ–ଦାଦି ! ତିନିଦିନ ନଖାଇ ନ ପିଇ ବଣ ପାହାଡ଼ରେ ଚଢ଼ିଚଢ଼ି ଆସୁଛନ୍ତି କ’ଣ ଫେରିଯିବା ପାଇଁ ! ସେକଥା ହେବନି । ଆମକୁ ଯେମିତି ହେଲେ ଯୋରଣ୍ଡା ଯିବାକୁ ହେବ । ଆସ, ମୋତେ ବାଟ ଦେଖାଅ, ମୁଁ ଆଗରେ ଚାଲୁଛି । କେଶବର କଥା ଶୁଣି ସାହସ ବାନ୍ଧି ଧସେଇ ଗଲେ–ଶାମ, ଗରିବ ଏବଂ ପଞ୍ଚୁ । ପଛରେ ରହିଗଲା ବିଚରା ନାଥ । ଆଗକୁ ଆଗେଇଲେ ପାଞ୍ଚ ଜଣ । ଗିଲବୁଦା ପାରହେବା ପରେ ଏକରକମ ଦୌଡ଼ିବାକୁ ଲାଗିଲେ ସମସ୍ତେ । ପଛକୁ ଅନାଇବାକୁ କାହାରି ସାହସ ନାହିଁ । ସମସ୍ତଙ୍କ ପଛରେ ବୁଢ଼ା ନାଥ ଦାସ । ବେଳେ ବେଳେ ପରିହାସ କଲାପରି କହୁଛି ଗରିବ ଦାସ–ଅଜା ! ପଛରୁ ଯଦି ବାଘ ନେଲା ତୁମକୁ–ରାଣ୍ଡୀ ଆଈ କାନ୍ଦିବ ମୋତେ ଧରି । ମୋ ଗରିବରେ, ପୋଡ଼ାମୁହାଁ ଅଜାକୁ କୋଉ ବଣରେ ବାଘ ମୁହଁରେ ଦେଇ ଆସିଲୁରେ । ଏବେ ତୁ ମୋତେ ରଖରେ ଗରିବା । ଗରିବର ଏପରି କାନ୍ଦଣାରେ ଫେଁ ଫେଁ ହୋଇ ହସି ଉଠିଲେ ଅନ୍ୟମାନେ । ଥୋବରା ମୁହଁରେ ପାକୁଆ ପାଟିକୁ ଦେଖାଇ ହସୁଥିଲା ମଧ୍ୟ ନାଥ ଦାସ । କହୁଥିଲା–ହଁରେ ଗରିବ, ତୁ କି ବଢ଼ିଆଣ ଦେଖାଉଛୁ । ତୋ ଭଳି ଯୁଆନ୍‌ ବେଳେ ମୁଁ କେତେ ଏପାରି ଗଛକୁ ସେପାରି କରୁଥିଲି–କେତେ ଟୋକୀ, କେତେ ବୁଢ଼ୀଙ୍କ ପାଟିରୁ ଲାଳ ବୁହାଉଥିଲି । ତୁ ମତେ ବଢ଼ିଆଣ କଥା କହୁଛୁ କେତେ ।

 

କଥାଟା ଏମିତ ଜମି ଆସିଲା ବେଳକୁ ଦେଖାଗଲା ପାହାଡ଼ ଉପର କରଞ୍ଜ ଗଛ ମୂଳେ ଗୋଟାଏ ଅଣ୍ଡିରା ମୟୂର ପୁଚ୍ଛ ଟେକି ନାଚିବାରେ ଲାଗିଛି । ଗଛ ତଳୁ ଆହାର ସଂଗ୍ରହ କରୁଛି ମୟୂରୀ । ପାଟିକଲା ଗରିବ ଦାସ–ଅଜା ! ମାଳତୀ ଆଈ ପାଖରେ ତୁମେ ଏମିତି ଲାଞ୍ଜ ଟେକି ନାଚୁଛ ତ ?

 

ଏଥର ରାଗିଉଠିଲା ନାଥ ଦାସ, କହିଲା–କେତେ ଫଟେଇ ହେଉଛୁରେ ଟୋକା । ଟୋକୀଟେଇ ବାହା ହଉ ହଉ ତ ସମ୍ଭାଳି ପାରିଲୁ ନାହିଁ । ସେ ପଘା ଛିଡ଼େଇଲା । ସନେଇ ସହିତ ପଳେଇଲା । ଏତିକିରୁ କ’ଣ ତୋ ପୁରୁଷ ପଣିଆ ମୋତେ ଜଣା ନାହିଁ । ନାଥ ଦାସ ଖେଣ୍ଟା କଥାରେ ଆଘାତ ପାଇଲା ଗରିବର ପୁରୁଷତ୍ଵ । କହିଲା ସେ–ଅଜା ! ଆମ ସମାଜ ତ କହୁଛି–ଯିଏ ଯେତେଟା ବାହା ହେଲେ ଦୋଷ ନାହିଁ । ତୁମ ପରି ମୁଁ ଗୋଟାକୁ ଧରି ପଡ଼ିଥାନ୍ତି କାହିଁକି ? ସେଥିପାଇଁ ଗୋଟାକୁ ଛାଡ଼ି ମନମୁତାବକ ଆଉ ଗୋଟାଏ ଆଣିଲି । ମତେ କ’ଣ ମାଇପ ମିଳୁ ନାହିଁ ଯେ ଗୋଢ଼େଇଥିବି ତାହାରି ପିଛା ।

 

କଥାଟା ଗୋଳମାଳିଆ ଧରୁଛି ଜାଣି ପଞ୍ଚୁ କହିଲା‌–ଛାଡ଼ ଛାଡ଼ ଯାହାକୁ ଯିଏ ରସିଲା ନା ତାକୁ କିଆ ଫୁଲ ପରି ବାସିଲା । ସେଥିରେ ଆଉ କାହାର କ’ଣ ଅଛି କହିବାକୁ । ଆମରି ଗାଁରେ ତ ପୁଣି କିଶୋର, ରଘୁ, ସୁରୀ, ନରି, ଗୋଟିଏ ଗୋଟିଏ ବିଭା ହୋଇ ଯୁଆନ ବେଳୁ ରହିଛନ୍ତି । ତାଙ୍କ ମନ ତ ନୂଆ ଖୋଜୁ ନାହିଁ । ସେମାନେ କ’ଣ ମଣିଷ ନୁହନ୍ତି । ପଞ୍ଚୁର କଥାରେ ନୀରବ ହୋଇଗଲେ ସମସ୍ତେ ।

 

ଏତିକିବେଳେ ପାଟିକଲା ନାଥ ଦାସ–ଦେଖରେ ଟୋକାଏ ! ହେଇ ଆଗରେ ଯୋରଣ୍ଡା ଜଳପ୍ରପାତ । ଏଇଠି ଠିକ୍‌ କର–କିଏ କୋଉ ପାଖକୁ ଯିବ । ପୁଣି କୋଉଠି ଆସି ଏକାଠି ହେବ । କେଶବ କହିଲା–ଦାଦି, ଆମେ ସିନା ଏ ପାହାଡ଼ ବିଷୟରେ କିଛି ଜାଣିଥିଲେ କହନ୍ତୁ । ତୁମେ କୁହ–କିଏ କେଉଁଆଡ଼େ ଯିବ । ପୁଣି କେଉଁଠି ଏକାଠି ହେବା । କେଶବର କଥା ଶୁଣି ଠିଆହୋଇ ଚିନ୍ତାକଲା ନାଥ ଦାସ । କହିଲା–ହଉ କେଶବ, ତୁ ମୁଣ୍ଡିଆ ପଛପଟ ଝରଣା କୂଳକୁ ଯାଆ, ପଞ୍ଚୁ ଦକ୍ଷିଣପଟ ପାହାଡ଼ ନାସିରେ ରହୁ, ଶାମ ଉତ୍ତର ପଟ ଢାଲୁଟାରେ ଅପେକ୍ଷା କରୁ ଏବଂ ଗରିବ ମୁଣ୍ଡିଆର ଅଣ୍ଟା ପାଖକୁ ଉଠିଯାଇ ଅପେକ୍ଷା କରୁ । ମୁଁ ନିଜେ କୋଚିଳା ବଣରେ ଛପି ବସୁଛି । ସଞ୍ଜବେଳକୁ ପୁଣି ଏଇଠିକୁ ଫେରିଆସି ଏଇ ଓସ୍ତ ଗଛରେ ରାତି କାଟିବା । ସକାଳୁ ଫେରିବା ଗାଁକୁ-

 

ନାଥ ଦାସର କଥା ମାନି ଯୋରଣ୍ଡା ଜଳପ୍ରପାତ ଚାରିକଡ଼େ ବିଛାଡ଼ି ହେଇଗଲେ ପଞ୍ଚୁ, କେଶବ, ଶାମ ଏବଂ ଗରିବ । ନିଜେ ନାଥ ଆଗେଇଲା କୋଚିଳା ବଣ ଆଡ଼େ ।

 

ଦଳର ସବୁଠାରୁ କମ୍‌ ବୟସର ଯୁବଳ କେଶବ ମୁଣ୍ଡିଆ ପଛକଡ଼େ ବୁଲିପାଇ ଉଠିଲା ଉପରକୁ । ଗିଲବୁଦା, କଣ୍ଟିବୁଦା, ଶିଆରି ଲଟା, ଅନନ୍ତ ମୂଳୀ ଲଟାକୁ ଆଡ଼େଇ ଆଡ଼େଇ ସେ ଯାଇ ପହଞ୍ଚିଲା ମୁଣ୍ଡିଆର ମଝି ଗର୍ଦ୍ଦନ ନିକଟରେ । ଦେଖିଲା ସେ, ଆଖି ଆଗରେ ମହୁଲ ଗଛଟିଏ । ଗଛରେ ଭର୍ତ୍ତି ହୋଇଛି ମହୁଲ ଫୁଲ । ବାସନାରେ କମ୍ପି ଉଠୁଛି ସମଗ୍ର ଅଞ୍ଚଳଟି । ମହୁଲ ଗଛକୁ ଲାଗି ଚାରକୋଳି ଗଛ କଡ଼ରୁ ଢାଲୁ ହୋଇ ସୋଓରାଟିଏ ଲମ୍ବି ଯାଇଛି ତଳପର୍ଯ୍ୟନ୍ତ । ତଳେ ଏକ କ୍ଷୁଦ୍ର ଉପତ୍ୟକା ସୃଷ୍ଟି କରି ବହିଯାଉଛି ପାହାଡ଼ୀ ଝରଣାର ସୁଅ । ମନରେ ବିଚାର କଲା କେଶବ–ମହୁଲ ଗଛରେ ଚଢ଼ି ଚାରିଆଡ଼କୁ ଲକ୍ଷ୍ୟକରି ହେବ, ନିରାପଦରେ ମଧ୍ୟ କାର୍ଯ୍ୟ ସିଦ୍ଧି କରି ହେବ ।

 

ବିଳମ୍ବ ନ କରି ପୁଟୁଳିଟିକୁ ପିଠିରେ ବାନ୍ଧି, ଲମ୍ବ ବାଡ଼ିଟାରେ ପାହାଡ଼ୀ ବୁଦାଗୁଡ଼ିକୁ ଆଡ଼େଇ ଆଡ଼େଇ ଗଛ ମୂଳକୁ ଗଲା କେଶବ ଏବଂ ଚଢ଼ିଲା ଗଛ ଉପରେ । ଇଚ୍ଛା ହେଉଥିଲା, ତଳେ ପଡ଼ିଥିବା ମହୁଲ ଫୁଲରୁ ସେ ପେଟେ ଖାଆନ୍ତା, ଆନନ୍ଦରେ ବିଶ୍ରାମ ନିଅନ୍ତା ଗଛ ଉପରେ । କିନ୍ତୁ ନା, ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେଣି । ଘଞ୍ଚ ବନାନୀର ପତ୍ର ଗହଳରେ କିରଣ ଲୁଚକାଳି ଖେଳୁଛି । ଆଉ ଅଳ୍ପ ସମୟ ପରେ ବୋଧହୁଏ ଝରଣା ପାଣି ପିଇବାକୁ ଗଡ଼ିବେ ଜୀବଜନ୍ତୁମାନେ । ଏ ସୁଯୋଗ ଛାଡ଼ି ଦେଲେ ସାରା ଦିନ ଅକାମି ହୋଇଯିବ । ଗଛର ପ୍ରଥମ ଶାଖାରେ ଗୋଡ଼ ଦେଇ ଦେଖିଲା କେଶବ । ମୁଠାଏ ମୋଟର ବୋଡ଼ା ସାପଟାଏ ମହୁଲ ଗଛରେ ଲାଞ୍ଜ ଗୁଡ଼ାଇ ଓହଳିଛି ତଳକୁ ମୁହଁକରି ଗଛର ଓହଳ ପରି । ସାପଟାକୁ ଦେଖି ହସିଲା ସେ । ଅନୁମାନ କରିନେଲା ମନେମନେ–ଏ ସାପ ଏମିତି ତଳକୁ ଝୁଲି ଖାଦ୍ୟ ସଂଗ୍ରହ କରେ । ପାହାଡ଼ୀ ମୂଷା, ଗୋଧି, ଛୋଟ ବଡ଼ ଜୀବ ପାଇଲେ ଗୋଟା ଗିଳେ ଏବଂ ହଜମ କରିବା ପାଇଁ ଗଛ ଡାହିରେ ଗୁଡ଼ାଇ ହୋଇ ଭିଡ଼ି ମୋଡ଼ି ହୁଏ । ତେବେ ମତେ କ’ଣ ସେ ତା’ର ଆହାର କରିବ ? ନା…, ବିଚରା ସାପ କାହୁଁ ଜାଣିବ ଯେ–ମୋର ତାକୁ ଭୟ ନାହିଁ । ତା’ଠାରୁ ଆହୁରି ବିଷାକ୍ତ ଗୋଖର, ଅହିରାଜ, ତମ୍ପ ଏବଂ ବିଶାଳକାୟ ଅଜଗରମାନେ ମୋର ଖେଳ ସାମଗ୍ରୀ ।

 

ଏମିତି ଚିନ୍ତା କରୁ କରୁ ବାଡ଼ି ଉଠାଇ ସାପଟିର ମଝି ଗର୍ଦ୍ଦନକୁ ପିଟି ଦେଲା କେଶବ । ଅବ୍ୟର୍ଥ ତା’ର ପ୍ରହାର, ଗଛ ଶାଖାରୁ ଖସି ସାପଟା ତୀର ମାରିବା ପରି ଯାଇ ପଡ଼ିଲା ଚାରକୋଳି ବୁଦା ଭିତରେ । ହସି ହସି ପାଟି କରୁଥିଲା କେଶବ–ଶଳା ବୋଡ଼ା ସାପ ଗୋଟାଏ ସାପ, ସେ ପୁଣି ମୋତେ ଡରାଉଛି । ସାପଟାକୁ ପିଟିବାର ଶବ୍ଦରେ ଗଛ ଉପରେ ଚଢ଼ିଥିବା ଗୁଣ୍ଡୁଚି ମୂଷା ପାହାଡ଼ିଆ ମୂଷାମାନେ ଖପ୍ ଖାପ୍ ଡେଇଁଲେ ଗଛ ଉପରୁ । ଏମାନଙ୍କ ସହିତ ଲମ୍ବ ଲାଞ୍ଜିଆ ସାଳୁଆପତନିଟାଏ ମଧ୍ୟ ଡେଇଁଲା ବୁଦା ଭିତରକୁ । ଚାହିଁରହିଥାଏ କେଶବ । ଆଖିରେ ଝଲସିଉଠିଲା–ପାହାଡ଼ ଖୋଲରୁ ବିରାଟ ବଜ୍ରକାପ୍ତାଟାଏ ବାହାରି ଉଠୁଛି ମୁଣ୍ଡିଆ ଉପରକୁ । ଆଃ–ସୁବର୍ଣ୍ଣ ସୁଯୋଗ, ପଞ୍ଚୁ, ଗରିବ, ଶାମ ପରି ଯୁବକମାନେ ଥିଲେ ବଜ୍ରକାପ୍ତାଟାକୁ କାବୁ କରି ମାରିଦେଇ ହୁଅନ୍ତା । ତା’ କାତିଗୁଡ଼ିକ ସଂଗ୍ରହ କରି ବିଦେଶକୁ ନେଇ ବେଶ୍ ଦି’ପିଇସା ରୋଜଗାର କରି ହୁଅନ୍ତା, ଫୁଲମନିର ଅଙ୍ଗୁଳି ପାଇଁ ମଧ୍ୟ କରିଦେଇ ହୁଅନ୍ତା ଦୁଇଟା ମୁଦି । କିନ୍ତୁ ନା–,ଏକୁଟିଆ ବିରାଟ ବଜ୍ରକାପ୍ତା ଉପରେ ଆକ୍ରମଣ କରିବା ସମ୍ଭବପର ନୁହେଁ । ସେ ଆଶା ଛାଡ଼ିବାକୁ ହେବ ।

 

ଆଗକୁ ଅନାଇଲା କେଶବ । ସମ୍ବରଟାଏ ଝରଣା ପାଣି ପିଉଛି, ଜୀବଜନ୍ତୁମାନେ ପାହାଡ଼ରୁ ଗଡ଼ିବାର ସମୟ ହୋଇଗଲା ପ୍ରାୟ, ଏଥର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ହେବ । ବିଳମ୍ବ କଲେ ହତାଶ । ହଠାତ୍ ଚମକି ପଡ଼ିଲା କେଶବ ଖସ୍‌ଖାସ୍ ଶବ୍ଦରେ । ବୁଲି ଚାହିଁଲା ପଛକୁ, ଚଉସିଙ୍ଘାଟାଏ କଣ୍ଟାଝଟା କଡ଼େ କଡ଼େ ଦୌଡ଼ୁଛି ପ୍ରାଣ ବିକଳରେ । ବୋଧହୁଏ କେହି ଆକ୍ରମଣ କରୁଛି ତାକୁ, ତେଣୁ ଏ ତା’ର ଆତ୍ମଗୋପନର ଚେଷ୍ଟା । ହସିଲା କେଶବ । ଏ ନିଘଞ୍ଚ ଜଙ୍ଗଲରେ ମଧ୍ୟ ଖାଦ୍ୟ ଖାଦକର ଭିଡ଼ା ଓଟରା, ଆଉ ନିରାପଦ ସ୍ଥାନ କାହିଁ ସଚରାଚର ବିଶ୍ଵବ୍ରହ୍ମାଣ୍ଡରେ ! ଘନଜନବସତି ଅଞ୍ଚଳରେ ଶୋଷକ ଶୋଷିତ, ପାହାଡ଼ କାନନରେ ଶୋଷକ ଶୋଷିତ, ସାଗର ବକ୍ଷରେ ଶୋଷକ ଶୋଷିତ, ତା’ହେଲେ ଦୁର୍ବଳର ସ୍ଥାନ କାହିଁ ମହୀ-ମଣ୍ଡଳରେ । ନିଜକୁ ନିଜେ ପୁଣି ସାନ୍ତ୍ୱନା ଦେଲା କେଶବ । ଏ କ’ଣ ଭାବୁଛି ସେ ଜଙ୍ଗଲ ଭିତରେ, ଅଦା ବେପାରୀ ଜାହାଜ ମୂଲାଇ ଲାଭ କ’ଣ ?

 

ଚମକି ପଡ଼ିଲା କେଶବ । ଏଁ, ଏ କ’ଣ ସାପ ଦଳ ? ହଁ ଅଜଗର ସାପର ଦଳ । ପନ୍ଦର ଫୁଟ, ଷୋଳ ଫୁଟ ଲମ୍ବର ଅଜଗର ସାପମାନେ ଧାଡ଼ି ବାନ୍ଧି ଚାଲିଛନ୍ତି ଝରଣା କୂଳକୁ ପାଣି ପିଇବା ପାଇଁ । ବିଚିତ୍ର ସେ ଦୃଶ୍ୟ, କିନ୍ତୁ ଏମାନଙ୍କୁ କ’ଣ ଧରି ହେବ ? ଏମାନେ ଯେ ଗୋଟା ଗୋଟା ମଣିଷ, ବଣ କୁକୁଡ଼ା, ମୂଷା ଗିଳିଦେଇ ପାରିବେ । ପୁଣି କାଠୁଆ ସାପ ଅଜଗର । ଖେଳେ ନାହିଁ–ପଡ଼ିରହେ କାଠ ଗଡ଼ ପରି । ଏମାନଙ୍କୁ ଛାଡ଼ି ଗୋଖର ଅହିରାଜମାନଙ୍କୁ ଅପେକ୍ଷା କରିବାକୁ ହେବ-

 

ପଟିଆ ପଦ୍ମକେଶରୀପୁରର ସାପୁଆକେଳା କେଶବ ଦାସ, ନାଥ ଦାସ, ପଞ୍ଚୁ ଦାସ, ଶାମ ଦାସ ଏବଂ ଗରିବ ଦାସ । ସାପ ଖେଳା ଏମାନଙ୍କର ବେଉସା । ଶୀତ ଶେଷରେ ଏମାନେ ସାପ ଧରି ଯାଆନ୍ତି ଭିତରକନିକା, ହୋକିଟୋଲା, ରଙ୍ଗଣୀ, ସାତଭାୟା, ମଣିଭଦ୍ରା, ପଞ୍ଚୁଦାରୀ, ଗନ୍ଧମାର୍ଦନ, ଶିମିଳି ପାହାଡ଼, ମାଲ୍ୟଗିର, ଦାଣ୍ଡକାରଣ୍ୟ ଏବଂ ଉଦୟଗିରି । ଧରନ୍ତି ଗୋଖର, ଅଜଗର, ଅହିରାଜ, କୋଳଥିଆ ନାଗ, ପଦ୍ମ ନାଗ, ଇଟା ତମ୍ପ, ଅଢ଼େଇ କିଆରିଆ ତମ୍ପ । ଫେରି ଆସନ୍ତି ନିଜ ଗାଁ ପଦ୍ମକେଶରୀପୁରକୁ ଏବଂ ବାହାରନ୍ତି ବିଦେଶ କରି–ଗାଁ ଗାଁ ବୁଲି ସାପ ଖେଳାଇବା ପାଇଁ ।

 

ଏଇ ସାପ ଧରୁ ଧରୁ ବେଳେ ବେଳେ କାମୁଡ଼ାରେ ପ୍ରାଣ ହରାନ୍ତି ଏମାନେ । ତଥାପି କୁଳ ଜୀବିକା ଛାଡ଼ିହୁଏ ନାହିଁ । ଡିବିଡିବି ଡମ୍ବରୁର ତାଳେ ତାଳେ ବହିଯାଏ ପଦ୍ମତୋଳର ସ୍ଵର ଲହର–

 

କଂସର ଘରଣୀ ପଦ୍ମାବତୀ ରାଣୀ କରିଛି ଧନିତ୍ରୀ ଓଷା

ଲକ୍ଷେ ଭାର ପଦ୍ମ ଆଣିବୁ କହ୍ନାଇ ନଥିବ ପାଖୁଡ଼ା ମିଶା

କି ଗୋବିନ୍ଦ ହରେ ।

 

ଭାବୁଛି କେଶବ । ଅଜଗର ସାପ ଦଳର ଶେଷରେ ଧିମେଇ ଧିମେଇ ଚାଲିଥିବା ଛୋଟ ଗଜା ଅଜଗରଟାକୁ ଧରିନେଲେ ଚଳନ୍ତା । କିନ୍ତୁ ପ୍ରଥମରୁ ଅଜଗରଟାକୁ ଧରି ଲାଭ କ’ଣ ? ଫେରନ୍ତୁ ଏମାନେ ପାଣି ପିଇ, ସୁବିଧା ଯୁଟିଲେ ପରେ ଧରିବି ।

 

ଅବଶ୍ୟ ଅଜଗର ସାପ ପ୍ରତି ଏକ କୌତୂହଳ ରହିଛି କେଶବର । ପିଲାଦିନେ ତା’ ଗାଁ ଲୋକଙ୍କଠାରୁ ଶୁଣିଛି ସେ–ଏ ସାପଗୁଡ଼ାକ ଗଛ ମୂଳରେ ଗୁଡ଼େଇ ଗୁଡ଼େଇ ଶୋଇ ରହନ୍ତି । ବାଟୋଇ ଗଛ ମୂଳରେ ବସି ଏମାନଙ୍କୁ ଗଛର ସିଅ ଭାବି ରୋଷେଇ ବସାଏ ତାଙ୍କ ପିଠିରେ । ଭାତ ଫୁଟିଲା ବେଳକୁ ତାତ କାଟେ । କଡ଼ ଲେଉଟାଏ ଅଜଗର । ପ୍ରାଣ ବିକଳରେ ପଳାଇବାକୁ ଚେଷ୍ଟା କରନ୍ତି ବାଟୋଇ । ସେହି ଅତିରଞ୍ଜିତ କାହାଣୀକୁ ମନରେ ପକାଇ ହସୁଛି କେଶବ । ଠିକ୍ ଏମିତିବେଳେ ଦେଖିଲା ସେ–ପାହାଡ଼ ଉପରୁ ଗଡ଼ୁଛନ୍ତି ଗୋଖର ସାପର ଦଳ । ବିଜୁଳି ବେଗରେ ଚାଲିଛନ୍ତି ସେମାନେ ଝରଣା ଆଡ଼କୁ ।

 

କାଳ ବିଳମ୍ବ ନ କରି ନିଜକୁ ପ୍ରସ୍ତୁତ କରିନେଲା କେଶବ । ଛୋଟ ପେଡ଼ିଟିକୁ ଧୀରେ ପକାଇ ଦେଲା ତଳେ ଏବଂ ବାଡ଼ିଟି ଧରି ନିଜେ କୁଦା ମାରିଲା ତଳକୁ । ଆଖିରେ ତା’ର ଆନନ୍ଦର ବନ୍ୟା । ଆଃ…ହଳଦୀଗଣ୍ଠି ପରି କି ଜାତିଆ ଗୋଖର ସାପ । ପଦ ଡାକିଲେ ହାତେ ଉଚ୍ଚ ଫଣା ଟେକି ଖେଳିବ ନିଶ୍ଚୟ । ଏଭଳି ସାପ ଗାଆଁରେ କାହାରି ପେଡ଼ିରେ ନଥିବ । ପୁଣି ଥରେ ସତର୍କରେ ସାପମାନଙ୍କୁ ଦେଖିନେଲା କେଶବ । ପ୍ରାୟ କୋଡ଼ିଏ ତିରିଶ ସାପ ଧାଡ଼ି ହେଇ ଚାଲିଛନ୍ତି, ଛଅ ସାତ ଫୁଟ, ଲମ୍ବରୁ କେହି କମ୍ ନୁହଁନ୍ତି । ସମସ୍ତଙ୍କ ମୁଣ୍ଡରେ ନିଶ୍ଚୟ କଠଉ ଚିହ୍ନ ଶୋଭା ପାଉଥିବ । ଲକ୍ଷ୍ୟ କଲା ସେ–ସବୁଠାରୁ ସୁନ୍ଦର ସାପଟି ଚାଲିଛି ଧାଡ଼ିର ଶେଷରେ ବେପରୁଆ ଭାବେ । ସତେ ଅବା ଭୟ ନାହିଁ ତା’ର ଜଙ୍ଗଲର ଜୀବଜନ୍ତୁମାନଙ୍କୁ ।

 

ଆଉ ଅପେକ୍ଷା ନ କରି ପଛ କୋଳି ବୁଦା କଡ଼େ କଡ଼େ ଆଗେଇ ଗଲା କେଶବ । ଏଇଠୁ ସାପମାନଙ୍କୁ ବେଶ୍ ସ୍ପଷ୍ଟ ଭାବରେ ଦେଖିହେଉଛି । ବାଡ଼ି ପକାଇ ଧରିବା ପାଇଁ ମଧ୍ୟ ବେଶ୍ ସୁବିଧା ଜାଗା । ଡାହାଣ ହାତରେ ବାଡ଼ି ଏବଂ ବାମ ହାତରେ ଗାମୁଛାଟାକୁ ପ୍ରସ୍ତୁତ କରି ରଖିଲା ସେ । ଆଖି ଆଗରେ ଏକ ଦୁଇ କରି ବୁଢ଼ା, ଛୁଆ, ମାଈ, ଅଣ୍ଡିରା ସାପମାନେ ସର ସର ହୋଇ ଆଗେଇ ଯାଉଛନ୍ତି । ଆଜି ଯେ ସେମାନେ ନୂଆ ପାଣି ପିଇ ଯାଉଛନ୍ତି–ତା’ ନୁହେଁ, ନିତି ଦିନର ବାଟ ଏଇଟା । ସେଥିପାଇଁ ପାହାଡ଼ିଆ ଧୂଳି ଉପରେ ଘୋଷରା ଦାଗ । ସାପ କାତି, ସାପ ଘୋଷରା । ସାପ କାତି ଦେଖି କେଶବର ଗାଁ ଲୋକେ ଲକ୍ଷ୍ୟ କରନ୍ତି ସାପମାନଙ୍କର ଗତିବିଧି । ସବୁ ଶୁଣିଛି କେଶବ । ଆଜି ଅଙ୍ଗେ ନିଭାଉଛି ଅନୁଭୂତି କରି । ଅବଶ୍ୟ ସେ ଯେ ଆଜି ନୂଆ ସାପ ଧରୁଛି ତା’ ନୁହେଁ–ପ୍ରଥମେ ଗାଁର ପୋଷା ସାପଙ୍କୁ ଧରି ଶିଖିଛି । ପରେ ପରେ ଚନ୍ଦକା ଜଙ୍ଗଲର ଛୋଟ ବଡ଼ ସାପ ଧରି ପରୀକ୍ଷା କରିଛି ନିଜ କରାମତି । ତା’ପରେ ସାହସ କରିଛି ବାହାରକୁ ଯାଇ ସାପ ଧରିବା ପାଇଁ ।

 

ଏମିତ ଭାବୁ ଭାବୁ କେଶବର ଆଖିରେ ପଡ଼ିଲା ସେହି ଶେଷ ସାପଟା । ଆଖି ତା’ର ବଡ଼ ବଡ଼ ହୋଇଆସିଲା । ମନ ଉଦବେଳିତ ହୋଇଉଠିଲା । ଆଉ ବିଳମ୍ବ ନ କରି କେଶବ ଫଟ୍‌କରି ବାଡ଼ିଟା ପକାଇ ଦେଲା ସାପଟାର ବେକରେ ଏବଂ ଖପ୍‍କରି ଗାମୁଛା ମିଶା ଧରିନେଲା ଲାଙ୍ଗୁଡ଼ଟାକୁ । ଭିଡ଼ିମୋଡ଼ି ହେଉଛି ହଳଦୀଗଣ୍ଠିଆ ଗୋଖର । କେଶବ ହାତରୁ ଆଉ ଖସିବାର ଶକ୍ତି ନାହିଁ । ମାଟି ଦେହରେ ଚିପି ହୋଇ ଅଣନିଃଶ୍ଵାସୀ ହେବାକୁ ବସିଛି ସାପଟା, ଅଧିକ ସମୟ ଡେରି କଲେ ଅନ୍ୟ ସାପମାନେ ଫେରିପଡ଼ି ଆକ୍ରମଣ କରିପାରନ୍ତି । ତେଣୁ କାଇଦା କରି କେଶବ ବାମ ଗୋଡ଼ଟା ପକାଇଲା ସାପର ଲାଙ୍ଗୁଡ଼ ଉପରେ ଏବଂ ବାମ ହାତର ଆଙ୍ଗୁଳି ଦି’ଟା ସାପର ବେକ ତଳେ ପୂରାଇ ଧରିଲା କାବୁ କରି । ଆଉ ବଚ୍ଚା ଗୋଖରର ହଲିବାର ଜୁ ନାହିଁ । ଏଥର ଡାହାଣ ହାତରୁ ବାଡ଼ି ଛାଡ଼ି ଅଣ୍ଟିରୁ ଝିଲିକାତିଟା ବାହାର କଲା କେଶବ । ଝାଡ଼ି ବସିଲା ଗୋଖର ସାପଟାର ବିଷ ଦାନ୍ତ । ଠକ୍‍ ଠାକ୍‍ ଭାଙ୍ଗିଗଲା ବିଷଦାନ୍ତଗୁଡ଼ିକ । ଝରି ପଡ଼ିଲା ମଧ୍ୟ ରକ୍ତ ଗୋଖର ସାପର ପାଟିରୁ । ହସି ହସି ପାଟି କରୁଥିଲା କେଶବ–ଆଉ ବାଚ୍ଚା ଯିବୁ କୁଆଡ଼େ ?

 

ମୋଡ଼ି ହୋଇ ହୋଇ ଶେଷକୁ ଅବଶ ହୋଇପଡ଼ିଲା ହଳଦୀଗଣ୍ଠି ଗୋଖର ସାପ । ତା’ପରେ, କେଶବ ପୁଣି ଖିଲିକାତିଟା ଅଣ୍ଟାରେ ଖୋଷି ଲାଙ୍ଗୁଡ଼ଟା ଧରିଲା ଡାହାଣ ହାତରେ । ଚାଲିଲା ମହୁଲ ଗଛ ମୂଳକୁ ବିଜୟ ଗର୍ବରେ ସାପଟାକୁ ପେଡ଼ିରେ ପୂରାଇବା ପାଇଁ । ସେତେବେଳକୁ କେତେଟା ବଣ କୁଆ କେଶବର ମୁଣ୍ଡ ଉପରେ ଉଡ଼ିବାକୁ ଆରମ୍ଭ କରି ଦେଇଥିଲେ-। ସେମାନଙ୍କୁ ନ ଚାହିଁ କେଶବ ଏକମୁହାଁ ହୋଇ ପହଞ୍ଚିଲା ମହୁଲ ଗଛ ମୂଳେ । ପେଡ଼ିଟାକୁ ଦୁଇ ଗୋଡ଼ରେ ଖୋଲିଦେଇ ପ୍ରଥମେ ସାପଟା ସହିତ ଦୁଇହାତ ପୂରାଇଲା ପେଡ଼ି ଭିତରେ । ତା’ପରେ ଡାହାଣ ହାତ ଛାଡ଼ି ପେଡ଼ିର ଘୋଡ଼ଣିଟା ମାଡ଼ି ବସିଲା ପେଡ଼ି ଉପରେ । ସେତେବେଳକୁ ହଳଦୀଗଣ୍ଠି ଗୋଖର ସାପଟାର ଲାଙ୍ଗୁଡ଼ ଗୁଡ଼ାଇ ହୋଇଯିବାକୁ ବସିଥିଲା ବାମ ହାତରେ ପେଡ଼ି ଭିତରେ । ଚଟ୍‌ପଟ୍‍ କରି ସେ ବାହାର କରି ଆଣିଲା ବାମହାତ । ମାଡ଼ି ବସିଲା ପେଡ଼ିଟାକୁ-। ଫଁ ଫଁ ଗର୍ଜୁଥିଲା ଗୋଖର ପେଡ଼ି ଦେହରେ, ଆଉ ପଳେଇଯିବାକୁ ବାଟ ନାହିଁ । କେଶବର ଶକ୍ତିଶାଳୀ ହାତ ଏବଂ ସାପଧରା କୌଶଳ ନିକଟରେ ହାର ମାନିଛି ସାପଟା । ହସିଲା କେଶବ ବିଜୟ ଗର୍ବରେ । ଆଉ ଅପେକ୍ଷା ନ କରି ଝପଟିଗଲା ବାଡ଼ିଟା ଆଣିବା ପାଇଁ । କାରଣ ନିଘଞ୍ଚ ଜଙ୍ଗଲରେ ତା’ର ବାଡ଼ିହିଁ ଏକମାତ୍ର ସହାୟକ ।

 

ବାଡ଼ିଟାକୁ ଧରି ଫେରିବା ପର୍ଯ୍ୟନ୍ତ ସେମିତି ଗର୍ଜନ କରିବାରେ ଲାଗିଥାଏ ଗୋଖର ସାପ । ଆକାଶକୁ ଅନେଇଲା କେଶବ, ସୂର୍ଯ୍ୟ ହୁଏତ ବୁଡ଼ି ବୁଡ଼ି ଆସୁଛନ୍ତି । ଆଉ ଅଳ୍ପ ସମୟ ପରେ ସମଗ୍ର ବନଭୂଇଁ ଅନ୍ଧାର ଘୋଡ଼ଣିରେ ଢାଙ୍କି ହୋଇଯାଇ ପାରେ । ତା’ ପୂର୍ବରୁ ମୁଣ୍ଡିଆ ଅତିକ୍ରମ କରି ଆରପାଖରେ ଥିବା ନାଥିଆ ଦାଦି, ପଞ୍ଚୁ, ଗରିବ, ଶାମଙ୍କ ସହିତ ମିଶିବାକୁ ହେବ । ଅଭିଜ୍ଞତା ବର୍ଣ୍ଣନା କରିବାକୁ ହେବ । ଡେରି ହେଲେ ବାଟହୁଡ଼ି ଜଙ୍ଗଲ ଭିତରେ କୋଉଠି ଅଟକି ଯିବା ଅସମ୍ଭବ କଥା ନୁହେଁ । ତେଣୁ ଆଉଥରେ ପେଡ଼ିଟିକୁ ପରୀକ୍ଷା କରିନେଲା କେଶବ ଏବଂ ଗାମୁଛାରେ ପେଡ଼ିଟି ପୂରାଇ ଚୁଡ଼ା ପୁଟୁଳାଟିକୁ ବାନ୍ଧିଲା ଗାମୁଛାର ଗୋଟାଏ କାନିରେ । ତା’ପରେ ବାଡ଼ି ଦେହରେ ପୁଟୁଳିଟା ପୂରାଇ ପକାଇଲା କାନ୍ଧ ଉପରେ । ଏଥର ନିରାପଦରେ ଚାଲିବାକୁ ହେବ ଆଗରୁ ଆଗକୁ ।

 

ଗୋଢ଼ କାଢ଼ିଲା କେଶବ । ଖରାଦିନିଆଁ ଅପରାହ୍ନର ପବନ ଲୁଚକାଳି ଖେଳୁଥିଲା ଜଙ୍ଗଲର ଗଛଲତା ଦେହରେ । ଭାବୁଥିଲା ସେ, ଏମିତି ଖରାଦିନ ଖରାବେଳେ ଫୁଲମନିର ବୋଉ କାଠ ପାଇଁ ବାହାରି ଯାଆନ୍ତି ଚନ୍ଦକା ଝାଡ଼ ଜଙ୍ଗଲକୁ । ସଂଗ୍ରହ କରନ୍ତି ଶିଆରି ଲଟା, କାଇଁସିଆ ଲଟା, ପୁଦ୍‌କା ଶାଖା ଏବଂ ଜିଆଁମାଳ ଡାହି । ସେସବୁ କଟୁରିରେ କାଟି, ପୁଳା ବାନ୍ଧି, ମୁଣ୍ଡରେ ମୁଣ୍ଡାଇ ପଦ୍ମକେଶରୀପୁରକୁ ଫେରିବା ପୂର୍ବରୁ ଦାଣ୍ଡରେ ଧୂଳି ଘର କରୁ କରୁ ଅଳିକରେ ଫୁଲମନି, କେଶବାଇ ବୋଉ ମତେ ଜଙ୍ଗଲକୁ ନେଲା ନାଇଁ । ଜଙ୍ଗଲ ମୁଣ୍ଡ ଆମ୍ବ ଗଛରେ କେତେ ଆମ୍ବ ଫଳିଛି, ତମେ ମତେ ସାଙ୍ଗରେ ନେଇଯିବ ? ଆମ୍ବ ଖାଇବା, ବୋଉ ସାଙ୍ଗରେ ଫେରିବା । ଫୁଲୁମନିର ଅଳି ଭାଙ୍ଗିପାରେ ନାହିଁ ମୁଁ । ତା’ କାନ୍ଧରେ ହାତ ପକାଇ କହେ–ଆଲୋ, ଯିବୁ ଯଦି ଆ-। କିନ୍ତୁ ତୋ ବୋଉ ଯଦି ଗାଳି ଦିଏ ? ମୋ କଥା ଶୁଣି ହସେ ଫୁଲମନି । ନାଇଁମ, ମୋ ବୋଉ କଥା ତମେ ଜାଣିନ ? ସେ ମୋଟେ ରାଗିବ ନାଇଁ । ତମ ସହିତ ଥିଲେ ସେ ଓଲଟି ଖୁସି ହେବ-। ଫୁଲମନିଠାରୁ କଥା ଆଦାୟ କରିବାକୁ କହେ ମୁଁ–କାହିଁକି ? ମତେ କାହିଁକି ତୋ ବୋଉ କିଛି କହିବନି ? ହସେ ଫୁଲମନି, ନିର୍ବୋଧ ଆଖି ମେଲେଇ କହେ–ତମେ କୁଆଡ଼େ ପରା ଭଲ ପିଲା ।

 

ତା’ କଥା ଶୁଣି ମନରେ ଆହୁରି ଉତ୍ସାହ ଆସେ ମୋର । ଠୁକୁ ଠୁକୁ ଦୁଇଜଣ ଚାଲୁ ଝାଡ଼ ଜଙ୍ଗଲ ଆଡ଼େ । ଖରାଦିନିଆଁ ଖରାରେ ନିଆଁପରି ତାତିଥିବା ପଥର ଉପରେ କିଛିବାଟ ଯାଇ ପାଟିକରେ ଫୁଲମନି–କେଶବାଇ ! ଗୋଡ଼ ପୋଡ଼ିଯାଉଛି, ଆଉ ଯାଇପାରିବିନି, ମତେ କାଖ କର-। କ’ଣ କରିବି–ଆଗକୁ ଯାଇ ପାରିବନି ସେ–ପଛକୁ ମଧ୍ୟ ଫେରି ହେବନି । ତେବେ ? ବାଧ୍ୟହୋଇ ଫୁଲମନିକୁ କାଖେଇ ଖଣ୍ଡି ଦୌଡ଼ା ମାରି ପହଞ୍ଚେ ପଟିଆ କଡ଼ ଆମ୍ବତୋଟା ଭିତରେ । ଜଙ୍ଗଲର ଗୋଟାଏ ମୁଣ୍ଡରେ ଏ ତୋଟା । ଜଙ୍ଗଲକୁ ଯାଇଥିବା କାଠକଟାଳିମାନେ, ଫଳମୂଳ ଶାଗ ଖୁଣ୍ଟାଳିମାନେ ଫେରି ବିଶ୍ରାମ କରନ୍ତି ଏ ତୋଟାରେ । ଗପ ସପ ହୁଅନ୍ତି ସାହିକଥା, ଘରକଥା, ବନ୍ଧୁବାନ୍ଧବଙ୍କ କଥା ।

 

ସେଇ ତୋଟାମୁଣ୍ଡ ଗଛମୂଳେ ଫୁଲମନିକୁ କାଖରୁ ଓହ୍ଲାଇ ଠିଆ କରି ଦେଲେ ପାଟିକରେ ସେ–କେଶବାଇ ! ଦେଖ ଦେଖ କେମିତି ସୁନ୍ଦରୀ ଆମ୍ବଟା ପାଚିଚି । ଟେକା ପକାଇ ମତେ ସେଇଟା ପାରିଦିଅ । ଫୁଲମନିର କଥା ଶୁଣି ଚାରିଆଡ଼କୁ ଅନାଇ ନିଏ ମୁଁ । କାଳେ ଜଙ୍ଗଲ ନିଲାମ ନେଇଥିବା ବାବୁ କେଉଁଠି ଛପି ବସିଥିବେ । ବେଳେ ବେଳେ ଏମିତି ଛପିବସି ଅନେକ ଆମ୍ବ ପରାଳିଙ୍କୁ ଧରନ୍ତି ସେ–ଗାଳି ଦିଅନ୍ତି, ମାରନ୍ତି–ତାଗଦା କରନ୍ତି, ଛୁଆମାନଙ୍କୁ ଡରାନ୍ତି । ତେଣୁ ଛୁଆମାନେ ତାଙ୍କୁ ଦେଖିଲେ ଦୌଡ଼ନ୍ତି କିଳିକିଳା ଶବ୍ଦ କରି । ନା–ଆଜି କିନ୍ତୁ କେହି ନାହାନ୍ତି । ନିର୍ବିଘ୍ନରେ ଫୁଲମନିର ବରାଦ ଅନୁସାରେ ସୁନ୍ଦରୀ ଆମ୍ବ ପାରିହେବ । ପାଖ ବେଗୁନିଆଁ ବୁଦାରୁ ପବ ଖଣ୍ଡେ ଭାଙ୍ଗି ପତ୍ର ଉଞ୍ଛି ଫିଙ୍ଗିଲି ମୁଁ ସୁନ୍ଦରୀ ଆମ୍ବକୁ । ଅବ୍ୟର୍ଥ ମୋ ହାତର ଲକ୍ଷ୍ୟ । ଫୋପଡ଼ ପାହାରରେ ଆମ୍ବଟା ଛିଡ଼ି ପଡ଼ିଲା । କିନ୍ତୁ ପଡ଼ିଲା ଆସି ଫୁଲମନିର କାନ୍ଧ ଉପରେ । ସୁନ୍ଦରୀ ଆମ୍ବର ଆଘାତରେ କାନ୍ଦି ଉଠିଲା ଫୁଲମନି । ଉଁ–ଉଁ–ଉଁ– । କାଠ ମୁଣ୍ଡାଇ ଜଙ୍ଗଲ ଭିତରୁ ବାହାରି ଆସୁ ଆସୁ ପାଟିକଲେ ଫୁଲମନିର ବୋଉ–କିଏ ଲୋ ! ଫୁଲ ! ତତେ ଏଠିକି କିଏ ଆଣିଲା ? ଥା...ଥା…ମାଁ ମାଁ ହୋଇ ଆମ୍ବ ଗଛ କଡ଼ରୁ ବାହାରି ଆସୁ ଆସୁ ଛେପ ଢୋକି କହୁଥିଲି ମୁଁ–ନାଇଁ ମୁଁ ତାକୁ ନେଇ ଆସିଥିଲି । ହାଜିର ଚୋରକୁ ଶାସ୍ତି ନାହିଁ । ଆଉ କ’ଣ କହିବେ ସେ । କେବଳ ଅଭିଭାବକ ପରି କହନ୍ତି ମୁହଁ ଖୋଲି–ଛି, ଖରାଦିନ ଖରାବେଳେ କ’ଣ ଜଙ୍ଗଲକୁ ଆସନ୍ତି । ଭୁଆଁ ବୁଲେଇବ । ଆଉ ଆସିବନି–ଚାଲ, ପଳେଇ ଚାଲ । କାନ୍ଦୁ କାନ୍ଦୁ ନାକରୁ ଶିଙ୍ଘାଣି ପୋଛି ପାଟିକରେ ଫୁଲମନି–ମୋ ଆମ୍ବ–ମୋ ଆମ୍ବ ।

ଦୌଡ଼ିଯାଇ ତା’ ହାତକୁ ମୁଁ ବଢ଼ାଇ ଦିଏ ସୁନ୍ଦରୀ ଆମ୍ବ । ପୁଣି ହସେ ଫୁଲମନି । ତା’ ବୋଉ ମୁଣ୍ଡରୁ କାଠ ପୁଳା ଓହ୍ଲାଇ ବିଶ୍ରାମ କରନ୍ତି ଆମ୍ବ ମୂଳେ । ଫୁଲମନି ଆମ୍ବ ଖାଏ । ମୁଁ ଖେଳ ଆରମ୍ଭ କରିଦିଏ ଗଛ ତଳେ । ଏମିତି ବହୁ ସମୟ ପରେ ବାହାରୁ ଆମେ ଗାଁ ଅଭିମୁଖେ ।

ସେଇ ଫୁଲମନି, ଏବେ ବଡ଼ ହେଇଛି । ଭଲମନ୍ଦ ବୁଝିବାର ଶକ୍ତି ସଂଗ୍ରହ କରିଛି । ସାପ ଧରି ବାହାରିଲା ବେଳେ କହିଥିଲା ବାରବାର–କେଶବାଇ ! ତୁମେ ନୂଆ ହୋଇ ସାପଧରି ଯାଉଛ, ହୁସିଆରରେ ଯିବ । ହୁସିଆରରେ ସାପ ଧରିବ । ଏକୁଟିଆ ଧରିବ ନାହିଁ । ଅନ୍ୟମାନଙ୍କ ସହିତ ଧରିବ । କିନ୍ତୁ ନାଥିଆଦିର ନିର୍ଦ୍ଦେଶରେ ମୁଣ୍ଡିଆ ଏପାଖକୁ ଆସିଛି ସେ ସାପ ଧରିବା ପାଇଁ ।

ଚମକି ପଡ଼ିଲା କେଶବ । ଦେଖିଲା ଆଗରେ ଗୋଟାଏ ଝିଙ୍କ ପକ୍ଷୀ । ବିପଦପୂର୍ଣ୍ଣ ଜୀବଟା । ଯଦି ରାଗି ପକ୍ଷୀ ଝାଡ଼ିଦିଏ–ତେବେ ଛୁଞ୍ଚି ମୁନ ପରି ପରଗୁଡ଼ାକ ବାହାରି ଆସି ଗଳିଯିବ ମଣିଷ ଦେହରେ । ଆଉ ଆଗକୁ ନ ବଢ଼ି କିଛି ସମୟ ସ୍ଥିରହୋଇ ଠିଆ ହୋଇଗଲା ସେ । ଝିଙ୍କ ପକ୍ଷୀଟା ତୀର ବେଗରେ ପଶିଗଲା ବଣ ଭିତରକୁ । ତା’ପରେ ଏଣେତେଣେ ଆଉଥରେ ଭଲକରି ଦେଖିନେଇ ଆଗେଇଲା କେଶବ ତା’ ବାଟରେ । ଅଳ୍ପ ବାଟ ଯାଇଛି କି ନାହିଁ ଦେଖିଲା ଯେ–ହାତୀ ଛୁଆଟାଏ ଗୋଟିଏ ଛୋଟ ଗଛରୁ ଡାଳ ଭାଙ୍ଗି ପତ୍ର ଖାଉଛି । ଡରିଗଲା କେଶବ । କାରଣ ଶୁଣିଛି ସେ–ବଣୁଆ ହାତୀମାନେ ବଣ ଭିତରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରନ୍ତି । କ’ଣ କରିବ ? ଉପାୟ ଚିନ୍ତାକରୁଛି–ପଛରୁ ଶୁଣିଲା ମାଈ ହାତୀର ପେଁକାଳି । ମୁଣ୍ଡିଆ ପାହାଡ଼ ଉପରୁ କ୍ଷିପ୍ର ଗତିରେ ଗଡ଼ୁଛି ହାତୀଟା । ବୋଧହୁଏ ଅନୁମାନ କରିଛି ସେ–ତା’ ଛୁଆକୁ କେଶବ ଆକ୍ରମଣ କରିଛି ବୋଲି । ହାତୀର ପାଦ ବାଜି ଖଣ୍ଡ ଖଣ୍ଡ ପଥର ଗଡ଼ି ଆସୁଛି ତଳକୁ । ବିକଳ ହୋଇ ଆଗକୁ ଦୌଡ଼ିଲା କେଶବ । କେଶବର ଦୌଡ଼ ଦେଖି ଭୟରେ ମଧ୍ୟ ହାତୀ ଛୁଆଟା ଧାଇଁଛି ଆଗକୁ-। ଡାକ ଛାଡ଼ୁଛି ସେ । ପ୍ରତ୍ୟୁତ୍ତର ଦେଉଛି ପଛରୁ ମାଈ ହାତୀ । ଧୀରେ ଧୀରେ କେଶବର ପାଦ ଥକି ପଡ଼ୁଛି । ପଥର ଦେହରେ ବାଜି, କଣ୍ଟାଝଟା ଫୁଟି ରକ୍ତାକ୍ତ ହୋଇ ଉଠୁଛି କେଶବର ପାଦ-। ଗଛକୁ ଚଢ଼ିଯାଇ ଆତ୍ମରକ୍ଷା କରିବାର ଆଉ ସମୟ ନାହିଁ । ନିହାତି ନିକଟକୁ ଲାଗି ଆସୁଛି ମାଈ ହାତୀଟା । ତା’ ପେଁକାଳି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ବନଭୂମି । ଡାକ ଛାଡ଼ୁଛି କେଶବ ବିକଳରେ–ମା’ ଶିଖରଚଣ୍ଡୀ, ମୋତେ ରକ୍ଷାକର, ରକ୍ଷାକର ବାବା ଜଗନ୍ନାଥ ।

ଆଉ ନୁହେଁ,–ହାତୀ ନିହାତି ନିକଟରେ ପହଞ୍ଚି ସାରିଛି । ଏଥର ତା’ର ପାଦ ତଳେ କେଶବକୁ ମାଡ଼ି ଚକଟି ପଥର ଦେହରେ ମିଶାଇ ଦେବ । ଉପାୟ ନ ପାଇ ବାଡ଼ିମିଶା କାନ୍ଧ ପୁଟୁଳିଟାକୁ ଫିଙ୍ଗିଦେଇ ଗିଲ କଣ୍ଟାବୁଦା ଉପରକୁ ପଶିଗଲା କେଶବ । ଫଁ ଫଁ ଗର୍ଜନ କରି ଅଟକି ଗଲା ହାତୀଟା–ଶୁଣ୍ଢ ବଢ଼ାଇ କେଶବର ଗୋଟାଏ ଗୋଡ଼କୁ ଧରିବା ବେଳେ ବୋଧହୁଏ ଥୋଡ଼ପାହୁଲର ମୁହଁରେ ଫୁଟିଗଲା ଗିଲକଣ୍ଟା । ଆହୁରି ଗର୍ଜନ କରି ହାତୀଟା କେଶବର ଗୋଡ଼ଟାକୁ ଧରି ଫିଙ୍ଗିଦେଲା ପଛ ଆଡ଼କୁ । ବିଚରା କେଶବ ଶୂନ୍ୟେ ଶୂନ୍ୟେ ଉଠିଯାଇ ପଡ଼ିଲା ଗୋଟାଏ ମୁତୁରି ଗଛର ବୁଦା ଭିତରେ ଏବଂ ବୁଦା ଦେହରୁ ଖସି ପଥର ଉପରେ ବାଡ଼େଇ ହୋଇ ହୋଇ ଯାଇ ପଡ଼ିଲା ଦୁଇଶହ ଫୁଟ ତଳ ପାହାଡ଼ୀ ଝରଣାର ପାଣି ଭିତରେ । ତଥାପି ହାତୀର ରାଗ ଶାନ୍ତ ହୋଇ ନାହିଁ–ସେ ଦଳି ମକଚି ପକାଉଛି–କେଶବର ପୁଟୁଳି, ପେଡ଼ି ସହିତ ହଳଦୀଗଣ୍ଠି ଗୋଖର ସାପକୁ । ଭାଙ୍ଗିବାରେ ଲାଗିଛି ନିକଟରେ ଥିବା ଗଜା ଅସନ, କୁରୁମ, ପିଆଶାଳ ଏବଂ ମହୁଲ ଗଛଗୁଡ଼ିକୁ ।

ବାଡ଼ିପଟ ତେନ୍ତୁଳି ଗଛ ମୂଳରେ ବସି ଗାଁମୁଣ୍ଡ ରାସ୍ତାକୁ ଚାହିଁଛି ଫୁଲମନି । ଚାରିଦିନ ହୋଇଗଲା–କେବେ ଫେରିବ କେଶବାଇ ? କ’ଣ କିଛି ଘଟଣ ଅଘଟଣ ଘଟିଲା ! ନିଜକୁ ନିଜେ ପୁଣି ଧିକ୍‌କାର କରୁଛି ସେ । ଛି–ଏ କ’ଣ ଭାବୁଛି । ପାଞ୍ଚ ଜଣ ଯାଇଛନ୍ତି–ଅସୁବିଧା ହେବ କାହିଁକି-? ଆମର ତ ଜୀବିକା ବଣ ପାହାଡ଼ରେ ବୁଲିବା–ସାପ ଖେଳାଇବା, ସେଥିରେ ବ୍ୟସ୍ତ ହେଲେ ଚଳିବ କେମିତି ? ନିଜକୁ ସାନ୍ତ୍ଵନା, ଦେଉଛି ଫୁଲମନି–ହଁ–ଆଜି…କି..କାଲି ଭିତରେ ଫେରିବ ନିଶ୍ଚୟ କେଶବାଇ ।

କେଉଁଥିରେ ମନ ଲାଗୁନାହିଁ ତା’ର, ଘରେ କେହି ନାହାନ୍ତି–କେବଳ ଶାମ ଭାଇର ସ୍ତ୍ରୀ ଚଢ଼େଇ, ପାଖ ଘରର ଝିଅ । ବାପା ସନାତନ ବିଦେଶ କରି ଯାଇଛନ୍ତି–ସାଙ୍ଗରେ ଯାଇଛି ବୋଉ । ଗଲାବେଳେ କେତେ କହି ଯାଇଛନ୍ତି–ଫୁଲମନି, ଭାଇ ସାପ ଧରି ଯାଉଛି–ଆମେ ବିଦେଶ କରି ଯାଉଛୁ । ଡରିବୁ ନାହିଁ–ନୂଆବୋଉକୁ ଚଳେଇ ନେବୁ । ଭାଇ ସାପ ଧରି ଫେରିଲେ ନୂଆବୋଉକୁ ନେଇ ବିଦେଶ ଯିବ । ତୁ ଏକା ଥିବୁ, ବାହାରକୁ ଯିବୁ ନାହିଁ । କେଳାଘର ଝିଅ, ଜ୍ଞାନ ପାଇଲେ ବାହାରକୁ ଯାଆନ୍ତି ନାହିଁ । ମନେ ରଖିଥିବୁ ଫୁଲମନି–ଏଇସାଲ ଭଲ ଦି ପଇସା ରୋଜଗାର ହେଲେ ତୋ ବାହାଘର ହେବ ।

 

ଫୁଲମନିର ଆଖି ଆଗରେ ଚଳଚ୍ଚିତ୍ର ପରି ନାଚିଉଠିଲା ଅନେକ କିଛି । ସେ ବାହା ହେଉଛି କେଶବାଇକୁ, ବାହାରିଛି ବିଦେଶ କରି ତା’ ସହିତ । କେଶବ ନୂଆ ନୂଆ ସାପମାନଙ୍କୁ ପେଡ଼ିରେ ପୂରାଇ ଭାର କରି ଚାଲିଛି ଆଗେ ଆଗେ । ପଛେ ପଛେ ସେ । ଟୋକେଇରେ ମନୋହରି ଜିନିଷ, ଚେର ମୂଳ, ଗଦ, ଡେଉଁରିଆ ଏବଂ ଚିତାକୁଟାଇବା ସରଞ୍ଜାମ, ହାଣ୍ଡିକଳା, ଛୁଞ୍ଚି-। ଗାଁ ମଝିରେ ଡମ୍ବରୁ ପିଟି ପିଟି ଚାଲିଛି କେଶବ, ସଙ୍ଗରେ ଧାଇଁଛନ୍ତି ଧାଡ଼ି ଧାଡ଼ି ଗାଁ ପିଲା-। ଡାକୁଛି କେଶବ–ଦେଖରେ ପିଲେ–ଅହିରାଜ, ଅଜଗର, ଗୋଖର, ତମ୍ପ ସାପ–ଗୋବିନ୍ଦ ମୂଷା ଖେଳ ଏବଂ ଫୁଲମନି ଡାକୁଛି–ପକା ପିଣ୍ଡା ଦେଖି–ଚିତା କୁଟେଇବ ଚିତା ।

 

ମାଧୋଇ ଲତା ଗୋ କୁଞ୍ଜ ଲତା

ଅଶୋକବନ ଲବଙ୍ଗଲତା

ଜଗମୋହନ ଗୋ ଗୋଲାପ ଫୁଲ

ମଲ୍ଲୀ ମାଳତୀ ଚମ୍ପା ଫୁଲ

ସୁଉକି ଦୋଅଣି କୃଷ୍ଣ ରାଧା

ନାଆଁ ଲେଖିଦେବି ନ ଦେଇ ବାଧା ।

ହାତରେ ଲେଖିବି ମାଳେଇ ହାର

ଗୋଡ଼ରେ ଲେଖିବି ମୁକୁତା ଝର ।

ମୁଣ୍ଡରେ ଲେଖିବି ଟିପା

ଆସ ଗୋ ଏଣିକି ଅପା ।

 

ଡାକ ଶୁଣି ଆସିବେ ଗାଁ ଝିଅ ବୋହୂମାନେ । କିଏ କହିବ–ମୋ ବାହୁରେ ଚିତା କୁଟେଇ ଦିଅ, କିଏ କହିବ ମୋ ମୁଣ୍ଡରେ, କିଏ କହିବ ମୋ ଗୋଡ଼ରେ, କିଏ କହିବ ମୋ ବଳାଗଣ୍ଠି ନିକଟରେ । ଗୋଡ଼ପାରି ବସି–ଶଢ଼େଇ କଳାରେ ଚିତା ଲେଖୁ ଲେଖୁ କହିବି–

ଛି କରି ଦେ ମନ ମାରି ଦେ,

ଚାଉଳ ଭଜା ମନକୁ ବୁଝା,

କାକଦଳ ପୁରେ ନିଇତି ପୂଜା

କାଆଟ୍ ନା...କୁଟ୍‌ନା

ଝିଅକୁ ମୋର ପଥର କରିଦେ

ମନ୍ତର ରାଜା ।

ଚିତା କୁଟେଇ ସାରି ଆଖିରୁ ଲୁହ ପୋଛୁ ପୋଛୁ ମୋ ପସରାରେ‌ ଢାଳିଦେବେ ମାଣ ମାଣ ଚାଉଳ । ଏମିତି ବେଳେ ଦେଖାଇବି ମୁଁ ମୋ ପସରା–ମୁଣ୍ଡ ଫୁଲ, ମୁଣ୍ଡ ଫିତା, ମୁଣ୍ଡ କଣ୍ଟା; ସିନ୍ଦୂର, କଜଳ, ପାନିଆଁ, ମାଳି, ନଖ ପାଲିସ, ବିନ୍ଦି ଏବଂ ଆଉ ଆଉ ଜିନିଷ, ଗାଉଥିବ ଗୀତ–

ନିଅ ଗୋ କଜଳ ସିନ୍ଦୂର ମାଳି

କାଠ ପାନିଆଁ ଗୋ ନବ ଛଇଳି ।

ନବ ଯଦି ନିଅ ମୁଣ୍ଡର ଫୁଲ

ମହମରେ ମୁଣ୍ଡ ଦିଶିବ ଭଲ ।

ନିଅ ମୁଣ୍ଡ କଣ୍ଟା ଘୋରା ସିନ୍ଦୂର

ନାଲି ନୀଳ ଫିତା କେତେ ରଙ୍ଗର ।

 

ଡାକ ଶୁଣି ପସରା ଉପରେ ହାମୁଡ଼େଇ ପଡ଼ି ଟଣା ଝିଙ୍କା କରିବେ ଝିଅମାନେ ଜିନିଷ ଦେଖିବା ପାଇଁ । ସେତେବେଳେ କବାଟ ପାଖରେ, ଦାଣ୍ଡ ପିଣ୍ଡାରେ, କୂଅ ମୂଳେ ଠିଆହୋଇ ଚାହିଁ ରହିଥିବେ ନୂଆ ବାହା ହେଇଥିବା, ଅଧା ଉମର କଟାଇଥିବା ମାଇପି ଲୋକେ । ଏତିକି ବେଳେ କହିବ ଡାକି–

 

ଡେଉଁରିଆ ନିଅ ଡେଉଁରିଆ

ପିହୁଳାଜର, ଏକୁଆ ଜର, ପାଳି ଜର, ପିଳେହି ଜର

ଅଇ ଉଠାକୁ ଲୋ ନକର ଡର ।

ଡେଉଁରିଆ ଦେବି ଜଙ୍ଗଲ ଚେର

ଶ୍ଵେତ ଅପରାଜିତା ଶ୍ଵେତ ମନ୍ଦାର

ଗୋଚିନା ଗୋରଡ଼ା କଳା ତୁଳସୀ

ପାତାଳ ଗରୁଡ଼ ମନ୍ଦାର ଘଷି

କଳା ବିଛୁଆତି ଧଳା ଲାଜକୁଳି

ଶ୍ୱେତ କାଇଁଚକୁ ଭଇଁଚ କୋଳି ।

ବାଘ ନିଶ ବାଘ ନଖ ଦୁଦୁରା

ମୃଗ ନାଭି ସଙ୍ଗେ ଜାରମହୁରା ।

ନିଅ ଗୋ ନିଅ

ଚରା ଡାଆଣୀକୁ ନ ଥିବ ଭୟ

ଦୁରୁଷ୍ଟି ଆ ନାହିଁ ଭୋଗିବ ପୁଅ ।

 

ଡାକ ଶୁଣି ଧାଇଁ ଆସିବେ ଗାଁ ମାଇପେ–ଆଲୋ କେଲୁଣୀ, ମୋ ପୁଅକୁ ଦୁରୁଷ୍ଟିଆ । ରାଇଜ ଯାକର ଓଷଦ ଦେଲିଣି–କିଛି ହଉନି । ଡେଉଁରିଆଟାଏ ଦେବୁ ? ଆଗ୍ରହରେ ମୁଁ ପସରା ଭିତରୁ ଚେର ମୂଳ କାଢ଼ି ଡେଉଁରିଆ ସଜାଡ଼ୁ ସଜାଡ଼ୁ କଣେଇ କଣେଇ ଚାହୁଁଥିବି କେଶବାଇ ଆଡ଼େ-। ସେତେବେଳକୁ କେଶବାଇ ଗାଁ ଦାଣ୍ଡରେ ଅହିରାଜ ସାପଟାକୁ ଛାଡ଼ି ଡମ୍ବରୁ ପିଟି, ଆଣ୍ଠୁ ହଲାଇ ହଲାଇ ଡାକୁଥିବ ପଦ୍ମ ତୋଳା–

 

ବନମାଳୀ ଯେ ପଦ୍ମପୋଖରୀକୁ ଦିନେ ଗଲେ ପଦ୍ମ ତୋଳି

ସେ ପଦ୍ମପୋଖରୀରେ ଥିଲା ବିଷଧର କାଳି

ଆସି ଦଂଶିଲା କାଳି ଗୋବିନ୍ଦର ପଦେ

କମ୍ପିଲା ମେଦିନୀ ତତକ୍ଷଣେ ପରମାଦେ ।

ଚେତନା ପାଇ ଗୋବିନ୍ଦ ମନ୍ଥିଲେ କାଳିକି‌

ଗରୁଡ଼ ସ୍ମରଣ କରି ମନେ ବନମାଳୀ କି ଗୋବିନ୍ଦ ହରେ ।

ରହ ବାଚ୍ଚା, ମୋ ପାଖେ ଗଦ ଅଛି, ଜାରମହୁରା ଅଛି ।

ବାସୁକେଦାର, ପାତାଳ ଗରୁଡ଼ରେ ତୋ ବିଷ ହରଣ କରିବି ।

ଦେଖା ତୋ ବେଙ୍ଗଖିଆ ପାଟିରେ ବାଚ୍ଚା ।

 

ସାପର ଫଁ ଫଁ ଗର୍ଜନରେ ହାଉଳି ଖାଇ ଦୂରେଇ ଆସିବେ ଗାଁ ପିଲାଏ । ମୁଖିଆ ମୁଖିଆ ଲୋକ ଆଗକୁ ବଢ଼ିଯାଇ କହିବେ–ଜାତିଆ ସାପଟା ଏକା ।

 

ମନେ ମନେ କେଶବକୁ ସାପୁଆକେଳା ବେଶରେ ସଜାଇ ଆନନ୍ଦ ପାଏ ଫୁଲମନି । ସେଇଥିପାଇଁ ସେ ଜୋର କରି ପଠାଇଛି କେଶବାଇକୁ ଶିମିଳପାଳ ଜଙ୍ଗଲକୁ ସାପ ଧରିବା ପାଇଁ । କିନ୍ତୁ କେଶବର ମନ ଭିନ୍ନ–ଆଶା ଭିନ୍ନ । ସେ ଚାହେଁ ସାପୁଆ ସମାଜକୁ ଅଲଗା ବାଟରେ ନେବ । ସମାଜରେ ଥିବା ଅଳିଆ ଆବର୍ଜନାକୁ ସଫା କରି ନିର୍ମଳ କରିଦେବ । ଆଜି ଯେ କେଶବର ଏ ଚିନ୍ତା, ତା’ ନୁହେଁ । ପିଲା ଦିନରୁ କେଶବ ଭାବେ ଏମିତି କେତେ ।

 

କେଶବର ବାପା ଥିଲା ପଟିଆ ପଦ୍ମକେଶରୀପୁରର ବିଖ୍ୟାତ ସାପୁଆକେଳା । ଲୋକେ କହନ୍ତି ବିଷଧର ସାପଗୁଡ଼ାକ ତା’ କଥା ମାନୁଥିଲେ । ତା’ ଦେହରେ ମୁଣ୍ଡରେ ଚଢ଼ି ଆନନ୍ଦ ପାଉଥିଲେ । ଓଡ଼ିଶା ସାରା ବୁଲି ରତନ ଦାସ ସାପ ଖେଳାଉଥିଲା । ଏମିତି ଥରେ କେନ୍ଦୁଝର ଗଡ଼ରେ ସେ ସାପ ଖେଳାଉଛି, ରାଜା ଖୁସି ହୋଇ ତାକୁ ପୁରସ୍କାର ଦେଇଥିଲେ । ଆଉଥରେ ପୁରୀ ବଡ଼ଦାଣ୍ଡରେ ତା’ର ସାପଖେଳର କୌଶଳ ଦେଖି ଜଣେ ସାହେବ ଆନନ୍ଦିତ ହେଇ ତାକୁ ବିଲାତ ନେଇ ଯାଇଥିଲେ । ରତନ ଦାସ ଗୋଖର, ଅହିରାଜ ଓ ତମ୍ପସାପମାନଙ୍କୁ ଧରି ସାହେବଙ୍କ ସାଙ୍ଗରେ ଯାଇଥିଲା ବିଲାତ । ସେଠାରେ ରହିଥିଲା ଗୋଟିଏ ବର୍ଷ । ସାହେବ ସାହେବାଣୀମାନେ ତା’ ସାପଖେଳ ଦେଖି ମୁଗ୍ଧ ହୋଇଯାଇଥିଲେ । ବେଶ୍‍ ଆଖି ଦୁରୁଶିଆ ଟଙ୍କା ପଇସା ଧରି ଗାଁକୁ ଫେରିଥିଲା ରତନ ଦାସ ।

 

କିନ୍ତୁ ଗୋଟାଏ ବର୍ଷ ବିଲାତରେ ରହିବା ପରେ ରତନର ଛୋଟ ଘରସଂସାର ଭାଙ୍ଗି ଯାଇଥିଲା । ଗାଁରେ ପ୍ରଚାରିତ ହେଇଗଲା ଯେ, ରତନା ବିଲାତରେ ସାହେବ ମାଇକିନା ଧରି ରହିଲାଣି, ଆଉ କିଏ କହିଲା ରତନ ପାଣି ଜାହାଜରେ ବିଲାତରୁ ଆସୁ ଆସୁ ବାଟରେ ସମୁଦ୍ରରେ ପଡ଼ି ପ୍ରାଣ ହରାଇଲା । ଆଉ କିଏ କହିଲା–ନାଇଁ ନାଇଁ ରତନା ବିଲାତରେ ବଡ଼ ଘରକରି ସାପମାନଙ୍କର ଗୋଟାଏ ଚିଡ଼ିଆଖାନା କରିଛି । ଆଉ ସେ ଗାଁକୁ ଆସିବ ନାହିଁ ବୋଲି ଠିକ୍ କରିଛି-। ଏମିତି ବାର ତୁଣ୍ଡରୁ ବାର କଥା ଶୁଣି ନବବିବାହିତା ସ୍ତ୍ରୀ ମାଳତୀର ମନକୁ ପାପ ଛୁଇଁଲା-। ସେ ଶୁଣିଛି ବିଲାତରେ କୁଆଡ଼େ ମାଇପେ ବିଦେଶୀ ପୁରୁଷମାନଙ୍କୁ ଅକ୍ତିଆର କରିନିଅନ୍ତି-। ସେମିତି ରତନାକୁ ନିଜର କରି ରଖିଥିବେ । ତାଙ୍କ ଗୋରା ଦେହ, ଗୋଲ ମୁହଁ ଦେଖି ରତନା ନୂଆ ସପନ ଦେଖୁଥିବ । ମୋ କଥା ମନରେ ପକାଇବ କାହିଁକି ?

 

ଧୀରେ ଧୀରେ ଘରୁ ସରିଥିଲା ସାପ ଖେଳାଇ ଘରକୁ ଆଣିଥିବା ରତନର ଟଙ୍କା ପଇସା । ଏଥର କ’ଣ କରିବ ମାଳତୀ । ନାଥ ଦାସ ପାଖରେ ଅଳି କରିଥିଲା ଯାଇ–ନାଥ ! ମୁଁ କେମିତି ଚଳିବି କହିଲ ? ଯୁବକ ନାଥ ଦାସର ମନରେ ନିଆଁ ଜଳିଥିଲା ଦାଉ ଦାଉ ହେଇ । ମାଳତୀ ! ଆଉ ରତନକୁ ଅନେଇ ବସିଛୁ କାହିଁକି ? ସେ କ’ଣ ଆସିବ ? ସାଇବାଣୀ ନେଇ ବିଲାତରେ ରହିଲାଣି । ତୁ ମୋ ପାଖକୁ ଚାଲିଆ । ଆମ ସମାଜରେ ତ ଅଛି । ତୋର କିଛି ଅଭାବ ରହିବ ନାହିଁ । ବାଜୁ, ବଟଫଳ, ପାଉଁଜ, ନାକଚଣା, କାନଫୁଲ, ହାର, ଖଡ଼ୁ, ଚୁଡ଼ି, ନୋଥ, ଅଣ୍ଟାସୂତା ଏବଂ ମଥାମଣିରେ ତୋ ଦେହ ପୂରେଇ ଦେବି । ତୁ ମୋ ଘରକୁ ଚାଲିଆ । ଯଦି ରତନ ଫେରେ, ତେବେ ଆଉ ଗୋଟାଏ ବାହା ହବ । କ୍ଷତି କ’ଣ ହେଲା ?

 

ନାଥ ଦାସର କଥା ଶୁଣି ଢଳିଲା ମାଳତୀ । ରହିଲା ଯାଇ ନାଥ ପାଖରେ । ମନକୁ ମନ ମିଶିଲା ଦେହକୁ ଦେହ । ଫଳରେ ଗୋଟାଏ ବର୍ଷ ପରେ ରତନ ଗାଁକୁ ଫେରି ଦେଖେ ମାଳତୀ ଆଉ ତା’ର ହୋଇ ନାହିଁ । ଏଥିରେ ସେ ଦୁଃଖିତ ହେଲା ନାହିଁ । ମାଳତୀର ସାନ ଭଉଣୀ ସୁଭଦ୍ରାକୁ କହିଲା–ଶୁଭି ! ମାଳତୀ ତ ଅଲଗା ବାଟ ଦେଖିଲା । ତୁ ମୋ ପାଖରେ ରହିବୁ ! ତତେ ବିଲାତ ନେଇ ଯିବି–ସାହେବାଣୀ କରିଦେବି । ସୁଭଦ୍ରା କହିଲା–ରତନାଇ, ମୋର ସାଇବାଣୀ ହବା ଲୋଡ଼ା ନାହିଁ । ମୁଁ ତୋ ପାଖରେ ରହିବି । ତତେ ବାହା ହେବି । ତୁ ମତେ ଛାଡ଼ି ଆଉ କାହାକୁ ଆଦରିବୁ ନାହିଁ ତ ? ରତନ କହିଲା, ନାଇଁ ଲୋ ଶୁଭି–ମୁଁ ଶପଥ କରୁଛି–ତୋ ଛଡ଼ା କାହାରିକି ଆଉ ଅନେଇବି ନାହିଁ ।

 

ଏଇ ସୁଭଦ୍ରା ଏବଂ ରତନଙ୍କ ପୁଅ କେଶବ । ଜନମ ପରେ ପରେ ସେ ଅନେକ ଥର ଯାଇଛି ବାପା ଓ ବୋଉଙ୍କ ସହିତ ମଫସଲ ବୁଲି । ବାପା ସାପମାନଙ୍କୁ ଭାର କରି ଆଗରେ ଚାଲେ-। ସୁଭଦ୍ରା କେଶବକୁ ପଣତ କାନିରେ ପୂରାଇ ପିଠିରେ ଝୁଲାଏ ଏବଂ ମୁଣ୍ଡରେ ପସରା ଧରି ବୁଲେ ସାହି ସାହି । ଏମିତି କେଶବ ବଡ଼ ହେଲା, ଠୁକୁ ଠୁକୁ ଚାଲିଲା, ଦରୋଟି କଥା କହିଲା-। ଦିନେ କଟକର ବାରବାଟୀ କିଲ୍ଲାରେ ଥିବା ଜଣେ ବଡ଼ ହାକିମଙ୍କ ଘର ଦୁଆରେ ରତନ ସାପ ଖେଳାଉଛି–ହାକିମ କହିଲେ–ଆରେ କେଳା ! ଏ ଛୁଆକୁ ପାଠ ପଢ଼ା । ମଣିଷ କର । ତାକୁ ତୋ ଭଳି ସାପୁଆ କରିବୁ କାହିଁକି ?

 

ରତନର କାନରେ କଥାଟା ଚାଉଁକରି ପଶିଗଲା । ସେ ମନେ ପକାଇଲା–ଲୋକେ ପାଠ ପଢ଼ି ବିଲାତରେ କେତେ ବଡ଼ ବଡ଼ ହେଇଛନ୍ତି । ତା’ ପୁଅ ଯଦି ବେଶୀ ପାଠ ପଢ଼େ, ତେବେ ସେ ମଧ୍ୟ ବଡ଼ ହେବ, ହାକିମ ହବ, ଗାଡ଼ି ଚଢ଼ିବ । କିନ୍ତୁ ପାଠ ପଢ଼ାଇବା ପାଇଁ ତା’ ପାଖରେ ଏତେ ପଇସା କାହିଁ ? ମୁହଁ ଖୋଲିଲା ରତନ । କହିଲା–ମୁଁ ଗରିବ ଲୋକ ବାବୁ । ପୁଅକୁ ପାଠ ପଢ଼ାଇବା ପାଇଁ ପାଖରେ ଏତେ ପଇସା କାହିଁ ?

 

ହସିଲେ ହାକିମ ବାବୁ । କହିଲେ–ଆରେ, ପୁଅକୁ ପାଠ ପଢ଼ାଇବା ପାଇଁ ଅସୁବିଧା ହେବ ନାହିଁ । ପଟିଆରେ ତ ସ୍କୁଲ ଅଛି । ମୋ’ଠାରୁ ଖଣ୍ଡେ ଚିଠି ନେଇ ସେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦେ । ସେ ନାମ ଲେଖାଇ ଦେବେ । ତା’ପରେ ତାକୁ ପଢ଼ା ଖର୍ଚ୍ଚ ମିଳିବ । କାରଣ ତୁମେ ତଫସିଲ୍‌ଭୁକ୍ତ ଜାତିର ଲୋକ ।

 

ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲା ରତନ । କହିଲା–ବାବୁ ଏତକ କରି ଦିଅ । ମୁଁ ତୁମକୁ ଜୀବନ ସାରା ଭୁଲି ପାରିବି ନାହିଁ । କଥାରେ କହନ୍ତି–ରାଜା ଖାଏ ତଣ୍ଡ–କେଳା ଖାଏ ଭଣ୍ଡ । ମୁଁ ମିଛ ସତ କହି କେତେ ରେଜଗାର କରିବି ଯେ–ପୁଅଟାକୁ ପାଠ ପଢ଼େଇ ପାରିବି ।

 

ଆନନ୍ଦିତ ହେଲେ ଦୟାବନ୍ତ ହାକିମ ବାବୁ । ଚିଠି ଖଣ୍ଡେ ଲେଖିଦେଲେ ପ୍ରଧାନଶିକ୍ଷକଙ୍କ ନିକଟକୁ ସୁପାରିସ୍‍ କରି । ସେ ଚିଠି ଖଣ୍ଡକୁ ଅଣ୍ଟିରେ ଗୁଞ୍ଜି ବାବୁଙ୍କୁ ଶତ ଜୁହାର କରି ଉଠିଲା ରତନ । ଆଉ କେଉଁଠି ସାପ ନ ଖେଳାଇ ସିଧା ଫେରି ଆସିଲା ପଦ୍ମକେଶରୀପୁର ସୁଭଦ୍ରା ସହିତ-। ପରଦିନ ପୁଅ କେଶବକୁ ସାଙ୍ଗରେ ଧରି ଚାଲିଲା ସେ ସ୍କୁଲର ପ୍ରଧାନଶିକ୍ଷକଙ୍କ ପାଖକୁ । ଚିଠିଟି ବଢ଼ାଇ ଦେଇ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା–ହାକିମ ବାବୁ ପଠାଇଛନ୍ତି ଆଜ୍ଞା-। ପ୍ରଥମେ ସାପୁଆ ରତନକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରଧାନଶିକ୍ଷକ । କାରଣ ସେ ଜାଣନ୍ତି–ସାପୁଆକେଳା ଯାଯାବର ଜାତି । ରହନ୍ତି ପୋଖରୀ ହୁଡ଼ାରେ, ଗଛ ମୂଳେ । ବେଳେବେଳେ କୁଡ଼ିଆ କରି । ପାଠପଢ଼ା କିମ୍ବା ଚାଷବାସ ପ୍ରତି ସେମାନଙ୍କର ଆଗ୍ରହ ନାହିଁ । ଆଜି ଏ କି ନୂଆ କଥା-

 

ଚିଠିଟି ଖୋଲିପକାଇ ଦେଖିଲେ ସେ–ଜିଲାପାଳ ମହୋଦୟ ଚିଠିଟି ଲେଖିଛନ୍ତି ଅନୁରୋଧକରି । ଆଶ୍ଚର୍ଯ୍ୟାନ୍ୱିତ ହେଲେ ପ୍ରଧାନଶିକ୍ଷକ । କହିଲେ–ଚିନ୍ତା ନାହିଁ, ରତନ ଦାସ ! ତୁମ ପୁଅର ପାଠପଢ଼ା ଦାୟିତ୍ଵ ଆଜିଠାରୁ ମୁଁ ନେବି । ତାକୁ ତୁମେ ଛାଡ଼ିଯାଅ । ଆନନ୍ଦିତ ମନରେ ସେଦିନ ଫେରିଆସିଲା ରତନ ଦାସ । ପରଦିନଠାରୁ କେଶବ ଯାଇଥିଲା ପଟିଆ ସ୍କୁଲ ପାଠ ପଢ଼ିବା ପାଇଁ । ଏ ଘଟଣା ପଦ୍ମକେଶରୀପୁରରେ ଏକ କୌତୂହଳ ସୃଷ୍ଟି କରିଥିଲା । ଗାଁ ମୁଖିଆ ମନେଇ କମ୍ପିଉଠିଥିଲା ରତନକୁ ଧମକ ଦେଇ । ଆବେ ରଚନା ! ପୁଅକୁ କ’ଣ ପାଠ ପଢ଼େଇ ପଠାଇଲୁଣି ? ଆମ ଗଉଡ଼ିଆ କେଳା ଜାତିରେ ଯାହା କେବେ ଦେଖା ନାହିଁ, ଶୁଣା ନାହିଁ, ତା’ ତତେ କରିବାକୁ କିଏ କହିଲା ? ସାପ ଖେଳାଇବା ଆମ କାମ, ଗାଁ ମୁଣ୍ଡରେ ଗଛମୂଳରେ ପଡ଼ିରହିବା ଆମ ଧରମ । ଏବେ ଗାଁ କରି, ଝାଟିମାଟିର ଘର କରି ରହିଲେଣି, ସେଥିରେ ପୁଣି ପାଠପଢ଼ା, ତୋ ପୁଅ ହାକିମ ହେବ । ଆମେ କ’ଣ ତା’ର ଚାକର ହେବୁ । ହେଇ ପାରିବ ନାହିଁ । ପୁଅକୁ ଇସ୍କୁଲରୁ ଉଠେଇ ଆଣ, ନ ହେଲେ ତତେ ଗାଁରେ ନିଆଁପାଣି ଜାତି ଭାଇ ଅଟକ ହେବ ।

 

ମନେଇ ଦାସର କଥା ଶୁଣି ଗୋଡ଼ଧରି ଅନୁନୟ କରିଥିଲା ରତନ–ମନେଇ ଦା, ଦୟା କର, ଏଡ଼େ ଟିକେ ଛୁଆ, କି ପାଠ ପଢ଼ିବ ସେ । କେତେଟା ବର୍ଷପରେ ପୁଣି ଉଠେଇଆଣିବି । ତୁମର କଥା ଅନୁସାରେ ସେ ସାପ ଧରିବ, ସାପ ଖେଳାଇବ । କେତେଟା ଦିନ ଇସ୍କୁଲକୁ ଯାଉ । ଜୋରିମାନା ବାବଦରେ ତୁମକୁ ତିରିଶ ଗଉଣି ଚାଉଳ, ଗୋଟିଏ ଲୁଗା ମୁଁ ଦେବି । ରତନର ଜୋରିମାନା କଥା ଶୁଣି ଟିକେ ନରମି ଯାଇଥିଲା ମନେଇ ଦାସ । କହିଥିଲା–ହଉ, ଏଥର ତତେ ଛାଡ଼ି ଦେଲି, କିନ୍ତୁ ଆଉ ଏମିତି କାମ କଲେ ମୋଟେ ଛାଡ଼ିବି ନାହିଁ । ସେତେବେଳକୁ ମୋ ଦୋଷ ଦେବୁ ନାହିଁ ।

 

ଅବଶ୍ୟ ମନେଇ ଦାସର ପୁଅମାନେ ବଡ଼ ହୋଇ ବିଦେଶରେ ରୋଜଗାର କରିବା ପରେ–ସେ ପଟିଆ ଝିଲରୁ କିଛି ଜମି କିଣି ଚାଷ ଆରମ୍ଭ କରିଥିଲା । ତା’ ଜମି କିଣାରେ ପଦ୍ମକେଶରୀପୁର ଗାଁରେ ଛୋଟ ଆଲୋଚନା ଆରମ୍ଭ ହୋଇଥିଲା–କିରେ ମନେଇ ଦାସ କ’ଣ ଚାଷ କଲାଣି ! କେଳା ଗାଁରେ ଏ ନୂଆ କଥା । ଏଣିକି କ’ଣ ସାପୁଆକେଳା ସାପ ଖେଳା ଛାଡ଼ି ଚାଷବାସ କରି ଗାଁରେ ରହିବେ ! କିନ୍ତୁ ଗାଁ ମୁଖିଆ ମନେଇ ଦାସ ବିରୁଦ୍ଧରେ ଏ ଆଲେଚନା ଅଧିକ ମୁଣ୍ଡଟେକି ପାରି ନ ଥିଲା । କାହାକୁ ଚୂନ ଦୋକତା ଟିକେ, କାହାକୁ ମାଣେ ଚାଉଳ, କାହାକୁ ଗାମୁଛାଟିଏ ଦେଇ ମୁହଁ ବନ୍ଦ କରିଦେଇଥିଲା ସେ ସମସ୍ତଙ୍କର । ତା’ପରେ ନୀରବ ହୋଇଯାଇଥିଲେ ସମସ୍ତେ ।

 

ସେହି ଗାଁ ମୁଖିଆ ମନେଇ ଦାସ, ଭାବୁଛି କେଳା ଭଲ ପାଠ ପଢ଼ିଲେ ତାକୁ କେହି ମାନିବେ ନାହିଁ । ଗାଁ ଛାଡ଼ି ବାହାରେ ବନ୍ଧୁ ବାନ୍ଧିବେ । ଫଳରେ କେଳା ଜାତିର ପରମ୍ପରା, ସାମାଜିକ ଚଳଣି ନଷ୍ଟ ହୋଇଯିବ ।

 

କେଶବ କିନ୍ତୁ ବୁଝୁ ନ ଥିଲା କିଛି । ସେ ବହି ସିଲଟ ଧରି ସ୍କୁଲକୁ ଯାଉଥିଲା, ଲେଖୁଥିଲା ଅ ଆ ଇ ଈ । ମିଶୁଥିଲା ପଟିଆ ଗାଁର ଆଉ ଆଉ ସବର୍ଣ୍ଣ ପିଲା ବ୍ରାହ୍ମଣ, ଖଣ୍ଡାୟତ, ବଣିଆଁ, ଗୁଡ଼ିଆ, ତେଲୀ, ତନ୍ତୀଙ୍କ ସହିତ । ପ୍ରଥମେ ପ୍ରଥମେ ଗାଁ ପିଲାଏ ତାକୁ ଛୁଉଁ ନ ଥିଲେ । ଅଲଗା ହୋଇ ବସୁଥିଲେ । ଛୁଇଁଲେ ଘରେ ଯାଇ କହି ଗାଧୋଉଥିଲେ । ଆକୁଳି ପଣ୍ଡିତ, ନରି ପ୍ରଧାନ, ଭୀମ ସାହୁ କହୁଥିଲେ ପାଟିକରି–ଆରେ ଦେଖିଲଣି, ଶଳା ମାଷ୍ଟର ଗୋଟାଏ ନବରଙ୍ଗ ଲଗେଇଛି । କେଳାପିଲାକୁ ଆଣି ଇସ୍କୁଲରେ ବସେଇ ପାଠ ପଢ଼ାଇଲାଣି । ଆଉ କେତେଦିନ ପରେ କେଳା ଆମ ମୁଣ୍ଡରେ ବସିବେ ରେ । ଆମକୁ ପଟିଆ ଛାଡ଼ି ପଳେଇବାକୁ ହେବ । ଏ କଥା ଶୁଣି ଗୋସେଇଁ ଭାଗୁ ଆଚାର୍ଯ୍ୟ କହୁଥିଲେ ବଡ଼ ପାଟିରେ–କାହିଁକି କହୁଛ ସେକଥା । ରାଜା ତ ଗଲେ–ଏଣିକି ସମସ୍ତେ ରାଜା ହେବେ । ସର୍ବେ ହୋଇବେ ଏକାକାର, ବେଦର ନଥିବ ବିଚାର । ଏକଥା ପ୍ରଥମେ ପଟିଆରୁ ଆରମ୍ଭ ହେବ । ଆମେ ଥାଉଁ ଥାଉଁ ଆଖିରେ ସବୁ ଦେଖିବା । ସେତିକିବେଳେ ପାଟି କରିଥିଲା ଆଚାର୍ଯ୍ୟଙ୍କ ପୁଅ କଲେଜ ପାଠୁଆ ବ୍ୟୋମକେଶ–ନନା ! କି କଥା କହୁଛ ତୁମେ । ଭାରତର ସାମାଜିକ ପରିବର୍ତ୍ତନ ଘଟୁଛି । ଲୋକେ ପାଠ ପଢ଼ି ମଣିଷ ହେଉଛନ୍ତି । ତଫସିଲଭୁକ୍ତ ଜାତି, ଉପଜାତି ଏବଂ ଆଦିବାସୀ ଲୋକେ ଅନ୍ଧାର ଭିତରୁ ଆଲୋକ ଖୋଜୁଛନ୍ତି । ଦିନ ଆସିବ–ସେମାନେ ତୁମରି ପରି ସମାଜପତି ହେବେ । ନୂଆ ସମାଜ ଗଠନ କରିବେ । ପଟିଆ ପରି ପୁରାତନ ଗାଁରେ ତୁମେ ସେହି ପୁରୁଣା ପରମ୍ପରା, ରକ୍ଷଣଶୀଳ ମନୋଭାବକୁ ଜାବୁଡ଼ି ଧରିଲେ କ’ଣ ସେମାନେ ଉପରକୁ ଉଠିବେ ନାହିଁ । ଦିନ ଆସୁଛି–ସେମାନେ ଉଠିବେ । କିନ୍ତୁ ତୁମ ଭଳି ଲୋକ ବିରୋଧ କଲେ ଶେଷରେ ଚିହ୍ନା ପଡ଼ିବେ ।

 

ଅବଶ୍ୟ ସେଦିନ ବ୍ୟୋମକେଶର ଯୁକ୍ତି ଶୁଣି–ଆଁ କରି ଚାହିଁ ରହିଥିଲେ, ଭାଗୁ ଆଚାର୍ଯ୍ୟ-। ତୁ କି କଥା କହୁଛୁ ରେ ପୁଅ । ୟା ବୋଲି କ’ଣ ଛୋଟ ଲୋକଗୁଡ଼ା ମୁଣ୍ଡରେ ଚଢ଼ିବେ । ସାନ ବଡ଼ ଭେଦ ରହିବ ନାହିଁ । ତା’ହେଲେ ଗାଁ ଭିତରେ କିଏ କାହା କଥା ମାନିବ ? ସମସ୍ତେ ହେବେ ଯେ ଯାହା ହାତରେ ଚଉଦ ପା । ହସିଥିଲା ବ୍ୟୋମକେଶ–ନନା ! ମହାତ୍ମା ଗାନ୍ଧୀଙ୍କର ହରିଜନ ଆନ୍ଦୋଳନ କଥା ତୁମେ ଶୁଣିଥିବ । ଏବେ ତୁମ ଶିଖରଚଣ୍ଡୀ, ଡାଳେଇସୁଣୀ ଆଉ କେବଳ ତୁମ ନଡ଼ିଆ କଦଳୀ ଖାଇବାକୁ ଅନେଇ ରହିବେ ନାହିଁ । ଏହି ଅଛୁଆଁ ହରିଜନମାନେ ମନ୍ଦିରକୁ ଯିବେ-। ନଡ଼ିଆ କଦଳୀ ଖାଇ ଉଖୁଡ଼ା ଭୋଗ କରିବେ । ଆନନ୍ଦରେ ହାତ ବଢ଼ାଇ ଖାଇବେ ମା’ ଶିଖରଚଣ୍ଡୀ, ଡାଳେଇସୁଣୀ ଏବଂ ଖରାଖିଆ ମହାଦେବ ।

 

ଯୁକ୍ତି ନ ପାଇ କହୁଥିଲେ ଆଚାର୍ଯ୍ୟ–ସଂସାର ସରିଯିବ ରେ ପୁଅ–

 

ସର୍ବେ ହୋଇବେ ଏକାକାର

ବେଦର ନଥିବ ବିଚାର

ଶରୀର ଛାଡ଼ି ଯିବ ହଂସ

ସର୍ବେ ହୋଇବେ ଅଳ୍ପାୟୁଷ ।

 

କେଶବର ପାଠପଢ଼ା ଏମିତି ପଟିଆ ଗାଁରେ ବିପ୍ଳବର ସୂତ୍ରପାତ କରିଥିଲା । ଯୁବକ ପାଠପଢ଼ୁଆ ପିଲାଏ–ପାଠ ପଢ଼ାକୁ ସମର୍ଥନ କରିଥିଲେ; କିନ୍ତୁ ଉଚ୍ଚଜାତିର ବୁଢ଼ା ବୁଢ଼ା ରକ୍ଷଣଶୀଳ ଲୋକେ ନାପସନ୍ଦ କରିଥିଲେ, ସମାଲୋଚନା କରିଥିଲେ ମୁହେଁ ମୁହେଁ । ଅବଶ୍ୟ ଏ ବିବାଦ ବେଶିଦିନ ଗତି କରି ନ ଥିଲା । ଧୀରେ ଧୀରେ ଗାଁ ପିଲାଏ କେଶବକୁ ଛୁଇଁଲେ । ଆଉ ଘରେ ଗାଧୋଉ ନ ଥିଲେ । ଜଣେ ଜଣେ ବ୍ରାହ୍ମଣ କ୍ଷତ୍ରିୟ ପିଲା ମଧ୍ୟ କେଶବ ସହିତ ବୁଲି ଯାଉଥିଲେ କେଳା ସାହି ।

 

କେଶବ ପଢ଼ିବାକୁ ଯାଏ, ଘରେ ଆସି ଡିବିରି ଲଗାଇ ସିଲଟରେ‌ ଅ ଆ ମଡ଼ାଏ । ବୋକା ଭଳି ତା’ ଆଡ଼କୁ ଅନେଇ ରହେ ରତନ । ତାଗିଦାକରି କହେ ସୁଭଦ୍ରାକୁ–ଶୁଭୀ ! ଦେଖିଲୁଣି ପୁଅ କେତେ ପାଠ ପଢ଼ିଲାଣି । ହସରେ ଫାଟିପଡ଼େ ସୁଭଦ୍ରା । ଏମିତି ପଢ଼ୁ ପଢ଼ୁ କେଶବ ଚତୁର୍ଥ ଶ୍ରେଣୀରୁ ପଞ୍ଚମକୁ ଉଠିଲା । ସେତେବେଳକୁ ସନାତନ ଦାସର ଝିଅ ଫୁଲମନି ଠୁକୁ ଠୁକୁ ଚାଲୁଥାଏ–ଗୁଲୁ ଗୁଲୁ କଥା କହୁଥାଏ–କେଶବାଇ ! ତମେ ପାଠ ପଢ଼ୁଛ । କି ପାଠ ପଢ଼ୁଛ ? ମୁଁ ତୁମ ସହିତ ପାଠ ପଢ଼ିଯିବି । ଫୁଳୁମନିର କଥା ଶୁଣି କହୁଥିଲା କେଶବ–ହଁ ଲୋ ଫୁଲମନି ! ତୁ ମୋ ସହିତ ପାଠ ପଢ଼ିଯିବୁ । ଆଜି ମଉସା ଆସନ୍ତୁ, ତାଙ୍କୁ ମୁଁ କହିବି ।

 

ସତକୁ ସତ ସେଦିନ ସନାତନ ସାପ ଖେଳାଇ ରାତିରେ ଘରକୁ ଫେରିବା ପରେ ଘରକୁ ଆସିଲା କେଶବ । ସନାତନ ଦାସର ପାଖରେ ବସି ଗପ କରୁ କରୁ କହିଲା–ମଉସା ! ମୋ ସହିତ ଫୁଲମନି ଇସ୍କୁଲକୁ ପାଠ ପଢ଼ି ଯିବ । ତୁମେ ତାକୁ ନେଇଚାଲ, ନାଁ ଲେଖାଇ ଦେଇ ଆସିବ-

 

ଏଁ….ଫୁଲମନି ପାଠ ପଢ଼ିବ ? ଚମକି ଉଠିଥିଲା ସନାତନ ଦାସ, ‘‘କି କଥା କହୁଛୁରେ ଟୋକା । କେଳା ଘର ଝିଅ ପାଠ ପଢ଼ିବ ! ଆଉ ମୁଣ୍ଡରେ ପସରା ମୁଣ୍ଡେଇ ମନୋହରି ଜିନିଷ ଧରି ଚିତା କୁଟେଇବ‌ କିଏ ?” କେଶବ କହିଲା–ପାଠ ପଢ଼ିଲେ କ’ଣ ବିଦେଶ କରି ଯାଇ ହେବନି ମଉସା, ସବୁ ଝିଅ କ’ଣ ପାଠ ପଢ଼ିଲେ ଖାଲି ଚାକିରି କରିବେ ? କିଶୋର କେଶବର କଥା ଶୁଣି ନୀରବ ହୋଇ ଯାଇଥିଲା ସନାତନ ଦାସ । ଅଳି କରିବା ପରି କହିଥିଲା କେଶବ–ମଉସା ! ତୁମେ ନ ନିଅ–ଆସନ୍ତାକାଲି ମୁଁ ଫୁଲମନିକୁ ଇସ୍କୁଲ ନେଇଯିବି । ସାର୍‍ଙ୍କୁ କହି ତା’ ନାଁ ଲେଖେଇ ଦେବି ।

 

ପ୍ରତିବାଦ କରିଥିଲା ସନାତନ–ଆରେ ଟୋକା, ଖାଲି କ’ଣ ପାଠପଢ଼ା ହେଇଯିବ । ମୋ ପାଖରେ ପଇସା କାହିଁ ? ବହି କାଗଜ ଦିଆଯିବ କେମିତି ? ଦରମା ଦିଆଯିବ କେମିତି ? ହସରେ ଫାଟି ପଡ଼ି କହିଲା କେଶବ–ତୁମେ ମୋଟେ ଚିନ୍ତା କର ନାହିଁ ମଉସା । ବଡ଼ ସାର୍‍ ସବୁ ସୁବିଧା କରିଦେବେ । ସେ ମତେ କହିଛନ୍ତି–ତୁମ ଗାଁର ଆଉ ଆଉ ଛୋଟ ଛୋଟ ଝିଅ ଏବଂ ପୁଅମାନଙ୍କୁ ପାଠ ପଢ଼ିବା ପାଇଁ ଡାକିଆଣ । ସେମାନେ ପାଠ ପଢ଼ନ୍ତୁ–ମଣିଷ ହୁଅନ୍ତୁ । ପିଲା ବେଶୀ ହେଲେ ସ୍କୁଲ ମଧ୍ୟ ବଢ଼ିବ । ହାଇସ୍କୁଲ ତିଆରି ହେବ ।

 

କେଶବର କଥାରେ ଆଉ ଉତ୍ତର ନ ଦେଇ ଚୁପ୍ ହେଇଗଲା ସନାତନ । ସ୍ତ୍ରୀ ମାଧୋଇ ଆସି କହିଲା–କେଶବ କ’ଣ କହୁଛି କିଗୋ ! ଗୁମ୍ ହେଇ ବସିଲ କାହିଁକି ? ଚିହିଁକି ଉଠି କହିଲା ସନାତନ–କେଶବ କହୁଛି ଫୁଲମନି ତା’ ସହିତ ଇସ୍କୁଲକୁ ପାଠ ପଢ଼ିଯିବ । “ଏଁ ଫୁଲ ଯିବ ପାଠ ପଢ଼ି !” –କପାଳ କୁଞ୍ଚିତ କରି କହିଲା ମାଧୋଇ । –“ହଁ ପାଠପଡ଼ି !!” ତାତ୍ସଲ୍ୟ କରି କହିବା ପରି କହିଲା ସନାତନ ।

 

କ’ଣ ଭାବିଲା କେଜାଣି–ନଥ୍ କରି ବସିପଡ଼ି ମାଧୋଇ କହିଲା–ହଉ ଯାଉ ମ, ଖରାପ କ’ଣ, ପାଠ ପଢ଼ୁ । ସନାତନ କହିଲା–କିଛି ନାହିଁ, ସେ ବିଦେଶ ଗଲେ ତାକୁ ସାଙ୍ଗରେ ନେଇ ଯିବାକୁ ହେଉଥିଲା । ଏବେ ସେ ପାଠ ପଢ଼ିଲେ ତାକୁ ଘରେ ଜଗି ବସିବ କିଏ ? କେଶବ କହିଲା–ମଉସା ! ତୁମେ ବିଦେଶ ଗଲେ ଫୁଲମନି ମୋ ପାଖରେ ଆମ ଘରେ ରହିବ । ତୁମେ ଚିନ୍ତା କରୁଛ କାହିଁକି ?

 

କେଶବର କଥା ଶୁଣି ଦୀର୍ଘନିଃଶ୍ଵାସ ପକାଇଲା ସନାତନ, ଠିକ୍ ସେତିକିବେଳେ ଗୋଡ଼ କଚାଡ଼ି ସ୍ଵର ଲମ୍ବେଇଲା ଫୁଲମନି–ହଁ ବାପା । ମୁଁ କେଶବାଇ ସାଙ୍ଗରେ ପାଠପଢ଼ି ଯିବି, ତାଙ୍କ ଘରେ ରହିବି । ତାଙ୍କୁ ବାହା ହେବି ।

 

ଫୁଲମନିର ନିର୍ବୋଧ କଥା ଶୁଣି ଫିକ୍‌କିନା ହସିଦେଲା ସନାତନ, କହିଲା–ହଉ ହଉ, ତୁ କେଶବାଇ ସାଙ୍ଗରେ ପାଠପଢ଼ି ଯିବୁ । ଆଉ କାନ୍ଦନା ।

 

ସତକୁ ସତ ପରଦିନ କେଶବ ସହିତ ଫୁଲମନି ବାହାରିଲା ପାଠ ପଢ଼ି ଇସ୍କୁଲକୁ । ଚାହୁଁ ଚାହୁଁ ଖବରଟା ଗାଁ ସାରା ଖେଳିଗଲା । ହାଣ୍ଡିଆ ପାଟି କରି ମାଡ଼ି ଆସିଲା ଗାଁ ମୁଖିଆ ମନେଇ ଦାସ । କି ରେ ସନା ! ତୋ ମୁଣ୍ଡରେ ପିତ ଚଢ଼ିଲାଣି କି ? କେଳା ଘରର ଝିଅକୁ ପଦାକୁ ଛାଡ଼ିଲୁ । ତତେ ଆଜିଠାରୁ ନିଆଁପାଣି ଜାତି ଅଟକ । ତୁମେ କେତେଟା କ’ଣ ଆମ କେଳା ସମାଜକୁ ନଷ୍ଟ କରିଦେବ । ତେବେ ଛାଡ଼ ଏ ଗାଁ, ଯାଅ ଅନ୍ୟ କେଉଁଠି ରହିବ ।

 

କାନ୍ଦି ପକାଇଲା ସନାତନ–ମନେଇଦା, ଛୁଆଟା କାନ୍ଦିଲା, ଇସ୍କୁଲକୁ ଯିବାକୁ । କ’ଣ କରିବି, ସେଇଥିପାଇଁ ଛାଡ଼ିଲି । ଜୋରିମୋନା ଦେଉଛି ମନେଇଦା, ଗୋଟେ ପିତଳ ଗରା, ଦଶ ଗଉଣି ଚାଉଳ ନିଅ । ମୋତେ କ୍ଷମା ଦିଅ । ପିତଳ ଗଗରା ଏବଂ ଚାଉଳ କଥା ଶୁଣି ଥମି ଗଲା ମନେଇ ଦାସ, କହିଲା ଏତେ ବଡ଼ ଦୋଷ ପାଇଁ ଗୋଟାଏ ଗଗରା–ଦଶ ଗୌଣି ଚାଉଳ, ହବ ନାହିଁ । ଗଗରା ସହିତ ଗୋଟାଏ ନୋଟା ଆଉ ପାଞ୍ଚ ଗୌଣି ଚାଉଳ ଦେ । ତା’ପରେ ତୋ କଥାର ବିଚାର ହେବ ।

 

ଆଗକୁ ଆଗେଇ ଆସି କହିଲା ମାଧୋଇ–ହଉ ମନେଇଦା । ତୁମ କଥା ଅନୁସାରେ ମୁଁ, ଜୋରିମାନା ଦେବି । ଭୁଲ୍‌ କରିଛି ଯେତେବେଳେ ଆଉ କରିବି କ’ଣ । କିନ୍ତୁ ଏବେ ଏତେ ଚାଉଳ ନାହିଁ । ଏଥର ବିଦେଶରୁ ଫେରିଲେ ସବୁ ଚାଉଳ ତୁମକୁ ଦେବି । ତୁମେ ଗଗରାଟା, ଦଶ ଗୌଣି ଚାଉଳ ନେଇଥାଅ । ମୁଣ୍ଡକୁ ଟୁଙ୍ଗାରି କହିଲା ମନେଇ–ହଉ, ତା’ହେଲେ ଶୀଘ୍ର ଗଗରା ଏବଂ ଚାଉଳ ଧରି ମୋ ଘରକୁ ଆ । ମୁଁ ଅପେକ୍ଷା କରିଛି । କାନ୍ଦୁଣୁମାନ୍ଦୁଣୁ ହୋଇ ଗଗରା ଓ ଚାଉଳ ଧରି ମନେଇ ଘରକୁ ଛୁଟିଲା ସନାତନ ।

 

ସେହି ଦିନଠାରୁ କେଶବ ସହିତ ଫୁଲମନି ସ୍କୁଲକୁ ଯାଏ, ପାଠ ପଢ଼େ । କେଶବାଇ ସହିତ ଫେରିଲାବେଳକୁ ରାସ୍ତାକଡ଼ କନିଅର ଗଛରୁ ଫୁଲ ତୋଳେ । ପଦ୍ମପୋଖରୀର ହୁଡ଼ାରେ ଥିବା ବର ମୂଳେ ଧୂଳି ଘର କରେ–ସ୍ଵର ଲମ୍ବାଏ ଗୀତ ଗାଇ ଗାଇ…

 

କେଶବାଇ କେଶବାଇ

ତୁମେ ବର ମୁଁ କନିଆଁ

ତୁମେ ପରା ରଜା ପୁଅ

ମୁଁ ତୁମ ସୁନା ପାନିଆଁ ।

 

ଛୁଟି ଦିନମାନଙ୍କରେ ଗାଁ ଦାଣ୍ଡରେ ଧୂଳି ଘର କରି ଖେଳୁ ଖେଳୁ କେଶବ ଓ ଫୁଲମନି ପଶନ୍ତି ଚନ୍ଦକା ଝାଡ଼ ଜଙ୍ଗଲ ଭିତରେ କଣ୍ଟେଇ କୋଳି ଖାଇବା ପାଇଁ । କୋଳି ତୋଳୁତୋଳୁ ଫୁଲମନିର ହାତରେ କଣ୍ଟା ଫୁଟେ । କାନ୍ଦି ଉଠେ ସେ । ସାନ୍ତ୍ୱନା ଦେଇ ତାକୁ ବୁଝାଇବାକୁ ଚେଷ୍ଟାକରେ କେଶବ । ଏମିତି ସମୟରେ ଦୂର ଶ୍ରୀପର୍ବତମାଳା ଉପରେ ମେଘ ଆସେ, ଘଡ଼ଘଡ଼ି କମ୍ପି ଉଠେ । ପ୍ରାଣ ବିକଳରେ କେଶବ ଫୁଲମନିକୁ କାଖେଇ ବାହୁଡ଼ି ଆସେ ଗାଁକୁ । ସେତିକିରେ କଣ୍ଟେଇ କୋଳି ଖିଆ ଶେଷ ହୁଏନାହିଁ । ପୁଣି ଛୁଟି ଆସେ, କେଶବ କହେ–ଫୁଲମନି ଲୋ ! ଆ ବେଦବତୀ ନଈ କୂଳରୁ ଅରଖ ଫୁଲ ତୋଳିବା, ଶାରଦା ଜୋର ଭିତରୁ ମାଛ ଧରା ଦେଖିବା, କାଞ୍ଜିଆ ଝିଲରୁ ଚଢ଼େଇ ଧରିବା । କେଶବର କଥାରେ ପୁଣି ପାଦ କାଢ଼େ ଫୁଲମନି । ବୁଲେ କେଶବ ସହିତ ପଦ୍ମବନ, ଗୟଳ ଲାଞ୍ଜି, ପଦ୍ମ ପାହାଡ଼, ପେଟାଘାଇ, ମନ୍ଦାକିନୀ ନଈ, ଚଢ଼େଇକୁଦ, କଣ୍ଟିଖାଲ ଦେଖିବା ପାଇଁ ।

 

ବେଳେବେଳେ ବୁଲୁ ବୁଲୁ ସେମାନେ ଶୈବାଳିନୀ ଦେବୀ, ଶିଖରଚଣ୍ଡୀ, ଡାଲଖାଇ, ଜାଗୁଳେଇ, ଝାଡ଼ମଲ୍ଲୀ କିମ୍ବା କପାଳ ଲୋଚନ ମହାଦେବ ମନ୍ଦିର ନିକଟରେ ପହଞ୍ଚି ଠାକୁର ଠାକୁରଣୀ ଦେଖନ୍ତି । ପାଖ ଗଛ ଡାଳରେ ଦୋଳି ଖେଳନ୍ତି । ଅବା କେତେକ ସମୟରେ ଚନ୍ଦକା ଦହର ଦଳ ଉପରେ ହଂସ, ଚକ୍ରବାକ, ବଗ, ଗେଣ୍ଡାଳିଆ ଦେଖି ଆମୋଦିତ ହୁଅନ୍ତି । ଏ ଶୋଭା ସମ୍ପଦ ଭରା ଅଞ୍ଚଳ ବୁଲି ଦେଖୁ ଦେଖୁ ଗାଇଉଠେ କେଶବ ଶୁଣିଥିବା ଗୀତ–

 

ପ୍ରକୃତି ସୁନ୍ଦରୀ କୋଳେ ବନଭୂମେ

ମାଳତୀର କୁଞ୍ଜ ଶୋଭେ

ଶ୍ୟାମଳ ପତ୍ରରେ ଧବଳିତ ପୁଷ୍ପ

ପରିପୂର୍ଣ୍ଣ ସଉରଭେ ।

କୁସୁମେ ମଣ୍ଡିତ ପାଦପେ ଶୋଭିତ

ଗିରିପ୍ରାନ୍ତ ବନଦେଶ

ମୃଦୁଳ ସମୀର ଭସାଏ ସୁରଭୀ

ପଟ୍ଟୀକାର ଚଉପାଶ ।

ନାନା ଜାତି ଫଳ ନାନା ଜାତି ମୂଳ

ସଞ୍ଚିତ ଥିଲା ଏ ବନେ

ସାଧୁ ସନ୍ନ୍ୟାସୀଏ ତପ ଜପ ଅନ୍ତେ

ଆହରିଲେ ଶାନ୍ତ ମନେ ।

 

ଗୀତ ଶୁଣି ଖୁସି ହୋଇ କହେ ଫୁଲମନି–କେଶବାଇ ! ଆଉ ଗୋଟେ ଗୀତ ବୋଲ । କେଶବ କିନ୍ତୁ ଆକଟ କରି କହେ–ନାଇଲୋ, ଦିନ ବୁଡ଼ିଲାଣି, ରାତି ଆଇଲାଣି, ଶୀଘ୍ର ଘରକୁ ପଳେଇ ଚାଲ । କେଶବାଇର କଥା ଶୁଣି ଅନିଚ୍ଛା ସତ୍ତ୍ୱେ ଉଠେ ଫୁଲମନି ।

 

ଫୁଲମନି ଓ କେଶବ–ଶ୍ରୀପର୍ବତରୁ ନିର୍ଗତ ଦୁଇଟି ପାହାଡ଼ୀ ଝରଣା ସତେ, ଗଡ଼ୁଥିଲେ ସେମାନେ ଅବାରିତ ଗତିରେ । ଶିଳାବନ୍ଧୁର ଚନ୍ଦକା ଉପତ୍ୟକା ତାଙ୍କ ଗତିରୋଧ କରୁ ନ ଥିଲା, ବରଂ ଚନ୍ଦକା ଜଙ୍ଗଲ, ଝିଲ, ଦହ, ବଗ, ଗେଣ୍ଡାଳିଆ ତାଙ୍କୁ ଉତ୍ସାହିତ କରୁଥିଲେ ଆହୁରି ଝରିବା ପାଇଁ । ସେମାନେ ବୁଝି ନଥିଲେ ଯେ, ତଥାକଥିତ ପଟିଆ ସମାଜର ଜାତିଙ୍କଠାରୁ ସେମାନେ ଭିନ୍ନ-। ଅଛୁଆଁ ଯାଯାବର କେଳା ସେମାନେ, ଆସିଛନ୍ତ ତାଙ୍କ ପୂର୍ବପୁରୁଷ ଓଡ଼ିଶା ବାହାରୁ, ମେଦିନାପୁର ଅଞ୍ଚଳରୁ । ରହୁ ରହୁ ପଟିଆକୁ ଆଦରି ନେଇଛନ୍ତି ତାଙ୍କ ବାସସ୍ଥାନ ରୂପେ । କି ଆବଶ୍ୟକ ତାଙ୍କର ନିଜ ପୂର୍ବ ପୁରୁଷର ଇତିହାସ ଖୋଜି ବର୍ତ୍ତମାନ ପାଇଁ ମୁଣ୍ଡ ବାଡ଼େଇହେବା ।

 

ନିଜେ ଆଦିମ ପଟ୍ଟୀକାର ପୁରାତନ ସାରଙ୍ଗଗଡ଼ ତ ତା’ ଇତିହାସ ରଖିପାରି ନାହିଁ । ଆସିଛନ୍ତି କେତେ ରାଜା–ଅନନ୍ତ କେଶରୀ, ପଦ୍ମକେଶରୀ, ଭାରତ କେଶରୀ, ବରାହ କେଶରୀ, ଚୋଡ଼ଗଙ୍ଗ, ଅନଙ୍ଗଭୀମ, ଭୋଇ ଗୋବିନ୍ଦଦେବ, ମୁକୁନ୍ଦଦେବ, ରାମଚନ୍ଦ୍ର ଭଞ୍ଜ, ରଘୁ ଭଞ୍ଜ, ଚକ୍ରଧର ଭ୍ରମରବର, ମଧୁସୂଦନ, ପଦ୍ମନାଭ, ଦିବ୍ୟସିଂହ, ଦୁତି ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର ଏବଂ ମୋଗଲ, ମରଠା, ବର୍ଗୀ, ଶେଷରେ ଇଂରେଜ । ପୁରାତନ ସାରଙ୍ଗଗଡ଼ ଭାଙ୍ଗି ନୂଆ ପଟିଆଗଡ଼ ସୃଷ୍ଟି ହୋଇଛି ।

 

ଦୁତିରାମଚନ୍ଦ୍ର ବର୍ଗୀଙ୍କ ଦୌରାତ୍ମ୍ୟ

ଏଡ଼ିବା ଉଦ୍ଦେଶ୍ୟେ ଦୃଢ଼

ମନ୍ଦାକିନୀ ପାରେ କଳିବେଦୀ ଗିରି

ଦାଢ଼େ ଘୁଞ୍ଚାଇଲେ ଗଡ଼ ।

 

କିନ୍ତୁ କାହିଁ ତା’ର ଇତିହାସ, କାହାନ୍ତି ସେ ଓଡ଼ିଆ ପାଇକ–ଇଂରେଜ ବୀର ?

 

କର୍ଣ୍ଣେଲ୍ ହାର୍କୋଟ ସାରଙ୍ଗଗଡ଼ ବାଟେ

ଆଣିଲେ ଶ୍ଵେତ ବାହିନୀ

 

ଗରଜିଲା ତୋପ ବାଜିଲା ବିଗୁଲ

କଟକେ ଗଲେ ସେନାନୀ ।

 

ବିସ୍ମୃତି ଗର୍ଭରେ ସବୁ ହୋଇଛି । ବିଲୋପ ଠିକ୍ ପୁରୁଣା ସାରଙ୍ଗ ଗଡ଼ ପରି, ଆଉ କେଳା ପିଲା ଫୁଲମନି ଓ କେଶବ ନିଜର ଇତିହାସ ଖୋଜିବେ କାହିଁକି !!

 

ଭୁଲୁଛନ୍ତି ସେମାନେ ପଛଦିନଗୁଡ଼ାକୁ, ସ୍ଵପ୍ନ ଦେଖୁଛନ୍ତି ଆଗାମୀ ଦିନର, ନୂଆ ହୋଇ ଗଢ଼ି ଉଠୁଥିବା ପଦ୍ମକେଶରୀପୁରର । ସ୍କୁଲ ଯିବାବେଳେ କହୁଛି କେଶବ–ବୁଝିଲୁ ଫୁଲମନି, ଆମେ ଭଲ ଘର କରିବା । ବିଜୁଳି ଆଲୁଅ ନେବା । ପଙ୍ଖା ଘୂରେଇବା, ଘର ଦୁଆରେ ଚେୟାର ବେଞ୍ଚ ପକାଇବା, ବିଲ ବାଡ଼ି କରି ଚାଷ କରିବା, ବଞ୍ଚିବା ମଣିଷ ପରି । କେଶବର କଥା ନ ବୁଝି କେବଳ ମୁଣ୍ଡ ଟୁଙ୍ଗାରୁଛି ଫୁଲମନି ।

 

ଏମିତି ଦିନ ଗଡ଼ି ଚାଲିଲା, ଧୀରେ ଧୀରେ କେଶବ ଏକାଦଶ ଶ୍ରେଣୀକୁ ଉଠିଲା ଏବଂ ଫୁଲମନି ପାସ୍‍ କଲା ମାଇନର । ସନାତନ ଓ ରତନଙ୍କ ଆନନ୍ଦ କହିଲେ ନ ସରେ । ଏଣେ କିନ୍ତୁ ରାଗରେ କଡ଼ ମଡ଼ ହେଉଥାଏ ଗାଁ ମୁଖିଆ ମନେଇ ଦାସ । ତେବେ କ’ଣ ତା’ର କାଟତି ଗାଁରୁ କମିଯିବ ? କେହି ତାକୁ ଗାଁର ମୁଖିଆ ବୋଲି କହିବେ ନାହିଁ । ଏତିକି ବେଳେ ଶୁଣିଲା ମନେଇ ଦାସ–ସନାତନର ଝିଅ ଫୁଲମନି ଘରଯୋଗ୍ୟ ହୋଇଛି । ନୂଆ ମଣିଷ ସୃଷ୍ଟି କରିବାର କ୍ଷମତା ହାସଲ କରିଛି । ଏଥର ରଡ଼ିକରି ଘରୁ ବାହାରିପଡ଼ିଲା ସେ–ଆରେ ସନା ! ତୋ ଝିଅ ବଡ଼ ପାତ୍ର ହେଲା । ଆଉ ଶଳା ଯଦି ତାକୁ ଇସ୍କୁଲକୁ ପଠାଉ ତେବେ ପଦ୍ମକେଶରୀପୁରରେ ତୋର ସ୍ଥାନ ନାହିଁ-। କେଳା ଝିଅ ବଡ଼ ହେବା ପରେ ବାହା ନ ହେଇ ଏକୁଟିଆ ପଦାକୁ ବାହାରେ ନାହିଁ-। ତେଣୁ ଆଜିଠାରୁ ଫୁଲମନିର ପାଠ ପଢ଼ା ବନ୍ଦ, ତାକୁ ହାତକୁ ଦି ହାତ କରି ଦେ ।

 

କଥାଟା ମନକୁ ପାଇଲା ସନାତନର । ସତ କଥା, କେବେ କେଉଁ ସମୟରେ ବଡ଼ ହେବା ପରେ କେଳା ଝିଅ ଏକା ଏକା ବାହାରକୁ ଯାଇ ନାହାନ୍ତି । ଆଜି ତା’ ଝିଅ ଯିବ କେମିତ ! ଫୁଲମନିକୁ ଡାକି କହିଲା ସେ–ଫୁଲମନି ! ଆଉ ପାଠ ପଢ଼ିବା ପାଇଁ ଅଳି କରିବୁ ନାହିଁ । କେଶବ ଡାକିଲେ ତାକୁ କହିବୁ–ମୋର ପାଠ ପଢ଼ା ବନ୍ଦ ! ମୁଁ କ’ଣ ପାଠ ପଢ଼ି ହାକିମ ହେବି ! ବହୁତ ପାଠ, ହେଇଗଲା । ଏବେ ଘରକରଣା ଶିଖିବି, ଚିତା କୁଟେଇ ଶିଖିବି–ତା’ହେଲେ ଯାଇ ଆମ କେଳାଘର ସୁନ୍ଦର ହେବ । ସନାତନର କଥା ଶୁଣି ଉତ୍ସାହିତ ହୋଇ କହିଲା ମନେଇ–ଫୁଲ ଲୋ ! କେବଳ ତୁ ନୁହେଁ, କେଶବାବୁ କହ–ସେ ପାଠପଢ଼ା ଛାଡ଼ୁ । ଯେତିକି ହେଲା ସେତିକି ଢେର । ସେ ଅଧିକ ପାଠ ପଢ଼ିଲେ ତୁ ଜଳକୀ ପରି ଚାହିଁଥିବୁ । ସେ ବିଦେଶରେ ରହିବ । ବଡ଼ ଘର ଦେଖି ବାହାହେବ-। ଆଜିକାଲି ଜାତି ଗୋତ୍ର ଖୋଜୁଛି କିଏ ? ଫଳରେ ତୁ କାନ୍ଦୁଥିବୁ ସବୁଦିନ ପାଇଁ-

 

ସନାତନର ପୁଅ ଶାମ କହିଲା–ହଁ ଲୋ ଫୁଲ ! କେଶବକୁ କହ, ସେ ପାଠ ପଢ଼ା ଛାଡ଼ୁ-। କ’ଣ ହବ ପାଠ କେଳା ଘରେ ? ସାପ ଧରି ଜାଣିଲେ, ସାପ ଖେଳାଇ ଜାଣିଲେ ହେଲା-। କିଏ ଭଣ୍ଡି ନ ଖାଉଛି ଏ ଦୁନିଆଁରେ ? କିଏ କଲମରେ ଭଣ୍ଡୁଛି, କିଏ ଜିନିଷରେ ଭଣ୍ଡୁଛି, କେହି ଜ୍ଞାନରେ ଭଣ୍ଡୁଛି, ଆମେ ଏବେ କଥାରେ ଭଣ୍ଡି ବଞ୍ଚୁଛୁ ।

 

କଥାଟା ମନକୁ ପାଇଲା ଫୁଲମନିର, ହଁ–ସେ କେଶବାଇକୁ କହିବ–ତୁମେ ପାଠ ଛାଡ଼ି, ସାପ ଧରା ଶିଖ, ସାପ ଖେଳାଇ ଶିଖ । ଯେତିକି ପାଠ ହେଲା ସେତିକି ଢେର । ଅଧିକ ପାଠ ଆମର କ’ଣ ହେବ ? ଏଥିପାଇଁ ସେଦିନ ଫୁଲମନି ଅପେକ୍ଷା କରି ବସିଲା କେଶବକୁ । ସ୍କୁଲରୁ ଫେରିଲେ ତା’ ମନକଥା କହିବ ସେ । କିନ୍ତୁ ଦିନଯାଇ ରାତିହେଲା, ତଥାପି କେଶବ ଫେରିଲାନି । ବାଟ ଚାହିଁ ସେମିତି ବସିଥାଏ ଫୁଲମନି ।

 

ଏଣେ କ୍ଲାସରେ କେଶବ ବସି ଅଙ୍କ ବହି ଖେଳାଉଥିବା ସମୟରେ ହରିଜନ ସାହିର ନିଧିମଳିକର ପୁଅ ଶ୍ରେଣୀ ସାଥୀ ସୁର ମଳିକ କହିଲା–କେଶବ ! ଆଜି ଭାଗୁ ଆଚାର୍ଯ୍ୟଙ୍କ ପୁଅ ବ୍ୟୋମକେଶ ଆଚାର୍ଯ୍ୟ ଖବର ଦେଇଛନ୍ତି, ଆମେ ସ୍କୁଲ ଛୁଟି ହେଲେ ତାଙ୍କ ଘରକୁ ଯିବା । ତାଙ୍କ ଘରେ କ’ଣ ଗୋଟାଏ ମିଟିଂ ଅଛି । ମିଟିଂ ଶେଷରେ ଫେରିବା ଘରକୁ । ସୁର କଥା ଶୁଣି କହିଲା ସେ–କି ମିଟିଂ ? ମିଟିଂକୁ ଯାଇ ଆମେ କ’ଣ କରିବା ? ସୁର କହିଲା ମୁଁ କହି ପାରିବି ନାହିଁ । ମୁଁ ସ୍କୁଲକୁ ଆସିବା ବେଳେ ତାଙ୍କ ଘର କଡ଼ ଦେଇ ଆସୁଥିଲି, ସେ ମୋତେ କହିଲେ ।

 

ସୁରର ଉତ୍ତରରେ କୌତୂହଳୀ ହୋଇ କହିଲା କେଶବ–ହଉ, ତା’ହେଲେ ସାଙ୍ଗ ହୋଇ ଆମେ ଦୁଇଜଣ ଯିବା । ସୁର କହଲା–କେବଳ ଆମେ ଦୁଇଜଣ ନୁହେଁ–ଆମ ସ୍କୁଲର ଚମାର ସାହିର ଗୋବର୍ଦ୍ଧନ, ଧୋବା ସାହିର ଜଗୁ, ଡମ ସାହିର ପାଣୁ ଇତ୍ୟାଦି ମଧ୍ୟ ଯିବେ । ସମସ୍ତେ ସାଙ୍ଗହୋଇ ଏକା ସମୟରେ ଯିବା । ତାହାହିଁ ହେଲା, ସ୍କୁଲ ଛୁଟି ପରେ ସମସ୍ତେ ବାହାରିଲେ ଭାଗୁ ଆଚାର୍ଯ୍ୟଙ୍କ ଘରକୁ । କେଶବ ଓ ସୁର ଇତ୍ୟାଦି ଭାଗୁ ଆଚାର୍ଯ୍ୟଙ୍କ ଘରେ ପହଞ୍ଚିଲା ବେଳକୁ ଦେଖିଲେ ଆଚାର୍ଯ୍ୟଙ୍କ ଦାଣ୍ଡ ଘରେ ସତରଞ୍ଜି ବିଛା ଯାଇଛି । ତା’ ଉପରେ ବସିଛନ୍ତି–ପାଣ ସାହି, ବାଉରି ସାହି, ଚମାର ସାହି, କମାର ସାହି, ଧୋବା ସାହି, ବାଗୁତି ସାହି ଏବଂ ଡୋମ ସାହିର କେତେଜଣ ପୁରୁଖା ଲୋକ । ମଝିରେ ବସିଛନ୍ତି କଲେଜ ପାଠୁଆ ବ୍ୟୋମକେଶ ଆଚାର୍ଯ୍ୟ ।

 

ଏତିକିବେଳେ ଗାଁ ଜଗନ୍ନାଥ ଠାକୁରଙ୍କ ସଂଧ୍ୟା ଧୂପ ସାରି ଘରକୁ ଫେରି ଆସୁ ଆସୁ ପାଟିକଲେ ଗୋସେଇଁ ଭାଗୁ ଆଚାର୍ଯ୍ୟ । ଆରେ କେଶ ! ଏ କ’ଣ କଲୁରେ–ଘରେ ପାଣ, ହାଡ଼ି, ଡୋମ, କେଳାମାନଙ୍କୁ ପୂରେଇଲୁ । ଇରେ ମୋ ରାଧାକୃଷ୍ଣ ଠାକୁର–ଭାଗବତ ଗୋସେଇଁ ମାରା ହେଲେରେ । ସେମାନେ ଆଉ ଏ ଘରେ ଭୋଗ ଖାଇବେ ନାହିଁରେ । ହସି ହସି କହିଲେ ବ୍ୟୋମକେଶ–ନନା ! ତୁମ କାଠ ପଥରର ଠାକୁର କ’ଣ ଏ ମଣିଷମାନଙ୍କ ଅପେକ୍ଷା ଆହୁରି ଉତ୍କୃଷ୍ଟ ? ଆଜି ପର୍ଯ୍ୟନ୍ତ ସେ ଠାକୁର ତୁମର ଦୁଃଖ ଶୁଣୁଥିଲେ, ତୁମକୁ ଜମିବାଡ଼ି ଧନରତ୍ନ ଦେଉଥିଲେ–ଏବେ ଏ ଗରିବ ଲୋକଙ୍କ କଥା ସେ ଶୁଣନ୍ତୁ ।

 

ବ୍ୟୋମକେଶଙ୍କ କଥା ଶୁଣି ପକ୍‌କା କାନ୍ଥରେ ମୁଣ୍ଡଟାକୁ ଠୋ ଠୋ ପିଟିଦେଲେ ଭାଗୁ ଆଚାର୍ଯ୍ୟ । କହିଲେ–କେଶ ! ତୁ ଏମିତି କରିବୁ ତ ମୁଁ ମୋ ଠାକୁରଙ୍କୁ ନେଇ ଏ ଘର ଛାଡ଼ି କେଉଁଆଡ଼େ ପଳେଇ ଯିବି । ତତେ ପାଠ ପଢ଼ାଇଥିଲି କ’ଣ ଠାକୁର ବ୍ରାହ୍ମଣ, ବଡ଼ସାନ ନ ମାନି–ମୋ ଘରେ ପାଣ ପୂରେଇବୁ ବୋଲି । କି କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଛୁ ମୋ କୁଳ ଉଦ୍ଧାର ପାଇଁ ?

 

ହସି ହସି କହିଲେ ବ୍ୟୋମକେଶ–ନନା ! କେବଳ ଆଜି ନୁହେଁ–ଏମିତି ପ୍ରତ୍ୟେକ ଦିନ ଆମ ଘରେ ମିଟିଂ ହେବ । ତେଣୁ ସଂଧ୍ୟାରେ ସଂଧ୍ୟା ଆଳତି ବନ୍ଦ । ତୁମେ ଏ ଘର ଠାକୁରଙ୍କୁ ନେଇ ଜଗନ୍ନାଥ ମନ୍ଦିରରେ ରଖିଦେଇ ଆସ । ତାଙ୍କ ଜମି ଭାଗଚାଷୀମାନଙ୍କୁ ଦେଇଦିଅ । ସେମାନେ ଏପର୍ଯ୍ୟନ୍ତ ରକ୍ତ ପାଣିକରି ଚାଷକରି–ଫସଲ ଅଧା ତମକୁ ଦେଉଥିଲେ । ଆଜି ସେମାନଙ୍କୁ ମୁଁ କହିଦେଉଛି–ଆଉ ଭାଗ ଦେବା ଦରକାର ନାହିଁ । ଲଙ୍ଗଳ ଯାର ଜମି ତା’ର । ସେମାନେ ଚଷନ୍ତୁ, ଚଳନ୍ତୁ ।

 

କମ୍ପି ଉଠିଲେ ଭାଗୁ ଆଚାର୍ଯ୍ୟ–କେଶା, ତୋ ପାଣ କଣ୍ଡରାଙ୍କୁ ନେଇ ତୁ ଉଠ୍ ଏ ଘରୁ । ମୋ ଘରେ ପାଣ, କଣ୍ଡରା ପଶି ପାରିବେ ନାହିଁ । ଉତ୍ତର ଦେଲେ ବ୍ୟୋମକେଶ–ନନା ! ତୁମେ ବୁଢ଼ା ହେଲଣି । ଘରସଂସାର ତୁମର ଶେଷ ହୋଇ ଆସିଲାଣି । ଏବେ ଘରର ମାଲିକ ମୁଁ । ମୋର ନିର୍ଦ୍ଦେଶରେ ସେମାନେ ନିତି ଏ ଘରକୁ ଆସିବେ । ତୁମକୁ ଯଦି ଅସହ୍ୟ ବୋଧ ହେଉଛି–ତେବେ ତୁମେ ତୁମ ମାଳିଗଡ଼ା ମୁଣି, ପୂଜା କୋଥଳି ଧରି ଜଗନ୍ନାଥ ମନ୍ଦିରକୁ ପଳେଇ ଯାଅ । ସେଇଠି ରହି ମହାପ୍ରସାଦ ଖାଇ ଦିନ କାଟ ।

 

ବ୍ୟୋମକେଶ ବାବୁଙ୍କ କଥା ଶୁଣି ରାଗରେ ତମ ତମ ହୋଇ ଗାଁ ଆଡ଼କୁ ପଳେଇ ଯାଉ ଯାଉ କହୁଥିଲେ ଭାଗୁ ଆଚାର୍ଯ୍ୟ–କ’ଣ କହିଲୁ, ତୁ ପୁଅ ହୋଇଥିଲୁ ମୋତେ ଘରୁ ବାହାର କରିଦେବା ପାଇଁ ! ହଉ ତେବେ, କ’ଣ କରୁଛୁ କର । ତୋର ଦିନେକୁ ମୋର ଦିନେ ।

 

ଭାଗୁ ଆଚାର୍ଯ୍ୟ ଚାଲିଯିବା ପରେ ଆରମ୍ଭ କଲେ ବ୍ୟୋମକେଶ ! ବନ୍ଧୁଗଣ ! ଆଜି ଆମ ଗାଁରେ ନୂଆ ହୋଇ କମ୍ୟୁନିଷ୍ଟ ଦଳର ଅଫିସ ଖୋଲଯାଇ କାମ ଆରମ୍ଭ ହେଲା, ତୁମ୍ଭେମାନେ ସମସ୍ତେ ଏ ଦଳର ସଦସ୍ୟ ହୁଅ । ତା’ହେଲେ ଅନେକ ସୁଯୋଗ ଲାଭ କରିପାରିବ । ତୁମ୍ଭେମାନେ ଜାଣ–ଏ ଗାଁର ବୁର୍ଜୁଆ ଜମିମାଲିକମାନେ ମାଣ ମାଣ ଜମି ଦଖଲ କରୁଛନ୍ତି । ସେ ଜମି ଚାଷ କରୁଛ ତୁମେ, କିନ୍ତୁ ଫଳ ଭୋଗ କରୁଛନ୍ତି ସେମାନେ । ପୁଣି ବିଚରା ଦିନ ମଜୁରିଆଙ୍କୁ ଧାନ ଚାଉଳ ଓ ଟଙ୍କାର ମୋହ ଦେଖାଇ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି ଏଇ ବୁର୍ଜୁଆ କାପିଟାଲିଷ୍ଟ ଦଳ । ଶୁଣିଥିବ ତୁମ୍ଭେମାନେ, କେତେଦିନ ହେବ ଚନ୍ଦକା ଅଞ୍ଚଳରେ ଆଖୁ, ମକା, କାନ୍ଦୁଲ ଖେତରେ ହାତୀ ପଶି ଫସଲ ନଷ୍ଟ କରୁଛନ୍ତି । ତେଣୁ ଜମି ମାଲିକମାନେ ମାଣେ ମାଣେ ଚାଉଳ ଦେଖାଇ ରାତିରେ ଫସଲ ଜଗିବାକୁ ପଠାଉଛନ୍ତି ହରିଜନ କୃଷି ମଜୁରିଆମାନଙ୍କୁ । ପେଟ ବିକଳରେ ଜଙ୍ଗଲର କ୍ଷେତରେ ପଡ଼ିରହୁଛନ୍ତି ସେମାନେ । ଏମିତ ଜଗୁ ଜଗୁ ଗତକାଲି ହାତୀଦଳ ଚାରିଟି କୁଡ଼ିଆ ଉପରେ ଆକ୍ରମଣ କରି ପାଞ୍ଚଜଣ ଜଗୁଆଳଙ୍କୁ ପାଦରେ ଦଳି ମକଚି ମାରିପକାଇଛନ୍ତି । ଏମାନଙ୍କ ପରିବାରରେ କାନ୍ଦ ବୋବାଳି, ଏ ମୃତ୍ୟୁ ପାଇଁ ଦାୟୀ କିଏ ! ବଡ଼ ପେଟିଆ ଜମିଦାରଙ୍କ ପାଇଁ ଆମ ଗରିବ ପ୍ରଜା ପ୍ରାଣବଳୀ ଦେବେ କାହିଁକି ? ତେଣୁ ଠିକ୍ କର, କାଲିଠାରୁ ଜଗୁଆଳି କାମ ବନ୍ଦ୍ । ମଜୁରୀ ଖଟି ଜମିକାମ କରିବା ମଧ୍ୟ ବନ୍ଦ । ଲଙ୍ଗଳ ଯାର ଜମି ତା’ର । ଫଳ ଭୋଗ କରିବାକୁ ଜମି ମାଲିକ କିଏ ?

 

ବ୍ୟୋମକେଶଙ୍କ ଭାଷଣ ଶୁଣି ପରସ୍ପରକୁ ଅନାଅନି ହେଉଥିଲେ ପାଣସାହି, ବାଉରି ସାହି, ଡୋମ ସାହି ଓ ଚମାର ସାହିର ଲୋକେ । ପୁଣି ଆରମ୍ଭ କଲେ ବ୍ୟୋମକେଶ–ଶୁଣ କେଶବ ! ତୁମେ ଆଉ ଛୋଟ ପିଲା ହୋଇ ନାହଁ, ଏକାଦଶ ଶ୍ରେଣୀରେ ପାଠ ପଢ଼ିଲଣି । ଦୁନିଆଁର ଭଲମନ୍ଦ ବୁଝିଲଣି । ତୁମେ କ’ଣ ଭାବୁଛ–ତୁମ କେଳା ସାହିର ଲୋକେ ସବୁଦିନ ଏମିତ ଯାଯାବର ହୋଇ ରହିଥିବେ ? ପର ହାତଟେକାରେ କାଳ କାଟୁଥିବେ । ସେମାନଙ୍କୁ ତୁମେ ଏକଯୁଟ କର । ଗୋଟିଏ ଯୁବକସଂଘ ଗଠନ କର । ଗାଁରେ ସମବାୟ ସମିତି ଗଢ଼ । ତୁମେ ଭୂମିହୀନ–ଭୂମିପାଇଁ ଦାବି କର । ତୁମେ ଗୃହହୀନ–ଗୃହ ପାଇଁ ସ୍ୱର ଉତ୍ତୋଳନ କର । ପଟିଆ ଝାଡ଼ ଜଙ୍ଗଲ ସଫା ହୋଇ ତୁମକୁ ଜମି ଦିଆଯାଉ । ପଦ୍ମକେଶରୀପୁରର ପୋଖରୀ ହୁଡ଼ାରେ ଏବଂ ଝାଟିମାଟି ଘରେ ପଡ଼ିଥିବା କେଳା ଭାଇମାନେ ମଣିଷ ପରି ମଣିଷ ହୋଇ ବଞ୍ଚିରହନ୍ତୁ । ଜୀବିକାର୍ଜନ ପାଇଁ ସାପ ଖେଳାନ୍ତୁ–ମନା ନାହିଁ; କିନ୍ତୁ ସେମାନେ ବାସହରା ନ ରହନ୍ତୁ । ଭୟ କରନାହିଁ କେଶବ, କାମରେ ଲାଗିପଡ଼, ପଛରେ ମୁଁ ଅଛି ।

 

ଆଁ କରି ବ୍ୟୋମକେଶ ବାବୁଙ୍କୁ ଅନେଇ ରହିଥିଲା କେଶବ । ଏଁ ବ୍ୟୋମକେଶ ବାବୁ କଲେଜ ପାଠ ଶେଷକରି ଗାଁକୁ ଫେରି ଏ କ’ଣ କହୁଛନ୍ତି ! ସେ କ’ଣ ହାକିମ ହେବେ ନାହିଁ, ଚାକିରି କରିବେ ନାହିଁ, ପାଠ ପଢ଼ିଲେ କ’ଣ ଶେଷରେ କମ୍ୟୁନିଷ୍ଟ ହେବାକୁ ହେବ ? ଏତିକିବେଳେ ଦାଣ୍ଡରେ ଆସି ଠିଆ ହେଇଗଲେ ଟିକାୟତ ବୈରୀଗଞ୍ଜନ ମାନଧାତା । ନାକ ତଳେ ହୁରୁଡ଼ା ନିଶ । ଏ ନିଶ ଆଉ ବୈରୀଗଞ୍ଜନର କ୍ଷମତା ରଖି ନଥିଲେ ମଧ୍ୟ–ଖେତ ମଜୁରିଆ ଗଞ୍ଜନର ଶକ୍ତିରେ ବଳଶାଳୀ । ସେହି ପୁରୁଣା ଦିନର ଇତିହାସ ଖେଳାଇ କହନ୍ତି ସେ–ଆବେ ଫଗୁଆ, ଦିନେ ଶଳା ବେଠି ଖଟି ଖଟି ଦିନ କଟୁନଥିଲା । ଆଜି ହକ ପଇସା ଦେଇ ଡାକୁଛି । ତଥାପି ଘରୁ ବାହାରୁ ବାହାରୁ ଦିନ ଦି’ଘଡ଼ି । ଏଥିରେ ଫଗୁଆ ପରି ପାଣ ସାହିର ଲୋକେ ଭୟ ପାଇ ବାହାରି ଆସୁ ଆସୁ କହନ୍ତି–ଯାଉଛି ବାବୁ ପଖାଳ ଗଣ୍ଡାଏ ଖାଉ ଖାଉ ଡେରି ହେଇଗଲା ।

 

କେଉଁ ଦୀର୍ଘ ଅତୀତରୁ ରାଜା ରାଜୁଡ଼ା ଶାସନ ଯାଇଥିଲେ ମଧ୍ୟ ଫଗୁଆ ପରି ହରିଜନ ମଜୁରିଆ ଲୋକେ ଭାବନ୍ତି–ଏବେ ମଧ୍ୟ ନିଶ୍ଚୟ ବୈରୀଗଞ୍ଜନଙ୍କର କିଛି କିଛି ପାବାରେ ଅଛି । ତାଙ୍କୁ ବେଖାତିର କଲେ ଘଟଣ ଅଘଟଣ ଘଟି ପାରେ ।

 

ସେହି ବୈରୀଗଞ୍ଜନ ମାନଧାତା ହରିଜନ ସାହିକି ଯାଇଥିଲେ କେତେଜଣ ମଜୁରିଆଙ୍କୁ ଚନ୍ଦକା ଜଙ୍ଗଲ ଜମିର ଫସଲ ଜଗିବା ପାଇଁ ପଠାଇବାକୁ । ଶୁଣିଲେ–ସମସ୍ତେ ଭାଗୁ ଆଚାର୍ଯ୍ୟଙ୍କ ଘରେ ମିଟିଙ୍ଗ୍ କରୁଛନ୍ତି । ତେଣୁ ସିଧା ଆସି ସେ ପହଞ୍ଚିଗଲେ ଭାଗୁ ଆଚାର୍ଯ୍ୟଙ୍କ ଦୁଆରେ,–କହିଲେ–ଶଳେ କି ମିଟିଙ୍ଗ୍ କରୁଛ ବେ । ମିଟିଂ କରିବ ତ ଏ ଗାଁ ଛାଡ଼–ଆମେ ଆଉ କୋଉଠୁଁ ମଜୁରିଆ ଆଣି କାମ କରିବୁ । ଆଜିକାଲି କ’ଣ ମଜୁରିଆ କମ୍ ଅଛନ୍ତି । ପଇସା ପକାଇଲେ ବାଘ ମୁହଁ ଫେରାଇବ । ଶଳା ରାତି ଆସି ଚାରିଘଡ଼ି ହେଲାଣି–ଆଉ ଜମି ଦେଖିବାକୁ ଯିବ କେତେବେଳେ ? ହାତୀ ଆସି ମକା କ୍ଷେତ, କାନ୍ଦୁଲ କ୍ଷେତ ଶେଷ କରି ସାରିବେଣି ।

 

ପାଟି କଲେ ବ୍ୟୋମକେଶ–ବୈରୀଗଞ୍ଜନ ବାବୁ ! ଆଜିଠାରୁ କେହି ତୁମ ଜମି ଜଗିବାକୁ ଯିବେ ନାହିଁ । ତୁମେ ନିଜେ ବଣ ଭିତରେ ମଞ୍ଚା ଉପରେ ବସି ଜମି ଜଗ । ଏଠି ପାଟି କରୁଛ କାହିଁକି ? କେହି ଯାଇ ପାରିବେ ନାହିଁ । ଚମକି ପଡ଼ିଲେ ବୈରୀଗଞ୍ଜନ ବ୍ୟୋମକେଶଙ୍କ କଥା ଶୁଣି । ପ୍ରଥମେ ସେ ଆଶା କରୁ ନ ଥିଲେ ବ୍ୟୋମକେଶଠାରୁ ଏ ଉତ୍ତର । ମନେ ମନେ ଚିନ୍ତା କରୁଥିଲେ ସେ–ଏଡ଼େଖଣ୍ଡେ କାଲିକାର ଟୋକା । ଗାଲ ଚିପି ଦେଲେ ଦୁଧ ବାହାରିପଡ଼ିବ । ସେ କି ବଡ଼ ବଡ଼ କଥା ନ କହୁଛି । ଅବଶ୍ୟ ରାଜା ରାଜୁଡ଼ା ସମୟ ଥିଲେ ବ୍ୟୋମକେଶକୁ ଯେ ଟହଲ ଦାରମାନେ ଘୋଷାରି ଘୋଷାରି ରାଜନଅର ପର୍ଯ୍ୟନ୍ତ ନେଇ ଯାଇଥାନ୍ତେ ଏଥିରେ ସନ୍ଦେହ ନାହିଁ । କିନ୍ତୁ କର୍ପୂର ନାହିଁ–କେବଳ କନା ପଡ଼ିଛି, ସେପାଇଁ ବାଘ ଘରେ ମିରିଗର ନାଟ । ଦାନ୍ତକାମୁଡ଼ି ବଡ଼ ବଡ଼ ଆଖିରେ ଚାହିଁଲେ ବୈରୀଗଞ୍ଜନ, ତାଙ୍କ ଚେହେରା ଦେଖି ପାଣ ସାହି, ବାଉରି ସାହି, ଚମାର ସାହି ଲୋକମାନଙ୍କର ପିଳେହି ପାଣି । କାରଣ ଏଇ ବୈରୀଗଞ୍ଜନ ଅତୀତରେ ଏମିତି ରାଗି ମାସ ମାସ ଧରି ବେଠି ଖଟାଇଛନ୍ତ–ଅଖିଆ ଅପିଆ । ଆଜି ପୁଣି ବେଠି ଖଟାଇବେ ନାହିଁ ତ ?

Unknown

 

ବୈରୀଗଞ୍ଜନଙ୍କ ଚେହେରା ଦେଖି ବିଦ୍ରୂପ କରି ଉଠିଲେ ବ୍ୟୋମକେଶ । ହଇହୋ ବୈରୀଗଞ୍ଜନ ସାହେବ ! କାହାକୁ ନାଲି ଆଖି ଦେଖାଉଛ । ଅଧିକ ପାଟି କରିବ ତ ଲୋକ ଲଗାଇ ଏଠୁ ନିକାଲି ଦେବି । ତୁମ କାମରେ ତୁମେ ଯାଅ । ଏଠି ହଲା କରୁଛ କାହିଁକି ? ଲଜ୍ଜିତ ଏବଂ ଅପମାନିତ ହେଇ ମୁହଁ ଫେରାଇଲେ ବୈରୀଗଞ୍ଜନ । ପାଣ ସାହି, ବାଉରି ସାହି, ଚମାର ସାହି ଲୋକ କହିଲେ–ବାବୁ ! କାଲିଠାରୁ ବାବୁ ଆଉ କାମ କରେଇବେ ନାହିଁ । ଆମେ କ’ଣ କରିବୁ ? ତୁମ କଥାରେ ଆମ ପିଲାଛୁଆ ଭୋକରେ ମରିବେ । ହସିଲେ ବ୍ୟୋମକେଶ । କହିଲେ–ପାଗଳ ହେଲ କିରେ ? ଆଜିକାଲି ଆଉ କାମର ଅଭାବ ନାହିଁ । ଏଇ ବାଟ ଦେଇ ନୂଆ ରେଳ ଲାଇନ ଯିବ । ସେଥିପାଇଁ କାଲିଠାରୁ କାମ ଆରମ୍ଭ ହେବ । ତୁମେ ଏକଯୁଟ ହୁଅ । ସେଠାକୁ ଯାଇ କାମ କରିବ । ମାନଧାତାକୁ ପଚାରେ କିଏ । ସେ ଦଶଦିନ କାମ କରାଇ ପାଞ୍ଚ ଦିନର ମଜୁରୀ ଦେଉ ଦେଉ କୋଡ଼ିଏ ଦିନ ବିତାଉଛନ୍ତି । ଆଉ ସେ କଥା ଚଳିବ ନାହଁ । କୃଷି ଶ୍ରମିକଙ୍କୁ ମଧ୍ୟ ଏକଯୁଟ କରିବାକୁ ହେବ । ତାଙ୍କ ନ୍ୟାଯ୍ୟ ଦାବି ହାସଲ୍ କରିବାକୁ ହେବ । ବ୍ୟୋମକେଶଙ୍କ କଥା ଶୁଣି ଆଶାବାନ୍ ହୋଇଉଠିଲେ ଶ୍ରମିକ ଦଳ । ଏହି ସମୟରେ ବ୍ୟୋମକେଶ କହିଲେ–ଶ୍ଳୋଗାନ ଦିଅ ସମସ୍ତେ–ଲଙ୍ଗଳ ଯାର ଜମି ତା’ର, ଭୂମିହୀନଙ୍କୁ ଭୂମି ଦିଅ–ଗୃହହୀନଙ୍କୁ ଗୃହ ଦିଅ । ତା’ପରେ ଚିତ୍କାର କରି କହିଲେ ବ୍ୟୋମକେଶ–ଲଙ୍ଗଳ ଯାର, ସମସ୍ତେ କହିଲେ ଜମି ତା’ର ।

 

–ଭୂମିହୀନଙ୍କୁ ।

 

–ଭୂମି ଦିଅ ।

 

–ଗୃହହୀନଙ୍କୁ

 

–ଗୃହ ଦିଅ ।

 

ଶ୍ଳୋଗାନ୍‌ର ଚିତ୍କାରରେ କମ୍ପି ଉଠିଲା, ପଟିଆ ଗାଁ । କ’ଣ ଘଟଣ ଅଘଟଣ ଘଟିଲା ବୋଲି ଜମା ହୋଇ ପଡ଼ିଲେ ଗାଁ ସାରାର ଲୋକେ । ଶେଷରେ ଯେତେବେଳେ ଜାଣିଲେ ଯେ, କମ୍ୟୁନିଷ୍ଟ ଦଳର ଲୋକେ ସଭା କରି ଶ୍ଳୋଗାନ୍‌ ଦେଉଛନ୍ତି–ସେତେବେଳେ ମୁହଁ ମୋଡ଼ି ଚାଲିଲେ ଯେ ଯାହା ବାଟରେ । କେତେକ ବୁଢ଼ା ବୁଢ଼ା ଲୋକେ କହୁଥିବାର ଶୁଣାଗଲା–ଭାଗାନା ପୁଅଟା ବାଳୁଙ୍ଗା ହେଇଗଲା । କିଏ ଜାଣିଥିଲା ସେ ଏତେ ପାଠ ପଢ଼ି ଶେଷରେ କମ୍ୟୁନିଷ୍ଟ ହେବ । ଆଉ କିଏ କହିଲା–ମୋଟା ମାଲ୍ ଆସିବରେ, ମୋଟାମାଲ୍ । ଶଳା ଏମ୍.ଏଲ୍.ଏ ହେବ, ମନ୍ତ୍ରୀ ହବ । ଏ ଗାଁକୁ ପିଁ ପାଁ କରି କାରରେ ଆସିବ । ଦି ଅକ୍ଷର ପାଠ ପଢ଼ି କିରାଣି ହେବ କାହିଁକି ?

 

ଲୋକଙ୍କ କଥାକୁ କାନ ନ ଡେରି ଫେରିବାରେ ଲାଗିଲେ ପାଣ ସାହି, ବାଉରି ସାହି, ଡୋମ ସାହି, ଚମାର ସାହିର ଲୋକେ ଏବଂ କେଳା ସାହିର କେଶବ । ଫେରିବା ବେଳେ କେଶବ ଭାବୁଥିଲା–ହଁ ହଁ ଲଙ୍ଗଳ ଯାର ଜମି ତା’ର, ଭୂମିହୀନଙ୍କୁ ଭୂମିଦିଅ–ଗୃହହୀନଙ୍କୁ ଗୃହ ।

 

ଏମିତି ଚିନ୍ତା କରି କରି ଘରକୁ ଫେରୁ ଫେରୁ ଫୁଲମନିର ଘର ନିକଟରେ ପାଟି କଲା କେଶବ, ଫୁଲମନି ଲଙ୍ଗଳ ଯାର ଜମି ତା’ର–ଭୂମିହୀନଙ୍କୁ ଭୂମି ଦିଅ–ଗୃହହୀନଙ୍କୁ ଗୃହ । କେଶବାଇର ପାଟି ଶୁଣି ଘର ଭିତରୁ ପଦାକୁ ଛୁଟିଆସିଲା ଫୁଲମନି । କହିଲା–କେଶବାଇ, ଆଜି ଏତେ ରାତି ପର୍ଯ୍ୟନ୍ତ ତୁମେ କେଉଁଠି ଥିଲ ? ସଞ୍ଜପହରୁ ମୁଁ ତୁମକୁ ଅନେଇ ବସିଛି । କେଶବ କହିଲା, ମୁଁ ଜମି, ଘର ପାଇଁ ଯାଇଥିଲି ଲୋ ଫୁଲମନି । ଦେଖିବୁ, ତୋ ପାଇଁ ଏ ଗାଁରେ ଜମି ଖଞ୍ଜିଦେବି, ଭଲ କୋଠା ଘର କରିଦେବି । ତୁ ସେ ଘରେ ବସି ଖାଲି ହୁକୁମ ଦେବୁ ।

 

ବୋକୀ ଭଳି ଚାହିଁରହି ଫୁଲମନି କହିଲା–ତୁମେ ଏ କ’ଣ କହୁଛ କେଶବାଇ, ପାଗଳ ହୋଇଗଲ ନା କ’ଣ ? କେଶବ କହିଲା–ହଁ ଲୋ ଫୁଲମନି ! ମୁଁ ପାଗଳ ହୋଇଛି । କିନ୍ତୁ ମୋ ସହିତ ମୁଁ ତୋତେ ପାଗଳୀ କରିଦେବି ।

 

ଏକଥା ଶୁଣି ବ୍ୟସ୍ତ ହୋଇପଡ଼ିଲା ଫୁଲମନି । କହିଲା–କେଶବାଇ ! ପାଠ ପଢ଼ି ପଢ଼ି ତୁମ ମୁଣ୍ଡ ଖରାପ ହୋଇଗଲାଣି । ସେହି କଥା କହିବି ବୋଲି ଆଜି ମୁଁ ତୁମକୁ ଜଗିବସିଛି । ତୁମେ ପିଣ୍ଡା ଉପରକୁ ଆସ । ସବୁ କଥା କହିବି । ପିଣ୍ଡା ଉପରକୁ ଉଠିଗଲା କେଶବ । କହିଲା ଫୁଲମନି–କେଶବାଇ ! ତୁମର ପାଠପଢ଼ା ସେତିକି ଥାଉ । ଆମେ କେଳା ଜାତିର ଲୋକ । କ’ଣ ହେବ ଏତେ ପାଠ ପଢ଼ି ?

 

ଚମକି ପଡ଼ିଲା କେଶବ, କହିଲା–ଏ କ’ଣ କହୁଛୁ ଫୁଲମନି ! ମୁଁ ବ୍ୟୋମକେଶ ବାବୁଙ୍କ ପରି ପାଠ ପଢ଼ିବି, କମ୍ୟୁନିଷ୍ଟ ହେବି, ଶ୍ଳୋଗାନ ଦେବି–ଲଙ୍ଗଳ ଯାର ଜମି ତା’ର ।

 

କାନ୍ଦିଉଠିଲା ଫୁଲମନି, କହିଲା–କେଶବାଇ ! ମୋ ରାଣ, ମୋ ମୁଣ୍ଡ ଖାଇବଟି, ଆମର ପାଠ ଲୋଡ଼ା ନାହିଁ । କମ୍ୟୁନିଷ୍ଟ ହେବା ଦରକାର ନାହିଁ । ତୁମେ ସାପଧର, ସାପ ଖେଳାଇ ଶିଖ, ମୋତେ ବାହା ହୁଅ, ସେତିକି ଯଥେଷ୍ଟ ।

 

–“ଫୁଲମନି !” କମ୍ପି ଉଠିଲା କେଶବ ।

 

ଏମିତିବେଳେ କେଶବର ହାତ ଛାଡ଼ି ଗୋଡ଼ ଧଇଲା ଫୁଲମନି–କୁହ କୁହ କେଶବାଇ ! ତୁମେ ଆଉ ପାଠ ପଢ଼ି ଯିବନାହିଁ । ଏଇ ଗାଁରେ ପୋଷା ସାପମାନଙ୍କୁ ପ୍ରଥମେ ଧରି ଶିଖିବ । ତା’ପରେ ଚନ୍ଦକା ଜଙ୍ଗଲରୁ ଛୋଟ ବଡ଼ ସାପ ଧରିବ । ଶେଷରେ ବଡ଼ ଜାତିଆ ସାପ ଧରିବାକୁ ଯିବ ଜଙ୍ଗଲକୁ । ଜଙ୍ଗଲରୁ ଫେରି ବିଦେଶ ଯିବ ସାପ ଖେଳାଇ । ଆଣିବ ଚାଉଳ, ପଇସା, ତା’ପରେ…ଏଇସନ ବାହାହେବ ମୋତେ... ।

 

ଘନ ଘନ ନିଃଶ୍ଵାସ ବହିଲା କେଶବର । କି ଉତ୍ତର ଦେବ ସେ ? ପାଠ ବନ୍ଦ କରିବ ! ତା’ର ବାର ବରଷର ତପ ଶୁଖୁଆ ଝୋଳରେ ବୋହିଯିବ !!

 

ଏଣେ ବାରମ୍ବାର ଅଳି କରିବାରେ ଲାଗିଛି ଫୁଲମନି–କୁହ…ଜବାବ ଦିଅ କେଶବାଇ ! ଯଦି ପାଠ ନ ଛାଡ଼–ତେବେ ଧରିନିଅ–ତୁମ ଫୁଲମନି ମରିଛି ।

 

ଉତ୍ତର ଦେଲା କେଶବ, ହଁ ତୋ କଥା ଅନୁସାରେ ମୁଁ ପାଠ ଛାଡ଼ିବି–ସାପ ଧରା ଶିଖିବି ଫୁଲମନି । ତୁ ଚୁପ୍ ହୋ । କେଶବର କଥାଶୁଣି ନୀରବ ହୋଇ କଇଁ କଇଁ କାନ୍ଦିଉଠିଲ ଫୁଲମନି ।

 

ଦୌଡ଼ି ପଳାଇଗଲା କେଶବ ନିଜ ଘର ଆଡ଼େ । ପଛରୁ ଶୁଭୁଥିଲା ଫୁଲମନିର ଚାପା ଚାପା କାନ୍ଦଣା ସ୍ଵର । ପରଦିନ କେଶବ ସ୍କୁଲକୁ ନ ଯାଇ ଘରେ ବସି ଭାବୁଥିଲା ବ୍ୟୋମକେଶ ବାବୁଙ୍କ କଥା ଏବଂ ଫୁଲମନିର ତାଗିଦା, କ’ଣ କରିବ ସେ–ଆଉ ତେବେ ପାଠ ପଢ଼ି ଯିବ ନାହିଁ ? ଲଙ୍ଗଳ ଯାର ଜମି ତା’ର ଶ୍ଳୋଗାନ ଦେବ ନାହିଁ ? ମନ ଭିତରେ ଝଡ଼ ସୃଷ୍ଟି ହେଲା ତା’ର–ଶେଷରେ ସ୍ଥିର କଲା–ହଁ ମୁଁ ସାପ ଧରି ଶିଖିବି, ସାପ ଖେଳାଇ ଶିଖିବି, କିନ୍ତୁ ବ୍ୟୋମକେଶ ବାବୁଙ୍କ ନିକଟକୁ ମଧ୍ୟ ଯିବି ।

 

ଚିନ୍ତା କରୁକରୁ ଘର ବାହାରକୁ ଆସିଲା କେଶବ । ସମାଧିସ୍ଥ ସନ୍ନ୍ୟାସୀମାନଙ୍କ ପରି ଶୋଭିତ ଶ୍ରୀପର୍ବତମାଳାରେ ପିଟିହେଉଛି ମେଘଖଣ୍ଡ । ଠିକ୍ ତା’ ଜୀବନ ପଥରେ ସୃଷ୍ଟି ହୋଇଥିବା ଅଦିନ ମେଘ ପରି । ନା…ନା…, ମେଘ ଦୂରେଇଯିବ, ଆକାଶ ନିର୍ମଳ ହେବ, ଏଇ ଶ୍ରୀପର୍ବତମାଳା ଉପରେ ବୃକ୍ଷମାନଙ୍କରେ ସୃଷ୍ଟି ହେବ ନୂତନ ଜୀବନ । ତେବେ ସେ ବ୍ୟସ୍ତ ହେବ କାହିଁକି ? ସ୍ଵପ୍ନ ସତ ହେବ, ଫୁଲମନିକୁ ଧରି ସେ ବାହାରିବ ସାପ ଖେଳାଇ, କହିବ ସବୁରି କାନେ କାନେ–ଭୂମିହୀନଙ୍କୁ ଭୂମି ଦିଅ, ଗୃହହୀନଙ୍କୁ ଗୃହ ।

 

ନିଜ ଝାଟିମାଟି କୁଡ଼ିଆକୁ ଚାହିଁଲା କେଶବ । ବୋଉ ସୁଭଦ୍ରା ପଦ୍ମପୋଖରୀ କୂଳକୁ ସୁନୁସୁନିଆଁ ଶାଗ ତୋଳି ଯାଇଛି ଏବଂ ବାପା ରତନ ଦାସ ଯାଇଛନ୍ତି କାଣ୍ଡିଆ ବସାଇ ଚଢ଼େଇ ଧରିବାକୁ ଚନ୍ଦକା ଜଙ୍ଗଲରୁ । ଏମିତି ଅନେକ ସମୟରେ ରତନ ଦାସ ଚଢ଼େଇ ଧରେ । ସଉକ ପାଇଁ ନୁହେଁ, ବଗ, ଗେଣ୍ଡାଳିଆ, ହରଡ଼ ଚଢ଼େଇ ଏବଂ ସଲୁରୀ ଇତ୍ୟାଦିକୁ ତରକାରୀ କରିବା ପାଇଁ ଅବଶ୍ୟ ରତନ ଦାସର ବଂଶଧର ନଳୁଆ କେଳା ନୁହନ୍ତି, ସବାଖିଆ କେଳା ନୁହନ୍ତି, ମୁଣ୍ଡପୋତା କେଳା ନୁହନ୍ତି, କିମ୍ବା ପାନୁଆ କେଳା ନୁହଁନ୍ତି । ଏମାନେ ଗଉଡ଼ିଆ ସାପୁଆ କେଳା । ତେଣୁ ଚଢ଼େଇ ଧରିବା–ସାପ ଧରିବା ଏମାନଙ୍କର ମୁଖ୍ୟ ଧନ୍ଦା । ରତନ ଦାସ ଅବା ସେ ଧନ୍ଦା ଛାଡ଼ିବ କାହିଁକି ।

 

ଆଖି ବୁଜି କେଶବ ଭାବୁଛି ଫୁଲମନି କଥା । ଠିକ୍ ଏତିକିବେଳେ ଦୌଡ଼ି ଦୌଡ଼ି ଆସି କହିଲା ଗାଁ’ ଟୋକା ପଞ୍ଚୁ–କେଶବ… କେଶବ…ଚଞ୍ଚଳ ଆ, ରତନ ଦାଦି ଚନ୍ଦକା ଜଙ୍ଗଲଭିତରେ ଗଛରେ ଚଢ଼ି ଚଢ଼େଇ ଧରୁ ଧରୁ ଖସି ପଡ଼ିଛନ୍ତି, ମୁଣ୍ଡ ଫାଟିଯାଇଛି, ଗୋଡ଼ ହାତ ଭାଙ୍ଗିଯାଇଛି । ସୁକୁ ସୁକୁ ହେଉଛନ୍ତି ସେ । ଦୌଡ଼ି ଆ ।

 

ବିକଳ ହୋଇ ଧାଇଁବାକୁ ଲାଗିଲା କେଶବ । କିନ୍ତୁ ଚନ୍ଦକା ଜଙ୍ଗଲରେ ପଶିବା ପୂର୍ବରୁ ଦେଖିଲା ସେ ଗରିବ, ଶାମ, ପଦିଆ ଓ ଦୀନା ଇତ୍ୟାଦି ଟୋକାମାନେ ଟେକି ଟେକି ଆଣୁଛନ୍ତି ତାଙ୍କୁ । ଝର ଝର ବହିଯାଉଛି ରକ୍ତ । ଚେତନା ନାହିଁ ଆହତ ଶରୀରରେ ।

 

ଏମିତିବେଳେ ପାଟିକଲା ନାଥ ଦାସ ପୁଅ ପଦିଆ, ଚାଲ ଡାକ୍ତରଖାନା ନେଇଯିବା । କିନ୍ତୁ ଠିକ୍ ଅସଲବେଳେ ପହଞ୍ଚିଗଲା ନାଥ ଦାସ । କହିଲା ଆଉ ବୃଥା ଚେଷ୍ଟା କାହିଁକ କରିବ ରେ-? ସେ କ’ଣ ଅଛି ? ଡାକ୍ତରଖାନା ନେବା ପରିବର୍ତ୍ତେ ଗାଁକୁ ନେଇ ଚାଲ–ମଶାଣି ଯାଇ ସମାଧି ଦେବାପାଇଁ ଯୋଗାଡ଼ କରିବାକୁ ପଡ଼ିବ ।

 

ଭୋ ଭୋ ହୋଇ କାନ୍ଧି ଉଠିଥିଲା କେଶବ । ନାଥ ଦାସର କଥା ଶୁଣି । ପଦ୍ମପୋଖରୀରୁ ଫେରି ଏ କାନ୍ଦରେ ଯୋଗ ଦେଇଥିଲା ସୁଭଦ୍ରା ଏବଂ ଶେଷରେ ଫୁଲମନି । ସେ କାନ୍ଦ ଶୁଣିବା ପାଇଁ କିନ୍ତୁ ଚେଇଁ ଉଠି ନ ଥିଲା ରତନ ଦାସ । ସେ ଶୋଇବାକୁ ଚେଷ୍ଟା କରୁଥିଲା ଗାଁ ମଶାଣିର ସମାଧି ଭିତରେ, ଚିନ୍ତାହୀନ ଭାବରେ ।

 

ଏ ଗଉଡ଼ିଆ କେଳାମାନେ ଶବକୁ ପୋଡ଼ନ୍ତି ନାହିଁ, ପୋତି ଦିଅନ୍ତି । ଅନ୍ୟ ଜାତିଙ୍କ ପରି ଶୁଦ୍ଧିକ୍ରିୟା କରନ୍ତି । କେଶବକୁ ତାହାହିଁ କରିବାକୁ ହେବ । ବାପା ରତନ ଦାସଙ୍କୁ ପଦ୍ମକେଶରୀପୁରର ମଶାଣିରେ ପୋତି ମାଟିକୁ ଉର୍ବର କରିବାକୁ ପଡ଼ିବ । ହତାଶରେ ବାହୁନି ଉଠିଲା କେଶବ ବୋଉ ସୁଭଦ୍ରାକୁ ଧରି ।

 

ୟା ପରେ ବାପାର ଶୁଦ୍ଧିକ୍ରିୟା ଶେଷକରି ଅନେକ ସମୟରେ ବସି ବସି କାନ୍ଦୁଥିଲା କେଶବ । ଭାବୁଥିଲା ଫୁଲମନି କଥା ଏବଂ ବ୍ୟୋମକେଶବାବୁଙ୍କ କଥା । ସେ ସାପ ଧରିବ, ସାପ ଖେଳାଇବ ଏବଂ ଦାବି କରିବ–ଲଙ୍ଗଳ ଯାହାର ଜମି ତା’ର, ଭୂମିହୀନଙ୍କୁ ଭୂମି ଦିଅ, ଗୃହହୀନଙ୍କୁ ଗୃହ ।

 

ତା’ପରେ ଅନେକ ସମୟରେ କେଶବର ଘରକୁ ଆସେ ଫୁଲମନି ଆଖିରୁ ଲୁହ ପୋଛି ବୁଝାଏ–କେଶବାଇ ! ଆଉ କାନ୍ଦନି । କାନ୍ଦିଲେ କ’ଣ ମଉସା ଫେରିବେ । ଏବେ ତୁମେ ମଣିଷ ହୁଅ କେଶବାଇ, ସାପଧରି ଶିଖ…ସାପ ଖେଳେଇ ଶିଖ । ତା’ପରେ…ତା’ପରେ...

 

ଫୁଲମନିର ବାରମ୍ବାର ଅନୁରୋଧ ଶୁଣି ଆଖିରୁ ଲୁହ ପୋଛେ କେଶବ । ସନାତନ ଦାଦିର ଘରକୁ ଆସି ପୋଷା ସାପକୁ ଧରି ଶିଖେ ତା’ପରେ ଏକୁଟିଆ ପଶେ ଚନ୍ଦକା ଜଙ୍ଗଲ ଭିତରେ, ଘଣ୍ଟା ଘଣ୍ଟା ଅପେକ୍ଷା କରେ ଛୋଟ ବଡ଼ ସାପମାନଙ୍କୁ, ଡରେ ନାହିଁ । ଧରେ ସେମାନଙ୍କୁ ହାତର କୌଶଳରେ । ବିଷଦାନ୍ତ ଭାଙ୍ଗେ । ପଦ୍ମତୋଳା ଡାକି ଖେଳାଏ । ପୁଣି ଛାଡ଼ିଦିଏ ବଣ ଭିତରକୁ ।

 

ଏମିତି କିଛିଦିନ କଟିବା ପରେ ସେଦିନ ଧାଇଁ ଆସି କହିଲା ଫୁଲମନି–କେଶବାଇ ! ଆମ ଗାଁରୁ ନାଥ ବଡ଼ାପା, ପଞ୍ଚୁଭାଇ, ଗରିବ ଭାଇ, ଶାମଭାଇ ଯାଉଛନ୍ତି ସାପଧରି ମୟୂରଭଞ୍ଜ ଶିମିଳିପାଳ, ତୁମେ ଯାଅ । ଜାତିଆ ସାପଧର, ଖେଳେଇବାକୁ ଯାଅ । ପଇସା ଆଣ । ତା’ପରେ ଆମେ ବାହା ହେବା, ଘର କରିବା । ଏ ଭଙ୍ଗା ଘରକୁ ନୂଆକରି ତିଆରି କରିବା ।

 

ହସିଦେଇ କହିଲା କେଶବ–ଗୃହହୀନକୁ ଗୃହ ମିଳବ ଫୁଲମନି ତୁ ବ୍ୟସ୍ତ ହେଉଛୁ କାହିଁକି ? କେଶବାଇର କଥା ଶୁଣି କାନ୍ଦି ଉଠିଲା ଫୁଲମନି । କହିଲା–ତୁମ ହାତରେ କ’ଣ ବଳ ନାହିଁ କେଶବାଇ ? ତୁମେ ଅନ୍ୟର ଦାନ ଉପରେ ଭରସା ରଖିବ । ଯଦି ବଳଅଛି ତେବେ ନିଜେ ରେଜଗାର କର, ଘର ତିଆରି କର, ଜମି କିଣ, ଚାଷକର, ମାଗିଆଣିବା ତୁଉଣ ସଡ଼କେ । ଦାନ ଜମିରେ କ’ଣ ତୁମ ଅଭାବ ମେଣ୍ଟିବ ? ଏବେ ତ ସାରା ଓଡ଼ିଶାର ଯେତେ ଜଙ୍ଗଲ ସାପ ସବୁ ଆମର, କେବଳ ଧରିପାରିଲେ ହେଲା । ଏମାନଙ୍କୁ ଧରି ଚିଡ଼ିଆଖାନା, ସିନେମା ଏଜେଣ୍ଟମାନଙ୍କୁ ଦେଲେ କେତେ ପଇସା ମିଳବ । ତୁମେ ମାଗଣା ଛୋଟ ଜମି ଖଣ୍ଡେ ପାଇ ଖୁସିହେବ କାହିଁକି ?

 

ଫୁଲମନିର କଥା ଶୁଣି ଉଠିଲା କେଶବ । କହିଲା–ମୁଁ ଯିବି ଲୋ ଫୁଲମନି । ଶିମିଳିପାଳ ଯିବି ସାପଧରି, ତୁ ଚିନ୍ତା କରନା, ଜାତିଆ ସାପଧରି ଫେରିବି, ଖେଳାଇବି ସହର, ବଜାର, ଗାଁମାନଙ୍କରେ । ଦେଖିବୁ ତୁ ମୋ ସାପ ଖେଳାର ବାହାଦୁରି ।

 

ତା’ପରେ ନିଜକୁ ପ୍ରସ୍ତୁତକରି ବାହାରିଥିଲା କେଶବ ସାପଧରି । କିନ୍ତୁ ଗୋଟାଏ ସପ୍ତାହ ହୋଇଗଲା କେହି ଫେରିଲେ ନାହିଁ । କ’ଣ ହେଲା ? କୌଣସି ଥର ତ ସାପ ଧରାଳୀଙ୍କର ଏତେ ଡେରି ହୁଏ ନାହିଁ–ଏଥର ଏ ଡେରି କାହିଁକି ? ନିଦ ନାହିଁ ଫୁଲମନିର ଆଖିରେ । କେଶବାଇ ଭଲ ଅଛି ତ ? କ’ଣ ଖାଉଛି ଜଙ୍ଗଲ ଭିତରେ ? ଜଙ୍ଗଲକୁ ବାହାରିବା ଦିନ ସେ ଯେଉଁ ଚୁଡ଼ା ମୁଠିକ ପୁଟୁଳିରେ ବାନ୍ଧି ପେଡ଼ିରେ ପୂରେଇ ନେଇଥିଲା ସେତିକିରେ କ’ଣ ଏତେଦିନ ଚଳିଗଲାଣି ! ଚିନ୍ତାକରୁଛି ଫୁଲମନି–ଆଉ ମୁଠିଏ ଚୁଡ଼ା କେମିତି ପଠାଇ ଦେଇ ହୁଅନ୍ତା କି ? ଫୁଲମନିକୁ ଆହୁରି ବ୍ୟସ୍ତକରି ବେଳେବେଳେ କହୁଛି ସୁଭଦ୍ରା ମାଉସୀ–ଫୁଲଲୋ ! କେଶବାକୁ କୁଆଡ଼େ ପଠେଇଲୁ ? ସେ କ’ଣ ଆଉ ଆସିବନି ? ଏତେଦନି କୁଆଡ଼େ ଗଲା ? ସୁଭଦ୍ରା ମାଉସୀର କଥା ଶୁଣି ଥରିଉଠିଛି ସେ ।

 

ଏମିତି କେତେ କ’ଣ ଚିନ୍ତା କରୁଥିବାବେଳେ ଘର ଭିତରକୁ ହଠାତ୍ ପଶିଆସିଲା ଶାମ-। ଭାଇ ପାଖକୁ ଦୌଡ଼ଗଲା ଫୁଲମନି–“କେଶବାଇ କ’ଣ ସାପ ଧରି ଫେରିଛି ଶାମଭାଇ”-? ନୀରବ ଶାମ ଦାସ, କି ଉତ୍ତର ଦେବ ସେ ସାନ ଭଉଣୀ ଫୁଲମନିକୁ । ବ୍ୟସ୍ତହୋଇ ଉଠିଲା ଫୁଲମନି । କହିଲା–କୁହ ଶାମଭାଇ !

 

ପେଡ଼ିଟାକୁ ତଳେ ରଖୁ ରଖୁ କହିଲା ଶାମ–ଏଥର ଅଘଟଣ ଘଟିଯାଇଛି ଲୋ ଫୁଲ । କେଶବ ଫେରି ନାହିଁ । ସେ କୁଆଡ଼େ ଗଲା ମଧ୍ୟ ଆମେ ଜାଣିପାରିଲୁ ନାହିଁ ।

 

–“ଶାମ ଭାଇ” ଚିତ୍କାର କରି ଉଠିଲା ଫୁଲମନି ।

 

ତଳକୁ ମୁହଁକରି କହୁଥିଲା ଶାମ–ହଁ ଲୋ ଫୁଲ ! ଆମେ ଯୋରଣ୍ଡା ଜଳପ୍ରପାତ ନିକଟରେ ପାଞ୍ଚ ଦିଗକୁ ଅଲଗା ଅଲଗା ହୋଇ ସାପ ଧରିବା ପାଇଁ ଗଲୁ । କଥାହେଲା–ସଞ୍ଜ ବେଳକୁ ଗୋଟିଏ ଜାଗାକୁ ଫେରିବୁ । କଥା ଅନୁସାରେ ସମସ୍ତେ ଫେରିଲୁ । କିନ୍ତୁ ଏକା ଫେରିଲା ନାହିଁ କେଶବ । କ’ଣ କରିବୁ, ଅପେକ୍ଷା କଲୁ । ରାତି ମାଡ଼ି ଆସିଲା । ସେଦିନ ଗୋଟିଏ ଅସନ ଗଛରେ ଚଢ଼ି ରାତି କାଟିଲୁ । ପରଦିନ ସକାଳୁ ବଣ ସାରା ଖୋଜିଲୁ; କିନ୍ତୁ କେଶବର ଖୋଜ ଖବର କିଛି ପାଇଲୁ ନାହିଁ । ସେଦିନଟା ତାକୁ ସେମିତି ଖୋଜି ଖୋଜି କଟିଲା । ପରଦିନ ମଧ୍ୟ ଖୋଜା ଆରମ୍ଭ ହେଲା, କିଛି ଫଳ ହେଲା ନାହିଁ । ଶେଷରେ ଓପାସ ଭୋକରେ ବାଧ୍ୟ ହୋଇ ଫେରିଲୁ ଆମେ ।

 

କଥା ଶୁଣୁ ଶୁଣୁ ପଥର ପାଲଟି ଯାଇଥିଲା ଫୁଲମନି, ତା’ ଆଖିରୁ ବହୁଥିଲା ଧାର ଧାର ଲୁହ । କେଶବାଇ–ତୁମେ କୋଉଁଠି ରହିଲ କେଶବାଇ । ଫେରିଆସ…ଆଉ ତୁମକୁ ମୁଁ ସାପ ଧରି ପଠାଇବିନି କେଶବାଇ–ତୁମେ ଫେରିଆସ ।

 

ନଅଣା ଗାଁରୁ ବାହାରି, ସକାଳୁ ସକାଳୁ କାପୁରା ଏବଂ ସିନ୍‌ଗା ଚାଲିଛନ୍ତି କୋରଣ୍ଡା ପାହାଡ଼ କଡ଼କୁ ଚାରକୋଳି, କେନ୍ଦୁ ଓ ମହୁଲ ଆଣିବା ପାଇଁ । ହାତରେ ଗୋଟିଏ ଗୋଟିଏ ଛୋଟ ଟୋକେଇ । ପାହାଡ଼ୀ ବାଳିକା ସେମାନେ । ଭୟ ନାହିଁ ବାଘ, ଭାଲୁ, ହାତୀ, ମିରିଗ, ସମ୍ବରମାନଙ୍କୁ-। ସତେ ଅବା ବଣ ପାହାଡ଼ ସେମାନଙ୍କର ଅତି ନିଜର, ଆପଣାର । ତାଙ୍କ ପାଦର କମନୀୟ ଛନ୍ଦରେ ଶୁଖିଲା ପତ୍ର ଉପରେ ସୃଷ୍ଟି ହୋଇଚାଲିଛି ଅପୂର୍ବ ରାଗିଣୀ । କହୁଛି ସିନ୍‌ଗା–କାପୁରା ଲୋ-! ତୁ ତ ଗୁଡ଼ୁଗୁଡ଼ିଆରେ ଆଶ୍ରମ ଇସ୍କୁଲରେ ପାଠ ପଢ଼ୁଥିଲୁ । ପୁଣି ମହୁଲ, କେନ୍ଦୁ, ଚାରକୋଳି ତୋଳିବାକୁ ଗାଁକୁ ଫେରିଆସିଲୁ କାହିଁକି ?

 

ସିନ୍‌ଗାର କଥାରେ କାନ୍ଦିଉଠିଛି କାପୁରା । କହୁଛି ସେ–ଆଉ କ’ଣ କରିଥାନ୍ତି କହିଲୁ । ଘରେ ତ ମୋ ଛଡ଼ା ଆଉ କେହି ନାହାନ୍ତି । ବାପା ଯେତେବେଳେ ବରେଇପାଣି ପାହାଡ଼ରୁ ମହୁ, ଝୁଣା ଗୋଟେଇ ଚଡ଼େଇ ଧରୁ ଧରୁ ବାଘ ମୁହଁରେ ଗଲା, ସେତେବେଳେ ବୋଉ କହିଲା– କାପୁରା-! ତୁ ପାଠ ପଢ଼ା ଛାଡ଼ି ନ ଆସିଲେ ମୁଁ ବଞ୍ଚିବି କେମିତି ? କ’ଣ ଖାଇବି ? ମତେ ବଣରୁ କେନ୍ଦୁ, ମହୁଲ, ଚାରକୋଳି, ମହୁ, ପିତାଆଳୁ ଆଣିଦେବ କିଏ ? ମୁଁ ତ ରୋଗିଣା, ପାହାଡ଼ ଚଢ଼ି ଏସବୁ ପାଇଁ ଯାଇପାରିବି ନାହିଁ । ତୁ ଫେରିଆ । ତେଣୁ ବାଧ୍ୟ ହୋଇ ମୋତେ ଫେରି ଆସିବାକୁ ହେଲା ଲୋ ସିନ୍‌ଗା ।

 

ସିନ୍‌ଗା କହିଲା–ତୋରି ପରି ମୋର ମଧ୍ୟ ଇଚ୍ଛାଥିଲା ଯାଇ ପାଠ ପଢ଼ିଥାଆନ୍ତି । ତା’ ହେଲା ନାହିଁ । ତୁ ଗୁଡ଼ୁଗୁଡ଼ିଆରେ ଥିଲାବେଳେ କେତେଜଣ ଖୀରସ୍ତାନ ପାଦ୍ରୀ ଆମ ଗାଁକୁ ଆସିଥିଲେ । ସେମାନେ ଆମ ଘରେ ଦୁଇଦିନ ରହିଲେ, ମୁଁ ତାଙ୍କୁ କନ୍ଦମୂଳ, ପିତାଆଳୁ ସିଝାଇ ଖାଇବାକୁ ଦେଲି । ପାଣିରେ ମହୁ ମିଶାଇ ପିଇବାକୁ ଦେଲି । ସେମାନେ ବାପାକୁ କହିଲେ–ଘାସିରାମ ! ତୁମେ ଏ ଝିଅଟିକୁ ଆମକୁ ଦେଇଦିଅ । ଆମେ ତାକୁ ଖୀରସ୍ତାନ କରିଦେବୁ । ପାଠ ପଢ଼େଇବୁ । ମଣିଷ କରିବୁ । ବଣ ପାହାଡ଼ରେ ବୁଲି, ସେ କ’ଣ କରିବ ? ବାପା କିନ୍ତୁ ତାଙ୍କ କଥାରେ ରାଜି ହେଲେନାହିଁ । କହିଲେ–ସାନ୍ତାଳୀ ଝିଅ ସେ । ଖୀରସ୍ତାନ ହେବ କାହିଁକି ବାବୁ ! ଏବେ ଆମ ଏ ଶିମିଳିପାଳ ଅଞ୍ଚଳରେ ତ ଆଶ୍ରମ ଇସ୍କୁଲ ହେଲାଣି । ମାଗଣାରେ ପାଠପଢ଼ା ହେଉଛି । ତୁମ ସାଙ୍ଗରେ ତାକୁ ଛାଡ଼ିବି କାହିଁକି ?

 

ପାଦ୍ରୀ ସାହାବମାନେ ବାପାଙ୍କୁ ଟଙ୍କା ଯାଚିଲେ । କିନ୍ତୁ ସେମାନଙ୍କ କଥାରେ ରାଜି ହେଲେ ନାହିଁ ବାପା । କହିଲେ–ନିଜ ଧରମ ନିଜକୁ ବଡ଼ । କି ମିଳିବ ଆମକୁ ଖୀରସ୍ତାନ ଧରମରୁ । ତା’ପରେ ନିରାଶ ହେଇ ଫେରିଗଲେ ସାହାବମାନେ ।

 

ଏମିତି କେତେ କ’ଣ କଥାବାର୍ତ୍ତା ହେଇ ଚାଲିଛନ୍ତି ବଣ ଭିତରେ ସାନ୍ତାଳୀ ଝିଅ କପୁରା ଓ ସିନ୍‌ଗା । ଗୋଟେଇବାରେ ଲାଗିଛନ୍ତି, ମହୁଲ ଫୁଲ, କେନ୍ଦୁ ଏବଂ ଚାରକୋଳି । ଗଛରେ ଚଢ଼ି କେନ୍ଦୁଟାଏ ତୋଳି ପାଟିରେ ପୂରାଉ ପୂରାଉ କାପୁରା କହିଲା–ସିନ୍‌ଗା ! ମତେ ଭାରି ଶୋଷ ହେଲାଣି । ଚାଲ୍‍ ଝରଣାରୁ ଟିକେ ପାଣି ପିଇ ଆସିବା । କାପୁରାର କଥା ଶୁଣି ବାହାରି ପଡ଼ିଲା ସିନ୍‌ଗା । ଦୁଇଜଣଯାକ ଗଛରୁ ଓହ୍ଲାଇ ଟୋକେଇ ଦୁଇଟି ଧରି ପଥର ଉପରେ ଗୋଡ଼ ଦେଇ ଖସିଲେ ଝରଣା ପାଣି କଡ଼କୁ ମିରିଗ ଛୁଆପରି । ଖପ୍ ଖପ୍ ଡେଇଁ ଡେଇଁ ଚାଲିଥାନ୍ତି ସେମାନେ । ଶେଷରେ କୁଳୁ କୁଳୁ ବହୁଥିବା ଝରଣାର ପଥୁରିଆ ଶଯ୍ୟା ଉପରକୁ ଡେଇଁପଡ଼ି କହିଲା କାପୁରା–ସିନ୍‌ଗା ! ଖରା ତାପରେ ଝରଣା ପାଣି ବି ଗରମ ହେଇଗଲାଣି । ପିଇବା କ’ଣ ? ସିନ୍‌ଗା କହିଲା–ନାଇଁଲୋ କାପୁରା–ପଛପାଖ ଗଣ୍ଡ କଡ଼କୁ ଚାଲ, ପାଣି ଥଣ୍ଡା ଥିବ, ସେଇଠୁ ପେଟେ ପେଟେ ପାଣି ପିଇବା । ସିନ୍‌ଗାର କଥା ଶୁଣି ପାଣି ଭିତରେ ଚବ୍‌ ଚବ୍‌ କରି ଗଭୀର ପାଣି ଆଡ଼କୁ ଆଗେଇଗଲା କାପୁରା । ତା’ ପଛେ ପଛେ ସିନ୍‌ଗା ।

 

ଗହୀର ପାଣି ନିକଟରେ ପହଞ୍ଚିଛି କି ନାହିଁ–ଜିଭ କାମୁଡ଼ି ଠିଆ ହୋଇଗଲା କାପୁରା–ଦେଖିଲୁଣି ସିନ୍‌ଗା ! ମଣିଷଟାଏ ?

 

–“ଏଁ...ମଣିଷଟାଏ ?” କହିଲା ସିନ୍‌ଗା ।

 

–“ହଁ ଲୋ ମଣିଷଟାଏ । ପ୍ରାୟ ପାହାଡ଼ ଉପରୁ ଖସିପଡ଼ିଛି । ଆଇଲୁ ଦେଖିବା ।”

 

ପ୍ରଥମେ ପାଣିରେ ପଡ଼ିଥିବା ମଣିଷଟା ନିକଟକୁ ଯିବା ପାଇଁ ଭୟ କରୁଥିଲା ସିନ୍‌ଗା । ସାହସ ଦେଇ କହିଲା କାପୁରା–ଡରୁଛୁ କ’ଣ ଲୋ । ସେ କ’ଣ କରିପକାଇବ ଆମର ? ଆମ ଉପରକୁ ମାଡ଼ି ଆସିବ ? ତେବେ ଏଇ ଝରଣା ଭିତରୁ ପଥର ଉଠେଇ ଫଟେଇ ଦେବା ତା’ ମୁହଁ । ଆଗେଇ ଆ ମୋ ସାଙ୍ଗରେ–ଦେଖିବା ସେ କିଏ ।

 

ଡରି ଡରି କାପୁରା ପଛରେ ଚାଲିଥାଏ ସିନ୍‌ଗା । ଆଣ୍ଠୁଏ ପାଣିକି ପଶିଯାଇ ପାଟିକଲା କାପୁରା–ନାଇଁ ଲୋ ସିନ୍‌ଗା–ମଣିଷଟା ପାହାଡ଼ ଉପରୁ ଖସିପଡ଼ିଛି । ପଥରରେ ପିଟି ହେଇ ମୁଣ୍ଡ ଫାଟି ରକତ ବାହାରି ଶୁଖି ଯାଇଛି ମୁଣ୍ଡ ଉପରେ । ପୁଳାଏ ବାଲି ଉପରେ ମୁଣ୍ଡଟା ରହିଯାଇଛି । ଦେହଟା ପଡ଼ିଛି ପାଣି ଭିତରେ । ଗୋଡ଼ ହାତ କ’ଣ ହେଇଛି କେଜାଣି ?

 

ସିନ୍‌ଗା କହିଲା–କାପୁରା ! ମଣିଷଟା ମରିଯାଇଛି । ତା’ ପାଖକୁ ଯାଉଛୁ କାହିଁକି ? ପଳେଇ ଆ, ନ ହେଲେ ଡରେଇବ ସେ । କିନ୍ତୁ ମାନିବା ଝିଅ ନୁହେଁ କାପୁରା । ଆହୁରି ନିକଟକୁ ଲାଗିଯାଇ କହିଲା–ନାଇଲୋ ସିନ୍‌ଗା ! ମଣିଷଟା ବଞ୍ଚିଛି । ନିଃଶ୍ଵାସ ଯାଉଛି । ଟିକେ ଚେଷ୍ଟା କଲେ ପ୍ରାୟ ବଞ୍ଚିଯିବ । ଆ…ଗୋଡ଼ ଦିଟାକୁ ଉଠେଇ ଧର । ମୁଁ ତା’ ମୁହଁରେ ପାଣି ଛାଟେ ।

 

ସାହସ ବାନ୍ଧି ଆଗେଇ ଯାଇ ଗୋଡ଼ ଦିଟାକୁ ଉଠାଇବା ପାଇଁ ଚେଷ୍ଟା କଲା ସିନ୍‌ଗା । କହିଲା–କାପୁରା, ଲୋକଟାର ଗୋଟାଏ ଗୋଡ଼ ଭାଙ୍ଗି ନଡ଼ ନଡ଼ ହେଉଚି । ଅଉ ପ୍ରାୟ ବଞ୍ଚିବ ନାହିଁ-। କାପୁରା କହିଲା–ତୁ ସେମିତି କଥା କହନା ! ଜିଅନ୍ତା ମଣିଷଟାକୁ କ’ଣ ଛାଡ଼ିଦେଇ ଆମେ ଚାଲିଯିବା ! ସେ ଏଇଠି ପାଣି ଭିତରେ ପଡ଼ି ପଡ଼ି ମରିଯିବ । ନା...ସିନ୍‌ଗା ! ମହୁଲ, ଚାରକୋଳି, କେନ୍ଦୁ ଟୋକେଇ ଏଇଠି ଝରଣା ଭିତରେ ଥାଉ, କେବେ ଆସିଲେ ନେବା । ଏ ବଣ ଭିତରୁ ଆମ ଟୋକେଇ ନେଇଯିବ କିଏ ? ତୁ ଗୋଟାଏ ହାତ ଧର, ମୁଁ ଆଉ ଗୋଟାଏ ହାତ ଧରୁଛି-। ଲୋକଟାକୁ ଘୋଷାରି ଘୋଷାରି ଘରକୁ ନେଇଯିବା । ଘରେ ମୁହଁରେ ପାଣି ଛାଟିବା । ଗୋଡ଼ ହାତ ସେକି ଦେବା । ବଇଦ ଡାକିବା । ଲୋକଟା ମୁକର ବଞ୍ଚିବ । ଯଦି ନ ବଞ୍ଚି ମରିଯାଏ–ତେବେ ପୁଣି ଏ ଝରଣା ପାଣିରେ ଫୋପାଡ଼ି ଦେବା । କ୍ଷତି କ’ଣ ହେଲା ?

 

କାପୁରା କଥା ଶୁଣି ଲୋକଟାର ଗୋଟାଏ ହାତ ଧରିଲା ସିନ୍‌ଗା । ନିଜେ କାପୁରା ଧରିଲା ଆଉ ଗୋଟିଏ ହାତ । ଝରଣା କଡ଼େ କଡ଼େ ଲୋକଟାକୁ ଘୋଷାରି ଘୋଷାରି ନେଲେ ସେମାନେ । ବେଳେବେଳେ କହୁଥାଏ କାପୁରା…ଆଉ ଟିକେ ଟେକି ଧର ସିନ୍‌ଗା । ପଥରରେ ଘୋଷାରି ହୋଇ ଲୋକଟାର ଗୋଡ଼ ଦେହ ଖଣ୍ଡିଆ ହୋଇଯାଉଛି ।

 

କାପୁରାର ସତର୍କତା ଶୁଣି ଦୀର୍ଘନିଃଶ୍ଵାସ ପକାଇ କହୁଥିଲା ସିନ୍‌ଗା–“ରହମ କାପୁରା ! ମୋ ଅଣ୍ଟା କ’ଣ ହେଇଯାଉଛି । ଟିକେ ଠିଆ ହୋ । ମୁଁ ବିଶ୍ରାମ ନିଏ ।” ଏକଥା ଶୁଣି ଅଳିକରିବା ପରି କହୁଥିଲା କାପୁରା–ନାଇ ଲୋ ସିନ୍‌ଗା–ଟିକେ କଷ୍ଟ ନ କଲେ, ଏଇଠି ବିଶ୍ରାମ ନେଲେ ଯେ ଲୋକଟା ବାଟରେ ମରିଯିବ । ଆମେ ଏତେ ପରିଶ୍ରମ କରି ଲାଭ କ’ଣ ହେଲା । ଅଣ୍ଟା ଭିଡ଼୍‌ । ଧର ଆଣ୍ଟକରି । ବିଶ୍ରାମ ନେବା ଘର ପାଖରେ । କାପୁରାର କଥାରେ ଉତ୍ସାହିତ ହୋଇ ପୁଣି ଅଣ୍ଟାଭିଡ଼ିଲା ସିନ୍‌ଗା ! ଦୁଇଜଣ ଯାକ ଲୋକଟାକୁ ଟାଣି ଟାଣି ନେଇ ଯାଇ ପହଞ୍ଚିଲେ ଘର ପାଖରେ । କାପୁରାର ବୋଉ ବୁଢ଼ୀ ମାଲ୍‌ହ ହାସଦା ପଦାକୁ ବାହାରି ଆସି କହିଲା–ଲୋକଟା କିଏଲୋ କାପୁରା ! ତାକୁ ଏମିତି ଟାଣି ଟାଣି ଆଣୁଛ କାହିଁକି ! କାପୁରା କହିଲା–ବୋଉ ! ଆମେ ଦୁହେଁ ଯୋରଣ୍ଡା ମୁଣ୍ଡିଆରୁ ମହୁଲଫୁଲ, କେନ୍ଦୁ, ଚାରକୋଳି ତୋଳୁ ତୋଳୁ ଝରଣା କୂଳକୁ ଗଲୁ ପାଣି ପିଇବା ପାଇଁ । ଦେଖିଲୁ ପାହାଡ଼ରୁ ଖସି ଝରଣା ଭିତରେ ପଡ଼ିଛି ମଣିଷଟାଏ । ବଞ୍ଚିଛି ଯେ, କିନ୍ତୁ ଅଚେତ ହୋଇଯାଇଛି । ମୁଣ୍ଡ ଫାଟି ଯାଇଛି, ଗୋଡ଼ ଭାଙ୍ଗି ଯାଇଛି । ସେବା କଲେ ଲୋକଟା ବଞ୍ଚିଯିବ ବୋଉ ! ସେଥିପାଇଁ ଘରକୁ ନେଇ ଆସିଛୁ । ବୁଢ଼ୀ ମାଲ୍‌ହ କହିଲା–ଭଲ କଲୁ । ତା’ ମୁହଁ ଧୋଇଦିଅ । ମୁଁଣ୍ଡରେ ବିସଲ୍ୟକରଣୀ ରସ ଦେଇ ପଟି ବାନ୍ଧି ଦିଅ ।

 

ବୋଉର କଥା ଶୁଣି କାପୁରା କହିଲା–ତୁ ନିଆଁ ଉମେଇଟା ଆଣି ଗୋଡ଼ ଦିଟାକୁ ଟିକେ ସେକ ଦେ ବୋଉ । ମୁଁ ତା’ ମୁହଁ ଧୋଇଦେଇ ଗୋଡ଼ରେ ଗୋଖାଏ ପଟି ବାନ୍ଧି ଦେଉଛି । କହୁ କହୁ କାପୁରା ଲୋକର ମୁହଁ କୁ ପାଣିରେ ଧୋଇଦେଲା । ମୁଣ୍ଡର କ୍ଷତ ସ୍ଥାନକୁ ଧୋଇ ଦେଇ ତା’ ଉପରେ ଖଣ୍ତିଏ ପଟି ବାନ୍ଧିଦେଲା । ନିଜ ପିନ୍ଧିଲା ଚିରା ଲୁଗାକୁ ଚିରି ଖଣ୍ଡିଏ କନା ଗୋଡ଼ରେ ଭିଡ଼ି ଦେଲା । ତଥାପି ଆଖି ଖୋଲୁ ନାହିଁ ଲୋକଟା । ତରବର ହେଇ କାପୁରା ଶାଳପତ୍ରଟିଏ ଆଣି ବିଞ୍ଚି ଦେଉ ଦେଉ କହିଲା, ସିନ୍‌ଗା ! ଟିକେ ଗାଁ ଭିତରକୁ ଦଉଡ଼ି ଯା । ମଉସା ମେଘନାଥ ଟୁଡ଼ୁଙ୍କୁ ଡାକି ଆଣ । ସେ ଯାହେର୍‍ଏରା ଠାକୁରାଣୀଙ୍କୁ ଡାକି ମନ୍ତ୍ରକରିବେ, ଝାଡ଼ି ଦେବେ, ଭଙ୍ଗା ଗୋଡ଼ ଫଟା ମୁଣ୍ଡରେ ଓଷଦ ଲଗେଇ ଦେବେ । ଲୋକଟା ଚେତା ପାଇବ ।

 

କାପୁରାର କଥା ଶୁଣି ଗାଁ ଭିତରକୁ ଦୌଡ଼ିଗଲା ସିନ୍‌ଗା । ପାଖରେ ବସି ଲୋକଟାକୁ ବିଞ୍ଚି ଦେଉଥାଏ କାପୁରା । ଗୋଡ଼ ତଳେ ବସି ନିଆଁ ଉମେଇର ନିଆଁରେ ସେକିବାରେ ଲାଗିଥାଏ ମାଲ୍‌ହ । ଏମିତି ଅନେକ ସମୟ ବିତିଗଲା । ସେତେବେଳକୁ ଖରା ନଇଁ ଆସୁଥାଏ । ମେଘନାଥ ଟୁଡ଼ୁକୁ ସାଙ୍ଗରେ ଧରି ପହଞ୍ଚିଲା ସିନ୍‌ଗା । ବିକଳ ହୋଇ କହି ପକାଇଲା କାପୁରା–ମଉସା ! ଲୋକଟା ମରିଯିବ । କାଲିଠାରୁ ପ୍ରାୟ ତା’ ପେଟକୁ କିଛି ଯାଇନି । ତୁମେ ମନ୍ତରକର, ଝାଡ଼ି ଦିଅ, ଓଷଦ ଦିଅ, ସେ ଭଲ ହେଇଯାଉ ।

 

କାପୁରାର କଥାକୁ ଅପେକ୍ଷା ନକରି ବଡ଼ ବଡ଼ ଆଖିରେ ଚାହିଁଲା ମେଘନାଥ । ପାଟିକଲା ମନ୍ତର ପଢ଼ି । ଫୁଙ୍କିବାକୁ ଲାଗିଲା ଲୋକଟାର କାନ, ମୁହଁ ଏବଂ ଛାତିକୁ ଛାଟିଲା ପାଣି ଘନ ଘନ । ଏମିତି ଅନେକ ସମୟ ଚାଲିଲା ପରେ ହଲି ଉଠିଲା ଲୋକଟାର ଆଖିପତା । ଉତ୍ସାହିତ ହୋଇ ଆହୁରି ପାଟିକରି ଫୁଙ୍କିବାରେ ଲାଗିଲା ମେଘନାଥ । ତା’ପରେ ଅଖି ଖୋଲି ବଲ ବଲ କରି ଚାହିଁଲା ଲୋକଟା । ପାଟିକଲା ମେଘନାଥ । କାପୁରା ! ଶୀଘ୍ର ହାଣ୍ଡିଆ ଆଣ । ଠାକୁରାଣୀ ହାଣ୍ଡିଆ ପିଇବେ । କଥା ଶୁଣି ଦୌଡ଼ିଯାଇ ନାଉତୁମ୍ବାରୁ ତୁମ୍ବାଏ ହାଣ୍ଡିଆ ଆଣିଲା କାପୁରା ଘର ଭିତରୁ । ମେଘନାଥ ପାଖରେ ପଡ଼ିଥିବା କଟୁରିଟାରେ ଲୋକଟାର ଦାନ୍ତ ମେଲାକରି କହିଲା–କାପୁରା ! ଢାଳ ହାଣ୍ଡିଆ । ବ୍ୟସ୍ତ ହୋଇ କାପୁରା ଦୁଇମୁନ୍ଦା ହାଣ୍ଡିଆ ଢାଳିଦେଲା ତା’ ପାଟିରେ । ଢକ ଢକ କରି ସେତକ ପିଇଦେଲା ଲୋକଟା । ପାଟିକଲା ମେଘନାଥ ! ଢାଳ…ଆଉ ଟିକେ ଢାଳ । ଆଉ ଦୁଇମୁନ୍ଦା ଢାଳିଲା କାପୁରା ।

 

କିନ୍ତୁ ସବୁ ହାଣ୍ଡିଆ ଯେ ପେଟ ଭିତରକୁ ଯାଇ ନାହିଁ । ବହି ପଡ଼ୁଛି ପାଟିର ଦୁଇ କଡ଼ରେ-। ତା’ପରେ ମେଘନାଥ କହିଲା–କାପୁରା, ଆଉ ଚିନ୍ତା ନାହିଁ । ଯାହେର୍‍ଏରା ଡାକ ଶୁଣିଛନ୍ତି-। ଏଥର ଲୋକଟାର ଚେତା ଫେରିବ । କିନ୍ତୁ ସେ ଆରାମରେ ଶୋଇପଡ଼ୁ । ମୁଁ ହାଡ଼ଭଙ୍ଗା ଗଛକୁ ଛେଚି ଓଷଦ କରି ଦେଉଛି । ତୁ ତା’ ଗୋଡ଼ରେ ବାନ୍ଧିଦେ । ମେଘନାଥ ମଉସାଙ୍କ ଠାରୁ ସାହସ ପାଇ ଆନନ୍ଦିତ ହେଇ କହିଲା କାପୁରା–ହଁ ମଉସା ! ତୁମେ ଯାଅ, ଓଷଦ କରି ସିନ୍‌ଗା ହାତରେ ପଠାଇ ଦିଅ । ମୁଁ ତା’ ଗୋଡ଼ରେ ବାନ୍ଧି ଦେବି । ପୁଣି ସକାଳୁ ଆସିବ ମଉସା । ଲୋକଟା ଭଲ ହେବା ଯାଏ–ଯେମିତି ସବୁବେଳେ ଆସ । ମେଘନାଥ କହିଲା–

 

ହଁ କାପୁରା, ମୁଁ ଆସିବି, ଯାହେର୍‍ଏରାଙ୍କୁ ଭୋଗ ଦେବି । ତୁ ଚିନ୍ତା କର ନାହିଁ ।

 

ଏମିତି କହୁ କହୁ ଉଠିଲେ ମେଘନାଥ । କାପୁରା ଲୋକଟିକୁ ଭଲ କରି ଶୁଆଇ ଦେଲା-। ମୁଣ୍ଡ ପାଖରେ ବସି ଶାଳପତ୍ରରେ ବିଞ୍ଚିଦେଲା । ଏପରି ସମୟରେ ମନକୁ ଆସିଲା ତା’ର–ଗୋଡ଼ ହାଡ଼ ଭାଙ୍ଗି ଯାଇଛି । ନିଶ୍ଚୟ ବିନ୍ଧୁଥିବ, ଚେତନା ଥିଲେ ମାଆଲେ ବାପାଲୋ ହେଉଥାନ୍ତା-। ନା….ନା….ତା’ ଗୋଡ଼ ଟିପିଦିଏ ସେ ଟିକେ ଭଲରେ ଶୋଇପଡ଼ୁ । କହିଲା ବୁଢ଼ୀ ମାଲ୍‌ହ–କାପୁରା ଲୋ–ସକାଳ ପହରୁ ଯାଇଥିଲୁ, କିଛି ଖାଇ ନଥିବୁ । ପୁଳିଏ କେନ୍ଦୁ, ଚାରକୋଳି ଖାଇ ଦେ-। ତା’ପରେ ପୁଣି ଯାଇ ଗୋଡ଼ ଟିପି ଦେବୁ । କାପୁରା କହିଲା ବୋଉ–ମୁଁ ତ ସକାଳୁ ଖାଇ ଯାଇଥିଲି, କିନ୍ତୁ ଏ ଲୋକଟା କେତେବେଳେ ଖାଇଥିଲା କିଏ କହିବ ? ତାକୁ କ’ଣ ଭୋକ ହେଉ ନଥିବ-! ଚେତନା ଥିଲେ ଖାଇବା ପାଇଁ କି ବିକଳ ହେଉ ନଥାନ୍ତା କହିଲୁ ?

 

ଆଖି ଟେକି କାପୁରା ଆଡ଼କୁ ଚାହିଁଲା ମାଲ୍‍ହ । କାପୁରା କହିଲା–ବୋଉ ! ରାତି ହେଲାଣି । ତୁ ଖାଇଦେଇ ଶୋଇପଡ଼ । ସିନ୍‌ଗା ଆସିଲେ ମୁଁ ଲୋକଟା ଗୋଡ଼ରେ ଓଷଧ ବାନ୍ଧିଦେବି । ତା’ପରେ ଖାଇ ତୋ ପାଖରେ ଶୋଇ ପଡ଼ିବି । ମାଲ୍‌ହ କହିଲା–ନାଇଁଲୋ ଝିଅ, ମତେ ଏକାଟିଆ ଖାଇବାକୁ ଭଲ ଲାଗିବ ନାହିଁ । ମୁଁ ଏଇଠି ବସୁଛି । ସିନ୍‌ଗା ଆସୁ । ଓଷଦ ବାନ୍ଧିସାରି ସମସ୍ତେ ଖାଇ ଶୋଇବା ।

 

ଚାହୁଁ ଚାହୁଁ ନଅଣାର ଆଦିବାସୀ ସାନ୍ତାଳ ପଲ୍ଲୀରେ ଅନ୍ଧାର ଘୋଟିଗଲା । ବାଜି ଉଠିଲା ମାଦଳ ଗାଁ ମୁଣ୍ଡରୁ, ଶୁଣାଗଲା ତା’ ସହିତ ଝିଅ ପୁଅମାନଙ୍କର ମନଫୁଲାଣିଆଁ ଗୀତ । ହାଣ୍ଡିଆ ଖାଇ ନାଚ ଆରମ୍ଭ କରି ଦେଇଥିବେ ସେମାନେ, ରାତିର ଅନ୍ଧାରରେ ଉପଭୋଗ କରୁଥିବେ ଜୀବନକୁ । ମହୁଲ ନିଶାରେ ନହୁଲୀର ଅଙ୍ଗ ଆଭରଣ ଦୂରେଇ ଯାଉଥିବ, ମାତାଲ ସାନ୍ତାଳ ଯୁବକର ଭକ୍‌ ଭକ୍‌ ମୁହଁର ଗନ୍ଧରେ ଆମୋଦିତ ହେଉଥିବ ଗାଁ ମୁଣ୍ଡ । ହାତ ଧରାଧରି ହୋଇ ମାଦଳର ତାଳେ ତାଳେ ପାଦ ପକାଇ ପକାଇ କହୁଥିବେ ସେମାନେ–ଏ ପାହାଡ଼ ଭଲ, ଏ ବଣ ଭଲ, ଏ ଝରଣା ଭଲ, ଗହକୀ ଆମେ କରୁଛୁ ମୂଲ । ଧୀରେ ରାତି ଗଭୀର ହେଉଥିବ । ମାଦଳର ତାଳ ଗୀତର ସୁର କମି କମି ଆସୁଥିବ । ଆରମ୍ଭ ହୋଇଥିବ ହରିଣ, ମିରିଗ, ବାର୍‌ହା ନାଟ ବଣ ଭିତରେ । ହେଣ୍ଡାଳୁଥିବ ବାଘ ନଅଣାର ମୁଣ୍ଡିଆ ଉପରେ ଆହାର ନ ପାଇ ।

 

ଭାବୁଛି କାପୁରା ଲୋକଟାର ପାଦ ପାଖରେ ବସି ଢୁଳାଉ ଢୁଳାଉ । ଦୌଡ଼ିଯିବି ଗାଁ ମୁଣ୍ଡକୁ ? ନାଚିବି…ଗାଇବି ମାଦଳର ତାଳେ ତାଳେ ? ନା…ଲୋକଟାର କିଏ ଅଛି ! ମୁଁ ତାକୁ ଜଗି ରହିବି । ତା’ ପାଟିରେ ପାଣି ଦେବି । ତା’ ମୁହଁକୁ ବିଞ୍ଚିଦେବି । ସେ ବଞ୍ଚିବ । ଭଲ ହୋଇଯିବ ।

 

ଏମିତି କେତେ କ’ଣ ଚିନ୍ତା କରୁଛି କାପୁରା–ଆସି ପହଞ୍ଚିଗଲା ସିନ୍‌ଗା ଓଷଦ ନେଇ । କହିଲା–‘‘କାପୁରା, ମେଘନାଥ ମଉସା କହିଛନ୍ତି–ଓଷଦକୁ ଗୋଡ଼ରେ ବାନ୍ଧି ପଟି ବାନ୍ଧି ଦେ, ପୁଣି ସେ ସକାଳୁ ଆସିବେ ।”

 

ଆଉ ଅପେକ୍ଷା ନ କରି କାପୁରା ସିନ୍‌ଗା ହାତରୁ ଔଷଦ ନେଇ ବାନ୍ଧିବସିଲା ଲୋକଟାର ଗୋଡ଼ରେ । ସିନ୍‌ଗା କହିଲା–“କାପୁରା ଲୋ ! ସକାଳ ପହରୁ ମୁଁ ଘରୁ ଆସିଲିଣି । ଆଉ ଯାଇନି । ଯାଉଛି–ପୁଣି କାଲି ସକାଳୁ ଆସିବି ତୁ ବସିଥା ।’’ ବୁଢ଼ୀ ମାଲ୍‍ହ କହିଲା–‘‘ହଁ ଲୋ ଝିଅ । ଯା କ’ଣ ଟିକେ ଖାଇ ଶୋଇବୁ । ମୁଁ ଯେତେ କହିଲିଣି–କାପୁରା କ’ଣ ଉଠୁଛି ?”

 

ସିନ୍‌ଗା କହିଲା–‘‘ନାଇଁଲୋ କାପୁରା ! ତୁ ଯାଇ ଖାଇ ଦେ, ନ ଖାଇଲେ ରାତିରେ ନ ଶୋଇ ଲୋକଟାକୁ ଜଗି ବସିବୁ କେମିତି ?”

 

ସିନ୍‌ଗାର କଥା ଶୁଣି ଅନିଚ୍ଛା ସତ୍ତ୍ୱେ ଉଠିଲା କାପୁରା, କ’ଣ ଟିକେ ଖାଇନେଇ ପୁଣି ଆସି ବସିଲା ଲୋକଟି ପାଖରେ । ଠିକେ ଠିକେ ରାତି ପାହିଲା । ସକାଳୁ ସକାଳୁ ବଣ କୁକୁଡ଼ା, ବଣୁଆଁ କାଉ ରାବ ଛାଡ଼ିଲେ । ସେମିତି ଏକ ଲୟରେ କାପୁରା ଚାହିଁଥାଏ ଲୋକଟାର ମୁହଁକୁ । ବେଶ୍‌ ସୁନ୍ଦର ମୁହଁ, ହସିଲା ହସିଲା ଓଠ । କୋଉ ଗାଁର ଯୁଆନ ଟୋକା ମଁ ଲୋକଟା । କାପୁରା ମନରେ ସରାଗ ଜାଗିଲା । ଗୋଡ଼ ପାଖରୁ ଉଠିଯାଇ ବସିଲା ମୁଣ୍ଡ ପାଖରେ । ନିଜର ସରୁ ସରୁ ନରମ ଆଙ୍ଗୁଳିରେ ଆଉଁସି ଦେଲା ଲୋକଟିର ମୁହଁ ।

 

ଆଖି ଖୋଲି ଚାହିଁଲା ଲୋକଟି । ସତେ ଅବା ଏପର୍ଯ୍ୟନ୍ତ ନିଦରେ ଶୋଇଥିଲା ସେ । କମ୍ପି ଉଠିଲା କାପୁରା ଆନନ୍ଦରେ, କହିଲା–ଆମ୍‌ ବୁରୁ ଚଟ୍‌ଖନ ଗୁଳ୍‌ଦାଅଞ୍ଜୁର ଲେନାଃ । ଆମାଃ ଚେତନାଃ ବାୟ ତାହେଁ କାନାଃ । ଇଞ୍ଜ ବୁରୁ ତେ ଚାଲାଅଃ ଲେନାଃ ! ଆମ୍‌ ଇଞ୍ଜ୍‌ ଲଞ୍ଜେ ଜାଃମ୍‌ କେଦ୍‌ ମେଆଃ ବଳଙ୍ଗ ଗାଡ଼ା ବାଲିରେ । ଆର୍‌ ଆମ୍‌ ଇଞ୍ଜ୍‌ ଗଃ ଆଗୁ କେଦ୍‌ ମେଆଃ ଅଳାଃ ତ । ଅଝା ଠେନ୍‌ ଖବରିଞ୍ଜ୍‌ ଏମ୍‌ କେଆଃ ଆର୍‌ ରାନ୍‍ ଇଞ୍ଜ୍‌ ଏମାଦ୍‌ ମେଆଃ ।

 

କାପୁରା ମୁହଁକୁ ଭକ୍‌ ଭକ୍‌ କରି ଚାହିଁଥିଲା ଲୋକଟି । ବୁଝିନେଲା କାପୁରା, ତା’ କଥା କିଛି ବୁଝିପାରୁ ନାହିଁ ସେ, କହିଲା–‘‘ନୂଆବାବୁ ! ତୁମେ କ’ଣ ସାନ୍ତାଳ ନୁହେଁ ?” ଧୀରେ ମୁଣ୍ଡ ହଲାଇବାକୁ ଚେଷ୍ଟାକଲା ଲୋକଟି । କାପୁରା କହିଲା–“ନୂଆବାବୁ, ତୁମେ ପାହାଡ଼ରୁ ଖସି ପଡ଼ିଥିଲ-। ଚେତା ନଥିଲା । ମୁଁ ବଣକୁ ଯାଇଥିଲି । ତୁମକୁ ଝରଣା ଭିତରେ ଦେଖି ଘୋଷାରି ଘୋଷାରି ଘରକୁ ନେଇ ଆସିଲି । ଓଷଦ ଦେଇଛି । ସବୁ ଭଲ ହେଇଯିବ ।”

 

ଧୀରେ ବୁଝିଥିଲା ଲୋକଟି–ସେ ଆହତ । କୌଣସି ସାନ୍ତାଳ ପଲ୍ଲୀରେ ଚିକିତ୍ସିତ । ହାତ ଉଠାଇଲା ସେ–ଠାରିଲା ପାଣି ଟିକେ ପାଇଁ । କାପୁରା କହିଲା–‘‘ନାଇଁ ନୂଆବାବୁ, ଦୁଇଦିନ ହେଲା ପେଟକୁ କିଛି ଯାଇନି, ମୁଁ ମୁଠିଏ ଭାତ ଚକଟି ଆଣୁଛି । ତୁମେ ପିଇ ଦିଅ ।” ସେମିତି ଜଳ ଜଳ ଚାହିଁ ଅପେକ୍ଷା କଲା ସେ । କାପୁରା ଉଠିଯାଇ ହାଣ୍ଡିରୁ ଦିଟା ପଖାଳ ଭାତ ଆଣି, ଚକଟି ମଣ୍ଡ କରି ପହଞ୍ଚିଲା ଲୋକଟି ନିକଟରେ । କହିଲା–“ନୂଆବାବୁ, ପାଟି ଟିକେ ମେଲା କର । ମୁଁ ଭାତ ମଣ୍ଡ ଟିକକ ପେଇ ଦିଏ । କାପୁରା କଥା ଶୁଣି ଟିକି ପିଲା ପରି ପାଟି ମେଲା କଲା ଲୋକଟି, କାପୁରା ପେଇଦେଲା ସେତକ ମୁଣ୍ଡ ପାଖରେ ବସି ।”

 

ଭାତ ମଣ୍ଡଟିକେ ପିଇସାରି ପୁଣି ଆଖିବୁଜି ଶୋଇପଡ଼ିଲା ଲୋକଟି । କାପୁରା ନିକଟରେ ବସି ମୁଣ୍ଡ ଆଉଁସି ଦେବାରେ ଲାଗିଥାଏ । ବୁଢ଼ୀ ମାଲ୍‌ହ କହିଲା–‘‘କାପୁରା ଲୋ, ଆଜି କ’ଣ କାମକୁ ଯିବୁନାହିଁ ?” କାପୁରା କହିଲା–‘‘ନା ବୋଉ ! ମୁଁ ଗଲେ ଲୋକଟାର ସେବା କରିବ କିଏ ? ଆଜି ଦିନଟା ଯାଉ ।” ବୁଢ଼ୀ ମାଲ୍‌ହ କହିଲା–“ତେବେ ମୁଁ ଆଜି କାମକୁ ଯାଉଛି ଲୋ ଝିଅ-। ଟିକେ ଭଲ ଲାଗୁଛି–ଯେତିକି ପାରିବି ସେତିକି କରିବି । ମଜୁରିଟାଏ ମିଳିଗଲେ ଚାଉଳ ମୁଠିଏ କିଣି ଆଣିବା । ଖାଲି ଚାର୍‍‍କୋଳି, ମହୁଲ, କେନ୍ଦୁ ଖାଇ ପାଟିକି ଭଲ ଲାଗୁନାହିଁ-।” କାପୁରା କହିଲା–“ପାରିବୁ ତ ବୋଉ ? ଯଦି ପାରିବୁ ତେବେ ଯାଆ । ନପାରିଲେ ଫେରି ଆସିବୁ-।” ମାଲ୍‍ହ କହିଲା–“ହଁ ଯାଉଛି, ନ ପାରିଲେ ଫେରି ଆସିବି ।’’ କହୁ କହୁ ବାହାରକୁ ବାହାରିଗଲା ମାଲ୍‌ହ-। ବାହାରେ ବିଛାଡ଼ି ହୋଇ ପଡ଼ିଥିଲା ସକାଳର ସୂର୍ଯ୍ୟ କିରଣ ।

 

ଶିମୁଳିପାଳ ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲ ରୂପେ ଘୋଷଣା କରାଯିବା ପରେ ଏବଂ ବ୍ୟାଘ୍ର ସଂରକ୍ଷଣ ଯୋଜନା ପାଇଁ ସ୍ଥାନଟିକୁ ନିର୍ବାଚିତ କରାଯିବା ପରେ–ଜଙ୍ଗଲ ବିଭାଗ ତରଫରୁ ବ୍ୟାପକ କାମ ଆରମ୍ଭ ହୋଇଥିଲା ଏ ଅଞ୍ଚଳରେ । ନୂଆ ଗଛ ଲଗାଯାଉଥିଲା । ମୃତ୍ତିକା କ୍ଷୟ ହେଉଥିବା ସ୍ଥାନକୁ ସଂରକ୍ଷିତ କରିବା ପାଇଁ ଯତ୍ନ ହେଉଥିଲା । ବରେଇପାଣି ଏବଂ ମଧୁଭଣ୍ଡାର ପାହାଡ଼ କଡ଼ରେ ଗଛ କାଟି ରାସ୍ତା ତିଆରି ହେଉଥିଲା–ଯେମିତି ପରିଦର୍ଶକମାନେ ଗାଡ଼ିରେ ସମଗ୍ର ଜଙ୍ଗଲ ଅଞ୍ଚଳ ବୁଲି ଦେଖିପାରିବେ । ସେସବୁ କାମରେ ନିଯୁକ୍ତ ଥିଲେ ଶହ ଶହ ଆଦିବାସୀ ଯୁବକ-ଯୁବତୀ, ବୁଢ଼ା-ବୁଢ଼ୀ–ସାନ୍ତାଳ, ଖାଡ଼ିଆ, ବାଥିଡ଼ି ଏବଂ ଭୂମିଜ । ଏମାନେ ପାହାଡ଼ କାଟି ସମତଳ କରୁଥିଲେ, ଗଛ କାଟି ରାସ୍ତା ତିଆରି କରୁଥିଲେ ଏବଂ ଗଛ ଲଗାଇ ଜଙ୍ଗଲକୁ ଆହୁରି ଘଞ୍ଚ କରୁଥିଲେ । ଏ କାମ କରାଉଥିଲେ କଣ୍ଟ୍ରାକ୍ଟରମାନେ । ଗତ କେତେଦିନ ହେବ ସେଇ କାମରେ ଯୋଗ ଦେଇଥିଲା କାପୁରା । ପାହାଡ଼ କାଟୁଥିଲା ସେ । ପଥର ବୋଝ ମୁଣ୍ଡେଇ ସମତଳ କରୁଥିଲା ପାହାଡ଼କୁ ଏବଂ ସଞ୍ଜବେଳକୁ ପାଉଥିଲା ଚାରିଟଙ୍କା ମଜୁରୀ । ଏଇ ମଜୁରୀରେ ଚାଉଲ କିଣି ଫେରୁଥିଲା ଅପରାହ୍ନରେ । ଘରେ ରୋଷେଇ ହେଉଥିଲା, ଖାଉଥିଲେ ମାଆ ଝିଅ ।

 

ଦିନେ ଦିନେ ଦେହ ଭଲ ଲାଗିଲେ କାମକୁ ବାହାରେ ବୁଢ଼ୀ ମାଲ୍‌ହ । କାପୁରା ତାକୁ ସାଙ୍ଗରେ ନିଏ । ନିଜ ପାଖରେ କାମ କରାଏ । ବଡ଼ ବୋଝ ତା’ ମୁଣ୍ଡକୁ ଦିଏ ନାହିଁ । କଣ୍ଟ୍ରାକ୍ଟର ବାବୁ କହିଲେ କହେ କାପୁର–“ବାବୁ ! ବୋଉକୁ ପଛେ କମ୍‌ ମଜୁରୀ ଦିଅ ! ତା’ ମୁଣ୍ଡରେ ବେଶି ବୋଝ ନଦ ନାହିଁ ।” କାପୁରାର କଥାରେ ବିହ୍ଵଳିତ ହୋଇଯାଆନ୍ତି କଣ୍ଟ୍ରାକ୍ଟର ବାବୁ । ତାଙ୍କ ଆଖି ଆଗରେ ନାଚିଉଠେ କାପୁରାର ପୂରିଲା ପୂରିଲା ଚେହେରା । ହସି ହସି ଆଖି ନଚେଇ କହନ୍ତି ସେ–“ହଉ ହଉ ତୋ ବୋଉ ଯେତେବେଳେ ସେ ଯାହାକରୁଛି କରୁ ।” କଥା ଶୁଣି ଆନନ୍ଦିତ ହୁଏ କାପୁରା । ସାଙ୍ଗରେ ନେଇଥିବା ନାଉତୁମ୍ବାଟାକୁ ଦେଖାଇ କହେ ସେ–‘‘ବାବୁ ! ହାଣ୍ଡିଆ ପିଇବ ?” ହସରେ ଫାଟି ପଡ଼ୁ ପଡ଼ୁ କହନ୍ତି କଣ୍ଟ୍ରାକ୍ଟର ବାବୁ–“ଆଲୋ ତୋ ରୂପର ହାଣ୍ଡିଆ ତ ମତେ ମାତାଲ୍‌ କରୁଛି ସାରାଦିନ । ଆଉ ହାଣ୍ଡିଆ ଖାଇବି କ’ଣ ?” ହସେ କାପୁରା ତା’ ରୂପର ତାରିଫ୍‌ ଶୁଣି । ଡରି ଡରି ମାଲ୍‌ହ କହେ–‘‘ଏମିତି କହନା ଲୋ ଝିଅ–ବାବୁ ରାଗିବେ ।” ବୋଉର ତାଗିଦା ଶୁଣି ନୀରବ ହୁଏ କାପୁରା ।

 

ଗତ ଦିନ ରାସ୍ତାକାମ ବନ୍ଦ ଥିଲା । ପରିଦର୍ଶନରେ ଆସିଥିଲେ କୋଉ ବଡ଼ବାବୁ ସେ ଅଞ୍ଚଳକୁ । ତେଣୁ କାପୁରା ଯାଇଥିଲା ସିନ୍‌ଗା ସହିତ କେନ୍ଦୁ, ଚାର୍‍‍କୋଳି, ମହୁଲ ତୋଳିବାକୁ ଜଙ୍ଗଲ ଭିତରକୁ । ଭାବୁଥିଲା କାପୁରା–ସେ ଜଙ୍ଗଲକୁ ଯାଇ ନଥିଲେ ଲୋକଟା ତ ଝରଣା ପାଣିରେ ପଡ଼ି ମରିଯାଇଥାନ୍ତା ? ଏତିକିବେଳେ ଆସି ପହଞ୍ଚିଲା ସିନ୍‌ଗା, କହିଲା–‘‘ଲୋକଟା କେମିତି ଅଛି ଲୋ କାପୁରା ?” କାପୁରା କହିଲା–“ଭଲ ଅଛି ଲୋ ସେ । ସକାଳୁ ଆଖି ଖୋଲି ଚାହିଁଥିଲା । ମୁଁ ଭାତ ମଣ୍ଡକରି ତା’ ପାଟିରେ ଦେଇଦେଲି । ସେ ଢକଢକ ପିଇଲା । ପୁଣି ଶୋଇ ପଡ଼ିଲା ନିଘୋଡ଼ ନିଦରେ ।’’

 

ସିନ୍‌ଗା କହିଲା–“ଯାହାହେଉ ତୋ ପାଇଁ ଲୋକଟା–ବଞ୍ଚିଗଲା ।’’ ହସି ହସି କାପୁରା କହିଲା–‘‘ତୁ ନଥିଲେ ମୁଁ କ’ଣ କରିଥାନ୍ତି ? ତୋ ପାଇଁ ଲୋକଟା ବଞ୍ଚିଲା କହ ।” ଏମିତି ଦି’ଜଣ କଥାବାର୍ତ୍ତା ହେଉ ହେଉ କାପୁରା କହିଲା–‘‘ସିନ୍‌ଗା ଲୋ ତୁ ଯାଇ ମେଘନାଥ ମଉସାଙ୍କୁ ଆଉଟିକେ ଡାକି ଆଣ । ସେ ଆସି ଝାଡ଼ି ଦିଅନ୍ତୁ–ଓଷଦ ଦିଅନ୍ତୁ । ଲୋକଟା ଶୀଘ୍ର ଭଲ ହୋଇଯାଉ ।”

ସିନ୍‌ଗା କହିଲା–“ଯାଉଛି ଲୋ । ସେଇଥିପାଇଁ ତ ମୁଁ ଆଜି କାମକୁ ଯାଇନି । ତୋ ପାଖକୁ ଆସିଛି । ମୁଁ ଜାଣିଥିଲି–ତୁ ବି କାମକୁ ଯାଇ ନଥିବୁ ।” କାପୁରା କହିଲା–‘‘ହଁ ଲୋ ! ମୁଁ କାମକୁ ଗଲେ ଲୋକଟା ଖବର ବୁଝିବ କିଏ–ତା’ ପାଟିରେ ପାଣି ଟିକେ ଦେବ କଏ ?”

କାପୁରାର କଥା ଶୁଣି ମେଘନାଥ ମଉସାଙ୍କୁ ଡାକିବା ପାଇଁ ବାହାରିଗଲା ସିନ୍‌ଗା । ବସି ବସି ଭାବୁଥିଲା କାପୁରା–କିଏ ଏଇ ଲୋକଟା । ଆସିଛି କେଉଁଠାରୁ ? ପାହାଡ଼ ଉପରୁ ଖସିପଡ଼ିଲା କେମିତି ? ଭଲ ହୋଇଗଲେ ପୁଣି କ’ଣ ନିଜ ଗାଆଁକୁ ଫେରିଯିବ ! ଆହା... ସୁନ୍ଦର ଚେହେରା, ଏଇ ଘରେ ସବୁଦିନ ରହନ୍ତା କି । ତା’ ପାଦ ପାଖରେ ବସି ସବୁଦିନ ସେବାକଲେ ବେଶ୍‌ ଆନନ୍ଦ ମିଳନ୍ତା । ଏମିତି ଚିନ୍ତା କରୁ କରୁ ଲୋକଟିର ପାଦ ପାଖକୁ ଯାଇ ଆଉଁଶି ଦେଉଥିଲା ସେ । ଏତିକିବେଳେ ଆସି ପହଞ୍ଚିଗଲେ ମେଘନାଥ ମଉସା । କହିଲେ–‘‘କାପୁରା ! ଲୋକଟି କେମିତି ଅଛି ? ତୁମ୍ବାରେ ତୁମ୍ବାଏ ହାଣ୍ଡିଆ ଆଣ–ଯାହେର୍‌ଏରାଙ୍କୁ ମାନସିକ କରି ପୂଜା କରିବାକୁ ପଡ଼ିବ ।”

କାଳବିଳମ୍ବ ନକରି ନାଉତୁମ୍ବାରେ ତୁମ୍ବାଏ ହାଣ୍ଡିଆ ଆଣି ଥୋଇଦେଲା କାପୁରା । ମେଘନାଥ ଟୁଡ଼ୁ–ହାଣ୍ଡିଆ ତୁମ୍ବାକୁ ଧରି କ’ଣ ମନ୍ତ୍ରପଢ଼ି ନିଜେ ଢକ୍‌ଢକ୍‌ କରି ପିଇଗଲେ ଅଧାଅଧି । ଆଉ ଅଧକ ଲୋକଟିର ଭଙ୍ଗା ଗୋଡ଼ଟିରେ ଢାଳିପକାଇ କହିଲେ ସେ–‘‘କାପୁରା ! ଲୋକଟାର ଗୋଡ଼ରୁ ପଟିଖୋଲି ଆଉ ପୁଳାଏ ବଟା ଓଷଦ ଦେଇ ବାନ୍ଧି ଦେ ।’’ କଥା ଅନୁସାରେ କାପୁରା ଗୋଡ଼ରୁ ପଟିଖୋଲି ଆଉ ପୁଳାଏ ଓଷଦ ବାନ୍ଧବାରେ ଲାଗିଲା । ତା’ପରେ ମେଘନାଥ ବଡ଼ ପାଟିକରି ମନ୍ତ୍ର ପଢ଼ୁ ପଢ଼ୁ ଫୁଙ୍କିବାରେ ଲାଗିଲେ ଲୋକଟିର ମୁହଁ କାନ ନାକ ଏବଂ ଗୋଡ଼ ଉପର । ମେଘନାଥଙ୍କ ବିକଟାଳ ଏବଂ ଦଦରାସ୍ଵର ଲହରରେ ନିଦ ଭାଙ୍ଗିଗଲା ଲୋକଟିର । ଚାହିଁଲା ସେ ବଲ ବଲ । ଆହୁରି ଉତ୍ସାହିତ ହୋଇ ମନ୍ତ୍ର ପଢ଼ିବାରେ ଲାଗିଲେ ମେଘନାଥ । ଅନୁମାନ କରୁଥିଲା ଲୋକଟି–ବୋଧହୁଏ ମନ୍ତ୍ର ପଢ଼ି ପୂଜା କରୁଛନ୍ତି କୌଣସି ପୂଜକ ମୋର ଆରୋଗ୍ୟ ପାଇଁ ।

ତା’ପରେ ଧୀରେ ଧୀରେ ମେଘନାଥଙ୍କୁ ନିଶା ଘାରିଲା । ସେ ଟଳି ଟଳି କହିଲେ–“କାପୁରା ! ମୁଁ ଯାହେର୍‍ଏରାଙ୍କ ନିକଟରେ ଭୋଗ ଦେଇ ପୂଜା କରିବାକୁ ଯାଉଛି । ତୁ ଲୋକଟିର ଗୋଡ଼ ପାଖରେ ଧୂଆଁ ଦେ । ସବୁ ଭଲ ହୋଇଯିବ ।’’ ଏମିତି କହି ଦୋହଲି ଦୋହଲି ପଦାକୁ ବାହାରିଗଲେ ମେଘନାଥ । ସଙ୍ଗେ ସଙ୍ଗେ ନିଆଁ ଉମେଇରୁ ନିଆଁ ଆଣି ଧୂଆଁ ଦେବାକୁ ବସିଲା କାପୁରା ।

ବିକଳରେ ତା’ ଆଡ଼କୁ ଏକଲୟରେ ଚାହିଁଥାଏ ଲୋକଟା । ଶେଷରେ ବହୁ କଷ୍ଟରେ ପଚାରିଲା ସେ–‘‘କିଏ ତୁମେ !” ଲୋକଟିର କଥାଶୁଣି ହସିଉଠିଲା କାପୁରା–କହିଲା–“ମୁଁ… ? ମୁଁ କାପୁରା, ସାନ୍ତାଳୀ ଝିଅ । ମୋ ବୋଉ ମାଲ୍‌ହ କାମକୁ ଯାଇଛି–ମଧୁଭଣ୍ଡାର ପାହାଡ଼ ଆଡ଼କୁ ।” ମଧୁଭଣ୍ଡାର ନାଁ ଶୁଣି ଚମକିପଡ଼ିଲା ଲୋକଟି । ମନରେ ପଡ଼ୁଛି ତା’ର ମଧୁଭଣ୍ଡାର ପାହାଡ଼ର କଥା-। ସାଙ୍ଗସାଥୀ ଗାଁ ଲୋକଙ୍କ କଥା । ତେବେ କ’ଣ ହାତୀ ମୁହଁରୁ ବଞ୍ଚିଯାଇଛି ସେ !

ଚିନ୍ତାରେ ବାଧା ଦେଇ କହିଲା କାପୁରା–“ନୂଆବାବୁ ! ତୁମେ କିଏ....କୋଉଁଠୁ ଆସିଥିଲ-? ଝରଣାରେ ପଡ଼ିଲ କେମିତି ?” ଓଠ ଥରେଇ କହିଲା ଲୋକଟା–“ମୁଁ କେଶବ”, ଆଉ କିଛି କହିପାରିଲାନି ସେ, ତା’ ଆଖିରୁ ବହିପଡ଼ିଲା ଠକ ଠକ ଲୋତକ । ବ୍ୟସ୍ତ ହୋଇ କହିଲା କାପୁରା–“ନା ମୁଁ ଆଉ କିଛି ତୁମକୁ ପଚାରିବିନି । ତୁମେ ମୋର ନୂଆବାବୁ, ଆଉ କାନ୍ଦ ନାହିଁ, ଦେହ ଆହୁରି ଖରାପ ହେବପରା ।

କିନ୍ତୁ ପାହାଡ଼ ଚଢ଼ାର ସ୍ମୃତି ବ୍ୟସ୍ତ କରୁଥିଲା କେଶବକୁ । ନାଥିଆଦି, ପଞ୍ଚୁ, ଗରିବ, ଶ୍ୟାମ କୁଆଡ଼େ ଗଲେ ? ଗାଁକୁ ଫେରିଥିବେ ନିଶ୍ଚୟ, ବାଟ ଚାହିଁ ରହିଥିବ ଫୁଲମନି, କି ଉତ୍ତର ତାକୁ ଦେଇଥିବେ ସେମାନେ ? କେଶବକୁ ବାଘ ନେଇଗଲା, ହାତୀ ମାରିଦେଲା । କେଶବ ବଣରେ ହଜିଗଲା ? ହଁ... ଏମିତି କେତେ । ପରେ ପରେ ଆଖି ଉପରେ ନାଚିଉଠିଲା ସେହି ହଳଦୀଗଣ୍ଠି ଗୋଖର ସାପ । ପେଡ଼ିରୁ ଖଲାସ ହୋଇ ବଣକୁ ପଳାଇଥିବ ତ ସେ ? ଆଉ ସେ ବଣୁଆ ହାତୀ ! ଗୋଡ଼ାଉଛି ପଛେ ପଛେ, ପ୍ରାଣ ବିକଳରେ ପଳାଉଛି କେଶବ, ପଶିଯାଉଛି କଣ୍ଟିବୁଦା ଭିତରେ । ତଥାପି ତ୍ରାହି ନାହିଁ, ଶୁଣ୍ଢରେ ଟାଣିନେଉଛି ହାତୀଟା । ତା’ପରେ…ଚିତ୍କାର କରି ଉଠିଲା କେଶବ ।

–“କ’ଣ ହେଲା ! କ’ଣ ହେଲା ନୂଆବାବୁ !” ବିକଳ ହୋଇ ଲୋକଟିକୁ ହଲାଇବାରେ ଲାଗିଛି କାପୁରା । କିନ୍ତୁ ପୁଣି ଚେତନା ହରାଇଛି ଲୋକଟି । ଠିକ୍ ଏତିକିବେଳେ ପହଞ୍ଚିଛି ପୁଣି ସିନ୍‌ଗା । କହିଛି ପାଟିକରି କାପୁରା–“ସିନ୍‌ଗା, ପାଣି ଆଣ୍, ମୁହଁକୁ ଛାଟ୍ । ଶାଳପତ୍ରରେ ମୁହଁକୁ ବିଞ୍ଚିଦେ । ମୁଁ ନିଆଁ ପୁଡ଼ାରେ ଗୋଡ଼ ସେକି ଦେଉଛି । ତରବରରେ ପାଣି ଆଣି ଛିଞ୍ଚିବାରେ ଲାଗିଲା ସିନ୍‌ଗା । ନିଆଁ ଉମେଇଟା ଗୋଡ଼ ପାଖରେ ରଖି ସେକି ଦେଉଥିଲା କାପୁରା । ଏମିତି ଦିନ ଶେଷ ହେବା ଉପରେ । ବଣ ମୟୂରମାନେ ରାବ ଆରମ୍ଭ କରିଦେଇଥିଲେ । କାମରୁ ଫେରି ଝୁଲି ଝୁଲି କୁଡ଼ିଆ ଭିତରକୁ ପଶି ଆସୁ ଆସୁ ବୁଢୀ ମାଲ୍‌ହ କହିଲା–“କାପୁରା ! ନୂଆବାବୁ କ’ଣ ଚେତାପାଇ ନାହିଁ ?” କାପୁରା କହିଲା–“ହଁ ଲୋ ବୋଉ, ସେ ଉଠିଲେ–ମତେ ପଚାରିଲେ ତୁ କିଏ ? ମୁଁ କହିଲି–, ପୁଣି କ’ଣ ହେଲା କେଜାଣି ପାଟିକରି ଅଚେତ ହୋଇଗଲେ ସେ ।’’ ମାଲ୍‌ହ କହିଲା–“କିଛି ହବ ନାଇଁ ଲୋ । ତାଙ୍କୁ ଉଠା, ଗଣ୍ଡିଏ ପଖାଳ ଖାଇବାକୁ ଦେ–ମୁନ୍ଦେ ହାଣ୍ଡିଆ ପିଇବାକୁ ଦେ । ସବୁ ଠିକ୍ ହୋଇଯିବ ।” ବୋଉର କଥା ମାନି ଡାକିଲା କାପୁରା…ଏ ନୂଆବାବୁ ! ନୂଆବାବୁ !” ସେତେବେଳକୁ ହୁଏତ କେଶବ ସ୍ଵପ୍ନ ଦେଖୁଥିଲା–ପଦ୍ମକେଶରୀପୁରର ବରମୂଳେ ଖେଳୁଥିବା ଫୁଲମନିକୁ । ତା’ ସହିତ ପୋଖରୀ ପହଁରୁଥିଲା ସେ–ପଦ୍ମ ତୋଳିବା ପାଇଁ ।

 

ଉତ୍ତର ନ ପାଇ ଚୁପ୍‌ ରହିଲା କାପୁରା, ମାଲ୍‍ହ କହିଲା–“କି ଡାକ ଡାକୁଛୁ ଲୋ ତୁ । ହଲେଇ ଦେଇ ଜୋରରେ ଡାକ, କହୁ କହୁ ମାଲ୍‍ହ ମୁଣ୍ଡଟିକୁ ହଲାଇଦେଇ ଡାକିଲା ହାଣ୍ଡିଆ ପାଟିରେ–“ଏ ନୂଆବାବୁ ! କେତେଦିନ ଆଉ ଶୋଇବ, ଉଠମ । ଦିଟା ପଖାଳ ଖାଅ, ତମପାଇଁ ପରା ଆମେ କିଛି ଖାଇପାରୁ ନାହୁଁ । ଉଠ ବାବୁ ।” ବୁଢ଼ୀର ହାଣ୍ଡିଆ ପାଟିରେ ଆଖି ଖୋଲିଲା କେଶବ, ଚାହିଁଲା ସମସ୍ତଙ୍କୁ, ଭାବୁଥିଲା ମନେ ମନେ–କିଏ ଏମାନେ ?”

 

ବଳିପଡ଼ି କହିଲା କାପୁରା–“ଚିହ୍ନିପାରୁ ନାହଁ ? ଏପରା ବୋଉ ମାଲ୍‍ହ, ଆଉ ସେ ସାଙ୍ଗ ସିନ୍‌ଗା । ତୁମର ସେବାପାଇଁ ସେ ବି ଆଜି କାମକୁ ଯାଇନି । ତୁମେ ଉଠ, ଗଣ୍ଡେ ପଖାଳ ଖାଅ ।” ଆଶ୍ଚର୍ଯ୍ୟ ହେଉଥିଲା କେଶବ ମନେ ମନେ ଆଦିବାସୀ ସାନ୍ତାଳ ଯୁବତୀର ସେବା ଦେଖି । ଠାରିଲା ହାତ ଦେଖାଇ–ମତେ ଟିକେ ଉଠାଅ । ମୁଁ ବସିବି । ଆନନ୍ଦିତ ହୋଇ କାପୁରା ଓ ସିନ୍‌ଗା କେଶବର ମୁଣ୍ଡ ଏବଂ ହାତଧରି ଉଠାଇଲେ ଧୀରେ ଧୀରେ । କଙ୍କାଳରେ କଷ୍ଟ ଅନୁଭବ କରୁଥିଲା କେଶବ । ସେମାନେ କେଶବକୁ ଉଠାଇ ଝାଟିମାଟି କାନ୍ଥ କଡ଼କୁ ଆଉଜାଇ ବସାଇଦେଲେ । ବସି ବସି ସବୁ ଲକ୍ଷ୍ୟ କରୁଥିଲା କେଶବ । ଭଙ୍ଗା କୁଡ଼ିଆକୁ, ମାଲ୍‍ହ, କାପୁରା ଏବଂ ସିନ୍‌ଗାଙ୍କୁ ଚାହୁଁଥିଲା । ଚିନ୍ତା କରିବାକୁ ସମୟ ନ ଦେଇ କହିଲା କାପୁରା–“ନୂଆବାବୁ ! ମୁଠେ ପଖାଳ ଖାଇଦିଅ, ମୁନ୍ଦେ ହାଣ୍ଡିଆ ପିଇଦିଅ । ତା’ପରେ ପୁଣି ଶୋଇବ ।” ଆହତ ଆଖି ଟେକି ଚାହିଁଲା କେଶବ । କାଳ ବିଳମ୍ବ ନ କରି କାପୁରା ଗୋଟିଏ ମାଟି ପାତ୍ରରେ କିଛି ପଖାଳ ଧରି ପହଞ୍ଚିଲା କେଶବ ପାଖରେ । ଗୁଣ୍ଡା ବୋଳି ପାଟିରେ ଦେଉ ଦେଉ କହିଲା–ଖାଇଦିଅ ବାବୁ, ଦେହ ଭଲ ହୋଇଯିବ ପରା । ଆଖିବୁଜି ଗୁଣ୍ଡା କେତୋଟିକୁ ଗିଳବା ପାଇଁ ଚେଷ୍ଟାକଲା କେଶବ । ତା’ପରେ କାପୁରା ନାଉତୁମ୍ବାଟିକୁ ମୁହଁରେ ଲଗାଇଦେଇ କହିଲା–“ବାବୁ ! ମୁନ୍ଦାଏ ହାଣ୍ଡିଆ ପିଇଦିଅ । ଭଲ ନିଦ ହେବ, ଗୋଡ଼ ହାତ ବିନ୍ଧା ବାଧିବ ନାଇଁ । ପିଇଦିଅ ନୂଆବାବୁ ।”

 

କାପୁରାର ଅନୁରୋଧ ଏଡ଼ାଇ ନ ପାରି ଢକ ଢକ ଦି ଢୋକ ପିଇଲା କେଶବ । ହସୁଥିଲେ କାପୁରା ଏବଂ ସିନ୍‌ଗା ପରିତୃପ୍ତିର ହସ ।

 

ଏ ହସରେ ଆବିଳତା ନ ଥିଲା, ଥିଲା ସରଳତା । ଏମାନେ ଆଦିବାସୀ ସାନ୍ତାଳୀ ଯୁବତୀ । ହସନ୍ତି ଏମାନେ ମନ ଫୁଲାଣିଆଁ ହସ ପାହାଡ଼ରେ ନାଚି ନାଚି । ମେଘାସନ ଗିରି ଶୃଙ୍ଗ ଉପରେ ଯେତେବେଳେ ରୁମୁରୁ ଝୁମୁରୁ ତାନ ତୋଳି ବର୍ଷାର ବିତାନ ଆରମ୍ଭ ହୁଏ–ବରେଇପାଣି ଜଳପ୍ରପାତରୁ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା ସ୍ଥାନଟିକୁ ମୁଖରିତ କରେ, ସେତେବେଳେ ବର୍ଷାମୁଖର ବନାନୀରେ ଚଳଚଞ୍ଚଳ ହରିଣ ଛୁଆ ଭଳି କୁଦି କୁଦି ଆହୁରି ହସନ୍ତି ଏମାନେ । କହନ୍ତି ହସି ହସି–ଏ ବାବୁଭୁୟାଁମାନେ… ! ତୁମକୁ ହସି ଆସେନାହିଁ । ଖାଲି କାନ୍ଦି ଆସେ । ଆମଠାରୁ ହସି ଶିଖ । ନାଚି ଶିଖ । ବାଜା ବଜେଇ ଶିଖ । ତା’ପରେ ଆମ ଜଙ୍ଗଲକୁ ଆସିବ ତୁମେ ।

 

ଆମେ ତୁମ ଚିଡ଼ିଆଖାନାର ଜୀବ ନୋହୁଁ । ଆମେ ମଣିଷ, ଠିକ୍ ତୁମରି ପରି । କିନ୍ତୁ ଆଧୁନିକ ସହରୀ ମଣିଷ ସେମାନଙ୍କ କଥା ବୁଝନ୍ତି ନାହିଁ–ସେମାନଙ୍କ ହସରେ ଭାଗ ନେଇ ପାରନ୍ତି ନାହିଁ । କହନ୍ତି ବଡ଼ପଣ ଦେଖାଇ–ତୁମେ ବିଜୁଳି ଆଲୁଅ ଦେଖିଛ ଦାମିକା ଲୁଗା, ଶାଢ଼ି, ସ୍ନୋ, ପାଉଡର ଦେଖିଛ ? ଗାଡ଼ି ମଟର ଦେଖିଛ ? ଆସ, ଆମେ ସବୁ ଦେଖାଇବୁ । ଆମେ କୁହୁକ ଜାଣୁ । ତୁମକୁ ବଡ଼ କରିଦେବୁ । ତୁମେ ଆହୁରି ହସିବ ଆମ ଗହଣରେ ।

 

ମୋହ ଜାଗେ ଆଦିବାସୀ ମଣିଷ ମନରେ । ସେ ବାହାରକୁ ଆସେ । ଗାଡ଼ି ଦେଖେ..ଘୋଡ଼ା ଦେଖେ.. ଆଲୁଅ ଦେଖେ । ତା’ପରେ…

 

ତାଙ୍କୁ ଶୋଷଣ କରନ୍ତି ଏ ସହରୀ ମଣିଷ, ଆଧୁନିକ ମଣିଷ । ଶେଷରେ ହସ ଭୁଲି କାନ୍ଦେ ଆଦିବାସୀ ଯୁବତୀ ପାହାଡ଼କୁ ଚାହିଁ, ପୂର୍ବ ସ୍ମୃତି ମନରେ ପକାଇ । ସେହି ହସର ପ୍ରତୀକ ସାଜି ହସୁଥିଲେ ଆଦିବାସୀ ଯୁବତୀ କାପୁରା ଏବଂ ସିନ୍‌ଗା । ତାଙ୍କ ପ୍ରାଣରେ ଦରଦ ଥିଲା ଆଗନ୍ତୁକ ଆହତ କେଶବ ପାଇଁ ।

 

କେଶବ ବିହ୍ୱଳ ହେଉଥିଲା କାପୁରାର ସେବାରେ, ସେ ଧୀରେ ଧୀରେ ସୁସ୍ଥ ହେଉଥିଲା-। କାନ୍ଥକୁ ଆଉଜି ବସିବାକୁ ଚେଷ୍ଟା କରୁଥିଲା, ବାଡ଼ି ଧରି ଠିଆହେବାକୁ ଯତ୍ନ କରୁଥିଲା-। ଶିମୁଳିପାଳର ପ୍ରକୃତି ସହିତ ନିଜକୁ ସାମିଲ କରିବାକୁ ଉଦ୍ୟମ କରୁଥିଲା । ହସୁଥିଲା ଅଧର ନଚାଇ କାପୁରା ସହିତ ।

 

ଧୀରେ ଧୀରେ କାପୁରା କେଶବକୁ ଏକା ଛାଡ଼ି ବାହାରିଲା କାମକରି ବୋଉ ମାଲ୍‍ହ ସହିତ । ଫେରିବା ବେଳକୁ ଗାଁ ଦୋକାନରୁ କିଣି ଆଣିଲା ଭଲ ଜିନିଷ କେଶବ ପାଇଁ, ଯେମିତି ତା’ ପାଟିକୁ ରୁଚିବ । ଦୁଇଟା ପେଟ ପୂରାଇ ଖାଇବ ସେ । ଜିନିଷ ଧରି ଘରେ ପହଞ୍ଚୁ ପହଞ୍ଚୁ କହେ କାପୁରା–“ନୂଆବାବୁ ! ଆଜି ଦେହ କେମିତି ଲଗୁଛି ! ଭଲ ଲାଗୁଛି ତ ! ଗୋଡ଼ହାତ ଟିକେ ଟିପି ଦେବି ?” ଦରଦ ଦେଖାଇ କହେ କେଶବ–“ନା କାପୁରା ! ତୁ ଖଟି ଖଟି ଫେରୁଛୁ, ଆଉ ପରିଶ୍ରମ କରିବା ଦରକାର ନାହିଁ । ତୁ ଖାଇ ପିଇ ବିଶ୍ରାମ ନେ ।” କେଶବର କଥା ଶୁଣି ହସେ କାପୁରା କହେ–“ନାଇଁ ବାବୁ ମୋ ଦେହ ହାତ ମୋଟେ ପୀଡ଼ା ହେବ ନାହିଁ । ବୋଉ ବୁଢ଼ୀଲୋକ, ସେ ଯାଇ ବିଶ୍ରାମ ନେଉ । ମୁଁ ତୁମପାଇଁ ଗଣ୍ଡେ ଚାଉଳ ଫୁଟାଇ ପଖାଳି ଦିଏ । ତୁମେ କାଲି ପଖାଳ ଖାଇବ–ମୁଁ ମଧ୍ୟ କାମ ଉପରକୁ ଦିଟା ନେଇଯିବି । ଏମିତି କହୁ କହୁ ନାଉତୁମ୍ବାରୁ ହାଣ୍ଡିଆ ଢାଳି ପିଏ ସେ । ହସେ କେଶବକୁ ଚାହିଁ କାରଣ ନଥାଇ ।

 

ଏମିତି କିଛିଦିନ ବିତିବା ପରେ କେଶବ ବାଡ଼ି ଭରାଦେଇ ଠୁକୁ ଠୁକୁ ଚାଲିଲା । ଘର ବାହାରକୁ ଆସିଲା–ବେଳେ ବେଳେ କହିଲା–“କାପୁରା ! ତୁ ଏଥର କାମ ସାରି ଜଙ୍ଗଲରୁ କାଠ ଗୋଟେଇ ଘରକୁ ଫେର୍ ନାହିଁ.... । ମୁଁ ବାଡ଼ିଧରି ଏଇ ଆଖ ପାଖରୁ କାଠ ଗୋଟେଇ ଆଣିବି । ତୁ ଆସି ରୋଷେଇ କରିବୁ ।” କଥା ଶୁଣି ହସେ କାପୁରା । କହେ, “ବାବୁ ! ଆମର ଚାରକୋଳି, କେନ୍ଦୁ, ମହୁଲ, ହାଣ୍ଡିଆ ହେଲେ ଚଳିଗଲା । ଭାତ ମୁଠିଏ ଦରକାର ତୁମ ପାଇଁ । ସେଥିଲାଗି କେତେ କାଠ ଦରକାର ଯେ–ତୁମେ ଭଙ୍ଗା ଗୋଡ଼ରେ କାଠ ଗୋଟେଇ ଜଙ୍ଗଲକୁ ଯିବ । ନା ବାବୁ–ଦିହ ଭଲ ହୋଇଯାଉ । ତା’ପରେ କାମ କରିବ, ଜଙ୍ଗଲ ବୁଲି ଦେଖିବ ।” ଜଙ୍ଗଲ ନାଁ ଶୁଣି ଡରିଯାଏ କେଶବ । ତା’ ଆଖି ଆଗରେ ନାଚିଉଠନ୍ତି ବାଘ, ଭାଲୁ, ସାପ, ହରିଣ, ମିରିଗ, ସମ୍ବର ଏବଂ ହାତୀ । ଦେହ ତା’ର ଶୀତେଇ ଉଠେ । ନୀରବ ହୋଇଯାଏ ସେ । ଏମିତିବେଳେ ତା’ର ମନରେ ଉଙ୍କିମାରେ ଫୁଲମନିର କଥା । କ’ଣ କରୁଥିବ ସେ ? ଦିନରାତି କାନ୍ଦୁଥିବ ପଦ୍ମପୋଖରୀ ହୁଡ଼ାରେ ବସି–କିମ୍ବା ଚାହିଁଥିବ ଚନ୍ଦକା ଜଙ୍ଗଲକୁ ବେଦନାଭରା ଚିତ୍ତରେ ? କ’ଣ କରୁଥିବ ଫୁଲମନି-? ତା’ ଆଖିରୁ ଲୁହ ପୋଛିଦେଇ ସାନ୍ତ୍ଵନା ଦେଉଥିବ କିଏ ? ଗାଁ ଟୋକାଏ ପରିହାସ କରି ତାକୁ ଛଳ କଥା କହୁ ନଥିବେ ତ ?

 

ଏଭଳି ଚିନ୍ତାରେ ବାଧା ଦେଇ ପହଞ୍ଚିଯାଏ କାପୁରା–ପଛରୁ ହଲାଇ ଦେଇ କୁହେ–“ଏ ନୂଆବାବୁ ! କ’ଣ ଭାବୁଛ ? ଆଜି କ’ଣ ତୁମ ଦେହ ଭଲ ଲାଗୁ ନାହିଁ ? ଦେଖି ଦେଖି ତୁମ ଦେହରେ କ’ଣ ତାତି ଅଛି ?” କହୁ କହୁ ବାମ ହାତଟାକୁ ଟାଣିନିଏ କାପୁରା, ନିଜ ବେକରେ ପକାଇ ଦେଇ କହେ–“ଉଠ ନୂଆବାବୁ ! ମୋତେ ଭରା ଦେଇ ବାଡ଼ି ନ ଧରି ଚାଲ । ଉଠ ମ ବାବୁ-।’’

 

ଶିହରଣ ଖେଳେ କେଶବ ଦେହରେ । କାପୁରାର ବେକରେ ହାତ ପକାଇ ଠିଆ ହୁଏ ସେ । ଜୋର୍‍ କରି ଟାଣିନିଏ କାପୁରା–“ଚାଲ, ଚାଲ ନୂଆବାବୁ, ଡର ନାହିଁ, ମୁଁ ଧରିଛି ।” ଆଶ୍ଚର୍ଯ୍ୟ ହୁଏ କେଶବ, କେତେ ଶକ୍ତି ଆଦିବାସୀ ଯୁବତୀଟିର । ଶୂନ୍ୟେ ଶୂନ୍ୟେ କେଶବକୁ ଟେକି ନେଇଯିବା ପାଇଁ ଚେଷ୍ଟା କରୁଛି ସେ । ଟାଣି ହୋଇ ଯାଏ କେଶବ ।

 

ଘର ସାମନା ମୁଣ୍ଡିଆ ପଥର ପାଖକୁ ଟାଣିନେଇ ବସାଇ ଦିଏ କାପୁରା, କହେ–“ନୂଆବାବୁ ! ଆମ ଜଙ୍ଗଲର ଅନ୍ଧାର କ’ଣ ଭଲ ନୁହେଁ ? ଏ ଅନ୍ଧାର ଭିତରେ ଆମେ ନାଚୁ, ଗୀତ ଗାଉ, ହଣ୍ଡିଆ ଖାଉ–ଗଛ ମୂଳରେ ଶୋଇପଡ଼ୁ । ସପନ ଦେଖୁ–ବାଘ, ଭାଲୁ, ମିରଗମାନଙ୍କୁ-। ଆମର ଏଠି ବାଘ, ଭାଲୁ, ମିରିଗଙ୍କୁ ଭୟ ନାହିଁ । ଭୟ ସହରୀ ମଣିଷମାନଙ୍କୁ । ସେମାନେ ରକତ ପିଅନ୍ତି । ଆଲୁଅ ଦେଖାନ୍ତି । କିନ୍ତୁ ସେ ଆଲୁଅ ପୁଣି ଅନ୍ଧାରରେ ପରିଣତ ହୋଇଯାଏ-

 

ମୁହଁ ବୁଲାଇ କାପୁରାକୁ ଚାହିଁଲା କେଶବ, ପ୍ରଗଳ୍‍ଭ ହୋଇ କହୁଛି ସେ ଅନେକ କଥା । ଆଦିବାସୀ ଜୀବନର ଅନୁଭୂତି । ତା’ ଆଖିରେ କେଶବ ମଧ୍ୟ ସହରୀ ମଣିଷ, ଯିଏ ବାଘ ଭାଲୁଙ୍କଠାରୁ ଭୟଙ୍କର, ରକ୍ତ ଖିଆ । ମୁହଁ ଖୋଲିଲା କେଶବ, ‘‘କାପୁରା ! ତୁ କ’ଣ ମତେ ଭୟକରୁ-?” ବିଚଳିତ ହୋଇପଡ଼ିଲା କାପୁରା–“ନା ନୂଆବାବୁ । କିଏ କହିଲା ? ତୁମକୁ ମୁଁ ଝରଣାରୁ ପାଇଛି । ତୁମେ ଝରଣା ପୁଅ ।”

 

କାପୁରାର କେଶରେ ଆଙ୍ଗୁଳି ପୂରାଇ ଆଉଁସି ଦେଉ ଦେଉ ଚିହ୍ନିବାକୁ ଚେଷ୍ଟା କରୁଥିଲା କେଶବ । କେଡ଼େ ସରଳ, କେତେ ଆପଣାର ଝିଅଟା ସତେ । ସେ ସମୟରେ ମନେ କରୁଥିଲା ସେ, ସତେ ଅବା ତା’ କୋଳରେ ଫୁଲମନି ଶୋଇଛି । ଶୋଇ ଶୋଇ ପଚାରୁଛି, କେଶବାଇ ! କି ସାପ ଧରି ଆଣିଲ ? ମୋତେ ଦେଖାଇଲ ନାହିଁ ତ ! କେବେ ବିଦେଶ ଯିବ ସାପ ଖେଳାଇ ? ଆସନ୍ତାକାଲି ? ଯାଅ, ଅଳ୍ପଦିନରେ ଅଣ୍ଟିଏ ଟଙ୍କା ଧରି ଫେରିବ, ଆମେ ବାହା ହବା । ତା’ପରେ..... ।

 

ତା’ପରେ ତୁମ ସହିତ କେଲୁଣୀ ହୋଇ ଚିତା କୁଟେଇଯିବି ମୁଁ । ତୁମେ ଯେତେବେଳେ ପଦ୍ମତୋଳା ଡାକି ସାପ ଖେଳାଇବ–ସେତେବେଳେ ମୁଁ ଜମିଦାର ଘର ପିଣ୍ଡାରେ ବସି ସାନ ବହୂର ବାହାରେ ଚିତା କୁଟାଉ କୁଟାଉ କହୁଥିବି,

 

କୋଇଲି ସୁତା ଗଜ ମୁକୁତା

ହାତରେ କାଟୁଛି ଲବଙ୍ଗଲତା

ବାହୁରେ କାଟୁଛି ପାନ.

ମାଣ ମାଣ କରି ସେର ସେର କରି

ଦିଅ ଗୋ ଚାଉଳ ଧାନ ।

 

ଭାବୁ ଭାବୁ ଫିକ୍‌କିନା ହସିଦେଲା କେଶବ । ଚଟ୍‌କରି ଠିଆହୋଇ ପଡ଼ିଲା କାପୁରା–କହିଲା–“କ’ଣ ହେଲା ବାବୁ ! କ’ଣ ହେଲା ?” କଥା ଲୁଚାଇ କହିଲା କେଶବ–“ନାଇଁ କାପୁରା ! କିଛି ନାଇଁ, ଏମିତ କ’ଣ ଭାବୁ ଭାବୁ ହସିଲି ।” କାପୁରା କିନ୍ତୁ ଛାଡ଼ିବା ଝିଅ ନୁହେଁ–ତା’ର ଏକା ଜିଦ୍, କୁହ ନୂଆବାରୁ–ସତ କୁହ ହସିଲ କାହିଁକି ?

 

ଉତ୍ତର ଦେଇ ନ ପାରି କାପୁରାକୁ କୋଳକୁ ଟାଣି ଆଣି କହିଲା କେଶବ–“ହସିଲି ଏ ଅନ୍ଧାର ଭିତରେ ତୋ ଚେହେରା ଦେଖି । କୁନିଛୁଆ ପରି କେଶବର କୋଳରେ ମୁଣ୍ଡରଖି କହିଲା କାପୁରା–“ତୁମେ ମିଛ କହୁଛ ନୂଆବାବୁ ।”

 

ପଦ୍ମକେଶରୀପୁରର ପଦ୍ମପୋଖରୀ ହୁଡ଼ାରେ ଧ୍ୟାନରତ ସନ୍ନ୍ୟାସୀ ଭଳି ଠିଆହୋଇଛି ବୁଢ଼ା ବରଗଛ । ଅପରାହ୍ନରେ ତୁଆଏ ଶ୍ରାବଣୀ ବର୍ଷା ବର୍ଷିଯାଇ ଆକାଶ ନିର୍ମଳ ହେବା ପରେ–ନୈସର୍ଗିକ ଆଲୋକ ପରି ଗଛର ଘଞ୍ଚ ପତ୍ର ଉପରେ ପଡ଼ିଛି ଲାଲ ସୂର୍ଯ୍ୟକିରଣ । ବିନ୍ଦୁ ବିନ୍ଦୁ ବର୍ଷା ଜଳ ଖସୁଛି ପତ୍ର ଦେହରୁ ଭଗବତ୍ ପ୍ରେମ ବିଦଗ୍‍ଧ ସନ୍ନ୍ୟାସୀର ଚକ୍ଷୁରୁ ନିର୍ଗତ ବିଚଳିତ ଅଶ୍ରୁଧାର ପରି । ଗଛର ଡାଳେ ଡାଳେ ଆଶ୍ରିତ ପକ୍ଷୀମାନଙ୍କର କୁଜନ ତୋଳୁଛି ଏକ ଅପୂର୍ବ ଝଙ୍କାର କୌଣସି ଏକାନ୍ତ ଆଶ୍ରମ ଗୃହରୁ ଭଗବାନଙ୍କ ଉଦ୍ଦେଶ୍ୟରେ ନିବେଦିତ ଭଜନର ସ୍ଵର ଭଳି । ସେହି ପୁରାତନ ବରଗଛ, ପୁରାତନ ସାରଙ୍ଗଗଡ଼ ଏବଂ ପଟିଆଗଡ଼ର ଯିଏ ମୂକ ସାକ୍ଷୀ । ଯାହାର ବୟସ ପଟିଆଗଡ଼ର କୌଣସି ବ୍ୟକ୍ତିଙ୍କ ଅନୁମାନଠାରୁ ଆହୁରି ପୁରାତନ । ତା’ର ଓହଳା ଓହଳ ତଳକୁ ଲମ୍ବି ଖୋଜୁଛି ଅତୀତକୁ । ଅତୀତର ପଟିଆ ଏବଂ ସାରଙ୍ଗଗଡ଼କୁ ।

 

ଲୋକଶ୍ରୁତି କହେ–ଦିନେ ଏଇ ପଦ୍ମପୋଖରୀ ଥିଲା ପଟିଆ ରାଣୀଙ୍କର ସନ୍ତରଣ ପୁଷ୍କରିଣୀ । ପୁର୍ବତନ ପଟିଆଗଡ଼ର ରାଣୀହଂସପୁରରୁ ମହାରାଣୀ ସୁଡ଼ଙ୍ଗ ପଥରେ ଆସି ପହଞ୍ଚିଥିଲେ ପୋଖରୀ ତୀରରେ ସ୍ନାନ ଉଦ୍ଦେଶ୍ୟରେ । ଆହ୍ଲାଦିତ ହେଉଥିଲା ପୁଷ୍କରିଣୀର ଜଳ । ସଖୀ ମେଳରେ ସନ୍ତରଣ କରି ଜଳକ୍ରୀଡ଼ା କରୁଥିଲେ ମହାରାଣୀ । ତୋଳୁଥିଲେ ରକ୍ତପଦ୍ମ ମହାରାଜାଙ୍କୁ ଉପହାର ଦେବାପାଇଁ ଏବଂ ସଂଗ୍ରହ କରୁଥିଲେ ନୀଳକଇଁ ଦେବୀ ଶିଖରଚଣ୍ଡୀଙ୍କ ଉଦ୍ଦେଶ୍ୟରେ । କହୁଥିଲେ ମହାରାଣୀ–“ଏଇ ପଦ୍ମପୋଖରୀ, ତା’ ଦେହର ସାତତାଳ ପଙ୍କରେ ପଦ୍ମମୂଳରେ ସାଇତା ଫରୁଆ ଏବଂ ଫରୁଆରେ ସାଇତା ଭ୍ରମରକୁ ଧରି ପଟିଆ ରାଜା ଲାଭ କରିଥିଲେ ମୋର ବାରହାତୀ କେଶର ସନ୍ଧାନ ।” ତା’ପରେ …

 

ତା’ପରେ ଏକ ରକ୍ତାକ୍ତ ସଂଗ୍ରାମ ଶେଷରେ ମୁଁ ଆସିଥିଲି ବାଙ୍କୀଗଡ଼ରୁ ପଟିଆଗଡ଼ । ଆଜି ସେ ସବୁ ଅତୀତ, କ୍ଷୟପ୍ରାପ୍ତ ପୁରାତନ ସ୍ମୃତି ସୌଧପରି ଅନାଦୃତ ପଦ୍ମପୋଖରୀ । ଅନାଦୃତ ତା’ର ଚତୁଃପାର୍ଶ୍ଵର ପରିବେଶ ।

 

ଅଶି ବର୍ଷର ବୃଦ୍ଧା ଭଳି ସେ ପୁଷ୍କରିଣୀ ସ୍ଥିର ଅଚଞ୍ଚଳ ଏବଂ ତରଙ୍ଗହୀନ । ତଥାପି ଚାହିଁଛି ସେ ଅତୀରର ସେହି ବୁଢ଼ା ବରଗଛକୁ ସ୍ମୃତିର ସ୍ମାରକୀ କରି । ଆଜି ସେହି ପଦ୍ମପୋଖରୀ ହୁଡ଼ାର ବରମୂଳେ ପ୍ରବଳ ଜନ ସମାଗମ, ମିଟିଂ ହେବ ମିଟିଂ । କେହି କେହି ବିଦ୍ରୂପ କରୁଛନ୍ତି ଶୁଣେଇ ଶୁଣେଇ–କି ମିଟିଂ ବେ ଟିଙ୍ଗି ଟିଙ୍ଗି । କେଳା ସାହିର ପଞ୍ଚୁ, ଗରିବ ଏବଂ ଶାମ ଇତ୍ୟାଦି, କହୁଛନ୍ତି–ଆରେ ଟୋକାମାନେ ଭାଗୁ ଆଚାର୍ଯ୍ୟଙ୍କ ପୁଅ ବ୍ୟୋମକେଶ ଆଚାର୍ଯ୍ୟ ମିଟିଂ କରିବେ । ଆମକୁ ମାଗଣାରେ ଘର ଦେବେ । ଏକଥା ଶୁଣି କେହି କେହି ବୁଢ଼ା ଲୋକେ କହିବାର ଶୁଣାଯାଉଛି–ଶଳା ହେଙ୍ଗୁ ଦେବେ । ସବୁ ଧୂଆଁ ବାଣ ବେ । ହାତୀ ଦେବି ଘୋଡ଼ା ଦେବି ମୋ ପେଁକାଳି ବଜେଇ ଦେ । ଆଉ କିଏ କହୁଛି–‘‘ନାରେ ନା । ଏମିତି ଅନେକ ଜାଗାରେ ଘର ଦିଆଗଲାଣି, ଜମି ଦିଆଗଲାଣି, ଆମେ ନ ପାଇବା କାହିଁକି ?”

 

ଯୁକ୍ତି କରି କହୁଛି କେହି–“ଛାଡ଼, ଛାଡ଼ ଶଳା ଆକାଶ କଇଁଆ ଚିଲିକା ମାଛ । ଆମେ ତ କେଳା...ଯାଯାବର । ଘରଦ୍ଵାର ଆମର ଗୋଟାଏ କ’ଣ ? ଆମର ଭାଷା ଅଲଗା–ବଙ୍ଗଳା ମିଶା, ଆମର ଜୀବିକା ଅଲଗା,–ସାପ ଖେଳା, ଚିତା କୁଟା, ଚଢ଼େଇ ମରା, ମୂଷା ଖେଳା । ଗାଁ ମୁଣ୍ଡ ବର ମୂଳେ, ପୋଖରୀ ହୁଡ଼ାରେ ପଲା ଭିତରେ ଆମର ରହଣୀ । ଘର ଆମେ କରିବୁ କ’ଣ ? ଆମେ ସାପ ଖେଳାଇ ଖେଳାଇ ସାରା ରାଇଜ ବୁଲୁଥିଲୁ । ରସିକ ପଟିଆ ରାଜା ସେ ସମୟରେ କହୁଥିଲା–ଏ ସାପୁଆ ଖେଳା ଦଳ ! ତୁମେ ଏଇଠି ରୁହ । ସବୁଦିନ ମୋ ରାଜ୍ୟରେ ସାପ ଖେଳାଇବ, ମୁଁ ଧାନ ଚାଉଳ ଦେବି । ତମର ଜମିବାଡ଼ି କ’ଣ ହେବ । ଏକଥା ଶୁଣି ଆମ ପୂର୍ବ ପୁରୁଷ ରହିଲେ । କାଳକ୍ରମେ ପଟିଆ ରାଜ୍ୟ ନିଲାମରେ ଗଲା । ରାଜା ଗଲେ । ନିଲାମ ଧରିଲେ କନିକା ରାଜା ।

 

କନିକା ରାଜା ଦେଖିଲେ ସକାଳଠାରୁ ଆମ ବସ୍ତିରେ କେଁ କଟର । ତେଣୁ ଆଦେଶ ଦେଲେ ସେ, ଏ କେଳାଏ ! ତୁମେ ପଦ୍ମପୋଖରୀ କଡ଼କୁ ଉଠିଯାଅ । ସେଇଠି ପଲା କରି ରୁହ । ଚାରିଆଡ଼େ ବୁଲି ସାପ ଖେଳାଅ । ତୁମ ଗାଁ ନାମ ହେଉ ପଦ୍ମକେଶରୀପୁର । ସେଇଦିନଠାରୁ ଆମେ ଏଇଠି ଅଛୁ । ବୁଲି ବୁଲି ସାପ ଖେଳାଉଛୁ, ଆମର ଆଉ ଘରଦ୍ଵାର ଜମିବାଡ଼ି କ’ଣ ହେବ-?” ଏକଥା ଶୁଣି କମ୍ପିଉଠିଲା ପଞ୍ଚୁ, କହିଲା–“ସବୁଦିନ କ’ଣ ଆମେ ଯାଯାବର ଥିବୁ, ଘର କରି ରହିବୁ ନାହିଁ ? ତୁମର ଯଦି ଇଚ୍ଛା ନହେଉଛି, ତେବେ ନୂଆ ଘରକୁ ନଆସ, ଆମେ କିନ୍ତୁ ଆସିବୁ, ନୂଆ ଘରେ ରହିବୁ । ଜମି ଚାଷ କରି ଫଳ ଫଳେଇବୁ ।” ପଞ୍ଚୁର କଥା ଶୁଣି ନୀରବ ହୋଇଗଲା ବୁଢ଼ାଟି । ଏତିକିବେଳେ ଦେଖାଗଲା ଆଗେ ଆଗେ ଆସୁଛନ୍ତି ବ୍ୟୋମକେଶ ଆଚାର୍ଯ୍ୟ ପଟିଆ ଗାଁ ଆଡ଼ୁ । ତାଙ୍କ ପଛେ ପଛେ ଚାଳିଶ ପଚାଶ ଲୋକ । ସମସ୍ତଙ୍କ ହାତରେ ଲାଲ ଝଣ୍ତା-। ଶ୍ଳୋଗାନ ଦେଉଛନ୍ତି ସମସ୍ତେ–ଲଙ୍ଗଳ ଯାର ଜମି ତା’ର, ଭୂମିହୀନଙ୍କୁ ଭୂମି ଦିଅ, ଗୃହହୀନଙ୍କୁ ଗୃହ-

 

ଧୀରେ ଧୀରେ ଛୋଟ ମଣିଷ ଧାଡ଼ିଟି ଆସି ପହଞ୍ଚିଲେ ପଦ୍ମପୋଖରୀ ହୁଡ଼ାର ବରମୂଳେ । ସେତେବେଳକୁ ଅନ୍ଧାର ଘୋଟି ଆସିଥିଲା । ସ୍ଥାନଟିକୁ ଆଲୋକିତ କରିବା ପାଇଁ ଗୋଟିଏ ଦୁଇଟି ବଡ଼ ଲାଇଟ ମଧ୍ୟ ରଖା ସରିଥିଲା । ଠିଆହୋଇ କହିଲେ ବ୍ୟୋମକେଶବାବୁ–ବନ୍ଧୁଗଣ ! ଆପଣମାନେ ଯାଯାବର ହୋଇ ଆଉ କେତେଦିନ ରହିବେ ? ମୁଁ ସରକାରଙ୍କ ଠାରେ ଅନୁରୋଧ କରିଛି–ଏଇ ପଦ୍ମପୋଖରୀ ହୁଡ଼ାରେ ଗୋଟିଏ କଲୋନୀ ନିର୍ମିତ ହେବ । ସେ କଲୋନୀରେ ଆପଣମାନେ ରହିବେ, ମାଗଣାରେ ଜମି ଏବଂ ଗୃହପାଳିତ ଜୀବଜନ୍ତୁ ଯୋଗାଇ ଦିଆଯିବ । ଆପଣମାନେ ମଣିଷ ପରି ମଣିଷ ହୋଇ ରହିବେ ।

 

ଏତିକିବେଳେ ଜଣେ ପାଟିକରି କହିଲା–“ବ୍ୟୋମକେଶବାବୁ, ଆପଣ ତ କମୁନିଷ୍ଟ ହୋଇ ସରକାରୀ ନୀତିକୁ ନିନ୍ଦା କରୁଛନ୍ତି । ତାଙ୍କ କାମ ବିରୁଦ୍ଧରେ ହରତାଳ କରୁଛନ୍ତି–ପୁଣି ସରକାରଙ୍କୁ ଅନୁରୋଧ କରି ଆମକୁ ମତାଉଛନ୍ତି କାହିଁକି ?” ଏପରି ଏକ ଯୁକ୍ତି ଶୁଣିବା ପରେ ଚିହିଁକି ଉଠିଲେ ଉପସ୍ଥିତ ବ୍ୟକ୍ତିମାନେ । ବ୍ୟୋମକେଶବାବୁ ପୁଣି କହିଲେ–ବନ୍ଧୁଗଣ ! ଆମେ ଠିକ୍ କରିଛୁ–ଯାହା ଲୋକଙ୍କର ହିତ କରିବ, ସେପରି କାମରେ ଆମେ ସରକାରଙ୍କୁ ସାହାଯ୍ୟ କରିବୁ ଏବଂ ଲୋକଙ୍କ ମଙ୍ଗଳ ପାଇଁ ନୂଆ ନୂଆ କାମ ହାତକୁ ନେବୁ । ସେଥିପାଇଁ ମନ୍ତ୍ରୀ ମହୋଦୟ ଆସି ଏଠାରେ ନିର୍ମିତ ଗୃହ ଏବଂ ଜମି ପଟା ଦେବା ଦିନ ଏକ ସମବାୟ ସମିତି ଗଠନ କରାଯିବ । ଲୋକଙ୍କୁ ଋଣ ଯୋଗାଇ ଦିଆଯିବ । ସେହି ସମବାୟ ସମିତିର ସଦସ୍ୟ ଏବଂ ପରିଚାଳକ ହେବେ ଆପଣମାନେ ।

 

ବ୍ୟୋମକେଶଙ୍କ କଥା ଶୁଣି ପରସ୍ପରକୁ ଚାହାଁଚାହିଁ ହେଲେ ଲୋକମାନେ । ତେବେ କ’ଣ ପଟିଆ ପଦ୍ମକେଶରୀପୁରର ଭାଗ୍ୟ ଫେରିବ ? ଉଦ୍‌ବାସ୍ତୁ ଗଉଡ଼ିଆ କେଳା ଘରକରି ପଦ୍ମକେଶରୀପୁରର ସ୍ଥାୟୀ ବାସିନ୍ଦା ହେବେ ?

 

ଲୋକଙ୍କ ମନରେ ଆହୁରି ଉତ୍ସାହ ଭରିଦେବା ପାଇଁ ଶ୍ଳୋଗାନ ଦେଲେ ବ୍ୟୋମକେଶବାବୁ–ଗୃହହୀନଙ୍କୁ ଗୃହ ଦିଅ, ଭୂମିହୀନଙ୍କୁ ଭୂମି ।

 

ଶ୍ଳୋଗାନ ଦେଇ ଆତ୍ମସନ୍ତୋଷରେ ଫେରିଲେ ଲୋକମାନେ । ମନରେ ଜାଗିଲା ନୂଆ ସ୍ଵପ୍ନ, ନୂଆ ମୋହ, ନୂଆ ଆସକ୍ତି । ଘର ମିଳିବ, ମିଳିବ ଜମି, ଆମେ ଫଳାଇବୁ ଧାନ, ମୁଗ, ଗହମ, କାନ୍ଦୁଲ, ମକା । ବିଷଧରସାପଙ୍କ ସହିତ ଖେଳି ଆଉ ଜୀବନ ବିପନ୍ନ କରିବୁ ନାହିଁ । ବଞ୍ଚିବୁ ମଣିଷ ପରି ।

 

ସଭାରୁ ଫେରୁ ଫେରୁ ସନାତନ ପିଇସର ଦୁଆର ମୁହଁରେ ଠିଆହୋଇ ଡାକିଲା ପଞ୍ଚୁ–‘‘ଲୋ ଫୁଲମନି ! ମାଗଣାରେ ଘର ମିଳୁଛି, ମିଳୁଛି ଜମି । ଶୀଘ୍ର ବାହା ହେଇପଡ଼ ଲୋ, ଘର ପାଇବୁ । ମୋରି ଘରକୁ ଲାଗି ତୁ ଘର ନେବୁ । ତୋ ଗେରସ୍ତ ଏବଂ ମୁଁ ସାଙ୍ଗ ହେଇ ଚାଷ କରିବୁ । ଖଳାକୁ ବହି ଆଣିବୁ ଧାନ, ମୁଗ, ବିରି । ତୁ ମାଣ ବସେଇ ପୂଜା କରିବୁ ଲକ୍ଷ୍ମୀ ଠାକୁରଣୀଙ୍କୁ ।

 

ପଞ୍ଚୁ ଭାଇର କଥା ଶୁଣି ଥାମ୍‌ଖାଇ ଠିଆ ହୋଇଗଲା ଫୁଲମନି । ତା’ ଆଖିରୁ ଝରୁଥିଲା ଲୁହ । କୁଆଡ଼େ ଗଲେ କେଶବାଇ । ବର୍ଷେ ପୂରିଗଲା । ଆଉ କ’ଣ ଫେରିବେ ନାହିଁ ? ପଦ୍ମକେଶରୀପୁରର ପଦ୍ମପୋଖରୀ କୂଳରେ ବସି ନୂଆକରି ଧରିଥିବା ସାପମାନଙ୍କୁ ଖେଳାଇବେ ନାହିଁ !!

 

ହସି ହସି ପୁଣି ଚାଲିଗଲା ପଞ୍ଚୁ । ବୋକୀ ପାଲଟି ଯାଇଥିଲା ଫୁଲମନି । କହୁଥିଲା ମନେ ମନେ–‘‘ଭଗବାନ୍ ! କେଶବାଇକୁ ଫେରାଇ ଆଣ ।” ତା’ ଆଖି ଆଗରେ କୁହୁକ ମଣିଷ ପରି ନାଚୁଥିଲା କେଶବ । ଘର, ବାହାର, ପୋଖରୀ କୂଳ, ବରମୂଳ ସବୁ ସ୍ଥାନରେ ଯେମିତି କେଶବ ଠିଆ ହୋଇଛି । ଡାକି କହୁଛି–ଫୁଲମନି, ତୁ ଘରେ କ’ଣ କରୁଛୁ ? ଆ–ଘରୁ ବାହାରି ଆ । ଖେଳିବା ଆମେ ଖେଳ, ବାଘ ଛେଳି, ଡାଳମାଙ୍କୁଡ଼ୀ । ବୁଲିବା ଚନ୍ଦକା ଜଙ୍ଗଲରେ ଭଇଁଚ କୋଳି ତୋଳି ତୋଳି ।

 

ଆଖିରୁ ବହି ପଡ଼ିଥିବା ଲୁହକୁ ପଣତକାନିରେ ପୋଛିଲା ସେ । ଏମିତି ସମୟରେ ଘରୁ ବାହାରି ଆସି ସନାତନର ସ୍ତ୍ରୀ କହିଲା–“ଆଲୋ ଫୁଲ ! ତୁ କାନ୍ଦୁଛୁ ?” କଥା ବୁଲାଇ କହୁଥିଲା ଫୁଲମନି, ‘‘ନାଇଁ ବୋଉ ! ଆଖିରେ ଗୁଣ୍ଡି ପଡ଼ିଗଲା, ତାକୁ ପୋଛି ବାହାର କରୁଥିଲି ।” କିନ୍ତୁ ତା’ ବୋଉ ବେଶ୍ ବୁଝିପାରୁଥିଲା କ’ଣ ପାଇଁ ଫୁଲମନିର ଆଖିରେ ଲୁହ । ଅନେକ ସମୟରେ ମନର ବେଦନା କହିହୁଏ ନାହିଁ ସତ–କିନ୍ତୁ ଅନ୍ୟମାନେ କଥାଟା ବୁଝନ୍ତି । ସମବେଦନା ପ୍ରକାଶ କରନ୍ତି । ଅବଶ୍ୟ ସମବେଦନା ଆହତ ଆଖିଉପରେ ସାନ୍ତ୍ଵନାର ବର୍ଷା ସୃଷ୍ଟିକରି ପାରେନା । ତଥାପି ମଣିଷ ଆନମନା ହୁଏ ସାନ୍ତ୍ୱନା ବାଣୀ ଶୁଣି ।

 

ରାତି ଆହୁରି ଗଭୀର ହେଉଛି । ସେତେବେଳକୁ ଚନ୍ଦକା ଜଙ୍ଗଲ ଭିତର ଜମିରେ ଜଗୁଆଳମାନେ ନିଆଁ ଜାଳି ବଣ୍ୟଜନ୍ତୁମାନଙ୍କୁ ଡରାଉଥିବେ, ଘଉଡ଼ାଉଥିବେ । ଶ୍ରାବଣ ବର୍ଷାକୁ ଡରି ପୁଣି କୁଡ଼ିଆକୁ ଫେରିଆସି ମୋଡ଼ିମାଡ଼ି ହୋଇ ଶୋଇବାକୁ ଉପକ୍ରମ କରୁଥିବେ । ଜଙ୍ଗଲର ଜନ୍ତୁମାନେ ବର୍ଷା ପାଣିରେ ଭିଜି ଭିଜି ଆହାର ଅନ୍ଵେଷଣ କରୁଥିବେ । ଫୁଲମନି କିନ୍ତୁ ନିଜ ଆଖିର ବର୍ଷା ପାଣିରେ ଭିଜି ଭିଜି ଖୋଜୁଛି ତା’ ମନର ମଣିଷ କେଶବାଇକୁ ।

 

ମନେ ମନେ ଭାବୁଛି ସେ–ମୁଁ ଯିବି, ପଞ୍ଚୁ ଭାଇକୁ ଅନୁରୋଧ କରି କହିବି, ପଞ୍ଚୁ ଭାଇ ! ମୁଁ ରାସ୍ତା ଖର୍ଚ୍ଚ ଦେବି, ତୁମେ ଯାଅ, କେଶବାଇଙ୍କୁ ଖୋଜିଆଣ । ମୁଁ ତାଙ୍କ ବାଟ ଚାହିଁ ବସିଛି । ଆଉ ନିଜକୁ ସ୍ଥିର ରଖି ପାରିଲା ନାହିଁ ସେ । ଉଠିଯାଇ କହିଲା ବୋଉକୁ–‘‘ବୋଉ ! ମୁଁ ପଞ୍ଚୁ ଭାଇ ଘରୁ ଆସୁଛି । ଆସିଲେ ଖାଇବି, ତୁ ଆଗରୁ ଖାଇ ଦେ ।” ଫୁଲମନିର ବୋଉ କହିଲା–“ଏତେ ରାତିରେ କୁଆଡ଼େ ଯିବୁଲୋ ଫୁଲ, ସକାଳୁ ଯିବୁ, ପଞ୍ଚୁ ଭାଇ କ’ଣ କୁଆଡ଼େ ପଳେଇ ଯାଉଛି ।” କିନ୍ତୁ ଅପେକ୍ଷା କରିବାର ଅବସ୍ଥାରେ ନ ଥିଲା ଫୁଲମନି । କହିଲା–“ନାଇଁ ବୋଉ ! ମୁଁ ଆସୁଛି । ମୋଟେ ଡରିବି ନାହିଁ । ତୁ ଏଇ ଦାଣ୍ଡ ଦୁଆରେ ଠିଆହୋଇ ରହିଥା ।

 

ଫୁଲମନିର କଥା ଶୁଣି ଆଁ କରି ଚାହିଁ ରହିଥିଲା ତା’ର ବୋଉ, ଝଡ଼ ବେଗରେ ଘରୁ ବାହାରିଗଲା ସେ । ସେତେବେଳକୁ ପଞ୍ଚୁ ଘରେ ପହଞ୍ଚି ଭିତରୁ କବାଟ ଦେଇ ସାରିଥିଲା । ବାହାରୁ କବାଟ ପିଟିଲା ଫୁଲମନି, ପଞ୍ଚୁ ଭାଇ ! ପଞ୍ଚୁ ଭାଇ ! ଫୁଲମନିର ଡାକ ଶୁଣି ଆଶ୍ଚର୍ଯ୍ୟ ହୋଇ ବାହାରକୁ ବାହାରି ଆସିଲା ପଞ୍ଚୁ । କହିଲା, “ଏତେ ରାତିରେ କୁଆଡ଼େ ଧାଇଁ ଆସିଲୁ ଲୋ ଫୁଲ ?” ତା’ ମନର ଗୋପନ କୋଣରେ ଆଦିମ କ୍ଷୁଧା ମଧ୍ୟ ଜାଗି ଉଠିଲା, ଭାବିଲା ସେ–ଫୁଲମନି କ’ଣ ଆସିଛି ତା’ ରୂପର ପସରା ନେଇ ?

 

ଅଧିକ ଭାବିବା ପାଇଁ ସମୟ ନ ଦେଇ କହିଲା ଫୁଲମନି–ପଞ୍ଚୁ ଭାଇ, ତୁମେ ମୋର ଆପଣାର । ବିପଦବେଳେ ମୋତେ ସାହାଯ୍ୟ କର, ଯୁଗ ଯୁଗ ପାଇଁ ତୁମ ମୁଁ ଗୁଣ ଗାଉଥିବି । ବୋକା ଆଖିରେ ଫୁଲମନିକୁ ଚାହିଁରହି କହିଲା ପଞ୍ଚୁ–କି ଉପକାର କରିବି କହିଲୁ ? ତୋ ଉପକାର କରିବି ନାହିଁ ତ ଆଉ କରିବି କାହାର ?

 

ଫୁଲମନି କହିଲା, ‘‘ମୁଁ ରାସ୍ତା ଖର୍ଚ୍ଚ ଦେବି ପଞ୍ଚୁ ଭାଇ । ତୁମେ ଶିମିଳିପାଳ ଯାଅ । ମୋ କେଶବାଇକୁ ଖୋଜି ଆଣ । ଆଉ ଅଧିକ ମୁଁ କିଛି ଚାହେଁ ନାହିଁ ।” ହସି ହସି କହିଲା ପଞ୍ଚୁ–ପାଗଳୀ ହେଲୁ କିଲୋ ଫୁଲମନି ? ଶିମୁଳିପାଳ କ’ଣ ଏମିତି ସେମିତି ଜଙ୍ଗଲ । ଅଗନା ଅଗନି ବନସ୍ତ । କେଡ଼େ କେଡ଼େ ପାହାଡ଼, କେତେ ମୁଣ୍ଡିଆ, କେତେ ଝରଣା, କେତେ ଜୀବଜନ୍ତୁ । ଏକୁଠିଆ ଯିବି କେମିତି ? କେଶବକୁ ଖୋଜିବି କେଉଁଠି ? ଯଦି ସେ ବଞ୍ଚିଥିବ, ତେବେ ନିଶ୍ଚୟ ଫେରିବ । ତୁ ଶିଖରଚଣ୍ଡୀଙ୍କ ପାଖରେ ମୁଣ୍ଡିଆ ମାର ।

 

ନୀରବରେ ଠିଆ ହୋଇଗଲା ଫୁଲମନି । ହଁ ଶୁଣିଛି ସେ ଶାମ ଭାଇଙ୍କଠାରୁ, ବିରାଟ ଶିମୁଳିପାଳ ଜଙ୍ଗଲ । ତା’ ଭିତରେ ହଜିଲା ମଣିଷକୁ ଖୋଜି ପାଇବା ସହଜ ନୁହେଁ । ତେବେ କ’ଣ କରିବ ସେ ? ଶିଖରଚଣ୍ଡୀଙ୍କ ନିକଟରେ ଜଣାଇବ ତା’ ମନର କଥା । ହଁ, ତାହାହିଁ କରିବ ସେ ।

 

ଆଉ ଅଧିକ କିଛି ନ କହି ଫେରିଲା ଫୁଲମନି ପଞ୍ଚୁ ଦାସ ଘରୁ, ଦୁଆର ମୁହଁରେ ଠିଆହୋଇ ତା’ର ଫେରିଲା ବାଟକୁ ଚାହିଁ ରହିଥିଲା ପଞ୍ଚୁ ଦାସ ।

 

ପରଦିନ ସକାଳୁ ପଦ୍ମପୋଖରୀରେ ଗାଧୋଇ ବୁଢ଼ା ବରଗଛରେ ଟିକେ ପାଣି ଦେଇ ସିଧା ଚାଲିଲା ଫୁଲମନି ପାହାଡ଼ ମୁଣ୍ଡିଆ ଉପର ଶିଖରଚଣ୍ଡୀଙ୍କ ନିକଟକୁ । ଝାଡ଼ ଜଙ୍ଗଲ ପାର ହୋଇ ଗଲାବେଳେ ତା’ ପାଦରେ କଣ୍ଟା ଫୁଟିଲା, ଆଖି ଆଗରେ ହେଟାବାଘ ଲାଙ୍ଗୁଡ଼ ଟେକି ଦୌଡ଼ିବାକୁ ଲାଗିଲେ–ତଥାପି ଫୁଲମନି ଚାଲିଥିଲା ତା’ ଗନ୍ତବ୍ୟ ପଥରେ ବିଚଳିତ ନ ହୋଇ । ଠାକୁରୁଣୀଙ୍କ ନିକଟରେ ପହଞ୍ଚି ସିଂହଦ୍ଵାର ସାମନା ଧୂଳି ଉପରେ ଶୋଇଗଲା ଲମ୍ବହେଇ–ହେ ମାଆ ଶିଖରଚଣ୍ଡୀ ! ମୋ କେଶଭାଇକୁ ଫେରାଇ ଆଣ–ମୁଁ ଭୋଗ ଦେବି, ବଳି ଦେବି ।

 

ଫୁଲମନିକୁ ଦେଖି ପରିତ୍ୟକ୍ତ ଶିଖରଚଣ୍ଡୀ ପାହାଡ଼ର ବଣୁଆଁ ମୂଷାମାନେ ଧୁସ୍ ଧୁସ୍ ହୋଇ ଏଣେତେଣେ ପଳାଇ ଯାଇ ଗଛକୁ ଚଢ଼ିଗଲେ । ଟପ୍ ଟପ୍ ହୋଇ ଖସି ପଡ଼ିଲା ଗଛର ପତ୍ର ଦେହରେ ଜମାଟ ବାନ୍ଧିଥିବା ଶ୍ରାବଣୀ ବର୍ଷା ବିନ୍ଦୁ । ବୋଧହୁଏ ମନେ ମନେ ଗାଉଥିଲା ଫୁଲମନି–

 

ଜୟ ମା ଜୟ ଭବାନୀ

ଗିରିରାଜ ନିବାସିନୀ

ରୂପେ ଅରୂପେ ବନ୍ଦିତା

ମାଗୋ ଜଗତ ଜନନୀ

ଚଣ୍ଡୀକା ଚାମର କେଶୀ

ବିମଳା ମା ଶୁଭଙ୍କରୀ

କୌମାରୀ କରୁଣାମୟୀ

ଷୋଡ଼ଶୀ ଭୁବନେଶ୍ୱରୀ ।

ଭୈରବୀ ବଗଳାମୁଖୀ

ମାତଙ୍ଗୀ ମା ତ୍ରିନୟନୀ ।

କମଳା କମଳାସନୀ

ମହାମାୟୀ ଆଦିମାତା

ଯୋଗେଶ୍ଵରୀ ଯୋଗମାୟା

ଚରାଚରରେ ପୂଜିତା ।

ରକ୍ତପଦ୍ମ ବିଭୂଷିତା

ଶରଣାଗତ ପାଳିନୀ ।

 

ଫୁଲମନିର ହୃଦୟ ଫଟା ଆକୁଳ ଆର୍ତ୍ତନାଦ ପ୍ରତିଧ୍ଵନି ସୃଷ୍ଟି କରୁଥିଲା ଚନ୍ଦକା ଜଙ୍ଗଲର ଶାଳ, ପିଆଶାଳ ବୃକ୍ଷ ଏବଂ ପକ୍ଷୀମାନେ ଆକାଶରେ ଉଡ଼ି କିଚିରି ମିଚିରି ଶବ୍ଦ କରି ସମବେଦନା ଜଣାଉଥିଲେ ଫୁଲମନିକୁ । ଭାବୁଥିଲା ଫୁଲମନି–ମୁଁ ଉଠିବିନି ଏ ସ୍ଥାନରୁ ମୋ କେଶବାଇ ଫେରିବା ପର୍ଯ୍ୟନ୍ତ ।

 

ଏତିକିବେଳେ ଜଙ୍ଗଲ ଭିତରୁ ବାହାରି ଆଗରେ ଠିଆହୋଇଗଲା ମନେଇ ଦାସ । ତା’ ଆଖିରେ ଜଳୁଥିଲା ନିଆଁ ଦାଉ ଦାଉ । ଗାଁ ମୁଖିଆ ସେ । ବଢ଼ିଲାକୁଢ଼ିଲା କେଳା ଝିଅ ଫୁଲମନି ଏତେ ବାଟ ଏକୁଟିଆ ଆସିଛି । ମନେଇ ଦାସ ଅପବାଦ ଲଦିଦେବ ନାହିଁ ତ ? କଅଁଳେଇ ଡାକିଲା ମନେଇ ଦାସ–କୁଆଡ଼େ ଆସିଥିଲୁ ଫୁଲ ? କ’ଣ ଏକୁଟିଆ ଆସିଛୁ ? ଛେପ ଢୋକି କହିଲା ଫୁଲମନି–ହଁ ମଉସା ! ଏକୁଟିଆ ଠାକୁରାଣୀଙ୍କ ପାଖକୁ ଆସିଥିଲି । ପାଟିମେଲା କରି ହସୁଥିଲା ମନେଇ ଦାସ । କହୁଥିଲା–“ହଉ ଭଲ କଲୁ । କ’ଣ କେଶବ ପାଇଁ ଠାକୁରାଣୀଙ୍କୁ ଡାକିବାକୁ ଆସିଛୁ-?” ଗଳା ଥରାଇ କ’ଣ ଉତ୍ତର ଦେବାକୁ ଯାଇ ନୀରବ ରହିଲା ଫୁଲମନି-। ମନେଇ କହିଲା–“ମିଛରେ କାହିଁକ ଠାକୁରଣୀଙ୍କୁ ଡାକୁଛୁ ଫୁଲ ! କେଶବାକୁ ପରା ଶିମୁଳିପାଳ ଜଙ୍ଗଲରେ ବାଘ ନେଇଗଲା ।” ମନେଇ ଦାସର କଥା ଶୁଣି କୋହରେ ଫାଟିପଡ଼ିଲା ଫୁଲମନି । କହିଲା– “ନା-। ମଉସା, ତୁମେ ଏମିତି କଥା କୁହ ନାହିଁ । ମୋ ମନ କହୁଛି ସେ ବଞ୍ଚିଛନ୍ତି । ମୁଁ ଠାକୁରୁଣୀଙ୍କୁ ଡାକିଲେ ସେ ଫେରି ଆସିବେ ।”

ଫୁଲମନିର କଥାରେ ହୋ ହୋ ହୋଇ ହସି ଉଠିଲା ମନେଇ ଦାସ । କହିଲା–‘‘ଆଲୋ, ମଲାଲୋକ ବଞ୍ଚିବ କେମିତି ? ବଞ୍ଚିବା ଲୋକକୁ ଗେରସ୍ତ କର । ବାହାଘର ପାଇଁ ମୁଁ ଟଙ୍କା ପଇସା ସାହାଯ୍ୟ ଦେବି ।’’ ମନେଇ ଦାସର କଥାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ସ୍ଥିର ହୋଇ ଠିଆ ହୋଇଥିଲା ଫୁଲମନି । ସେମିତି ହସି ହସି ଆଗେଇ ଆସୁଥିଲା ମନେଇ ଦାସ । ନିର୍ଜନ ଶିଖରଚଣ୍ଡୀ ମୁଣ୍ଡିଆ ଉପରେ ଏକୁଟିଆ ଯୁବତୀ ଝିଅ ଫୁଲମନି ଏବଂ ସମ୍ମୁଖରେ ମନେଇ ଦାସ ।

ଧୀରେ ଧୀରେ ପଛେଇ ପଛେଇ ଯାଉଥିଲା ଫୁଲମନି । ଅଟକିଗଲା ସେ ଶିଖରଚଣ୍ଡୀ ମନ୍ଦିରର କାନ୍ଥକୁ ଆଉଜି । ଶିକାରୀ ବାଘ ପରି ଖପ୍‌କରି ଫୁଲମନିର ହାତକୁ ଧରିନେଲା ମନେଇ ଦାସ । ଭୟଭୀତ ଆଖିରେ କାତର ହୋଇ ଚିତ୍କାର କରିଉଠିଲା ଫୁଲମନି–“ମନେଇ ମଉସା !”

ହଁ ।

ହସି ହସି କହୁଥିଲା ସେ–ଆଲୋ ଫୁଲ, ଆମ ଗଉଡ଼ିଆ କେଳା ଘରେ ମଉସା ପିଇସା ଭିଣେଇ ଶାଳୀ ଭେଦ ନାହିଁ । ବୁଢ଼ା ଟୋକାରେ ମଧ୍ୟ ବାରଣ ନାହଁ । ଆଜି ବୁଢ଼ା ଗେରସ୍ତ କରିଥିଲେ କାଲି ଟୋକା ଗେରସ୍ତ କରି ହେବ । ଦିନକୁ ଦିନ ନୂଆ ନୂଆ ଚାଖି ହବ । ତୁ ଡରୁଛୁ କାହିଁକି ? ଅମନା ହେଉଚୁ କାହିଁକି ? ମୁଁ ତ ଗାଁ ମୁଖିଆ । ଯାହା କହିବି କେହି ମନା କରିବେ ନାହିଁ-। ଆ…ଲୋ ଫୁଲ, ଏକୁଟିଆ ଜଙ୍ଗଲ ଭିତରେ କେହି ନାହିଁ । କେହି ଜାଣିବେ ନାହିଁ ।

“ମନେଇ ମଉସା !” ଆଖିରୁ ଲୁହ ଗଡ଼ୁଥିଲା ଫୁଲମନିର ।

ଗମ୍ଭୀର ଗଳାରେ କହିଲା ମନେଇ ଦାସ–ଆଲୋ, ମୁଁ ବୁଢ଼ାଟା ବୋଲି ମନ ହଉନି ? ଏ ବୁଢ଼ାର ବଳ କମ୍ ନାହିଁ ଫୁଲ । ତୋ ଭଳି କେତେ ଟୋକୀଙ୍କି ଘଡ଼ିକେ ନିଜର କରିନେଇ ପାରିବି ।

“ଛି, ମନେଇ ମଉସା ! ଏ ତୁମେ କ’ଣ କହୁଛ ? ମତେ ଛାଡ଼ିଦିଅ ।” କହୁଥିଲା ଫୁଲମନି !

ଆହୁରି ହସରେ ଫୁଲି ଫୁଲି କହୁଥିଲା ମନେଇ–‘‘କେତେ ସତୀ ପଣିଆଁ ଦେଖାଉଛୁ ଲୋ ଫୁଲ । ମୁଁ କ’ଣ ତୋ କଥା ଜାଣି ନାହିଁ । କେଶବାକୁ ତୁ ମନ ଦେଇଥିଲୁ । ସେ ତ ମଲା । ଆଉ କ’ଣ ତୁ ସାରା ଜୀବନ ବାହା ନ ହୋଇ ରହିବୁ ? କ’ଣ ମିଳବ ଜୀବନକୁ ଦହଗଞ୍ଜ କରି ? ଅମନା ହୋ ନା ଲୋ ଫୁଲ । ଆ, ତୋତେ ମୁଁ କେତେ ଦରବ ଦେବି ।”

–“ମଉସା !” ଚିତ୍କାର କରିଉଠିଲା ଫୁଲମନି ।

ନରମି କହୁଥିଲା ମନେଇ ଦାସ–“ରାଗୁଚୁ କିଲୋ ଫୁଲମନି ! ଏ ବୁଢ଼ା ଠେଇଁ ମନ ନ ମାନିଲେ ମୁଁ ନାଥିଆ ପୁଅ ପଦିଆ ସହିତ ବାହା କରିଦେବି, ହାତରୁ ପଇସା ଖରଚ କରିବି, ଆଉ ଭାବୁଛୁ କ’ଣ ?”

 

ଏଥର ମାଆ ଶିଖରଚଣ୍ଡୀଙ୍କ ପରି ଭୟଙ୍କରୀ ହୋଇଉଠିଲା ଫୁଲମନି । ମନେଇର ହାତଟାକୁ ଛିଞ୍ଚାଡ଼ି ଦେଇ କହିଲା–ମନେଇ ମଉସା ! କେଳା ଝିଅ ଫୁଲମନି ହାତରେ ମଧ୍ୟ କମ୍ ବଳ ନାହିଁ । ଆଉ ଆଗକୁ ଆଗେଇବ ତ ଏଇ ମୁଣ୍ଡିଆର ପଥର ଖଣ୍ଡରେ ମୁହଁକୁ ଛେଚି ଦେବି । ଚୁପ୍‍ ହେଇ ଠିଆହୋଇ ରୁହ । ନହେଲେ ଶିଖରଚଣ୍ଡୀ ମନ୍ଦିର ଆଗରେ ତୁମକୁ ବଳି ଦେଇଦେବି ।”

 

ଡରିଯାଇ ପଛକୁ ଘୁଞ୍ଚି ଆସିଲା ମନେଲ ଦାସ–କହିଲା–“ଟୋକୀ ମତେ ଡରାଉଛୁ । ତୁ କ’ଣ ଜାଣି ନାହୁଁ ଯେ ମୁଁ କେଳା ସାହିର ମୁଖିଆ । ଚାଲ ଆଜି ଗାଁକୁ, ସବୁରି ପାଖରେ କହିବି–ଟୋକୀ ଫୁଲମନି ଏକାଟିଆ ଶିଖରଚଣ୍ଡୀ ମନ୍ଦିର ପାଖରେ ଘଟଣ ଅଘଟଣ କାମ କରୁଥିଲା । ତାକୁ ଏ ଗାଁରୁ ବାହାର କରି ଦିଆଯିବ । ଯଦି ଗାଁରେ ରହିବାକୁ ସେ ଚାହେଁ–ତେବେ ଦିନକ ମଧ୍ୟରେ ନାଥିଆ ପୁଅ ପଦିଆକୁ ବାହା ହେଇ ରହୁ ।”

 

ମନେଇ ଦାସର କଥା ନ ଶୁଣି ଦୌଡ଼ି ଦୌଡ଼ି ଫେରି ଆସୁଥିଲା ଫୁଲମନି । ମନେ କରୁଥିଲା ସେ, ସତେ ଅବା ପଛେ ପଛେ ଧାଉଁଛି ବୃଦ୍ଧ ମନେଇ ଦାସ ଆକ୍ରମଣ କରିବା ପାଇଁ ।

 

ଶିଖରଚଣ୍ଡୀଙ୍କ ମନ୍ଦିର ନିକଟରେ ଠିଆହୋଇ ନିଜକୁ ନିଜେ ଧିକ୍‌କାର କରିଥିଲା ମନେଇ ଦାସ, କ’ଣ ହେଲା–ସାମାନ୍ୟ ଟୋକୀଟା ଅପମାନ ଦେଇ ଚାଲିଗଲା । ଯୁଆନ ବେଳେ ଏଇ ଶିଖରଚଣ୍ଡୀ ମନ୍ଦିର ପାଖରେ, ଚନ୍ଦକା ଝାଡ଼ ଜଙ୍ଗଲ ଭିତରେ କେତେ ଟୋକୀ ମନା ନ ମାନିଛନ୍ତି ? କେତେ ନହୁଲି ରୂପସୀ ଅଭିଜ୍ଞ ଶିକାରୀ ନ ହୋଇଛନ୍ତି ? ଆଜି ସାମାନ୍ୟ ସନାତନ ଦାସର ଝିଅ ଫୁଲମନି ଅପମାନ ଦେଇ ଚାଲିଗଲା । ନା….ଏ ଅପମାନର ପ୍ରତିଶୋଧ ନେବାକୁ ହେବ । ଫୁଲମନିର ଗର୍ବ ଭାଙ୍ଗିବାକୁ ପଡ଼ିବ ।

 

ଏମିତି ଚିନ୍ତା କରୁ କରୁ ଗାଁଆଡ଼େ ଆଗେଇବାରେ ଲାଗିଲା ମନେଇ ଦାସ । ଠିକ୍ ପଦ୍ମପୋଖରୀ ହୁଡ଼ା ଉପରେ ପହଞ୍ଚିଛି କି ନାହିଁ ଦେଖିଲା ସନାତନ ଦାସ ତା’ ପେଡ଼ିର ସାପମାନଙ୍କ ପାଇଁ ବେଙ୍ଗ ଧରୁଛି । ରାଗରେ କମ୍ପି ଉଠିଲା ସେ–ସନା !

 

ବାହ୍ମୁଣୀ ବେଙ୍ଗଟାଏ ହାତରେ ଧରି ଠିଆ ହୋଇଗଲା ସନାତନ । କହିଲା–କ’ଣ ହେଲା ମନେଇ ଭାଇ ?

 

–ହବ ଆଉ କ’ଣ ? ତୁ କ’ଣ ଜାଣି ନାହୁଁ ଯେ–‘‘କେଳା ଝିଅ ଘରଯୋଗ୍ୟ ହେବାପରେ ଏକୁଟିଆ ଗାଁ ବାହାରକୁ ଯାଆନ୍ତି ନାହିଁ । ପର ପୁରୁଷଙ୍କ ସହିତ ମିଶନ୍ତି ନାହିଁ ?”

 

–‘‘କ’ଣ ହେଲା କୁହ ?” କହୁଥିଲା ସନାତନ ।

 

–“ତେବେ ତୋ ଟୋକୀ ଝିଅଟାକୁ ଏକୁଟିଆ ବଣ ଭିତରକୁ ଛାଡ଼ିଛୁ କାହିଁକି ? ସେ ଶିଖରଚଣ୍ଡୀ ମନ୍ଦିର ପାଖରେ ଘଟଣ ଅଘଟଣ କାମ କରୁଛି । ଭାଗ୍ୟକୁ ମୋ ଆଖିରେ ପଡ଼ିଗଲା ।”

 

–‘‘ମନେଇ ଭାଇ” ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସନାତନ ।

 

–“ଶୁଣ୍‍ ସନା ! ଆଜିଠାରୁ ତୋତେ ଗାଁରେ ନିଆଁପାଣି ବନ୍ଦ ! ଏକଘରକିଆ କରାଗଲା-। ଟୋକୀଟାକୁ ବାହାଦବା ପରେ ଯାଇ ତୁ ପୁଣି ଗାଁରେ ମିଶିବୁ ।”

 

–ରାଗନି ମନେଇ ଭାଇ ! ୟା ଭିତରେ ନିଶ୍ଚୟ ଝିଅଟକୁ ବାହା କରିଦେବି । ଖାଲି ବରଟିଏ ପାଇଲେ ହେଲା ।

–ବର ମୁଁ ଠିକ୍ କରି ଦଉଛି । ତୁ ବାହାଘର ଯୋଗାଡ଼ କର । ନାଥ ଦାସ ପୁଅ ପଦିଆ ଅଯୋଗା ନୁହେଁ । ତାକୁ ଝିଅ ଦେ ।

 

–ପଦିଆଟା ହୁଣ୍ଡା, ଗୋଟାଏ ଆଖି ନାହିଁ, କଣା, ତାକୁ କେମିତି ଝିଅଟା ଦେବି ମନେଇ ଭାଇ ।

 

–ଆଉ କ’ଣ ତୋ ଝିଅ ପାଇଁ କୋଉଠୁ ସରଗଛିଣ୍ଡା ବର ଆସିବ ? ସେଇ ପଦିଆକୁ ଦେ । ନ ହେଲେ ଅଲଗା ରହ ।

 

–ହଉ ମୁଁ ତୁମ କଥା ରଖିବି ମନେଇ ଭାଇ । ଆଜି ନାଥ ଦାସକୁ ମୁଁ କହିବି । ଦୁଇ ଚାରିଦିନ ଭିତରେ ସବୁ ଠିକ୍ ଠାକ୍ ହୋଇଯିବ ।

 

–ହଉ, ଡେରିକଲେ ନିଜେ ହଇରାଣ ଭୋଗିବୁ । ମୋତେ ଦୋଷ ଦେବୁ ନାହିଁ ।

 

କହୁ କହୁ ଅଭିଭାବକ ଭଙ୍ଗୀରେ ଚାଲିଗଲା ମନେଇ ଦାସ । ସେ ଆଡ଼କୁ ଚାହିଁ ଭାବୁଥିଲା ସନାତନ । ଫୁଲମନି ଏକୁଟିଆ ଶେଖରଚଣ୍ଡୀ ପାଖକୁ ଯାଇଥିଲା ? ଘଟଣ ଅଘଟଣ କାମ କରୁଥିଲା ?? ନା…ନା…ସେ ମୋର ଝିଅ । କେଳା ଘରର ମାନ୍ ରଖି ତାକୁ ଚଳିବାକୁ ହେବ-। ରାଗ ତମ୍ ତମ୍ରେ ଗାଁଆକୁ ମୁହାଁଇଲା ସନାତନ । ଘର ଦୁଆର ମୁହଁରେ ପହଞ୍ଚିଲା ବେଳକୁ ଦେଖିଲା ଫୁଲମନି ଗାଲରେ ହାତଦେଇ ନୀରବରେ ଘର ପିଣ୍ଡାରେ ବସିଛି । କମ୍ପି ଉଠି କହିଲା ସେ–“ଫୁଲମନି, ତୁ ଏକୁଟିଆ କୁଆଡ଼େ ଯାଇଥିଲୁ ?”

 

–ଶିଖରଚଣ୍ଡୀଙ୍କ ପାଖକୁ’ ଡରି ଡରି କହିଲା ଫୁଲମନି ।

 

–‘କେଳା ଘରର ଝିଅ ତୁ, କିଏ କହିଲା ଏକୁଟିଆ ବଣକୁ ଯିବା ପାଇଁ ? ମତେ ନ କହି ତୁ ଗଲୁ କାହିଁକି ?’ କହିଲା ସନାତନ ।

 

ବାପାଙ୍କ ରାଗ ଦେଖି ମନେ ମନେ ସବୁ ଅନୁମାନ କରିନେଲା ଫୁଲମନି । ତା’ ଆଖିରୁ ଝରୁଥିଲା ବେଦନାର ଲୋତକ । ଲୁହ ପୋଛୁ ପୋଛୁ କହିଲା ସେ–‘ଠାକୁରାଣୀଙ୍କ ମନ୍ଦିରକୁ ଏକୁଠିଆ ଯିବା କ’ଣ ଦୋଷ ବାପା ?’

 

ଆହୁରି ରାଗିଉଠିଲା ସନାତନ । କହିଲା–‘‘ଜଙ୍ଗଲ ଭିତରକୁ ଠାକୁରଣୀଙ୍କ ନିକଟକୁ ଏକୁଟିଆ ଗଲୁ କାହିଁକି ? କାହା ସହିତ ମିଶିଥିଲୁ ସେଠାରେ ?”

 

ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ଫୁଲମନି, କହିଲା–“ମୁଁ କାହା ସହିତ ମିଶିନି ବାପା-। ମନେଇ ମଉସା ମିଛ କହିଛନ୍ତି ।”

 

–“ମନେଇ ମଉସା ଗାଁ ମୁଖିଆ, ସେ ମିଛ କହିଲେ ବି ସତ ବୋଲି ଧରାଯିବ । ତୁ ମୋର ଝିଅ ହୋଇଥିଲୁ କ’ଣ ମତେ ଏକଘରିଆ କରି ରଖିବା ପାଇଁ ?” ଏତିକିବେଳେ ଦାଣ୍ଡଦୁଆରକୁ ବାହାରି ଆସିଲା ଫୁଲମନିର ବୋଉ, କହିଲା–‘‘କ’ଣ ହେଲା ? ଝିଅଟା ଉପରେ ଏମିତି ପାଟି କରୁଛ କାହିଁକି ?” ସନାତନ କହିଲା–‘‘ପାଟି କରିବିନି ଆଉ କ’ଣ ପୂଜା କରିବି ? ଝିଅ ଏକୁଟିଆ ବଣ ଭିତରେ ବୁଲି ବୁଲି ଘଇତା କରିବ । ମୁଁ ବାପ ହୋଇ ସବୁ ଶୁଣି ଚୁପ୍ ରହିବି ?”

 

–“ଛି…ଛି…ଏ ତୁମେ କ’ଣ କହୁଛ ? ମୋ ଫୁଲମନିକୁ କ’ଣ ଘଇତା ମିଳୁନାହାନ୍ତି ଯେ ସେ ବଣ ଭିତରେ ଯାଇ ଘଇତା କରୁଛି ?”

 

–“ହଉ ସେ ଝିଅ ସୁଆଗ ରଖ । ମୁଁ ସଙ୍ଗେ ସଙ୍ଗେ ଯାଉଛି ନାଥ ଦାସ ସହିତ କଥା ଛିଡ଼େଇ ଆସିବି । ଆସନ୍ତା ତିଥିରେ ତା’ ପୁଅ ପଦିଆ ସହିତ ଫୁଲର ବାହାଘର ହେବ;” କହିଲା ସନାତନ ।

 

କମ୍ପିଉଠି କହିଲା ଫୁଲମନିର ବୋଉ–“ଏଁ, କ’ଣ କହିଲ ? ପଦିଆଟା ପରା କଣା, ମାଇଚିଆ, ବୋକା ?”

 

–“କ’ଣ ହେଲା ସେଠୁ ? ତୁମ ଝିଅ ପାଇଁ ଆଉ ଭଲ ବରଟାଏ ଆଣିବି କୋଉଠୁ ?”

 

–‘ଏମିତି କ’ଣ କହୁଛ ?’ କହିଲା ଫୁଲମନିର ବୋଉ ।

 

ଆହୁରି ରାଗିଉଠି କହିଲା ସନାତନ–“ମୁଁ ଯାହା କହୁଛି ଠିକ୍‌ କହୁଛି । ପଦିଆ କ’ଣ ଆଉ ବାହା ହବନି ? ପୁରୁଷ ପିଲା ସେ, ତା’ର ରୂପରେ ଗୋଟାଏ ଖୁଣ କ’ଣ ? ତାକୁଇ ମୁଁ ଫୁଲକୁ ଦେବି ।’’

 

ସନାତନର ରାଗ ତମତମ କଥା ଶୁଣି ନୀରବ ହୋଇଗଲା ଫୁଲମନିର ବୋଉ । ଫୁଲମନି ପାଖକୁ ଲାଗିଆସି, ତା’ ମୁଣ୍ଡକୁ ଆଉଁସି ଦେଉ ଦେଉ କହିଲା–“ତୁ ଯାଆ ଲୋ ଝିଅ, ଦିଟା ଭାତ ବସେଇ ଦେ । କୋଉ ପାଣି କୁଆଡ଼କୁ ଯାଉଛି ଯାଉ ।’’ ବୋଉର କଥା ଶୁଣି ଆଖିରୁ ଲୁହ ପୋଛି ଘର ଭିତରକୁ ପଶିଗଲା ଫୁଲମନି ।

 

ସନାତନ ଆଉ ଦାଣ୍ଡ ଦୁଆରେ ଠିଆ ନ ହୋଇ ସିଧା ଚାଲିଲା ନାଥ ଦାସ ଘରକୁ । ନାଥ ଦାସ ସନାତନକୁ ଦୂରରୁ ଦେଖି ହୁରି ପକାଇ କହିଲା–“ଆରେ ସନା ! ମୁଁ ମନେଇ ଭାଇଠାରୁ ସବୁ ଶୁଣିଛି । ମୋର କିଛି ଆପତ୍ତି ନାହିଁ । ଆଗାମୀ ତିଥିରେ କାମ ଉଠେଇ ନେବା । ଆଉ ଗୋଟାଏ କଥା ହବା କ’ଣ ? ସେ ଘର ଝିଅ ଏ ଘରକୁ ଆସିବ । ଫୁଲଟାକୁ ମୁଁ ପିଲାବେଳରୁ ଭଲପାଏ । ସେ ବୋହୂ ହେଇ ଆସିଲେ ମୁଁ ଖୁବ୍ ଖୁସି ହେବି ।’’ ନାଥ ଦାସର କଥା ଶୁଣି ଆନନ୍ଦିତ ହେଲା ସନାତନ, କହିଲା–“ହଁ କରିବ ବୋଲି ମୋର ଭରସା ଥିଲା ନାଥ ଭାଇ । ସେଇଥିପାଇଁ ସିଧା ସଳଖ ଚାଲିଆସିଥିଲି ତୁମ ପାଖକୁ ।’’

 

ଏମିତି ଦୁଇଜଣଙ୍କର ଆଲୋଚନା ପରେ କଥାଟା ପକ୍‌କା ହେଇଗଲା । ଆନନ୍ଦିତ ମନରେ ଫେରିଲା ସନାତନ । ଘରେ ପହଞ୍ଚି ହୁରି ପକାଇଲା ସେ–ଫୁଲ ବୋଉ, ନାଥ ଭାଇ ସହିତ କଥା ପକ୍‌କା କରି ଆସିଲି । ଆସନ୍ତା ତିଥିରେ ବାହାଘର ହବ । ତୁମେ ଯୋଗାଡ଼ରେ ଲାଗିପଡ଼ ।

 

ସ୍ଵାମୀଙ୍କ କଥା ଫୁଲମନିର ବୋଉ ଛାତିରେ ଛୁଞ୍ଚିପରି ଗଳିଗଲା । –ମୋ ଝିଅ କଣା ପଦିଆଟାକୁ ବାହା ହବ । ଜୀବନ ସାରା କାନ୍ଦିବା ସାର ହେବ ସିନା । କ’ଣ କରିବି ? ଆନନ୍ଦିତ ହେବି ନା କାନ୍ଦିବି; କୋଉ ମାଆ ଚାହେଁ–ତା’ ଝିଅ କଣା କୁଜା କେମ୍ପା ହୁଣ୍ଡା ମାଇଚିଆକୁ ବାହା ହେଉ !

 

ଆଉ ନିଜକୁ ସମ୍ଭାଳି ନ ପାରି କହିଲା ସେ–ହଇ ହେ, ତୁମେ ଝିଅକୁ ପଦିଆ ସହିତ ବାହା ଦେବା ଅପେକ୍ଷା ତା’ ତଣ୍ଟି ଚିପି ମାରି ଦେଉ ନାହଁ, ତାକୁ ଦି ଅକ୍ଷର ପାଠଶାଠ ପଢ଼ାଇ ଥିଲ କ’ଣ କଣା ପଦିଆ ସହିତ ବାହାଦେବା ପାଇଁ ?

 

ରାଗରେ ତମ ତମ ହୋଇ ସନାତନ କହିଲା–“ଥରେ କଥା ଠିକ୍‌ କରି ଆସିଛି ଯେତେବେଳେ, ବାହାଘର ନିଶ୍ଚୟ ହେବ । କେହି ବନ୍ଦକରି ପାରିବେ ନାହିଁ । ତୁମେ ଯଦି ନ ଚାହଁ–ତେବେ ଝିଅକୁ ନେଇ ଏ ଘରୁ ବାହାରି ଯାଅ ।’’ ସନାତନର କଥା ଶୁଣି ଚମକିପଡ଼ିଲେ ଫୁଲମନିର ବୋଉ । ଏଁ..... । ସେ ଝିଅକୁ ନେଇ ଯିବେ କୁଆଡ଼େ ? କେଳାଘର ଝିଅ ସିଏ, ଏ ଗାଁରେ ଥରେ ବଦନାମ ରଟିଲେ, ବାଛନ୍ଦ ହେଲେ, ଆଉ କେଉଁ ଗାଁର କିଏ ଆସିବ ତାକୁ ବାହା ହବା ପାଇଁ ? ଶେଷରେ ରାସ୍ତା କଡ଼ରେ ପଡ଼ି ମରିବା ସାର ହେବ ସିନା ।

 

ତା’ପରେ ଫୁଲମନିକୁ ଡାକିଲେ ସେ ନିଜ ପାଖକୁ, କଇଁ କଇଁ ହେଇ କାନ୍ଦି ଫୁଲମନି ଠିଆ ହେଲା ବୋଉ ପାଖରେ । କହିଲେ ସେ–ଫୁଲ ! କାନ୍ଦ ନା ଲୋ, ତୋ ଭାଗ୍ୟରେ ଯାହା ଅଛି-। ଭାଗ୍ୟଫଳ ଓଲଟାଇବ କିଏ । ସେଇ ପଦିଆକୁ ନେଇ ତୁ ସୁଖ ସଂସାର କର ।

 

ବୋଉର କଥା ଶୁଣି ଆହୁରି କାନ୍ଦିଉଠିଲା ଫୁଲମନି । ମୁହଁରେ ହାତଦେଇ ଦୌଡ଼ି ବାହାରି ଆସିଲା ପଦାକୁ । ହଠାତ୍ ଶ୍ରାବଣ ମାସର ଉଠାଣି ବର୍ଷା ବର୍ଷିବାକୁ ଆରମ୍ଭ କରିଦେଲା । ସେହି ବର୍ଷାରେ ଭିଜି ଭିଜି ଦୌଡ଼ିବାରେ ଲାଗିଥାଏ ଫୁଲମନି ପଦ୍ମପୋଖରୀ ଆଡ଼େ । ପୋଖରୀ ହୁଡ଼ାର ବୁଢ଼ା ବରଗଛକୁ ଚାହିଁଲା ସେ । ବରଗଛର ପତ୍ରରୁ ଖସି ପଡ଼ୁଛି ବିନ୍ଦୁ ବିନ୍ଦୁ ବର୍ଷା ଜଳ । ମନେକଲା ଫୁଲମନି, ତା’ ଦୁଃଖରେ ଦୁଃଖିତ ହୋଇ କାନ୍ଦୁଛି ବୁଢ଼ା ବରଗଛ । ଅସ୍ଥିର ଚିତ୍ତରେ ହୁଡ଼ାରେ ଠିଆହୋଇ ପଦ୍ମଶୋଭିତ ପୋଖରୀକୁ ଚାହିଁଲା ସେ–ଅନେକ ପଦ୍ମଫୁଲର ଅପୂର୍ବ ଶୋଭା-। ଏ ଫୁଲ କାହା ପାଇଁ ? କ’ଣ ପଦିଆର ଆନନ୍ଦ ପାଇଁ ପୋଖରୀର ସବୁ ପଦ୍ମ ଫୁଲ ଫୁଟି ଉଠିଛନ୍ତି-। ଆଶ୍ଚର୍ଯ୍ୟ ହେଉଥିଲା ଫୁଲମନି । ପଦ୍ମ ପତ୍ର ଉପରର ଢଳ ଢଳ ଜଳବିନ୍ଦୁକୁ ଚାହୁଁଥିଲା ସେ-। ତା’ ଜୀବନଟା କ’ଣ କେବଳ ଏମିତି ଢଳ ଢଳ, ଅସ୍ଥିର ! ମୁହଁ ବୁଲାଇଲା ଫୁଲମନି ।

 

ହୁଡ଼ା କଡ଼ର ଅରଖ ବୁଦା ମୂଳେ ବର୍ଷାର ବିତାନରେ ନାଗ ଦମ୍ପତିଙ୍କର ଅପୂର୍ବ କ୍ରୀଡ଼ା ରସ । ଏ କ’ଣ ଦେଖୁଛି ଫୁଲମନି ! ନାଗ ଦମ୍ପତିଙ୍କର କ୍ରୀଡ଼ା ଯେ ମଙ୍ଗଳ ସୂଚନା ପ୍ରଦାନ କରେ । ଯୌନ ଜୀବନରେ ଆଶାର ସଞ୍ଚାର କରେ । ତେବେ କ’ଣ ଆଖିରୁ ଲୁହ ପୋଛି ହସିବ ଫୁଲମନି । ହଁ ହସିବ ସେ ଭାଗ୍ୟକୁ ନିନ୍ଦା କରି କରି । ତା’ କୁଳର ନାଗ ଦେବତା ନିଷ୍ଠୁର ହୋଇଛନ୍ତି, ନିର୍ଜୀବ ହୋଇଛନ୍ତି ତା’ ପାଇଁ ।

 

ଫୁଲମନିର ଆଖି ଆଗରେ ନାଚିଉଠିଲେ ଶହ ଶହ ନାଗ ପଦ୍ମପୋଖରୀର ପାଣି ଭିତରେ, ପଦ୍ମ ପତ୍ର ଉପରେ । ଠିକ୍‌ କାଳୀୟଦଳନ ପୂର୍ବରୁ କାଳନ୍ଦୀ ହ୍ରଦର ବିଷଧାରୀ ନାଗମାନଙ୍କ ପରି । ଦୂର ଦିଗ୍‍ବଳୟକୁ ଚାହିଁଲା ଫୁଲମନି । ଶ୍ରୀପର୍ବତମାଳାର ଶିଖର ଉପରେ ଅନ୍ଧାର ଜମାଟ ବାନ୍ଧିଆସୁଛି ଠିକ୍‍ ତା’ର ଭାଗ୍ୟ ଆକାଶ ପରି । ଖଣ୍ଡକୁ ଖଣ୍ଡ ଓହଳା ମେଘ ଗ୍ରାସକରୁଛି ଶ୍ରୀପର୍ବତକୁ କଣା ପଦିଆ ଏବଂ ମନେଇ ଦାସର ରୂପ ଧରି । ତାରି ଭିତରେ ଥାଇ ଫୁଲମନି ହସିବ ବିଜୁଳିର ହସ । କାନ୍ଦିବ ଘଡ଼ଘଡ଼ିର ଶବ୍ଦରେ । ମନେକଲା ଫୁଲମନି–ସତେ ଅବା ତା’ କେଶବାଇ ସେଇ ଶ୍ରୀପର୍ବତ ମାଳାର କୌଣସି ଗୁହା ଭିତରେ ବସି କହୁଛି, କାନ୍ଦ୍ ନହିଁ ଫୁଲମନି । ଆଖିରୁ ଲୁହ ପୋଛି ବାପା ବୋଉଙ୍କ କାଥା ମାନିନେ । କେଳା ଘରର ନୀତି ନିୟମକୁ ଆଦରିନେ । ସେ ସମାଜ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ତୋ ଦେହରେ ବଳ କାହିଁ ? ତୋ ମନରେ ଶକ୍ତି କାହିଁ ।

 

ଚିତ୍କାର କରି ଉଠିଲା ଫୁଲମନି–କେଶବାଇ !

 

ପ୍ରତିଧ୍ଵନି ସୃଷ୍ଟିକଲା ଫାଙ୍କା ପଦ୍ମପୋଖରୀ ହୁଡ଼ା । ଏ ଚିତ୍କାରରେ ଅସ୍ଥିର ହୋଇ ପୁଣି ମୁହଁ ବୁଲାଇଲା ଫୁଲମନି,–ମୁଁ ବାପା ବୋଉ ଗାଁ ମୁଖିଆ ମନେଇ ଦାସଙ୍କ କଥା ମାନି ନେଇଛି କେଶବାଇ । କିନ୍ତୁ ମା ଶିଖରଚଣ୍ଡୀଙ୍କ ନିକଟରେ ମୋର ଗୋଟିଏ ଅଳି–ତୁମେ ବଞ୍ଚିରହିଥାଅ ଫୁଲମନିର ଆଖିରେ ଲୁହ ଦେଖିବା ପାଇଁ । ତୁମେ ଫେରିଆସ । ଏଇ ପଦ୍ମପୋଖରୀ ହୁଡ଼ାରେ ବସି ତୁମ ପୋଷା ସାପମାନଙ୍କୁ ଖେଳାଅ । ସେତିକିରେ ମୋର ସନ୍ତୋଷ, ପରିତୃପ୍ତି ।

 

ପଛରୁ ଖତେଇ ହୋଇ କହିଉଠିଲା ମନେଇ ଦାସ–କିଲୋ ଟୋକୀ; ଏଥର କଣା ପଦିଆକୁ ବାହା ହବୁ ତ ?

 

–“ମନେଇ ମଉସା !” ବଡ଼ ବଡ଼ ଆଖିରେ ଚାହିଁ କହିଲା ଫୁଲମନି । –“କଣା ପଦିଆର ବି ଖୁବ୍ ରସ ଅଛିଲୋ ଟୋକୀ । ଏ ବୁଢ଼ା ମନେଇ ଦାସ ଠାରୁ ବେଶୀ । ’’

 

ଝିପି ଝିପି ଶ୍ରାବଣୀ ବର୍ଷାରେ ମଧ୍ୟ ଚାଲିବାକୁ ଲାଗିଲା ଫୁଲମନି, କହିଲା–ମନେଇ ମଉସା ! କେଳା ଝିଅ ଫୁଲମନି ମଧ୍ୟ ସାପଙ୍କ ସହିତ ଖେଳେ । ବିଷ ଦାନ୍ତ ଭାଙ୍ଗି ବିଷଧର ସାପମାନଙ୍କୁ ପେଡ଼ିରେ ପୂରାଏ । ଅପେକ୍ଷା କର, ତୁମ ଭଳି ସାପମାନଙ୍କର ବିଷଦାନ୍ତ ଝାଡ଼ି ସେ କଣ୍ଟକହୀନ କରିବ ଏ ସମାଜକୁ ।

ଫୁଲମନିର କଥା ଶୁଣି ପାଟି ମେଲାକରି ବେଖାତିର ହସ ହସୁଥିଲା ମନେଇ ଦାସ... ।

କ୍ରମାଗତ ବର୍ଷା ଫଳରେ ଆଜି ଶିମୁଳିପାଳ ଜଙ୍ଗଲରେ ରାସ୍ତା କାମ ବନ୍ଦ୍ । ବୋଉ ମାଲ୍‌ହ ଯାଇଛି ସକାଳୁ ସକାଳୁ ବଣ ଭିତରକୁ ପିତା ଆଳୁ ଖୋଳିବା ପାଇଁ । ନଅଣାର ମୁଣ୍ଡିଆ ଉପରେ ବସି ପୁରୁଣା ଶିମିଳି ଗଡ଼କୁ ଚାହିଁଛି କାପୁରା । ବାଡ଼ିଟିଏ ଢିରା ଦେଇ ଠିଆ ହୋଇଛି କେଶବ । ଏବେ ସେ ଦିନ ରାତି ଘରେ ନ ବସି ଏଇ ମୁଣ୍ଡିଆ ଉପରେ ବସି ଦେଖୁଛି ବିରାଟ ଜଙ୍ଗଲ ଶିମୁଳିପାଳର ଶୋଭା ସମ୍ପଦ ।

ନିଘଞ୍ଚ କାନନ ଶିମୁଳିପାଳ ଅରଣ୍ୟ । ଦିନେ ହୁଏତ ଏଇ ନିଘଞ୍ଚ ଅରଣ୍ୟରେ ପାଣ୍ଡବମାନେ କରିଥିଲେ ଅଜ୍ଞାତ ବନବାସ, କାରଣ ପୁରାଣ କହେ–ପାଣ୍ଡବମାନେ ବିଶାଳ ଶାଳ୍ମଳୀ ବୃକ୍ଷରେ ନିଜ ନିଜର ଅସ୍ତ୍ରଶସ୍ତ୍ର ଗୋପନରେ ରଖି ଆଶ୍ରୟ ନେଇଥିଲେ ବିରାଟ ରାଜ୍ୟରେ । ସେହି ଶାଳ୍ମଳୀ ଅରଣ୍ୟ ହିଁ ଶିମୁଳିପାଳର ନିଜସ୍ୱ । ପୁଣି ଶିମୁଳିପାଳକୁ ଲାଗି ବିରାଟ ଗଡ଼, କିଚକେଶ୍ଵରୀ ମନ୍ଦିର, କିଚକ ଗଡ଼ । ଚତୁଃପାର୍ଶ୍ଵରେ ମେଘ ଦେଶ, ମତ୍ସ୍ୟଦେଶ, ରାଢ଼ ଦେଶ । ପୁରାଣ ଏବଂ ଇତିହାସର ସ୍ମୃତିବହନ କରି ମୁଣ୍ଡଟେକି ଆକାଶକୁ ଚାହିଁଛି ଶିମୁଳିପାଳ ଅରଣ୍ୟ ।

ମୁଣ୍ଡିଆ ଉପରେ ବସି ଗୁଞ୍ଜରୀମାଳି ଗୁନ୍ଥୁଚି କାପୁରା । ବେଳେ ବେଳେ ସେ ଚାହୁଁଛି ସେ ପୁରୁଣା ଶିମୁଳି ଗଡ଼ ଆଡ଼େ । କିନ୍ତୁ କାହା ପାଇଁ ତା’ର ଏ ମାଳି ଗୁନ୍ଥା ? ହସି ଉଠିଲା କେଶବ–କାପୁରା ! ତୋର କ’ଣ ମାଳିଗୁନ୍ଥା ସରିବ ନାହିଁ ? କେଶବର ପ୍ରଶ୍ନରେ ଦାନ୍ତ ଦେଖାଇ ବୁଲି ଚାହିଁଲା କାପୁରା ଏବଂ ଧାଇଁ ଆସିଲା ଆଖି ପିଛୁଡ଼ାକେ ନୂଆବାବୁ ପାଖକୁ । ଦରଗୁନ୍ଥା ମାଳିଟାକୁ କେଶବ ବେକରେ ପକାଇ ଦେଇ କହିଲା–ଦେଖିଲ, କେଡ଼େ ସୁନ୍ଦର ଦିଶୁଛି ।

ହସିଲା କେଶବ । କହିଲା–ଓ, ମାଳି ତା’ହେଲେ ମୋ ପାଇଁ ଗୁନ୍ଥୁଛୁ ? ତୋ ବେକ ତ ଫୁଙ୍ଗୁଳା । ତୁ ମୋ ପାଇଁ ମାଳି ଗୁନ୍ଥୁଛୁ କାହିଁକି ? ଗୁନ୍ଥିସାରି ତୋ ନିଜ ବେକରେ ପକା । କେଶବର କଥା ଶୁଣି ଆହୁରି ହସିଲା କାପୁରା, କହିଲା–ଧେତେରି ନୂଆବାବୁ । ତୁମେ ଜାଣି ପାରୁନାହିଁ ! ମୁଁ ମାଳି ପାକାଇଲେ ସମସ୍ତେ ମତେ ଚାହିଁବେ, ହସିବେ, ଆଖି ମାରିବେ । ସେଇଥି ପାଇଁ ତୁମେ ମାଳି ପକା ।’’

–“ମତେ ସେମିତି ଅନ୍ୟମାନେ ଚାହିଁବେ, ହସିବେ, ଆଖି ମାରିବେ ?” କହିଲା କେଶବ-

ହସି ହସି ମୁଣ୍ଡିଆ ଉପରେ ଗଡ଼ିଯାଇ କହିଲା କାପୁରା–“ଉହୁଁ ! ତୁମେ ବେକରେ ମାଳି ପକାଇଲେ–ମୁଁ ଚାହିଁବି, ମୁଁ ହସିବି, ମୁଁ ଆଖି ଠାରିବି, ଆଉ କିଏ କାହିଁକି ଏଠିକି ଆସିବ ।’’

ମନେ ମନେ ଲଜ୍ଜିତ ହେଲା କେଶବ । ସାନ୍ତାଳୀ ଝିଅ କାପୁରା ତାକୁ କେତେ ନିଜର ବୋଲି ନ ଭାବୁଛି । କେତେ ଆପଣାର ନ କରୁଛି । କିନ୍ତୁ ସେ କାପୁରାକୁ ଆପଣାର କରିଛି ତ ? ଏଥର ଆଖି ଆଗରେ ପୁଣି ନାଚି ଉଠିଲା ଫୁଲମନି । କ’ଣ କରୁଥିବ ସେ ? ରାତି ରାତି ଦିନ ଦିନ ନିଶ୍ଚୟ କାନ୍ଦୁଥିବ ଆଖିକୁ ଚୁପୁଡ଼ି । କେତେ ଭୋଗ ମନାସୁଥିବ ଶିଖରଚଣ୍ଡୀଙ୍କ ନିକଟରେ । ଶେଷରେ ଆଖି ପାଣି ଆଖିରେ ଶୁଖୁଥିବ, ହତାଶରେ ଧିକ୍‌କାରୁଥିବ ସେ ନିଜକୁ ।

ଏତିକିବେଳେ କେଶବକୁ ହଲାଇଦେଲା କାପୁରା । କହିଲା–ଏ ନୂଆବାବୁ ! କ’ଣ ଭାବୁଛ ? ଏ ଝିପି ଝିପି ପାହାଡ଼ୀ ବର୍ଷା କ’ଣ ତୁମକୁ ଭଲ ଲାଗୁନାହିଁ ! ସତେ ଅବା ପୁଣି ପାହାଡ଼ରୁ ଖସି ପଡ଼ିଲା କେଶବ । ଚିହିଁକି ଉଠି କହିଲା–ନାଇଁ କାପୁରା ! ମୁଁ ଭାବୁଥିଲି ତୋରି କଥା ।

 

–“ମୋର କଥା !” ଆହୁରି ହସିଲା କାପୁରା । ହସିବା ଯେମିତି ତା’ର ସଞ୍ଚିତ ସମ୍ପଦ ।

 

–“ହଁ ତୋରି କଥା ।’’ କହିଲା କେଶବ ।

 

–“ମୋ କଥା କ’ଣ ଭାବୁଥିଲ କୁହ ନୂଆବାବୁ ।’’ ଅଳି କରିବା ପରି କହିଲା କାପୁରା ।

 

–“ମୁଁ ଭାବୁଥିଲି ତୋ ବାହାଘର କଥା ।’’ ଛେପ ଢୋକି କହିଲା କେଶବ ।

 

ହଠାତ୍ ପାହାଡ଼ୀ ଝରଣା ବାଧା ପାଇ ଅଟକିଯିବା ପରି ନଅଥ୍ କରି ବସିପଡ଼ିଲା କାପୁରା, କହିଲା–“ତୁମକୁ କ’ଣ ଏଠି ଭଲ ଲାଗୁନାହିଁ ନୂଆବାବୁ ?”

 

କି ଉତ୍ତର ଦେବ କେଶବ ? ଭବିଲା ଆକାଶ ପାତାଳ । କହିଲା–“ତୁ କ’ଣ ବାହା ହବୁନି ? ଘରସଂସାର କରିବୁନି ?”

 

କେଶବର କଥା ଶୁଣି ବୋକୀଙ୍କ ଭଳି ଅନେଇ ରହିଥାଏ କାପୁରା । ସତେଅବା କେଶବର ମୁହଁରୁ ସେ ଖୋଜୁଥାଏ ତା’ର ଅନାଗତ ଭବିଷ୍ୟତର ଇତିହାସ । ସବୁକିଛି ବୁଝିବାକୁ ଚେଷ୍ଟା କରୁଥାଏ କେଶବ । ଏମିତି କେତେ ସମୟର ନୀରବତା ପରେ କେଶବ ପୁଣି କହିଲା–କାପୁରା ! ତୁମ ସାନ୍ତାଳ ଘରେ ବାହାଘର କେମିତି ହୁଏ କହିଲୁ । ମୋର ଶୁଣିବା ପାଇଁ ଖୁବ୍ ଇଚ୍ଛା ହେଉଛି ।

 

ପଥର ମୁଣ୍ଡିଆ ଉପରେ କେଶବକୁ ବସାଇ ଦେଇ କହିଲା କାପୁରା–ଆମ ଜାତିରେ ଝିଅ ଘର ବର ଖୋଜନ୍ତି ନାହିଁ । ବରଘର ଝିଅ ଖୋଜନ୍ତି । ଏଥିପାଇଁ ମଧ୍ୟସ୍ଥି ଦରକାର । ମଧ୍ୟସ୍ଥିମାନେ କନ୍ୟାଘର ଠିକ୍ କଲେ ସଙ୍ଗେ ସଙ୍ଗେ ବାହାଘର ହୁଏ ନାହିଁ । କନ୍ୟାର ବାପା ମାଆ ଥିଲେ–ବରଘର ଗାଈ, ବଳଦ, ବାଛୁରୀ ଦିଅନ୍ତି । ଝିଅର ବାପ ନ ଥିଲେ ମାଈ ବାଛୁରୀ ଦିଅନ୍ତି, ମାଆ ନ ଥିଲେ ଅଣ୍ଡିରା ବାଛୁରୀ ଦିଅନ୍ତି । ଏ ଗାଈ ବାଛୁରୀ ବାହାଘର ଦିନ ଦିଆଯାଏ ।

 

ହସି ଉଠିଲା କେଶବ । କହିଲା–ତା’ହେଲେ ତୋ ବୋଉ ମାଲ୍‍ହ ମାଈ ବାଛୁରୀ ପାଇବ ନିଶ୍ଚୟ । ଲାଜରା ହେଲା କାପୁରା । କହିଲା–ଶୁଣ ମୁଁ କ’ଣ କହୁଛି । ଗୋଡ଼ ଦୁଇଟିକୁ ଲମ୍ବେଇ ବସି କେଶବ କହିଲା–କହ, ମୁଁ ଶୁଣିବା ପାଇଁ ତ ପଚାରିଲି । କାପୁରା କହିଲା–ଆମ ବାହାଘର ମୋଟାମୋଟି ତିନି ପ୍ରକାରର ନୂଆବାବୁ । ଟୁଙ୍କି ଦିପି, ସାଙ୍ଗେ ବାରିଆତ୍, ଦିକୁବାପ୍‌ଲା । ଟୁଙ୍କିଦିପିଲରେ ବରଘର ପାଖରୁ ଛଅ ସାତ ଜଣ କନ୍ୟା ଘରକୁ ଯାଆନ୍ତି କନ୍ୟାକୁ ଆଣିବା ପାଇଁ । ବର ଯାଏ ନାହିଁ । କନ୍ୟା ଆସେ, ବର ଘରେ ବାହାଘର ହୁଏ । ସେମିତି ସାଙ୍ଗେବାରିଆତରେ ବର ଘରୁ ଶହେ ଦେଢ଼ ଶହ ଲୋକ କନ୍ୟା ଘରକୁ ଯାଆନ୍ତି । କନ୍ୟାକୁ ଘେନି ଆସନ୍ତି ବରଘରକୁ । ବରଘରେ ବିବାହ ହୁଏ । କିନ୍ତୁ ଦିକୁବାପ୍‌ଲାରେ ବର ନିଜେ କନ୍ୟା ଘରକୁ ଯାଏ ବାହାହବା ପାଇଁ । ୟା ଛଡ଼ା ପୁଅ ଝିଅକୁ ଭଲ ପାଇଲେ ଅବା ଝିଅ ପୁଅକୁ ଭଲ ପାଇଲେ ବାହାଘର ହୁଏ । ଏ ବାହାଘରରେ ନୀତି ନିୟମ ରହେ ନହିଁ । ସେମିତି ଆଉ ଗୋଟିଏ ବିବାହ ଅଛି ଯେଉଁଥିରେ ପୁଅ ଝିଅର ମୁଣ୍ଡରେ ସିନ୍ଦୂର ମାରିଦେଲେ ପାଇଟି ଶେଷ । ରାସ୍ତାଘାଟ ମେଳା ମଉଛବ ଘର ବଣ–ଯେଉଁଠି ହେଉ ଓର ଉଣ୍ଡି ପୁଅ ଝିଅର ମୁଣ୍ଡରେ ସିନ୍ଦୂର ମାରିଦେବ । ତା’ପରେ ଆଉ ଝିଅ ମନାକରି ପାରିବ ନାହିଁ କିମ୍ବା ଝିଅର ବାପ ମାଆ ମଧ୍ୟ ମନାକରି ପାରିବେ ନହିଁ ।

 

ଆଉ ଟିକେ ପାଖକୁ ଲାଗିଆସି କେଶବ କହିଲା–କହ କହ, ବାହାଘରଟା କେମିତି ହୁଏ ଟିକେ କହ । କାପୁରା କହିଲା–ବରଘରକୁ କନ୍ୟାକୁ ଆଣି ଗୋଟାଏ ଟୋକେଇରେ ପୂରେଇ ତିନି ଚାରିଜଣ ଟେକି ଧରନ୍ତି । ଆଉ ଜଣେ ବରକୁ କାନ୍ଧରେ ବସାଇ ଠିଆ ହୋଇଥାଏ । ବର କନ୍ୟା ନୂଆ ଲୁଗା ପିନ୍ଧିଥାନ୍ତି । ପୁଅ ଝିଅ ଅଣ୍ଟିରେ ଅରୁଆ ଚାଉଳ, ଦୂବ, ବେଲପତ୍ର ଧରିଥାନ୍ତି । ଏମିତି ଚାଲେ ବାହାଘର । ପୁଅ ପାଟିରେ ଅରୁଆ ଚାଉଳ ଧରି ଲକ୍ଷ୍ୟକରି ଫୁଙ୍କେ ଝିଅ ମୁହଁକୁ । ତା’ପରେ ସିନ୍ଦୂର ବାହାର କରି ମାରିଦିଏ କନ୍ୟା ମୁଣ୍ଡରେ । ଏମିତି ବେଳେ ପାଟିକରନ୍ତି ସମସ୍ତେ–ମାରାମ୍‌ବୁରୁହିଲଲା । କେଶବ କହିଲା–ମାରାମ୍‌ବୁରୁହିଲଲା’ କ’ଣ ? କାପୁରା କହିଲା–ବର କନ୍ୟାଙ୍କର ମଙ୍ଗଳ ପାଇଁ ଭଗବାନଙ୍କୁ ଡାକନ୍ତି ସମସ୍ତେ । ତା’ପରେ ବର ଓ କନ୍ୟାଙ୍କର ଲୁଗା କାନିକୁ ଲୁଗାକାନି ଗଣ୍ଠି ପଡ଼େ । ବର କନ୍ୟାକୁ କାଖ କରି ପଶେ ଘର ଭିତରକୁ ।

 

ଥଟ୍ଟା କରିଉଠିଲା କେଶବ, କହିଲା–ତତେ କିଏ କାଖେଇ ଘରକୁ ପଶିବ କହିଲୁ ?

 

“ତୁମେ ।’’ ହସି ହସି ବିନା ଦ୍ଵିଧାରେ କହିପକାଇଲା କାପୁରା । ଚମକି ପଡ଼ିଲା କେଶବ-। ଏଁ କାପୁରା କ’ଣ କହୁଛି !! ସେ ମତେ ବାହା ହେବ ! କିନ୍ତୁ ମୁଁ ଯେ କେଳା ଘରର ପିଲା-। ଆମ ସମାଜରେ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିପାରନ୍ତି ନାହିଁ । ଏମିତିକି ନଳୁଆ କେଳା, ଶବର କେଳା, ମୁଣ୍ଡପୋତା କେଳା, ସବାଖାଇ କେଳା, ପାନୁଆଁ କେଳାଙ୍କ ସହିତ ଆମର ସାମାଜିକ ସମ୍ପର୍କ ନାହିଁ । ଆମର ସଂସାର, ଆମର ସମାଜ ସେହି ପଦ୍ମକେଶରୀପୁର । ତେବେ ମୁଁ କାପୁରାକୁ ବିବାହ କରିବି କେମିତି ? ମୁହଁ ଖୋଲିଲା କେଶବ, କହିଲା–ଛି–ଏ କ’ଣ କହୁଛୁ କାପୁରା ! ତୁମ ସାନ୍ତାଳ ଲୋକେ ମୋତେ କ’ଣ ଗ୍ରହଣ କରିବେ ?

 

ପଥର ଉପରେ ଶୋଇପଡ଼ି ପୁଳାଏ ସବାଇ ଘାସକୁ ଦାନ୍ତରେ ଛିଡ଼ାଉ ଛଡ଼ାଉ କହୁଥିଲା କାପୁରା–ଉହୁଁ, ଆମେ ଏ ବଣରେ ରହିବା କାହିଁକି ? ତୁମ ଗୋଡ଼ ଭଲ ହେଲେ ସହରକୁ ଯିବା, କାମ କରିବା, ଖାଇବା, ଅସୁବିଧା କ’ଣ ହେବ ?

 

କାପୁରାର କଥାରେ ନିରୁତ୍ତର କେଶବ । ନାଚୁଛି ତା’ର ଆଖି ଆଗରେ ଫୁଲମନିର ଲୋତକ ଭିଜା ମୁଖମଣ୍ଡଳ । କହୁଛି ସେ, କେଶବାଇ ! ତୁମକୁ ସାପ ଧରିବା ପାଇଁ ଶିମୁଳିପାଳ ପଠାଇଥିଲି କ’ଣ ଏଇଥି ପାଇଁ ? ତୁମେ ଆଦିବାସୀ ସାନ୍ତାଳୀ ଝିଅ କାପୁରାର ରୂପ ଦେଖି ମେତେ ଭୁଲିଯାଇ ପାରିଲ ! ଏ ପଦ୍ମପୋଖରୀ କୂଳ ଚନ୍ଦକା ଜଙ୍ଗଲ ତୁମକୁ ନିଜର କରିପାରିଲା ନାହିଁ । ମୁଁ ତା’ହେଲେ ବଞ୍ଚିବି କେମିତି କେଶବାଇ ?

 

ଦୀର୍ଘନିଃଶ୍ଵାସ ମାରିଲା କେଶବ । ତାକୁ ଜୀବନ ଦେଇଛି କାପୁରା । ଦିନ ଦିନ ରାତି ରାତି ବସି ସେବା କରିଛି ବିନା ସ୍ଵାର୍ଥରେ, ବଞ୍ଚାଇ ରଖିବା ପାଇଁ । ଶେଷରେ ସେ ଚାହିଁଚି ତା’ଠାରୁ ବଞ୍ଚିବାର ସାହାରା । ତେବେ କ’ଣ କେଶବ କାପୁରାକୁ ହତାଶ କରିବ ! ତା’ ସରଳ ହାର୍ଦ୍ଦିକତାକୁ ଫାଙ୍କିଦେଇ ପର କରିଦେବ ? ନା ....ନା...., କାପୁରା ଜୀବନଦାତ୍ରୀ, ପ୍ରାଣଦାତ୍ରୀ, ତା’ର ସୁଖ ପାଇଁ ସବୁ ତ୍ୟାଗ କରି ଫୁଲମନିକୁ ଭୁଲିବାକୁ ହେବ, ସ୍ଵପ୍ନ ଦେଖିବାକୁ ହେବ ଏକ ନୂଆ ଜୀବନର, ନୂଆ ପ୍ରାଣବତ୍ତାର ।

 

ସତୃଷ୍ଣ ନୟନରେ କାପୁରାକୁ ଅନାଇ ରହିଲା କେଶବ । କାପୁରା କହିଲା–ନୂଆବାବୁ ! ଅନେକ ଦିନ ହେବ ତୁମକୁ ଗୋଟିଏ କଥା ପଚାରିବି ପଚାରିବି ବୋଲି ପଚାରି ପାରିନାହିଁ । ଆଜି ପଚାରିବି । ଉତ୍ତର ଦେବ ?

 

–“କ’ଣ ପଚାରିବୁ ପଚାର” କହିଲା କେଶବ । କେଶବର କାନ୍ଧରେ ହାତ ପକାଇ ହସୁ ହସୁ କହିଲା କାପୁରା–ନୂଆବାବୁ ! ତୁମେ ଶିମୁଳିପାଳ କାହିଁକି ଆସିଥିଲ ? କେମିତି ଝରଣା ଭିତରେ ପଡ଼ିଲ–କେବେ କହିଲ ନାହିଁ ତ ?

 

କାପୁରାର ପ୍ରଶ୍ନ ଶୁଣି ଅତୀତଟା ବର୍ତ୍ତମାନ ହେଇ ଚେଇଁ ଉଠିଲା କେଶବର । ମନେହେଲା ସତେ ଅବା ସେ ଯୋରଣ୍ଡା ମୁଣ୍ଡିଆ କଡ଼ରୁ ପୁଣି ଝରଣାଭିତରେ ଖସିପଡ଼ୁଛି । ଚିତ୍କାର କରି ଉଠିଲା ସେ–କାପୁରା ! ଡରିଗଲା କାପୁରା, କହିଲା–କହିବାକୁ ଖରାପ ଲାଗୁଛି ? ତେବେ ଆଉ କେବେ ମୁଁ ସେ କଥା ପଚାରିବି ନାହିଁ ନୂଆବାବୁ ! ତୁମେ ମୋ ଉପରେ ରାଗ ନାହିଁ ।

 

କେଶବ କହିଲା–ନାଇଁ କାପୁରା ! ସେ କଥା ମନରେ ପଡ଼ିଲେ ମୋ ଦେହ ଥରିଉଠୁଛି-। ମନେହେଉଛି ସତେ ଅବା ମାଈ ହାତୀଟାଏ ଗୋଡ଼େଇଛି ମୋ ପଛେ ପଛେ ।

 

–“କାହିଁକି ନୂଆବାବୁ ! ଝରଣାରେ ଖାସିପଡ଼ିବା ପୂର୍ବରୁ ତୁମକୁ କ’ଣ ବଣୁଆଁ ହାତୀ ଗୋଡ଼େଇଥିଲା ?”

 

–“ହଁ, ହଳଦୀଗଣ୍ଠି ଗୋଖର ସାପଟାକୁ ଧରି ମୁଁ ଫେରିଲା ବେଳକୁ ଆଗରେ ଦେଖିଲି ଗୋଟାଏ ହାତୀ ଛୁଆ । ହାତୀ ଛୁଆଟା ମୋତେ ଦେଖି ଭାବିଲା–ମୁଁ ତାକୁ ଧରିବାକୁ ଗୋଡ଼େଇଛି । ତେଣୁ ଦୌଡ଼ିବାକୁ ଆରମ୍ଭ କଲା ସେ । ଏଣେ ପଛର ମାଈ ହାତୀ ଭାବିଲା–ମୁଁ ତା’ ଛୁଆ ଉପରେ ଆକ୍ରମଣ କରୁଛି । ତେଣୁ ପଛରୁ ମାଡ଼ି ଆସିଲା ସେ । ମୋତେ କଣ୍ଟା ବୁଦା ଭିତରୁ ଟେକି ଫିଙ୍ଗିଦେଲା ଦୂରକୁ ଏବଂ ବୋଧହୁଏ ଗୋଡ଼ରେ ଚକଟି ମନ୍ଥିପକାଇଲା ମୋ ଆଦରର ହଳଦୀଗଣ୍ଠି ଗୋଖର ସାପଟାକୁ ।’’

 

–“ହଳଦୀଗଣ୍ଠି ଗୋଖର ସାପ ?” ଡରି ଡରି ପ୍ରଶ୍ନ କଲା କାପୁରା ।

 

–“ହଁ, ହଳଦୀଗଣ୍ଠି ଗୋଖର ସାପ । ମୁଁ ଧରିଥିଲି ଯୋରଣ୍ଡା ମୁଣ୍ଡିଆ କଡ଼ରୁ ।”

 

–‘‘ଗୋଖର ସାପଟାକୁ ଧରିଥିଲ ତୁମେ ? ସେ ତୁମକୁ କାମୁଡ଼ିଲା ନାହିଁ ?’’

 

–‘‘ନାଇଁ କାପୁରା ! ମୋତେ ଗୋଖର ସାପ କାମୁଡ଼ି ପାରିବ ନାହିଁ, ମୁଁ ସାପଧରି ଜାଣେ, ସାପ ଖେଳାଇ ଜାଣେ ।”

 

–‘‘ହଳହୀଗଣ୍ଠି ଗୋଖର ସାପ ?’’

 

–‘‘ନା, କେବଳ ଗୋଖର ନୁହେଁ, ଅହିରାଜ, ନାଗ, ତମ୍ପ, ଅଜଗର, ସବୁ ସାପଙ୍କୁ ମୁଁ ଧରିପାରେ, ତାଙ୍କ ବିଷଦାନ୍ତ ଝାଡ଼ିପାରେ ଏବଂ ଖେଳାଇପାରେ ।”

 

–‘‘ନୂଆବାବୁ ! ଏ ତୁମେ କ’ଣ କହୁଛ ନୂଆବାବୁ !”

 

–ହଁ କାପୁରା ! ମୁଁ ସାପୁଆକେଳା । କେବଳ ମୁଁ ନୁହେଁ–ପଟିଆ ନିକଟ ଆମ ଗାଁ ପଦ୍ମକେଶରୀପୁରର ସମସ୍ତେ ସାପଧରି ଜାଣନ୍ତି, ସାପ ଖେଳାଇ ପାରନ୍ତି । ଆମ ମୂଳ ଘର ଏଇ ମୟୂରଭଞ୍ଜ ସେପାଖ ମେଦିନାପୁର ଅଞ୍ଚଳରେ । କାଳକ୍ରମେ ଆମେ ଉଠିଯାଇ ରହିଛୁ ପଟିଆ ନିକଟ ପଦ୍ମକେଶରୀପୁରରେ ।”

 

–“ନୂଆବାବୁ ! ତୁମ କଥା ମାନି ସାପ ଖେଳେ କେମିତି ?’’ କାପୁରାର ମନରେ କୌତୂହଳ ।

 

–‘‘ପେଡ଼ିରେ ସାଇତା ସାପକୁ ଛାଡ଼ି ପଦ୍ମତୋଳା ଡାକି, ଡମ୍ବରୁ ବଜାଇ ଆମେ ଖେଳାଉ-। ଫଣାତୋଳି ଖେଳେ ସାପ ।’’ କହିଲା କେଶବ ।

 

ହସି ହସି ହଠାତ୍ କାପୁରା ଉଠିପଡ଼ି ପଥର ଉପରେ ପାଦ ପକାଉ ପକାଉ କହିଲା–ମୁଁ ସାପ ହେଇ ନାଚୁଛି ନୂଆବାବୁ ! ତୁମେ ପଦଅଁ ତୋଳା ଡାକ । ପଥରରେ ପଥର ପିଟି ଡମ୍ବରୁ ବଜାଅ । ଦେଖିବା ତୁମେ କେମିତି ସାପ ଖେଳାଉଛ ।

 

ମୁଗ୍ଧ କେଶବ ସାନ୍ତାଳୀ ଝିଅ କାପୁରା ମୁହଁକୁ ଚାହିଁ ଡାକିଲା ପଦ୍ମତୋଳା–

 

ଶ୍ରାବଣେ ବରଷା ଝୁମୁ ଝୁମୁ ନାଚେ

ଭୋଦୁଏ ଭୋଦେଇ ଖରା

ଅଶିଣେ କଷଣ ଜମି ଚରଛିଦେ

କାର୍ତ୍ତିକେ ବାଆ ଉତ୍ତରା

କି ଗୋବିନ୍ଦ ହରେ ।

ଲକ୍ଷେ ଭାର ପଦ୍ମ ଧରି ଯେ କହ୍ନାଇ

ଚଳିବେ ଆଜି ମଥୁରା

କି ଗୋବିନ୍ଦ ହରେ ।

 

କାମୁଡ଼ି ପାରିବୁ ନାହିଁ ଲୋ ନାଗୁଣୀ, ମୋ ପାଖରେ ଗଦ ଅଛି, ଅଛି ଜାରମହୁରା । ଦେଖା ତୋ ବେଙ୍ଗ ଖିଆ ପାଟି ।

 

ପାଦ ପରେ ପାଦ ପକାଇ ହସି ହସି ବେଦମ ହେଉଥିଲା କାପୁରା । କହୁଥିଲା–ନୂଆବାବୁ ! ମତେ ସାପ କରି ଖେଳା, ତୁମ ପେଡ଼ିରେ ପୂରେଇ ରଖ । ମୁଁ କ’ଣ ଖୁବ୍ ଭଲ ଖେଳିପାରିବି ନାହିଁ ?

 

ହସୁଥିଲା କେଶବ ନାଗୁଣୀ କାପୁରାକୁ ଦେଖି । ସାପୁଆକେଳାମାନଙ୍କର ସବୁକିଛି ଏଇ ସାପ । ଏଇ ସାପ ଦିଏ ଧନ, ସମ୍ପଦ, ପ୍ରତିଷ୍ଠା ଏବଂ ଉଜ୍ଜ୍ଵଳ ଭବିଷ୍ୟତ । କେବଳ ଆମ ଦେଶ ଆମ ରାଜ୍ୟରେ ଯେ ସାପ ପ୍ରତି ଏ ଆଦର, ତା’ ନୁହେଁ । କେଉଁ ପ୍ରାଗ୍ଐତହାସିକ ଯୁଗରୁ ସାପ ଆମ ସଭ୍ୟତାର ଏକ ବିଶେଷ ଅଙ୍ଗ । ଅତୀତ ଯୁଗରୁ ସର୍ପ ବା ନାଗ ପ୍ରଜ୍ଞା, ଦୀପ୍ତି, ସାଧନା ଶକ୍ତି, ସ୍ଵାସ୍ଥ୍ୟ, ସମ୍ପଦ, ଉର୍ବରତା, ବୃଷ୍ଟି, ଆତ୍ମା ଏବଂ ଯୌନ ଚେତନାର ପ୍ରତୀକ । ତେଣୁ ସାରା ପୃଥିବୀରେ ସାପ ପୂଜାର ପରମ୍ପରା ରହିଛି । ସ୍ଵୟଂ ବିଷ୍ଣୁ, ଶେଷଶାୟୀ, ଶାନ୍ତାକାରଂ ଭୁଜଗ ଶୟନଂ, ବଳଦେବ ହିଁ ଅନନ୍ତ, ନାଗଦେବ, ତାଙ୍କ ମସ୍ତକ ଉପରେ ସପ୍ତଫଣୀର ସର୍ପ, ଶିବ ସର୍ପ ବିଭୂଷିତ, ସେହିପରି ଦେବୀ ଦୁର୍ଗା ଏବଂ ଗଣେଶଙ୍କର ଆୟୁଧ ସର୍ପ । ପନ୍ଦରପୁରର ଗୋପାଳକୃଷ୍ଣ ମନ୍ଦିରର ଶ୍ରୀରାଧାଙ୍କ ହସ୍ତର ସର୍ପ ଏବଂ ମଥୁରା, ରାଜସାହି, ବରୋଦା, ଗାଲିଅର ପାହାଡ଼ପୁର ଓ ନାଳନ୍ଦା ଆଦିରୁ ପ୍ରାପ୍ତ ମୂର୍ତ୍ତିରେ ସପ୍ତଫେଣୀ ସର୍ପର ଚିହ୍ନ, ସର୍ପ ପୂଜାର ସୂଚନା ପ୍ରଦାନ କରେ ।

 

କେବଳ ଆମ ଦେଶ ନୁହେଁ ପୃଥିବୀର ବଡ଼ ଦେଶରେ ସର୍ପଥିଲା ଜନ୍ମ ଏବଂ ମୃତ୍ୟୁର ନିୟାମକ । ମିଶରୀୟ ପୁରାଣରେ ସର୍ପ ଅମରତ୍ଵର ପ୍ରତୀକ ଭାବରେ ଗୃହୀତ । ପାରସୀୟ ଦେବତାଙ୍କ ମଧ୍ୟରେ ସର୍ପ ଥିଲା ଶ୍ରେଷ୍ଠ । ଗ୍ରିସୀୟ ରହସ୍ୟ ବାଦରେ ସର୍ପଥିଲା ସୃଷ୍ଟି, ସ୍ଥିତି ଏବଂ ବିଲୟର କାରଣ । ମେକ୍‌ସିକୋର ଆଦିମ ଅଧିବାସୀ ବିଶ୍ଵାସ କରୁଥିଲେ ଯେ–ସେମାନଙ୍କର ପ୍ରଧାନ ଦେବୀ କି–ହୁଆ କୋ–ହୁଆଟୋଲ ସର୍ପିଣୀ ଥିଲେ । ମାନବ ଜାତିର ସୃଷ୍ଟି ତାଙ୍କର ଠାରୁ । ଇସ୍‌ରାଏଲରେ ପ୍ଲେଗ୍ ରୋଗରୁ ରକ୍ଷାପାଇଁ ସର୍ପ ପୂଜା ପ୍ରବର୍ତ୍ତିତ ହୋଇଥିଲା । ପାଲେଷ୍ଟାଇନ୍‌ର ରାଜା ମୋଜେସ୍‌ ରାଜ୍ୟରୁ ବିପଦ ଦୂର କରିବା ପାଇଁ ଅରଣ୍ୟ ମଧ୍ୟରେ ସର୍ପ ମୂର୍ତ୍ତି ସ୍ଥାପନ କରିଥିଲେ । ଖ୍ରୀଷ୍ଟିଆନମାନେ ବିଶ୍ଵାସ କରୁଥିଲେ ଯେ, ସର୍ପ ହିଁ ସ୍ଵର୍ଗ ପତନର କାରଣ, ସର୍ପ ଇଭଙ୍କୁ ପ୍ରଲୋଭିତ କରି ନିଷିଦ୍ଧ ବୃକ୍ଷର ଫଳ ଚଖାଇଥିଲା । ପ୍ରାଚୀନ ମଙ୍ଗୋଲୀୟ ଲୋକ ସର୍ପକୁ ଶୈତାନ ରୂପେ ପୂଜା କରୁଥିଲେ ।

 

ଆମ ଦେଶର ବିଭିନ୍ନ ଧର୍ମ ଯଥା ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ଶୌର, ବୌଦ୍ଧ, ଜୈନ, ଜଗନ୍ନାଥଧର୍ମରେ ସର୍ପର ଗୁରୁତ୍ଵ ସ୍ଵୀକୃତ । ଲିଙ୍ଗର ପ୍ରତୀକ ଭାବରେ ସର୍ପ ଗୃହୀତ, ଶିବ ସ୍ଵୟଂ ନାଗଭୂଷଣ, ନାଗେଶ୍ଵର, ସର୍ପେଶ୍ଵର । ମନସା, ପଦ୍ମାବତୀ, କମଳା, ଶ୍ୱେତାମ୍ବରୀ, ପାତାଳ କୁମାରୀ, ବିଷହାରୀ, ଜାଗ୍ରତ ଗୌରୀ, ଯୋଗେଶ୍ଵରୀ, ନାଗେଶ୍ଵରୀ, ନାଗଭୋଗିନୀ, ଜାଗୁଳାଈ, ବାସୁଳୀ, ଓ କୋଟବାସିନୀ ଦେବୀ ସର୍ପ ସହିତ ସମ୍ପୃକ୍ତା । ପୃଥିବୀର ସର୍ବତ୍ର ସୂର୍ଯ୍ୟ ପୂଜା ଏବଂ ବୃକ୍ଷ ପୂଜା ସହିତ ସମ୍ପୃକ୍ତ ସର୍ପ ।

 

ଓଡ଼ିଶାର ପୁଣ୍ୟ ଦେବୀ ବିରଜାଙ୍କ ମସ୍ତକରେ ସର୍ପ ଏବଂ ଖଣ୍ଡଗିରି, ଅଯୋଧ୍ୟା ଓ ବାଲେଶ୍ଵରର ଦେବୀ ମୂର୍ତ୍ତିରେ ସର୍ପ ଦୃଷ୍ଟି ଆକର୍ଷଣ କରେ । ଜୀନ ପାର୍ଶ୍ଵନାଥଙ୍କ ମସ୍ତକ ଉପରେ ଫଣାଯୁକ୍ତ ସର୍ପ ଚିହ୍ନ, ପରିଦୃଷ୍ଟ ହୁଏ । କୋଣାର୍କର ନାଗ କନ୍ୟା ଏବଂ ପୁରୀ ଶ୍ରୀମନ୍ଦିରର କଳାହାଟ ଦ୍ଵାରର ନାଗଯୋଡ଼ି ନ ଦେଖିଛି କିଏ ? ଅତୀତରେ ଭୁବନେଶ୍ଵର ଏବଂ ମୟୂରଭଞ୍ଜ ନାଗପୀଠ ଥିଲା । ମୟୂରଭଞ୍ଜର ଖିଚିଂସ୍ଥିତ ନାଗୁଣୀ ମୂର୍ତ୍ତି ଏବଂ ବାଲେଶ୍ଵର ତୁଣ୍ଡରରୁ ପ୍ରାପ୍ତ ମୂର୍ତ୍ତିର ସୁପ୍ତ ଫଣା ଦର୍ଶକ ମନରେ ଆଶା ସଞ୍ଚାର କରେ । ରଣପୁରର ମଣିନାଗ ଏବଂ ଜଳୌକାର ମଣିନାଗ ଗୁହାକଥା ନଜାଣେ କିଏ ? କଳାହାଣ୍ଡି ଜିଲ୍ଲାର ସର୍ପ ମସ୍ତକ, ଗଣ୍ଡି ଏବଂ ଲାଞ୍ଜ ଚିହ୍ନିତ ପର୍ବତ ଅନେକ ଦର୍ଶନ କରିଥିବେ ।

 

ଆମ ରାଜ୍ୟରେ ଏହି ସର୍ପ ଆଦିମ ଯୁଗରୁ ପୂଜିତ । ନାଗଲ ଚଉଠି, ନାଗ ପଞ୍ଚମୀ, ଅରାନ୍ଧିଆ, ଚିତୋଉ ଅମାବାସ୍ୟା ଏବଂ ଅନନ୍ତ ବ୍ରତ ତା’ର ମୂକ ସାକ୍ଷୀ । କେବଳ ପୂଜା ପାର୍ବଣ ଓଷା ବ୍ରତ ନୁହେଁ–ଆମ ଦେଶର ଏକ ମୁଖ୍ୟ ସମ୍ପ୍ରଦାୟ ଥିଲେ ନାଗ ବଂଶୀୟ । ଏମାନେ ନିଜକୁ ନାଗସ୍ଵ ଗୋତ୍ରୀ କହି ନାଗକୁ ପୂଜା କରନ୍ତି । ଦୁଧ ଏବଂ ଧୂପ ଦୀପ ଦେଇ ନାଗ ପୂଜା ଏମାନଙ୍କର ପରମ୍ପରା । ଏହି ନାଗ ବଂଶୀମାନେ ଏ ଦେଶର ଆଦିମ ଅଧିବାସୀ ବୋଲି କୁହାଯାଇପାରେ । କେତେକ ନିଷାଦ ଶ୍ରେଣୀୟ ଲୋକ ନାଗକୁ ବ୍ୟବସାୟିକ ଭିତ୍ତିରେ ଗ୍ରହଣ କରନ୍ତି । ସେହିମାନଙ୍କ ବଂଶଜ ଗଉଡ଼ିଆ କେଳା କେଶବ । ଏମାନେ ସାପ ଧରନ୍ତି ଏବଂ ସାପ ଖେଳାଇ ଜୀବିକା ଅର୍ଜନ କରନ୍ତି ।

 

ଆଧୁନିକ ଜୀବ ବିଜ୍ଞାନୀଙ୍କ ମତରେ ସମଗ୍ର ପୃଥିବୀରେ ପ୍ରାୟ ତିନିଶହ ପ୍ରକାରର ସର୍ପ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଣସ୍ତରୀ ପ୍ରକାରର ସାପ ଅଛନ୍ତି ଭାରତରେ । ସେମାନଙ୍କ ମଧ୍ୟରେ ନାଗ, ଅଜଗର, ଅହିରାଜ, ତମ୍ପ, ବୋଡ଼ା ଏବଂ ଚିତି ପ୍ରଧାନ । ଗୋଖର ସାପ ତମ୍ପ ଜାତୀୟ । ପୁରାତନ ଢଗ କହେ–ଆଠ ନାଗ ଶୋଳ ଚିତି ବାର ବୋଡ଼ା ତେର ଜାତି । ସାପୁଆକେଳାମାନେ ଆଠ ପ୍ରକାର ନାଗର ବିବରଣୀ ବଡ଼ କୌତୂହଳ ପ୍ରଦ ଭାବରେ ପ୍ରଦାନ କରିଥାନ୍ତି ।

 

କେଳାମାନଙ୍କର ବ୍ୟବସାୟ ସାପଧରା ଓ ସାପ ଖେଳା ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଅନେକ ମରନ୍ତି ସାପ କାମୁଡ଼ାରେ । ମନ୍ତ୍ରପଢ଼ି ଝାଡ଼ିବା ଏମାନଙ୍କ ନିକଟରେ ସମ୍ଭବପର ହୁଏ ନାହଁ । ବିଷ୍ଣୁ ପୁରାଣ କହେ–କେତେଜଣ ହଠଯୋଗୀ ସାଧକ ସାପ ବିଷ ହରଣ କରିବାକୁ ସକ୍ଷମ ହେଉଥିଲେ । ସୁଶ୍ରୁତ କହେ ।

ଦେବ ବ୍ରହ୍ମର୍ଷିଭିଃ ପ୍ରୋକ୍ତା ମନ୍ତ୍ରାସତ୍ୟ ତପୋମୟଃ

ଭବନ୍ତ ନନ୍ୟଥା କ୍ଷିପ୍ରଂ ବିଷଂହନ୍ତ୍ୟୁ ସୁଦୁସ୍ତରମ୍

ବିଷଂ ତେନୋମୟୈର୍ମନ୍ତୈଃ ସତ୍ୟବ୍ରହ୍ମ ତପୋମୟୈଃ

ଯଥା ନିବାର୍ଯ୍ୟତେ କ୍ଷିପ୍ରଂ ପ୍ରଯୁକ୍ତୈନ ତଥୌଷଧୈଃ

ଦେବ ଓ ବ୍ରହ୍ମର୍ଷିଗଣଙ୍କ ମନ୍ତ୍ର କେବେ ବ୍ୟର୍ଥ ହୁଏ ନାହିଁ । ସେମାନେ ନିଜର ସାଧନା ବଳରେ ବିଷ ହରଣ କରନ୍ତି ।

କିନ୍ତୁ ଜୀବ ବିଜ୍ଞାନୀଙ୍କ ମତରେ ସର୍ପ ବିଷରେ କାର୍ବନ ଅକ୍‌ସିଜେନ୍, ନାଇଟ୍ରୋଜେନ୍‌, ହାଇଡ୍ରୋଜେନ୍ ଏବଂ ଫସ୍‌ଫରସ ଅଛି । ଭାରତୀୟ ନାଗ ଏବଂ ରଣା ସାପର ବିଷରେ ତମ୍ବା ଅଂଶ ଅଧିକ । ସର୍ପ କୌଣସି ଜୀବକୁ ଦଂଶନ କଲେ ବିଷ ଈଷତ୍ ଘନ ହୋଇ ଶରୀର ଭିତରେ ଫିବ୍ରିନୋଜେନ୍ ସୃଷ୍ଟି କରେ । ଫେବ୍ରିନୋଜେନ୍ ସୃଷ୍ଟି ପାଇଁ କାଲ୍‌ସିଅମ୍ ଆଇରନ୍, ଟିସୁ ଏକ୍‍ସଟ୍ରାକ୍‍ଟ ଓ ପ୍ରଥ୍ରୋମ୍ବିନ୍ ସାହାଯ୍ୟକରେ । ଏହା ଭିତରେ ଥିବା ଶକ୍ତି ପ୍ରଟିଓଲଟିକ୍ ଏନ୍‌ଜାଇମ୍ ଫିବ୍ରିନୋଜେନ୍‌କୁ ଫିବ୍ରିଲାର ଜେଲରେ ପରିଣତ କରେ । ପଟିଓଲଟିକ୍ ଏନ୍‌ଜାଇମ୍ ସାପକାମୁଡ଼ା ରୋଗୀର ରକ୍ତଚାପ ବଢ଼ାଇଥାନ୍ତି ଏବଂ ହିଷ୍ଟାମିନ୍ ନାମକ ଏକ ପଦାର୍ଥ ରକ୍ତବାହୀ ଶିରାମାନଙ୍କରୁ ବାହାର କରନ୍ତି । ସେଗୁଡ଼ିକ ରୋଗୀର ଦେହରେ ବିଷର ପ୍ରତିକ୍ରିୟା ବଢ଼ାଏ–ଫଳରେ ରୋଗୀ ମୃତ୍ୟୁ ବରଣ କରେ ।

 

ଏ ସାପକାମୁଡ଼ାରେ ସବୁ ରୋଗୀ ମରନ୍ତି ନାହିଁ । ଶତକଡ଼ା ଷାଠିଏ ଭାଗ ରୋଗୀ ଆପେ ଆପେ ଧୀରେ ଧୀରେ ଆରୋଗ୍ୟ ଲାଭ କରନ୍ତି । ଆଉ ତିରିଶ ଭାଗ ଔଷଧ ପ୍ରୟୋଗରେ ଭଲ ହୋଇ ପାରନ୍ତି । ମରନ୍ତି ମାତ୍ର ଦଶଭାଗ, ପୁଣି ସବୁ ସାପଙ୍କର ବିଷ ସମାନ ନୁହେଁ; କିମ୍ବା ସବୁ ଅବସ୍ଥାରେ ସାପ ସମାନ ବିଷ ଛାଡ଼େ ନାହିଁ । ତଥାପି ସାପକୁ ଅନେକଙ୍କର ସ୍ଵାଭାବିକ ଭୟ । କାମୁଡ଼ା ନାଁ ଶୁଣିଲେ କେତେ ଲୋକ ଯେ ଛାନିଆଁରେ ଟଳିପଡ଼ି ଜ୍ଞାନ ଏବଂ ଜୀବନ ହରାନ୍ତି–ତା’ର କୌଣସି ସୀମା ନାହିଁ । କିନ୍ତୁ ସାପକୁ ଡରନ୍ତି ନାହିଁ କେଶବର ଗାଁ ଲୋକେ । ସେମାନେ ଭାବନ୍ତି ସାପ ଆମର ଖେଳ ସାମଗ୍ରୀ, ଆମ ଜୀବନ ଧାରଣର ମାଧ୍ୟମ ।

 

ପଦ୍ମତୋଳାର ଶେଷରେ ପାଦ ଅଟକିଲା କାପୁରାର । ନାଚ ବନ୍ଦ କରି କହିଲା ସେ–ନୂଆବାବୁ ! ଏଣିକି ତୁମେ ନିତି ନିତି ପଦ୍ମତୋଳା ଡାକିବ । ମୁଁ ନାଚିବି ଶିମୁଳିପାଳ ବଣର ନାଗୁଣୀ-। ହସିଲା କେଶବ । କହିଲା–ନାଇଁ ଲୋ କାପୁରା ! ତୁ ମୋର ବିଷଧର ନାଗୁଣୀ ନୋହୁଁ, ତୁ ମୋ ପେଡ଼ିର ଗୋବିନ୍ଦ ମୂଷା । ପାଣି ଆଣି ଯାଆ ତରତର କରି ତରତର କରି । କୂଅ ମୂଳେ ପରା ରାମ ଦେଢ଼ଶୁର, ରାମା ଦେଢ଼ଶୁର । ପାଣି କାଢ଼ିପକା ଗୋଟି ଗୋଟି କରି ଝଟ ଝଟ କରି ।

 

କେଶବକୁ ଚାହିଁ ହସୁଥିଲା କାପୁରା ପରିତୃପ୍ତିର ହସ । ନିଜର ଅନାବୃତ ଅଙ୍ଗକୁ ଢାଙ୍କିବା ପାଇଁ ଛୋଟ ଲୁଗାଖଣ୍ଡକୁ ଟାଣି ଆଣୁ ଆଣୁ କହୁଥିଲା–ନୂଆବାବୁ ! ତୁମ ସାପମାନଙ୍କୁ ତୁମେ ରଖ କେମିତି ? କ’ଣ ଖାଇବାକୁ ଦିଅ ? ସେମାନେ ଘରେ ପଶି କାମୁଡ଼ନ୍ତି ନାହିଁ ?

 

ହସିଲା କେଶବ, କହିଲା ନାଇଁ କାପୁରା ! ବିଷଧର ସାପକୁ ଧରିବା ସଙ୍ଗେ ସଙ୍ଗେ ଆମେ ତା’ ବିଷ ଦାନ୍ତ ଭାଙ୍ଗିଦେଉ । ପେଡ଼ିରେ ପୂରାଇ ଗାଁକୁ ଘେନିଆସୁ, ଗାଁରେ ଘରପିଣ୍ଡାରେ ପେଡ଼ିଗୁଡ଼ିକୁ ଥାକ ଥାକ କରି ସଜାଇ ରଖୁ । ନୂଆ ହେଇ ଧରାଯାଇଥିବା ସାପମାନଙ୍କୁ ମାସେ ପର୍ଯ୍ୟନ୍ତ କିଛି ଖାଇବାକୁ ଦେଉ ନାହିଁ । ସେମାନେ ବିନା ଖାଦ୍ୟରେ ଦୁର୍ବଳ ହୋଇପଡ଼ନ୍ତି । ତା’ପରେ ଧୀରେ ଧୀରେ ଧଣ୍ଡ, ଧମଣା ସାପ କିମ୍ବା ଗୋଧି, ମୂଷା, ଚେଙ୍ଗ, ଗଡ଼ିଶା ମାଛ ଏବଂ ବେଙ୍ଗ ଇତ୍ୟାଦି ଧରି ଖାଇବାକୁ ଦେଉ ଓ ଖେଳ ଶିଖାଉ ।

 

କାପୁରା କହିଲା–ସାପମାନେ କ’ଣ ପୋଷାମାନି କଥାମାନି ପଦୁଅଁ ତୋଳାର ତାଳେ ତାଳେ ନାଚନ୍ତି !

 

–ନା, ସାପମାନେ ବିଶେଷ ପୋଷା ମାନନ୍ତି ନାହିଁ । କିମ୍ବା ପଦ୍ମତୋଳାରେ ମଧ୍ୟ ସେ ଖେଳନ୍ତି ନାହିଁ । ସାପର ଗୁଣ ହେଲା–ତା’ ଆଗରେ ହାତ ହଲାଇଲେ, ଲାଙ୍ଗୁଡ଼ରେ ଆଘାତ କଲେ ଫଣା ଟେକି ଖେଳିବା । ତେଣୁ ପଦ୍ମତୋଳା ଡାକୁ କେବଳ ମନୋରଞ୍ଜନ ପାଇଁ ।

 

ଆହୁରି ଆଶ୍ଚର୍ଯ୍ୟ ହେଲା କାପୁରା, କହିଲା–ବିଷଦାନ୍ତ ଝାଡ଼ିଦେଲେ ସାପ କ’ଣ ଆଉ କାମୁଡ଼େ ନାହିଁ ?

 

କେଶବ କହିଲା–ହଁ ଲୋ କାପୁରା, ବିଷଦାନ୍ତ ଝାଡ଼ିଦେଲେ ମଧ୍ୟ ସାପ ପୁଣି କାମୁଡ଼େ । କିନ୍ତୁ ତା’ ଦେହରେ ଆଉ ବିଷ ନ ଥାଏ । ବେଳେ ବେଳେ ଭଙ୍ଗା ବିଷଦାନ୍ତ ଗଜରି ବଡ଼ ହେଇଯାଏ-। ଆମେ ତା’ ଜାଣିପାରି ଆଉଥରେ ଭାଙ୍ଗିଦେଉ । ଯଦି ଭୁଲ ବଶତଃ କେହି ନୂଆ ଗଜରି ଥିବା ବିଷ ଦାନ୍ତକୁ ନ ଭାଙ୍ଗେ, ତେବେ ସାପ କାମୁଡ଼ିଲେ ତା’ ଦେହରେ ବିଷ ଚଢ଼େ । ସେ ବିପଦର ସମ୍ମୁଖୀନ ହୁଏ ।

 

କଥାଟା ଶୁଣି ଡରିଗଲା କାପୁରା । କହିଲା–ନୂଆବାବୁ ? ମୁଁ ତୁମର ନାଗୁଣୀ ହେବି । ପେଡ଼ିରେ ପଶିବି । କିନ୍ତୁ ତୁମର ନିହାତି ପୋଷା ମାନିବି । ତୁମେ ଯେମିତି ଖେଳାଇବ, ମୁଁ ସେମିତି ଖେଳିବି । ମୋ ବିଷ ଦାନ୍ତ ତୁମେ ଭାଙ୍ଗିଦିଅ ନୂଆବାବୁ ।

 

ମୁଗ୍ଧ ଆଖିରେ ଚାହିଁଥିଲା କେଶବ ପହାଡ଼ୀ କନ୍ୟା କାପୁରାକୁ । ଆଖିବୁଜି କାପୁରା ଢଳି ପଡ଼ୁଥିଲା କେଶବର କୋଳ ଭିତରେ ପ୍ରାଣ ଭରା ଅତ୍ମନିବେଦନ ନେଇ ।

 

ଏତିକିବେଳେ ଦୌଡ଼ି ଦୌଡ଼ି ଆସି ପହଞ୍ଚିଗଲା ସିନ୍‌ଗା । ସିନ୍‌ଗାକୁ ଦେଖି ଲାଜରା ହୋଇ କେଶବର କୋଳରୁ ଉଠିପଡ଼ିଲା କାପୁରା । ସଜାଡ଼ି ହେଇ ବସିଲା କେଶବ । ସିନ୍‌ଗା କହିଲା–କାପୁରା ଲୋ । ନୂଆବାବୁ ଏଇଠି ଥାଆନ୍ତୁ । ତୁ ଦୌଡ଼ି ଆ ।

 

–‘‘କାହିଁକି ? କ’ଣ ହେଇଚି ?’’ କହିଲା କାପୁରା ।

 

ସିନ୍‌ଗା କହିଲା–ଶୀଘ୍ର ଆଲୋ କାପୁରା ସବୁ ଜାଣିବୁ, ‘‘ତୋ ବୋଉ ମାଲ୍‍ହ ବରେଇ ପାଣି ଢାଲୁ ଦେହରେ ବସି ପିତାଆଳୁ ଖୋଳୁଥିଲା ଗଡ଼ି ପଡ଼ିଲା ଅଢ଼େଇ ଶହ ଫୁଟ ଗହୀର ପାଣି ଭିତରେ । ଭାସିଗଲା ଚାହୁଁ ଚାହୁଁ । ଚାରକୋଳି, ମହୁଲ, କେନ୍ଦୁ ତୋଳୁଥିବା ଲୋକେ ଏବଂ ଝୁଣା ମହୁ ଗୋଟାଉଥିବା ଲୋକେ ବହୁତ ଖୋଜିଲେ । ଆଉ ପାଇଲେ ନାହିଁ ।”

 

–“ସିନ୍‌ଗା !” କାନ୍ଦିଉଠିଲା କଇଁ କଇଁ ହେଇ କାପୁରା ।

 

କାପୁରାର ମୁହଁରେ ହାତ ଦେଇ ଲୁହ ପୋଛୁ ପୋଛୁ କେଶବ କହିଲା–‘‘କାପୁରା, ମୋ ରାଣ କାନ୍ଦ ନାହିଁ । ବିଧିର ବିଧାନ କେ କରିବ ଆନ, ଯାହା ଘଟିବାର କଥା ତା’ ଘଟିବ । ଚାଲ, ବରେଇ ପାଣି ପ୍ରପାତ ଖୋଲ ଦେଖି ଆସିବା ।”

 

ସିନ୍‌ଗା କହିଲା–ନାଇଁ ନୂଆବାବୁ ! ତୁମେ ଥାଅ ମୁଁ କାପୁରାକୁ ସାଙ୍ଗରେ ନେଇଯାଉଛି । ତୁମର ଭଙ୍ଗା ଗୋଡ଼, ମୁଣ୍ଡିଆ ଉଠିଲେ ଗୋଡ଼ ଆହୁରି ଜଖମ ହେବ । ତୁମେ ଥାଅ, ଫେରିଆସି ଆମେ ସବୁ କଥା କହିବୁ ।

 

Unknown

ପରମୁହୂର୍ତ୍ତରେ ନିଜର ଅକ୍ଷମତା ପାଇଁ ଦୁଃଖ କରି ନୀରବ ରହିଲା କେଶବ । କାପୁରାକୁ ଧରି ଚାଲିଗଲା ସିନ୍‌ଗା ।

 

ନଅଣାର ପଥର ଉପରେ ଏକୁଟିଆ ବସିଛି କେଶବ । ବର୍ଷା ଦିନିଆଁ ଘଞ୍ଚ ଜଙ୍ଗଲକୁ ଚାହଁଛି ସେ । ଖରା ଦିନିଆଁ ଜଙ୍ଗଲଠାରୁ ବର୍ଷା ଦିନିଆଁ ଜଙ୍ଗଲର ରୂପ ସ୍ଵତନ୍ତ୍ର । କେତେ ଲତା ବୁଦିବୁଦିକିଆ ଗଛ ଏବଂ ଘାସ, ପକ୍ଷୀ କାକଳୀ ସହିତ ବଣ୍ୟ ଜନ୍ତୁମାନଙ୍କର ଡାକ ବିମୋହିତ କରୁଛି ଅରଣ୍ୟ ଅଞ୍ଚଳକୁ । ଆକାଶର ଭସା ମେଘ ପିଟି ହେଉଛନ୍ତି ପାହାଡ଼ର ମୁଣ୍ଡିଆ ଉପରେ । ବେଳେ ବେଳେ ମେଘର ଆସ୍ତରଣ ଉପରେ ରହୁଛି କେଶବ ଏବଂ ବେଳେ ବେଳେ ମେଘ ତଳେ । ବର୍ଷା ପାଣିର ସୁଅ ଛୁଟିଛି ଗଡ଼ାଣିଆଁ ଅଞ୍ଚଳକୁ । ସେ ଆଡ଼କୁ ଚାହିଁ ଭାବୁଛି କେଶବ–ଆଃ ଏ ବଣ ଏ ପାହାଡ଼ ଏ ଝରଣା କଡ଼େ ସୁନ୍ଦର । କେଡ଼େ ସରଳ ସୁନ୍ଦର ମଧ୍ୟ ପାହାଡ଼ୀ ମଣିଷମାନେ ।

 

ମେଘାସନ ଶୃଙ୍ଗର ଶିଖର ଉପରକୁ ଚାହିଁଲା କେଶବ । ଧ୍ୟାନରତ ମେଘାସନ ଶିଖର, ସନ୍ନ୍ୟାସୀର ଜଟା ଭଳି ଆବୋରି ରହିଛି ମେଘର ଆସ୍ତରଣ । ଅନୁମାନ କରୁଛି ସେ–ଶ୍ରୀପର୍ବତର ଚୂଡ଼ାରେ ବି ଏମିତି ମେଘ ଘୋଟିଥିବ । ସେ ଆଡ଼କୁ ଚାହିଁ କାନ୍ଦୁଥିବ ଫୁଲମନି ତା’ କେଶବ ଭାଇକୁ ଖୋଜି ଖୋଜି । ନ ଖାଇ ନ ପିଇ ତା’ ପୂରିଲା ଯୌବନ ଖରାଦିନର ଶୁଖିଲା ପତ୍ର ପରି ଶ୍ରୀହୀନ ହୋଇଥିବ । ଚାହିଁ ବସିଥିବ ସେ କେଶଭାଇର ଫେରନ୍ତା ପଥକୁ । ଅଲକ୍ଷ୍ୟରେ କେବର ଆଖିରୁ ଗଡ଼ି ପଡ଼ିଲା ଲୁହ । ହାତର ପାପୁଲିରେ ସେତକ ପୋଛି ଭାବୁଥିଲା ସେ ବାଡ଼ି ଢରା ଦେଇ ଦେଇ ଏ ପାହାଡ଼ ମୁଣ୍ଡିଆ ପାର ହେଇ ପଳାଇବି । ପହଞ୍ଚିବି ପଦ୍ମକେଶରୀପୁର ପଦ୍ମପୋଖରୀ ହୁଡ଼ାରେ । ଏକୁଟିଆ ବୁଢ଼ା ବର ମୂଳେ ଠିଆ ହୋଇଥିବା ଫୁଲମନିକୁ କହିବି–ଫୁଲ ଲୋ । ଆଉ କାନ୍ଦ ନା, ମୁଁ ଆସିଛି । ଆଦର କରି ଜାବୁଡ଼ି ଧରିବ ଫୁଲମନି ତା’ ଛାତି ଉପରେ ।

 

ନା...ନା, ଏ ସବୁ କ’ଣ ଭାବୁଛି ? ମାଆର ମୃତ୍ୟୁ ସ୍ଥାନ ଦେଖି ଫେରି ଆସିବା ପରେ କ’ଣ କହିବ କାପୁରା ? ଖୋଜିବ ତା’ର ନୂଆବାବୁକୁ ମନର ଦୁଃଖ କହିବା ପାଇଁ । କାନ୍ଦିବ ପଥର ଉପରେ ଗଡ଼ି ଗଡ଼ି । କହିବ ନୂଆବାବୁ ! ତୁମେ ଏଡ଼େ ଠକ, ମୋ ବୋଉକୁ ଛାଡ଼ି ତୁମକୁ ନିଜର କରିଥିଲି, ତୁମରି ମୁହଁକୁ ଚାହିଁ ଆନନ୍ଦ ପାଉଥିଲି । ତୁମେ ମୋତେ ଲୁଚି ପଳେଇଲ । ଯାଅ–ତୁମ ବାଟରେ ତୁମେ ଯାଅ । କିନ୍ତୁ ମୁଁ ଆଉ ବଞ୍ଚିବି କାହିଁକି ? ଆଜି ରାତିର ଅନ୍ଧକାରରେ ମୁଁ ସେହି ବରେଇ ପାଣି ମୁଣ୍ଡିଆ ଉପରୁ ଡେଇଁ ପଡ଼ିବି ଝରଣା ଭିତରକୁ ବୋଉକୁ ଖୋଜିବା ପାଇଁ, ତମକୁ ଭୁଲିବା ପାଇଁ । ଯାଅ ନୂଆବାବୁ–ପାହାଡ଼ୀ ସାନ୍ତାଳୀ ଝିଅ ତୁମକୁ କ’ଣ ଦେଇ ପାରିବ ? ସେ ଯେ ବଣର ନାଚୁଣୀ । ପୋଷାମାନି ପାରିବନି ତୁମ ପେଡ଼ି ଭିତରେ ଥାଇ ।

 

ପାଟି କରି ଉଠିଲା କେଶବ । ନା..ନା କାପୁରା, ତୋତେ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁ । ଯୁଆଡ଼େ ଯିବି ତୋତେ ସାଙ୍ଗରେ ଧରି ଯିବି । ଫୁଲମନିକୁ ମୁଁ ପରକରି ସାରିଛି କାପୁରା । ଫୁଲମନି ସ୍ଥାନରେ ମୋ ଛାତି ଭିତରେ ନୂଆ ରୂପ ନେଇ ଜନ୍ମ ନେଇଛୁ ତୁ । ତୁ ମୋର ନୂଆ ଫୁଲମନି, ମୋ ପେଡ଼ିର ପୋଷା ନାଗୁଣୀ । ଆଉ କାନ୍ଦ.....ନା କାପୁରା, ତୋ ନୂଆବାବୁକୁ ତୁ ଆପଣାର କର, ନିଜର କର । ତା’ ଭଙ୍ଗା ଗୋଡ଼ରେ ତୁ ଶକ୍ତି ଦେ ଆଗାମୀର ପାହାଡ଼ ଚଢ଼ିବା ପାଇଁ ।

 

ମନେ ମନେ ଏମିତି କେତେ କ’ଣ କହୁ କହୁ ଚାହୁଁଥିଲା କେଶବ ମେଘାସନ ଶିଖର ଉପରକୁ ।

 

ଆଜି ପଦ୍ମକେଶରୀପୁରର ପଦ୍ମକେଶରୀ ହୁଡ଼ା ଉପରେ ଆରମ୍ଭ ହୋଇ ଯାଇଛି ତତ୍ପରତା । ସକାଳ ପହରୁ ଜନଗହଳି, କିଏ ଖଟ ଉପରେ ଖଟ ପକାଇ ମଞ୍ଚ ନିର୍ମାଣ କରୁଛି ତ କିଏ ବାଉଁଶ ପୋତି ତୋରଣ ନିର୍ମାଣରେ ବ୍ୟସ୍ତ । ଅନ୍ୟ କେହି ନାଲି ନେଳି କାଗଜ କାଟି ପତାକା ଝୁଲାଇବାରେ ଲାଗିଛି ତ କେହି ହୁଡ଼ାଟାର ଘାସକୁ କୋଦାଳରେ ସଫା କରିବାରେ ଲାଗିଛି । କେହି ହୁଏତ ଚାନ୍ଦୁଆ ଟାଣି ସ୍ଥାନଟିକୁ ସଜାଉଥିବା ବେଳେ ଆଉ କେହି ଡାକବାଜି ଯନ୍ତ୍ର ପରୀକ୍ଷା କରିବାରେ ଲାଗିଛି । ଏ ସବୁ କାମରେ ଅଧିକ ତତ୍ପର ହୋଇ ଉଠିଛନ୍ତି କେଳା ସାହିର ପଞ୍ଚୁଦାସ ଏବଂ ଗରିବ ଦାସ ଇତ୍ୟାଦି ।

 

ପଟିଆର ଭାଗୁ ଆଚାର୍ଯ୍ୟଙ୍କ ପୁଅ ବ୍ୟୋମକେଶ ଅଭିଭାବକ ଭଳି ବୁଲୁଛନ୍ତି ଏ ମୁଣ୍ଡରୁ ସେ ମୁଣ୍ଡ । ମଝିରେ ମଝିରେ ପାଟି କରୁଛନ୍ତି ସେ ଆରେ ପଞ୍ଚୁ ! କେଶବ ଥିଲେ ମୋତେ କାହାରିକୁ କିଛି କହିବାକୁ ପଡ଼ନ୍ତା ନାହିଁ । ସେ ସବୁ କାମ ଉଠାଇ ନିଅନ୍ତା । ଏବେ କେଶବ ବଦଳି ତୁମେ ଅଛ-। ସଭା ପୂର୍ବରୁ ସବୁ କାମ ଉଠାଇବା ତୁମ ଦାୟିତ୍ୱ । ଘଡ଼ିକୁ ଘଡ଼ି ଅଫିସରମାନେ ଆସୁଛନ୍ତି–ତାଙ୍କୁ ଚା’ ସର୍ବତ ଦେବାରେ ହେଳା କରନାହିଁ । ଏମିତି କହୁ କହୁ ବ୍ୟୋମକେଶ ଆଚାର୍ଯ୍ୟ ନିଜେ ଶାବଳରେ ଗାତଟାଏ ଖୋଳି ବାଉଁଶଟାଏ ସେ ଗାତରେ ପୂରାଉ ପୂରାଉ କହୁଥିଲେ–ଏଇଠି ଡାକବାଜି ଯନ୍ତ୍ରଟାକୁ ବାନ୍ଧ l ଦୂରକୁ ଭାଷଣ ଶୁଭିବାରେ ଅସୁବିଧା ହେବ ନାହିଁ ।

 

ବ୍ୟୋମକେଶଙ୍କ କଥା ଶୁଣି ବ୍ୟସ୍ତ ହୋଇ ଉଠୁଥିଲେ କଣ୍ଟ୍ରାକ୍ଟର ବାବୁ । ଅନେକ ଦିନ ପରେ ମନ୍ତ୍ରୀ ମହୋଦୟଙ୍କୁ ଧରା ଧରି କରି କାମ ଖଣ୍ଡେ ପାଇଛନ୍ତି ସେ, ଶିଳାନ୍ୟାସ ଉତ୍ସବଟା ବେଶ୍ ସରଗରମରେ ନ ହୋଇ ପାରିଲେ ମନ୍ତ୍ରୀ ମହୋଦୟ ବିରକ୍ତ ହୋଇ ପାରନ୍ତି । ତେଣୁ ମନ୍ତ୍ରୀଙ୍କ ଦଳର ପେଟୀ ନେତାଙ୍କୁ ଧରି କଣ୍ଟ୍ରାକ୍ଟର ହରି ପଟ୍ଟନାୟକ ଟ୍ରକ୍‍ ଭଡ଼ା କରି ବୋହିବାରେ ଲାଗିଛନ୍ତି ଲୋକମାନଙ୍କୁ ଆଖପାଖ ଅଞ୍ଚଳରୁ । ଯେମିତି ହେଉ ସଭାରେ ହଜାର ହଜାର ଲୋକ ଉପସ୍ଥିତ ହେବାର ଅଛି । ନଚେତ୍ ମନ୍ତ୍ରୀଙ୍କ ଭାଷଣ ଚନ୍ଦ୍ର ଜ୍ୟୋତ୍ସ୍ନାକୁ ଚକୋର ପରି ପାନ କରିବ କିଏ ? କରତାଳିରେ ସମୁଦ୍ର ଲହଡ଼ି ସୃଷ୍ଟି କରିବ କିଏ ? ସବୁ କେବଳ ଉଡ଼ିଯିବ ପଦ୍ମପୋଖରୀ ହୁଡ଼ାର ଖୋଲା ପବନରେ ।

 

ଅବଶ୍ୟ ଏ ପ୍ରକାର ସଭାର ଅୟୋଜନରେ ବ୍ୟୋମକେଶ ଆଚାର୍ଯ୍ୟଙ୍କ ଦଳର ଲୋକେ ମଧ୍ୟ ସନ୍ତୁଷ୍ଟ । କାରଣ ସେ ଚାହାନ୍ତି ଏପରି ଗୋଟାଏ ସଭା ହେଲେ–ଏମିତି ହେଉ ସେମିତି ହେଉ ଭାଷଣ ଦେଇ ଶସ୍ତାରେ ଲୋକଙ୍କର ସମର୍ଥନ ହାସଲ କରିହେବ । ତେଣୁ ସମସ୍ତେ ବ୍ୟସ୍ତ ଆଜିର ସଫଳ ଆୟୋଜନ ପାଇଁ । ଏସବୁ ମଝିରେ ବିଚରା ତହସିଲଦାର ବୁଲୁଛନ୍ତି ତନ୍ତୀଘର କଣ୍ଡାପରି ଏପାଖରୁ ସେପାଖ । ତାଙ୍କରି ପରାମର୍ଶ ଅନୁସାରେ ହିଁ ପଦ୍ମପୋଖରୀ ହୁଡ଼ାକୁ ବଛା ଯାଇଛି ଉପଯୁକ୍ତ ସ୍ଥାନଭାବେ । ଲୋକଙ୍କୁ ଜଳ କଷ୍ଟ ହେବ ନାହିଁ, ପବନ ଏବଂ ଆଲୋକ ଲାଭ କରିବାରେ ଅସୁବିଧା ଉପୁଜିବ ନାହିଁ ।

 

ବେଳେବେଳେ ବ୍ୟୋମକେଶଙ୍କ ନିକଟକୁ ଲାଗିଆସି ତାଙ୍କ କାନରେ ଚୁପ୍‌ ଚୁପ୍‌ କ’ଣ କହୁଛନ୍ତି ସେ । ତେଣୁ ଲୋକେ ବିଚାର କରୁଛନ୍ତି–ଏସବୁ କୃତୀ କେବଳ ବ୍ୟୋମକେଶ ବାବୁଙ୍କର । କିନ୍ତୁ ତହସିଲଦାର ବାବୁଙ୍କର ଉଦ୍ଦେଶ୍ୟ ଭିନ୍ନ । ସେ ଏକା ପାହାରକେ ଦୁଇଟି ଚଢ଼େଇ ଚାହାନ୍ତି । ଯେପରି ମନ୍ତ୍ରୀଙ୍କ ଦଳ ତାଙ୍କୁ ତାରିଫ୍‌ କରିବେ ଓ ବ୍ୟୋମକେଶ ବାବୁଙ୍କ ଦଳ ଭାବିବେ ଯେ ତହସିଲଦାର ତାଙ୍କର ।

 

ହଁ ଆଜିର ଦଳୀୟ ଶାସନରେ ଅନେକ ଅଫିସରଙ୍କୁ ଏମିତି ଅଭିନୟ କରିବାକୁ ପଡ଼େ । ସେମାନେ ଏଠାରେ ମାଉସୀ ସେଠାରେ ପିଉସୀ ସାଜି ସମସ୍ତଙ୍କ କାନରେ କଥା କହି ଆପଣାର ହୁଅନ୍ତି । ଅବଶ୍ୟ ଦଳୀୟ, ଶାସନରେ ସେ ଯେ ବେଳେ ବେଳେ ଆଣ୍ଠୁଏ କାଦୁଅରେ ପଶି ଡହଳ ବିକଳ ନ ହୁଅନ୍ତି ତା’ ନୁହେଁ । ତା’ପରେ ତାଙ୍କ ବିରୁଦ୍ଧରେ ଚାଲେ ଅପପ୍ରଚାର । ଅମୁକ ଅଫିସର ଅମୁକ ମନ୍ତ୍ରୀଙ୍କୁ ଏତେ ଲାଞ୍ଚ ଦେଲେ ତାଙ୍କ ବଦଳି ନ ହେବା ପାଇଁ । ଏଥିପାଇଁ ଖଣ୍ଡାଧାରରେ ଚାଲିବାକୁ ହୁଏ ବିଚରା ସରକାରୀ ବେତନଖିଆ ବ୍ୟକ୍ତିମାନଙ୍କୁ । ସେମାନଙ୍କୁ ଏଯୁଗର ବୋରଝାଞ୍ଜି କହିଲେ ଅତ୍ୟୁକ୍ତି ହେବନାହିଁ । ପବନର ଗତି ନେଇ ଆଉଜନ୍ତି ସେମାନେ । କଥା ପଡ଼ିଲେ କହନ୍ତି–ମେଘ ଯୁଆଡ଼େ–ଛତା ସିଆଡ଼େ, ଆମେ କ’ଣ କରିବୁ ? ଠିକ୍ ସେହି ରୀତିରେ ଦୋମୁହାଁ ଦୋମଡ଼ିଆ ପରି ତହସିଲଦାର ମହୋଦୟ ବେଳେବେଳେ ବ୍ୟୋମକେଶଙ୍କ କାନ ପାଖରେ ଫୁସ୍‌ଫୁସ୍‌ ହେଉଛନ୍ତି ଓ ଆଉ କେତେବେଳେ ମନ୍ତ୍ରୀଙ୍କ ଦଳର କାର୍‌ପଟଦାର ଖତୁ ସିଂହଙ୍କ କାନ ପାଖରେ । ଆଜି ସକାଳୁ ହଠାତ୍ ଖତୁ ସିଂହଙ୍କ କାଟତି ଟିକେ ବେଶି ବଢ଼ି ଯାଇଛି । ସେ ଧୋତି କୁଞ୍ଚଟାକୁ ହାତରେ ଧରି ପଦ୍ମପୋଖରୀ ହୁଡ଼ା ଉପରେ ବୁଲୁ ବୁଲୁ କହୁଛନ୍ତି–ହୋ କଣ୍ଟ୍ରାକ୍ଟର ବାବୁ ! ଠିକ୍‌ ଚାରିଟା ପନ୍ଦର ମିନିଟ୍‌ ପୂର୍ବରୁ ସବୁ କାମ ଶେଷ କରିବାକୁ ହେବ । କାରଣ ନିଜେ ମନ୍ତ୍ରୀ ମହୋଦୟ ମତେ କହିଛନ୍ତି, ଚାରିଟା ପନ୍ଦର ମିନଟରେ ପହଞ୍ଚି ଶିଳାନ୍ୟାସ ଶେଷ କରି ପାଞ୍ଚଟାରେ ଆଉ ଗୋଟିଏ ସଭାରେ ଯୋଗଦେବେ ।

 

ହଁ ଖତୁ ସିଂହଙ୍କ କଥା ଅବିଶ୍ଵାସ୍ୟ ନୁହେଁ । ଏ ଯୁଗରେ ସବୁଠାରୁ ବଡ଼ ଭାଷଣ ଉତ୍ପାଦନକାରୀ ଏଇ ନେତାମାନେ । ସେମାନେ ଭାଷଣ ଦିଅନ୍ତି ଅନ୍ୟମାନଙ୍କୁ ଭୁଆଁ ବୁଲାଇବା ପାଇଁ, ନିଜର ସମର୍ଥକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଗାମୀ ଭୋଟ ଉଦ୍ଦେଶ୍ୟରେ । ତେଣୁ ଗୋଟିଏ ଦିନରେ ପାଞ୍ଚ ଦଶଟି ସଭାରେ ଭାଷଣ ଦେବାକୁ ପଛାନ୍ତି ନାହିଁ ସେ । ଅବଶ୍ୟ ଏଥିପାଇଁ ବେଳେ ବେଳେ ସଭାର ନିର୍ଦ୍ଧାରିତ ସମୟର ପାଞ୍ଚ ଘଣ୍ଟା ପରେ ମଧ୍ୟ ପହଞ୍ଚନ୍ତି ସଭା ମଞ୍ଚରେ । ସେତେବେଳକୁ ମଶା ଡାଆଁଶରେ ପଡ଼ି ପଡ଼ି ବିଚରା ଭଡ଼ାଟିଆ ଶ୍ରୋତା ବେଳେ ବେଳେ ଡାଲମା ଭାତ ଖାଇ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଥାନ୍ତି ତ–ବେଳେ ବେଳେ ଗାଳି ଆରମ୍ଭ କରିଦିଅନ୍ତି ଅଶ୍ରାବ୍ୟ ଭାଷାରେ । ଏମିତି ବେଳେ ମନ୍ତ୍ରୀଙ୍କ ଗାଡ଼ି ଶବ୍ଦ ଶୁଣି ଦୌଡ଼ା ଦୌଡ଼ି ହୋଇ ପହଞ୍ଚନ୍ତି ସଭା ମଞ୍ଚରେ । ଆଉ ବେଳେ ବେଳେ ମନ୍ତ୍ରୀଙ୍କ ଗାଡ଼ି ପୂର୍ବରୁ ପାଇଲଟ୍‌ କାର୍‍ ପରି ଆଗତ ତୋଷାମଦକାରୀଙ୍କ ଗାଡ଼ି ଆଲୁଅ ମଧ୍ୟ ପ୍ରତିକ୍ରିୟା ସୃଷ୍ଟିକରେ ଶ୍ରୋତାଙ୍କ ମନରେ । ହତାଶ ହୋଇ ପଇଁତରା ମାରନ୍ତି ସେମାନେ ଏଣେତେଣେ ।

 

ଏମିତି ବେଳେ ପହଞ୍ଚନ୍ତି ମନ୍ତ୍ରୀ ମହୋଦୟ, ପହଞ୍ଚୁ ପହଞ୍ଚୁ ପ୍ରଥମେ ଲୌକିକ ଭଙ୍ଗୀରେ ହାତ ଯୋଡ଼ି ଆରମ୍ଭ କରି ଦିଅନ୍ତି–କ୍ଷମା କରିବେ । ବାଟରେ ଲୋକେ ଛାଡ଼ିଲେ ନାହିଁ । କ’ଣ କରିବି, ଲୋକ ପ୍ରତିନିଧି ମୁଁ, ଲୋକଙ୍କ କଥା ନ ଶୁଣିଲେ ହେବ ନାହିଁ । ତେଣୁ ଅଟକିବାକୁ ବାଧ୍ୟ ହେଲି ।

 

ଏ ପ୍ରକାର ଉକ୍ତି ଶୁଣି ଧନ୍ୟ ଧନ୍ୟ କରନ୍ତି ଶ୍ରୋତାମାନେ । ଆହା–ଆମ ନେତା କେଡ଼େ ଲୋକହିତକାରୀ । ଲୋକଙ୍କ ଦୁଃଖ ନ ଶୁଣି ସେ ଭାଷଣ ଦେବାକୁ ଆସନ୍ତେ କାହିଁକି ? ଆଉ କେତେକ ଟୋକାଳିଆ ବ୍ୟକ୍ତି ବିଦ୍ରୂପକରି କହି ଉଠନ୍ତି–ଯାବେ ଲୋକଙ୍କ କଥା ଶୁଣୁଥିଲା ଇଏ । ଗଞ୍ଜେଇ ଚାଷ ଜମି ଲିଜ୍‌ ଦେବା ପାଇଁ ଦାମ୍‍ ଛିଡ଼ୁଥିଲା । ସଭାକୁ ଆସନ୍ତେ କେମିତି ?

 

ଏ ଟୋକାଳିଆ ଉକ୍ତିକୁ କିନ୍ତୁ କାନରେ ପକାନ୍ତି ନାହିଁ ଅନ୍ୟମାନେ, ସେମାନେ ମନ୍ତ୍ରୀଙ୍କ ଆଗମନ ଦେଖି ବସି ପଡ଼ନ୍ତି ସଭା ମଞ୍ଚର ଆଗରେ ଏବଂ ପଛରେ ବାଧ୍ୟ ସ୍କୁଲ ଛାତ୍ର ପରି । ତା’ପରେ ସକାଳୁ ତୋଳା ମଉଳା ଫୁଲର ହାର ଅବା କଲିକତା ବଜାରରୁ ଆସି କଟକ ବଜାରରେ ନିର୍ମିତ ତିନି ଦିନର ବାସି ଫୁଲ ହାର ପଡ଼େ ନେତାଙ୍କ ବେକରେ । ଆରମ୍ଭ ହୁଏ ମନ୍ତ୍ରୀଙ୍କ ଗୁଣ କୀର୍ତ୍ତନ । ଶେଷରେ ଭାସନ୍ତି ସେ ସମୁଦ୍ର ପହଁରାଳି ଭଳି । ଏ ଭାଷଣରେ ଆନନ୍ଦିତ ହୁଅନ୍ତି ଶ୍ରୋତାଗଣ । ସଭା ମଞ୍ଚକୁ ପ୍ରକମ୍ପିତ କରନ୍ତି କରତାଳିର ନାଦରେ ।

 

ରୀତିଯୁଗୀୟ ନାୟିକାର ବକ୍ଷୋଜ, ମୁଖମଣ୍ଡଳ, କଟି, ହସ୍ତ, ପଦର ବର୍ଣ୍ଣନା ପରି କହନ୍ତି ମନ୍ତ୍ରୀମହୋଦୟ–ବନ୍ଧୁଗଣ, ଆମ ଦେଶରେ ଯେଉଁ ଦରିଦ୍ର ଜନତା ଅଛନ୍ତି–ତାଙ୍କ ଜୀବନଧାରଣର ମାନକୁ ଚାଖଣ୍ଡେ ଉପରକୁ ଉଠାଯିବ । ତାଙ୍କ ଆର୍ଥିକ ଚକରେ କିଛି ପମ୍ପ୍‌ ଦିଆଯିବ । ତାଙ୍କ ସାମାଜିକ ବେଲୁନକୁ ଆକାଶକୁ ଛଡ଼ାଯିବ । ସେମାନେ ଉଠିବେ ଉପରକୁ ହେଲିକପ୍ଟର ପରି । ଦୌଡ଼ିବେ ଆଗକୁ ମନ୍ତ୍ରୀଙ୍କ ଗାଡ଼ିଠାରୁ ଆହୁରି ଦ୍ରୁତ ଗତିରେ । ଏ ସମାଜରେ ଥିବା ଦାରିଦ୍ର୍ୟର ସୀମାରେଖାକୁ କିଛିବାଟ ପଛକୁ ହଟେଇ ନିଆଯିବ–ଏ ଯୁଗରେ ଦେବୋତ୍ତର ସମ୍ପତ୍ତିର ସୀମା ସଂକୁଚିତ ହୋଇ ପଡ଼ୁଥିବା ଭଳି । ଲୋକେ ଏଭଳି ସାରଗର୍ଭକ ଭାଷଣ ଶୁଣି ହସିବେ ଏବଂ କାନ୍ଦିବେ ମଧ୍ୟ ।

 

ଠିକ୍‌ ସେମିତି ଏକ ସଭାର ଅୟୋଜନ ହୋଇଛି ପଦ୍ମକେଶରୀପୁରର ପଦ୍ମପୋଖରୀ ହୁଡ଼ା ଉପରେ । ଏ ହୁଡ଼ାରେ ଆଜି ଗୃହହୀନଙ୍କୁ ଗୃହ ଯୋଗାଇ ଦିଆଯିବା ପାଇଁ ଶିଳାନ୍ୟାସ କରାଯିବ । ଅବଶ୍ୟ ଏମିତି ଶିଳାନ୍ୟାସ ଉତ୍ସବ ଯେ ନିତିଦିନ ହଜାର ହଜାର ଜାଗାରେ ଅନୁଷ୍ଠିତ ହେବାରେ ଲାଗିଛି ଏଥିରେ ସନ୍ଦେହ ନାହିଁ । ଏ ଶିଳାନ୍ୟାସ ଅବା ଇଟାନ୍ୟାସ ପରେ ଭୋଟ ଶେଷ ହେଉଛି–ନେତାଙ୍କ ଦ୍ଵାରା ସ୍ଥାପିତ ଇଟା ଅବା ପଥର ଖୋଳାହୋଇ ଯାଉଛି କାହାର ଗୁହାଳ ଘରକୁ-। ଫଳରେ ପୁଣି ସମୟ ଆସିଲେ ଆଉ ଗୋଟିଏ ସ୍ଥାନରେ ଚାଲୁଛି ଶିଳାନ୍ୟାସ । ଏମିତି ଗୋଟିଏ ଗୋଟିଏ କାମ ପାଇଁ ଯେ ଚାରି ପାଞ୍ଚଥର ଶିଳାନ୍ୟାସ ଇଟାନ୍ୟାସ ଘଟୁଛି ହଜାର ହଜାର ଟଙ୍କା ବ୍ୟୟିତ ହୋଇ ଏକଥା କାହିରିକି ଅଜଣା ନାହିଁ ।

 

କିନ୍ତୁ ପଦ୍ମପୋଖରୀ ହୁଡ଼ାର ଏ ଶିଳାନ୍ୟାସ ସେପରି ନୁହେଁ । ବ୍ୟୋମକେଶ ବାବୁଙ୍କର ବାରମ୍ବାର ଆପତ୍ତି ଏବଂ ଅନୁରୋଧ କ୍ରମେ ଉଦ୍‌ବାସ୍ତୁ ଲୋକମାନଙ୍କୁ ଘର ଯୋଗାଇ ଦେବା ପାଇଁ ଅନୁଷ୍ଠିତ ହେଉଛି ଶିଳାନ୍ୟାସ ଉତ୍ସବ । ମନ୍ତ୍ରୀ ମହୋଦୟ ଭାବିଛନ୍ତି–ବ୍ୟୋମକେଶଙ୍କ କଥାରେ ରାଜି ନ ହେଲେ–ଲୋକେ ସରକାରୀ ଦଳ ଉପରୁ ଆସ୍ଥା ହରାଇବେ, ବ୍ୟୋମକେଶଙ୍କୁ ସମର୍ଥନ କରିଯିବେ–ତେଣୁ ସର୍ବନାଶ ସମୟରେ ପଣ୍ଡିତ ଅର୍ଦ୍ଧେକ ତ୍ୟାଗ କରିବା ରୀତିରେ–ବ୍ୟୋମକେଶଙ୍କୁ ସାହାଯ୍ୟ କରି ଅଧାଅଧି ଫାଇଦା ନେବାକୁ ହେବ । ନଚେତ୍‌ ସବୁ ଭୋଟର ବିଗିଡ଼ିଯାଇ ପାରନ୍ତି ।

 

ଶିଳାନ୍ୟାସର ସମସ୍ତ ଆୟୋଜନ ପରେ ମନ୍ତ୍ରୀ ମହୋଦୟଙ୍କୁ ଅପେକ୍ଷା କରି ରହିଲେ ଶ୍ରୋତା ଏବଂ ଦର୍ଶକମଣ୍ଡଳୀ । ରୁପା କରଣୀ ଏବଂ ନୂଆ ଇଟା ସଜ୍ଜିତ ହୋଇ ରହିଲା ମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ । ସମୟ ଅତିକ୍ରାନ୍ତ ହେଲା । ପାଞ୍ଚଟା ପରେ ଛଅଟା ସାତଟା ବାଜିଲା । ତଥାପି ମନ୍ତ୍ରୀ ମହୋଦୟଙ୍କର ଦେଖାନାହିଁ । କେତେକ ଶ୍ରୋତା ବିରକ୍ତ ହୋଇ ପାଖ ପଟିଆ ଗାଁ ଆଡ଼େ ମୁହାଁଇଲେ । କେତକ ଚୋପ ଦେଖାଇଲେ ବ୍ୟୋମକେଶବାବୁଙ୍କ ଉପରେ । ହଇହୋ ବ୍ୟୋମକେଶବାବୁ ! ତୁମକୁ ମନ୍ତ୍ରୀ କେତେବେଳେ ଆସିବେ ବୋଲି କହିଥିଲେ ? ଆମେ ଆଉ କେତେ ସମୟ ଅପେକ୍ଷା କରିବୁ ?

 

ଏଣେ କଣ୍ଟ୍ରାକ୍ଟର ବାବୁ ଏପାଖ ସେପାଖ ନୁଙ୍ଗୁରୁ ଫୁଙ୍ଗୁରୁ ହେଉଥିଲେ, ଖତୁ ସିଂହଙ୍କ ମୁହଁର ପାଉଡର ଆସ୍ତରଣ ଝାଳରେ ଧୋଇ ହୋଇ ଯାଇଥିଲେ ମଧ୍ୟ ସ୍ତ୍ରୀଙ୍କ ପ୍ରଦତ୍ତ ରୁମାଲରେ ତାକୁ ସେ ପୋଛୁ ପୋଛୁ କହୁଥିଲେ–ଆହା ମନ୍ତ୍ରୀ କ’ଣ ତୁମ ଆମପରି ଲୋକ ହେଇଛନ୍ତି ଯେ ସଭାରେ ଭାଷଣ ଦେବେ ବୋଲି ସବୁ କାମ ଛାଡ଼ି ଦୌଡ଼ିବେ । ସେ ତାଙ୍କ ବେଳ ଦେଖି ଆସିବେ, ତୁମେ ବ୍ୟସ୍ତ ହେଉଛ ନାହିଁକି ?

 

ଏଣେ କିନ୍ତୁ ମନେଇ ଦାସ ପଦ୍ମପୋଖରୀ ହୁଡ଼ାର ଏପାଖ ସେପାଖ ବୁଲି ଗର୍ଜିବାରେ ଲାଗିଥାଏ–ଏ ହୁଡ଼ା ଉପରେ ଆମେ ମୋଟେ ଘର କରାଇ ଦେବୁନାହିଁ । ପୋଖରୀରେ ଆମ ଝିଅ ବୋହୂ ଗାଧୋଉଛନ୍ତି । ଏଇ ହୁଡ଼ାରେ ଆମେ ସାପମାନଙ୍କୁ ଖେଳ ଶିଖାଉଛୁ । ତୁମେ ସେ ହୁଡ଼ାରେ ଘର କଲେ ଆମେ କରିବୁ କ’ଣ ? ଆମର ଘର ଲୋଡ଼ାନାହିଁ । ଆମେ କେଳା, ବୁଲା ଜାତି, ଆମର ଘର ହବ କ’ଣ । ଏ କେବଳ ଟଙ୍କା ଖାଇବା ଫନ୍ଦି । ଆମ ଲୋକେ ଆଉ କେଉଁ ଜାତି ସହିତ ରହନ୍ତି ନାହିଁ । ଆମ ଗୋଉଡ଼ିଆ ଲୋକଙ୍କ ଭିତରେ ପୁରୋହିତ, ବଢ଼େଇ, ଧୋବା ଅଛନ୍ତି । ଆମେ ଅନ୍ୟ ଜାତିଙ୍କ ସହିତ ଗାଁ କରି ଏ ପଦ୍ମପୋଖରୀ ହୁଡ଼ାରେ ରହିବୁ କାହିଁକି ? ଆମ ଗଦ, ଜାରମହୁରା, ପଦ୍ମତୋଳା, ସାପଧରା, ସାପ ବିଷ ଝଡ଼ା ମନ୍ତ୍ର ସମସ୍ତେ ଶିଖିଯିବେ । ଜୀବିକା ବୁଡ଼ିଯିବ । ଏ ନୂଆ ଘରେ ମୋଟେ ରହିବୁ ନାହିଁ ।

 

ବୁଝାଇବାକୁ ଚେଷ୍ଟା କରୁଛନ୍ତି ବ୍ୟୋମକେଶ ବାବୁ । ବ୍ୟସ୍ତ ହୁଅନାହିଁ ମନେଇ ଦାସ । ଯୁଗ ସହିତ ତାଳଦେଇ ଚାଲ, କେତେଦିନ ଆଉ ତୁମ ଲୋକେ ରାସ୍ତାରେ ଆମ୍ବତୋଟାରେ ପଡ଼ି ରହିବେ ଯାଯାବର ହୋଇ ? ସେମାନେ ଘର ପାଇବେ, ଜମି ପାଇବେ, ଜମି ଚାଷକରିବେ, ମଣିଷ ପରି ମଣିଷ ହେଇ ବଞ୍ଚିବେ । ମନେ ପକାଅ ମନେଇ ଦାସ–ତୁମ ଭାଇ ଗତବର୍ଷ ସାପ କାମୁଡ଼ାରେ ଯେମିତି ମଲା ? ଏମିତି କ’ଣ ତୁମ ଲୋକେ ମରୁଥିବେ ଏବଂ ତୁମେ ଦେଖୁଥିବ ?

 

ତଥାପି କିଛି ବୁଝୁନଥିଲା ମନେଇ ଦାସ । କହୁଥିଲା ସେ–ନାଇଁ ବାବୁ ! ଆମେ କିଛି ଚାହୁଁ ନାହିଁ । ବାର ଜାତିଙ୍କ ଭିତରେ ଆମେ ଚଳିପାରିବୁ ନାହିଁ । ଆମେ ମେଦିନୀପୁରିଆ ବଙ୍ଗାଳୀ, ତୁମ ସହିତ ଆମର ସମ୍ପର୍କ କ’ଣ ?

 

ଏ କଥା ପଦକ ଶୁଣି ରାଗିଉଠିଲେ ବ୍ୟୋମକେଶ । ମନେଇ ଦାସ ! ତୁମେ ମେଦିନୀପୁରିଆ ବଙ୍ଗାଳୀ ! ତେବେ ଏଠି ରହିଛ କାହିଁକି ? ଆଜି ଉଠ ଏ ସ୍ଥାନରୁ । ନ ହେଲେ ଏକାଠି ହୋଇ ଆମେ କାଲି ତୁମ ଘର ଭାଙ୍ଗି ନିକାଲି ଦେବୁ ପଦ୍ମକେଶରୀପୁର ଗାଁରୁ ।

 

ବ୍ୟୋମକେଶଙ୍କ କଥା ଶୁଣି ଡରିଗଲା ମନେଇ ଦାସ । ଆହା, ଆଳୁ ଖୋଳୁ ଖୋଳୁ କଥାଟା ଟୁଙ୍ଗାରେ ବାଜିଗଲା । ବ୍ୟବସ୍ଥା ଗୋଳମାଳ ହୋଇପାରେ । ତେଣୁ ଆଉ ଅଧିକ କିଛି ନ କହି ରାଗ ତମ ତମରେ ନାଥ ଦାସ ଏବଂ ଶାମ ଦାସଙ୍କୁ ସଙ୍ଗରେ ଧରି ଫେରି ଆସିଲା ସେ । କହିଲା–ନାଥ ! ଶାମ ! ପଳେଇ ଆସ ତୁମେ । ଆମର ଏ ଘର ଲୋଡ଼ା ନାହିଁ । କ’ଣ କରିବେ କରନ୍ତୁ ଏମାନେ, କୋଉ କେଳା ଯାଇ ଏ ଘରେ ରହିବେ, ମୁଁ ଦେଖିବି । ଯିଏ ଘରୁ ଗୋଡ଼ କାଢ଼ିବ ତାକୁ ହେବ ଜାତି ଅଟକ, ନିଆଁପାଣି ଅଟକ । ମନେଇର କଥା ମାନି ଫେରିଲେ ନାଥ ଦାସ ଏବଂ ଶାମ ଦାସ ।

 

ଏମିତି ବେଳେ ଦୂରରୁ ଶୁଭିଲା ଗାଡ଼ି ଶବ୍ଦ । ଥୋକେ ପାଟିକରି ଉଠିଲେ–ଆସିଗଲେ ମନ୍ତ୍ରୀ । ସଜିଲ ହୋଇଯାଅ, ଯେ ଯାହା ସ୍ଥାନରେ ବସିଯାଅ । ଫୁଲମାଳ ସଜାଇ ଧର, ବାଜାବାଲା ବାଜା ବଜାଅ । ମନ୍ତ୍ରୀଙ୍କର ଜୟ ନାଦ କର । ଶଳା ଦାରିଦ୍ର୍ୟ ପଳେଇ ଯାଉ ଏ ପଦ୍ମପୋଖରୀ ହୁଡ଼ା ଦେଇ ଚନ୍ଦକା ଜଙ୍ଗଲକୁ ।

 

କଥା ଶେଷ ନ ହେଉଣୁ ହର୍ଣ୍ଣ ଦେଇ ଅଟକିଲା ମନ୍ତ୍ରୀଙ୍କ ଗାଡ଼ି । ଧୋବଲା ଧୋତି ପଞ୍ଜାବୀ ପରିହିତ ମନ୍ତ୍ରୀ ମହୋଦୟ ଗାଡ଼ିରୁ ଓହ୍ଲାଇ ପଡ଼ିଲେ ହସି ହସି, କହିଲେ–କ୍ଷମା କରିବେ, ବାଟରେ ଟିକେ ଡେରି ହୋଇଗଲା । ବ୍ୟୋମକେଶ ବାବୁ ଆଗେଇ ଯାଇ କହିଲେ–ଆମେ ଭାବିଲୁ ଆପଣ ଆଉ ଆସିବେ ନାହିଁ । ମନ୍ତ୍ରୀ କହିଲେ–ଏ କି କଥା, ମୁଁ ଜବାବ ଦେଇଛି, ନ ଆସିବି କେମିତି । ମୋର ସାମାନ୍ୟ ଆଗମନରେ ଯଦି ଏ ଅଞ୍ଚଳର ଅସଂଖ୍ୟ ଗୃହହୀନ ଲୋକ ଗୃହ ପାଆନ୍ତି–ତେବେ ସେ କ’ଣ ମୋର ଗୌରବ ନୁହେଁ ।

 

ମନ୍ତ୍ରୀ ମହୋଦୟଙ୍କ କଥା ଶୁଣି ବିଚଳିତ ହୋଇପଡ଼ିଲେ ଅନେକ । ସେମାନେ ଭାବିଲେ–ଆହା ଆମ ମନ୍ତ୍ରୀ କେଡ଼େ ଜନତାପ୍ରେମୀ, କେଡ଼େ ଦରିଦ୍ର ଲୋକ ପ୍ରେମୀ, ଆମ ପାଇଁ ତାଙ୍କ ହୃଦୟ କାନ୍ଦୁଛି ବୋଲି ସିନା ଏ ଅଞ୍ଚଳର ଗୃହହୀନ ଲୋକେ ଗୃହ ପାଇବେ ।

 

ଏମିତି ଆଲୋଚନା ଭିତରେ ମନ୍ତ୍ରୀ ମହୋଦୟ ଆଗେଇ ଗଲେ ଶିଳାନ୍ୟାସ ସ୍ଥାନକୁ । ସେଠାରେ ସଜ୍ଜିତ ଥିବା ରୁପା କରଣି ଧରି ବସାଇଲେ ଗୋଟିଏ ଇଟା ବାଲି ସିମେଟ ଦେଇ । ଅବଶ୍ୟ ଯୋଜନା ଅନୁସାରେ ନିର୍ମିତ ହେବାକୁ ସ୍ଥିର ହୋଇଥିବା ଗୃହ ମାଟି ବାଲି ପେଚରେ ଠିଆ ହେବ । କିନ୍ତୁ ମନ୍ତ୍ରୀ ଶିଳାନ୍ୟାସ କଲେ ସିମେଣ୍ଟ ବାଲି ମିଶା ପେଚରେ ।

 

ତା’ପରେ ମଞ୍ଚ ଉପରକୁ ଆସିଲେ ମନ୍ତ୍ରୀ ମହୋଦୟ । କାଳବିଳମ୍ବ ନକରି ବ୍ୟୋମକେଶ ବାବୁ ପ୍ରଥମେ ମଞ୍ଚ ଉପରର ମାଇକଟାକୁ ଟାଣି ଆଣି ଆରମ୍ଭ କଲେ–ବନ୍ଧୁଗଣ ! ଆଜି ଆମ ଏ ଅଞ୍ଚଳର ଭାଗ୍ୟ ଫେରୁଛି । ଗୃହହୀନ ଲୋକଙ୍କ ପାଇଁ ଗୃହ ନିର୍ମିତ ହେଉଛି । ପରେ ପରେ ଭୂମିହୀନ ଲେକେ ଭୂମି ପାଇବେ । ସମବାୟ ସମିତି ଗଠିତ ହେବ, ଋଣ ଯୋଗାଇ ଦିଆଯିବ । ଲୋକେ ନିଜର ଅଧିକାର ଲାଭ କରିବେ । ଲଙ୍ଗଳ ଯାର ଜମି ତା’ର, କିନ୍ତୁ ଏତିକିରେ ଆମେ ମନ୍ତ୍ରୀ ମହୋଦୟଙ୍କୁ ଛାଡ଼ିଦେବୁ ନାହିଁ । ଏ ଘରକୁ କେମିତି ବିଜୁଳି ଆସିବ, ସାମନାରେ ଏକ ସବୁଦିନିଆଁ ରାସ୍ତା ତିଆରି ହେବ ଏବଂ ପଦ୍ମପୋଖରୀ ହୁଡ଼ା ଉପରେ କିପରି ନୂଆ ନୂଆ କ୍ଷୁଦ୍ର ଶିଳ୍ପ ଗଢ଼ି ଉଠିବ, ତା’ର ଯୋଜନା ହେଉ । ଅଭାବୀ ଲୋକଙ୍କୁ ଗାଈ, ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ଯୋଗାଇ ଦିଆଯାଉ ଏବଂ ସେସବୁ ମାଗଣାରେ ଲୋକମାନଙ୍କୁ ମିଳୁ ।

 

ବ୍ୟୋମକେଶ ବାବୁଙ୍କ କଥା ଶୁଣି ତାଳି ବୃଷ୍ଟି କଲେ ଉପସ୍ଥିତ ଶ୍ରୋତା ବନ୍ଧୁମାନେ । କପାଳ କୁଞ୍ଚିତ କରି ବ୍ୟସ୍ତ ହୋଇ ପଡ଼ିଲେ ମନ୍ତ୍ରୀ ମହୋଦୟ । ଶେଷରେ ଠିଆହୋଇ କହିଲେ ସେ–ମୋର ପ୍ରିୟ ଭୋଟର ବନ୍ଧୁଗଣ ! ମୁଁ ବ୍ୟୋମକେଶ ବାବୁଙ୍କ କଥା ଶୁଣିଲି, ମନେ ରଖିଲି, ମୋ ଡାଏରିରେ ଟିପିନେଲି । ତାଙ୍କ କଥା ସମବେଦନାର ସହିତ ଚିଚାର କରାଯିବ ଏବଂ ଯାହା କରାଯିବାର କଥା ତା’ କରାଯିବ ।

 

ମନ୍ତ୍ରୀଙ୍କ କଥା ଶୁଣି ଆଖି ଠରାଠରି ହେଲେ ଅନେକ, ଜଣେ କହିଲା–ବ୍ୟସ୍ତ ହେଉଛ କାହିଁକି ବେ ! ଆମ କଥା ବେଦନା ନୁହେଁ ସମବେଦନାର ସହିତ ବିଚାର କରାଯିବ । ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କର ଏପରି ମନ୍ତବ୍ୟ ଶୁଣି ଆଶ୍ୱସ୍ତ ହୋଇପଡ଼ିଲେ ଅନେକ ।

 

ତା’ପରେ ଭାଷଣ ଶେଷରେ ଉଠିଲେ ମନ୍ତ୍ରୀ ମହୋଦୟ ପ୍ରତ୍ୟାବର୍ତ୍ତନ ପାଇଁ । ଏହି ସମୟରେ ଖତୁ ସିଂହ ମନ୍ତ୍ରୀଙ୍କ କାନ ପାଖକୁ ଆଗେଇ ଆସି କ’ଣ ଟୁପ୍‌ ଟୁପ୍‌ କହିଲେ । ମୁଣ୍ଡ ହଲାଇ ସମର୍ଥନ କରୁଥିଲେ କଣ୍ଟ୍ରାକ୍ଟର ମହୋଦୟ । ଅବଶ୍ୟ ପ୍ରଥମ ଟୁପ୍‌ ଟୁପ୍‌ କଥାର ଗୋପନୀୟ ରହସ୍ୟ ଜଣା ପଡ଼ି ନଥିଲେ ମଧ୍ୟ ପରେ ଜଣାଗଲା ଯେ–ସାମାନ୍ୟ ଜଳଯୋଗ ପାଇଁ ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରାଯାଉଥିଲା । ଅନିଚ୍ଛାସତ୍ତ୍ଵେ ସମ୍ମତ ହେଲେ ମନ୍ତ୍ରୀ ମହୋଦୟ, ଆଗେଇଲେ ଜଳଯୋଗର ବ୍ୟବସ୍ଥା ହୋଇଥିବା ସ୍ଥାନକୁ । ମନ୍ତ୍ରୀଙ୍କ ପଛେ ପଛେ ଧାଡ଼ି ଦେଇଥିଲେ ଉପସ୍ଥିତ ଶ୍ରୋତାବୃନ୍ଦ ।

 

କିନ୍ତୁ ହଠାତ୍‌ ଖତୁ ସିଂହ ତାଗିଦ କରି କହିଲେ–ବନ୍ଧୁଗଣ ! ଆପଣମାନେ ଏଇଠି ଅପେକ୍ଷା କରନ୍ତୁ । ମନ୍ତ୍ରୀ ମହୋଦୟ ଅନେକ ବେଳୁ ଆସିଛନ୍ତି । ଖାଇବା ପିଇବାକୁ ତାଙ୍କର ସମୟ ଅଣ୍ଟେ ନାହିଁ, ସେ ସାମାନ୍ୟ ଜଳପାନ କରି ବିଶ୍ରାମ ନେଇ ସାରନ୍ତୁ–ଆପଣଙ୍କ ଆପତ୍ତି ଅଭିଯୋଗ ଶୁଣିବେ ।

 

ଖତୁ ସିଂହଙ୍କ କଥାରେ ଅଟକିଗଲା ଜନସ୍ରୋତ । ମନ୍ତ୍ରୀ ଆଗେଇଲେ ଜଳପାନ ପାଇଁ ମାତ୍ର କେତେଜଣ ପାର୍ଶ୍ୱଚରଙ୍କ ସହିତ । ଅଳ୍ପ ସମୟ ପରେ ଜଳପାନ ଶେଷ ହେଲା । ଲୋକେ ଅପେକ୍ଷା କରି ଠିଆ ହେଇଥିଲେ ନିଜ ନିଜ ଆପତ୍ତି ଅଭିଯୋଗ ପୁଟୁଳାମାନ ଧରି । ଏମିତି ସମୟରେ ପୁଣି ପାଟିକରି କହିଲେ ବ୍ୟୋମକେଶ ଆଚାର୍ଯ୍ୟ, ବନ୍ଧୁଗଣ ! ଆଜି ମନ୍ତ୍ରୀ ମହୋଦୟଙ୍କର ଆଉ ଗୋଟିଏ ସଭା ଅଛି । ସେ ଚାଲି ଯାଉଛନ୍ତି । ପୁଣି ଅଳ୍ପଦିନ ମଧ୍ୟରେ ସେ ଏ ଅଞ୍ଚଳକୁ ଆସିବେ, ଆପଣମାନଙ୍କର ଆପତ୍ତି ଅଭିଯୋଗ ଶୁଣିବେ, ପ୍ରତିକାର କରିବେ, ଆଜି ତାଙ୍କୁ ଆପଣ ଛାଡ଼ି ଦିଅନ୍ତୁ ।

 

ଏପରି ଘୋଷଣା ଶୁଣି ହତାଶ ହୋଇ ପଡ଼ିଲେ ଉପସ୍ଥିତ ଜନତା । ଚାହାଁ ଚାହିଁ ହେଲେ ସେମାନେ ପରସ୍ପର ପରସ୍ପରକୁ । ମନ୍ତ୍ରୀ ମହୋଦୟଙ୍କ ଗାଡ଼ି କାହାରିକି ଅପେକ୍ଷା ନକରି ଛୁଟିଚାଲିଲା ଆଗକୁ । ହାତ ହଲାଇ, ସାଷ୍ଟାଙ୍ଗ ପ୍ରଣିପାତ କରି ବିଦାୟ ଦେଉଥିଲେ ବ୍ୟୋମକେଶ ବାବୁ, ଖତୁ ସିଂହ ଏବଂ କଣ୍ଟ୍ରାକ୍ଟର ବାବୁ ।

 

ଆଖି ପିଛୁଡ଼ାକେ ଗାଡ଼ି ଅଦୃଶ୍ୟ ହୋଇଗଲା । ଲୋକେ ଭକୁଆ ପରି କିଛି ସମୟ ଚାହିଁ ରହିବା ପରେ ପୁଣି ଫେରିଲେ କର୍ମକୁ ଆଦରି । ଫେରିଲେ ମଧ୍ୟ ବ୍ୟୋମକେଶ ଆଚାର୍ଯ୍ୟ, ଖତୁ ସିଂହ ଏବଂ କଣ୍ଟ୍ରାକ୍ଟର ବାବୁ ।

 

ପରଦିନ ସକାଳୁ ଲୁଙ୍ଗି ପିନ୍ଧି ଗୁଡ଼ାଖୁ ଘଷୁ ଘଷୁ ପଦ୍ମପୋଖରୀ ହୁଡ଼ାରେ ପହଞ୍ଚିଲେ ବ୍ୟୋମକେଶ ବାବୁ । ତନଖି କରୁଥିଲେ ସେ–ଚେୟାର, ବେଞ୍ଚ, ମଞ୍ଚସଜ୍ଜା ପାଇଁ ବ୍ୟବହୃତ ଖଟ ଏବଂ ଚାନ୍ଦୁଆଗୁଡ଼ିକ ରାତି ରାତି ବୁହା ହୋଇ ଯଥା ସ୍ଥାନକୁ ଫେରଯାଇଛି କି ନାହିଁ । ଭାବୁଥିଲେ ସେ–ଏଇ ନବ ନର୍ମିତ ଗୃହରୁ ଗୋଟିଏ ନିଜ ନାମରେ କରିନେଇ ପାରିଲେ ହାଭ୍‌ ନଟସ୍‌ଙ୍କ ମଧ୍ୟରେ ବେଶ୍‌ ପ୍ରଭାବ ବିସ୍ତାର କରି ହେବ ଏବଂ ଭୋଟ୍ ପାଇବା ହେବ ସୁଗମ । ତାଙ୍କ ଆଖିରେ ନାଚୁଥିଲା ଆଗାମୀ ବିଧାନସଭା ନିର୍ବାଚନ ।

 

ମୁହଁ ବୁଲାଇ ପୋଖରୀ ଆଡ଼କୁ ଚାହିଁଲେ ସେ । ଆଖି, ଲାଖିରହିଲା ସ୍ନାନସାରି ଫେରୁଥିବା ଜଣେ ନବ ବିବାହିତା କେଳା ବଧୂ ଉପରେ । ଗୌର ତନୁ, ହାସ୍ୟଭରା ମୁଖମଣ୍ଡଳ, ଦେହଜଡ଼ା ଓଦାଲୁଗା ସୁଷମା ମଣ୍ଡିତ କରିଛି ଯୁବତୀଟିକୁ । ଗୁଣ୍ଡୁଣି ହାତି ପରି କାଖରେ ପାଣି କଳସୀ ଧରି ଉଠି ଆସୁଛି ସେ । ଜୀବନ୍ତ ପଦ୍ମପୋଖରୀର ପଦ୍ମଫୁଲ । ସତେ ଅବା ଉପହାର ଦେଇଛି ପଦ୍ମପୋଖରୀ ବ୍ୟୋମକେଶଙ୍କୁ । ଚୋରଙ୍କ ପରି ତା’ ଆଡ଼କୁ ଚାହିଁ ପୁଣି ମୁହଁ ଫେରାଇଛନ୍ତି ବ୍ୟୋମକେଶ ବାବୁ ।

 

ଏମିତି ବେଳେ ହଠାତ୍ ଅଟକିଗଲା ଯୁବତୀଟି, ଧୀର ଗଳାରେ କହିଲା–ବାବୁ ! ମୁଁ ସନାତନ ଦାସର ଝିଅ ନାଥ ଦାସର ବୋହୂ ଫୁଲମନି ।

 

ଚମକି ପଡ଼ିଲେ ବ୍ୟୋମକେଶ । ଫୁଲମନି ! ଅନେକ ଶୁଣିଛନ୍ତି ସେ ତା’ ରୂପର ତାରିଫ୍-। ପଦ୍ମକେଶରୀପୁରର ପଦ୍ମକଳି ଫୁଲମନି । କ’ଣ କହିବ ମୋତେ ? ମନେ ମନେ ନିଜକୁ ପ୍ରଶ୍ନ କରୁଥିଲେ ସେ ।

 

ଆଖିପତା ଟେକି କହିଲା ଫୁଲମନି–“ବାବୁ ! ଆମର ଘର ନାହିଁ । ଝାଟିମାଟି ଘର । ଆମକୁ କ’ଣ ମାଗଣାରେ ଘର ମିଳବ ?” ଏଥର ହସରେ ଫାଟି ପଡ଼ିଲେ ବ୍ୟୋମକେଶ ବାବୁ । କହିଲେ–ହଁ ଫୁଲମନି, ଏଥିରେ ସନ୍ଦେହ କ’ଣ ଅଛି ? ଘର ନଥିବା ଲୋକଙ୍କୁ ଘର ଦେବା ପାଇଁ ତ ତିଆରି ହେଉଛି । ତୁମେ ନିଶ୍ଚୟ ପାରିବ । ତୁମ ସ୍ଵାମୀ ପଦିଆକୁ ମୁଁ ଜାଣେ । ତାକୁ ମୋ ପାଖକୁ ପଠାଇବ । ମୁଁ ସବୁ ଯୋଗାଡ଼ କରିଦେବି । କେବଳ ସେତିକି ନୁହେଁ, ତୁମ ଘରକୁ ଲଗାଇ ମୁଁ ମଧ୍ୟ ଘର ନେବି, ତୁମ ସହିତ ରହିବି । ମୋତେ ଗଣ୍ଡେ ଖାଇବାକୁ ଦବ ତ ?

 

ଆଶ୍ଚର୍ଯ୍ୟ ହେଲା ଫୁଲମନି, କହିଲା–ଏଁ ବାବୁ, ଆପଣ ଆମ ସହିତ ରହିବେ ? ହସୁଥିଲେ ବ୍ୟୋମକେଶ ବାବୁ । କହୁଥିଲେ–ହଁ, ତୁମେ ତ ମଣିଷ, ମୁଁ ବି ମଣିଷ । ଏକା ସାଙ୍ଗରେ ନ ରହିବି କାହିଁକି ? ଏପରି ଉତ୍ତର ଆଶାକରି ନଥିଲା ଫୁଲମନି । ବ୍ୟୋମକେଶ ବାବୁଙ୍କ କଥାରେ ତା’ ମନ ପୂରିଗଲା । ହସିଲା ସେ । ବୋଧହୁଏ ବିବାହ ପରେ ତା’ର ଏଇ ନୂଆ ସନ୍ତୋଷର ହସ । ତା’ପରେ କହିଲା ଫୁଲମନି–ହଉ ବାବୁ ! ମୁଁ ଯାଉଛି, ଆପଣ ଆମ କଥା ମନରେ ରଖିଥିବେ । କହି କହି ଚାଲିଗଲା ଫୁଲମନି ଢଳିଢଳି ପାଣି ମାଠିଆଟି କାଖେଇ । ସେ ଆଡ଼କୁ ସତୃଷ୍ଣ ନୟନରେ ଚାହିଁଥିଲେ ବ୍ୟୋମକେଶ ବାବୁ ଆଖିରେ ପଲକ ନ ପକାଇ । ଭାବୁଥିଲେ ସେ । ଗତ କାଲି ଶିଳାନ୍ୟାସ ଉତ୍ସବବେଳେ ମନେଇ ଦାସର କଥା, ଆମେ ବଙ୍ଗାଳୀ । ତୁମ ସହିତ ଆମର ସମ୍ପର୍କ କ’ଣ ?

 

ସତରେ କ’ଣ ଏମାନେ ଆଉ ବଙ୍ଗାଳୀ ଅଛନ୍ତି ? ଏଇ ଦୀର୍ଘ ଦିନର ରହଣୀ ମଧ୍ୟରେ ଓଡ଼ିଆ ହେଇ ନାହାନ୍ତି, ତେବେ ଏମାନଙ୍କ ଘରେ ଖୁଦୁରୁକୁଣୀ ଓଷା, ଗୁରୁବାର, ରଜ ପର୍ବ କାହିଁକି-? ଆହୁରି ମନେପକାଉଥିଲେ ବ୍ୟୋମକେଶ ବାବୁ ବିଗତର ଇତିହାସ ପୃଷ୍ଠାକୁ । ବୋଧହୁଏ ପ୍ରଥମେ ଏ ରାଜ୍ୟକୁ ଆସିଥିଲେ ବଙ୍ଗାଳିମାନେ ବଙ୍ଗଳା ନବାବ୍‌ଙ୍କ ଓଡ଼ିଶା ଆକ୍ରମଣ ସମୟରେ-। ସେ ସମୟରେ କିଛି ବଙ୍ଗବାସୀ ସେନା ରହିଯାଇଥିଲେ ଓଡ଼ିଶାରେ ସ୍ଥାୟୀ ବାସିନ୍ଦା ହୋଇ-। ତା’ପରେ ଶ୍ରୀ ଚୈତନ୍ୟଙ୍କ ବୈଷ୍ଣବ ଧର୍ମପ୍ରଚାର ବେଳେ ଗୌଡ଼ୀୟ ସଂକୀର୍ତ୍ତନ ଗାଇ ଗାଇ ଆସିଥିଲେ ଆଉ କିଛି ବଙ୍ଗବାସୀ, ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ରହି ଯାଇଥିଲେ ଓଡ଼ିଶାରେ, ତା’ପରେ ଇଂରେଜମାନେ ଓଡ଼ିଶା ଦଖଲ ପରେ ରାଜସ୍ଵ ଦେଇ ନ ପାରି ସୂର୍ଯ୍ୟାସ୍ତ ଆଇନ୍ ଅନୁସାରେ ଯେଉଁମାନେ ଜମିଦାରୀ ହରାଇଲେ, ସେମାନଙ୍କ ଜମିଦାରୀ କିଣି ଜମିଦାର ହୋଇ ଆସିଲେ ବଙ୍ଗବାସୀ । ରହିଲେ ସ୍ଥାୟୀ ଭାବେ ଓଡ଼ିଶାରେ । ଏଇ ଜମିଦାରୀ କିଣି ଜମିଦାର ଭାବେ ମଧ୍ୟ ଓଡ଼ିଶାକୁ ଆସିଛନ୍ତି ବିଶ୍ଵକବି ରବୀନ୍ଦ୍ରନାଥଙ୍କ ପରିବାର । ଏହା ଛଡ଼ା ଥୋକେ ବଙ୍ଗବାସୀ ଓଡ଼ିଶାକୁ ବେପାର କରିବାକୁ ଆସି ରହିଯାଇଛନ୍ତି ସ୍ଥାୟୀ ଭାବେ ଏବଂ ଆଉ ଥୋକେ ନିଷାଦ ଶ୍ରେଣୀୟ ଲୋକ ଜୀବିକାର୍ଜନ ପାଇଁ ଓଡ଼ିଶାକୁ ଆସି ବସତି ସ୍ଥାପନ କରିଛନ୍ତି ସ୍ଥାୟୀ ଭାବେ, ଏମାନଙ୍କ ମଧ୍ୟରେ ସାପୁଆକେଳା, ନାଳୁଆ କେଳା ପ୍ରଧାନ କହିଲେ ଚଳେ ।

 

କେବେ ଏମାନେ ଓଡ଼ିଶାକୁ ଆସିଲେ ତା’ର ହିସାବ ଖୋଜିଲେ ମିଳି ନପାରେ । କିନ୍ତୁ ଏମାନଙ୍କର ବାପ, ଗୋସବାପ, ଅଣଗୋସବାପ ପଣଗୋସବାପ ଯେ ଓଡ଼ିଶାର ମାଟି ପାଣିରେ ଜନ୍ମ ହେଇଛନ୍ତି, ଏଥିରେ ସନ୍ଦେହ ନାହିଁ । ତେବେ ଏମାନେ ଓଡ଼ିଆ ନ ହେବେ କାହିଁକି ? ଅବଶ୍ୟ ବିଂଶ ଶତାବ୍ଦୀରେ ମଧ୍ୟ ଓଡ଼ିଆ ଲୋକେ ବାହାର ରାଜ୍ୟକୁ ଯାଇ ଯଥୋଚିତ ସମ୍ମାନ ଏବଂ ଆସନ ପାଇବା ସମ୍ଭବ ହେଉ ନାହିଁ । ବଡ଼ ବଡ଼ ପଦବୀ ଏବଂ ପାହିଆରେ ବାହାର ରାଜ୍ୟର ଲୋକ । ଓଡ଼ିଶାର ପ୍ରାଣକେନ୍ଦ୍ର କଟକ ସହରରେ ତେଲଙ୍ଗା ବଜାର, ବଙ୍ଗାଳୀ ସାହି, ମାରୱାଡ଼ିପଟି । ଅବଶ୍ୟ କାରଣ କାହାରିକି ଅଗୋଚର ନାହିଁ । ଜଗନ୍ନାଥ ଧର୍ମର ପୀଠ ଓଡ଼ିଶା । ଏ ମାଟିରେ ଜାତି ବର୍ଣ୍ଣର ଭେଦ ନାହିଁ । ସବୁ ଜାତି, ସବୁ ଧର୍ମର ସମନ୍ଵୟରେ ଓଡ଼ିଶା ମାଟି ପବିତ୍ର କହିଲେ ଚଳେ । ଯେଉଁମାନେ ଥରେ ଓଡ଼ିଶାରେ ପାଦ ଦିଅନ୍ତି, ସେମାନେ ଓଡ଼ିଆ ହୋଇ ଯାଅନ୍ତି । ଆଉ ଓଡ଼ିଶା ଛାଡ଼ିଯିବାକୁ ତାଙ୍କର ମନ ବଳେନାହିଁ । ନିଜର ସ୍ଵତନ୍ତ୍ର ସତ୍ତା ମଧ୍ୟ ହରାନ୍ତି ସେମାନେ, ଠିକ୍ ବହିଯାଉଥିବା ବେଳେ ନଈ ସାଗରରେ ମିଶିବା ପରେ ନିଜର ସ୍ଵାତନ୍ତ୍ର୍ୟ ଲୋପକଲା ପରି ।

 

ତେବେ ଫୁଲମନି ଆଉ ବଙ୍ଗାଳୀ ଝିଅ ହେବ କେମିତି ? ସେ ଓଡ଼ିଆ ଝିଅ, ଏଇ ପଦ୍ମପୋଖରୀରେ ଫୁଟନ୍ତା ପଦ୍ମଫୁଲ । ଭାବୁଥିଲେ ବ୍ୟୋମକେଶ ବାବୁ ଅତୀତ ଦିନର କଥା, ଯେତେବେଳେ ଓଡ଼ିଶାରୁ ବଙ୍ଗଳାକୁ ରେଳ ରାସ୍ତା କିମ୍ବା ସ୍ଥଳ ପଥରେ ରାସ୍ତା ନଥିଲା, ସେତେବେଳେ ଯାତାୟତର ପ୍ରଧାନ ରାସ୍ତା ଥିଲା ମମୁଦ୍ର ପଥ । ଏଇ ସମୁଦ୍ର ପଥରେ ବାଣିଜ୍ୟ ହେଉଥିଲା, ଲୋକେ ଜଗନ୍ନାଥ ଦର୍ଶନକୁ ଆସୁଥିଲେ, ସାଂସ୍କୃତିକ ବିନିମୟ ଘଟାଉଥିଲେ । ଏମିତି କି ଓଡ଼ିଶାରେ ବସବାସ କରୁଥିବା ବଙ୍ଗାଳୀମାନେ ବଙ୍ଗଳାର ବଙ୍ଗାଳୀ ପରିବାର ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ଝିଅ ପୁଣି ବାପ ଘରକୁ କିମ୍ବା ଜ୍ଵାଇଁ ଶଶୁର ଘରକୁ ଯିବା ସମ୍ଭବ ହେଉ ନଥିଲା । ସେ ପାଇଁ ଓଡ଼ିଶାର ବଙ୍ଗାଳିମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା ଢଗ–

 

ହଲୁଦ୍ ମାଖାମାଖି ଗୋ

ତେଲ୍ ମାଖାମାଖି

ସୁବନରେଖା ପାର ହଲେ

କୁଟୁମ୍ବ ଦେଖାଦେଖି ।

 

ସତ କଥା । ସୁବର୍ଣ୍ଣରେଖା ନଦୀ ପାର ନହେଲେ ଆଉ କୁଟୁମ୍ବଙ୍କ ମୁହଁ ଦେଖିବା ସମ୍ଭବ ହେଉ ନଥିଲା । କିନ୍ତୁ ଏ ଯୁଗର ଅବସ୍ଥା ଭିନ୍ନ, ପରିବେଶ ଭିନ୍ନ । ଏମିତି ଚିନ୍ତାକରୁ କରୁ ମୁହଁ ବୁଲାଇଲେ ବ୍ୟୋମକେଶ ବାବୁ । ତାଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଫୁଲମନିର ଫୁଟନ୍ତା ଯୌବନ ।

 

ଏଣେ ପାଣି ମାଠିଆ ଧରି ଘରେ ପହଞ୍ଚି ଦେଖିଲା ଫୁଲମନି ଗେରସ୍ତ ପଦିଆ ଚୁଲି ଫୁଙ୍କିବାରେ ଲାଗିଛି । ଅନିଚ୍ଛା ସତ୍ତ୍ୱେ ମଧ୍ୟ ହସିଦେଲା ଫୁଲମନି । କହିଲା–ମୁଁ ତ ପାଣିପାଇଁ ଯାଇଥିଲି ରୋଷେଇ କରିବା ଲାଗି, ତୁମେ ଏମିତି ତରବର ହେଇ ଚୁଲି ଫୁଙ୍କିବାରେ ଲାଗିଛ କାହିଁକି ?

 

ଜିଭ କାମୁଡ଼ି ପକାଇ ପଦିଆ କହିଲା–ମଲା, ତମେ ଆଇଲଣି କି ? ମୁଁ ଭାବୁଥିଲି ତୁମର ଡେରିହବ । ତମେ ନୂଆ ହେଇ ବାହା ହେଇଛ । ତୁମକୁ କ’ଣ ରୋଷେଇ ଆସୁଥିବ ! ମୁଁ ଭାତ ରାନ୍ଧି ଦେଉଚି, ତୁମେ ବସ । ତୁମ ହାତରେ କଳା ଲାଗିବ ।

 

ହସିବ କି କାନ୍ଦିବ ଠିକ୍‌କରି ପାରୁନଥିଲା ଫୁଲମନି । ମାଇଚିଆ ପଦିଆ ସହିତ ତାକୁ ବାହାକରି ଦେଇଛନ୍ତି ଗାଁ ଲୋକେ ଜୋରକରି । କେଳା ଘରର ଝିଅ ସେ, ପ୍ରତିବାଦ କରିଥାନ୍ତା କେମିତି ? ଶେଷରେ ସବୁ ଦୋଷ ଲଦା ଯାଇଥାନ୍ତା ତାରି ଉପରେ । ନା…ନା ସେ କ’ଣ ପଦିଆକୁ ଗେରସ୍ତ କରି କେବଳ ଜଳିପୋଡ଼ି ମରିବ ? ମରଦ୍ କରିବ ସେ ପଦିଆକୁ ତା’ର ବୁଦ୍ଧି ବୃତ୍ତି ଖଟାଇ-

 

ପାଣି ମାଠିଆଟାକୁ ଥୋଇଦେଇ ଫୁଲମନି ପଦିଆକୁ ଚୁଲି ମୁଣ୍ଡ ପାଖରୁ ଟାଣି ଆଣି ବସାଇ ଦେଲା ନିଜ ପାଖରେ, କହିଲା–ତୁମେ ମରଦ ଲୋକ । ରୋଷେଇ କରିବ କ’ଣ ? ବୋଉ ମରିବା ପରେ ସିନା ତୁମେ ବାପାଙ୍କୁ ରୋଷେଇ କରି କେତେଦିନ ହେଲା ଦେଉଥିଲ । ଏବେ ମୁଁ ଆସିଲିଣି–ରୋଷେଇ କରିବି, ତୁମେ ନୁହେଁ । କିନ୍ତୁ ତୁମେ ଖାଲି ବସି ପାରିବ ନାହିଁ, ଆଜି ମୁଁ ବାପାଙ୍କୁ କହୁଛି, ସେ ତୁମକୁ, ସାପଧରା, ସପା ଖେଳା ଶିଖାଇ ଦେବେ । ଆମେ ବିଦେଶ ଯିବା । ତୁମେ ସାପ ଖେଳାଇବ, ମୁଁ ମନୋହରି ଜିନିଷ ବିକିବି, ଡେଉଁରିଆ ବିକିବି, ଚିତା କୁଟାଇବି । ଘରକୁ ଟଙ୍କା ଆଣିବା । ପଦ୍ମପୋଖରୀ ହୁଡ଼ାରେ ତିଆରି ହେଉଥିବା ନୂଆ ଘରେ ରହିବା ।

 

ମୁଣ୍ଡ ଟୁଙ୍ଗାରୁଥିଲା ପଦିଆ ଫୁଲମନି ପାଖରେ ବସି–କହୁଥଲା–ମତେ କ’ଣ ସାପ ଖେଳେଇ ଆସିବ ?

 

–“ହଁ ଆସିବ, ତୁମେ ପୁରୁଷ ପିଲା । ନ ଆସିବ କ’ଣ ? ବାପା ଆଜି ଅଛନ୍ତି, କାଲି ଆଖି ବୁଜିବେ । ତୁମେ ସାପ ଖେଳାଇ ନ ଶିଖିଲେ ଆମେ ବାପାଙ୍କ ପରେ ଚଳିବା କେମିତି ?”

 

–‘‘ମନେଇ ମଉସା ପରା କହିଛନ୍ତି–ସେ ଟଙ୍କାଦେବେ । ଆମ ଘରକୁ ଆସି ସବୁ ବୁଝାବୁଝି କରିବେ ।” କହିଲା ପଦିଆ ।

 

ଚମକିପଡ଼ିଲା ଫୁଲମନି । ଜାଣିନେଲା ମନେଇ ମଉସାର କୂଟ କପଟ । ଆଖି ଦେଖେଇ କହିଲା ସେ–କାହିଁକି ? ମନେଇ ମଉସା ଆମର କିଏ ? ସେ କାହିଁକି ଆମକୁ ପଇସା ଦେବେ । ଆମେ ଦୁହେଁ ରୋଜଗାର କରିବା, ଘର ଚଳେଇବା ।

 

କଥା ଶୁଣି ମୁଣ୍ଡ ଟୁଙ୍ଗାରିଲା ପଦିଆ । ପଦିଆର ହାତଧରି କହିଲା ଫୁଲମନି–ମୋତେ ଛୁଇଁ ନିୟମ କରି କୁହ–ତୁମେ ସାପ ଖେଳାଇ ଶିଖିବ, ସାପଧରା ଶିଖିବ, ଆଉ ମନେଇ ମଉସା ପାଖକୁ ଯିବନାହିଁ ।

 

ଡରି ଡରି ପଦିଆ କହିଲା, ‘‘ନା ଫୁଲ ! ଆଉ ଯିବିନାହିଁ, କିନ୍ତୁ ଯଦି ମନେଇ ମଉସା ମତେ ପଦୁଅଁ ପୋଖରୀ ହୁଡ଼ାରେ ମାରେ ।” କମ୍ପି ଉଠିଲା ଫୁଲମନି, କହିଲା–ସେ କିଛି କରିପାରିବେ ନାହିଁ । ମୁଁ ଅଛି । ସେ ମାଇଲେ ମୁଁ ତାଙ୍କ ଗାଲରୁ ପୁଳାଏ କାମୁଡ଼ି ଆଣିବି ।

 

ଫୁଲମନିର କଥା ଶୁଣି ଏଥର ହସିଲା ପଦିଆ । କହିଲା–ହଁ, ମୁଁ ସାପ ଖେଳା ଶିଖିବି, ସାପ ଧରା ଶିଖିବି, ତୁ ବାପାଙ୍କୁ କହ ସେ ମତେ ଶିଖେଇ ଦିଅନ୍ତୁ ।

 

ଫୁଲମନି କହିଲା–“ବାପା ଯେଉଁ ନୂଆ ସାପ ଶିମୁଳିପାଳ ଜଙ୍ଗଲରୁ ଗତବର୍ଷ ଧରିଥିଲେ, ସେହି ସାପକୁ ନେଇ ଖେଳେଇ ଶିଖ । ଖୁବ୍ ବଡ଼ ଅହିରାଜ ସାପ, ଲୋକ ତା’ ଖେଳ ଦେଖିଲେ ଅଧିକ ପଇସା ଦେବେ ।”

 

କମ୍ପି ଉଠିଲା ପଦିଆ–‘‘ଇଲୋ ବାପ ! ସେଇଟା ରାଗି ସାପଟା, ତା’ ପେଡ଼ି ପାଖକୁ ଗଲେ ଫଁ ଫଁ ହଉଚି । ମୋର ତାକୁ ଖେଳାଇବ କିଏ ?”

 

କହିଲା ଫୁଲମନି–‘‘ତୁମେ କେଳା ପିଲା ହେଇ ସାପକୁ ଡରୁଛ ? ବିଷ ଦାନ୍ତ ଭଙ୍ଗାଯାଇଛି, ଆଉ ସେ କ’ଣ କରିବ ? ତୁମେ ମନରେ ସାହସ ବାନ୍ଧ । ମୁଁ ବାପାଙ୍କୁ ସବୁ କଥା କହୁଛି ।” ଏମିତି କହୁ କହୁ ଫୁଲମନି ଉଠିଗଲା ବାଡ଼ିପଟକୁ । ଦେଖିଲା ଶଶୁର ନାଥ ଦାସ ସାପ ପେଡ଼ି ଝୁଲାଇବା ପାଇଁ ଝୋଟ ବଳି ଶିକା କରିବାରେ ଲାଗିଛନ୍ତି । ପାଖରେ ବସିଯାଇ କହିଲା ସେ–“ବାପା ! ତୁମେ କ’ଣ ଆମକୁ ପୋଷିବା ପାଇଁ ସବୁଦିନ ବଞ୍ଚିଥିବ ? ତୁମ ଅନ୍ତେ ଆମେ ଚଳିବୁ କେମିତି ?”

 

ଫୁଲମନିର କଥା ଶୁଣି ଆଁ କରି ଅନେଇ ରହିଲା ନାଥ ଦାସ । ଫୁଲମନି ପୁଣି କହିଲା–“ବାପା ! ତୁମ ପୁଅ ଆଉ ଛୁଆ ନୁହଁନ୍ତି । ସେ ବାହା ହେଲେଣି । ଘରସଂସାର କଲେଣି । ଏବେ ତାଙ୍କୁ ଟିକେ ମଣିଷ କରନ୍ତୁ, ଆମ ବ୍ୟବସାୟ ଶିଖାନ୍ତୁ ।”

 

–“ଫୁଲ !” ଡାକିଦେଇ ନୀରବ ହୋଇଗଲା ନାଥ ଦାସ । ଏଥର ଆଉଟିକେ ଜୋରଦେଇ କହିଲା ଫୁଲମନି–‘‘ହିଁ ବାପା, ତୁମେ ଆଜିଠାରୁ ତୁମ ପୁଅକୁ ପଦ୍ମପୋଖରୀ ହୁଡ଼ାରେ ସାପ ଧରା ଶିଖାଅ, ସାପ ଖେଳାଇ ଶିଖାଅ । ଆମେ ଏଇ କେତେଦିନ ଭିତରେ ତୁମ ନୂଆ ସାପକୁ ନେଇ ଯିବୁ ବିଦେଶ ।”

 

–“ପଦିଆ କ’ଣ ସାପ ଖେଳାଇ ପାରିବ ଫୁଲମନି ?”

 

–“ହଁ ବାପା ! ପୁରୁଷ ପିଲା ସେ, ସବୁ ପାରିବେ ।”

 

–‘‘ମାଇଚିଆଟା ଉପରେ ମୋର ମୋଟେ ଭରସା ନାହିଁ । ଖାଲି ସିନା ମନେଇ କଥାରେ ବାହାଘର କରିଦେଲି ।’’ କହିଲା ନାଥ ଦାସ ।

 

–“ବାପା ! ତୁମେ ଏମିତି କୁହ ନାହିଁ । ମୋର ଅନୁରୋଧ, ତୁମେ ଶିଖାଅ, ସେ ନିଶ୍ଚୟ ଶିଖି ପାରିବେ ।”

 

–“ଅକାରଣେ କୋଉଠି ସେଇଟା ସାପ କାମୁଡ଼ାରେ ମରିବ ଲୋ ଫୁଲ ।”

 

–“ବାପା, ଛି…ଏମିତି ଅମଙ୍ଗଳ କଥା କୁହନି । ତୁମେ ତାଙ୍କୁ ଶିଖାଅ ।”

 

ଦୀର୍ଘନିଃଶ୍ଵାସ ପକାଇ କହିଲା ନାଥ ଦାସ । –‘‘ହଉ ଫୁଲ ! ତୋ କଥା ରଖି ଆଜିଠାରୁ ମୁଁ ତାକୁ ସାପଧରା, ସାପ ଖେଳା ଶିଖାଉଛି । ତେଣିକି ତୋ ଭାଗ୍ୟ ।”

 

ଆଉ ବିଳମ୍ବ ନ କରି ଅହିରାଜ ସାପ ପେଡ଼ିଟାକୁ ଆଣି ଆଗରେ ରଖିଲା ଫୁଲମନି । କହିଲା–“ନିଅ ବାପା, ତମ ପୁଅଙ୍କୁ ଡାକ, ସେ ସାଙ୍ଗରେ ଯାଆନ୍ତୁ ।” ପେଡ଼ିଟାକୁ ଉଠେଇ ନେଉ ନେଉ ଡାକିଲା ନାଥ–‘‘ଆରେ ପଦିଆ ! ଚାଲ ପଦୁଅଁ ପୋଖରୀ ହୁଡ଼ାକୁ ।” ଘର ଭିତରୁ ବାହାରି ଆସିଲା ପଦିଆ । ଚାଲିଲେ ଦୁଇଜଣ ପଦ୍ମପୋଖରୀ ଆଡ଼େ ।

 

ଘର ଦୁଆର ମୁହଁରେ ଠିଆହୋଇ ଚାହିଁଥାଏ ଫୁଲମନି । ଧିକ୍‌କାର କରୁଥାଏ ନିଜକୁ । ଭଗବାନ ! ମୋତେ ଏ ଦୁଃଖ ଦେଲ କାହିଁକି ? ମୁଁ ତୁମର କି ଦୋଷ କରିଥିଲି ? ତା’ ଆଖିରୁ ଝରୁଥାଏ ଶ୍ରାବଣର ଧାରା, କିଛିଦିନ ହେବ ବିବାହ କଲାଣି ସେ ମାଇଚିଆ କଣା ପଦିଆକୁ, କିନ୍ତୁ ନାହିଁ ସ୍ଵାମୀ ସୁଖ । ଅମଣିଷଟା ପଦିଆ, କେବଳ ଟିକି ଛୁଆପରି କାନ୍ଦି ଜାଣେ, ରୋଷେଇ କରି ଜାଣେ ଏବଂ ସ୍ତ୍ରୀଲୋକଙ୍କ ପରି ୟା ଘର ତା’ ଘର କଥା ପକାଇ ପାରେ, ନିଜତ୍ୱ ବୋଲି କିଛି ନାହିଁ-। ତଥାପି ସେହି ଅମଣିଷ ପଦିଆକୁ ମଣିଷ କରିବାକୁ ହେବ ବଞ୍ଚିରହିବା ପାଇଁ ।

 

ଭାବୁଛି ଫୁଲମନି–ଯଦି କେଶବାଇକୁ ସେ ବାହା ହୋଇଥାନ୍ତା ତେବେ କେତେ ଆନନ୍ଦରେ ଦିନ କାଟୁ ନଥାନ୍ତା । କେତେ ସୁଖର ସ୍ଵପ୍ନ ଦେଖି ନଥାନ୍ତା । ହେଲେ ସବୁ ଯାଇଛି ଖରାଟିଆ ବର୍ଷା ଅସରା ପରି ।

 

ରାସ୍ତା କାମ ସାରି ଅପରାହ୍ନରେ ଜଙ୍ଗଲ ବାଟେ ଫେରିଲା ବେଳକୁ ଅବସନ୍ନ ଦିଶୁଥିଲା କାପୁରା । ଆଜି ସେ ନୂଆ ହୋଇ ଢକ ଢକ କରି ପିଇ ଦେଇଛି ନାଉ ତୁମ୍ବାର ସବୁ ହାଣ୍ଡିଆ । ସିନ୍‌ଗାକୁ ଦେଇନାହିଁ । ପାଖକୁ ଲାଗିଆସି କହିଲା ସିନ୍‌ଗା–କାପୁରା ! କ’ଣ ହୋଇଛି ତୋର ? ମନ କାହିଁକି ଭଲ ନାହିଁ ? କାପୁରା କହିଲା–ମତେ କିଛି ପଚାର ନାହିଁ ଲୋ ସିନ୍‌ଗା । ମୋ ମନ ଆଜି ଭଲନାହିଁ । ଆଉ ଆସନ୍ତା କାଲିଠାରୁ ମୁଁ କାମକୁ ଆସିବି ନାହିଁ । ଜଙ୍ଗଲରୁ ପିତା ଆଳୁ କନ୍ଦମୂଳ ଖୋଳି ଆଗଭଳି ଚଳିବି, ନୂଆବାବୁକୁ ଖାଇବାକୁ ଦେବି ! ଏ କାନତରାଟି ପାଖକୁ ଆସିବି ନାହିଁ ।

 

–“କାହିଁକି ? କ’ଣ ହେଲା କାପୁରା ?’’ କହିଲା ସିନ୍‍ଗା । ସିନ୍‌ଗାକୁ ନିଜ ଆଡ଼େ ଟାଣିନେଇ କହିଲା କାପୁରା–“ସହରୀ କାନତରାଟି ବାବୁ ଭଲ ଲୋକ ନୁହେଁ ଲୋ ତା’ ପାଖରେ ଆଉ ମୁଁ କାମ କରିବି ନାହିଁ । ଆଜି ମୁଁ ମଧୁଭଣ୍ଡାର ପାହାଡ଼ ମୁଣ୍ଡିଆରୁ ପଥର କାଟୁଛି, ସେ ଆସିଲା-। ମୋତେ ତାରିଫ କଲା । ବଡ଼ ବଡ଼ ଆଖିରେ ଚାହିଁଲା । ପକେଟରୁ ବାହାର କରି ଜରିଗୁଡ଼ା ମିଠେଇ ଖାଇବାକୁ ଦେଲା । କହିଲା–ଲଜେନ୍‌ସ୍‌ ଖାଅ । ମୁଁ ତା’ ହାତରୁ ନେଲାବେଳକୁ ସେ ମୋ ହାତକୁ ଧରି ପକେଇଲା । ତା’ ଆଡ଼କୁ ଆଉଜେଇ ନେଲା, ମୁଁ ହସିଦେଲି । ତା’ପରେ ସେ ମୋ ଫୁଙ୍ଗୁଳା ଦେହକୁ ଚାହିଁ ତାରିଫ୍ କରି ଟାଣିଲା, କହିଲା କାପୁରା, ଏ ମୁଣ୍ଡିଆ ସେକଡ଼କୁ ଆ-। ଭଲ ଶାଢ଼ି ଦେବି, ପାଉଡର ଦେବି । ତା’ କଥା ଶୁଣି ମୋତେ ଖୁବ୍ ଡର ଲାଗିଲା । ହାତ ଛିଞ୍ଚାଡ଼ି ଦେଇ ମୁଁ ଦୂରେଇ ଗଲି ।

 

ରାଗିଉଠିଲା ସେ । କହିଲା–ହେ ଟୋକୀ । ମୋ କଥାରେ ରାଜି ନହେବୁ ତ–ତତେ କାଲିଠାରୁ କାମରୁ ବନ୍ଦ୍‌କରି ଦେବି । ଆଜି ମଜୁରୀ ଦେବି ନାହିଁ । ମୁଁ କିନ୍ତୁ ତା’ କଥା ଶୁଣିଲି ନାହିଁ । କହିଲି ହେ ବାବୁ ! ଡରାଉଛି କାହାକୁ । ଏ ବଣରେ ପିତା ଅଳୁ, କନ୍ଦମୂଳ, ଚାରକୋଳି, କେନ୍ଦୁ ମହୁଲ ଅଛି, ଆମର କି ଲୋଡ଼ା ଭାତ ତରକାରୀ । କାଲିଠାରୁ ତୋ କାମକୁ ମୁଁ ଆସିବି ନାହିଁ । ଆଜିକ ପଇସା ଦେଇଦେ । କାନତରାଟି କହିଲା–ମୁଁ ପଇସା ଦେବି ନାହିଁ, କ’ଣ କରୁଛୁ କର । କ’ଣ ଆଉ କରନ୍ତି ମୁଁ–ଦମେ ଗାଳିଦେଇ ପଳେଇ ଆସିଲି । ସେଠୁ ପଛେ ପଛେ ଗୋଡ଼େଇ ଆସି କହିଲା–ଟୋକୀ ରାଗିଲୁ କି ? ନେ ତୋ ଆଜିକା ମଜୁରୀ ନେ ।

 

ସିନ୍‌ଗା କହିଲା–ସବୁ ସହରୀ ଲୋକଗୁଡ଼ାକ ଏମିତି ଲୋ । ଦୁଇଦିନ ତଳେ ଯେଉଁ ବାବୁ କାମ ଦେଖିବାକୁ ଆସିଥିଲା–ତମ୍ବୁ ଭିତରେ ତା’ ପାଖରେ ରହି ଗୋଡ଼ ମୋଡ଼ି ଦେବାକୁ କାନତରାଟି କହିଲା । ମୁଁ ରହିଲି, ତାକୁ ପିଇବା ପାଇଁ ପାଣି ଦେଲି । ତା’ ଗୋଡ଼ ମୋଡ଼ି ଦେଲି । ଯେମିତି କାନତରାଟି ବାବୁ କାମ ଉପରକୁ ଚାଲି ଯାଇଚି–ସେମିତି ବାବୁଟା ମୋ ହାତକୁ ଧଇଲା । କହିଲା–ତୋ ନା କ’ଣ ? ମୁଁ କହିଲି ‘ସିନ୍‌ଗା’ ତା’ପରେ ସେ ମତେ ପାଖକୁ ଡାକିଲା, ମୁଣ୍ଡରେ ହାତ ମାଇଲା । ପକେଟରୁ ଦଶଟଙ୍କା ବାହାର କରି ମୋ ହାତରେ ଗେଞ୍ଜି ଦେଲା । ମୁଁ ଅଣ୍ଟିରେ ମାଇଲି । ଆଉ ଅପେକ୍ଷା ନ କରି ଚଟ୍‌କରି ବାବୁଟା ମୋ ହାତଧରି ତା’ ଖଟ ଉପରକୁ ଟାଣିନେଲା ।

 

ସିନ୍‌ଗାର କଥା ଶୁଣି ତରାଟି ଚାହିଁଲା କାପୁରା । କିନ୍ତୁ ସିନ୍‌ଗା ହସୁଥିଲା ଦୁଷ୍ଟାମିର ହସ-। କହୁଥିଲା ମୁହଁକୁ ହଲେଇ–ବୁଝିଲୁ କାପୁରା । ଏ ବାବୁଗୁଡ଼ାଙ୍କୁ ଟିକେ ନିଜର କଲେ ସେମାନେ ଅନେକ ପଇସା ଦେବେ । ଅନେକ ଭଲ ଜିନିଷ ଦେବେ । ନାଇବା, ପିନ୍ଧିବା ସହିତ ଖାଇବାକୁ ଦେବେ ।

 

ସିନ୍‌ଗାର କଥାରେ ରାଗି ଉଠିଲା କାପୁରା । କହିଲା–ସିନ୍‌ଗା ! ଆମେ ଗରିବ ଆଦିବାସୀ ହେଲୁ ବୋଲି କ’ଣ ଆମର ମାନ ଇଜ୍ଜତ ନାହିଁ । ଯିଏ ପଇସା ଦେବ, ଖାଇବା ପିନ୍ଧିବାକୁ ଦେବ, ତାକୁ ଆମେ ଆମ ଇଜ୍ଜତ ଦେଇଦେବା ?

 

କାପୁରାର ରାଗ ଦେଖି ଡରିଗଲା ସିନ୍‌ଗା, ଭାବିଲା ସେ–ଏକଥା କ’ଣ କାପୁରା ଗାଁରେ କହିଦେବ ? ଗାଁ ଲୋକେ କ’ଣ କହିବେ ? ଟୋକୀଗୁଡ଼ାକ କାନତରାଟି ପାଖକୁ କାମ କରିବାକୁ ଯାଇ ଦେହ ବିକି ରୋଜଗାର କରୁଛନ୍ତି । ସେଇଥିରୁ ଭଲ ଶାଢ଼ି, ଭଲ ପାଉଡର ପାଇ ସଜେଇ ହେଉଛନ୍ତି । କୋପୁରାର ହାତ ଧରିପକାଇ କହିଲା ସେ–ମୋ ରାଣ କାପୁରା ! ତୁ ଏକଥା ଆଉ କାହାକୁ କହିବୁ ନାହିଁ । ତୋ ସହିତ ମୁଁ ପଛେ କାଲିଠାରୁ କାମକୁ ନ ଆସିବି ।

 

ସିନ୍‌ଗାର ମୁହଁରେ ହାତ ବୁଲେଇ ଆଣି କହିଲା କାପୁରା–ନା ସିନ୍‌ଗା ! ଏକଥା ମୁଁ କହିବି କେମିତି ? କହିଲେ ଗାଁ ଲୋକେ ଭାବିବେ–ମୁଁ ବି ସେଇଆ କରୁଛି । କାପୁରା କଥାରେ ଲୁହ ବହିଲା ସିନ୍‌ଗା ଆଖିରୁ । ଲୁଗା କାନିରେ ଲୁହ ପୋଛି କହିଲା ସେ–ଆଉ କେବେ ଏମିତି ବାଟ ହୁଡ଼ିବି ନାହିଁ ଲୋ କାପୁରା । ଭାତ ନ ମିଳିଲେ ପେଜ ପିଇ ଦିନ କାଟିବି । ହେଲେ ଆଉ ଦେହ ଦେଇ ପଇସା ରୋଜଗାର କରିବି ନାହିଁ ।

 

ହସିଲା କାପୁରା ପରିତୃପ୍ତିର ହସ । ଶିମୁଳିପାଳ ଜଙ୍ଗଲର ପୁଡ଼ୁଗୁଡ଼ିଆ ମୁଣ୍ଡିଆ ଆଡେ଼ ହାତ ବଢ଼ାଇ କହିଲା–‘‘ଏ ପାହାଡ଼କୁ ଦେଖ ସିନ୍‌ଗା । ୟାରି ଦେହରୁ ଫଳ ମୂଳ ଗୋଟେଇ ଆମ ବାପା ଗୋସବାପା ମଣିଷ ହେଇଛନ୍ତି । ଦିନ କାଟିଛନ୍ତି । ଆମେ କ’ଣ ସେଇ ପାହାଡ଼କୁ ଭରସା କରି ବଞ୍ଚି ପାରିବା ନାହିଁ ? ମିଛରେ ଏମାନଙ୍କ ନିକଟରେ ଇଜ୍ଜତ ଦେବା କାହିଁକି ?”

 

ଏମିତି କଥାବାର୍ତ୍ତା ହେଉ ହେଉ ଦୁଇଜଣଯାକ ପହଞ୍ଚି ଯାଇଥିଲେ ନଅଣା ଗାଁ ନିକଟରେ । ଏତିକିବେଳେ ହଠାତ୍ ବୋଧହୁଏ ନୂଆବାବୁ କଥା ମନେ ପଡ଼ିଗଲା ସିନ୍‌ଗାର । କହିଲା ସେ–ଆଲୋ କାପୁରା !

 

ନୂଆବାବୁ କେମିତି ଅଛି ?

 

–“ଭଲ ଅଛି, ବାଡ଼ି ଭରା ଦେଇ ମୁଣ୍ଡିଆ ଉଠିଲାଣି । ଆଉ ଅଳ୍ପଦିନ ପରେ ଗୋଡ଼ ଲଗାଇ ଚାଲି ପାରେ ।”

 

–“କାପୁରା ।”

 

–‘‘କ’ଣ କହିବୁ କହ । ’’

 

ଆଉ ନିଜକୁ ସମ୍ଭାଳି ନ ପାରି କହିଲା ସିନ୍‍ଗା–‘‘ତୁ ନୂଆବାବୁକୁ ବାହା ହୋ କାପୁରା । ଯୋଡ଼ି ଖୁବ୍ ସୁନ୍ଦର ଦିଶିବ । ଆଉ ଗାଁର କେହି ଝିଅ ଏମିତି ବର ପାଇ ନାହାନ୍ତି । କାହା ବର ତ୍ରିପଣ୍ଡ କାଳିଆ ତ କାହା ବରର ହନୁ ହାଡ଼ ଦିଶୁଛି, ହେଲେ ନୂଆବାବୁ…..ଗୋଟିଏ ଚାଉଳରେ ଗଢ଼ା, ମତେ ସେମିତି ଗୋଟାଏ ବର ମିଳିଲେ ଆଉ ଦିନ ରାତି ମୁଁ ତା’ ପାଖ ଛାଡ଼ନ୍ତି ନାହିଁ ।”

 

ହସି ଦେଇ ସିନ୍‌ଗାର ଗାଲ ଟିପିଲା କାପୁରା, କହିଲା–“ଛି ସିନ୍‌ଗା ! ତୁ ଏମିତି କ’ଣ କହୁଛୁ ? ନୂଆବାବୁ ମୋ ପରି ଗୋଟାଏ ଆଦିବାସୀ ସାନ୍ତାଳୀ ଟୋକୀକୁ ବାହା ହେବ କାହିଁକି ? ତାକୁ କ’ଣ ତା’ ଗାଁରେ ଭଲ ଝିଅ ଅଭାବ ଅଛନ୍ତି ।’’

 

–‘‘ତୁ କୋଉ ଅସୁନ୍ଦର ଯେ । ତୁ ତାକୁ ଜୀବନ ଦେଇଛୁ । ଦିନରାତି ସେବା କରି ଭଲ କରିଛୁ । ତତେ ସେ ବାହା ନ ହେବେ କାହିଁକି ? ଆଜି ଘରକୁ ଫେରି ସିଧା ସଳଖ କହ–ନୂଆବାବୁ, ମୁଁ ତୋତେ ବାହା ହେବି ।”

 

–‘ସିନ୍‌ଗା ।’

 

ଚମକ ଖେଳିଲା କାପୁରା ମନରେ । ହଁ ସେ କହିବ । ନୂଆବାବୁଙ୍କୁ ମନେଇବ । ବାହା ହେବା ପାଇଁ ଅଳି କରିବ, କାନ୍ଦିବ, ମନକଥା କହିବ । କିନ୍ତୁ ରାଜି ହେବେ ତ ନୂଆବାବୁ ! କିଏ ଜାଣେ ? ସହରୀ ଲୋକ ସେ । ତାଙ୍କ ମନରେ କୋଉ ଝିଅ ଆସନ ପାତିଥିବ କେଜାଣି ?

 

ଏମିତି ଚିନ୍ତା କରୁ କରୁ କହିଲା ସିନ୍‌ଗା–କାପୁରା ! ଏଇଠୁ ତୁ ଘରକୁ ଯାଆ, ମୁଁ ସିଧା ଆମ ଘରକୁ ଯାଉଛି । ଗାଁ ମୁଣ୍ଡରୁ କିଛି ଜାଳ କାଠ ଗୋଟେଇ ଘରକୁ ନେବି ।

 

କାପୁରା କେବଳ ନୀରବରେ ଚାହିଁଲା ସିନ୍‌ଗାକୁ । ହସରେ ଫାଟିପଡ଼ି ମୁହଁ ବୁଲେଇ ବାଟ ଭାଙ୍ଗିଲା ସିନ୍‌ଗା । ସେତେବେଳକୁ ନଅଣା ମୁଣ୍ଡିଆର ଶାଳଗଛରେ ଅନ୍ଧାର ଜମାଟବାନ୍ଧି ଆସୁଥିଲା । ପୁରୁଣା ଶିମିଳିଗଡ଼ ଉପତ୍ୟକାରେ ଆରଣ୍ୟକର ବିମୋହନ ବଂଶୀ ବାଜିଉଠୁଥିଲା । ବଣ କୁଆ ଏବଂ ମୟୂରମାନଙ୍କର ଡାକରେ ସ୍ଥାନଟି ଉଛୁଳି ଉଠୁଥିଲା ଏବଂ ସେତେବେଳେ ବୋଧହୁଏ ହରିଣମାନେ ବୁଢ଼ାବଳଙ୍ଗ ନଈ ଧାରର କଅଁଳିଆ ଘାସ ଖାଇବାକୁ ଗୁଡ଼ୁଗୁଡ଼ିଆ ଘାଟିରୁ ତଳକୁ ଓହ୍ଲାଉଥିବେ ଓ ମଧୁଭଣ୍ଡାର ପାହାଡ଼ କଡ଼ରୁ ମହାବଳବାଘମାନେ ଛପି ଛପି ପାଦ ପକାଇ ଗୁହା ଦେହରୁ ବାହାରୁଥିବେ ।

 

ଆକାଶକୁ ଚାହିଁଲା କାପୁରା । ଶ୍ରାବଣମାସର ମେଘଖଣ୍ଡ ପାହାଡ଼ ଉପରେ ମୁଣ୍ଡପିଟି ବାୟୁମଣ୍ଡଳକୁ ଓଜନିଆଁ କରୁଛି । ଅଳ୍ପ ସମୟ ପରେ ପୁଣି ବର୍ଷା ହେଇପାରେ । ଦେହଟା କେମିତି ଶୀତେଇ ଉଠିଲା କାପୁରାର । ବର୍ଷଣମୁଖୀ ସନ୍ଧ୍ୟା ଆନମନା କରୁଛି କାପୁରାକୁ; ଏ ଶ୍ରାବଣ ରାତିରେ ଯୋରଣ୍ଡା ମୁଣ୍ଡିଆର ନାଗ ସାପମାନେ ଯୋଡ଼ି ଯୋଡ଼ି ହୋଇ ନାଚୁଥିବେ । ମୟୂରମାନେ ପୁଚ୍ଛ ଟେକି ମୟୂରୀକୁ ବିମୋହିତ କରୁଥିବେ, ମୃଗମାନେ ମୃଗୀର ମିଥୁନ ଚର୍ଯ୍ୟା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବେ । କିନ୍ତୁ ବିଚାରୀ ଆଦିବାସୀ ବାଳିକା କାପୁରା । ଅତିଥି ନୂଆବାବୁକୁ ପାଖରେ ପାଇ ମଧ୍ୟ ଦୂର ଲୋକ ପରି ଆଡ଼େଇ ରଖିବ ନିଜକୁ ? ଅସାର କରିବ ସାରା ଶ୍ରାବଣ ରାତିଟାକୁ ! ‘‘ନା…ନା…, ସେ କହିବ ମୁହଁ ଖୋଲି ନୂଆବାବକୁ ।” ଏ ନୂଆବାବୁ ! ତୁମେ ମୋତେ ବାହା ହୁଅ । ଏ ଜଙ୍ଗଲ ଭିତର କୁଡ଼ିଆକୁ ମୁଁ ଲିପି ପୋଛି ସୁତୁରା କରିଦେବି । ସିଆରୀ ନଟୀରେ ଖଟିଆ ତିଆରି କରିଦେବି । ରାତି ଚାରି ଘଡ଼ିରେ ନାଉ ତୁମ୍ବାରୁ ହାଣ୍ଡିଆ ଅଜାଡ଼ି ପେଇ ଦେବି ଏବଂ ନିଜେ ଗୋଡ଼ରେ ମୁଣ୍ଡ ଦେଇ କହିବି–ଏ ବଣ କ’ଣ ତୁମକୁ ଭଲ ଲାଗୁନାହିଁ ନୂଆବାବୁ ?

 

ଆଉ ନିଜକୁ ରୋକିପାରିଲା ନାହିଁ ସେ । ମୁଣ୍ଡିଆ ଉପରୁ ଘର ପାଖକୁ ଗଡ଼ିଯାଇ ଦେଖିଲା ନୂଆବାବୁ ଖଣ୍ଡିଏ ବାଉଁଶ ଅଗିରେ ବଇଁଶୀ ତିଆରି କରି ବଜାଉଚନ୍ତି ଘର ପିଣ୍ଡାରେ ବସି-। ଅନ୍ଧାର ଭିତରେ ଝାପ୍‌ସା ଦିଶୁଛି ମୁହଁଟା । ପାଖକୁ ଲାଗିଗଲା କାପୁରା–ଖପ୍ କରି ନୂଆବାବୁର କୋଳରେ ପଡ଼ିଯାଇ କହିଲା–ଡରିଲ କି ନୂଆବାବୁ ?

 

ହଠାତ୍ ଚମକି ପଡ଼ିଥିଲେ ମଧ୍ୟ ହସିଉଠି କହିଲା କେଶବ–ଆଜି କାହିଁକି ଏତେ ଡେରି ହେଲା କାପୁରା ? ମୁଁ ଏକୁଟିଆ ଆଉ କ’ଣ କରିଥାନ୍ତି ? ତୋର କଥା ଭାବି ଭାବି ବଇଁଶୀ ବଜାଉଥିଲି । ନୂଆବାବୁର କଥା ଶୁଣି ଆଁକରି ଚାହିଁରହିଲା କାପୁରା । କହିଲା–‘‘ତୁମେ ମୋ କଥା ଭାବୁଥିଲ ନୂଆବାବୁ ?”

 

–“ହଁ…ବଇଁଶୀ ସୁରରେ ତତେ ଡାକୁଥିଲି, ଯମୁନା କୂଳରେ ଗୋପବାଳକ କହ୍ନାଇ ପରି-।”

 

–“ଆଚ୍ଛା ନୂଆବାବୁ ! ଯମୁନା କୂଳରେ ଗୋପୀମାନେ ପହଞ୍ଚିବା ପରେ କଳା କହ୍ନାଇ କ’ଣ କରୁଥିଲେ ?”

 

–“କେଳି କରୁଥିଲେ ଗୋପାଙ୍ଗନାମାନଙ୍କ ସହିତ ।”

 

–“ତୁମେ କ’ଣ ମୋ ଭଳି ଗୋପୀଙ୍କ ସହିତ କେଳି କରିବ ?”

 

–“ହଁ ।”

 

–“ମୁଁ ଶୁଣିଛି ନୂଆବାବୁ ! କହ୍ନେଇଙ୍କର ଷୋଳ ସହସ୍ର ଗୋପବାଳା ଥିଲେ । ମୁଁ ତୁମ ପାଇଁ ଷୋଳ ସହସ୍ର ସାନ୍ତାଳୀ ଝିଅ ଆଣିବି କେଉଁଠୁ ?”

 

–“କାପୁରା ?” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା କେଶବ ।

 

–“ତୁମେ କ’ଣ ଏକା ମୋ ଉପରେ ସନ୍ତୁଷ୍ଟ ନୁହଁ ନୂଆବାବୁ ?”

 

–“ଏ କ’ଣ କହୁଛୁ କାପୁରା ?”

 

–“ସତ କୁହ ନୂଆବାବୁ ! ତୁମେ କ’ଣ ମୋତେ ଭଲ ପାଅ ?”

 

କାପୁରାର କେଶରେ ହାତ ବୁଲେଇ କହିଲା କେଶବ–“ଛି କାପୁରା ! ଏମିତି ପ୍ରଶ୍ନ ପ୍ରଚାରି ମୋତେ ଦୁଃଖ ଦେ ନାହିଁ । ତୋ ଛଡ଼ା ମୁଁ ଆଉ କାହାକୁ ଭଲ ପାଇବି ?”

 

–“ତୁମେ ଯଦି ଭଲପାଅ, ତେବେ ମୋତେ ବାହାହୁଅ ନୂଆବାବୁ ।”

 

–“ବାହା ହେବି ?” ଉତ୍ତେଜନାରେ ଠିଆହୋଇ ପଡ଼ିଲା କେଶବ । ତା’ ମନର ଅନାହତ ଶବ୍ଦ ପେଟିକାରେ ସୃଷ୍ଟିହେଲା ଏକ ଅପୂର୍ବ ଝଙ୍କାର । ସେ ଝଙ୍କାରରେ ଲହରୀ ସୃଷ୍ଟି କରି ସନ୍ତରଣ କଲେ ଶହ ଶହ ଫୁଲମନି । ସେମାନେ ଆର୍ତ୍ତନାଦ କରୁଥିଲେ ବିକଳରେ । କହୁଥିଲେ ଚିତ୍କାର କରି–କେଶବାଇ ! ତୁମେ ଏତେ ଶୀଘ୍ର ଭୁଲିଗଲ–ବିଚାରୀ ଫୁଲମନିକୁ । ସେ ପଦ୍ମପୋଖରୀ କୂଳକୁ, ସେ ବୁଢ଼ା ଆମ୍ବ ଗଛକୁ, ଚନ୍ଦକା ଜଙ୍ଗଲକୁ, ଶ୍ରୀପର୍ବତର ଶୋଭାକୁ ।

 

ବ୍ୟଥିତ ହେଲା କେଶବ, କହିଚାଲିଲା ଉଚ୍ଚ ସ୍ଵରରେ–ହଁ କାପୁରା ! ସେ କହୁଥିବ–

 

ତିଆର ମେଳାଏ କତ୍ ଦିନ ରହିବ । ଚଞ୍ଚିଳ ଫେରିଆ ଆସିବି । ଆମି ତୁକେ ଗାଁରଗା ଚାହିଁ ବସିଛି । ମନେ ସବୁବେଳା ଅଶାନ୍ତି, ତୋର ଗାଁ ଏହି ଗାଁରଗା ପଦ୍ମ ପୋଖର ବିଲ, ବାଡ଼ି, ସବୁ ଜାଗାଏ ଦେଖିଟି । ସତେ କି ତି ବୁଳିଟି । ଚଞ୍ଚିଳ ଆଏ ।” କମ୍ପି ଉଠିଲା କାପୁରା, କହିଲା–“ତୁମେ ଏ କି ଭାଷାରେ କି କଥା କହୁଛ ନୂଆବାବୁ ? ମୁଁ କିଛି ବୁଝି ପାରୁନି ।” ହସିଲା କେଶବ କାପୁରାର କଥା ଶୁଣି । କହିଲା–” ନା କାପୁରା ! ତୁ ମୋ କଥା ବୁଝି ପାରିବୁ ନାହିଁ । ଏ ମୋ ନିଜ ଭାଷା, ସାପୁଆକେଳାର ଭାଷା । ସେ ଭାଷାରେ କାହା କଥା କହୁଛି ମଧ୍ୟ ତୁ ଜାଣିପାରିବୁ ନାହିଁ । ତୋରି ଭଳି ସେ ହୁଏତ ଅନାଇ ବସିଥିବ ମୋର ଫେରିଲା ବାଟକୁ ।”

 

–ନୂଆବାବୁ ! ମୋ ରାଣ, କୁହ ସେ କିଏ ?

 

–“ସେ ଆମରି ଜାତିର ଝିଅ ଫୁଲମନି ।”

 

ଏଥର କାନ୍ଧିଉଠିଲା କାପୁରା, କହିଲା–“ତୁମେ ତା’ହେଲେ ମତେ ବାହାହବନି ନୂଆବାବୁ-? ତେବେ ଆଉ ମୁଁ ବଞ୍ଚିବି କାହିଁକି ? ତୁମକୁ ମନଦେଇ ସାରିଛି, ଆଉ ମନ ଫେରାଇଲେ ଠାକୁର ଦଣ୍ଡ ଦେବେ । ତା’ ଅପେକ୍ଷା ବରଂ ବରେଇ ପାଣି ପାହାଡ଼ ଉପରୁ ତଳକୁ ଡେଇଁପଡ଼ି ମରିଯିବା ଭଲ ।”

 

କାପୁରାର କଥା ଶୁଣି ଚମକି ପଡ଼ିଲା କେଶବ । ମୁହଁରେ ତା’ର ହାତ ଦେଇ କହିଲା–“ନା ଲୋ କାପୁରା, ତୁ ମତେ ନୂଆ ଜୀବନ ଦେଇଛୁ । ମୋର ସେବା କରିଛୁ । ମୁଁ ତୋତେ ଭୁଲିଯିବି କେମିତି ? ବାହା ହେଲେ ତତେ ବାହା ହେବି, ଫୁଲମନିକୁ ନୁହେଁ ।”

 

“–ତୁମେ ସତ କହୁଛ ନୂଆବାବୁ ?”

 

–“ହଁ, ସତ କହୁଛି ।”

 

–‘‘ତେବେ ଆସନ୍ତାକାଲି ଆମର ବାହାଘର ହେବ । ମୁଁ ଯାଉଛି ଗାଁରେ ଖବର ଦେଇଆସେ । ପୁରୋହିତଙ୍କୁ କହିଦେଇ ଆସେ ।” କହୁ କହୁ ବାହାରି ଯାଉଥିଲା କାପୁରା ।

 

କାପୁରାର ହାତଧରି ଅଟକାଇ ରଖୁ ରଖୁ କହିଲା କେଶବ–“ନା କାପୁରା ! ବାହାଘର ଏଠି ହେବନି, ଆମ ଗାଁ ପଦ୍ମକେଶରୀପୁରରେ ହେବ । ମୁଁ କାଲି ଗାଁକୁ ଯିବି । ସବୁ ଯୋଗାଡ଼କରି ଆସିବି । ତା’ପରେ ତୁ ଯିବୁ, ବାହାଘର ହେବ ।”

 

–“ନା ନୂଆବାବୁ ! ତୁମର ଭଙ୍ଗା ଗୋଡ଼, ତୁମେ ମୁଣ୍ଡିଆ ପାର ହେଇ ଯିବ କେମିତି ?”

 

–“ବାଡ଼ି ଢିରା ଦେଇ ମୁଁ ଚାଲିବି କାପୁରା ।”

 

–“ନା । ନୂଆବାବୁ ! ତୁମକୁ ଏକୁଟିଆ ମୁଁ ଛାଡ଼ିବି ନାହିଁ । ଯଦି ଯିବାକୁ କହୁଛ, ତେବେ ଚାଲ, ମୁଁ ତୁମ ସାଙ୍ଗରେ ଯିବି, ହାତ ଧରି ମୁଣ୍ଡିଆ ପାର କରାଇ ନେବି ।”

 

ଆଶ୍ଚର୍ଯ୍ୟ ହେଲା କେଶବ ପାହାଡ଼ୀ ବାଳିକା କାପୁରାର ସମବେଦନା ଦେଖି । କହିଲା–“ହଉ ତୋରି କଥା ହେଲା କାପୁରା । ତୁ ପ୍ରସ୍ତୁତ ହେଇପଡ଼ । ଆମେ କାଲି ଦୁହେଁ ପଟିଆ ପଦ୍ମକେଶରୀପୁରକୁ ଯିବା ।” କେଶବର କଥା ଶୁଣି ତାଳିମାରି ଦମେ ନାଚିଗଲା କାପୁରା, କହିଲା–ମୁଁ ନାଉତୁମ୍ବାରେ ହାଣ୍ଡିଆ ପୂରୋଉଛି ନୂଆବାବୁ ! ମୁଣିରେ କେନ୍ଦୁ, ଚାରକୋଳି, ମହୁଲ ଧରୁଛି । କିଛି ଅସୁବିଧା ହେବନି । ତୁମେ ନ ପାରିଲେ ମୁଁ କାଖରେ ତୁମକୁ ଉଠେଇ ନେବି । ପଥର ଉପରେ ଖପ୍ ଖପ୍ ଡେଇଁ ଡେଇଁ ଚାଲିବି । କେବଳ ବାଡ଼ିଟାକୁ ତୁମେ ଠିକ୍‌କରି ରଖ ।”

 

ନୂଆ ରେଲ୍‌ଲାଇନ୍ ପଡ଼ୁଥିବା ସ୍ଥାନରୁ ଚାଲି ଚାଲି ପଦ୍ମପୋଖରୀ ହୁଡ଼ା ଉପରେ ପହଞ୍ଚିଲେ ବ୍ୟୋମକେଶ ଆଶ୍ଚର୍ଯ୍ୟ । ସଙ୍ଗରେ ପଟିଆ ଗାଁର ଯୁବକ ନରହରି ପଣ୍ଡା ଏବଂ ଯୁଗଳ ନାୟକ । ଏମାନେ ବ୍ୟୋମକେଶଙ୍କ ସହଚର । ଆଜି ଯେ ତାଙ୍କ ସହିତ ଏମାନେ ବୁଲୁଛନ୍ତି–ତା’ ନୁହେଁ, ବ୍ୟୋମକେଶ ପଢ଼ା ଛାଡ଼ି ରାଜନୀତି କରିବା ଦିନରୁ ଅନ୍ୟମାନଙ୍କ ସଙ୍ଗରେ ଏମାନେ ତାଙ୍କର ନିହାତି ପାଖ ଲୋକ । କାନରେ ଟୁପ୍ ଟୁପ୍ କହନ୍ତି–ନ କରିବା କାମ କରନ୍ତି । ପ୍ରଶ୍ନ କଲେ ଅଧା ପାଠୁଆ ଭାଷାରେ, କହନ୍ତି ଏମାନେ ଆମେ ବ୍ୟୋମକେଶ ବାବୁଙ୍କ କମ୍ରେଡ । ବ୍ୟୋମକେଶ ମଧ୍ୟ ହସରେ ଫାଟିପଡ଼ି ଡାକନ୍ତି ଏମାନଙ୍କୁ–କମ୍ରେଡ ପଣ୍ଡା, କମ୍ରେଡ ନାୟକ ! ଆଉ ସବୁ ଭଲ ତ-? ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି ଏମାନେ–କ’ଣ କହିବୁ, ଆଜ୍ଞା, ପଦ୍ମକେଶରୀପୁର ପୋଖରୀ ହୁଡ଼ା ଉପରେ ଗୃହହୀନଙ୍କ ପାଇଁ ହେଉଥିବା ଗୃହର ଠିକାଦାର ଲୋକଟା ବିଲ୍‍କୁଲ୍ ବୁର୍ଜୁଆ-। ସେ ଗୋଟାଏ ସିମେଣ୍ଟରେ କୋଡ଼ିଏଟା ବାଲି ମିଶାଇ ଗାନ୍ଥିନି କରୁଛି । ଲୋକଗୁଡ଼ାଙ୍କୁ ଖଟେଇ ନ୍ୟାଯ୍ୟ ମଜୁରୀ ଦେଉନାହିଁ । ଚାରିଟା ବେଳକୁ ଟିଣାଏ ଦେଶୀ ମାଲ ବାଣ୍ଟିଦେଇ କହୁଛି ଆଉ ତିନିଘଣ୍ଟା କାମ କର । ପୁଣି ମଜୁରୀ ଦେଲାବେଳକୁ ସେଇ ଚାରିଟଙ୍କା ଆଠଅଣା । ଏକଥା ଶୁଣି ପୋଖତ ନେତା ଗରିବଙ୍କ ପାଇଁ କଣ୍ଠରେ ଆକୁଳତା ପ୍ରକାଶ କରିବା ପରି ବ୍ୟସ୍ତ ହୋଇଉଠନ୍ତି ବ୍ୟୋମକେଶ-। କହନ୍ତି–“କମ୍ରେଡ ପଣ୍ଡା ! ତୁମେ ଲୋକଟାକୁ ଏକୁଟିଆ ଛାଡ଼ି ଆସ ନାହିଁ । କାମ ନିକଟରେ ଜଗିବସ । ଟିକେ ଏପାଖ ସେପାଖ ହେଲେ ମୋତେ ଖବର ଦିଅ ।” ଏପରି କଥାରେ ଦ୍ୱିଗୁଣିତ ଉତ୍ସାହିତ ହୋଇଉଠନ୍ତି ନରହରି ପଣ୍ଡା ଏବଂ ଯୁଗଳ ନାୟକ । ଖରାତରାରେ ସେମାନେ ଜଗି ବସନ୍ତି ପଦ୍ମକେଶରୀପୁରର ପଦ୍ମପୋଖରୀ ହୁଡ଼ାରେ ।

 

ଅବଶ୍ୟ ଏମାନଙ୍କ ଉପସ୍ଥିତି ଯୋଗୁଁ ବ୍ୟସ୍ତ ହୁଅନ୍ତି ବୁର୍ଜୁଆ କଣ୍ଟ୍ରାକ୍ଟର ବାବୁ । ଆତଙ୍କିତ ହୁଅନ୍ତି ମନେ ମନେ । ଏଣେ ପଦ୍ମକେଶରୀପୁର ଏବଂ ଆଖପାଖ ପଟିଆର ଉପଜାତିର ଲୋକେ ଭାବନ୍ତି–ନେତା କହିବ ବ୍ୟୋମକେଶବାବୁଙ୍କୁ । ସବୁ କରୁଛନ୍ତି ସେ–ନୂଆ ରେଳଲାଇନ୍ ଆଣୁଛନ୍ତି, ଆମ ପାଇଁ ନୂଆ ଘର କରୁଛନ୍ତି । ମନ୍ତ୍ରୀ କେବଳ ନାମକୁ ମାତ୍ର ।

 

ଏ ଆଳାପ ଆଲୋଚନା ମଧ୍ୟ ଆସେ ଶାସକ ଦଳର ମନ୍ତ୍ରୀଙ୍କ ପେଟୀ ନେତାମାନଙ୍କ କାନକୁ । ଚେଇଁଉଠନ୍ତି ସେମାନେ–କେମନ୍ତ, ଆମ ମନ୍ତ୍ରୀ ଶୁଭ ଦେଲେ । ଆମେ ଚାନ୍ଦାଭେଦା କରି କେତେ ଖାଇବା ପିଇବାକୁ ଦେଲୁ, ହେଲେ ନାମ ନେବ ଶଳା ଭାଗୁ ଆଚାର୍ଯ୍ୟ ପୁଅ ବ୍ୟୋମା, କଦାପି ହେଇପାରିବ ନାହିଁ । ଆମେ ଏଇଠୁ ଘର ତିଆରି କାମ ବନ୍ଦ କରିଦେବୁ । ଏମିତିକି ନିଶ ମୋଡ଼ି ଏମାନେ ପହଞ୍ଚନ୍ତି ମନ୍ତ୍ରୀଙ୍କ ନିକଟରେ । କହନ୍ତି ଆଜ୍ଞା, ପଦ୍ମପୋଖରୀ କୂଳରେ ଘର ତିଆରି ହେବ ନାହିଁ । ଆମେ ସବୁ କଲୁ, ନାଁ ନେଉଛି ବ୍ୟୋମକେଶ । ଆମେ ଆଜି ସେ କାମ ବନ୍ଦ କରିଦେବା ।

 

ଚିନ୍ତାକରି ମୁଣ୍ଡରେ ହାତ ଘଷି ଘଷି କହନ୍ତି ମନ୍ତ୍ରୀ ମହୋଦୟ, ବ୍ୟସ୍ତ ହୁଅନାହିଁ । ଚାଲାଖିରେ କାମ ଉଠାଅ । ବର୍ତ୍ତମାନ କାମ ବନ୍ଦ କରିଦେଲେ ନିନ୍ଦା ଆମର ହେବ, ଲୋକେ କହିବେ–ବ୍ୟୋମକେଶବାବୁ ଆମପାଇଁ ଘର କରୁଥିଲେ, ମନ୍ତ୍ରୀଙ୍କ ଲୋକେ ସେ କାମ ବନ୍ଦ କରିଦେଲେ । ବରଂ ତୁମେ ଠିକାଦାରଙ୍କୁ ଧମକ ଦେଇ କାମ ଚଞ୍ଚଳ ଶେଷ କରିବାର ବ୍ୟବସ୍ଥା କର-। ଏ କଥାରେ ଉତ୍ସାହିତ ହୁଅନ୍ତି ପେଟୀ ନେତାଏ । ସିଧାସଳଖ ପଦ୍ମପୋଖରୀ କୂଳରେ ପହଞ୍ଚି ଇନିସ୍ପେକ୍‍ସନ୍ ଅଫିସରଙ୍କ ପରି କହନ୍ତି–କି ହୋ ଠିକାଦାରବାବୁ । ଏଠି କାନ୍ଥଟା ବଙ୍କା କଲ କାହିଁକି-? ମନେରଖ କାମ ଭଲ ନକଲେ ଆମେ ମନ୍ତ୍ରୀଙ୍କୁ ରିପୋର୍ଟ କରିବୁ । ତୁମେ ଆଉ ବିଲ୍ ପାଇବା ସମ୍ଭବପର ହେବନାହିଁ । ଏମିତି ସଂଖ୍ୟାଧିକ ବ୍ୟକ୍ତିଙ୍କର ଧମକ ଶୁଣିବା ପରେ ବିବ୍ରତ ହୋଇ କହନ୍ତି କଣ୍ଟ୍ରାକ୍ଟରବାବୁ–ଏ ତ ବାର ଘଇତାର ଘର, ମୁଁ କାହାକୁ କରିବି ପର । ବ୍ୟୋମକେଶବାବୁ କହୁଛନ୍ତି ଏଠି ଝରକା କର, ଏଠି ଦରଜା କର । ନିଅଁ ଚାରିଫୁଟ ପକାଅ । ତୁମେ କହୁଚ କାନ୍ଥ ସିଧାକର, ଝରକା ସ୍ଥାନରେ ଦରଜା କର, ନିଅଁ ପାଞ୍ଚ ଫୁଟରେ ଦିଅ । ତୁମମାନଙ୍କ କଥା ଅନୁସାରେ କାମ କଲେ ମେଣ୍ଢା ଧୋଉ ଧୋଉ ନିର୍ବାଳ, ଆହୁରି ମୋ ହାତରୁ ହଜାର ହଜାର ଟଙ୍କା ବାଜିବ-। ମୁଁ କଣ୍ଟ୍ରାକ୍ଟରୀ କରିବି କାହିଁକି ? ତା’ପରେ ବିରକ୍ତ ହୋଇ କହନ୍ତି ସେ–ଯା ହୋ–ତୁମ ମନ୍ତ୍ରୀଙ୍କୁ କହିବ–ମୁଁ ତୁମ ବରାଦ ଅନୁସାରେ କାମ କରିପାରିବି ନାହିଁ । ତୁମେ ଅନ୍ୟ କଣ୍ଟ୍ରାକ୍ଟର ଦେଖ-। କାଦୁଅ ପେଚ ବଦଳି ସିମେଣ୍ଟ ପେଚରେ କାମ ହେଲା, ସେହି ଯଥେଷ୍ଟ ।

 

ଏପରି କଥାରେ ମୁହଁ ଭୁରୁଡ଼ି ମାରି ଫେରିବାକୁ ବାଧ୍ୟ ହୁଅନ୍ତି ପେଟୀ ନେତାମାନେ । ତା’ପରେ ପହଞ୍ଚନ୍ତି ବ୍ୟୋମକେଶବାବୁ, ଅବସ୍ଥାଟା ବୁଝିନେଇ କହନ୍ତି ସେ–ବୁଝିଲେ କଣ୍ଟ୍ରାକ୍ଟରବାବୁ ! ଆପଣ କାମ କରି କରି ପୋଖତ । ଆପଣଙ୍କୁ ଆମେ କହିବୁ କ’ଣ ? କେବଳ ପରାମର୍ଶ ମାତ୍ର । ଭଲ କାମ କଲେ ଲୋକେ ଏ ଘରେ ରହି ଆପଣଙ୍କର ଗୁଣଗାନ କରିବେ । ଯଶ ରହିବ ଆପଣଙ୍କର ।

 

ବ୍ୟୋମକେଶବାବୁଙ୍କର ଏପରି ଅଭିବ୍ୟକ୍ତିରେ ଗର୍ବିତ ହୋଇଉଠନ୍ତି କଣ୍ଟ୍ରାକ୍ଟର ବାବୁ । ହଠାତ୍ ପୋଖରୀ ପଟକୁ ବୁଲିଯାଇ ପାଟିକରି ଉଠନ୍ତି ସେ । “ଆରେ ଶଳେ କୁଆଡ଼େ ଗଲ କି ! ଖଣ୍ଡେ ଇଟା ଆଣୁ ଆଣୁ ଅଧଘଣ୍ଟାଏ ଯାଉଛି । ଶୀଘ୍ର ଆଣରେ । ପାଣିରେ ଧୋଇ ସଜେଇ ରଖ । ଏ ଘରେ ମୁଁ ରହିବି ନାହିଁରେ, ତୁମେ ରହିବ । ଯେତେ ଖଟିବ ସେତେ ତୁମର ଲାଭ ।”

 

କଣ୍ଟ୍ରାକ୍ଟରବାବୁଙ୍କର ଏ ଚିତ୍କାର ଶୁଣି ଦୌଡ଼ି ଦୌଡ଼ି କାମ ଉଠାଇବାକୁ ଚେଷ୍ଟା କରନ୍ତି ମଜୁରିଆ ଦଳ । ହସି ଉଠି କହନ୍ତି କଣ୍ଟ୍ରାକ୍ଟର ବାବୁ–ବୁଝିଲ ଶଳେ । ଆଜି ପଶ୍ଚିମପଟ ଦିଆଲଟା ଦୁଇଫୁଟ ଉଠାଇଦେଲେ ଗିଲାସେ ଗିଲାସେ ଅଧିକ ମିଳିବ । ଦେଖିବା କିଏ କେତେ ଖଟୁଛି ।

 

ଗିଲାସ କଥା ଶୁଣିଲେ ଆହୁରି ଉତ୍ସାହିତ ହୋଇଉଠନ୍ତି ମଜୁରିଆ ଦଳ । ରେଜା କୁଲିଙ୍କୁ ଠେଲି ଆଗକୁ ଅଗେଇ ଯାଉ ଯାଉ ପାଟି କରନ୍ତି ସେମାନେ–ଏ…ମାଟିର ବୋଝ ସଇକରି ଆଣ । ଏମିତ ଖୁଚୁରୁ ଖୁଚୁରୁ କରୁଛ କ’ଣ । ଦେହ ରଖି କାମ କଲେ ଆଜି ପଶ୍ଚିମପଟ କାମ ସରିବ କେମିତି ? ଅବଶ୍ୟ ରେଜା କୁଲିମାନଙ୍କ ମନରେ ଯେ ଗିଲାସର ମୋହ ଶିହରଣ ସୃଷ୍ଟି କରେ ନାହିଁ–ତା’ ନୁହେଁ, କିନ୍ତୁ ମାତ୍ର କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଗିଲାସ ଉପରେ ବୀତସ୍ପୃହ ।

 

ଏମିତି ସେଦିନ ପଦ୍ମପୋଖରୀ ହୁଡ଼ା ଉପରେ ଠିଆହୋଇ ବ୍ୟୋମକେଶ ଚାହିଁଲେ ପୋଖରୀ ଭିତରକୁ । ପୋଖରୀରେ ପଦ୍ମ ନାହିଁ–କଢ଼ ମଧ୍ୟ ନାହିଁ । ପତ୍ରଗୁଡ଼ାକ ଏକରକମ୍ କଡ଼କୁ ଆଉଜି ପଡ଼ିଛି ପ୍ରଳୟଙ୍କରୀ ବାତ୍ୟାରେ । ଗତକାଲି ସକାଳୁ ଧୀରେ ଧୀରେ ପବନ ବହିଲା । ପାଗ କୋହଲା ରହିଲା । ମଝିରେ ମଝିରେ ଝିପି ଝିପି ବର୍ଷା–ଆତଙ୍କ ସୃଷ୍ଟି କଲା ମନ ଭିତରେ । ରେଡ଼ିଓ କହିଲା–ଶହେ ଅଶି କିଲୋମିଟର ବେଗରେ ପବନ ବହିବ । ଲୋକେ ଡରିଗଲେ । ଯିଏ ଯେଉଁଠି ଥିଲେ ପଳାଇ ଗଲେ ଘର ଆଡ଼େ । ଠିକ୍ ଅପରାହ୍ନ ଛଅଟା ପରେ ପବନର ଗତି ଆହୁରି ବଢ଼ିଲା । ଲୋକେ ରୋଷେଇବାସ କରି ଖାଇବା କଷ୍ଟକର ହୋଇପଡ଼ିଲା । ରାତି ନଅଟା ପରେ ଅବସ୍ଥା ଅସମ୍ଭାଳ କହିଲେ ଚଳେ । ଉତ୍ତରା ଏବଂ ପଶ୍ଚିମା ପବନର ବେଗରେ ଉଡ଼ିଲା ଘର ଚାଳ, କରୋଗେଟ୍‌ସୀଟ୍, ଆଜବେସ୍‌ଟସ୍ ଛପର । ଉପୁଡ଼ିଲା ବିଶାଳ ବିଶାଳ ବୃକ୍ଷ, ସ୍ଥାନେ ସ୍ଥାନେ ଭୂଇଁରୁ ଘାସଚାଞ୍ଛି ହୋଇଗଲା । ଗୋରୁ ଗାଈ ମଣିଷ କାନ୍ଥ ତଳେ ପଡ଼ି ପ୍ରାଣ ଦେଲେ । ରେଡ଼ିଓ କହିଲା ସମଗ୍ର ପୁରୀ ଜିଲା, କଟକ ଜିଲା ଏବଂ ବାଲେଶ୍ଵର ଜିଲା କ୍ଷତିଗ୍ରସ୍ତ । କ୍ଷୟ କ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ମିଳି ନାହିଁ । ତଥାପି ଅନୁମାନ କରୁଛନ୍ତି ବ୍ୟୋମକେଶ ଅବସ୍ଥା ସମ୍ପର୍କରେ । ଏଇ ପଟିଆ ଗାଁ ଏବଂ ପଦ୍ମକେଶରୀପୁରର ସବୁ ଚାଳ ଘର ଭାଙ୍ଗିଛି, କାନ୍ଥ ପଡ଼ିଛି, ଗୋରୁ ଗାଈ ମଣିଷ ଅନେକ ମରିଛନ୍ତି । ଏମିତିକି ପଘାଛିଣ୍ଡା ବାଛୁରୀ କେତୋଟି ଲାଗିଛନ୍ତି ଥୁଣ୍ଟା ବରଗଛ ଡାଳରେ ।

 

ରେଡ଼ିଓ କହିଛି–ଉପକୂଳବର୍ତ୍ତୀ ଅଞ୍ଚଳରେ ଲୁଣା ପାଣି ମାଡ଼ି ଯାଇଛି । ପଟିଆ ଅଞ୍ଚଳକୁ ସେ ଭୟ ନଥିଲେ ମଧ୍ୟ ବର୍ଷା ପାଣିରେ ଭରପୂର ସମଗ୍ର ଅଞ୍ଚଳ । ଏମିତିକି ପଦ୍ମପୋଖରୀରେ ପାଣି ଭରପୂର । ବିଷଣ୍ଣ ଆଖିରେ ବ୍ୟୋମକେଶ ବାବୁ ଚାହିଁଲେ ପଦ୍ମକେଶରୀପୁରକୁ । ଠିଆ ହୋଇଛି କାନ୍ଥରା କେତୋଟି । ବିଚରା ଯାଯାବର ସାପୁଆକେଳାମାନେ ଚେଷ୍ଟା କରୁଛନ୍ତି ଛପରଗୁଡ଼ିକ ଉଠାଇ ମୁଣ୍ଡ ଗୁଞ୍ଜିବାକୁ । ଏ ବସ୍ତିରୁ କେତେ ମଣିଷ ମରିଛନ୍ତି କେଜାଣି ? ପୁଣି ମୁହଁ ଫେରାଇଲେ ବ୍ୟୋମକେଶ ବାବୁ ପଦ୍ମପୋଖରୀର ହୁଡ଼ାକୁ । ନୂଆ ହୋଇ ତିଆରି ହେଉଥିବା ଘରର ଗୋଟାଏ ପଟ କାନ୍ଥ ଖସିଛି, ଅନ୍ୟ ପଟର ଲିନଟେଲ୍ ଧୋଇଯାଇ କେବଳ ମଣିଷର ପଞ୍ଜିରା ହାଡ଼ ପରି ଖତେଇ ହେଉଛି ଲୁହାଛଡ଼ । ମଜୁରିଆମାନେ ଆଶ୍ରୟ ନେଇଥିବା ଝୁମ୍ପୁଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ନିଶ୍ଚିହ୍ନ । ସିମେଣ୍ଟ ବସ୍ତାଗୁଡ଼ିକ ଥାକ ଥାକ ହୋଇ ରଖା ଯାଇଥିଲେ ମଧ୍ୟ ପ୍ରାୟ ପାଣି ପଡ଼ି ବିଲ୍‌କୁଲ୍‌ ପଥର । ବିଚରା କଣ୍ଟ୍ରାକ୍ଟର ସିମେଣ୍ଟ ଅଭାବ ସମୟରେ କଳାବଜାରରେ ବିକ୍ରି କରିବାର ସୁଯୋଗ ପାଇଥିଲେ ବୋଧହୁଏ ଲକ୍ଷେ ଟଙ୍କା ଲାଭ କରିବାକୁ ସକ୍ଷମ ହୋଇଥାନ୍ତା ।

 

ବେଦନା ଭରା ଆଖିରେ ବ୍ୟୋମକେଶ ଚାହିଁଲେ କମ୍ରେଡ ନରହରି ଏବଂ ଯୁଗଳଙ୍କୁ । ପାଖକୁ ଲାଗି ଆସି କହିଲା ନରହରି–ପଦ୍ମକେଶରୀପୁରର କିଛି ନାହିଁ ଆଜ୍ଞା, ଖବର ପାଇଲି ସାପୁଆକେଳା ନାଥ ଦାସ କାନ୍ଥ ତଳେ ପ୍ରାଣ ହରାଇଛି । ସେମିତି ଆଉ କେତୋଟି ଛୁଆ ମଧ୍ୟ କାନ୍ଥ ତଳେ ପ୍ରାଣ ହରାଇଛନ୍ତି । ନାଥିଆର ପୁଅ ପଦିଆକୁ ଝଡ଼ ଗଡ଼େଇ ଗଡ଼େଇ ନେଇ ପକାଇଥିଲା ବିଲ ମଝିରେ । ସକାଳୁ ଲୋକେ ତାକୁ ଅଚେତ ଅବସ୍ଥାରେ ଆଣିଛନ୍ତି ଗାଁକୁ । ଅବସ୍ଥା ଭଲ ଅଛି । ଯୁଗଳ କହିଲା–ହଁ ବାବୁ, କେବଳ ମନେଇ ଦାସ ଛଡ଼ା ଆଉ ସମସ୍ତଙ୍କ ଘର ଭାଙ୍ଗି ଯାଇଛି । ମନେଇ କହୁଛି–ଶଳେ ଧର୍ମ କରରେ ଧର୍ମ କର । ତୁମେ ଝାଟିମାଟି ପିଲା ଛାଡ଼ି କୋଠା ଘରରେ ରହିବା ପାଇଁ ମନକଲ, ସେଥିପାଇଁ ଏ ଅକାଳ ପବନ ଆସିଲା । ଭିଟାମାଟି ଉଚ୍ଛନ କଲା । ଏବେ ଯା ସେ କୋଠାଘରେ ରହିବ । ତା’ପରେ ଭୂମିକମ୍ପ ହେଇ ତୁମ ସହିତ ପାତାଳକୁ ଏ ମାଟି ଖସି ପଡ଼ିବ । ଆମ ଚଉଦ ପୁରୁଷ ତ ରାସ୍ତା କଡ଼ରେ ପଲା ଭିତରେ ରହିଲେ । ଆମେ କୋଠାଘରେ ରହିବାକୁ ଚାହିଁଲେ ଭଗବାନ ସହିବେ ମେତେକେ ?

 

ଯୁଗଳର କଥାରେ ବିବ୍ରତ ହୋଇପଡ଼ିଲେ ବ୍ୟୋମକେଶ, ଚିତ୍କାର କରି କହିଲେ–ପଦ୍ମକେଶରୀପୁରରେ ସିନା ଲୋକ ପୂର୍ବରୁ ପଲାରେ ରାସ୍ତା କଡ଼ରେ ରହୁଥିଲେ, ହେଲେ ଏ ବାତ୍ୟାରେ କେନ୍ଦ୍ରାପଡ଼ା, ପାରଦ୍ଵୀପ, ମାର୍ଶାଘାଇ, ମହାକାଳ ପଡ଼ା, ଜଗତସିଂହପୁର, ବରୀ, ଯାଜପୁର, ଚାନ୍ଦବାଲି, ସୁକିନ୍ଦା, କେନ୍ଦୁଝର, ମୟୂରଭଞ୍ଜ, ସାଲେପୁର ଏବଂ ନିମାପଡ଼ା, ଗୋପ ଇତ୍ୟାଦି ଅଞ୍ଚଳ କ୍ଷତିଗ୍ରସ୍ତ । ଏ ସବୁ ଅଞ୍ଚଳର ଲୋକେ ଗୃହଶୂନ୍ୟ । ଏମାନଙ୍କ ପୂର୍ବ ପୁରୁଷ କ’ଣ ପଲାରେ ବାସ କରୁଥିଲେ ? ବ୍ୟୋମକେଶଙ୍କ କଥାରେ ସମର୍ଥନ କରି ମୁଣ୍ଡ ଟୁଙ୍ଗାରିଲା ଯୁଗଳ, ଭାବୁଥିଲା ସେ–ଆହା ବ୍ୟୋମକେଶ ବାବୁ କେତେ ତାଜା ଖବର ନ ରଖିଛନ୍ତି । ୟାଙ୍କୁ ସିନା କହିବ ନେତା ।

 

ବ୍ୟସ୍ତ ହୋଇ ବ୍ୟୋମକେଶ ବାବୁ କହିଲେ–କମ୍ରେଡ ନରହରି ! ତୁମେ କହିଲ ନାଥ ଦାସ ଝଡ଼ରେ ମରିଛି ଏବଂ ଯୁଗଳ କହିଲା ପଦିଆକୁ ଝଡ଼ ଉଡ଼େଇ ନେଇଥିଲା । ତେବେ ଫୁଲମନି କେମିତି ଅଛି କହି ପାରିବ ?

–“ଫୁଲମନି ?” କପାଳ କୁଞ୍ଚିତ କଲା ନରହରି ।

–“ହଁ…ନାଥ ଦାସର ବୋହୂ ପଦିଆର ସ୍ତ୍ରୀ ଫୁଲମନି,”

–“ଭଲ ଅଛି, ଭଲଅଛି ବ୍ୟୋମକେଶ ବାବୁ । ମୁଁ ଶୁଣିଥିଲି–ସେ କୁଆଡ଼େ ପଦିଆ ମୁହଁରେ ପାଣି ଢାଳି ତାକୁ ସଚେତ କରୁଛି ।”

ଦୀର୍ଘନିଃଶ୍ୱାସ ପକାଇ ପୁଣି ପଦ୍ମକେଶରୀପୁରକୁ ଚାହିଁଲେ ବ୍ୟୋମକେଶ ବାବୁ, କହିଲେ–‘‘ନରହରି, ଯୁଗଳ, ତୁମେ ଠିଆହୋଇ ଲାଭ ନାହିଁ, ପଟିଆ ଗାଁ ଭିତରକୁ ଯାଅ । ଆହତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କର, ଯୁବକସଂଘର ପିଲାମାନଙ୍କୁ ଧରି ରିଲିଫ୍ ଯୋଗାଡ଼ କରିବାକୁ ଭୁବନେଶ୍ୱର ଯାଅ । ମୁଁ ପଦ୍ମକେଶରୀପୁରର ଅବସ୍ଥା ଦେଖି ଫେରୁଛି । ତୁମ ପଛେ ପଛେ ମୁଁ ମଧ୍ୟ ଖୁବ୍ ଶୀଘ୍ର ଭୁବନେଶ୍ଵରରେ ପହଞ୍ଚିବି । ଡେରି ନ କରି ତୁମେ କାମରେ ବାହାରି ପଡ଼ ।

ବ୍ୟୋମକେଶଙ୍କ କଥା ଶୁଣି ତରବର ହୋଇ ବାହାରି ପଡ଼ିଲେ ନରହରି ଓ ଯୁଗଳ ଏବଂ ନିଜେ ବ୍ୟୋମକେଶ ମୁହାଁଇଲେ ପଦ୍ମକେଶରୀପୁରକୁ ।

ଝଡ଼ ପରେ ଦୀର୍ଘ ପନ୍ଦରଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ କେଳା ପଲ୍ଲୀ ପଦ୍ମକେଶରୀପୁରର ଭଙ୍ଗା କାନ୍ଥରା ଉପରେ ତା’ର ପଦ ଚିହ୍ନ ସୁପ୍ପଷ୍ଟ । କାନ୍ଥରାଗୁଡ଼ିକ ଆଁ କରି ଅନେଇ ରହିଛନ୍ତି ଉପରକୁ । କାନ୍ଥ ଉପରେ ପଡ଼ି ଗଡ଼ିପଡ଼ୁଥିବା ବର୍ଷା ଧାରକୁ ଦେଖିଲେ ମନେହେଉଛି ସତେ ଅବା କାନ୍ଦୁଛି ଗରିବ ପଲ୍ଲୀ ଭାଗ୍ୟକୁ ଅଣ୍ଡାଳି । କେବଳ ପଦ୍ମକେଶରୀପୁରର କାନ୍ଥରା କାନ୍ଦୁନାହିଁ–କାନ୍ଦୁଛନ୍ତି ନବବଧୂ ରୂପଧାରିଣୀ ଫୁଲମନି, ଯୁବକ ପଞ୍ଚୁ ଦାସ, ଗରିବ ଦାସ ଏବଂ ଅନ୍ୟମାନେ । ସେମାନେ ଭଙ୍ଗା କାନ୍ଥରା ଉପରେ ନଡ଼ା ଢାଙ୍କି ମୁଣ୍ଡ ଗୁଞ୍ଜିବାକୁ ଅକ୍ଷମ । କାରଣ ଭୂମିହୀନ କେଳାପଲ୍ଲୀରେ ଗଚ୍ଛିତ ନଡ଼ା କାହିଁ, ଅଥବା ସମଗ୍ର ଅଞ୍ଚଳ ଗୃହଶୂନ୍ୟ ହୋଇଥିବା ବେଳେ, ନଡ଼ା ଦେବ କିଏ ? ସମସ୍ତେ କେବଳ ବିକଳ କାନ୍ଥରାକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ-

 

ଏଣେ କିନ୍ତୁ ଶ୍ରାବଣୀ ବର୍ଷା ଦାଉ ସାଧୁଛି ବେଳକୁ ବେଳ ଗାଁ ଉପରେ । ଶ୍ରୀପର୍ବତ ଆଡ଼ୁ ମାଡ଼ି ଆସୁଛି ଏ ମେଘ, ପବନ ସହିତ କୁଟି ଦେଇ ଯାଉଛି ଗାଁ ଭିତରେ I ବର୍ଷାରେ ଭିଜି ଭିଜି କୁଲା ବାଉଁଶିଆ ଏବଂ ଛିଣ୍ଡାଲୁଗା ଢାଙ୍କି କାନ୍ଥରାଗୁଡ଼ିକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି ସମସ୍ତେ ।

 

ଘର ବାହାରେ ବସି ଏ କାନ୍ଥରାକୁ ଅନେଇଛି ଫୁଲମନି ଗାଲରେ ହାତଦେଇ, ନିନ୍ଦୁଛି ନିଜ ଭାଗ୍ୟକୁ । କି ସୁଖ ପାଇଲା ସେ, ଦିନେ ସ୍ଵପ୍ନ ଦେଖୁଥିଲା କାହିଁ କେତେ । କେଶବାଇକୁ ବାହା ହବ, ଭଲ ଘରେ ରହିବ । ବିଦେଶ ବୁଲି ସାପ ଖେଳାଇବ ଏବଂ ଚିତା କୁଟେଇ ମନୋହରି ଜିନିଷ ଓ ଜଡ଼ିବୁଟି ବିକି ସଂସାର ଚଳେଇବ । କିନ୍ତୁ ସେ ସ୍ଵପ୍ନ ଉଭେଇଗଲା କୁଆଡ଼େ ? ଏ ମାଇଚିଆ ପଦିଆକୁ ନେଇ ସେ ଚଳିବ କେମିତି ସଂସାରରେ ? ସ୍ଵାମୀ ସୁଖ ଏବଂ ପିଲାପିଲିର ସ୍ଵପ୍ନ ଯାଇଛି–ତା’ ସହିତ ବଞ୍ଚିରହିବାର ଲାଳସା ମଧ୍ୟ ମରି ମରି ମରି ଆସୁଛି । କ’ଣ ପାଇଁ ବଞ୍ଚିବ ସେ ହୀନସ୍ତା ଜୀବନ ନେଇ !

 

ପରମୁହୂର୍ତ୍ତରେ ପୁଣି କଠୋର ହେଲା ଫୁଲମନି । ନା…ନା…ମାଇଚିଆ ପଦିଆ ମୋର ସ୍ଵାମୀ ଦେବତା । ତାକୁ ମଣିଷ କରିବା ଦାୟିତ୍ଵ ମୋର । ମୁଁ ତାକୁ ବାଟ କଢ଼େଇବି, ଆଗକୁ ନେବି, ବିଦେଶ ବୁଲେଇବି । ରୋଜଗାର କରିବି । ଭାଙ୍ଗିପଡ଼ିଲେ ସବୁ ଅଚଳ ହେଇଯିବ । ଛୋଟ ସଂସାରଟା ନଷ୍ଟ ହେଇଯିବ । ଏମିତି ଚିନ୍ତାକରି ଅଣ୍ଟା ଭିଡ଼ି ଉଠିଲା ଫୁଲମନି । କାନ୍ଥରା ତଳୁ ବାହାର କଲା ଶଶୁର ନାଥ ଦାସ କିଣିଆଣି ଦେଇଥିବା ମନୋହରି ଜିନିଷ ଏବଂ ଜଡ଼ିବୁଟି । ସେ ସବୁ ଗୋଟିଏ ପସରାରେ ସଜାଇ ରଖିଲା ଫୁଲମନି । ସଜେଇ ରଖିଲା ମଧ୍ୟ ଚିତା କୁଟାଇବା ସାମଗ୍ରୀ । ଅନେକ ଦିନର ବାସନା ଚରିତାର୍ଥ କରିବା ପାଇଁ ବାହାରିବ ସେ ବିଦେଶ । ରୋଜଗାର କରିବ, ତା’ ଭଙ୍ଗା କାନ୍ଥରା ଉପରେ ସେ ନଡ଼ା ଛପର କରିବ ।

 

ଏମିତି ସମୟରେ ଦେଖିଲା ଫୁଲମନି–ସ୍ଵାମୀ ପଦିଆ ଗାଧୋଇ ପାଧୋଇ ଫେରୁଛି ପଦ୍ମପୋଖରୀ କୂଳରୁ । ଆହତ ଆଖିରେ ଚାହିଁଲା ସେ ପଦିଆକୁ । ବାହାର ନେଉଆ ଗଛ ମୂଳେ ହାଣ୍ଡିରେ ଘୋଡ଼େଇ ରଖିଥିବା ପଖାଳ ମୁଠାଏ ସିଲଭର ବେଲାରେ ବାଢ଼ି ଦେଉ ଦେଉ କହିଲା–‘‘ଶୁଣୁଛ, ଆମେ ଆଜି ଉପରଓଳି ବିଦେଶ ବାହାରିବା । ପଇସା ରୋଜଗାର କରିବା । ନହେଲେ ଏ ଘରକୁ ସଜାଡ଼ିବା କେମିତି ? ତୁମେ ବାବାଙ୍କ ସାପପେଡ଼ିଗୁଡ଼ିକ ସଜଡ଼ା ସଜଡ଼ି କର । ଝଡ଼ରେ ତ’ କାନ୍ଥ ତଳେ ଦୁଇଟା ତମ୍ପ ସାପ ମରିଯାଇଛନ୍ତି । ଅଛନ୍ତି ଆଉ ଦୁଇଟା ଗୋଖର, ଗୋଟାଏ ଅଜଗର । ସେମାନଙ୍କୁ ତୁମେ ସଜାଡ଼ି ଭାର କର । ମୁଁ ପଞ୍ଚୁଭାଇ ଘରୁ ଗୋବିନ୍ଦ ମୂଷାଟାଏ ମାଗି ଆଣୁଛି । ଆମେ ବାହାରିବା ।

କାବାହୋଇ ଚାହିଁ ରହିଲା ପଦିଆ ଫୁଲମନିକୁ, କହିଲା–“ଫୁଲ ଲୋ …ମତେ କ’ଣ ସାପ ଖେଳେଇ ଆସିବ ?”

ରାଗିଉଠିଲା ଫୁଲମନି, କହିଲା–“ବାବା ସବୁ ଶିଖେଇଛନ୍ତି । ତୁମକୁ ସବୁ କାମ ଆସିବ-। ବାହାର ଶୀଘ୍ର ।”

ଫୁଲମନି କଥାରେ ଅମନା ହେବାର ଶକ୍ତି ନଥିଲା ପଦିଆର I ବାଧ୍ୟ ଶିଶୁଙ୍କ ପରି ପଖାଳ ଗଣ୍ଡିକ ଖାଇସାରି ସଜାଡ଼ି ବସିଲା ସାପମାନଙ୍କୁ ଏବଂ ଫୁଲମନି ପଦିଆ ବେଲାର ତାରାଣିରେ ଗଣ୍ଡାଏ ଭାତ ମିଶାଇ ଖାଇନେଇ ବେଲା ବାସନଗୁଡ଼ିକ ଚିକ୍‍କଣ କରି ମାଜି ସଜାଇ ରଖିଲା ଘର ଭିତରେ । ତା’ପରେ ଭାତ ହାଣ୍ଡି, ଦୁଇଖଣ୍ଡ ବେଲା ଓ କିଛି ଚାଉଳକୁ ଏକାଠି କରି ସଜାଇ ରଖିଲା ଶିକା ବାଉଁଗୀ ଦେହରେ ।

ଗୋଟାଏ ପାଖରେ ଭାତହାଣ୍ଡି, ଚାଉଳ, ବେଲା ଏବଂ ଅନ୍ୟ ପାଖରେ ସାପମାନଙ୍କୁ ରଖି ଭାରଟାକୁ ପରୀକ୍ଷା କରିନେଲା ପଦିଆ । ଏହି ଅବସରରେ ଫୁଲମନି ଧାଇଁଯାଇ ପଞ୍ଚୁଭାଇଠାରୁ ମାଗିଆଣିଲା ଗୋବିନ୍ଦ ମୂଷାଟାଏ । ସମଗ୍ର ପଦ୍ମକେଶରୀପୁର ଭିତରେ ପଞ୍ଚୁଦାସ ଗୋବିନ୍ଦ ମୂଷା ଖେଳରେ ପ୍ରଖ୍ୟାତ । ସାପୁଆକେଳାମାନେ କହନ୍ତି–ପଞ୍ଚୁର କଥାକୁ ତଳେ ପକାନ୍ତି ନାହିଁ ମୂଷାମାନେ । ସେପାଇଁ ପଞ୍ଚୁର ପୋଷା ମୂଷାମାନଙ୍କୁ ଖେଳ ଖେଳାଇବା ପାଇଁ ମାଗି ନିଅନ୍ତି ଅନ୍ୟମାନେ । ବିଦେଶରୁ ଫେରି ମୂଷା ବାବଦରେ ଦିଅନ୍ତି କିଛି ଭଡ଼ା । ପଞ୍ଚୁ ଗାଁ ବାଲାଙ୍କୁ ଏମିତି ଭଡ଼ାରେ ଦେବା ପାଇଁ ଧରେ ଅନେକ ମୂଷା । ଅବଶ୍ୟ ଗତ ଝଡ଼ରେ ପଞ୍ଚୁର ଗଣ୍ଡାଏ ଦୁଇ ଗଣ୍ଡା ପୋଷା ମୂଷା ମଧ୍ୟ ମୃତ୍ୟୁବରଣ କରିଥିଲେ । ତଥାପି ଯେଉଁ କେତୋଟି ଜୀବିତ ଥିଲେ–ସେମାନଙ୍କ ସଂଖ୍ୟା ମଧ୍ୟ କିଛି କମ୍‍ ନୁହେଁ । ତେଣୁ ଫୁଲମନି ମାଗିଲେ ସେ ନ ଦିଅନ୍ତା ଅବା କାହିଁକି ?

ମୂଷାଟାକୁ ଦେଖି ଆହୁରି ଖୁସିହେଲା ପଦିଆ । ସାପ ପେଡ଼ିଗୁଡ଼ିକ ଉପରେ ସେ ରଖିଲା ଛୋଟ ମୂଷା ପେଡ଼ିଟିକୁ । ତା’ ଉପରେ ଟଙ୍ଗାଇଲା ଡମ୍ବରୁ । ଏଇ ଡମ୍ବରୁ ବଜାଇ ପଟିଆର ସାପୁଆକେଳାମାନେ ସାପ ଖେଳାନ୍ତି, ଅବଶ୍ୟ ଅନ୍ୟ ଅଞ୍ଚଳର ସାପ ଖେଳାଳି କେଳାମାନଙ୍କର ପ୍ରଧାନ ବାଦ୍ୟ ହେଲା ନାଗେଶ୍ଵରୀ । କିନ୍ତୁ ପଟିଆ କେଳାମାନେ ନାଗେଶ୍ଵରୀ ଅପେକ୍ଷା ଡମ୍ବରୁକୁ ଶ୍ରେଷ୍ଠ ବାଦ୍ୟ ବୋଲି ବିଚାର କରନ୍ତି । କାରଣ ସର୍ପ ଭୂଷଣ ସ୍ଵୟଂ ଶିବଙ୍କର ପ୍ରଧାନ ବାଦ୍ୟ ଡମ୍ବରୁ, ଡମ୍ବରୁ ତାଳରେ ମଧ୍ୟ ନାଚେ ଅହିରାଜ ଗାଁ ଦାଣ୍ଡରେ ଚମକ ଖେଳାଇ ।

ନିଜକୁ ଅଳ୍ପ ସମୟ ମଧ୍ୟରେ ସଜିଲ କରିନେଇ ଫୁଲମନି କହିଲା–ଆଉ ଡେରି କାହିଁକି କରୁଛ, ଉଠ । ଆମେ ଭୁବନେଶ୍ଵର ନ ଯାଇ ଚାଲି ଚାଲି ନନ୍ଦନକାନନ ବାଟେ ନଈ ପାର ହେଇ କଟକ ଯିବା । ତା’ପରେ ସେଠାରୁ ଯାଜପୁର କିମ୍ବା ବାଲେଶ୍ଵର ଆଡ଼େ ବାହାରିବା ।

 

ଫୁଲମନିର କଥାରେ ଭାର ଧରି ଉଠିଲା ପଦିଆ । ଆଗେ ଆଗେ ପସରା ଧରି ଫୁଲମନି, ପଛରେ ଭାର କାନ୍ଧେଇ ଚାଲିଲା ପଦିଆ । ଆଜି ଅନେକ ନିରାନନ୍ଦ ଭିତରେ ମଧ୍ୟ ଫୁଲମନିର ମନରେ ଆନନ୍ଦ । ସେ ବିଦେଶ କରି ଯାଉଛି, ମନୋହରି ଜିନିଷ ଏବଂ ଜଡ଼ିବୁଟି ବିକ୍ରିକରି ଯାଉଛି, ଚିତା କୁଟେଇ ଯାଉଛି । ଯାହା କରି ତା’ର ବୋଉ ସୁନାମ ଅର୍ଜନ କରିଥିଲା, ସେଇ କାମ । ଶୁଣିଛି ସେ ବୋଉଠାରୁ–ଚିତା ଟିକେ ଭଲକରି କୁଟେଇ ଦେଲେ, ଲବଙ୍ଗଲତା, ପଦ୍ମଫୁଲ ହାତର ବାହାରେ ଫୁଟେଇ ଦେଲେ ଅନେକ ଚାଉଳ, ପନିପରିବା ମିଳିବ । ସେପାଇଁ ଅଭ୍ୟାସ କରି କଅଁଳେଇ କଥା କହି ଶିଖିଛି ଫୁଲମନି । ନାଚୁଛି ତା’ ଅନ୍ତର ଅଫୁରନ୍ତ ଆନନ୍ଦରେ ।

 

ଫୁଲମନି ଏବଂ ପଦିଆ ଚାଲି ଚାଲି ଆସି ବାଲିକୁଦା ବଜାରରେ ପହଞ୍ଚିଲା ବେଳକୁ ବେଳ ରତରତ । କହିଲା ଫୁଲମନି–ଆଉ ଡେରି କରନାହିଁ, ଗୋଡ଼ କାଢ଼ । ଆଜି ଯାଇ ଆମେ କଟକ ରେଳଷ୍ଟେସନ ପାଖରେ ରାତି କାଟିବା । କାଲି ସକାଳୁ ବାହାରିବା ଯାଜପୁର । ଫୁଲମନିର କଥା ଅନୁସାରେ ପାଦ ଆଗକୁ ବଢ଼ାଇଲା ପଦିଆ । କଡ଼ ଦେଇ ପିଇଁ ପାଁକରି ଛୁଟିଯାଉଥାନ୍ତି ବସ୍, ଟ୍ରକ୍‍, ଟ୍ରେକର, ଟ୍ୟାକସି ଏବଂ ଜିପ୍‌ମାନେ, ତେଣେ ଲକ୍ଷ୍ୟ ନକରି ସନ୍ତର୍ପଣରେ ଚାଲିଥାନ୍ତି ପଦିଆ ଏବଂ ଫୁଲମନି ।

 

ରାତି ପ୍ରାୟ ଆଠଟା ବେଳକୁ ସେମାନେ ଆସି ପହଞ୍ଚିଲେ କଟକ ରେଳଷ୍ଟେସନ ନିକଟରେ । ପୁଲମନି କହିଲା ଆଉ ରାତିରେ କୁଆଡ଼େ ଯିବା ନାହିଁ । ହାଣ୍ଡିରୁ ପଖାଳ ମୁଠିଏ ଖାଇ ପ୍ଲାଟଫର୍ମରେ ଶୋଇଯିବା । ସକାଳୁ ରାସ୍ତା ଉପରକୁ ଯାଇ ଦେଖିବା କୌଣସି ଫାଙ୍କା ଟ୍ରକ୍‍ । ତା’ପରେ ଚାଲିବା ଆମେ ମଫସଲ ଅଞ୍ଚଳକୁ ! ଫୁଲମନିର କଥା ଅନୁସାରେ କାନ୍ଧରୁ ଭାର ଓହ୍ଲାଇ ବିଶ୍ରାମ ନେଲା ପଦିଆ । କାଳବିଳମ୍ବ ନକରି ଫୁଲମନି ଲାଗିଗଲା ଖାଇବା ଯୋଗାଡ଼ରେ । ରାତି ଦଶଟା ପୂର୍ବରୁ ସେମାନେ ଗଣ୍ଡାଏ ଗଣ୍ଡାଏ ପଖାଳ ଖାଇଦେଲେ ପ୍ଲାଟଫର୍ମ ଉପରେ ।

 

ସକାଳୁ ତରବରକରି ଉଠପଡ଼ି ଫୁଲମନି କହିଲା–ଆଉ ଶୋଇଛି କ’ଣ ? ଉଠ । ଏଇଠି ବାସିପାଇଟି ସାରିନିଅ । ଚାଲିବା ଆମେ ରାସ୍ତା ଉପରକୁ । ଫୁଲମନିର କଥା ଅନୁସାରେ ଝଟ୍ ପଟ୍ କାମ ସାରି ପ୍ରସ୍ତୁତ ହେଇଗଲା ପଦିଆ । ତା’ପରେ ଦୁଇଜଣଯାକ ଠିକ୍ ପୂର୍ବପରି ଆଗ ପଛ ହୋଇ ବାହାରିଲେ ରାସ୍ତା ଉପରକୁ । ରାସ୍ତା ଉପରେ ସାମାନ୍ୟ ସମୟ ଅପେକ୍ଷା କରିଛନ୍ତି କି ନାହିଁ–ଆସିଲା ଗୋଟିଏ ଖାଲି ଟ୍ରକ୍ । ହାତ ଦେଖାଗଲା ପଦିଆ । ଅଟକିଲା ଟ୍ରକ୍‍ଟି । ମଦୁଆ ଡ୍ରାଇଭର ଆଗକୁ ଝୁଙ୍କିପଡ଼ି ଚିତ୍କାର କଲା–ଆବେ କିଧର ଯାଏଙ୍ଗେ? ଚମକିପଡ଼ି ଫୁଲମନିକୁ ଅନେଇଲା ପଦିଆ । ଫୁଲମନି କହିଲା ଆମେ ଖଣ୍ଡିତର ଯିବୁ । ଏଇ ଗତ କେତେଦିନ ମଧ୍ୟରେ ବିଦେଶ ଯିବା କଥା ଚିନ୍ତାକରି ଗାଁ ଲୋକଙ୍କଠାରୁ ସେହି ରାସ୍ତାଘାଟ ଏବଂ ସ୍ଥାନର ନାମ ପଚାରି ବୁଝି ନେଇଥିଲା ଫୁଲମନି ।

 

ମାଇକିନାଟାର ଜବାବରେ ଚିହିଁକି ଉଠିଲା ଡ୍ରାଇଭର । ମଦନିଶାରେ ଝାପ୍‌ସା ଆଖିଟାକୁ ଝାଡ଼ିଦେଇ ଟିକେ ଗହୀରେଇ ଚାହିଁଲା ଫୁଲମନିକୁ । କ’ଣ ଭାବିଲା କେଜାଣି କହିଲା–ଆଚ୍ଛା ଜଲ୍‌ଦି ବୈଠୋ । ଛେ ରୋପେୟା ଦେ ଦେଙ୍ଗେ । ଅପେକ୍ଷା ନକରି ଗାଡ଼ି ଉପରକୁ ଉଠିଗଲା ଫୁଲମନି । ତଳେ ଥାଇ ଭାରଟାକୁ ବଢ଼ାଇ ଦେଲା ପଦିଆ ଏବଂ ଶେଷରେ ଡଲା ଭିତରକୁ ଉଠିଲା ସେ । ମାତ୍ର କେତେ ଘଣ୍ଟା ମଧ୍ୟରେ ଗାଡ଼ିଯାଇ ପହଞ୍ଚିଲା ଖଣ୍ଡିତର ନିକଟରେ । ଫୁଲମନି ଏବଂ ପଦିଆ ଟ୍ରକ୍‌ରୁ ଓହ୍ଲାଇପଡ଼ି ଛଅଟି ଟଙ୍କା ବଢ଼ାଇଦେଲେ ଡ୍ରାଇଭରକୁ । ନିଶାରେ ଚୁର୍‍ ଡ୍ରାଇଭର କ’ଣ ଭାବିଲା କେଜାଣି, ଦରଦ ଦେଖାଇ କହିଲା–‘‘ରଖୋ ବେ ପେସା । ତୁମ ତୋ କେଳା ଆଦ୍‌ମି-! କ୍ୟା ପୈସା ଦେଙ୍ଗେ ହାମକୋ । ଯାଓ ଯାଓ ।” କହୁ କହୁ ପୁଣି ଗାଡ଼ିରେ ସ୍ପିଡ୍‌ ଦେଇ ଛୁଟିଗଲା ସେ ଆଗକୁ । ତଳେ ଠିଆହୋଇ ଆଁ କରି ଚାହିଁଥିଲେ ପଦିଆ ଏବଂ ଫୁଲମନି ।

 

ଟ୍ରକ୍ ଚାଲିଯିବା ପରେ ଖରସୁଆ ନଈ ପୋଲ ଉପରୁ ଚଉଦ ବି ବନ୍ଧ ଉପରକୁ ଓହ୍ଲାଇଲେ ସେମାନେ । ବନ୍ଧର ଦୁଇ କଡ଼ରେ ଧାଡ଼ି ଧାଡ଼ି ଝୁମ୍ପୁଡ଼ି ଦୋକାନ । ଗତ ବାତ୍ୟାରେ ହତଶ୍ରୀ ଦୋକାନଗୁଡ଼ିକ । ନଈ କଡ଼କୁ ସାହାପୁର ହାଟ ପଡ଼ିଆ । ପଡ଼ିଆ ମଝିରେ ଅନେକ ବର, ଅଶ୍ଵତ୍‌ଥ ଏବଂ ଆମ୍ବଗଛ । ଗଛ ମୂଳଗୁଡ଼ିକରେ ଧାଡ଼ି ଧାଡ଼ ହାଟ ଘର । ବାତ୍ୟା ଯୋଗୁ ଏ ଘରଗୁଡ଼ିକ ମଧ୍ୟ ଜାନୁଭଗ୍ନ ସୈନିକ ଭଳି କେହି ହାମୁଡ଼େଇଛି, କେହି ଶୋଇ ପଡ଼ିଛି, କେହି ନଇଁଛି ଅବା କେହି ଠିଆ ହୋଇଛି ଅଣ୍ଟାରେ ଖୁଣ୍ଟ ଭରାଦେଇ । ପ୍ରତ୍ୟେକ ଘରର ରୁଅ ବାହାରିଛି ଆଗକୁ ପିଶାଚିନୀର ଦାନ୍ତ ଭଳି । ଗଛଗୁଡ଼ିକ ପତ୍ର ଶୂନ୍ୟ କହିଲେ ଚଳେ ।

 

ବନ୍ଧ ଉପରେ ଠିଆହୋଇ ଫୁଲମନି କହିଲା–‘‘ଶୁଣୁଛ, ବନ୍ଧରୁ ତଳକୁ ଗଡ଼ । ଏଇ ଆଗ ବରଗଛ ମୂଳେ ଆମେ ଡେରା ପକାଇବା, ସେଇଠି ବିଶ୍ରାମ ନେଇ ଯିବା ଗାଁ ଭିତରକୁ ବେପାର କରି । ‘‘ଫୁଲିମନିର କଥା ଅନୁସାରେ ବାଧ୍ୟ ଶିଶୁଟିଏ ଭଳି ବନ୍ଧ ତଳକୁ ଗଡ଼ିଲା ପଦିଆ । ଅଟକିଲା ବରଗଛ ମୂଳରେ । କାନ୍ଧରୁ ଭାର ଓହ୍ଲେଇ କହିଲା–‘‘ଏଇ ଡାଳରେ ଶିକାଗୁଡ଼ିକ ବାନ୍ଧି ଦେଉଛି ।” ଫୁଲମନି କହିଲା–‘‘ହଁ, ତୁମେ ଶିକାଗୁଡ଼ିକ ବର ଡାଳରେ ବାନ୍ଧିଦିଅ । ମୁଁ ତିନିଖଣ୍ଡ ଇଟା ଗୋଟେଇ ଶୁଖିଲା ପତ୍ର ଆଣି ଭାତ ମୁଠାଏ ବସାଇ ଦିଏ । ଖାଇ ସାରି ଗାଁକୁ ବାହାରିବା ।” ଫୁଲମନିର କଥା ଅନୁସାରେ ଗଛରେ ଶିକା ବାନ୍ଧିଲା ପଦିଆ । ହାଟ ଘର ଭିତରୁ ତିନିଖଣ୍ଡ ଇଟା ଗୋଟେଇ ଚୁଲି ତିଆରି କଲା ଫୁଲମନି ଏବଂ ଡାଳପତ୍ର ଗୋଟାଇ ଧରାଇଲ ନିଆଁ । ପାଟିକରି କହିଲା–“ଅନେଇଛ କ’ଣ? ହାଣ୍ଡିରୁ ତ ପଖାଳ ସରିଛି, ନେଇଯାଅ ନଈ ଭିତରୁ ହାଣ୍ଡିଏ ପାଣି ନେଇ ଆସ । ମୁଁ ଏ ବିଲରୁ କନିସିରି ଶାଗ, ଗଇଛ ଶାଗ ଗୋଟେଇ ଆଣୁଛି । ଭାତ ଫୁଟିବା ପରେ ଶାଗ ପୁଳାଏ ସିଝାଇ ପେଟେ ପେଟେ ଖାଇ କାମକୁ ବାହାରି ଯିବା ।

 

ସଙ୍ଗେ ସଙ୍ଗେ ହାଣ୍ଡିଟି ଧରି ନଈକୁ ଗଡ଼ିଲା ପଦିଆ । ଫୁଲମନି ଗୋଟେଇ ବସିଲା କନିସିରି, ମଦରଙ୍ଗା ଏବଂ ଗଇଛ ଶାଗ । ଅଳ୍ପ ସମୟ ମଧ୍ୟରେ ପଦିଆ ହାଣ୍ଡିରେ ପାଣି ଧରି ପହଞ୍ଚିଲା । ଫୁଲମନି ମଧ୍ୟ ଅଣ୍ଟିରେ ଅଣ୍ଟିଏ ଶାଗ ଧରି ଫେରି ଆସିଲା ଚୁଲି ପାଖକୁ । ସେତେବେଳକୁ ଦାଉ ଦାଉ ନିଆଁ ଜଳୁଥାଏ । ଫୁଲମନି କାଳ ବିଳମ୍ବ ନକରି ହାଣ୍ଡିଟି ଚୁଲିରେ ବସାଇ ଚାଉଳ ପକାଇଲା । ଅଳ୍ପ ସମୟ ମଧ୍ୟରେ ଭାତ ଏବଂ ଶାଗ ପ୍ରସ୍ତୁତ ହେଇଗଲା । ଫୁଲମନି କହିଲା–“ତୁମେ ବର ପତ୍ର ବିଛେଇ ବସ । ମୁଁ ସିଲ୍‍ଭର ବେଲାରେ ଭାତ, ଶାଗ ବାଢ଼ି ଦେଉଛି ।”

 

କଥା ଶୁଣି ବର ପତ୍ର ଗୋଟେଇ ଆସନ କରି ବସିଲା ପଦିଆ, ଆନନ୍ଦରେ ଫୁଲମନି ଢାଳିଦେଲା ଡହ ଡହ ତତଲା ଭାତ ସିଲ୍‍ଭର ବେଲାରେ । ପେଟ ପୂରେଇ ଖାଇସାରି ଉଠିଗଲା ପଦିଆ । ତା’ପରେ ସେହି ବେଲାରେ ଭାତ ଏବଂ ବର ପତ୍ରରେ ଶାଗ ବାଢ଼ି ଖାଇଲା ଫୁଲମନି । ସକାଳ ପହରୁ ପେଟରେ କିଛି ପଡ଼ି ନ ଥିଲା, ଦିନ ଦଶ ଘଡ଼ିରେ ଏତକ ଖାଇ ସନ୍ତୋଷ ଲାଭକଲା ସେ । ତା’ପରେ କହିଲା–‘‘ଆଉ ଡେରି କର ନାହିଁ, ହାଣ୍ଡିଟିକୁ ବର ଡାଳର ଶିକାରେ ଟଙ୍ଗାଇ ଦିଅ । ଆଉ ଦି ପଟ ଶିକାରେ ସାପ ଏବଂ ଗୋବିନ୍ଦ ମୂଷାକୁ ଧରି ବାହାର ଗାଁ ଆଡ଼େ ଯିବା ।”

 

ଅନିଚ୍ଛା ସତ୍ତ୍ୱେ ଉଠିଲା ପଦିଆ । ଇଚ୍ଛା ହେଉଥିଲା ତା’ର–ଆଉ କିଛି ସମୟ ବିଶ୍ରାମ ନିଅନ୍ତା ବର ମୂଳରେ । କିନ୍ତୁ ନା–ଫୁଲମନିର କଥା ନ ମାନିଲେ ସେ ରାଗିବ, ଗାଳି ଦେବ, ପଦିଆ ଅମନା ହେବ କେମିତି ? ଚାଲିଲା ସେ ଫୁଲମନି ପଛେ ପଛେ । ଚଉଦ ବି ବନ୍ଧ ଉପରେ ମସୁଦପୁର, ସାହାପୁର, ତାଳଗଡ଼ିଆ, ମଲପଡ଼ା ଦେଇ ଯାଉ ଯାଉ ଡାକ ଛାଡ଼ିଲା ଫୁଲମନି–

 

ଚିତା କୁଟେଇବ ଗୋ ଚିତା

ଆସ ଗୋ ବଉଳ କଦମ୍ବ କଷି

ନୂଆ ଭୁଆସୁଣୀ

ବୁଢ଼ୀ ମାଉସୀ

ଟୋକଳି ନଣନ୍ଦ

ଭାଉଜ ମଣି

ଜମିଦାର ଘର

ସାଆନ୍ତିଅଣୀ

ଯାଆ ଭାଇବହୂ

ଭଉଣୀ ନାନୀ

ଶାଶୁ ଆଈ ବୁଢ଼ୀ

ଶୋଲି ରତନୀ ।

କୁଟାଅ ଚିତା

ଚମ୍ପାକଳୀ ସରୁ ଲବଙ୍ଗ ଲତା ।

ଆସ ଗୋ ଆସ

ଚିତା କୁଟି ଦେବି ପିଣ୍ଡାରେ ବସ ।

 

ଅପସରପୁର ନିକଟରେ ଗଡ଼ିଲା ସେ ବନ୍ଧ ଉପରୁ ଜମିଦାର ଗଜେନ୍ଦ୍ର ମହାନ୍ତିଙ୍କ ଘରଆଡ଼େ । ଆଖ ପାଖ ଅଞ୍ଚଳରେ ଜମିଦାର ଗଜେନ୍ଦ୍ର ମହାନ୍ତି ପରିଚିତ ଗଜିଆ ମହାନ୍ତି ନାମରେ-। ପୂର୍ବେ ତାଙ୍କ ବାପା କେନ୍ଦ୍ରାପଡ଼ାର ପ୍ରଖ୍ୟାତ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ନିକଟରେ ଗୁମାସ୍ତାଗିରି କରୁଥିଲେ । ସେଠାରୁ ବିଦାୟ ନେବା ପରେ ସେ ଛୋଟ ଜମିଦାରୀ ଖଣ୍ଡେ କିଣି ଜମିଦାର । ଗାଁରେ ତାଙ୍କ ପ୍ରତିପତ୍ତି କହିଲେ ନ ସରେ । ଚାରିଖଞ୍ଜା କୋଠାଘର । ସାମନାକୁ ଲମ୍ବ ଚାଳର ଚଉପାଢ଼ି । ଏଇ ଚଉପାଢ଼ିରେ ସକାଳ ନଅଟାରୁ ରାତି ପର୍ଯ୍ୟନ୍ତ ତାଆସ ପଶା ଖେଳର ଆଡ୍‌ଡା ଚାଲେ । ଗାଁର ବୁଢ଼ା ବୁଢ଼ା ଲୋକେ ପଶା ଗଡ଼େଇ ଯେତେବେଳେ ପବାର ତେର ଡାକରେ ଦାନ ଚଳାନ୍ତି ସେତେବେଳେ ଗଜେନ୍ଦ୍ର ମହାନ୍ତିଙ୍କ ଆନନ୍ଦ କହିଲେ ସରେ ନାହିଁ-। ବଟା ପରେ ବଟା ପାନ ଶେଷକରି ବୁଢା ବୁଢ଼ା ଲୋକେ ସମୟ କାଟନ୍ତି ଚଉପାଢ଼ିରେ ।

 

ଗଜେନ୍ଦ୍ର ମହାନ୍ତିଙ୍କ ସଉକ ଭିନ୍ନ ଧରଣର । ସେ ଖେଳପ୍ରିୟ, ପଶା ଖେଳ, ତାଆସ ଖେଳ, ବାଗୁଡ଼ି ଖେଳ, ସାପ ଖେଳ ଏବଂ ଗୋବରା ଚଢ଼େଇ ଲଢ଼େଇ କଥା ପଡ଼ିଲେ ପାଞ୍ଚ ପଚିଶ ଖର୍ଚ୍ଚ ହୋଇଯାଉ, ତାଙ୍କର ଖାତିର ନଥାଏ । ତେଣୁ ଅନେକ ସମୟରେ ଗାଁର ପିଲା ଛୁଆ ଏବଂ ମାଇପେ ଧାଡ଼ି ଦିଅନ୍ତି ଗଜେନ୍ଦ୍ର ମହାନ୍ତିଙ୍କ ଦାଣ୍ଡକୁ । ଏବେ ତାଙ୍କ ପୁଅମାନେ ଚକ୍ରଧରପୁରରେ ଟସର ବ୍ୟବସାୟ କରନ୍ତି, ଘରକୁ ଭାର ଭାର ଟଙ୍କା ବହି ଆଣନ୍ତି । ତେଣୁ ଗଜେନ୍ଦ୍ର ମହାନ୍ତିଙ୍କ ଗୁମର କହିଲେ ନସରେ । ବେଳେ ବେଳେ ପାନ କୁଟାରେ ପାନ କୁଟୁ କୁଟୁ କରି କହନ୍ତି ସେ–ପଇସା ଖର୍ଚ୍ଚ ନ କଲେ ପଇସା ଆସେ ନାହିଁ । ତେଣୁ ଦାନ କର, ଖଇରାତ କର, ଖେଳ କୁଦରେ ପଇସା ଖର୍ଚ୍ଚ କର, ମୋର ମନା ନାହିଁ ।

 

ଅବଶ୍ୟ ପରଧନ ପ୍ରତି ଯେ ଗଜେନ୍ଦ୍ର ମହାନ୍ତିଙ୍କର ଲୋଭ ନ ଥିଲା, ସେ କଥା କହିହେବ ନାହିଁ । ଶୁଣାଅଛି, ପାଖ ଗାଁ ଗୋପାଳପୁରର କାନଗୋଇ ବଂଶରେ ସନ୍ତାନ ଜନ୍ମ ହେଲେ ନାହିଁ । ତେଣୁ ଗୋପାଳ କାନଗୋଇ ଗଜେନ୍ଦ୍ର ମହାନ୍ତିଙ୍କଠାରୁ ଚାହିଁଲେ ପୁଅଟିଏ । ଏ ପ୍ରସ୍ତାବରେ ନଗେନ୍ଦ୍ର ମହାନ୍ତି ଅରାଜି ହୁଅନ୍ତେ କାହିଁକି ? ସଙ୍ଗେ ସଙ୍ଗେ ହଁ ଭରି ନିଜ ସଦ୍ୟଜାତ ପୁତ୍ରଟିକୁ ଟେକିଦେଲେ ତାଙ୍କ ହାତରେ । ଆଖି ଆଗରେ ରହିଲା କାନଗୋଇ ବଂଶର ସମ୍ପତ୍ତି । କିନ୍ତୁ ଅଳ୍ପ ଦିନ ମଧ୍ୟରେ ଗୋପାଳ କାନଗୋଇଙ୍କର ସାନ ଭାଇର ଦୁଇ ପୁଅ ଜାତ ହେଲେ ଏବଂ ଗୋପାଳ କାନଗୋଇଙ୍କ ସହିତ ତାଙ୍କ ସ୍ତ୍ରୀ ଖଡ଼ିକା ଦେବୀ ହଇଜାରେ ପ୍ରାଣ ହରାଇଲେ । ଏ ଘଟଣା ଦେଖି ଗଜେନ୍ଦ୍ରଙ୍କ ମନରେ ପାପ ଛୁଇଁଲା । ସେ ନିଜ ନାବାଳକ ପୁଅକୁ କାନଗୋଇଙ୍କ ଘରୁ ନେଇ ଆସି ରଖିଲେ ପାଖରେ ଏବଂ ମୋକଦ୍ଦମା ସୁରୁ କରିଦେଲେ ଜମି ବାଡ଼ିରୁ ଭାଗ ନେବାପାଇଁ । ଅନେକ ବର୍ଷ ଏ ମୋକଦ୍ଦମା ଚାଲିଲା । ଶେଷରେ ଜିତାପଟ ନେଲେ ଗଜେନ୍ଦ୍ର ମହାନ୍ତି । କାନଗୋଇଙ୍କ ଜମି ମଝିରେ ହିଡ଼ ପଡ଼ିଲା । ଏମିତିକି କାନଗୋଇ ବଂଶର ପୂଜିତା ଦୁର୍ଗାଦେବୀ ମଧ୍ୟ ଭାଗ ହେଲେ ମୋକଦ୍ଦମା ଫଳରେ । ସେହିଦିନରୁ ମହାଆଡ଼ମ୍ବରରେ ଦୁର୍ଗାପୂଜା ଆରମ୍ଭ ହେଲା ଗଜେନ୍ଦ୍ରଙ୍କ ଘର ସାମନାରେ ।

 

କିନ୍ତୁ ଲୋକେ କହନ୍ତି–ମାଆ ଦୁର୍ଗାଦେବୀ ଗଜେନ୍ଦ୍ରଙ୍କ ଉପରେ ସନ୍ତୁଷ୍ଟ ହେଲେ ନାହିଁ । ବାରମ୍ବାର କାଳିସୀ ଲାଗି କହିଲେ–‘‘ରେ ଗଜିଆ । ମତେ ତୁ ରଖିପାରିବୁ ନାହିଁ । ମୋ ଆସ୍ଥାନକୁ ମୋତେ ତୁ ଫେରେଇ ଦେ । ନ ହେଲେ ତୋ ବଂଶ ମୋଡ଼ି ଖାଇଯିବ ।” ଗଜେନ୍ଦ୍ର ଏ କଥା ନ ଶୁଣି ହସରେ ଉଡ଼ାଇ ଦେଲେ । ମାଆ ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯାନିଯାତ୍ରା–ବଳୀ ଭୋଗର ବ୍ୟବସ୍ଥା କଲେ । କିନ୍ତୁ କିଛି ଫଳ ହେଲା ନାହିଁ–ଠିକ୍ ଦୁର୍ଗା ଅଷ୍ଟମୀ ଦିନ ପ୍ରଥମେ ହଇଜାରେ ପ୍ରାଣ ହରାଇଲେ ଗଜେନ୍ଦ୍ରଙ୍କ ବଡ଼ ପୁଅ । ତା’ର ମାତ୍ର କୋଡ଼ିଏ ଦିନ ପରେ ସାପ କାମୁଡ଼ାରେ ମଲା ମଝିଆଁ ପୁଅ ।

 

ସେହି ନାଗସ୍ଵ ଗୋତ୍ରୀ ଗଜେନ୍ଦ୍ର ମହାନ୍ତଙ୍କ ଘର । ଶୁଣିବାକୁ ମିଳେ, ତାଙ୍କ ଘର ଅମାର ତଳେ ଗୋଖର ସାପମାନଙ୍କୁ ଦୁଧ ପିଇବାକୁ ଦିଆଯାଏ । ଧୂପ ଦୀପ ଦିଆଯାଇ ବନ୍ଦାପନା କରାଯାଏ । ଲୋକେ କହନ୍ତି ସ୍ଵୟଂ ନାଗ ଦେବତା ଗଜିଆ ମହାନ୍ତିଙ୍କ ଅମାର ତଳେ ବିରାଜିତ ।

 

ଏଇ ଗଜିଆ ମହାନ୍ତିଙ୍କ ଘର ବାଡ଼ିପଟକୁ ବୁଲି ଯାଇ ଫୁଲମନି ଚିତା କୁଟାଇବା ପାଇଁ ମାଇପି ଲୋକଙ୍କୁ ଡାକିବାବେଳେ ପଦିଆ ଗୋପନରେ ନିଜ ପୋଷା ସାପଟିକୁ ମହାନ୍ତିଙ୍କ ଚଉପାଢ଼ି ଭିତରକୁ ଛାଡ଼ି ଦେଇ ପାଟିକଲା ଦାଣ୍ଡ ଦୁଆରେ–ବାବୁ ! ଏ ଚଉପାଢ଼ିରେ ସାପ ଅଛି । ବିଷଧର ସାପ, ମୋ ମନ୍ତ୍ର ବଳରେ ମୁଁ ଜାଣୁଛି–ଏ ସାପ ସାତ ମୁଣ୍ଡ ଖାଇବ । ସାର ବଂଶକୁ ନିପାତ୍‌ କରିଦେବ । ଚମକପଡ଼ିଲେ ଗଜିଆ ମହାନ୍ତି, ଏ ଚଉପାଢ଼ିରେ ସାପ ଅଛି ? ଏଇ ସାପ ତା’ହେଲେ ମୋ ପୁଅକୁ କାମୁଡ଼ିଥିଲା ? ପଶା ଖେଳ ବନ୍ଦ କରି ଉଠି ଆସିଲେ ସେ, ତାଙ୍କ ସହିତ, ବୁଢ଼ା ଛୁଆ ଏବଂ ଅନ୍ୟମାନେ ।

 

ଜୋର କରି କହିଲେ ଗଜିଆ ମହାନ୍ତି–ଏ କେଳା ! ତୁ ସାପ ଧରି ନେଇ ପାରିବୁ ? ମୁଁ ତୋତେ ତିନି ଚଉଣି ଚାଉଳ ଦେବି । ହସି କହିଲା ପଦିଆ ହଁ ବାବୁ । ଇଟା ତମ୍ପ, ଅଢ଼େଇ କିଆରିଆ ତମ୍ପ, ପଦ୍ମ ତମ୍ପ, ଅହିରାଜ, ଗୋଖରମାନେ ମୋର ପୋଷା ମୂଷା ଛୁଆ । ଡାକିଲେ, ଡାକ ଶୁଣିବେ । ଦେଖ ବାବୁ ମୁଁ କେମିତି ସାପଟାକୁ ଧରି ଦେଉଛି । କହୁ କହୁ ପଦ୍ମତୋଳା ଡାକିଲା ପଦିଆ–

 

ଦିନେ ବନମାଳୀ ଯେ

କାଳିନ୍ଦୀକି ଗଲେ ପଦ୍ମ ତୋଳି

ଦେଖି ସେ କାଳୀୟ ନାଗ ରାଗେ ଉଠି ଜଳି

ଦଂଶିଲା ଶ୍ରୀହରି ପାଦେ ବେଗେ ଫଣା ତୋଳି

ଗରୁଡ଼ ଚିନ୍ତିଲେ ମନେ ପ୍ରଭୁ ବନମାଳୀ ।

ହରିଲା ଗରୁଡ଼ ବିଷ ଉଠି ବନମାଳୀ

କାଳିନ୍ଦୀ ହ୍ରଦର ଜଳେ ଶ୍ରୀମୁଖ ପଖାଳି

ନାଚିଲେ ହ୍ରଦର ଜଳେ ପ୍ରଭୁ ବନମାଳୀ

କାଳୀୟ ଫଣାକୁ ପ୍ରଭୁ ପକାଇଲେ ଦଳି ।

ଧଣ୍ଡ ଧମଣା ରଣା ଇଟା ତମ୍ପମାନ

ପଦ୍ମତମ୍ପ ଅହିରାଜ ଗୋଖର ସମାନ ।

ଅଜଗର ଶଙ୍ଖଚୂଡ଼ ଯେ ଗୁଣ୍ଡୁଚି ନାଗ

ଅଛ ଯେଉଁ ସର୍ପ ଘରେ ମନେ ବହି ରାଗ ।

ଆସ ମୋର ପଦ୍ମତୋଳା ଶୁଣି ଲୋ ନାଗୁଣୀ

ସଜାଇ ରଖିଛି ଗଦ କେଳା ମୁହିଁ ଜାଣି ।

 

ପଦିଆର ଏପରି ପଦ୍ମତୋଳା ଡାକ ଶୁଣି ଖୁସି ହୋଇଛି ଫୁଲମନି । ଗଜିଆ ମହାନ୍ତିଙ୍କ ବାଡ଼ି ଦୁଆର ମୁହଁରେ ଚିତା କୁଟାଇବା ପାଇଁ ଝିଅ ବହୂମାନଙ୍କୁ ଡାକୁ ଡାକୁ କହୁଛି–‘‘ଏ ପୁଅ ବୋଉ, ନିଅ ଗୋ ଆରସି, ପାନିଆଁ, ମାଳି, ଫୁଲ, ମୁଣ୍ଡକଣ୍ଟା, ସିନ୍ଦୂର, ନଖ ପଲିସି, କିଲିପି, ସିନ୍ଦୂର ଫରୁଆ, ଛୁଆମାନଙ୍କ ପାଇଁ ଝୁମୁକା । ପିଳେହି, ପିହୁଳା, ପାଳିଜର, ଏକୁଆଜର, ବାଛରା, ଅଇଣ୍ଡିଆ, ପୁଅ ରୋଗ ପାଇଁ ଓଷଦ । କେଲୁଣୀର ଡାକରେ ସାନ ଯାଆ, ମଝିଆଁ ଯାଆ କହୁଛନ୍ତି–ରହ ଲୋ ଟିକେ-। ଘରୁ ସାପ ଧରା ଯାଉଛି । ଆମେ ଟିକେ ଦେଖି ଆସୁ, ତୁ ବସ, ଚିତା କୁଟେଇ ସାରି ଯିବୁ-

 

ତା’ପରେ ପିଲାଛୁଆ ମାଇପେ ଧାଇଁଛନ୍ତି ପଦିଆ ପାଖକୁ । ଦାଣ୍ଡ ଦୁଆରେ ପ୍ରଥମେ ଛୁଆଙ୍କର ଭିଡ଼ । ପିଣ୍ଡା ଉପରେ ବୟସ୍କ ଗାଁ ଲୋକେ, ମାଇପେମାନେ ଘର ଭିତରେ ଥାଇ ଖିଡ଼ିକି ବାଟେ ଚାହିଁଛନ୍ତି ଜୁଳୁ ଜୁଳୁ । ପଦିଆ ଆଖି ବୁଜି ଡାକିବାରେ ଲାଗିଛି ପଦ୍ମତୋଳା । ଏମିତ କେତେ ସମୟ ଯିବା ପରେ ପଦିଆର ପୋଷା ଗୋଖର ସାପଟା ଖେଳି ଖେଳି ବାହାରି ଆସିଲା ଘର ଭିତରୁ କାନ୍ଥ କଡ଼ ଦେଇ । ଗଣ୍ଡାଏ ଦିଗଣ୍ଡା ମାଇପି ଲୋକ ଏବଂ ଛୁଆ କଚାଡ଼ି ହେଇ ପଡ଼ିଲେ ଚିତ୍କାର କରି ସାପଟାକୁ ଦେଖି । ଆଖି ଖୋଲି ଡମ୍ବରୁ ପିଟି ଆହୁରି ପଦ୍ମତୋଳା ଡାକୁ ଡାକୁ ପଦିଆ ଖପ୍‌ କରି ଧରି ପକାଇଲା ସାପର ମୁଣ୍ଡଟାକୁ । ଗୁଡ଼େଇ ହେଇଗଲା ସାପଟା ପଦିଆର ହାତରେ, ପାଟି କରୁଥିଲା ପଦିଆ, ରହ ରେ ନାଗ ବଚ୍ଚା ଯିବୁ କୁଆଡ଼େ । ମୋ ପାଖେ ଗଦ ଅଛି, ବାସୁକେଦାର ଗଦ । କାମୁଡ଼ିଲେ ବିଷ ଧରିବ ନାହିଁ । ମୋଡ଼ି ମୋଡ଼ି ହେଇ ରହ ମୋ ପେଡ଼ି ଭିତରେ ।

 

ପଦିଆର ସାପ ଧରା କୌଶଳ ଦେଖି ବାହା ବାହା କଲେ ଅପସରପୁର ଗାଁ ଲୋକେ । ଜଣେ ଆଗତଚଲା ଟୋକା କହି ଉଠିଲା–ଏ କେଳା ! ଏଇ ନୂଆ ସାପଟାକୁ ଖେଳେଇ ପାରିବୁ ? ହସିଦେଲା ପଦିଆ । କହିଲା–ହଁ ବାବୁ ! ଭଲକରି ଦି’ ପଇସା ଯଦି ଜମିଦାର ବାବୁଙ୍କ ଠାରୁ ମିଳିବ, ତେବେ ନ ଖେଳେଇବି କାହିଁକି ? କଥାଟା ଚାଉଁକରି ଲାଗିଗଲା ଗଜିଆ ମହାନ୍ତିଙ୍କ ଦେହରେ । ବଳିପଡ଼ି କହିଲେ ସେ–ଖେଳା ବେ ସାପ, ଯାହା ଚାହିଁବୁ ଦେବି ।

 

ଅପେକ୍ଷା ନ କରି ପଦିଆ ସାପଟାକୁ ଫିଙ୍ଗିଦେଲା କିଛି ଦୂରକୁ । ଲାଙ୍ଗୁଡ଼ରେ ହାତ ମାରିଦେଇ ଡାକିଲା ପଦ୍ମତୋଳା ଏବଂ ବଜାଇଲା ଡମ୍ବରୁ । ଦୋହଲି ଦୋହଲି ଖେଳିଲା ଗୋଖର ସାପ । ବାହା ବାହା କଲେ ଗାଁ ଲେକ । ଅଧଘଣ୍ଟାଏ ପର୍ଯ୍ୟନ୍ତ ସାପଟାକୁ ଖେଳାଇ ଖେଳାଇ ପେଡ଼ିରେ ପୂରାଇଲା ପଦିଆ ।

 

ପଦିଆ କେଳାର ଏ ବିଚିତ୍ର ସାପଖେଳା ଦେଖି ବାହା ବାହା କଲେ ଖରସୁଆ ନଈକୂଳ ଅପସରପୁରର ଲୋକେ । ଜମିଦାର ଗଜିଆ ମହାନ୍ତି ପାନ କୁଟାରୁ ପାନ କାଢ଼ି ପାକୁଆ ପାଟିରେ ପକାଇ ପାକୁଳେଇ ପାକୁଳେଇ କହିଲେ–କିଏ ଅଛରେ ! କେଳାକୁ ତିନିଗଉଣି ଚାଉଳ, ପାଞ୍ଚ ଗଉଣି ଧାନ ଦେଇ ଦିଅ । ଜମିଦାର ଗଜିଆ ମହାନ୍ତିଙ୍କ ବରାଦ ଶୁଣି ପଦିଆର ଆନନ୍ଦ କହିଲେ ନସରେ । ସାପ ପେଡ଼ିଟାକୁ ସଜାଡ଼ି ରଖୁ ରଖୁ ଗାମୁଛା ବାହାର କଲା ଚାଉଳ ଏବଂ ଧାନକୁ ବାନ୍ଧିବା ପାଇଁ ।

 

ଏଣେ ଠିକ୍ ସାପ ଖେଳା ପରେ ପରେ ଫୁଲମନି ଆରମ୍ଭ କରିଦେଲା ତା’ ଚିତାକୁଟା, ମନୋହରି ଜିନିଷ ବିକା ଏବଂ ଜଡ଼ିବୁଟି ବିକା । ତେଣେ ପଦିଆ ମଧ୍ୟ ଅଣ୍ଟାରୁ କେତୋଟି ଡେଉଁରିଆ ବାହାରକରି କହିଲା–ବାବୁ ! ଏ ହେଉଛି ବାସୁକେଦାର ଗଦର ଡେଉଁରିଆ । ହାତରେ ପିନ୍ଧିଲେ ଗୋଖର ସାପ ବାଟକାଟି ଚାଲିଯିବେ । ମୋଟେ କାମୁଡ଼ିବେ ନାହିଁ । କେଳାର ଏକଥା ଶୁଣି ଗଜିଆ ମହାନ୍ତି କହିଲେ–ଏ କେଳା ! ସେ ଡେଉଁରିଆରୁ କୋଡ଼ିଏଟା ଦେ । ଘରର ସମସ୍ତେ ଗୋଟିଏ ଗୋଟିଏ ପିନ୍ଧିବେ । ଗଜିଆ ମହାନ୍ତିଙ୍କ କଥାରେ ଖୁସିହେଇ ଡେଉଁରିଆଗୁଡ଼ିକୁ କାଢ଼ି ଗଣିବସିଲା ପଦିଆ ।

 

ତା’ପରେ ଚାଉଳ, ଧାନ ଏବଂ ପଇସା ଧରି ଉଠିଲା ପଦିଆ । ସେତେବେଳକୁ ଫଲମନି ଚିତାକୁଟା ଶେଷକରି ମନୋହରି ଜିନିଷ ଏବଂ ଜଡ଼ିବୁଟିକୁ ସଜାଡ଼ି ରଖି ସାରିଥାଏ, ଆଉ ବିଳମ୍ବ ନକରି ଉଠିଲେ ସେମାନେ ଆଗପଛ ହେଇ ।

 

ଗୋପାଳପୁର, ପରିଡ଼ାବାଦ, ଜହଳ, ଚିତାଘଟା ଦେଇ ସେମାନେ ପୁଣି ଫେରି ଆସିଲେ ସାହାପୁର ହାଟ ପଡ଼ିଆକୁ । ରାତି ସେତେବେଳକୁ ଘଡ଼ିଏ । ଗାଁ ବୁଲା ସମୟରେ ଫୁଲମନି କିଛି ଚକୁଳି ପିଠା ଏବଂ ପଖାଳ ଭାତ ସଂଗ୍ରହ କରିଥିଲା । ସେତକ ବାହାର କରି କହିଲା–‘‘ଆଜି ଆଉ ରୋଷେଇ କରିବା ନାହିଁ । ଏତକ ଖାଇ ଗଛମୂଳେ ଶୋଇଯିବା । ସକାଳୁ କାଠ କୁଟା ଗୋଟେଇ ଗଣ୍ଡେ ରୋଷେଇ କରିବା ଏବଂ ବାହାରିବା ଗାଁ ବୁଲି ।” ପଦିଆ ଫୁଲମନିର କଥାରେ ମୁଣ୍ଡ ଟୁଙ୍ଗାରି ହଁ ଭରିଲା । ବାହାର କଲା ଫୁଲମନି ଖାଇବା ଜିନିଷ ।

 

ପରଦିନ ସକାଳୁ ରୋଷେଇ ଶେଷ କରି ଗଣ୍ଡିଏ ଗଣ୍ଡିଏ ଖାଇ ଦେଇ ପୁଣି ବାହାରିଲେ ସେମାନେ । ମିଟୁଆଣି, ଆମୌର, ବେରୁଦା ଦେଇ ପହଞ୍ଚିଲେ ବାହାବଳପୁର ଗାଁ ଭିତରେ । ବାହାବଳପୁରର ଠାକୁରାଣୀଙ୍କ ମେଲାରେ ପଦିଆ ଡମ୍ବରୁ ପିଟି ଡାକଛାଡ଼ିଲା–‘‘ଖେଳେଇବ ଗୋଖର, ଅହିରାଜ, ଅଜଗର ସାପ ।” ଡାକ ଶୁଣି ଜମା ହୋଇପଡ଼ିଲେ ପିଲାଛୁଆ । ସାପଖେଳ ଆରମ୍ଭ କରିଦେଲା ପଦିଆ ।

 

ଏ ସବୁ ଗାଁର ଚାଷୀବନ୍ଦୀ ଲୋକେ ଆନନ୍ଦିତ ହେଲେ ପଦିଆର ସାପଖେଳା ଦେଖି । ଫୁଲମନି ମଧ ତା’ ଚିତାକୁଟା, ମନୋହରି ଜିନିଷ ବିକା ଏବଂ ଜଡ଼ିବୁଟି ବିକାରେ ବେଶ୍ ଦୁଇପଇସା ରୋଜଗାର କଲା । ଏମିତି କିଛି ଦିନ ସାହାପୁର ହାଟ ପଡ଼ିଆରେ ଡେରା ପକାଇ ଚାଉଳ, ଧାନ, ଟଙ୍କା ପଇସା ରେଜଗାର କଲେ ସେମାନେ । ଚାଉଳ କିମ୍ବା ଧାନ ବେଶୀ ହୋଇଗଲେ ସାହାପୁର ହାଟ ମୁଣ୍ଡର ଦୋକାନୀଙ୍କୁ ବିକ୍ରି କରିବାରେ କୌଣସି ଅସୁବିଧା ନଥିଲା ।

 

ସେଦିନ ସକାଳୁ ସକାଳୁ ଭୂଇଁପୁର ଗାଁ ଆଡ଼େ ବାହାରି ପଡ଼ିଲେ ପଦିଆ ଏବଂ ଫୁଲମନି-। ମାତ୍ର ଦୁଇ ଘଡ଼ି ବେଳକୁ ଭୂଇଁପୁର କାଳିମେଲାରେ ପହଞ୍ଚିଗଲେ ସେମାନେ । ଡମ୍ବରୁ ପିଟି ପାଟିକଲା ପଦିଆ–‘‘ସାପ ଖେଳେଇବ ସାପ ?’’ ଡାକିଲା ଫୁଲମନି–‘‘ନିଅ ଗୋ ପୁଅ ମାଆ–କଜଳ ସିନ୍ଦୂର ଆରସି ପାନଆଁ ।”

 

ଏ ଡାକ ଶୁଣି ଭୂଇଁପୁରର ଜଣାଶୁଣା ଚାଷୀ ଲକ୍ଷ୍ମୀଧର ଦେ କହିଲେ–‘‘ଏ କେଳା ! ଆମ ଘରେ ଗୋଟାଏ ନାଗ ସାପ ପଶିଛି, ଧରିନେଇ ପାରିବୁ ?” ମନରେ ସାହସ ବାନ୍ଧି କହି ପକାଇଲା ପଦିଆ–‘‘ହଁ ବାବୁ ! ଆମେ କେଳା ସାପ ଖେଳାଇବା ଆମ ବେଉସା । ନ ଧରିବି କାହିଁକି ? କ’ଣ ମିଳିବ କୁହନ୍ତୁ ?’’ଲକ୍ଷ୍ମୀଧର ବାବୁ କହିଲେ–‘‘ନଗଦ ପାଞ୍ଚ ଟଙ୍କା ଦେବି ।’’

 

ଆନନ୍ଦିତ ହେଇ ପ୍ରସ୍ତୁତ ହୋଇପଡ଼ିଲା ପଦିଆ । ଲକ୍ଷ୍ମୀଧର ବାବୁଙ୍କ ଦୁଆରେ ଜମାହୋଇ ପଡ଼ିଲେ ପିଲଛୁଆ । ନିଜେ ଲକ୍ଷ୍ମୀଧର ବାବୁ ଦାଣ୍ଡ ପିଣ୍ଡାରେ ଖଣ୍ଡେ ବେଞ୍ଚ ପକାଇ ବସିରହିଲେ ସାପଧରା ଦେଖିବାକୁ ।

 

ଥିଲାବାଲା ଲୋକ ଲକ୍ଷ୍ମୀଧର ଦେ । ସମଗ୍ର ଗାଁରେ ତାଙ୍କ ନାମ ଡାକ । ଜମିବାଡ଼ି ଦୁଇବାଟି । ଘରେ ଅମାର ଅମାର ଭର୍ତ୍ତି ଧାନ, ମୁଗ, ହରଡ଼, ବିରି । ପାଞ୍ଚହଳ ବଳଦ, ଦଶ ପନ୍ଦରଟା ଗାଈ । କୋଠିଆ ମୂଲିଆ ପୋଇଲୀ ପରିବାରୀ କରି ଘରେ ଗୋଟିଏ ଗାଁର ଲୋକ । ଶୁଣାଯାଏ ଯେ–ଲକ୍ଷ୍ମୀଧର ବାବୁ ପିଲାଦିନେ ସହରରେ ପାଠ ପଢ଼ୁଥିଲେ । ତା’ପରେ ପାଠ ଛାଡ଼ି ସହରରେ ବ୍ୟବସାୟ କଲେ । କିନ୍ତୁ ଧୀରେ ଧୀରେ ଘର ଚାଷବାସ ଚଳାଇବା ସମ୍ଭବପର ହେଲା ନାହିଁ । ତେଣୁ ଦୋକାନ ଭାଙ୍ଗି ସେ ଫେରିଆସିଲେ ଗାଁକୁ । ଏବେ ଗାଁର ମୁଖିଆ ସେ । ହାନିଲାଭ ଭଲମନ୍ଦରେ ତାଙ୍କୁ ହିଁ ଡାକରା ପଡ଼େ ନିଶାପ ପାଇଁ କାଳୀ ମେଲାକୁ ।

 

ଲକ୍ଷ୍ମୀଧର ବାବୁଙ୍କ ଚଉଦ ପୁରୁଷ ଯେ ଭୂଇଁପୁର ଗାଁର ମଣିଷ, ତା’ ନୁହେଁ, ଜାତିରେ ବଙ୍ଗାଳୀ ସେ–ଠିକ୍‌ ଗଉଡ଼ିଆ କେଳା ପଦିଆ ପରି । କିନ୍ତୁ ଲକ୍ଷ୍ମୀଧର ବାବୁଙ୍କ ପୂର୍ବପୁରୁଷମାନେ ଯାଯାବର ନ ଥିଲେ କିମ୍ବା ଶବର ସମ୍ପ୍ରଦାୟର ବ୍ୟକ୍ତି ନଥିଲେ । ସେମାନେ ଥିଲେ ପୋଖତ ବ୍ୟବସାୟୀ । ଉତ୍କୃଷ୍ଟ କଳାର ଦେଶ ଉତ୍କଳର ତନ୍ତବୁଣା ଲୁଗା ନେଇ ସେମାନେ ବେପାର କରୁଥିଲେ ଆସାମ ଏବଂ ବଙ୍ଗ ଦେଶରେ । ସେ ଅଞ୍ଚଳର ଲଙ୍କା, ହଳଦୀ, ଝୋଟ ଆଣୁଥିଲେ ଉତ୍କଳକୁ । ଧୀରେ ଧୀରେ ଉତ୍କଳକୁ ସ୍ଥାୟୀ ବାସସ୍ଥାନ ରୂପେ ବାଛିନେଲେ ସେମାନେ, ଆଉ ବଙ୍ଗଳାକୁ ଗଲେ ନାହିଁ । କାଳକ୍ରମେ ଭୂଇଁପୁରର ପାଣି ପବନ ହେଲା ତାଙ୍କ ନିଜର ।

 

ସେହି ଲକ୍ଷ୍ମୀଧର ବାବୁ । ଏବେ ପୂର୍ବ ବାସସ୍ଥାନ କଥା ପଡ଼ିଲେ ହସନ୍ତି ସେ । କାରଣ ତାଙ୍କ ବାପା, ତାଙ୍କ ବାପା, ତାଙ୍କ ବାପା ଏମିତି କେଉଁ ପୁରୁଷରେ କିଏ ଏ ମାଟିକୁ କେମିତି ଆସିଥିଲେ ଏବଂ କାହିଁକ ଭୂଇଁପୁରକୁ ନିଜର ବାସସ୍ଥାନ ରୂପେ ବାଛିଲେ–ସେ କଥା କିଏ କହିବ ? ଅବଶ୍ୟ ଏବେ ଯେ ତାଙ୍କୁ ଭୂଇଁପୁର ଟୋକାଟାକଳିଆ–ଶଳା ବଙ୍ଗାଳି ଟଙ୍ଗ ଟଙ୍ଗାଳି ବୋଲି କହନ୍ତି ନାହିଁ–ଓଡ଼ିଆ ବାହାରର ଲୋକ ବୋଲି ଚିତ୍ରିତ କରିବାକୁ ଚେଷ୍ଟା କରନ୍ତି ନାହିଁ–ତା’ ନୁହେଁ । ତଥାପି ଟୋକାଙ୍କ କଥାକୁ ହସରେ ଉଡ଼ାଇ ଦିଅନ୍ତି ଲକ୍ଷ୍ମୀଧର ବାବୁ । ଚିତ୍କାର କରି ଡାକନ୍ତି–‘‘କିଏ ରେ ସେଇଟା’’ କୁହାଟ ଶୁଣି ପଳେଇ ଯିବାକୁ ଚେଷ୍ଟା କରନ୍ତି ଟୋକାଏ । ପରମୁହୂର୍ତ୍ତରେ ଶରଣ ପଶି ଟୋକାଏ କହନ୍ତି–‘‘ଦାଦା ଭୁଲ୍ ହୋଇଗଲା । ଆମକୁ କ୍ଷମା କର ।” ହସନ୍ତି ଲକ୍ଷ୍ମୀଧର ବାବୁ । ଦାଦା ପିଉସା ମଉସା ଅଜା ହୋଇ ପଡ଼ିରହନ୍ତି ଭୂଇଁପୁର ଗାଁରେ ଭଲମନ୍ଦ ସହି ।

 

ସେହି ଲକ୍ଷ୍ମୀଧର ବାବୁଙ୍କ ଘର । ପଦିଆ ସାପପେଡ଼ିର ଭାରଟାକୁ ବାଟ ଉପରେ ରଖି ଆଗେଇଗଲା ଦୁଆର ମୁହଁକୁ । କାଳୀମେଲା ଦେହରେ ବସି ଅନାଇଥାଏ ଫୁଲମନି–ଡାକୁଥାଏ ବେଳେବେଳେ–ଆସଲୋ ଝିଏ ଚିତା କୁଟେଇବ ଆସ । ତା’ ଡାକ ଶୁଣି ହସୁଥାନ୍ତି ଭୂଇଁପୁର ଗାଁର ଟୋକାଏ ! କେହି କେହି କହୁଥାନ୍ତି ଅନ୍ୟକୁ–କେଡ଼େ ମଜ୍‌ଗୁଲ୍‍ ହୋଇଛି ମଁ କେଲୁଣୀଟା । ଆମ ବଡ଼ଘର ମାଇପେ ତା’ ସରି ହେବେନାହିଁ । ଶୁଣି ନ ଶୁଣିଲା ପରି ମୁହଁ ବୁଲାଇ ପୁଣି ଡାକ ଲମ୍ବାଉଥାଏ ଫୁଲମନି ।

 

ଏମିତିବେଳେ ପଦିଆ କହିଲା–‘‘ବାବୁ କ’ଣ ମିଳିବ କୁହ । ମୁଁ ସାପ ଧରିଦେବି ।” ଦାଣ୍ଡ ପିଣ୍ଡାରେ ବସି ଗୋଡ଼ ହଲେଇ ହଲେଇ ଲକ୍ଷ୍ମୀଧର ବାବୁ କହିଲେ–‘‘ଆରେ ଦଶଟଙ୍କା ଦେବି, ତୁ ଧରି ନେଇଯା ସାପଟାକୁ ।’’ ତା’ପରେ କଥାର ଖିଅ ଲମ୍ବାଇ କହିଲେ ସେ–‘‘ବୁଢ଼ା ଗୋଖର ସାପ । ମାସକ ତଳେ ନଈବଢ଼ି ସମୟରେ କେଉଁଠୁ ଭାସି ଆସି ପଶିଛି ଘରେ । ଅନେକ ସମୟରେ ଆମେ ତାକୁ ଦେଖୁଛୁ ଭାଡ଼ିତଳେ କିମ୍ବା ଅମାର ତଳେ । ଆସୁ ଆସୁ ପ୍ରଥମେ ସେ କାଳୀ ଠାକୁରଣୀଙ୍କ ବୋଦାଟାକୁ କାମୁଡ଼ିଲା । ବୋଦା ମଲା । ତା’ପରେ ଗୁହାଳେ ବଳଦଟାକୁ ମାଇଲା । ସେପାଇଁ କେତେ ଖର୍ଚ୍ଚ କରି ମୋତେ ପ୍ରାୟଶ୍ଚିତ କରିବାକୁ ହେଲା । ଏଇ କିଛିଦିନ ତଳେ ସଞ୍ଜବେଳେ ମୋ ସ୍ତ୍ରୀକୁ କାମୁଡ଼ିବା ପାଇଁ ଗୋଡ଼େଇଲା । କିନ୍ତୁ ତା’ର ଭଗ୍ୟ ଜୋର–ସେ ମାଆ କାଳୀ ବୋଲି ଡାକଦେଇ ଡେଇଁ ପଳେଇ ଆସିଲା ଅମାର ଭିତରୁ । ପୁଣି ପହରି ଦିନ ପୁଅ ବିଛଣା କଡ଼ରେ ସାପଟା ଶୋଇଥିଲା । ଆଉ ଟିକକରେ କାମୁଡ଼ିଥାନ୍ତି । ହଠାତ୍ ମୋ ଆଖି ପଡ଼ିଗଲା । ପାଟିଟାଏ ଯେମିତି କରିଦେଇଛି–ପୁଣି ସେ ପଶିଗଲା ଭାଡ଼ି ତଳକୁ । ମୁଁ ଆଖିରେ ଦେଖିଛି–ସାପଟା ପାଞ୍ଚ ଫୁଟରୁ ଅଧିକ ଲମ୍ବ । ବିଲ୍‍କୁଲ୍‍ ବୁଢ଼ା ହେଇଗଲାଣି–ତେଣୁ ଲାଞ୍ଜ ଛିଡ଼ି ଛିଡ଼ି ଆସୁଛି ।”

 

ଲକ୍ଷ୍ମୀଧରବାବୁଙ୍କ ବର୍ଣ୍ଣନା ଶୁଣି ଦୀର୍ଘନିଃଶ୍ୱାସ ପକାଇଲା ପଦିଆ । କହିଲା–‘‘ହଉ ବାବୁ ମୋ ହାତକୁ ଖଣ୍ଡେ ବାଡ଼ିଦିଅ ।” ପଦିଆ କଥା ଶୁଣି ଘର ଭିତରକୁ ଝପଟିଯାଇ ଖଣ୍ଡିଏ ବାଡ଼ିଆଣି ବଢ଼ାଇଦେଲା କୋଠିଆ । ଏଥର ନିଜକୁ ସଜିଲ କରିନେଇ ପଦ୍ମତୋଳା ଡାକିଲା ପଦିଆ ଉଚ୍ଚ ସ୍ଵରରେ ।

 

ପଦ୍ମତୋଳା ଡାକରେ ଯେ ସାପ ଗାତରୁ ବାହାରି ଆସନ୍ତି, ସେକଥା ନୁହେଁ । କେବଳ ସାପୁଆକେଳାମାନଙ୍କର ଏ ଏକ ମନରଞ୍ଜକ କୌଶଳ । ଫଳରେ ଡାକି ଡାକି ବେଦମ ହେଲା ପଦିଆ । ତଥାପି ସାପର ଦେଖା ନାହିଁ । ମୁରବି ଠାଣିରେ ଲକ୍ଷ୍ମୀଧରବାବୁ କହିଲେ–‘‘ଦୋବୀଜା ସାପଟା । ତେଣୁ ଡାକ ଶୁଣୁନାହିଁ । ଖୋରଟୀ ପଦ ଡାକ, ଦେଖିବା କେମିତି ଶଳା କୁଆଡ଼େ ଯିବ ।”

 

ପଦିଆ କହିଲା–‘‘ହଁ ବାବୁ, ମୁଁ ପଦ ଡାକୁଛି, ତୁମେ ଘର ଲୋକଙ୍କୁ କୁହ–ସେମାନେ ଠେଙ୍ଗା ବାଡ଼ିରେ ଅମାର ତଳ, ଭାଡ଼ି ତଳ ଏବଂ ଓଳିଆ ସନ୍ଧିମାନଙ୍କରେ ଖେଞ୍ଚନ୍ତୁ ।” ସତକୁ ସତ ଲକ୍ଷ୍ମୀଧରବାବୁଙ୍କର ସାନପୁଅ, ମଝିଆଁ ପୁଅ, ବଡ଼ ପୁଅ ଏବଂ କୋଠିଆମାନେ ବାଡ଼ିରେ ଠେଙ୍ଗାରେ ଖେଞ୍ଚା କାମ ଆରମ୍ଭ କରିଦେଲେ । ଏମିତି ଖେଞ୍ଚୁ ଖେଞ୍ଚୁ ବାପ ଲୋ କହି ଖଞ୍ଜା ବାହାରେ ହାମୁଡ଼େଇ ପଡ଼ିଲା ଲକ୍ଷ୍ମୀଧରବାବୁଙ୍କ ବଡ଼ ପୁଅ । କହଲା–‘‘ସାପଟା ଭାଡ଼ିତଳେ ଗୋଟେ ବେଙ୍ଗ ଧରିଛି । ମୋର ବାଡ଼ି ଖେଞ୍ଚା ଖାଇ ସାପଟା ବେଙ୍ଗକୁ ଛାଡ଼ି ଦେଇ ଖେଦିଆସିଲା ମୋ ଆଡ଼େ ।”

 

ପାଟିକଲେ ଲକ୍ଷ୍ମୀଧରବାବୁ–‘ମିଳିଗଲା–ମିଳିଗଲାରେ କେଳା, ନାଗବଚ୍ଚା ଭାଡ଼ିତଳେ ଅଛି । ଘର ଭିତରକୁ ଚାଲିଆ ଧରିବୁ ।’ କଥା ଶୁଣି ଘର ଭିତରକୁ ପଶିଗଲା ପଦିଆ । ପଛରୁ ପାଟି କରୁଥିଲା ଫୁଲମନି । ‘‘ହଇହୋ–ଘରକୁ ଯାଆ ନାହିଁ । ବାଡ଼ି ପକାଇ ସାପ ଧରି ହେବନାହିଁ ।” କିନ୍ତୁ ଗାଁ ଛୁଆ ଏବଂ ମିଣିପ ମାଇପଙ୍କ ପାଟିତୁଣ୍ଡରେ ଫୁଲମନିର ଡାକ ଶୁଭୁନଥିଲା ପଦିଆକୁ । ଏଣେ ଫୁଲମନି ଉଠିଯାଇ ପାରୁନି । ମନୋହରି ଜିନିଷ ପସରା–କାଳେ କିଏ ହାତଉଠା ପଣ କରିବ–ତେବେ ଅଥୁରି ଯିବ ପଥୁରି ମଧ୍ୟ ଯିବ । ତେଣୁ ଆଉ ଚିତା କୁଟାଇବା ପାଇଁ ଡାକ ନଦେଇ ସନ୍ତର୍ପଣରେ ଅପେକ୍ଷା କରିଛି ଫୁଲମନି ।

 

ଏଣେ ଲକ୍ଷ୍ମୀଧର ବାବୁ ପଦିଆର ହାତଟାକୁ ଧରି ଟାଣି ଟାଣି ନଇଁପଡ଼ି ଆଙ୍ଗୁଳି ଦେଖାଇ କହିଲେ–‘‘ସାପଟା ସେଇ ଭାଡ଼ି ତଳେ ଫଁ ଫଁ ହେଉଛି ।” ପଦିଆ ଡାହାଣ ହାତରେ ବାଡ଼ିଟି ଧରି ନଇଁପଡ଼ି ସାପକୁ ଲକ୍ଷ୍ୟ କରିବାକୁ ବସିଛି–ବୁଢ଼ା ଗୋଖରଟା ବିଜୁଳି ବେଗରେ ଧାଇଁ ଆସିଲା ପଦିଆ ଆଡ଼େ । ଆଖି ପିଛୁଳାକେ ପଦିଆ ବାଡ଼ିଟାକୁ ତା’ ବେକରେ ପଳାଇଦେଲା ବେଳକୁ ବାଡ଼ିର ମୁଣ୍ଡଟା ଢିରା ଲାଗିଗଲା ଭାଡ଼ିର ଖୁଣ୍ଟ ଦେହରେ । କାଳବିଳମ୍ବ ନକରି ସାପଟା ପଦିଆ ଗୋଡ଼ରେ ଚୋଟ ବସାଇ ପୁଣି ତୀର ବେଗରେ ପଶିଗଲା ଭାଡ଼ି ତଳକୁ । ସେତେବେଳକୁ ପୁଞ୍ଜାଏ ଦିପୁଞ୍ଜା ଗାଁ ପିଲା, ଛୁଆ, ଯୁବକ ‘ବୋପାଲୋ ସାପ’ କହି କଚାଡ଼ି ହୋଇ ପଡ଼ିଥିଲେ ଖଞ୍ଜା ବାହାରେ ଏବଂ ଆଉ ଥୋକେ ସାପ ଆସିଲା ବୋଲି ଘରୁ ବାହାରି ଦୌଡ଼ ଦେଇଥିଲେ ଗାଁ ଦାଣ୍ଡରେ ।

 

ତେଣେ ମୁହୂର୍ତ୍ତକ ମଧ୍ୟରେ ପଦିଆ ବୁଝିନେଲା ସବୁକଛି । ଗୋଖର ସାପଟା ପାଦରେ ଚୋଟ ଦେଇଛି, ଝର ଝର ହୋଇ ବାହାରୁଛି ରକ୍ତ । ବିକଳରେ ବଳାଗଣ୍ଠିଟାକୁ ମୁଠାଇ ଧରି ଆର୍ତ୍ତନାଦ କରି ଉଠିଲା ପଦିଆ–‘‘ଫୁଲ ମତେ ସାପ କାମୁଡ଼ି ଦେଲା ।” ଏ କ୍ଷୀଣ ଚିତ୍କାର ଶୁଭିଗଲା ଫୁଲମନିକୁ । ପସରା ଛାଡ଼ିଦେଇ ପଶିଗଲା ସେ ଘର ଭିତରେ–‘କ’ଣ ହେଲା, କ’ଣ ହେଲା ।’ ଘର ଭିତରେ ଭିଡ଼ ଜମାଇଥିବା ସାହସୀ ଲୋକେ ଆଡ଼େଇ ଗଲେ ଫୁଲମନିକୁ ଦେଖି । ପଦିଆର ପାଦକୁ ଚାହିଁ ଚମକି ପଡ଼ିଲା ଫୁଲମନି, ଆଉ ପଦିଆ ପାଖକୁ ନଯାଇ ସେ ପୁଣି ଦଇଡ଼ିଲା ତା’ ପସରା ପାଖକୁ । ପସରାର ମନୋହରି ଜିନିଷକୁ ଫିଙ୍ଗା ଫୋପଡ଼ା କରି ବାହାର କଲା ବାସୁକେଦାର ଗଦ । ମୁଣ୍ଡାଟିଏ ଧରି ପୁଣି ଧାଇଁଗଲା ପଦିଆ ପାଖକୁ । କିନ୍ତୁ ସେତେବେଳକୁ ପଦିଆ ଚୁଙ୍ଗୁଡ଼ି ମାଛପରି ଛଟପଟ ହେଇ ଗଡ଼ିବାକୁ ଆରମ୍ଭ କରିଥିଲା ଲକ୍ଷ୍ମୀଧରବାବୁଙ୍କ ଘର ଅଗଣାରେ ।

 

ଗଦ ମୁଣ୍ଡଟାକୁ ପଦିଆ ପାଟିରେ ଗୁଞ୍ଜିଦେଇ ପାଟିକଲ ଫୁଲମନି, ଖାଇଦିଅ–ଚୋବେଇ ପକା, କିନ୍ତୁ ପଦିଆକୁ ଆଉ କଥା ଶୁଭୁ ନଥିଲା, ସତେ ଅବା ସେ ଯୁଦ୍ଧ କରୁଥିଲା ବୁଢ଼ା ଗୋଖର ସାପ ସହିତ । ବିକଳରେ ଫୁଲମନି ଗଦ ମୁଣ୍ଡାଟିକୁ ଧରି ଗୁଞ୍ଜିଲା ପଦିଆ ମୁହଁରେ । କିନ୍ତୁ ଆଉ ପାଟି ମେଲାକରି ପାରୁନାହିଁ ପଦିଆ । ଚିତ୍କାର କଲା ଫୁଲମନି । ବାବୁ ଗୋଟେ ଖିଲିକାତି ଦିଅ । ଘଡ଼ିକ ଭିତରେ ଲକ୍ଷ୍ମୀଧରବାବୁଙ୍କ ସାନବୋହୂ ଘର ଭିତରୁ ଖିଲିକାତିଟିଏ ଆଣି ଫିଙ୍ଗିଦେଲା ଫୁଲମନି ଆଡ଼କୁ । ଫୁଲମନି ସେହି ଖିଲିକାତିରେ ପଦିଆର ପାଟି ମେଲାକରି ଚେଷ୍ଟାକଲା ଖଣ୍ଡେ ଗଦ ଖୋଇଦେବାକୁ । କିନ୍ତୁ ପାରୁନାହିଁ ଫୁଲମନି । ଧୀରେ ଧୀରେ ଦାନ୍ତ ଯାବ ପଡ଼ିଆସୁଛି । ପଦିଆର ଛଟପଟ ଶରୀର ସ୍ଥିର ହୋଇ ଆସୁଛି । ବାରମ୍ବାର ଅନୁରୋଧ କରୁଛି ଫୁଲମନି–‘‘ରୁହ, ଟିକେ ରୁହ, ପାଟି ମେଲାକର ।” ନିରର୍ଥକ ତା’ର ଅନୁରୋଧ । ସମ୍ପୂର୍ଣ୍ଣ ସ୍ଥିର ହୋଇଯାଇଛି ପଦିଆ ବୁଢ଼ା ଗୋଖର ସାପର ବିଷ ଜ୍ଵାଳାରେ ।

 

ଅସ୍ଥିର ହେଲା ଫୁଲମନି । ପଦିଆର ମୁଣ୍ଡକୁ ପ୍ରବଳ ଗତିରେ ହଲେଇ ପାଟିକଲା–“ହଇଗୋ ଉଠ, ଗଦଟିକେ ଖାଇଦିଅ, ମଲା ପାଟି ମେଲା କର ।” କିନ୍ତୁ କାଠ ମୁଣ୍ଡିଆ ପରି ଗଡ଼ିବାକୁ ଲାଗିଲା ପଦିଆର ଶରୀରଟା । ବିକଳରେ କାନ୍ଦି ଉଠିଲା ଫୁଲମନି କଇଁ କଇଁ ହୋଇ । ହଠାତ୍ ଏପରି ବିଚିତ୍ର ପରିସ୍ଥିତିରେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇଗଲେ ଲକ୍ଷ୍ମୀଧର ବାବୁ । ଘରର ଏପାଖ ସେପାଖ ଦୌଡ଼ି ବ୍ୟସ୍ତ ହେଉ ହେଉ କହୁଥିଲେ ସେ–ଆରେ କ’ଣ କରିବା, କେଳାଟା ମରିଗଲା । ଆରେ ଗୁଣିଆଁ ଡାକ ।

 

ଏତିକି ବେଳକୁ ଭିଡ଼ ଭିତରୁ ପଶି ଆସିଥିଲା ଗାଁର ଅଧା ଗୁଣିଆଁ ଶାମ ପ୍ରଧାନ । ଅପେକ୍ଷା ନକରି ସେ ପଦିଆ ନିକଟକୁ ଧାଇଁ ଯାଇ ମୁଣ୍ଡରେ ଗୋଟାଏ ବ୍ରହ୍ମ ଚାପୁଡ଼ା ବସାଇ ଆରମ୍ଭ କରିଦେଲା ତା’ର ଝଡ଼ା ଫୁଙ୍କା–

 

ଦଂଶିଲୁ କାଳୀ ନାଗ ଲୁଚି ଛପି ଥାଇ

ଚଢ଼ିଲା ବିଷର ଜ୍ଵାଳା କପାଳରେ ଯାଇ ।

ବ୍ରହ୍ମ ଚାପୁଡ଼ିରେ ମୋର ଝଡ଼ ଝଡ଼ ବିଷ

କାହିଁ ଅଛ ନାଗ ବଂଶ ଆସି ବିଷ ଶୋଷ ।

ହଳଦୀ ପାଣିରେ ଶୋଷି ଛାଡ଼ରେ ଗରଳ

ଆଜ୍ଞା ଦେଲେ ସେ ଗରୁଡ଼ ଦେବ ମହାବଳ ।

ଝଡ଼ ଝଡ଼ ବିଷ କପାଳ ଦେହରୁ

ଝଡ଼ ଝଡ଼ ବିଷ ସୁଷୁମ୍ନା ନାଡ଼ିରୁ ।

ଝଡ଼ ଝଡ଼ ବିଷ ଜାନୁ ହସ୍ତ ପଦୁ

ରକ୍ଷାକର ଗୋ କାମାକ୍ଷୀ ଏ ମହା ବିପଦୁ ।

କାଉଁରୀ କାମଚଣ୍ଡୀଙ୍କର କୋଟି କୋଟି ଆଜ୍ଞା

ଝଡ଼ ଝଡ଼ ବିଷ ଲୋକ ପାଉ ସଂଜ୍ଞା ।

 

ବାରମ୍ବାର ଏ ମନ୍ତ୍ର ଉଚ୍ଚାରଣ କରି ବ୍ରହ୍ମ ଚାପୁଡ଼ି ଲଗାଇବାରେ ଲାଗିଲା ଶାମ ପ୍ରଧାନ । କିନ୍ତୁ ତଥାପି କିଛି ଫଳ ନାହିଁ । ନିଥର ଆଖିରେ ଉପରକୁ ମୁହଁକରି ପଡ଼ିଛି ପଦିଆ ।

 

ପାଟିକଲା ଶାମ ପ୍ରଧାନ । କେଳା ମୁଣ୍ଡରେ ପାଣି ଢାଳ, ବିଷ ତଳକୁ ଖସୁଛି । ପ୍ରଧାନର ପାଟିରୁ କଥା ନ ସରୁଣୁ–ଉଚୁକା ଟୋକାଏ ଦଉଡ଼ିଲେ ଲକ୍ଷ୍ମୀଧର ବାବୁଙ୍କ ବାଡ଼ିପଟ କୂଅ ମୂଳକୁ । କଢ଼ାଗଲା ବାଲ୍‍ତି ପରେ ବାଲ୍‌ତି ପାଣି । ଢଳା ହେଲା ଆସି ପଦିଆର ମୁଣ୍ଡ ଉପରେ । ଘଡ଼ିକ ଭିତରେ କୂଅ ଶୁଖିଲା–ଲକ୍ଷ୍ମୀଧର ବାବୁଙ୍କ ଅଗଣା ଦେହରେ ପାଣି ନଈବଢ଼ି ପରି ଲହଡ଼ି ଭାଙ୍ଗିଲା । ତଥାପି କିଛି ଫଳ ହେଲା ନାହିଁ । ମନ୍ତ୍ର ପଢ଼ି ପଢ଼ି ବେଦମ୍ ହେଲା ଶାମ ପ୍ରଧାନ । ଶେଷରେ କହିଲା–‘‘ନା କିଛି ହେବ ନାହିଁ । ଅବୀଜା ଗୋଖର–ଖୋରଟୀ ପଦକୁ ମଧ୍ୟ ମାନୁ ନାହିଁ । ଆଉ ମୋ ଦ୍ଵାରା କିଛି ହେଇପାରିବ ନାହିଁ ।”

 

ଶାମ ପ୍ରଧାନ ଠାରୁ ନୈରାଶ୍ୟ ବାଣୀ ଶୁଣି ଚମକି ପଡ଼ିଲେ ଲକ୍ଷ୍ମୀଧର ବାବୁ । ସେ ପର୍ଯ୍ୟନ୍ତ ତାଙ୍କର ବିଶ୍ଵାସ ହେଉଥିଲା–ବିଷ ଝଡ଼ିଯିବ । ଲୋକଟା ଉଠି ବସିବ ଏବଂ ରାଗରେ ସାପଟାକୁ ଧରି ପେଡ଼ିରେ ପୂରାଇ ନେଇ ଯାଉ ଯାଉ ଆଘାତ କରିବ ବାରବାର । କିନ୍ତୁ ଚାହୁଁ ଚାହୁଁ କେଳାଟା ମରିଗଲା !!

 

ସେତେବେଳକୁ ଭୂଇଁପୁର ଏବଂ ଆଖ ପାଖ ଗାଁର ଲୋକେ ଜମାହୋଇ ସାରିଥିଲେ ଲକ୍ଷ୍ମୀଧର ଦେଙ୍କ ଘର, ବାହାର ଏବଂ ବାଡ଼ିପଟେ । ଖଞ୍ଜା ବାହାରେ ସ୍ଥିର ନିଶ୍ଚଳ ପଦିଆର ଦେହଟାକୁ କୁଣ୍ଢାଇ ଧରି କଇଁ କଇଁ କାନ୍ଦିବାରେ ଲାଗିଥାଏ ଫୁଲମନି । କ’ଣ କରିବ ସେ, ନିକଟରେ ଜାତି ଭାଇ କେହି ନାହାନ୍ତି । ପଦିଆର ଶବଟାକୁ ଧରି ସେ ପଦ୍ମକେଶରୀପୁର ଗାଁକୁ ଫେରିବ କେମିତି ? କି ଉତ୍ତର ଦେବ ଗ୍ରାମବାସୀଙ୍କୁ ? ଏମିତି ଚିନ୍ତା କରୁ କରୁ ବେଳକୁ ବେଳ ଆହୁରି ଅସ୍ଥିର ହେଉଥିଲା ସେ । ଅଚେତ ହୋଇ ପଡ଼ୁଥିଲା ଘଡ଼ିକୁ ଘଡ଼ି ।

ଶେଷ ଶ୍ରାବଣର ଟାଇଁଟାଇଁ ଖରା ଖଇ ଫୁଟିଲା ପରି ବିଛାଡ଼ି ହୋଇ ପଡ଼ିଥାଏ ଖଞ୍ଜା ବାହାରେ । ଟୋକାଳିଆ ଲୋକେ ପାଟି କରୁଥାନ୍ତି–ତୋ ଘଇତାକୁ ଉଠା ଲୋ କେଲୁଣୀ । ଆମ ଗାଁର ଖାଇବା ପିଇବା ବନ୍ଦ, ଘରେ ଶବଟା ପଡ଼ିଛି, ପିଲା ଛୁଆ ଖାଇବେ କେମିତି ? ଲୋକଙ୍କ ତାଗିଦା ଶୁଣି ମୁଣ୍ଡଟେକି ଅନେଇଲା ଫୁଲମନି, ଆଖି ପୂରି ବହି ଆସୁଥିବା ଲୁହଧାରକୁ ପୋଛୁ ପୋଛୁ କହିଲା–ବାବୁ ! ମୁଁ ମାଇପି ଲୋକଟା–ଟିକେ ମତେ ସାହାଯ୍ୟ କର ।

କମ୍ପି ଉଠିଲେ ଲକ୍ଷ୍ମୀଧର ବାବୁ । କ’ଣ କହିଲୁ–କେଳା ଶବଟାକୁ ଆମ ଲୋକେ ଉଠାଇବେ ? ସେ କଥା ହୋଇପାରିବ ନାହିଁ । ତୁ ଘୋଷାରି ଘୋଷାରି ବଇଦ ନାଳ କୂଳକୁ ନେଇ ଚାଲ୍ । ମୁଁ ଛୁଆଙ୍କ ହାତରେ ଗୋଛାଏ କାଠ ଦେଇ ଦେଉଛି । ସେଇଠି ତା’ ଉପରେ କାଠ ଲଦି ନିଆଁ ଲଗାଇ ଦେବୁ ।

ଲକ୍ଷ୍ମୀଧର ବାବୁଙ୍କ କଥା ଶୁଣି ଦୀର୍ଘନିଃଶ୍ଵାସ ପକାଇଲା ଫୁଲମନି । ତାଙ୍କ କେଳା ଜାତିରେ କେହି ମରିଗଲେ ଶବକୁ ପୋଡ଼ନ୍ତି ନାହିଁ, କେବଳ ପୋତିପକାଇ ସମାଧି ଦିଅନ୍ତି । ସେ ପଦିଆର ଶବଟାକୁ ପୋଡ଼ିଦେବ କେମିତି ?

 

ଅଣ୍ଟା ଭିଡ଼ି ଠିଆ ହେଲା ଫୁଲମନି । ପଦିଆର ହାତ ଦୁଇଟିକୁ ଧରି ଘୋଷାରିଲା ଘର ବାହାରକୁ । ଛୁଆଗୁଡ଼ାକ ଦୁର୍ ଦୁର୍ ହୋଇ ପଳାଇ ଗଲେ ବାହାରକୁ । ଫୁଲମନି ଦେହର ସମସ୍ତ ଶକ୍ତି ଖଟାଇ ପଦିଆକୁ ଟାଣି ଟାଣି ଆଣି ପକାଇଲା ଘର ବାହାରେ । ତା’ପରେ କାହାରିକୁ କିଛି ନକହି ପଦିଆର ହାତ ଦୁଇଟିକୁ ସେମିତି ଧରି ଘୋଷାରି ଘୋଷାରି ଚାଲିଲା ଆଗରୁ ଆଗକୁ । ଗାଁର କେଲୁଆ ମାଟି ରାସ୍ତାରେ ଘୋଷାରି ହୋଇ ପଦିଆର ଦେହରୁ ପରସ୍ତ ପରସ୍ତ କରି ଛାଡ଼ି ଯାଉଥାଏ ଚମ ।

 

ମନେହେଉଥାଏ ସତେ ଅବା ଫୁଲମନି ଯମଦୂତ ସାଜି ଟାଣି ଟାଣି ନେଉଛି ପଦିଆକୁ ନରକ କୁଣ୍ଡ ନିକଟକୁ । ଅଳ୍ପ ସମୟ ମଧ୍ୟରେ ଫୁଲମନି ଗାଁ ପାର ହୋଇ ପହଞ୍ଚିଲା ବଇଦ ନାଳ ପାଖରେ । ପଛରେ ଚାଲିଥାନ୍ତି ଗାଁର ପିଲା ଛୁଆ ବୁଢ଼ା ଏବଂ ବୟସ୍କା ସ୍ତ୍ରୀ-ଲୋକମାନେ । ମନେହେଉଥାଏ ସତେ ଅବା ଛୋଟ ଶୋଭାଯାତ୍ରାଟିଏ ଚାଲିଛି ବଇଦ ନାଳ ଆଡ଼କୁ ସାପୁଆକେଳା ପଦିଆକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ।

 

ଏଣେ ଭୂଇଁପୁର ଗାଁ ଭିତରେ ଛୁଆ ଦଳ ଫୁଲମନିର ପସରାରୁ ମନୋହରି ଜିନିଷଗୁଡ଼ିକ ଅପହରଣ କରି ଦୌଡ଼ି ପଳାଉଥାନ୍ତି ନିଜ ନିଜ ଘର ଆଡ଼େ । ମୁହଁଦେଖା ପାଟି କରୁଥାନ୍ତି ଗାଁରେ ରହିଯାଇଥିବା ବୁଢ଼ା ବୁଢ଼ା ଲୋକେ–ଆରେ ଗୋବିନ୍ଦା, ରଘୁଆ, ମାଧିଆ, ଶଳା ଗରିବ କେଲୁଣୀର ଜିନିଷଗୁଡ଼ିକ ନେଇ ଯାଉଛ କାହିଁକିବେ ? ଅବଶ୍ୟ ସେତେବେଳେ ନିଜ ନାତିମାନଙ୍କ ଦ୍ଵାରା ଅପହୃତ ଜିନିଷଗୁଡ଼ିକ ଯେ ତାଙ୍କ ଆଖିରେ ପଡ଼ୁ ନଥାଏ–ତା’ ନୁହେଁ । ସେତେବେଳକୁ କିନ୍ତୁ ପାଟି ବିଶେଷ ବଡ଼ ହେଉ ନଥାଏ । ଏମିତି ସମୟରେ କେହି ଜଣେ ପୁଳାଏ ପାନିଆଁ ନେଇ ଦୌଡ଼ି ପଳାଉ ପଳାଉ ପଦିଆର ସାପପେଡ଼ିଟାକୁ ଝୁଣ୍ଟି ହାମ୍ବୁଡ଼େଇ ପଡ଼ିଲା ତଳେ । ସାପପେଡ଼ିର ଢାଙ୍କୁଣିଟା ଖୋଲିଗଲା । ଗୋବିନ୍ଦ ମୂଷା ପେଡ଼ିଟା ଗଡ଼ି ଗଡ଼ି ଯାଇ ଖୋଲିଗଲା କିଛି ବାଟରେ । ତର ତର ହୋଇ ଗୋବିନ୍ଦ ମୂଷା ପେଡ଼ିରୁ ବାହାରି ପଶିଗଲା ଲକ୍ଷ୍ମୀଧରବାବୁଙ୍କ ବାହାର କାନ୍ଥର ଗୋଟାଏ ଗାତ ଭିତରେ ଏବଂ ହଳଦୀଗଣ୍ଠି ବୁଢ଼ା ଗୋଖର ସାପଟା ପେଡ଼ିରୁ ବାହାରି ଧୀରେ ଧୀରେ ମଧୁବନ ରାଜା ପରି ଦୋହଲି ଦୋହଲି ଆଗେଇଲା ଆଗକୁ । ସାପଟାକୁ ଦେଖି ଗାଁ ମାଇପେ ଲାଜ ସରମ ତେଜି ଘରୁ ବାହାରି ଧାଇଁଲେ ପଦାକୁ । କାଳେ କାହା ଘର ଭିତରେ ପଶିଯିବ !

 

ସଙ୍ଗେ ସଙ୍ଗେ ଏ ଖବର ମଧ୍ୟ ଯାଇ ପହଞ୍ଚିଗଲା ବଇଦ ନାଳ ପାଖରେ । ବଢ଼େଇ ଘର ଚଗଲା ଟୋକା ମକୁନ୍ଦି କହିଲା–କେଳା ପେଡ଼ିରୁ ସାପ ବାହାରି ଗାଁ ଦାଣ୍ଡରେ ବୁଲୁଛି–କହୁଛି ସମସ୍ତଙ୍କୁ କାମୁଡ଼ିବ ।

 

ଏ କଥା ଶୁଣି ଆଉ ସ୍ଥିର ରହିବ କିଏ ? କୌଣସି ବେଆଇନ୍ ଶୋଭଯାତ୍ରା ଉପରେ ଗୁଳିମାଡ଼ ହେଲେ ଯେମିତି ଲୋକେ ପ୍ରାଣ ବିଳଳରେ ଦୌଡ଼ି ଆତ୍ମରକ୍ଷା କରନ୍ତି–ସେମିତି ଲୋକେ ପ୍ରାଣ ବିକଳରେ ଧାଇଁଲେ ଗାଁ ଭିତରକୁ । ଶେଷରେ ଗାଁ ମୁଣ୍ଡ ବଇଦ ନାଳ କୂଳରେ ରହିଗଲା ଏକା ଫୁଲମନି । ଗାତ ଖୋଳି ପଦିଆକୁ ପୋତିବା ପାଇଁ ତା’ର ଶକ୍ତି ନାହିଁ । କୋଡ଼ି କୋଦାଳ ମଧ୍ୟ ତା’ ନିକଟରେ ନାହିଁ । କ’ଣ କରିବ ସେ ?

 

ଅନେଇଲା ବଇଦ ନାଳକୁ । ଶ୍ରାବଣ ଶେଷରେ ଖରସୁଆ ନଈର ପାଣିରେ ଭରପୂର ହୋଇ ଉଠିଛି ବଇଦ ନାଳ, ତା’ର ଗୋଳିଆ ପାଣିରେ ବେଳେ ବେଳେ ଭାସି ଚାଲିଛି କୁଟା କାଠି ଏବଂ ଫେଣ ମଧ୍ୟ । ଆଉ ଅଧିକ ଚିନ୍ତା ନକରି ପଦିଆର ହାତ ଦୁଇଟିକୁ ଧରି ଫୁଲମନି ଟାଣିଲା ପାଣି ଭିତରକୁ । ଆଣ୍ଠୁଏ, ଜଙ୍ଘେ, ଛାତିଏ ପାଣି ପର୍ଯ୍ୟନ୍ତ ପଶିଲା ସେ । ପ୍ରଖର ସୁଅ ନିଜେ ଫୁଲମନିକୁ ମଧ୍ୟ ଟାଣି ନେବାପାଇଁ ହେଉଥାଏ ଉଦ୍ୟତ । ଆଉ ସମ୍ଭାଳି ପାରୁନାହିଁ ଫୁଲମନି । ଏଣେ ହାତରୁ ଛାଡ଼ିବାକୁ ଇଚ୍ଛା ହେଉନି ବିଚରା ଆପଣାର ନିର୍ବୋଧ ପଦିଆକୁ । ଶେଷରେ କଇଁ କଇଁ ହୋଇ କାନ୍ଦି ଉଠି ପଦିଆକୁ ହାତରୁ ଛାଡ଼ି ଦେଲା ଫୁଲମନି ।

 

ଘୂରିଗଲା ଭଉଁରୀଟାଏ । ବୋଧହୁଏ ଏ ଭଉଁରୀ ଅପେକ୍ଷା କରିଥିଲା ପଦିଆକୁ ବହି ନେଇ କୋଉ ବେଗୁନିଆଁ ଗଛର ବୁଦାରେ ଗେଞ୍ଜି ଦେବାପାଇଁ ଅବା ସିଧାସଳଖ ବଙ୍ଗୋପ ସାଗରରେ ମିଶାଇ ଦେବା ପାଇଁ ।

 

ପଦିଆକୁ ହାତରୁ ଛାଡ଼ି ଅନେକ ସମୟ ସେହି ପାଣି ଭିତରେ ଠିଆହୋଇ ରହିଲା ଫୁଲମନି । ତା’ର ମନେ ହେଉଥିଲା–ସତେ ଯେମିତି ପାଣିରେ ପହଁରି ପହଁରି ପୁଣି ଫେରି ଆସିବ ପଦିଆ । କହିବ–‘‘ଫୁଲ ତୁମେ ମତେ ପାଣିରେ ଭସାଲ ଦେଲ ?” କିନ୍ତୁ ଫୁଲମନିର ଚିନ୍ତା ଚିନ୍ତାରେ ରହିଗଲା । ପଦିଆ ଆଉ ଫେରି ଚାହିଁଲା ନାହିଁ । ବଇଦ ନାଳର ପାଣିରେ ମିଶିଗଲା–ନିଶ୍ଚିହ୍ନ ହେଇଗଲା ସବୁଦିନ ପାଇଁ ।

 

ଓଦା ସୁଡ଼ୁବୁଡ଼ୁ ହୋଇ ବଇଦ ନାଳରୁ ଉପରକୁ ଉଠିଲା ଫୁଲମନି । ଚାରିଆଡ଼କୁ ଅନାଇଲା ଆହତ ଆଖିରେ । କେହି ନାହାନ୍ତି ଏ ମଶାଣି ପଦାରେ । ସାପ ଭୟରେ ଗାଁବାଲା ଫେରି ଯାଇଛନ୍ତି ଗାଁ ଭିତରକୁ । ଫେରିବ ସେ ତା’ ବୁଢ଼ା ଗୋଖର ସାପ ଏବଂ ମନୋହରି ଜିନିଷ ପାଇଁ ? ନା...ବୁଢ଼ା ସିମିଳିପାଳିଆ ଗୋଖରଟା ଆଉ ହବ କ’ଣ ? ପଦିଆ ଯାଇଛି, ତା’ ସହିତ ଯାଉ ଗୋଖର ସାପଟା । ଦିନେ ଏଇ ଗୋଖର ସାପ ଧରିବାକୁ ଯାଇ କେଶବାଇ ଯାଇଥିଲା । ଆଜି ସେହି ସାପ ଖେଳାଇବାକୁ ଆଣି ପଦିଆ ଗଲା, ଆଉ ସାପ ଉପରେ କି ଲୋଭ ? କ’ଣ ହେବ ସେ ସାପ ? ପୁଣି ମନୋହରି ଜିନିଷଗୁଡ଼ିକ କ’ଣ ପଦିଆଠାରୁ ଆହୁରି ନିଜର ? ପଦିଆକୁ ଛାଡ଼ି–ସେଗୁଡ଼ିକ ନେଲ କ’ଣ କରିବି ମୁଁ, ଆଉ ସେ ମନୋହରି ଜିନିଷ ଏଇ ଭୂଇଁପୁର ଗାଁରେ ।

 

ଏମିତି ଚିନ୍ତା କରି ଆଖିରୁ ଲୁହ ଗଡ଼େଇ କାନ୍ଦୁ କାନ୍ଦୁ ସାହାପୁର ହାଟ ଆଡ଼େ ମୁହଁ ଫେରାଇଲା ଫୁଲମନି । ମନେ କରୁଥିଲା ସେ, ସତେ ଅବା ଡାକୁଛି ପଦିଆ ପଛରୁ ଫୁଲ…ଲୋ ଫୁଲ । ମତେ ଏ ପାଣି ଭିତରେ ବଇଦ ନାଳରେ ଏକୁଟିଆ ଛାଡ଼ିଦେଇ ତୁ କୁଆଡ଼େ ପଳେଇ ଯାଉଛୁ ? ମୁଁ ପରା ଡରକୁଳା । ମତେ ସାଙ୍ଗରେ ନେଇ ଚାଲ ଫୁଲ । ମତେ ସାଙ୍ଗରେ ନେଇ ଚାଲ-

 

ଏ ଡାକ କିନ୍ତୁ ଶୁଭୁନଥିଲା ଫୁଲମନିକୁ । ସେ ଆଗେଇ ଚାଲିଥିଲା ସାହାପୁର ହାଟ ଆଡ଼େ ଦୁର୍ଗତିର ପାଉଛରେ ପାଦ ପକାଇ ପକାଇ ।

 

ଶ୍ରୀପର୍ବତର ଚୂଡ଼ା ଉପରେ ଅସ୍ତ ସୂର୍ଯ୍ୟରେ ଲାଲ ଆଭା ବନାଗ୍ନି ପରି ଦାଉ ଦାଉ କରିଉଠିବା ବେଳକୁ କେଶବ ଏବଂ କାପୁରା ଆସି ପାଦ ଦେଲେ ପଦ୍ମକେଶରୀପୁର ପଦ୍ମପୋଖରୀ ହୁଡ଼ା କଡ଼ର ବୁଢ଼ା ବରଗଛ ମୂଳେ । ଗାଁ ଭୂଇଁରେ ପାଦ ଦେଇ କେଶବ ବାଡ଼ିଟାକୁ ଢିରା ଲଗାଇ ହାତରେ ମାଟି ଉଠାଇ ମାରିଲା ମୁଣ୍ଡରେ । ଚାହିଁଲା, ବୁଢ଼ା ବରଗଛକୁ । ଇତି ମଧ୍ୟରେ ଅନେକ ପୁରୁଣା ଶାଖା ଭାଙ୍ଗି ଗଛଟା ନଣ୍ଡା ହୋଇଯାଇଛି । ପତ୍ର ଗହଳି ମଧ୍ୟରେ ଆଉ ଅପରାହ୍ନରେ ରାଜ୍ୟ ସାରାର ପକ୍ଷୀ କିଚିରି ମିଚିରି ଶବ୍ଦ କରି କାନର ଅତଡ଼ା ଖସାଉ ନାହାନ୍ତି । ତେବେ କ’ଣ ବୁଢ଼ା ବରଗଛ ହତଶ୍ରୀ ହୋଇଛି ତା’ ବିହୁନେ ? ନିଜକୁ ନିଜେ ପ୍ରଶ୍ନ କରୁଛି କେଶବ । ଅନାଉଛି ସେ ଶ୍ରୀପର୍ବତ ଘେରା ଅନ୍ଧାରିଆ ଦୂର ଦିଗ୍‌ବଳୟକୁ ଏବଂ ନିକଟବର୍ତ୍ତୀ ପଦ୍ମପୋଖରୀକୁ । ପୋଖରୀର ହୁଡ଼ା ଊପରେ ନୂଆ ହୋଇ ଏକ ପ୍ରାସାଦ ମୁଣ୍ଡଟେକୁଛି । ବୋଧହୁଏ ଗୃହହୀନଙ୍କ ପାଇଁ ଗୃହ ଯୋଗାଣ ଯୋଜନାର ପଦକ୍ଷେପ ସଦୃଶ ଏ ପ୍ରାସାଦର ନିର୍ମାଣ ।

 

ହଠାତ୍ ଅତୀରର ରୋମନ୍ଥନରେ ସ୍ଥିର ହୋଇ ଠିଆହୋଇ ରହିଲା ସେ । ଦିନେ ଫୁଲମନି ସ୍ଵପ୍ନ ଦେଖୁଥିଲା–କେଶବାଇ ! ଆମେ ଏ ପଦ୍ମପୋଖରୀ ହୁଡ଼ାରେ ତିଆରି ହେବାକୁ ଯାଉଥିବା ଘର ମଧ୍ୟରୁ ଗୋଟିଏ ଘର ନେବା । ତାରି ଦେହରେ ଗଢ଼ି ତୋଳିବା ଆମ ଛୋଟ ସଂସାର । କିନ୍ତୁ ସେ ସ୍ଵପ୍ନ ଅତୀତର ରାଜପ୍ରାସାଦ ଭଳି ଭାଙ୍ଗିରୁଜି ମାଟିରେ ମିଶିଯାଇଛି । ଏବେ ହୁଏତ ଫୁଲମନି ପଦ୍ମକେଶରୀପୁରର କାହା ହାତଧରି ବହୂ ସାଜି ତା’ କେଶବାଇକୁ ଭୁଲିଥିବ, ତା’ ମନରେ ପୁଣି ନୂଆ ସ୍ଵପ୍ନ ଆଗାମୀ ରାତି ପାଇଁ ଜମାଟ ବାନ୍ଧୁଥିବ ।

 

ଚିନ୍ତା କରୁଛି କେଶବ । ସେ ଅତୀତର ସ୍ଵପ୍ନ ବ୍ୟର୍ଥ ହେବନାହିଁ । ଫୁଲମନି ସ୍ଥାନରେ କାପୁରା ଏକ ନୂତନ ଛନ୍ଦର ଝଙ୍କାର ସୃଷ୍ଟିକରି ଏ ନୂଆ ଘରକୁ ମଣ୍ଡିତ କରିବ । ମୁଁ ଅତୀତକୁ ସ୍ମରଣ କରି ଭାଙ୍ଗିପଡ଼ିବି କାହିଁକି ? ଏମିତି ଚିନ୍ତାକରି ମନକୁ ଆଶ୍ଵସ୍ତ କଲା କେଶବ । ଚାରିଆଡ଼କୁ ଦେଖିନେଇ ମନ ପୂରାଇବାକୁ ଚେଷ୍ଟା କରୁଥିଲା ସେ । ତା’ ଅତୀତର ଗାଁ ଭୂଇଁକୁ ସତେ ଅବା ବହୁ ଯୁଗ ପରେ ନୂଆକରି ଦେଖୁଛି ସେ । ମନେ ଭାବୁଛି–ଗାଇବ ତା’ର ଗୌରବ ଉଚ୍ଚ ସ୍ଵରରେ, ଉଦ୍ଦାତ୍ତ କଣ୍ଠରେ ।

 

ଏତିକିବେଳେ କାହାର ଡାକରେ ଚମକି ପଡ଼ିଲା କେଶବ । ପଦ୍ମପୋଖରୀରେ ଗୋଡ଼ହାତ ଧୋଇ ଗାଁକୁ ଫେରୁ ଫେରୁ କେଶବକୁ ଦେଖି ଅଟକି ଯାଇଛି ପଞ୍ଚୁ ଦାସ । –‘‘ଆରେ କିଏ ? କେଶବ ? ଆରେ ତୁ ବଞ୍ଚିଛୁ ? କୋଉଠିଥିଲୁ ତୁ ? ତୋ ସଙ୍ଗରେ ଏ ଝିଅଟି କିଏ ?”

ଏତେଗୁଡ଼ିଏ ପ୍ରଶ୍ନ ଏକ ନିଃଶ୍ଵାସରେ ପଚାରିଦେଇ ଆଶ୍ଚର୍ଯ୍ୟ ଆଖିରେ ଚାହିଁରହିଲା ପଞ୍ଚୁ ଦାସ । ବାଡ଼ିଟିକୁ ଢିରା ଦେଇ ଦୁଇପାଦ ଆଗକୁ ଆଗେଇ ଆସୁ ଆସୁ କହିଲା କେଶବ–‘‘କିଏ ପଞ୍ଚୁ ଭାଇ ?”

–ହଁ ମୁଁ ପଞ୍ଚୁ ।

–“ମୁଁ ଏଇ ଆଦିବାସୀ ଝିଅ କାପୁରା ପାଇଁ ବଞ୍ଚିଯାଇଛି ପଞ୍ଚୁ ଭାଇ । ଭଲ ହେବାପରେ ଗାଁକୁ ଆସୁଛି । ତମମାନଙ୍କୁ ଦେଖିବି, ଗାଁରେ ରହିବି ।”

–‘‘ଆଉ ଏତେଦିନ ପରେ କାହିଁକ ଆସିଲୁ କେଶବ ! ସାରା ଜୀବନ ତେଣେ ରହିଯାଇଥିଲେ ଭଲ ହେଇଥାନ୍ତା ।”

–“ପଞ୍ଚୁ ଭାଇ ?”

–“ହଁ କେଶବ ! ତତେ ଅନେଇ ଅନେଇ ଆଖିରୁ ଲୁହ ଗଡ଼େଇ ଫୁଲମନି ଦିନ କାଟୁଥିଲା । ଏମିତି ସମୟରେ ମନେଇ ଦାସର ବିଷଦୃଷ୍ଟି ପଡ଼ିଲା ତା’ ଉପରେ ।”

–“ଏ କ’ଣ କହୁଛ ପଞ୍ଚୁ ଭାଇ ?”

–“ହଁ, ମୁଁ ସତ କହୁଛି କେଶବ । ଶେଷରେ ଫୁଲମନି ନାଥଦାଦା ପୁଅ ମାଇଚିଆ ପଦିଆକୁ ବାହା ହେଲା ।’’

–“ପଦିଆକୁ ବାହା ହେଇ ଫୁଲମନି ଭଲରେ ଅଛି ତ ପଞ୍ଚୁ ଭାଇ ?”

–“ନା କେଶବ ! ପଦିଆକୁ ସାଙ୍ଗରେ ଧରି ଫୁଲମନି ଯାଇଥିଲା ବିଦେଶ କରି । ବିଦେଶରେ ସାପ ଧରୁ ଧରୁ ପଦିଆକୁ ଗୋଖର ସାପ କାମୁଡ଼ିଲା । ସେହି ବିଦେଶରେ ପ୍ରାଣ ହରାଇଲା ସେ ।”

–“ପଞ୍ଚୁ ଭାଇ !!” ଭୋ ଭୋ କରି କାନ୍ଦିଉଠିଲା କେଶବ ।

ନିକଟକୁ ଲାଗିଆସି କେଶବର ଆଖିରୁ ଲୁହ ପୋଛି ଦେଉ ଦେଉ କହିଲା ପଞ୍ଚୁ–“ଦୁଃଖ କାହିଁକି କରୁଛୁ କେଶବ ! ଏବେ ତୁ ଫେରିଛୁ । ଫୁଲମନିକୁ ପୁଣିଥରେ ବାହାହେଇ ରହ । ତା’ ଦୁଃଖ ଆପେ ଆପେ ଦୂର ହୋଇଯିବ ।”

ପ୍ରତିବାଦ କରଉଠିଲା କେଶବ । କହିଲା–“ନାଇଁ ପଞ୍ଚୁ ଭାଇ ! ମୋର ଆଉ ଫୁଲମନିକୁ, ବିବାହ କରିବାର ପ୍ରଶ୍ନ ଉଠୁନାହିଁ । ମୁଁ ଏଇ ଆଦିବାସୀ ଝିଅ କାପୁରାକୁ, ବିବାହ କରି ଏ ଗାଁରେ ରହିବି । ଫୁଲମନିକୁ ବୁଝାଇ ସୁଝାଇ ଆଉ କାହା ହାତରେ ଛନ୍ଦି ଦେବା ।”

 

କେଶବର କଥାରେ ଦୀର୍ଘନିଃଶ୍ଵାସ ପକାଇଲା ପଞ୍ଚୁ ଦାସ । କହିଲା–‘‘ତୁ କ’ଣ ଗାଁ ଭିତରକୁ ଯିବୁ ? ରହିବୁ କେଉଁଠି ? ତୋତେ ଝୁରି ଝୁରି ବର୍ଷକ ତଳେ ତୋ ବୋଉ ମରିଯିବା ପରେ–ସେ ଘର ଖଣ୍ଡକୁ ମନେଇ ଦାସ ଦଖଲକରି ନେଇଛି । ଗାଁ ବାଲାଙ୍କୁ କହିଲା–କେଶବର ବୋଉ ଚଳିବା ପାଇଁ ମୋଠାରୁ ହାତ ଉଧାରି ଦୁଇଶହ ଟଙ୍କା ନେଇଥିଲା । ତା’, ବଦଳରେ ମୁଁ ଘର ଖଣ୍ଡଟା ନେଉଛି ।”

ପଞ୍ଚୁ ଦାସର କଥାରେ ମୁଣ୍ଡଟେକି ଶ୍ରୀପର୍ବତ ଆଡ଼େ ଚାହିଁଲା କେଶବ । ଶ୍ରୀପର୍ବତର ଶିଖର ଦେଶରୁ ଅନ୍ଧାର ଜମାଟ ବାନ୍ଧି ଆସୁଛି । ଯଜ୍ଞ କୁଣ୍ଡର ଧୂମକୁଣ୍ଡଳୀରେ ସନ୍ନ୍ୟାସୀଙ୍କ ମୁହଁ ଲୁଚିଗଲା ପରି ଝାପ୍‌ସା ଅନ୍ଧାରରେ ଲୁଚିଯାଉଛି ପଦ୍ମକେଶରୀପୁର ଗ୍ରାମ । ଏ ଗ୍ରାମ ନୂଆ ନୂଆ ଲାଗୁଛି ଆଦିବାସୀ ବାଳିକା କାପୁରାକୁ । ନୂଆବାବୁର ପଛରେ ଠିଆହୋଇ ସେ ଖାଲି ଶୁଣିବାରେ ଲାଗିଛି ଆଲୋଚନା ନୀରବରେ ।

ଏମିତି କଥାବାର୍ତ୍ତା ହେଉ ହେଉ ଗାଁ ଆଡ଼େ ମୁହାଁଇଲା କେଶବ, ପଞ୍ଚୁ, ଏବଂ କାପୁରା ସହିତ । ଅଳ୍ପ ବାଟ ସେମାନେ ଆଗେଇଛନ୍ତି କି ନାହିଁ–ଠିକ୍ ଗାଁ ମୁଣ୍ଡରେ ପଞ୍ଚୁ କହିଲା–କେଶବ ! ହେଇ ମନେଇ ଦାଦା ଆସୁଛନ୍ତି । ତାଙ୍କ ସହିତ କଥାବାର୍ତ୍ତା କର ।

ପଞ୍ଚୁ ମୁହଁରୁ କଥା ନ ସରୁଣୁ ଅନ୍ଧାର ଭିତରେ କେଶବ ଦଣ୍ଡବତ ଜଣାଇଲା ମନେଇ ମଉସାଙ୍କୁ । ଆଖି ମେଲାକରି ପାଖକୁ ଲାଗିଆସି କହିଲା ମନେଇ ଦାସ–ତୁ କିଏ ରେ ?

–ମୁଁ କେଶବ ।

–ଆରେ ତୁ ଆଜି ପର୍ଯ୍ୟନ୍ତ କେଉଁଠି ଥିଲୁ ?

–ଦୁର୍ଘଟଣାରେ ପଡ଼ି ସିମୁଳିପାଳରେ ମରି ଯାଇଥାନ୍ତି ମଉସା ! ଶେଷରେ ଭଗବାନଙ୍କ କୃପାରୁ ବଞ୍ଚିଗଲି ।

–“ସାଙ୍ଗରେ ଏ ଟୋକୀଟା କିଏ ?”

–“ଆଦିବାସୀ ଝିଅ କାପୁରା । ମତେ ସେ ବଞ୍ଚାଇ ଦେଲା ସେବାକରି ।”

–“ତାକୁ ସାଙ୍ଗରେ ଧରି ଗାଁକୁ ଆସିଛୁ କାହିଁକି ?”

–“ମୁଁ ତାକୁ ବାହା ହେଇ ଗାଁରେ ରହିବି ମଉସା । ଆସିଛି ତୁମଠାରୁ ସାହାଯ୍ୟ ନେବା ପାଇଁ ।”

–“କ’ଣ କହିଲୁ ! ଆରେ ତୁ ସାପୁଆକେଳା, ଅନ୍ୟ ଜାତିର ଝିଅକୁ ବାହା ହେଇ ଏ ଗାଁରେ ରହିବୁ କେମିତି ? ଏ ଗାଁରେ ଅନ୍ୟ କୋଉ ଜାତିର ଲୋକଙ୍କ ପାଇଁ ସ୍ଥାନ ନାହିଁ । ଆଦିବାସୀ ଟୋକୀକି ବାହା ହେବୁ ତ ଏ ଗାଁ ଛାଡ଼ ।”

–“ମଉସା !!”

–“ଖାଲି ସେତିକି ନୁହେଁରେ କେଶବ । ତୋ ବୋଉ ତ ଘର ଖଣ୍ଡକ ମତେ ବିକି ଦେଇଛି । ଆଉ ତୁ ରହିବୁ କୋଉଠି ? ଏ ଗାଁ ଛାଡ଼ି ଚାଲି ଯା–ଯୋଉଠି ପାରୁଛୁ ସେଇଠି ଟୋକୀକି ଧରି ରହ । କିଏ କାହାକୁ ପଚାରୁଛି ?”

Unknown

–“ମୋ ବାପ ଗୋସବାପର ଭିଟାମାଟି ଛାଡ଼ି ମୁଁ କୋଉଠିକି ଯିବି ମଉସା ! ତୁମେ ପଛେ ଆମ ଘର ଢିଅଟା ନିଅ । କିନ୍ତୁ ମତେ ଜାତିରେ ମିଶାଅ । ମୁଁ ଏ ଝିଅକୁ ବାହାହୋଇ ଏଇ ଗାଁରେ ରହେ ।”

 

–“ଆରେ କି ଅସମ୍ଭବ କଥା କହୁଛୁ କେଶବ । କେଳା ଜାତିର ଝିଅ ପଦ୍ମକେଶରୀପୁରର ଗାଁ ବାହାରକୁ ଯାଇ ପାରିବ ନାହିଁ କିମ୍ବା ଅନ୍ୟ କେଉଁ ଜାତିର ଝିଅ ପଦ୍ମକେଶରୀପୁରକୁ ଆସି ପାରିବ ନାହିଁ । ତୁ ମିଛରେ ଜିଦ୍ କରୁଛୁ କାହିଁକି ? ଯାହା କୋଉ ଯୁଗ କୋଉ କାଳରେ ନାହିଁ–ସେ କଥା ତୁ କହୁଛୁ କେମିତି ?”

 

–“ନିୟମ ତ ଆମରି ଲୋକେ କରିଛନ୍ତି ମଉସା । ଆମେ କ’ଣ ସେ ନିୟମକୁ ଏଡ଼ାଇ ଦେଇ ପାରିବା ନାହିଁ ?”

 

–‘‘ଆରେ କେଶବ, ତୁ ଟୋକା ଟୋକାଳିଆ ଲୋକ ମିଛରେ ଯୁକ୍ତି କରୁଛୁ କାହିଁକି ? ମୁଁ ବଞ୍ଚି ଥାଉଁ ଥାଉଁ ପଦ୍ମକେଶରୀପୁରର କେଳା ସାହିରେ ଏ ଅସମ୍ଭବ କାମ ହୋଇପାରିବ ନାହିଁ ।”

 

–“ମନେଇ ମଉସା !”

 

–“ମୁଁ ଠିକ୍ କହୁଛି କେଶବ ! ତୁ ସେ ଟୋକୀକୁ ନେଇ ଆଉ ଗାଁ ଭିତରକୁ ନଯାଇ ଫେରିଯାଆ । ଗାଁକୁ ଗଲେ କେହି ପିଣ୍ଡା ଉପରକୁ ଉଠାଇ ଦେବେ ନାହିଁ–ଏ ହେଉଛି ମୁଖିଆ ମନେଇ ଦାସର ଆଦେଶ ।”

 

–‘‘ମୋ କଥାର ଟିକେ ବିଚାର କର ମଉସା ।”

 

–‘‘ମିଛରେ ବିରକ୍ତ ନ କରି ଫେରିଯାଆ କେଶବ ।”

 

ଏଥର ରାଗରେ ଅସ୍ଥିର ହୋଇଉଠିଲା ରତନ ଦାସ ପୁଅ କେଶବ । ଢିରାଦେଇ ଠିଆ ହୋଇଥିବା ବାଡ଼ିଟିକୁ ତଳେ କଚାଡ଼ି କହିଲା–“ମନେରଖ ମନେଇ ମଉସା ! ମୁଁ ଏଇ ଗାଁର ପିଲା, ଏଇ ଗାଁର ମଣିଷ । ଏଇ ଗାଁରେ ଆଦିବାସୀ ଝିଅ କାପୁରାକୁ ବିଭା ହେଇ ରହିବି । ଦେଖିବି ତମେ କେମିତି ମତେ ଏ ଗାଁ ମନା କରିଦେବ–ମୋ ଘରକୁ ଦଖଲ କରି ନିଜେ ରହିବ ।”

କେଶବର କଥା ଶୁଣି ହସରେ ଫାଟି ପଡ଼ିଲା ମନେଇ ଦାସ । ଦଦରା ପାଟି ଥରେଇ କହିଲା–“ଆରେ ଯା ଯା କାଲିକା ମେଞ୍ଚଡ଼ ଟୋକା ! ତୁ ମତେ ଧମକ ଦେବୁ କ’ଣ ? ତୋ ଭଳି କେତେ ଟୋକାଙ୍କୁ ମୁଁ ଦେଖିଛି ।” ଏମିତି ଆହୁରି କେତେ କ’ଣ ନିଜର ବଢ଼ିଆଣ ଗପିବାକୁ ଆରମ୍ଭ କରିଦେଲା ମନେଇ ଦାସ । କିନ୍ତୁ କେଶବ ସେ ସବୁ ନ ଶୁଣି–ମୁହଁ ଫେରାଇଲା ପଦ୍ମପୋଖରୀ କୂଳର ବୁଢ଼ା ବରଗଛ ଆଡ଼େ । କହିଲା–“ମୋ ପଛେ ପଛେ ଆ କାପୁରା । ମୁଁ ଏ ବୁଢ଼ା ମନେଇ ଦାସକୁ ଦେଖିନେବି । ତା’ର ସବୁଦିନକୁ ମୋର ଦିନେ ।”

କେଶବ କଥାର ଅର୍ଥ ନ ବୁଝି ନିର୍ବୋଧ ଭଳି ମୁହଁ ବୁଲାଇଲା କାପୁରା । କିନ୍ତୁ ଇତିମଧ୍ୟରେ ସେ ବୁଝିସାରିଥିଲା ଯେ–କେଳା ଜାତିର ଲୋକେ ତାକୁ ଗାଁରେ ବହୂ କରି ଗ୍ରହଣ କରିବାକୁ ନାରାଜ । ତେଣୁ ଆଖିରୁ ଲୁହ ପୋଛୁ ପୋଛୁ କହିଲା ସେ–‘‘ନୂଆବାବୁ ! ମତେ ବାହାହୋଇ ତୁମେ ଗାଁ ଛାଡ଼ିବ କାହିଁକି ! ତୁମେ ସୁଖରେ ଆଉ କାହାକୁ ବାହାହେଇ ଗାଁରେ ରୁହ । ମତେ ବିଦାକରି ଦିଅ ।’’

କାପୁରାର କଥାରେ ଚମକିପଡ଼ିଲା କେଶବ । କହିଲା–“ତୁ ଏ କି କଥା କହୁଛୁ କାପୁରା-? ତତେ ଛାଡ଼ି ମୁଁ ବଞ୍ଚିବି କେମିତି ? ମୋର ସେବା କରିବ କିଏ ? ଭଙ୍ଗା ଗୋଡ଼ରେ ହାତ ବୁଲାଇ ସାନ୍ତ୍ୱନା ଦେବ କିଏ ?”

 

କେଶବର ଅଭିମାନଭରା କଥାରେ ଭାଙ୍ଗିପଡ଼ିଲା କାପୁରା, କହିଲା–‘‘ନାଇଁ ନୂଆବାବୁ ! ତୁମକୁ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁ । ତୁମରି ସହିତ ହିଁ ସାର ଜୀବନ ରହିବି ଏଇ ଗାଁରେ ।”

 

ଆଶ୍ଵସ୍ତ ହେଲା କେଶବ । ବାଡ଼ି ଢିରା ଦେଇ ଠୁକୁ ଠୁକ ଚାଲିଲା ପଦ୍ମପୋଖରୀ ଆଡ଼େ, ପଛେ ପଛେ ନୀରବରେ ଚାଲିଥାଏ କାପୁରା । ଠିକ୍ ପଦ୍ମପୋଖରୀ ନିକଟରେ ପହଞ୍ଚିବା ପରେ କେଶବ ମୁହାଁଇଲା ବୁଢ଼ା ବରଗଛ ମୂଳକୁ । ସେମିତି ପଛେ ପଛେ ଅନୁଗତ ବ୍ୟକ୍ତି ଭଳି ଚାଲିଥାଏ କାପୁରା । ବରମୂଳେ ପହଞ୍ଚିବା ପରେ କେଶବ ବାଡ଼ିଟାକୁ ଆଉଜାଇଦେଲା । ଗଛ ମୂଳରେ ଏବଂ ଦୀର୍ଘନିଃଶ୍ଵାସ ପକାଇ ନଥ୍‍କରି ବସିପଡ଼ିଲା ଗଛର ଗୋଟିଏ ବଡ଼ ଚେର ଉପରେ । ଠିଆହୋଇ ବୋକୀ ପରି ଚାହିଁଥିଲା କାପୁରା । ରାତି ଗଭୀର ହୋଇସାରିଥାଏ । ବର୍ଷା ଦିନିଆଁ ପବନରେ ଗଛର ପତ୍ରଗୁଡ଼ାକ କଥା କହିବା ପରି ହେଉଥାନ୍ତି ଟୁପୁରୁଟାପର । ପଦ୍ମପୋଖରୀ ହୁଡ଼ା ଉପରେ ପହରକିଆ ଶିଆଳ ଭୁକିବାକୁ ଆରମ୍ଭ କରିଦେଲେ, ତାଙ୍କ ସହିତ ସ୍ଵର ମିଳାଇ ପଦ୍ମକେଶରୀପୁର ଗାଁ ଭିତରୁ ଡାକ ଦେଲେ କୁକୁର ଦଳ । ଏତିକିବେଳେ ବୁଢ଼ା ବରଗଛର ପତ୍ର ସନ୍ଧିରେ ଛପିଥିବା ପେଚାଟାଏ ମଧ୍ୟ ଡାକ ଦେବାକୁ ଆରମ୍ଭ କରିଦେଲା । ଏସବୁ ବିଚିତ୍ର ରବରେ ଏକରକମ ଡରିଗଲା କାପୁରା । କହିଲା–ନୂଆବାବୁ ! ଆଜି ରାତିରେ କ’ଣ ଏଇ ଗଛମୂଳେ ରହିବା ? ଖାଇବା କ’ଣ ?

 

ହସିଲା କେଶବ । କହିଲା–‘‘କାପୁରା ! ତୁ ପରା କହିଛୁ ଜୀବନସାରା ମୋ ସହିତ ରହିବୁ ? ତେବେ ଡରୁଛୁ କାହିଁକି ? ଆମେ କେଳା ଲୋକ, ଆମର ଘର ହେଉଛି ଏମିତି ଗାଁ ମୁଣ୍ଡ ଗଛମୂଳ । ଯେଉଁଦିନ ଯାହା ମିଳିଲା–ତା’ ହେଉଛି ଆମର ଖାଦ୍ୟ । ତୁ ଯେତେବେଳେ ମୋ ସହିତ ରହି କେଲୁଣୀ ହେଇ ସାରିଛୁ–ସେତେବେଳେ ଏଇ ଗଛମୂଳେ ଜୀବନସାରା ରହିବୁ, ଓପାସ ଭୋକରେ ଦିନ କାଟିବୁ । ଆଉ ଭଲ ରହିବା, ଘର, ଖାଇବା ଜିନିଷ ଖୋଜିଲେ ଚଳିବ କେମିତି ?”

 

କେଶବ ପାଖକୁଲାଗି ବସି ପଡ଼ୁ ପଡ଼ୁ କହିଲା କାପୁରା–‘‘ମୁଁ ସବୁ ପାରିବି ନୂଆବାବୁ । ତୁମ ସହିତ ଗଛମୂଳେ ରହିପାରିବି, ଏ ବରଫଳ ଖାଇ ଦିନ କାଟିପାରିବି । ମୁଁ ପରା ପାହାଡ଼ୀ ଝିଅ-। ବର୍ଷା ଝଡ଼ି, ଭୋକ ଉପବାସ ମୋତେ ବାଧିବ ନାହିଁ । ତୁମେ କେବଳ ଭଲରେ ରୁହ–ଏତିକି ମୁଁ ଚାହେଁ ।”

 

କାପୁରାର କଥାରେ ଆହୁରି ହସିଲା କେଶବ । ତା’ ହସରେ ସତେଯେମିତି ପୂର୍ଣ୍ଣଚ୍ଛେଦ ନଥିଲା । ଏତିକିବେଳେ ଲକ୍ଷ୍ୟକଲା କାପୁରା–କେହି ଜଣେ ଦୂରରୁ ଆସୁଛି । ଅନ୍ଧାର ଭିତରେ ଦିଶୁଛି ସତେ ଅବା ବଣୁଆ ଜନ୍ତୁଟାଏ ମାଡ଼ି ଆସୁଛି ବରମୂଳ ଆଡ଼େ । ଡରିଯାଇ କହିଲା କାପୁରା–ନୂଆବାବୁ ! ହେଇ ଦେଖ ଅନ୍ଧାର ଭିତରୁ କେହି ଜଣେ ତୁମ ଆଡ଼େ ଆସୁଛି । କାପୁରାର କଥା ଶୁଣି ଡେରିଦେଇଥିବା ବାଡ଼ିଟାକୁ ମୁଠାଇ ଧଇଲା କେଶବ–କହିଲା–‘‘ଡରନାହିଁ କାପୁରା । ଆସୁ କିଏ ଆସୁଛି । ତୁ ତ ବର୍ଷ ବର୍ଷ ଧରି ବଣ ପାହାଡ଼ର ଅନ୍ଧାର ଭିତରେ ମଣିଷ ହେଇଛୁ, ଡରୁଛୁ କାହିଁକି ?” କେଶବର ଭରସା ପାଇ ଅଣ୍ଟାଭିଡ଼ି ଠିଆହେଲା କାପୁରା ।

 

ଧୋବ ସର ସର ସଜୀବ ଜନ୍ତୁଟା ଆହୁରି ନିକଟକୁ ଲାଗି ଆସିଲା । ବଡ଼ ବଡ଼ ଆଖିରେ ଗହୀରେଇ ଚାହିଁଥାଏ କେଶବ । କିଏ ? ପିଶାଚୁଣୀ ? ମୋର ଆଦରର ବୋଉ ! ମୁଖିଆ ମନେଇ ଦାସ ? ଏଥର ଚିହିଁକି ଉଠିଲା କେଶବ । ପାଟିକଲା ଜୋର କରି……. କିଏ ? କିଏ ଆସୁଛି ?

 

ଉତ୍ତର ନାହିଁ ତଥାପି । ଉତ୍ତେଜନାରେ ଠିଆହୋଇ ପଡ଼ିଲା କେଶବ–କିଏ…କିଏ ?

 

କିନ୍ତୁ କେଶବର ଠେଙ୍ଗାଆଡ଼େ ଦୃଷ୍ଟି ନଦେଇ ଗୋଡ଼ ତଳେ ପଡ଼ି କଇଁ କଇଁ ହୋଇ କାନ୍ଦିଉଠିଲା ସ୍ତ୍ରୀଲୋକଟିଏ ! ବିଚିତ୍ର ଅନୁଭୂତିରେ ପାଦେ ପଛକୁ ଘୁଞ୍ଚିଗଲା କେଶବ–ପାଟିକଲା ଶକ୍ତି ଖଟେଇ–“କିଏ ? କିଏ ତୁ ?”

 

–“ମତେ ଚିହ୍ନିପାରୁନାହଁ କେଶବାଇ ?”

 

–“କିଏ ଫୁଲମନି ?’’

 

ଉତ୍ତର ନଦେଇ କଇଁ କଇଁ କାନ୍ଦୁଥିଲା ସ୍ତ୍ରୀଲୋକଟି ।

 

–‘‘ଫୁଲମନି ?”

 

–“ହଁ କେଶବାଇ ! ମୁଁ ଫୁଲମନି ।”

 

ବିମୁଗ୍ଧ କେଶବ ମୁହୂର୍ତ୍ତକ ମଧ୍ୟରେ ଫୁଲମନିକୁ ଟେକିନେଲା ନିଜ ଛାତି ଉପରକୁ, କହୁଥିଲା ସେ–“ମୁଁ ସବୁ ପଞ୍ଚୁ ଭାଇଠାରୁ ଶୁଣିଛି ଲୋ ଫୁଲ । ତୁ ଦୁଃଖ କରନାହିଁ । ତୋ କେଶବାଇ ବଞ୍ଚିଛି, ସେ ସୁଣି ତତେ ହାତକୁ ଦିହାତ କରିଦେବ ! ତୋ ଦୁଃଖ ଦୂର ହେବ ।”

 

–‘‘କେଶବାଇ !’’

 

–‘‘ହଁ ଫୁଲ ମୁଁ ବଞ୍ଚିଛି । ଏଇ ସାନ୍ତାଳୀ ଝିଅ କାପୁରା ମତେ ବଞ୍ଚେଇ ରଖିଛି । ତେଣୁ ତାକୁ ବାହାହେବି ବୋଲି ମୁଁ କଥାଦେଇଛି । ତୁ ଦୁଃଖ କର ନାହିଁ ଫୁଲ । କାପୁରା ମୋର ସ୍ତ୍ରୀ ହେବ, ସାପୁଆକେଳାଙ୍କର ରକ୍ଷଣଶୀଳ ସମାଜକୁ ଭାଙ୍ଗି ମୁଁ ଅନ୍ୟ ଜାତିର ଝିଅକୁ ବିବାହ କରିବି । କିନ୍ତୁ ସବୁଦିନ ତୁ ରହିବୁ ମୋର ଭଉଣୀ ହୋଇ ।”

 

–“ମୋ କଥା ତୁମେ ଚିନ୍ତାକର ନାହିଁ କେଶବାଇ । ମୁଁ ହତଭାଗିନୀ । ତୁମକୁ ଶିମୁଳିପାଳ ପଠାଇ ହରାଇଥିଲି, ଗେରସ୍ତକୁ ବିଦେଶ ପଠାଇ ମାରିଲି । ମୁଁ ଅଲକ୍ଷଣୀ କେଳା ଝିଅ । ମୋର ବଞ୍ଚିବା ଦରକାର ନାହିଁ, ତୁମେ ଭଲରେ ବଞ୍ଚିରୁହ, ଏଇଆ ମୁଁ ଚାହେଁ ।”

 

–“ଫୁଲମନି !”

 

–“କେଶବାଇ !”

 

–“ମୋ କଥା ତୁ କେମିତି କାହାଠାରୁ ଶୁଣିଲୁ ଫୁଲମନି ?’’

 

–“ପଞ୍ଚୁ ଭାଇ ମତେ ସବୁ କହିଲା କେଶବାଇ । ତମ ପାଖରୁ ଫେରି ମନେଇ ଦାସ ଜାତିଆଣ ସଭା ଡାକିଛି ।”

 

–‘‘ସେଇଟା ମଣିଷ ନୁହେଁ ଲୋ ଫୁଲ, କେଳା ଜାତିର କଳଙ୍କ । ସେ ମୋର ଘର ଦଖଲ କରିନେଇଛି–ମୁଁ ତା’ ରକ୍ତ ପିଇବି ।”

 

–“ଛି କେଶବାଇ ! ଏ ତୁମେ କ’ଣ କହୁଛ ? ତୁମେ ପରା କହୁଥିଲ ଯେ ଆମେ ପଦ୍ମପୋଖରୀ ହୁଡ଼ାରେ ତିଆରି ହେଉଥିବା ନୂଆଘରେ ରହିବା–ଆଜି ପୁଣି ଗାଁ ଘର ପାଇଁ ତୁମ ମନରେ ଏତେ ମୋହ କାହିଁକି ? ନେଉ ସେ ଘରଟାକୁ । ଆମେ ତା’ର ଆଖି ଆଗରେ ଏହି ହୁଡ଼ା ଉପରେ ନୂଆ ଘରେ ରହିବା ।”

 

–“ଫୁଲମନି ?”

 

–“ସକାଳ ପହରୁ କିଛି ଖାଇନଥିବ, ମୁଠିଏ ଖାଇଦିଅ କେଶବାଇ ।” ହସିଲା କେଶବ, କହିଲା–‘ଏ ବୁଢ଼ା ବରମୂଳେ କ’ଣ ଖାଇବି ଫୁଲ ? ଭୋକରୁ ପେଟେ ଖାଇ ମୁଁ ଏବଂ କାପୁରା ଶୋଇ ପଡ଼ୁଛୁ । ସକାଳୁ ମନେଇ ଦାସ ସହିତ ମୁକାବିଲା ହେବ । ତା’ପରେ ଯାଇ ଖିଆ ପିଆ ।’

 

କାନ୍ଦି ଉଠିଲା ଫୁଲମନି, କହିଲା–‘‘କେଶବାଇ ! ଆଉ ତା’ହେଲେ ମୁଁ ତୁମର ନିଜର ନୁହେଁ ? ମୋ କଥା ତୁମେ ରଖିବ ନାହିଁ ?”

 

–“ଫୁଲ?” ଚମିକିଲା ପରି କହିଲା କେଶବ ।

 

–“ହଁ କେଶବାଇ ! ମତେ ଛୁଇଁ ଶପଥ କର, ତୁମେ ମନେଇ ଦାସ ସହିତ କଳି କରିବ ନାହିଁ । ସେ ଗାଁର କେତେକ ଟୋକାଙ୍କୁ ଧରି ବ୍ୟୋମକେଶ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଦଳ କରିଛି । ସେ ଦଳଟାକୁ ତୁମ ପଛରେ ଲଗାଇ ଦେଇପାରେ । ତେଣୁ ତୁମେ ସମୟକୁ ଅପେକ୍ଷା କର । ବଳେ ବଳେ ସବୁ ସମସ୍ୟାର ସମାଧାନ ହୋଇଯିବ । ଭାଉଜ କାପୁରାକୁ ନେଇ, ତୁମେ ଏଇ ଗାଁର ପଦ୍ମପୋଖରୀ ହୁଡ଼ାର ନୂଆ ଘରେ ରହିବ । ମୁଁ ତୁମରି ପାଖରେ ରହି ଘର କାମ କରିବି ।”

 

–“ଫୁଲମନି ?”

 

–“ଆସ କେଶବାଇ ! ମୁଠେ ପଖାଳ ଖାଇଦିଅ ।”

 

–‘ପଖାଳ ?’ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା କେଶବ ।

 

–“ହଁ କେଶବାଇ ! ପଞ୍ଚୁ ଭାଇଠାରୁ ଶୁଣିବା ପରେ ମୁଁ ସବୁକଥା ଅନୁମାନ କରିନେଲି । ତୁମେ ଯେ ଗାଁ ମୁଣ୍ଡରୁ ପୁଣି ଏ ବର ମୂଳକୁ ଫେରି ଆସିଛ–ସେ କଥା ଜାଣିଲି । ଆଉ ମତେ ଅଜଣା କ’ଣ ରହିଲା ? ଅନୁମାନ କରିନେଲି–ତୁମେ ସକାଳୁ କିଛି ଖାଇ ନଥିବ । ନ ଖାଇ ନ ପିଇ ଗାଁକୁ ଧାଇଁଥିବ । କିନ୍ତୁ ଗାଁରେ ମନେଇ ଦାସର କଥାରେ ଛାତି ଫାଟି ଯାଇଥିବ । ସେଥିପାଇଁ ମୁଁ କଂସାରେ କଂସାଏ ପଖାଳ ଏବଂ ପୁଳାଏ ଆଳୁ ଭଜା ଧରି ଆସିଛି କେଶବାଇ ! ସେତକ ଖାଇ ନିଅ–ଭାଉଜ କାପରାକୁ ମୁଠାଏ ଦିଅ । ତା’ପରେ ଧୀର ସ୍ଥିରରେ ବସି ମୋ କଥାର ବିଚାର କର କେଶବାଇ ।”

 

ଗଦ୍‌ଗଦ୍ କଣ୍ଠରେ କହିଉଠିଲା କେଶବ–‘‘ଫୁଲମନି ! ଜୀବନ ସାରା ମୁଁ ତୋ ନିକଟରେ ଋଣୀ ହେଇ ରହିଗଲି, ପ୍ରତିଦାନରେ ତତେ କିଛି‌ ଦେଇପାରିଲି ନାହିଁ ।”

 

କେଶବର କଥାଆଡ଼େ କାନ ନ ଦେଇ କାପୁରାର ହାତ ଧରି‌ ଟାଣିଲା ଫୁଲମନି, କହିଲା–“ନୂଆ ଭାଉଜ ! ଆଉ କଥା ନ କହି ଚୁପ୍ ହେଇ ବସିଛ କାହିଁକି ? କେଶବାଇକୁ ଖାଇବା ପାଇଁ ଦିଅ ।”

ପରଦିନ ସକାଳୁ ବାଡ଼ି ଢିରା ଦେଇ ପଦ୍ମପୋଖରୀ ହୁଡ଼ା ଉପରେ ଠିଆହୋଇ ଶ୍ରୀପର୍ବତର ଚୂଡ଼ା ଆଡ଼େ ଚାହିଁଲା କେଶବ । ଲୋହିତ ସୂର୍ଯ୍ୟ କିରଣରେ ଆଲୋକିତ ହେଉଛି ସେ–ଅତୀତକୁ ମୁଣ୍ଡରେ ବହି । ବିମୁଗ୍ଧ ହେଲା କେଶବ ପର୍ବତର ଶୋଭାରେ । ଚାହିଁଲା ପୁଣି ନବ ନିର୍ମିତ ଗୃହ ଆଡ଼େ । ପଦ୍ମପୋଖରୀ ହୁଡ଼ାର ଭାଗ୍ୟ ଫେରୁଛି । ନୂଆହୋଇ ଜନ୍ମ ନେଉଛି ପଟିଆର ପଦ୍ମପୋଖରୀ ଅତୀତ ଇତିହାସକୁ ମୁଣ୍ଡରେ ବହି । ଏଇ ନବନିର୍ମିତ ଗୃହ ହିଁ ଭାଗ୍ୟ ଫେରାଇବ ଯାଯାବର, କେଳା ସମ୍ପ୍ରଦାୟର । ସେମାନେ ସ୍ଥାୟୀ ବାସିନ୍ଦା ହେବେ ଯୁଗ ଯୁଗ ପରେ । ଆଗାମୀ ଯୁଗରେ ଗଉଡ଼ିଆ କେଳାଙ୍କ ବଂଶଧର କହିବେ–ଆମେ ଏ ମାଟିର ମଣିଷ, ଯାଯାବର ନୋହୁଁ, ସ୍ଥାୟୀ ବାସିନ୍ଦା ।

ଏତିକିବେଳେ ହୁଡ଼ାର ଆରକଡ଼ରୁ ଉଠି ଆସିଲେ ଯୁବକ ନେତା ବ୍ୟୋମକେଶ ଆଚାର୍ଯ୍ୟ । ତାଙ୍କୁ ଦେଖିପକାଇ ବିନମ୍ର ପ୍ରଣତି ଜଣାଇଲା କେଶବ । ଆଶ୍ଚର୍ଯ୍ୟ ହୋଇ ବ୍ୟୋମକେଶ ବାବୁ କହିଲେ–କିହୋ‌ କେଶବ, ତୁମେ ଆଜିଯାଏ ଥିଲ କେଉଁଠି ? ତୁମକୁ ଖୋଜି ଖୋଜି ମୁଁ ହତାଶ ହେଲି । ଶେଷରେ ଅନ୍ୟମାନଙ୍କୁ ଧରି ଗୃହହୀନଙ୍କ ପାଇଁ ଗୃହ ଯୋଗାଣ ଯୋଜନା ଆରମ୍ଭ କଲି । ଯାହା ହେଉ କାମ ଆଗେଇ ଚାଲିଛି । ତଥାପି ତୁମ ଗାଁର ମୁଖିଆ ମନେଇ ଦାସ ମୋର ବିରୋଧ କରି ଚାଲିଛି । ତାକୁ କେମିତ ଉପଯୁକ୍ତ ଜବାବ, ଦେବି–ସେହି ଚିନ୍ତାରେ ଅଛି ମୁଁ ।”

ମୁଣ୍ଡ ହଲେଇ ବ୍ୟୋମକେଶଙ୍କ କଥାର ସମର୍ଥନ କରୁ କରୁ କେଶବ କହିଲା–“ବାବୁ ! ସାପ ଧରିବାକୁ ଯାଇ ଶିମିଳପାଳ ଜଙ୍ଗଲରେ ମୁଁ ଦୁର୍ଘଟଣାର ସମ୍ମୁଖୀନ ହେଲି, ମରି ଯାଇଥାନ୍ତି । ସେ ବିପଦରୁ ମୋତେ ବଞ୍ଚାଇ ରଖିଲା ଆଦିବାସୀ ସାନ୍ତାଳୀ ଝିଅ କାପୁରା ।”

 

ସେତେବେଳକୁ କାପୁରା ପଦ୍ମପୋଖରୀ ହୁଡ଼ାରେ ପହଞ୍ଚି ଚାରିଆଡ଼ ଦେଖି ନେଉ ନେଉ ଖିଲି ଖିଲି ହସୁଥିଲା । ବ୍ୟୋମକେଶ ଆଙ୍ଗୁଳି ଦେଖାଇ କହିଲେ–ଏଇ କ’ଣ ସାନ୍ତାଳୀ ଝିଅ କାପୁରା ? କେଶବ କହିଲା–ହଁ ବାବୁ ! ସେଇ ମୋର ପ୍ରାଣଦାତ୍ରୀ କାପୁରା । ଟିକେ ସୁସ୍ଥ ହେବାପରେ ତାକୁ ସାଙ୍ଗରେ ଧରି ଆସିଥିଲି ବାହାହୋଇ ସୁଖରେ ରହିବା ପାଇଁ, କିନ୍ତୁ ଗାଁରେ ଆସି ଗୋଡ଼ ଦେବା କ୍ଷଣି ମନେଇ ମଉସା ପ୍ରତିବାଦ କଲା, ମୋତେ ଗାଁରୁ ତଡ଼ିଦେଲା । କହିଲା–ସାପୁଆକେଳା ବସ୍ତିରେ ଅନ୍ୟ ଜାତିର ଝିଅ ରହିପାରିବେ ନାହିଁ । ତୁ ଏ ଗାଁ ଛାଡ଼ି ଚାଲିଯାଆ, ତେଣୁ କ’ଣ କରିବି ସେଇ କଥା ଭାବୁଛି । ଗତକାଲି ରାତିଟା ଏଇ ବରମୂଳେ କଟି ଯାଇଛି ।

 

ରାଗି ଉଠି କହିଲେ ବ୍ୟୋମକେଶ, ମନେଇ ଦାସର ସାହସ ଦିନକୁ ଦିନ ବଢ଼ିବାରେ ଲାଗିଛି କେଶବ । ତାକୁ ଉପଯୁକ୍ତ ଜବାବ ଦିଆଯିବ, ତୁମେ ଚିନ୍ତା କର ନାହିଁ । ଏ ନୂଆ ଘର ଖୁବ୍ ଅଳ୍ପ ଦିନରେ ଶେଷ ହୋଇଯିବ । ସେ ଘରରୁ ଗୋଟିଏ ରହିବ ତୁମ ପାଇଁ, ଠିକ୍ ମୋ ଘରକୁ ଲାଗି-

 

–‘‘ବାବୁ ! ମୋ ଉପରେ ତା’ହେଲେ ଦୟା କରିବେ ?’’

 

ହସି ହସି ସାହସ ଦେଇ କହିଲେ ବ୍ୟୋମକେଶ–‘‘କଛି ଚିନ୍ତା କରନାହିଁ କେଶବ ! ମୁଁ ଗୋଟାଏ ଫାର୍ଶା ପଠାଇଦେଉଛି । ସେଥିରେ ବରଡାଳ କାଟି ଗଛ ମୂଳରେ ଖଣ୍ଡେ କୁଡ଼ିଆ କର । କାପୁରାକୁ ଧରି ଆନନ୍ଦରେ ରୁହ ଘର ତିଆରି ଶେଷ ପର୍ଯ୍ୟନ୍ତ, ନୂଆ ଘରେ କାମ କରିବା ପାଇଁ କାପୁରାକୁ ପଠାଅ, ଆଉ ଅସୁବିଧା ହେବ ନାହିଁ ।’’

 

ବ୍ୟୋମକେଶଙ୍କ କଥାରେ ପରିତୃପ୍ତିର ହସ ହସିଲା କେଶବ । ତା’ ମନରେ ଆଶା ପକ୍ଷ ବିସ୍ତାର କଲା । ଉଡ଼ିଲା ସେ ପଦ୍ମପୋଖରୀ ହୁଡ଼ାରୁ ଶ୍ରୀପର୍ବତର ଶିଖର ଯାଏ ।

 

ବାଟ ଭାଙ୍ଗି ଚାଲିଗଲେ ବ୍ୟୋମକେଶ ନବନିର୍ମିତ ଗୃହ ଆଡ଼େ ।

 

ବାଡ଼ିଟାକୁ ତଳେ ଘଷି ଗାର ଟାଣିଲା କେଶବ । ଏମିତି ସମୟରେ କାପୁରା ପଛ ପାଖରେ ଠିଆ ହୋଇଯାଇ କହିଲା–ନୂଆବାବୁ ! ତୁମ ଗାଁ ଖୁବ୍ ସୁନ୍ଦର, ତୁମ ପୋଖରୀ, ତୁମ ଧାନ ବିଲ ଖୁବ୍ ସୁନ୍ଦର ।

 

ହସିଲା କେଶବ । କହିଲା–ହଁ ସବୁ ସୁନ୍ଦର କାପୁରା ! ଏ ସୌନ୍ଦର୍ଯ୍ୟର ପସରା ଭିତରେ ମନେଇ ଦାସ ପରି କେତୋଟି ଅସୁନ୍ଦର ଦାଗ ମଧ୍ୟ ରହିଛି । ସେଇ ଅସୁନ୍ଦର ମଣିଷମାନେ ଏ ସମାଜରୁ ଦୂରେଇଗଲେ ଆଉ ଅସୁନ୍ଦର ବୋଲି କଛି ନାହିଁ–ସବୁ ସୁନ୍ଦର–ସବୁ ଶୋଭନୀୟ ।

 

କେଶବର କଥା ଶେଷ ବେଳକୁ ହୁଡ଼ାରେ ଠିଆହୋଇ ପୋଖରୀର ପାଣିରେ ନିଜ ପ୍ରତିବିମ୍ବ ଦେଖୁଥିଲା କାପୁରା । ପଛରୁ ଡାକିଲା ଫୁଲମନି–ଏ ନୂଆ ଭାଉଜ ! କେଶବାଇଙ୍କି ଧରି ଏଠି କ’ଣ କରୁଛ ?

 

ମୁହଁବୁଲାଇ ଚାହିଁଲା କାପୁରା ପଛରୁ ହୁରି ପକାଉଛି ଫୁଲମନି । ଗତ ରାତିରେ ସେ ଫୁଲମନିର ଚେହେରା ଅନ୍ଧାର ଭିତରେ ଭଲକରି ଠଉରାଇ ପାରି ନଥିଲା । ଆଜି ଦିନର ଆଲୁଅରେ ଦେଖି ପକାଇ ତଟସ୍ଥ ହୋଇଗଲା । କେଡ଼େ ସୁନ୍ଦର ଫୁଲମନି ! ନୂଆବାବୁ ତାକୁ ଛାଡ଼ି ମତେ ବାହାହେବେ କାହିଁକି ? କିନ୍ତୁ କାପୁରାକୁ ଚିନ୍ତା କରିବା ପାଇଁ ସମୟ ନ ଦେଇ କହିଲା ଫୁଲମନି–ନୂଆ ଭାଉଜ ! ତୁମେ ପରା କେଶବାଇଙ୍କି ବାହାହବ, ଏଇ ନୂଆ ଘରେ ରହିବ ? ନଖାଇ ନ ପିଇ ବାହା ହବ କେମିତି ? କେଶବାଇଙ୍କର ତ ଗୋଡ଼ ଭାଙ୍ଗି ଯାଇଛି, ସେ କାମ କରିପାରିବେ ନାହିଁ । ଏଣେ ମୋ ଗେରସ୍ତ ମରିଛି । ପଦାକୁ ନ ବାହାରିଲେ ମୋ ପେଟ ଅପୋଷା-। ଆସ ଆମେ ଦୁଇଜଣ ଏଇ ନୂଆ ଘରେ କାନତରାଟି ପାଖରେ କାମ କରିବା, ପଇସା ଆଣିବା-। ଆଉ ଅଭାବ ରହିବ ନାହିଁ । ତୁମେ କେଶବାଇଙ୍କୁ ବାହାହେଇ ସୁଖରେ ରହିବ ।

 

ଫୁଲମନିର କଥାରେ ଖୁସି ହେଇଗଲା କାପୁରା । କହିଲା–ହଁମ.. ଫୁଲ । ମୁଁ ଆଦିବାସୀ ଝିଅ, କ’ଣ କାମକୁ ଡରିଛି ! ଚାଲ ଆଜିଠାରୁ କାମ ଆରମ୍ଭ କରିଦେବା । କହୁ କହୁ ଅଣ୍ଟାରେ ଛୋଟ ଲୁଗାଟିକୁ ଭିଡ଼ି ଠିଆହେଲା କାପୁରା ।

 

ସେତେବେଳେ ନବନିର୍ମିତ ଗୃହର କାମ ଦେଖି ପୁଣି ଫେରି ଆସୁଥିଲେ ବ୍ୟୋମକେଶ ଆଚାର୍ଯ୍ୟ । ପଦ୍ମପୋଖରୀ ହୁଡ଼ାରେ ଫୁଲମନିକୁ ଦେଖିପକାଇ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଗଲେ ସେ–ତାଙ୍କ ମନରେ ନରମ ଶିହରଣ ଖେଳିଗଳା ଫୁଲମନିର ରୂପ ଦେଖି । ଆହା….କେଡ଼େ ସୁନ୍ଦର କେଳା ଝିଅ ଫୁଲମନି । ତଥାକଥିତ ବ୍ରାହ୍ମଣ କରଣ ଘରର ଝିଅ ମଧ୍ୟ ଫୁଲମନିର ରୂପ ନିକଟରେ ମଳିନ । କିନ୍ତୁ ତା’ ଭାଗ୍ୟ ପୁଣି ଏତେ ମନ୍ଦ ? ଭଗବାନଙ୍କର କାହିଁକ ଏ ବିଡ଼ମ୍ବନା ?

 

ଚମକିପଡ଼ିଲେ ବ୍ୟୋମକେଶବାବୁ ନିଜର ଚିନ୍ତାରେ । ସେ ସାମ୍ୟବାଦୀ । ତାଙ୍କ ନିକଟରେ ଭଗବାନ ନିଷ୍କ୍ରିୟ । ନିଜ ହାତରେ ନିଜର ଭାଗ୍ୟ । ନିଜେ ଇଚ୍ଛାକଲେ ସେହି ଭାଗ୍ୟକୁ ପୁଣି ଫେରାଇ ଆଣିହେବ–ନୂଆକରି ଗଢ଼ି ଦେବ । ଫୁଲମନି ପରି ପ୍ରସ୍ଫୁଟିତ କୁସୁମ ନିଜକୁ ତିଳ ତିଳ ନଷ୍ଟ କରି ଶେଷ ହୋଇଯିବ କାହିଁକି !

 

ମୁହଁ ଖୋଲିଲେ ବ୍ୟୋମକେଶ ବାବୁ–‘‘ଫୁଲମନି ! ତୁମମାନଙ୍କ ପାଇଁ ନୂଆ ଘର ତିଆରି ହେଉଛି, ତୁମେ ଶ୍ରମିକ, ଯାଅ କାମ କରି ପଇସା ନିଅ । ନିଜ ଘର ନିଜେ ଭଲକରି ତିଆରି କର ।” ଫୁଲମନି କହିଲା–‘‘ହଁ ବାବୁ, ନୂଆ ଭାଉଜ କାପୁରା ଏବଂ ମୁଁ ଆଜିଠାରୁ କାମକୁ ଯିବୁ । ନିଜ ଘର ନିଜେ ତିଆରି କରିବୁ । ଆମକୁ ଭଲଘର ମିଳିବ ତ ବାବୁ ?”

 

–“ମିଳିବ, ମିଳିବ ଫୁଲମନି, ତୁମଭଳି ଗୃହହୀନ ଅଭାବୀ ଲୋକଙ୍କୁ ଘର ମିଳିବ ନାହିଁ ତ ଆଉ ମିଳିବ କାହାକୁ ?”

 

ବ୍ୟୋମକେଶଙ୍କ କଥାରେ ଉତ୍ସାହିତ ହୋଇ ଫୁଲମନିର ହାତଧରି ଟାଣି ଟାଣି ନୂଆ ଘରଆଡ଼େ ଦୌଡ଼ିବାରେ ଲାଗିଲା କାପୁରା । ଅପଲକ ନେତ୍ରରେ ସେ ଆଡ଼କୁ ଚାହିଁଥିଲେ ବ୍ୟୋମକେଶବାବୁ । ତାଙ୍କ ଆଖିରେ ସେମାନେ ଦିଶୁଥିଲେ ସ୍ଵର୍ଗର ପରୀ ଭଳି ।

 

ବୋଧହୁଏ ବ୍ୟୋମକେଶଙ୍କ ଯୁବକ ମନରେ ସେମାନେ ସୃଷ୍ଟି କରିଥିଲେ ଯୌବନର ମାୟା । ବିମୋହିତ ହେଉଥିଲେ ବ୍ୟୋମକେଶ ପରିପୂର୍ଣ୍ଣ ମାଂସାଳ ଯୌବନର ଅହେତୁକୀ ଆତ୍ମପ୍ରକାଶରେ । ନାଚୁଥିଲେ ସେମାନେ ବ୍ୟୋମକେଶଙ୍କ ଆଖି ଆଗରେ ଅପୂର୍ବ ସୁଷମାର ଭଣ୍ଡାର ହୋଇ ।

 

ଆଗକୁ ପାଦ ବଢ଼ାଇଲେ ବ୍ୟୋମକେଶ । ତାଙ୍କର ପ୍ରତ୍ୟେକ ପଦ-ପାତରେ ମାନଗୋବିନ୍ଦଙ୍କ ଭଳି ଫୁଟି ଉଠୁଥିଲା ସହସ୍ର ସହସ୍ର ଶତଦଳ । ଏହି ପଦ୍ମର ମଧୁ ସଞ୍ଚିତ କୋଷରେ ନୈରାତ୍ମ୍ୟ ସୁନ୍ଦରୀ ପରି ଛପି ରହିଛି ଫୁଲମନି । ସେ ମଧୁ ସଂଗ୍ରହ ପାଇଁ କ’ଣ ଘୂରି ବୁଲିବ ବ୍ୟୋମକେଶଙ୍କ ଭ୍ରମର ମନ ?...ନା…. ନା …ସେ ଯେ ସାମ୍ୟବାଦୀ କମ୍ୟୁନିଷ୍ଟ । ତାଙ୍କ ନିକଟରେ ଯୌବନର ମାଦକତା କ’ଣ ନୂତନ ମେଘମହ୍ଲାର ସୃଷ୍ଟିକରି ଏ ପଦ୍ମପୋଖରୀ କୂଳକୁ ଏକ ବର୍ଷଣମୁଖୀ ରାତିରେ ପରିଣତ କରିଦେବ ? ଦୀର୍ଘନିଃଶ୍ଵାସ ପକାଇଲେ ସେ । ନିଃଶ୍ଵାସର ପବନରେ ହସୁଥିଲା ଫୁଲମନି ଆଦିମ କ୍ଷୁଧାର ଚିରନ୍ତନ ଆବେଗ ନେଇ ।

 

ଅନ୍ଧ ମଣିଷ ଭଳି ଚାହିଁଥିଲା କେଶବ–ନିର୍ବେଦ ପୁରୁଷାକାରକୁ ଧିକ୍‌କାର କରି କରି । ବୋଧହୁଏ ସେତେବେଳେ ପଦ୍ମପୋଖରୀରେ ଫୁଟିଥିଲା ଅନେକ ରକ୍ତ ଏବଂ ଶ୍ଵେତପଦ୍ମ–ଫୁଲମନି ଏବଂ କାପୁରାଙ୍କ ପରି ।

 

ଏବେ ଘମାଘୋଟ୍‌ କାମ ଲାଗିଛି ପଦ୍ମପୋଖରୀ କୂଳରେ ନବନିର୍ମିତ ଗୃହଟିକୁ ଶୀଘ୍ର ଶେଷ କରିବା ପାଇଁ । ଘରକାମ କେତେଦୂର ଆଗେଇଲା, ସେକଥା ବାରମ୍ବାର ବୁଝିବାକୁ ଚେଷ୍ଟା କରୁଛନ୍ତି ମନ୍ତ୍ରୀ ମହୋଦୟ । ଏଥିପାଇଁ ଶାସକ ଦଳର ପେଟୀ ନେତାମାନେ ଏକରକମ ତତ୍ପର । ନଜର ପତିଆରା ଦେଖାଇ ସେମାନେ ଅନେକ ସମୟରେ ପଇଁତରା ମାରୁଛନ୍ତି ପଦ୍ମପୋଖରୀ ହୁଡ଼ା ଉପରେ । ଏଣେ କଣ୍ଟ୍ରାକ୍ଟରବାବୁ, ତହସିଲଦାରବାବୁ ଏବଂ ଆଖପାଖ ମୁଖିଆ ଲୋକେ ମଧ୍ୟ ଅନେକ ସମୟରେ ଭିଡ଼ ଜମାଉଛନ୍ତି ପୋଖରୀର ହୁଡ଼ା ଉପରେ । ପଟିଆର ପୁରୁଣା ବ୍ରାହ୍ମଣ ଲୋକେ ବେଳେ ବେଳେ ଚଉପାଢ଼ିରେ ବସି କଥା ଲମ୍ବାଉଛନ୍ତି–ବୁଝିଲ ଗୋବିନ୍ଦ ! ଶଳା ଯୁଗଟା ବାବରା ହେଲା । ପାଣ କଣ୍ଡରା ବାଉରି କେଳା ଖଣ୍ଡେଇତ ବ୍ରାହ୍ମଣ ଏକାଠି ଗୋଟିଏ ଘରେ ରହିବେ-। ଏଥିରେ କଳିଯୁଗ ରହିବତ ? ଶେଷ ହେଇଯିବ । ପୁଣି ସତ୍ୟଯୁଗ ଏଇ ପଟିଆରୁ ଆରମ୍ଭ ହେବ-। ଅପେକ୍ଷାକର, ଦେଖ । ଏଇ ଯେଉଁ ପ୍ରଳୟଙ୍କରୀ ବାତ୍ୟା ହେଲା–ସେପରି ବାତ୍ୟା କ’ଣ କେଉଁ ଯୁଗରେ ହେଉଥିଲା ! କଳି ପ୍ରବଳ ହେଲା–ସେପାଇଁ ଏ ଯଶା । ପୁଣି ଭୂମିକମ୍ପ ହେବ–ପୃଥିବୀ ରସାତଳକୁ ଚାଲିଯିବ । ବାପ–ତରକି ଥା ତେରକୁ । ଚଉଦ ପନ୍ଦରେ କେହି ନ ରହିବେ ସତ ଉପୁଜିବ ସତରକୁ । ସର୍ବେ ହୋଇବେ ଏକାକାର–ବେଦର ନଥିବ ବିଚାର । କେହି ରହିବେ ନାହିଁ ଏ ମାଟିରେ । ପଟିଆରୁ ଆରମ୍ଭ ହେଇଗଲା ମହାକଳିକାଳ । ମହାକଳିକାଳ ଆସିଗଲା–ବାଛିନେବ କଞ୍ଚା ରହିବେ ପାକଲା, କେବଳ ଧର୍ମକର୍ମ ମାନୁଥିବା ଲୋକେ ରହିବେ–ଆଉ ସବୁ ଯିବେ । ନୂଆ ଧାନ ଭାତ କିଏ ଖାଇବ, ବୁଢ଼ୀ ପରଷିବ ଭେଣ୍ଡିଆ ଖାଇବ । ଟଙ୍କାରେ ଚଉଷଠୀ ଗଉଣି ଧାନ ହୋଇବ । ଭାତ ଖାଇବାକୁ କେହି ନ ରହିବ । ଏବେ ସିନା ତିନି ଟଙ୍କାରେ କିଲେ ଚାଉଳ-। ଦିନ ଆସୁଛି ବାବୁ–ଧାନ କଣିବାକୁ ଲୋକ ନଥିବେ ।

 

ବୁଢ଼ା ବୁଢ଼ାଙ୍କର ଏକଥା ଶୁଣି ମୁଣ୍ଡ ଟୁଙ୍ଗାରି ଡର ଡର ମନରେ ସମର୍ଥନ କରୁଥିଲେ କେତେକ ଟୋକା ଲୋକେ । ଏ କଥା ମଧ୍ୟ ଆସୁଥିଲା ବ୍ୟୋମକେଶଙ୍କ କାନକୁ । ହସରେ ଫାଟି ପଡ଼ୁ ପଡ଼ୁ ସେ ଗୀତ ଫାନ୍ଦୁଥିଲେ ଅନ୍ୟମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ–

 

କେଳା ପାଣ ବାଉରି ବ୍ରାହ୍ମଣ

କାମ ପାଇଁ ଯାହା ଜାତି ଭିନ୍ନ ।

ଭେଦ ମଣିଷ ମଧ୍ୟେ ନାହିଁ

ସର୍ବ ଜନ ଯେ ଭାଇ ଭାଇ ।

ଯେ କରେ ଭେଦ ହୀନ କର୍ମ

ମନୁଷ୍ୟ ମଧ୍ୟେ ନରାଧମ ।

ଭକତ ବାଉରି ଦାସିଆ

ଯାଚିଲା ଗୋଟାଏ ନଡ଼ିଆ

ସେ ପାଇଁ ହେଲା ରଥ ଠିଆ

ସବୁରି ପାଇଁ ଚଉବାହା ।

 

ବ୍ୟୋମକେଶଙ୍କ ଏ ଯୁକ୍ତି ଶୁଣି ପୁଣି ଅଣ୍ଟା ଭିଡ଼ନ୍ତି ପଟିଆ ଲୋକେ । ସେମାନେ ଭାବନ୍ତି–ସତ କଥା, ଯଦି ଯବନ ସାଲବେଗ, ବାଉରି ଦାସିଆ ପାଇଁ ଜଗତର ନାଥ ଜଗନ୍ନାଥ ରଥ ଠିଆକରି ପାରନ୍ତି, ତେବେ କେଳା ପାଣ ବ୍ରାହ୍ମଣ ଏକାଠି ରହିଲେ, ଏକାଠି ଖାଇଲେ, ତେବେ କ୍ଷତି କ’ଣ ? ଫଳରେ ବୁଢ଼ା ବୁଢ଼ାଙ୍କ ଯୁକ୍ତି ଏଡ଼ାଇ ପୁଣି କାମକୁ ବାହାରନ୍ତି ଗାଁ ଲୋକେ । ଏଣେ ବ୍ୟୋମକେଶ ଜାଣନ୍ତି–ଧର୍ମଭୀରୁ ଏ ଜାତି । ଧର୍ମ କଥା କହି–ଦେବତାଙ୍କ ଦ୍ଵାହି ଦେଇ ବୁଝାଇ ଦେଲେ ଲୋକେ ଅମନା ହେବାର କାରଣ ନାହିଁ । ଫଳରେ ଏମିତି ଯୁକ୍ତି ଏବଂ ପ୍ରତିଯୁକ୍ତି ମଧ୍ୟରେ ଆଗେଇ ଚାଲେ ପଦ୍ମପୋଖରୀ କୂଳର ନୂଆ ଗୃହ ।

 

ଏବେ ବ୍ୟୋମକେଶବାବୁ ଅନେକ ସମୟ ବିତାଉଛନ୍ତି ପଦ୍ମପୋଖରୀ ହୁଡ଼ାରେ । ଏକେତ ଘର ଶେଷ ହେବାକୁ ଯାଉଥିବା ବେଳେ ପତିଆରା ଦେଖାଇବା ପାଇଁ ଅନେକ ସମୟରେ ଉପସ୍ଥିତ ରହିବାକୁ ହେବ, ଦ୍ଵିତୀୟରେ ମନର ଗୋପନ କୋଣରେ ସ୍ଵତନ୍ତ୍ର ଆସନ ପାତିଛନ୍ତି ଫୁଲମନି‌ ଏବଂ କାପୁରା । ସେମାନେ ମୁଣ୍ଡରେ ଇଟା ଲଦି କିମ୍ବା ସିମେଣ୍ଟ ବାଲି ବୋଝ ମୁଣ୍ଡରେ ବହି ଶିଡ଼ି ଉପରେ ଚଢ଼ି ମିସ୍ତ୍ରି ନିକଟକୁ ଆଗେଇ ଗଲାବେଳେ ବ୍ୟୋମକେଶ ଫୁଟନ୍ତା ଯୌବନର ଶିଖାରେ ଝାସ ଦେଉ ଦେଉ କହନ୍ତି–ଫୁଲମନି ! କ’ଣ କଷ୍ଟ ହେଉଛି ? ଆଉ ଅଳ୍ପଦିନ କଷ୍ଟକରି ଥାଅ–ସବୁ ଦୁଃଖ ଚାଲିଯିବ ।

 

ବିଷାଦଭରା ମୁଖମଣ୍ଡଳରେ ଅହେତୁକୀ ଆଶଙ୍କା ଜମାଟ ବାନ୍ଧୁଥିଲେ ମଧ୍ୟ କୁତ୍ରିମ ହସ ଫୁଟାଇ କହେ ଫୁଲମନି–ନାଇଁବାବୁ ! କିଛି କଷ୍ଟ ନାହିଁ । ମୁଁ ମୁଣ୍ଡକୁ ଇଟା ବୋଝ ଉଠାଇ ନପାରିଲେ କାପୁରା ଭାଉଜ ସାହାଯ୍ୟ କରି ଦେଉଛି । ଅସୁବିଧା କିଛି ହେଉନି । ଫୁଲମନିର କଥାରେ ବ୍ୟୋମକେଶବାବୁ ପରିତୃପ୍ତିର ହସ ହସୁଥିବା ବେଳେ ସିମେଣ୍ଟ ବାଲି ବୋଝ ଧରି ନିକଟରେ ପହଞ୍ଚିଯାଇ ପାଟିକରେ କାପୁରା–“ଏ ବାବୁ ! ଫୁଲଟା ମୂଲିଆଣୀ ନୁହେଁ ବା…ସାଆନ୍ତାଣୀ । ତୁମେ ତାକୁ ବାହା ହେଇପଡ଼ ବାବୁ–ଯୋଡ଼ି ଖୁବ୍ ମାନିବ ।”

 

ଆଗପଛ ବିଚାର ନ କରି ଆଦିବାସୀ ଝିଅ କାପୁରାର ଏ ଅଭିବ୍ୟକ୍ତିରେ ଜିଭ କାମୁଡ଼ି ଲାଜାରା ହେଇ ପଳେଇଯାଏ ଫୁଲମନି । କିଛି ନ ବୁଝିଲା ପରି ତଳକୁ ମୁହଁ ହାଣି ଫାଙ୍କା ହସ ହସନ୍ତି ବ୍ୟୋମକେଶ ଆଚାର୍ଯ୍ୟ । ଥରି ଉଠେ ତାଙ୍କ ସାମ୍ୟବାଦୀ ମନ । ସେ କେଳା ଝିଅ ଫୁଲମନିକୁ ସ୍ତ୍ରୀ କରି ପାରିବେ ? ନିଜର କରିପାରିବେ ? ମନରେ ତାଙ୍କର ଉଙ୍କିମାରେ ଶତ ସହସ୍ର ପ୍ରଶ୍ନ ।

 

ହଁ…ଭାଷଣ ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟ ମାଇଲ ମାଇଲ । ଏ ଦେଶରେ ଯେଉଁ ବ୍ୟକ୍ତି ସର୍ବହରାଙ୍କ ପାଇଁ ଯୁକ୍ତି କରି, ଅନଶନ କରି ଜେଲ ଯାଉଛି ତା’ର ହୁଏତ ଚାରି ମହଲା କୋଠା, ଲକ୍ଷେ ଟଙ୍କାର ବ୍ୟାଙ୍କ୍ ବାଲାନ୍‌ସ୍ ଏବଂ ଗୋଟାଏ ଦୁଇଟା ଶିଳ୍ପ କାରଖାନା । ସେମିତି ଯେଉଁ ବ୍ୟକ୍ତି ନିର୍ମଳ ଶାସନ ପାଇଁ ଭାଷଣ ଦେଇ ସଭା ମଞ୍ଚରେ ମାଇକ୍ ଫଟାଉଛି–ସେ ଶ୍ରୀପର୍ବତରେ ଖଣି ପଟ୍ଟାଦେବା ପାଇଁ ପାଞ୍ଚଲକ୍ଷ ଟଙ୍କା ହାତଗୁଞ୍ଜା ନେଉଛି କିମ୍ବା କେନ୍ଦୁପତ୍ର, ଶାଳ ମଞ୍ଜି କାରବାର ପାଇଁ ତିନି ଲକ୍ଷର ବରାଦ ଦେଉଛି ।

 

ଠିକ୍ ସେମିତି ଯୁବକ ବ୍ୟୋମକେଶ ଆଚାର୍ଯ୍ୟ ସର୍ବଧର୍ମର ସମାଜ ଗଠନ ପାଇଁ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି ସତ–ଫୁଲମନିର ଫୁଟନ୍ତା ଯୌବନ ଦେଖି ତାଙ୍କ ମନର ଅନାହତ ପୁରରେ ନରମ ଆନ୍ଦୋଳନ ସୃଷ୍ଟି ହେଉଛି ସତ, ତଥାପି କେଳା ଯୁବତୀ ଫୁଲମନିକୁ ଜୀବନର ସାଥୀ କରିନେବା କ’ଣ କଦାପି ସମ୍ଭବ ? ଏ ଯୁଗରେ ହିନ୍ଦୁ ସମାଜରେ ବିଧବା ବିବାହ ପାଇଁ ଲମ୍ବା ଲମ୍ବା ନୀତିବାଣୀ ଶୁଣାଇବାରେ ଲୋକଙ୍କର ଅଭାବ ନାହିଁ–ବିଧବା ବିବାହ କରୁଥିବା ବ୍ୟକ୍ତିର–ମନର ଗୋପନ କୋଣରେ ଯେଉଁ ପ୍ରତିକ୍ରିୟା–ତା’ ଦାମ୍ପତ୍ୟ ଜୀବନରେ କି ବିଷକ୍ରିୟା ସୃଷ୍ଟି କରୁଛି, ଲକ୍ଷ୍ୟ କରିବାର କଥା । ସେଥିପାଇଁ ଯୁଗ ଯୁଗ ଧରି ପୋଥି ବାଇଗଣ ବାରିବାଇଗଣ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ।

 

ଏମିତି ଚିନ୍ତା କରୁ କରୁ ହସ ବନ୍ଦ୍‌କରି ଠିଆହୋଇ ରହିଲେ ବ୍ୟୋମକେଶ ବାବୁ । ଲକ୍ଷ୍ୟ କରୁଛନ୍ତି ସେ–ଫୁଲମନି ଆଉ ଉପରକୁ ମୁହଁ ଟେକି ପାରୁନାହିଁ । ଯୌବନ ସୁଲଭ ଲଜ୍ଜାରେ ସତେ ଅବା ଭଙ୍ଗି ପଡ଼ୁଛି ବେଳକୁ ବେଳ । କିନ୍ତୁ ଦୁଷ୍ଟାମିର ହସ ହସୁଛି କାପୁରା ଥାକ ଥାକ ଇଟା ମୁଣ୍ଡରେ ଥୋଇ ।

 

ଏ ହସରେ ଆତ୍ମହରା ହୋଇ କଣ୍ଟ୍ରାକ୍ଟର ବାବୁ ଲଗି ଆସୁଛନ୍ତି କାପୁର ନିକଟିକୁ । କହୁଛନ୍ତି ବେଳେ ବେଳେ ରଙ୍ଗରସ କରି–ଏ ଟୋକୀ ! ତୋ ଘର୍ କାଏଁ ? ଆହୁରି ହସୁଛି କାପୁରା–କହୁଛି ସମସ୍ତଙ୍କ ମନରେ ଚମକ ଖେଳାଇ–ଏଇଠେଇଁ ବାବୁ ! ଏଇ ବୁଢ଼ା ବର ମୂଳେ । ଉତ୍ତର ଶୁଣି ଚୁପ୍ ହେଇଯାଉଛନ୍ତି କଣ୍ଟ୍ରାକ୍ଟର ବାବୁ ।

 

ଏଣେ ଶାସକ ଦଳର ପେଟୀ ନେତାଏ ଏବଂ ସାମ୍ୟବାଦୀ ଦଳର ନିଷ୍ଠାପର କର୍ମୀମାନେ ମଧ୍ୟ କାମ ତନଖି କରୁ କରୁ କଦମ୍ବ ମୂଳିଆ କୃଷ୍ଣଙ୍କ ଠାଣିରେ ଘରର ଦିଆଲକୁ ଆଉଜି ଅନାଇ ରହୁଛନ୍ତି କାପୁରାର ନୃତ୍ୟ-ଚପଳ ଅଙ୍ଗଲତାକୁ । ମୁଣ୍ଡରେ ଇଟା ଥାକ ନେଇ ଶିଡ଼ି ଉପରେ ଚଢ଼ି ସେ ଉପରକୁ ଉଠିଗଲା ବେଳକୁ ନାଚୁଛି ତା’ର ମାଂସଳ ଅଙ୍ଗପ୍ରତ୍ୟଙ୍ଗ । ଆଖି ଫେରୁ ନାହିଁ ପେଟୀ ନେତା ଏବଂ ସାମ୍ୟବାଦୀ କର୍ମୀମାନଙ୍କର ।

 

ପଣତ କାନିଟାକୁ ଛାତି ଉପର ଦେଇ ବାମ କାନ୍ଧବାଟେ ଘେର ବୁଲାଇ ଆଣି ଅଣ୍ଟାରେ ଗୁଡ଼ାଇ ଦେଇଛି କାପୁରା । ମୁଣ୍ଡର କେଶଗୁଡ଼ାକୁ ଗୁଡ଼ାଇ ଗୁଞ୍ଜି ଦେଇଛି ବିଚିତ୍ର ଭଙ୍ଗିରେ । ତା’ ଦେହରେ ଖୋଷି ଦେଇଛି ପଦ୍ମପୋଖରୀର ଗୋଟିଏ ଦରଫୁଟା ଲାଲ ପଦ୍ମକଳି । ସତେ ଅବା ଉଦୟ ପର୍ବତର ଶିଖର ଉପରୁ ଉଇଁ ଆସୁଛନ୍ତି ଲାଲ ସୂର୍ଯ୍ୟ । ହସୁଛି କାପୁରା ବେଳେ ବେଳେ ବହି ଯାଉଥିବା ଅବାରିତ ଝରଣା ପରି । ଫୁଲମନି କିନ୍ତୁ କାପୁରା ପରି ପାହାଡ଼ ଚଢ଼ାର ଶୈଳୀ ଶିଖି ନାହିଁ । ଗାଁ ମୁଣ୍ଡରେ ଆସି କାମ କରିବା ତା’ ପକ୍ଷରେ ଏଇ ନୂଆ । ବେଳେ ବେଳେ ସେ ଚନ୍ଦକା ଝାଡ଼ ଜଙ୍ଗଲକୁ ଜାଳେଣି କାଠ ପାଇଁ ଯାଇଛି ସିନା–ପୁରୁଷ ମେଳରେ ହାତ ହଲାଇ କାମ କରି ନାହିଁ । ତେଣୁ ଦେହରୁ ଲୁଗା ଖସିପଡ଼ିଲେ ଅପ୍ରତିଭ ହୋଇ ଶୀତେଇ ପଡ଼ୁଛି ସେ । ଡାକି କହୁଛି କାପୁରାକୁ, ଭାଉଜ ! ହାତ ବଥା ହୋଇଗଲାଣି, ଆଉ ପାରୁନାହିଁ । ହସରେ ବେଦମ୍ ହେଇ ପାଖକୁ ଲାଗି ଆସି କହୁଛି କାପୁରା–ଏ ଫୁଲ ! ଡରୁଛୁ କିଆଁ । ମୁଁ ଅଛି ପରା ! ତୁ କାନ୍ଥ ଛାଇରେ ବସି ପଡ଼…ବା, ମୁଁ ତୋ କାମ କରି ଦେଉଛି ।

 

ଏ କଥା ଶୁଣି ବଳିପଡ଼ି କହୁଛନ୍ତି ବ୍ୟୋମକେଶ–ବ୍ୟସ୍ତ ହେଉଛୁ କାହିଁକି କାପୁରା ? ଟିକେ ବିଶ୍ରାମ ନିଅ । ପୁଣି ଖରା ଆଡ଼େଇଲେ କାମରେ ଲାଗିବ ।

 

ଏମିତି ଯୌବନର କଲ୍ଲୋଳରେ ଆଗେଇ ଚାଲିଛି ପଦ୍ମପୋଖରୀ କୂଳ ନୂଆ ଘରର କାମ । ଅପରାହ୍ନରେ କାମ ଶେଷକରି ପଦ୍ମପୋଖରୀ ପାଣିରେ ସମସ୍ତେ ଗୋଡ଼ ହାତ ପଖାଳି ଫେରୁଛନ୍ତି ନିଜ ନିଜର ଘରକୁ । ଠିକ୍ ଅନ୍ୟମାନଙ୍କ ପରି କାମ ଶେଷରେ ସାଙ୍ଗ ହୋଇ ବର ମୂଳକୁ ଫେରୁଛନ୍ତି କାପୁରା ଏବଂ ଫୁଲମନି । ଏଣେ କେଶବ ବାଡ଼ି ଢିରା ଦେଇ ଝାଡ଼ ଜଙ୍ଗଲକୁ ଯାଇ ଜାଳେଣି କାଠ ଗୋଟାଇ ଫେରି ଆସୁଛି ଗଛ ମୂଳକୁ ସଂଧ୍ୟା ପୂର୍ବରୁ । ତା’ପରେ ଲମ୍ବୁଛି ଗପର ଖିଅ ତିନିଜଣଙ୍କ ମଧ୍ୟରେ । ରାତି ଗଭୀର ହେଉଛି । ଫୁଲମନିକୁ ଛାଡ଼ିଦେବା ପାଇଁ କିଛି ବାଟ ବାଡ଼ିଧରି ଆସୁଛି କେଶବ । ବେଳେବେଳେ ରାତି ଖାଇବାଟା ବରମୂଳେ ଶେଷକରି ମଧ୍ୟ ଫେରୁଛି ଫୁଲମନି-

 

ଫୁଲମନି ଗାଁକୁ ଫେରିଯିବା ପରେ ରୋଷେଇ କରେ କାପୁର । ଦିନେ ଦିନେ ଗପସପ କରୁ କରୁ ଗଣ୍ଡାଏ ଭାତ ଫୁଟାଇ ଦିଏ ସେ । ଯଦି ବର୍ଷା ଦିନିଆ ବର୍ଷା ତୁଆଏ କୁଟି ଦେଇଗଲା, ତେବେ କିଛି ନଖାଇ ଓପାସରେ ସେମିତି ରାତିଟି କଟିଯାଏ ମେଘ ପାଣିରେ ଭିଜି ଭିଜି ଏବଂ ବର ମୂଳ କୁଡ଼ିଆରେ ମୁଣ୍ଡ ଗୁଞ୍ଜି ।

 

ବର୍ଷା ନଥିଲେ ଖାଇବା ଶେଷକରି କେଶବ ଶୋଇଯାଏ ବର ସିଅକୁ ତକିଆ କରି । ପାଦ ନିକଟରେ ବସି ମଚାଳି ଦେବାକୁ ଆରମ୍ଭ କରେ କାପୁରା । ବାରଣ କରି କହେ କେଶବ–କାପୁରା ! ତୁ ଦିନସାରା ଖଟି ଖଟି ଆସିଛୁ, ଶୋଇପଡ଼, ମୋ ପାଇଁ ଆଉ କେତେ ଦିନ ରକ୍ତ ଖଟାଇ ପରିଶ୍ରମ କରିବୁ । କେଶବର ପାଟିରେ ହାତଦିଏ କାପୁରା, କହେ–‘‘ଛି, ନୂଆବାବୁ ? ତୁମେ ଏମିତି କୁହନାହଁ । ତୁମ ଗୋଡ଼ ଭଲ ହେଇଗଲେ ମୁଁ କ’ଣ ଆଉ ପରିଶ୍ରମ କରିବି ? ତୁମେ ମୂଲଖଟି ପଇସା ଆଣିବ, ମୁଁ ଗୋଡ଼ ଉପରେ ଗୋଡ଼ ପକେଇ ଏଇ ବରମୂଳେ ବସି ଗୀତ ଗାଉଥିବି, ନାଚୁଥିବି, ହାଣ୍ଡିଆ ଖାଉଥିବି ।”

 

କାପୁରାର ଏ ମନ୍ତବ୍ୟ ଶୁଣି ହସେ କେଶବ । ତା’ପରେ କେଶବକୁ ନିଦ ହୋଇଗଲେ, ଗୋଡ଼ ତଳେ ପଣତ ବିଛାଇ ଶୋଇଯାଏ କାପୁରା । ସ୍ଵପ୍ନ ଦେଖେ ବାଘ ଡୁମା, ବିରାଡ଼ି ଡୁମା ଏବଂ ଶେଷରେ ନୂଆବାବୁଙ୍କୁ ।

 

ଅଳ୍ପଦିନ ମଧ୍ୟରେ ପଦ୍ମକେଶରୀପୁରର ପୋଖରୀ ହୁଡ଼ା ଉପରେ ଗଢ଼ି ଉଠିଲା ପାଞ୍ଚଟି ବିଶାଳ ପ୍ରାସାଦ । ପ୍ରତ୍ୟେକ ପ୍ରାସାଦର ତଳ ଓ ଉପର ମହଲାରେ ପଚାଶ କରି ପରିବାର ରହିବାର ବ୍ୟବସ୍ଥା, ଅର୍ଥାତ୍ ଗୋଟିଏ ଗୋଟିଏ ପରିବାର ପାଇଁ ଉଦ୍ଦିଷ୍ଟ ଦୁଇ ଦୁଇଟି କୋଠରୀ, ଗୋଟିଏ ରୋଷେଇ ଘର ଏବଂ ଛୋଟ ବାରଣ୍ଡାଟିଏ । ଏସବୁ ପ୍ରାସାଦଗୁଡ଼ିକରେ ଗୋଟିଏ ଗୋଟିଏ ଛୋଟ ଖାଲି କୋଠରୀର ବ୍ୟବସ୍ଥା, ଯେଉଁ କୋଠରୀ ଆଖଡ଼ାଘର କିମ୍ବା ଭାଗବତ ଟୁଙ୍ଗୀ ଅଥବା ବିବାହ ବ୍ରତ କାମରେ ସାହାଯ୍ୟ କରିବ । ବିଭିନ୍ନ ପରିବାର ପାଇଁ ଉଦ୍ଦିଷ୍ଟ ଗୃହଗୁଡ଼ିକରେ କାନ୍ଥ ଆଲମିରା, ବିଜୁଳି ଆଲୁଅ ପାଇଁ ବ୍ୟବସ୍ଥା । କବାଟଗୁଡ଼ିକ ପିଆଶାଳ କାଠରେ ନିର୍ମିତ ଏବଂ ଝରକାରେ ସୁଦୃଢ଼ ଲୁହାରଡ଼ ଖଞ୍ଜା । ଉପର ମହଲକୁ ଯିବାପାଇଁ ପ୍ରତ୍ୟେକ ବ୍ଲକ୍ ଦେହରେ ଦୁଇଟି କରି ଶିଢ଼ି ଘର ।

 

ପିଲାଛୁଆ ଖେଳାବୁଲା କରିବା ପାଇଁ ପୋଖରୀ ହୁଡ଼ାରେ ସ୍ଥାନ ବିସ୍ତୃତ । ସାମନାକୁ କେତୋଟି ବଡ଼ କୂଅ ଏବଂ ଟିଉବେଲ୍‍ର ବ୍ୟବସ୍ଥା, କିଛି ଦୂରକୁ କୋତୋଟି ନିରାପଦ ପାଇଖାନା । ଅବଶ୍ୟ ପ୍ରାୟ ପାଞ୍ଚଶହ ପରିବାରଙ୍କ ପାଇଁ ଉଦ୍ଧିଷ୍ଟ ଗୃହଗୁଡ଼ିକ ଲାଗି ଏ ବ୍ୟବସ୍ଥା ଯଥେଷ୍ଟ ନୁହେଁ । ତଥାପି ପଦ୍ମପୋଖରୀ ହୁଡ଼ାରେ ଗଢ଼ି ଉଠିଥିବା ନୂଆ ଗୃହଗୁଡ଼ିକ ଯେ ପାଞ୍ଚଶହ ପରିବାରଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଉଥିବା ଏକ ବିରାଟ ଗ୍ରାମର ପରିକଳ୍ପନା ଏଥିରେ ସନ୍ଦେହ ନାହିଁ । ଶାସକ ଦଳର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ସାମ୍ୟବାଦୀ ଦଳର ବାରମ୍ବାର ଦାବି ଫଳରେ କଣ୍ଟ୍ରାକ୍ଟରବାବୁ ଗୋଟିଏ ସିମେଣ୍ଟରେ କୋଡ଼ିଏଟା ବାଲି ମିଶାଇବାର ସୁଯୋଗ ନପାଇ ଏକରକମ ବିରକ୍ତ । ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କର ଉକ୍ତି ହେଲା–ଏ କାମରେ ମୋର କ୍ଷତି ହୋଇଗଲା । ତଥାପି ଏପରି ଏକ ନୂତନ ଗ୍ରାମ ପ୍ରତିଷ୍ଠାରେ ତାଙ୍କ ଅବଦାନ ସ୍ମରଣୀୟ ।

 

ଏ ବଶାଳ ଗ୍ରାମର ନିର୍ମାଣ କାର୍ଯ୍ୟ ଶେଷ ହୋଇଆସିଛି । ହାଇଟ୍‌ ଓ୍ୱାସିଙ୍ଗ ଚାଲିଛି । ଏଣିକି ପଟିଆ ଅଞ୍ଚଳରେ ପାଣ, କଣ୍ଡରା, ବାଉରି, ଧୋବା, ବଢ଼େଇ, କେଳା, ବ୍ରାହ୍ମଣ, ଖଣ୍ଡାୟତ, କରଣ ଲୋକେ ଏ ଘରେ ରହିବେ । ଏ ଘରେ ଏକ ହୋଇ ଚଳିବେ । ସେଥିପାଇଁ ଲୋକଙ୍କ ନାମ ତାଲିକାଭୁକ୍ତ କରଯାଇ ସାରିଲାଣି । ତଥାପି ଆଜି ବ୍ୟୋମକେଶଙ୍କ ମନରେ ସନ୍ଦେହ–ପଟିଆ ଲୋକେ ଏପରି ଗୋଟିଏ ସ୍ଥାନରେ ଏକହୋଇ ରହିବେ ତ ? ଅବଶ୍ୟ ତାଙ୍କର ଧାରଣା ଅଛି ଯେ, ଏପରି ଗୃହହୀନଙ୍କ ପାଇଁ ଯେଉଁ ଅଞ୍ଚଳରେ ଗୃହ ନିର୍ମିତ ହୋଇଛି, ସେସବୁ ସ୍ଥାନମାନଙ୍କରେ ଲୋକେ ନାମ ଦେଇଛନ୍ତି, ଗୃହ ନେଇଛନ୍ତି । କିନ୍ତୁ ପରିବାର ନେଇ ରହିବାକୁ ନାରାଜ । ତେଣୁ ଧୀରେ ଧୀରେ ଘରଗୁଡ଼ିକରେ ଅଲନ୍ଧୁ ଘେରିଛି, ଇଟା ଖସିଛି, ଛାତ ଭୁଶୁଡ଼ିଛି । ବିଫଳ ହୋଇଛି ସମଗ୍ର ଯୋଜନା । ଶେଷରେ ଲୋକେ ପଡ଼ି ରହିଛନ୍ତି ସେହି ଝାଟିମାଟି କୁଡ଼ିଆରେ ଏବଂ କହିଛନ୍ତି–ପାଣ ବାଉରିଙ୍କ ସହିତ ଆମର ରହିବ କିଏ ? ମହାତ୍ମା ଗାନ୍ଧୀଙ୍କ ରାମରାଜ୍ୟର ପରିକଳ୍ପନା ନଷ୍ଟ ହୋଇଛି ବିଚରା ନର୍ବୋଧ ରଜକୀର ସାମାନ୍ୟ ଅଭିଯୋଗରେ ।

 

ଆଜି ପଦ୍ମପୋଖରୀ ହୁଡ଼ାରେ ଏଇ ନବନିର୍ମିତ ପ୍ରାସାଦ ନିକଟରେ ଠିଆହୋଇ ଏମିତି କେତେକଣ ଚିନ୍ତା କରୁଛନ୍ତି ବାବୁ ବ୍ୟୋମକେଶ ଆଚାର୍ଯ୍ୟ । ଆସନ୍ତା ଦୁଇଦିନ ମଧ୍ୟରେ ମନ୍ତ୍ରୀ ମହୋଦୟ ପ୍ରାସାଦ ଉଦ୍‌ଘାଟନ କରିବାକୁ ଆସିବେ, ଲୋକମାନଙ୍କୁ ନିଜ ହାତରେ ମାଲିକାନା ସତ୍ତ୍ଵ ଟେକି ଦେବେ, ତେବେ କ’ଣ ବିଫଳ ହେବ ବିରାଟ ପରିକଳ୍ପନା ? ଏଇ ଭୟରେ ସେ ନିଜେ ଗୋଟିଏ ଘର ନେବା ପାଇଁ ବରାଦ କରିଛନ୍ତି । ଚିନ୍ତା କରିଛନ୍ତି ସେ–ନିଜେ ଗାଁ ଛାଡ଼ି ଏପରି ଏକ ନବନିର୍ମିତ ଗ୍ରାମରେ ଅବସ୍ଥାନ କଲେ ନେତା ହେବା ସହଜସାଧ୍ୟ । କିନ୍ତୁ ବ୍ୟୋମକେଶବାବୁ ଏ ଗୃହ ନିର୍ମାଣ କାର୍ଯ୍ୟରୁ ହଜାର ହଜାର ଟଙ୍କା ଫାଇଦା ଉଠାଇଛନ୍ତି ବୋଲି ଅଭିଯୋଗ ହେବ ନାହିଁ ତ ?

 

ଅସମ୍ଭବ ନୁହେଁ; କାରଣ ଗରିବ ଦେଶ ଭାରତରେ ଗୃହଯୋଗାଣ ଯୋଜନା ନାମରେ କେତେ ବୈଦେଶିକ ଅର୍ଥ ସେ ଆତ୍ମସାତ କରିବାରେ ଲାଗିଛନ୍ତି, ଏହାର ସୀମାନାହିଁ । ଏମାନେ ଗୃହହୀନଙ୍କ ପାଇଁ ଗୃହ ଯୋଗାଣର ଦ୍ଵାହିଦେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଠନ କରନ୍ତି । ସରକାରଙ୍କୁ ଆବେଦନ କରନ୍ତି, ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ସଂଗ୍ରହ କରନ୍ତି–ଲକ୍ଷ ଲକ୍ଷ ଟଙ୍କାର ସଂଗୃହୀତ ଅର୍ଥରୁ କିଛି ଖର୍ଚ୍ଚ କରି ଗୌରବ ନିଅନ୍ତି । ଆଉସବୁ ପଡ଼େ ତାଙ୍କ ପେଟରେ ।

 

ଘରଗୁଡ଼ିକ ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ବଣ୍ଟାଯାଏ । କିନ୍ତୁ ଶେଷରେ କେହି ସେ ଗୃହକୁ ଯାଆନ୍ତି ନାହିଁ । ଭୂତ କୋଠୀରେ ପରିଣତ ହୁଏ ସେ ଘର । ଅବଶ୍ୟ ଏପରି ଗୃହ ନିର୍ମାଣର ଉଦ୍ଦେଶ୍ୟ ତ୍ରିବିଧ । ପ୍ରଥମ ଉଦ୍ଦେଶ୍ୟ ଧର୍ମ କିମ୍ବା ମତବାଦର ପ୍ରଚାର, ଦ୍ଵିତୀୟ ଉଦ୍ଦେଶ୍ୟ ଅର୍ଥ ଆତ୍ମସାତ, ତୃତୀୟ ଉଦ୍ଦେଶ୍ୟ ନେତା ସାଜିବା । ଶ୍ରୀଯୁକ୍ତ ବ୍ୟୋମକେଶବାବୁ ଏପରି ଅଭିଯୋଗର ଶିକାର ହେବେ ନାହିଁ ତ ? ଏପରି କେତେ କ’ଣ ଚିନ୍ତା କରି ନୀରବରେ ଠିଆହୋଇ ଘରଗୁଡ଼ିକୁ ଲକ୍ଷ୍ୟ କଲେ ବ୍ୟୋମକେଶ ! ସ୍ଵୟଂସମ୍ପୂର୍ଣ୍ଣ ହୋଇଯାଇଛି ନବ ନିର୍ମିତ ଗ୍ରାମଟି । କେବଳ ଛୋଟ ପ୍ରାଥମିକ ବିଦ୍ୟାଳୟ ପାଇଁ ଗୋଟିଏ ଘର ଏବଂ ପିଇବା ପାଣି ଯୋଗାଣ ପାଇଁ କିଛି ଯୋଜନା ଆବଶ୍ୟକ । ପରମୁହୂର୍ତ୍ତରେ ଭାଙ୍ଗିପଡ଼ିଲେ ସେ, ନା...ନା... କେବଳ ଖଣ୍ଡେ ଘର ପାଇ ଲୋକେ କ’ଣ କଦାପି ଶାନ୍ତିରେ କାଳ କଟାଇ ପାରିବେ ? ତାଙ୍କ ପାଇଁ ଜମି ଦରକାର, ଚାଷ ଉପକରଣ ଦରକାର, ଗାଈ ଗୋରୁ ଛେଳି ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଦରକାର । ନଚେତ୍‌ ସେମାନେ ରହିବେ କେମିତ ?

 

ଅନ୍ୟମନସ୍କ ଭାବେ ପଦଚାରଣ କଲେ ବ୍ୟୋମକେଶବାବୁ । ଆସନ୍ତା ଦୁଇଦିନ ମଧ୍ୟରେ ନବନିର୍ମିତ ପ୍ରାସାଦ ଉଦ୍‌ଘାଟିତ ହେବ । ନିଜେ ମନ୍ତ୍ରୀ ଆସି ଫିତା କାଟି ଲୋକଙ୍କୁ ମାଲିକାନା ସତ୍ତ୍ଵ ଦେବେ । ସେଥିପାଇଁ ବହୁ ଆୟୋଜନ ଆବଶ୍ୟକ । ଖାଇବା ପିଇବା, ସଭାର ବ୍ୟବସ୍ଥା କରିବା, ମଞ୍ଚ ନିର୍ମାଣ କରିବା ଇତ୍ୟାଦି । କଣ୍ଟ୍ରାକ୍ଟରବାବୁଙ୍କୁ ସେପାଇଁ ଉତ୍ସାହିତ କରିବାକୁ ହେବ । ତାଙ୍କ ଗୁଣ କୀର୍ତ୍ତନ କରି ଉଦ୍ଦେଶ୍ୟ ସାଧନ କରିବାକୁ ହେବ ।

 

ଆହୁରି ଚିନ୍ତା କଲେ ବ୍ୟୋମକେଶ, ମୁଖ୍ୟତଃ ଉଦ୍‌ବାସ୍ତୁ ଯାଯାବର ସାପୁଆକେଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏପରି ଏକ ଗୃହଯୋଗାଣ ପରିକଳ୍ପନା । ସେମାନଙ୍କୁ ସ୍ଥାୟୀ ବାସିନ୍ଦା କରିନେବା ଥିଲା ବ୍ୟୋମକେଶଙ୍କର ମୂଳ ଉଦ୍ଦେଶ୍ୟ । କିନ୍ତୁ ଟାଉଟର ମନେଇ ଦାସର ପ୍ରରୋଚନାରେ ଏବେ ଅଧିକାଂଶ କେଳା ଯୁବକ ଘରକାମକୁ ଆସିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ଶୁଣିବାକୁ ମିଳୁଛି–ସେମାନେ ଏ ନବ ନିର୍ମିତ ଗୃହକୁ ଆସିବେ ନାହିଁ । ସେହି ଝାଟିମାଟି ଘରେ ପଡ଼ିରହିବେ । ମନେଇ ଦାସ ଜାଣେ–ଏପରି ଏ ଗ୍ରାମର ଅଧିବାସୀ ହେଲେ, ବହୁ ଜାତିର ଲୋକଙ୍କ ମେଳରେ ରହିଲେ, ତା’ର କାଟତି କମିଯିବ । ଭଣ୍ଡେଇ ଖାଇବାର ବ୍ୟବସାୟ ମଧ୍ୟ ଆପେ ଆପେ ଦୂରେଇ ଯିବ ।

 

ମୁହଁ ବୁଲାଇଲେ ବ୍ୟୋମକେଶବାବୁ, ଦେଖିଲେ ବାଡ଼ିକୁ ଆଶ୍ରାକରି ଧୀରେ ଧୀରେ ପାଦ ପକାଇ ତାଙ୍କ ଆଡ଼େ ମୁହାଁଇଛି କେଶବ । ହସିଉଠି କହିଲେ ସେ–‘‘କେଶବ ! କାମ ଶେଷ ହୋଇଗଲା, ପହରିଦିନ ନିଜେ ମନ୍ତ୍ରୀ ଆସିବେ ଉଦ୍‌ଘାଟନ ପାଇଁ । ଏଥର ତୁମ ଉପରେ ଗୁରୁ ଦାୟିତ୍ଵ, ତୁମେ ଆସନ୍ତାକାଲି କାପୁରା ଏବଂ ଫୁଲମନିକୁ ଧରି ସମଗ୍ର ଅଞ୍ଚଳଟାକୁ ପଦ୍ମଫୁଲରେ ସଜାଇ ଦେବ । ଆମ୍ବ ଡାଳୁଆ ଟଙ୍ଗାଇ, ନୂଆ କଳସ ବସାଇ ସ୍ଥାନଟିକୁ ଶୋଭାବନ୍ତ କରିବ ।’’

 

ବ୍ୟୋମକେଶଙ୍କ କଥା ଶୁଣି ହସ ହସ ମୁହଁରେ କହିଲା କେଶବ–“ମୁଁ ସବୁ କରିବି ବାବୁ-। ଫୁଲମନି ଏବଂ କାପୁରାଙ୍କୁ ଲଗାଇ ଆଜିଠାରୁ ସଜାସଜି କାମ ଆରମ୍ଭ କରୁଛି । ମନ୍ତ୍ରୀ ମହୋଦୟ ଆସିବା ବେଳକୁ ସବୁ ଠିକ୍ ହୋଇଯିବ । ବ୍ୟୋମକେଶବାବୁ କେଶବର ଉତ୍ତରରେ ଆଶ୍ଵସ୍ତ ହୋଇ କହିଲେ–“କେଶବ ! ପହରିଦିନ ମନ୍ତ୍ରୀ ମହୋଦୟ ଦିନ ଏଗାରଟା ମଧ୍ୟରେ ପହଞ୍ଚିଯିବେ-। ତେଣୁ ତୁମେ ଖୁବ୍ ସକାଳୁ ଫୁଲମନି ଏବଂ କାପୁରାଙ୍କୁ ଧରି ଆସିବ । ପ୍ରତ୍ୟେକ ବ୍ଲକର ଦୁଆର ମୁହଁରେ ସାତ ରଙ୍ଗର ମୁରୁଜ ପକାଇବାର ବ୍ୟବସ୍ଥା କରିଦେଇଥିବ । ଆଗରୁ ମୁରୁଜ ପକାଇ ଦେଲେ ପବନରେ ଲିଭି ଯାଇପାରେ ।”

 

ବ୍ୟୋମକେଶଙ୍କ କଥା ଶେଷ ନ ହେଉଣୁ ପଛ ପାଖରୁ କାପୁରା ଦୌଡ଼ି ଦୌଡ଼ି ଆସି କହିଲା–‘‘ବାବୁ ! ଆମକୁ ଘର କୋଉଁଠି ଦେଇଛ ? ଭଲ ଜାଗାରେ ଦେଇଛ ତ ?” ଆନନ୍ଦିତ ହୋଇ ପକେଟରୁ ଖଣ୍ଡେ କାଗଜ ବାହାର କରି ଦେଖାଉ ଦେଖାଉ କହିଲେ ବ୍ୟୋମକେଶ ବାବୁ–“ବୁଝିଲୁ କାପୁରା ! ତୋର ଏବଂ କେଶବର ଘର ପରେ ଫୁଲମନିର ଘର, ତା’ପରେ ମୋ ପାଇଁ ଘର ।”

 

ଚମକି ପଡ଼ି କହିଲା କାପୁରା–‘‘ବାବୁ ! ତୁମେ ପରା ବାହା ହେଇନାହଁ ? ତୁମର ଘର କ’ଣ ହବ ? ପଟିଆ ଗାଁରେ ତ ତୁମର ବଡ଼ ଘର ଅଛି, ଏ ଛୋଟ ଘରେ ରହିବ କାହିଁକି ? ଯଦି କେତେବେଳେ ବୁଲି ଆସିବ–ତେବେ ଫୁଲମନି ଘରେ ରହିଗଲେ କ୍ଷତି କ’ଣ ? ତା’ର ତ ଗେରସ୍ତ ନାହିଁ ।”

 

ଆଦିବାସୀ ଝିଅ କାପୁରାର ଛନ୍ଦହୀନ କଥାରେ ଦମକି ଠିଆ ହୋଇଗଲେ ବ୍ୟୋମକେଶ । ସାମାନ୍ୟ ସମୟ ଚିନ୍ତିତ ହୋଇ କହିଲେ–“ଗାଁରେ ଯେଉଁ ଘର ଅଛି, ସେ ତ ବାପାଙ୍କ ଘର । ମୋ ଘର କାହିଁ ? ମୋ ଘର ତୁମରିମାନଙ୍କ ମେଳରେ । ଆଉ ଫୁଲମନି ଘରେ ମୁଁ ବସାଉଠା କରିବି କାହିଁକି ! ସେ ତ ପୁଣି ବାହାହେବ, ତୁମମାନଙ୍କ ସହିତ ଜଣେ ହେଇ ରହିବ ।’’

 

ଆଉ ଯୁକ୍ତି ନ ପାଇ କେବଳ ହସିଲା କାପୁରା । କେଶବ କହିଲା–‘‘ତୁ ବଡ଼ ମୁଖରା ହେଲୁଣି କାପୁରା ! ଯାଆ ଫୁଲମନିକୁ ସାଙ୍ଗରେ ଧରି ତୋ କାମରେ ଲାଗିଯାଆ ।” କେଶବର ତାଗିଦାରେ ମୁହଁ ହାଣ୍ଡି କରି ପଛକୁ ମୁହଁ ବୁଲାଇ ଗୋଡ଼ କଚାଡ଼ି କଚାଡ଼ି ବରମୂଳ ଆଡ଼େ ଆଗେଇଲା କାପୁରା ।

 

ସେଆଡ଼କୁ ନିଥର ଆଖିରେ ଚାହିଁଥିଲେ ବ୍ୟୋମକେଶ ବାବୁ । ଭାବୁଥିଲେ ସେ ସରଳ ଆଦିବାସୀ ଝିଅ କାପୁରାର କଥା । କାପୁରା ସହିତ ସାମିଲ ହୋଇ ତାଙ୍କ ମନ ଭିତରେ ଆନ୍ଦୋଳନ ସୃଷ୍ଟି କରୁଥିଲା କେଳା ଯୁବତୀ ଫୁଲମନି ।

 

ଏଥର ଶ୍ରୀପର୍ବତ ଆଡ଼େ ଚାହିଁଲେ ବ୍ୟୋମକେଶ । ଆଜି ଆକାଶ ନିର୍ମଳ, ମେଘ ନାହିଁ-। ଶ୍ରୀପର୍ବତର ଶୋଭା ମଧ୍ୟ ଦ୍ଵିଗୁଣିତ ହୋଇଉଠିଛି । ଇତିମଧ୍ୟରେ ବରଗଛରେ କେତୋଟି ନୂଆ ଶାଖା ବାହାରିଲାଣି । ନୂଆ ପତ୍ରରେ ଗଛ ଘଞ୍ଚ ହୋଇ ଆସୁଛି । ଗଛରୁ ବିଦାୟ ନେଇଥିବା ପକ୍ଷୀମାନେ ପୁଣି ପତ୍ର ଗହଳିରେ ସେମାନଙ୍କର ବସା ନିର୍ମାଣରେ ଲଗିଗଲେଣି । ତେବେ କ’ଣ ପଦ୍ମପୋଖରୀ ହୁଡ଼ାର ସେ ବିଗତ ଇତିହାସ ପୁଣି ଫେରିବ ! ସେ ପଦ୍ମପୋଖରୀ ପୁଣି ଅସଂଖ୍ୟ ପଦ୍ମଫୁଲରେ ଶୋଭାବନ୍ତ ହେବ ?

 

ରାଜକୁମାର ଦିବ୍ୟସିଂହଙ୍କ ଅଶ୍ଵ ତା’ହେଲେ ଅଟକିବ ପଦ୍ମପୋଖରୀ କୂଳରେ ସ୍ନାନରତା ରାଜଜେମାଙ୍କ ଅଙ୍ଗ ସୌଷ୍ଠବ ଦର୍ଶନ କରି ? ହଳଦୀ କାଠୁଆକୁ ବୋଇତ କରି ଭସାଇବେ ରାଜକୁମାରୀ ଏଇ ପଦ୍ମପୋଖରୀର କଜଳକଳା ପାଣିରେ, ଆଖିର ଅଞ୍ଜନରେ ପ୍ରେମପତ୍ର ଲେଖି । ସତ୍ୟ ହେବ ତା’ହେଲେ ଅତୀତ–ବାସ୍ତବତାକୁ ମୁଣ୍ଡରେ ବହି ??

 

ଦୀର୍ଘନିଃଶ୍ଵାସ ପକାଇଲେ ବ୍ୟୋମକେଶ ବାବୁ । ଏତିକିବେଳେ ପଛରୁ ଡାକିଲେ କଣ୍ଟ୍ରାକ୍ଟରବାବୁ–ଆଜ୍ଞା ! ଏଣେ ଟିକେ ଆସନ୍ତୁ । କେଉଁ ବ୍ଲକରେ ଲାଲ ଫିତା ବନ୍ଧାଯିବ କହନ୍ତୁ । ନୂଆ କଇଁଚି କିଣା ସରିଛି । କେବଳ ଫିତାଟାଏ ବାନ୍ଧିଦେଲେ କାମ ଶେଷ । ମନ୍ତ୍ରୀ ମହୋଦୟ ସେତକ କାଟି, ଘର ଭିତରେ ପଶି, ବୁଲି ଦେଖିବେ ।

 

ବ୍ୟୋମକେଶ ପ୍ରକୃତିସ୍ଥ ହୋଇ କହିଲେ–‘‘ନା... ନା...କଣ୍ଟ୍ରାକ୍ଟର ବାବୁ ! ମୁଁ ସାମ୍ୟବାଦୀ ହେଲେ ମଧ୍ୟ ଏ ସମାଜର ମଣିଷ । ତେଣୁ ଫିତା କାଟି ଉଦ୍‌ଘାଟନ ଉତ୍ସବ ପାଳନ ସହିତ, ଆମକୁ ବ୍ରାହ୍ମଣ ଡକାଇ, ମନ୍ତ୍ର ପାଠ କରି ଗୃହ ପ୍ରବେଶର ବ୍ୟବସ୍ଥା କରିବାକୁ ହେବ ।”

 

ରୋକିଗଲେ କଣ୍ଟ୍ରାକ୍ଟରବାବୁ ! କହିଲେ–‘‘ଆଜ୍ଞା ! ପୁଣି ଦୁଇଶହ ଟଙ୍କାର ବରାଦ । ଆଉ ଗୋଟାଏ ଦିନ ରହିଲା, ମୁଁ ଭଲ ବ୍ରାହ୍ମଣ କେଉଁଠୁ ଆଣିବି ? ପୂଜା ସାମଗ୍ରୀ କେଉଁଠୁ ଯୋଗାଡ଼ କରିବି !”

 

ବ୍ୟୋମକେଶ ବାବୁ କହିଲେ–‘‘ଆମ କର୍ମୀଙ୍କୁ କଟକ ଅବା ଭୁବନେଶ୍ଵର ପଠାଇଦିଅ । ସେମାନେ ସବୁ ଜିନିଷ କିଣି ଆଣିବେ । ମୁଁ ନିଜେ ପଟିଆ ଗ୍ରାମରୁ ବ୍ରାହ୍ମଣ ଠିକ୍‌ କରି ଦେଉଛି ।”

 

ଏତକ କହିସାରି ପଟିଆ ଅଡ଼େ ମୁହାଁଇଲେ ବ୍ୟୋମକେଶ ବାବୁ । ମୁହଁ ପିତା ପିତା କରି କଣ୍ଟ୍ରାକ୍ଟର ବିଚରା ନବନିର୍ମିତ ଗୃହ ଆଡ଼େ ଆଗେଇ ଯାଉ ଯାଉ ଗୁଣୁ ଗୁଣୁ ହୋଇ କହୁଥିଲେ–ଶଳା ସବୁ ଖାଇଗଲେ–ସବୁ ଖାଇଗଲେ–ଛଅ ମାସର ପରିଶ୍ରମ ଅକାରଣ ହୋଇଗଲା ।

 

ଆଜି ଏକ ବଡ଼ ଧରଣର ଜାତିଆଣ ସଭା ବସିଛି ପଦ୍ମକେଶରୀପୁର କେଳା ବସ୍ତିର ମୁଖିଆ ମନେଇ ଦାସଙ୍କ ଘର ଅଗଣାରେ । ଏ ସଭା ଡକାଇଛି ନିଜେ ମନେଇ ଦାସ । ପ୍ରାୟ ପ୍ରତ୍ୟେକ ପରିବାରର ଲୋକେ ଯୋଗ ଦେଇଛନ୍ତି ଏ ସଭାରେ ପିଲାମାନେ ଚାରିକଡ଼ରେ ଘେରି ଠିଆ ହୋଇଛନ୍ତି ବାଡ଼ ଦେବା ପରି । ମହିଳାମାନେ ସଭାରେ ଯୋଗ ଦେଇ ନ ଥିଲେ ମଧ୍ୟ ଯେ ଯାହାର ଘର ପିଣ୍ଡାରେ ବସି ଶୁଣୁଛନ୍ତି ସଭାର ଆଲୋଚନା, ବେଳେବେଳେ ମୁଣ୍ଡ ଟୁଙ୍ଗାରି ସଭାର ଆଲୋଚନାକୁ ସମର୍ଥନ କରୁଛନ୍ତି ସେମାନେ । ସମସ୍ତେ ଅନାଇ ରହିଛନ୍ତି ମନେଇ ଦାସ ମୁହଁକୁ ।

 

ଗାଁର ଯୁବକ ଗରିବ ଦାସ, ସଦେଇ ଦାସ, ହାଡ଼ୁ ଦାସ, ଫଗୁ ଦାସ, ରାମ ଦାସ, ଗୁଣ୍ଡୁଚି ଦାସ ଇତ୍ୟାଦି ମନେଇ ଦାସର କଥା ଶୁଣୁ ଶୁଣୁ ନିଜ ନିଜ ଭିତରେ ଆଖି ଠରାଠରି ହୋଇ ହସୁଛନ୍ତି ଚାପା ଚାପା ହସ ।

 

ଜଣେ ବିଜ୍ଞ ବ୍ୟକ୍ତି ପରି ସଭାର ଗୋଟିଏ ମୁଣ୍ଡରେ କାନ୍ଥକୁ ଆଉଜି ବସିଛି ମନେଇ ଦାସ, ଭଙ୍ଗା ଦାନ୍ତର ପାଟିଟାକୁ ମେଲା କରି କହୁଛି ସେ–ଆରେ ଗରିବ, ହାଡ଼ୁ, ଫଗୁ, ଶାମ, ତୁମେ ସବୁ ଯୁବକ ଲୋକ, ଆମ ସାପୁଆକେଳା ସମାଜର ଭାବୀ ବଂଶଧର । ତୁମ୍ଭେମାନେ କୁହ–ଆମ ସାତ ପୁରୁଷର ବେଉସା ନେଇ ଆମେ ବଞ୍ଚିବା କି ନାହିଁ ? ଆମେ ସାପୁଆକେଳା ହେଇ ସବୁଦିନ ରହିବା କି ନାହଁ ?

 

ମନେଇ ଦାସର ଏପରି ଏକ ଗୁରୁତର ପ୍ରଶ୍ନ ପରେ ସମସ୍ତେ ଗମ୍ଭୀର ହୋଇଉଠିଲେ । ମନେଇ ଦାସ ଆଡ଼େ ଆଁ କରି ଅନେଇ ରହିଲେ । ଉଚୁକା ହୋଇ ଗରିବ କହିଲା–‘‘କି କଥା କହୁଛ ମଉସା । ଆମେ ସାପୁଆକେଳା, କେଳା ହୋଇ ନ ରହି ଆମେ ବ୍ରାହ୍ମଣ ହୋଇଯିବୁ କେମିତି ?”

 

ଉତ୍ତର ଶୁଣି ହସିଉଠିଲା ମନେଇ ଦାସ, କହିଲା–‘‘ତୁମେ ତ ଏବେ ବ୍ରାହ୍ମଣ ହେଉଛ–ଆଉ କେଳା ହୋଇ ରହିବ କେମିତି ? ଆମ ଚଉଦ ପୁରୁଷ ଧରି ବାପା ଅଜା ଗୋସବାପାମାନେ ବାର ଗାଁ ବୁଲି ସାପ ଖେଳାଉଥିଲେ, ଗାଁ ମୁଣ୍ଡରେ ପଲା କରି ଡେରା ପକାଉଥିଲେ, ସାପ ଖେଳାଉଥିଲେ, ଜଡ଼ିବୁଟି ବିକ୍ରି କରୁଥିଲେ, ଆମ ସ୍ତ୍ରୀ ଲୋକମାନେ ଚିତା କୁଟାଉଥିଲେ, ମନୋହରି ଜିନିଷ ବିକ୍ରି କରୁଥିଲେ । କିନ୍ତୁ ତୁମେ ଏବେ ପାଣ, ବାଉରି, କଣ୍ଡରା, ଖଣ୍ଡେଇତ, ବ୍ରାହ୍ମଣ ଲୋକଙ୍କ ସାଙ୍ଗରେ ଏକ ହେଇ ରହିବାକୁ ଚାହିଁଲଣି, ଗାଁ ମୁଣ୍ଡର ପଲା ଛାଡ଼ି କୋଠାଘରେ ରହିବାକୁ ଇଚ୍ଛା କଲଣି । ପାଣ, ବାଗୁତି, ଖଣ୍ଡେଇତ, ଗୋଖା, କନ୍ଧ, ସାନ୍ତାଳ ଘରେ ବାହା ହବାକୁ ଚାହିଁଲଣି । ଆଉ କେଳା ସମାଜ ରହିବ କେମିତି ? ଯଦି ସମସ୍ତେ ଚାହଁ କୋଠାଘରେ ରହିବ, ସମସ୍ତଙ୍କ ସହିତ ଚଳିବ, ନିଜ ଚଉଦ ପୁରୁଷର ଜୀବିକା ଛାଡ଼ିବ, ପାଠ ପଢ଼ି ହାକିମ ହେବ, ତେବେ ହୁଅ, ମୁଁ ମନା କରିବି କାହିଁକି ? କିନ୍ତୁ ଆସନ୍ତାକାଲି ତୁମେ ନୂଆ ଘରକୁ ଯାଇ ରହିବା ପୂର୍ବରୁ ମୁଁ ଏ ଗାଁ ଛାଡ଼ି ଚାଲିଯିବି । ମୁଖିଆ ହେଇ ମୁଁ ଏହା ଦେଖି ପାରିବି ନାହିଁ । ମୋ ପୂର୍ବରୁ ଏ ଗାଁରେ ଯେଉଁମାନେ ମୁଖିଆ ହୋଇଥିଲେ–ତାଙ୍କ କଥା ତଳେ ପଡ଼ୁ ନଥିଲା । ପକାଇଲା ଛେପକୁ ଟୋକାଏ ହାତ ପତାଇ ଦେଉଥିଲେ । ଏବେ ମୋ କଥାକୁ କେହି ଶୁଣୁ ନାହାନ୍ତି । ତେଣୁ ମୁଁ ଆଉ ମୁଖିଆ ହୋଇ ରହିବାକୁ ମଧ୍ୟ ଚାହେଁ ନାହିଁ ।”

 

ବୁଢ଼ା ବୁଢ଼ା ଲୋକେ ଡରିଗଲେ ମନେଇ ଦାସର କଥା ଶୁଣି । ସତକଥା–କେଳା ସମାଜର କେହି କ’ଣ ଆଗେ ମୂଲ ଖଟି ଯାଉଥିଲେ ? ସାପ ଥିଲା ତାଙ୍କ ଜୀବିକା, ଏବେ ପାଠ ପଢ଼ିଲେଣି, ମୂଲ ଖଟି ଗଲେଣି । ଆଉ କେଳା ସମାଜ ରହିବ କିପରି ?

 

ପୁଣି ଗଳା ଝାଡ଼ି କହିବାକୁ ଆରମ୍ଭ କଲା ମନେଇ ଦାସ–‘‘ଆମ ଗାଁ ଦେଇ ନୂଆ ରେଲ ଲାଇନ ଯାଉଛି । କାଲି ସକାଳୁ ପ୍ରଥମେ ରେଳ ଚାଲିବ । ଏବେ ଆମ ଲୋକେ ଆଉ ସାପ ଖେଳାଇ ନ ଯାଇ, ସାପ ଧରି ନ ଯାଇ, ରେଳ ଷ୍ଟେସନ ନିକଟରେ ଦୋକାନ ବଜାର କରି ପଇସା ଉପାର୍ଜନ କରି ପାରନ୍ତି, ବଡ଼ଲୋକ ହୋଇ ପାରନ୍ତି, ଏଥିରେ ଆମ ଜାତିର ମହତ ରହିବ କେମିତି ! ଯଦି ତୁମେ ସମସ୍ତେ ଚାହଁ ନୂଆ ଘରେ ରହିବ, ନୂଆ ଧନ୍ଦା କରିବ, ଜମି ପାଇ ଚାଷ କରିବ, ତେବେ କର । ମୁଁ ଆଜି ଗାଁ ଛାଡ଼ି ଚାଲିଯିବ ।” ଏତକ କହୁ କହୁ ମନଇ ଦାସର ଖାଲୁଆ ଗଣ୍ଡଦେଶ ଦେଇ ବହି ପଡ଼ିଲା ଦୁଇଟି ଲୁହ ଧାର । ଗାମୁଛା କାନିରେ ଲୁହ ପୋଛି ଜୋର ଦେଇ କହିଲା ସେ–“ମୂକ ହୋଇ ସମସ୍ତେ ବସିଛ କାହିଁକି ? ଉତ୍ତର ଦିଅ ?”

 

ଚିହିଁକି ଉଠିଲେ ଗରିବ ଦାସ ଏବଂ ଶାମ ଦାସ । ‘‘ଆମେ ଶପଥ କରୁଛୁ ମନେଇ ମଉସା ! ନୂଆ ଘରକୁ ଯିବୁ ନାହିଁ, ଦାନ ଜମି ନେବୁ ନାହିଁ । ଅନ୍ୟ ଧନ୍ଦା କରିବୁ ନାହିଁ । ଆମ ଗାଁର ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଛାଡ଼ିବୁ ନାହିଁ । ଯଦି ଆମ କଥା ନ ମାନି କେହି ଏ ଗାଁର କଥାରୁ ବାହାରି ଯାଏ–ତେବେ ତାକୁ ଜୋର ଜବରଦସ୍ତ ଏ ଗାଁରୁ ତଡ଼ି ଦେବୁ ।”

 

କଥା ଶୁଣି ଉତ୍ତେଜିତ ହୋଇଉଠିଲା ମନେଇ ଦାସ । କହିଲା–“ଏ ସବୁ ମୁହଁ ଭୁରୁଡ଼ି । ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ?”

 

ଠିଆ ହୋଇପଡ଼ିଲା ଗରିବ । କହିଲା–‘‘କେହି ନକଲେ ମୁଁ କରିବି, ମୋତେ ଶାମ, ସଦେଇ, ଗୁଣ୍ଡୁଚି ସମସ୍ତେ ସାହାଯ୍ୟ କରିବେ, ଅସମ୍ଭବ କିଛି ନୁହେଁ ।’’ ଗରିବର କଥାରେ ସ୍ଵର ମିଳାଇ କହିଲା ସଦେଇ–‘‘ହଁ ମଉସା ! ଆମେ ଅଛୁ, ସବୁ କରିବୁ, ପଦ୍ମପୋଖରୀ ହୁଡ଼ା ଉପରକୁ ଯିବା ଆସିବା ଆଜିଠାରୁ ବନ୍ଦ୍‌ । ଗତକାଲି ବ୍ୟୋମକେଶ ଆଚାର୍ଯ୍ୟ କହିଯାଇଛନ୍ତି–ଆସନ୍ତାକାଲି ମନ୍ତ୍ରୀ ଆସିବେ, ନୂଆ ଘର ଉଦ୍‌ଘାଟିତ ହେବ, ଆମ୍ଭମାନଙ୍କୁ ଦିଆଯିବ । କିନ୍ତୁ ଆମେ କେହି ସଭାକୁ ଯିବୁ ନାହିଁ । ମନ୍ତ୍ରୀଙ୍କ ଠାରୁ ଘର ପାଇଁ ପଟା ନେବୁ ନାହିଁ ।”?

 

ହାତଟାକୁ ମାଟିରେ ପିଟି କହିଲା ଗୁଣ୍ଡୁଚି–“କେବଳ ଆମେ ପଦ୍ମପୋଖରୀ କୂଳକୁ ଯିବା ବାରଣ କଲେ ହେବ ନାହିଁ, ଆମ କେଳା ସାହିର କୁଆ ଛୁଆଟାଏ ମଧ୍ୟ ସେଠାକୁ ନ ଯିବା ଉଚିତ । କିନ୍ତୁ ସମସ୍ତେ ଆମ କଥା ମାନିବେ ତ ?”

 

–“ହଁ ନିଶ୍ଚୟ ମାନିବେ, ଯିଏ ନ ମାନିବ, ତାକୁ ଏ ଗାଁରୁ ବାହାର କରି ଦିଆଯିବ’’ କହିଲା ସଦେଇ ।

 

ବସିବା ସ୍ଥାନରୁ ଉଠିପଡ଼ି ଶାମ କହିଲା–‘‘ଆମେ ସିନା ବନ୍ଦ୍‌ ହୋଇ ରହିବା, କିନ୍ତୁ କେଶବ ଏବଂ ଫୁଲମନିଙ୍କୁ ବନ୍ଦ୍‌କରି ରଖିବ କିଏ ? ସେମାନେ ଆମ କଥା ମାନବେ ନାହିଁ ।”

 

ଏଥର ରାଗିଉଠିଲା ମନେଇ ଦାସ । କହିଲା–‘‘କେଳା ଟୋକୀ ଫୁଲମନିର ଏଡ଼େ ହିମତ ! ଆମ କଥାକୁ ସେ ଏଡ଼େଇ ଦେବ ? ତେବେ ଦିନ ଦିପହରେ ଗାଁ ଭିତରୁ ତାକୁ ଟେକିନେଇ ଦେଖିଲା କାମ କରାଯିବ । ନଚେତ୍‌ ଘରେ ଚାବି ପକାଇ ରଖି ଦିଆଯିବ । ତା’ କଥା ଚିନ୍ତା କରନାହିଁ । କେବଳ ବଳ ନାହିଁ କେଶବକୁ ।”

 

ଗୁଣ୍ଡୁଚି ମୁଣ୍ଡରେ ହାତ ଘଷି ଘଷି କହିଲା–“କେଶବ କଥା କ’ଣ କରିବା କୁହ ମଉସା ।”

 

ବିଜ୍ଞ ବ୍ୟକ୍ତିପରି ଦୀର୍ଘନିଃଶ୍ଵାସ ପକାଇ କହିଲା ମନେଇ ଦାସ–“କେଶବ ଅମନା ପିଲା ନୁହେଁ । ସେ ଆମ କଥା ମାନନ୍ତା । ଆମ ସମାଜରେ ରହନ୍ତା । କେବଳ ତାକୁ ବିଗାଡ଼ି ଦେଉଛି ସେହି ଆଦିବାସୀ ଝିଅ କାପୁରା–”

 

କାପୁରା ନାମ ଶୁଣି ସମସ୍ତେ ତଳକୁ ମୁହଁ କଲେ । ସତକଥା, କୌଣସିରକମ୍‌ କାପୁରାକୁ ଗାଁ ମୁଣ୍ଡରୁ ବିଦାକରି ଦିଆଯାଇ ପାରିଲେ କେଶବକୁ ଫେରାଇ ଆଣି ହୁଅନ୍ତା, କେଳା ବସ୍ତିରେ ରଖି ହୁଅନ୍ତା ।

 

ଏମିତି ସମୟରେ ଦାନ୍ତରେ ନଖ ଛିଡ଼ାଉ ଛିଡ଼ାଉ କହିଲା ମନେଇ ଦାସ–‘‘ଉପାୟ ଅଛି-। କାପୁରାକୁ ଖତମ କରିହେବ । କିନ୍ତୁ ଏଥିପାଇଁ ଆଗକୁ ବାହାରିବ କିଏ ?”

 

ଗୁଣ୍ଡୁଚି ଆଗକୁ ବାହାରି ଆସି କହିଲା–‘‘ତମେ ଆଦେଶ ଦିଅ ମଉସା ! ଆମେ ସବୁ କରିବୁ । କେଳା ଜାତିର ରକ୍ଷା ପାଇଁ ଦରକାର ପଡ଼ିଲେ ଜୀବନ ଦେଇଦେବୁ ।” ଗୁଣ୍ଡୁଚିର ସ୍ଵର ସହିତ ସ୍ଵର ମିଳାଇ, ଶାମ, ସଦେଇ, ବାଇଧର ଇତ୍ୟାଦି ଯୁବକମାନେ ମଧ୍ୟ ଠିଆହୋଇ ପଡ଼ିଲେ ।

 

ଏଥର ଆନନ୍ଦରେ ହସ ହସିଲା ମନେଇ ଦାସ । ତା’ ବାସୁକେଦାର ଗଦ କାମ କରିଛି ପଦ୍ମକେଶରୀପୁରର ଗ୍ରାମବାସୀଙ୍କ ନିକଟରେ । ବାହାରେ ହାତ ବାଡ଼େଇ କହିଲା ସେ–‘‘ଆଉ ପରବାୟ ନାହିଁ । ଏଣିକି ମୁଁ ମୋର ଦେଖିଲା କାମ କରିବି । କେମିତି ପଦ୍ମପୋଖରୀ କୂଳରେ ନୂଆଘରେ ଲୋକ ରହିବେ, ମୁଁ ଦେଖିବି ।”

 

ହଠାତ୍‌ ସଭା ମଧ୍ୟରେ ଖେଳିଗଲା ଏକ ମୃଦୁ ଗୁଞ୍ଜନ । ମନେଇ ଦାସଙ୍କୁ ସାହାଯ୍ୟ କର-। ନଚେତ୍‌ ଆମ କେଳା ସମାଜ ନଷ୍ଟ ହୋଇଯିବ । ଆମ ଜୀବିକା ବୁଡ଼ିଯିବ ।

 

ଉଚ୍ଚ ସ୍ଵରରେ ଏଥର ପାଟିକରି କହିଲା ମନେଇ ଦାସ–“ସଭା ଶେଷ ହେଲା । ତୁମେ ଯେ ଯାହା କାମରେ ଯାଅ । କେବଳ ଗରିବ, ଶାମ, ସଦେଇ, ଗୁଣ୍ଡୁଚି ରହିଯାଅ । ତୁମ୍ଭମାନଙ୍କୁ ମୋ କଥା ଅନୁସାରେ ଅସାଧ୍ୟ କାମ କରିବାକୁ ହେବ ।”

 

ମନେଇ ଦାସର ଆଦେଶରେ ଗରିବ, ଶାମ, ସଦେଇ ଏବଂ ଗୁଣ୍ଡୁଚିଙ୍କୁ ଛାଡ଼ି ଉଠିଗଲେ ସମସ୍ତେ । ପାଟିକରି କହିଲା ମନେଇ ଦାସ–‘‘ମୋ ପାଖକୁ ଲାଗି ଆସରେ ଟୋକାଏ । ତୁମ ହାତରେ ସବୁ । ଠିକ୍‌ ଠିକ୍‌ କାମ ନ ଉଠାଇଲେ ବିପଦ ଘନେଇ ଆସିପାରେ ।”

 

ମନେଇ ଦାସର ନିକଟକୁ ଲାଗି ଆସିଲେ ଗୁଣ୍ଡୁଚି, ଶାମ, ସଦେଇ ଏବଂ ଗରିବ । ଚୁପ୍‌ ଚୁପ୍‌ କରି କହିଲା ମନେଇ ଦାସ–‘‘ଶୁଣ, ପ୍ରତ୍ୟେକ ଦିନ କେଶବ କାନ୍ଧରେ ଫାର୍ଶା ପକାଇ ବାଡ଼ି ଢିରା ଦେଇ ଚନ୍ଦକା ଝାଡ଼ ଜଙ୍ଗଲକୁ ଜାଳେଣି କାଠ ପାଇଁ ଯାଉଛି, ସନ୍ଧ୍ୟାବେଳକୁ ଫେରୁଛି, ଆଜି ମଧ୍ୟ ନିଶ୍ଚୟ ଯିବ ଏବଂ ସନ୍ଧ୍ୟାବେଳକୁ ଫେରିବ । ସେତିକିବେଳେ ପଟିଆ ତଳ ଆମ୍ବତୋଟା ନିକଟରେ ମୁଁ ତାକୁ ଅଟକାଇ ବୁଝାଇବାକୁ ଚେଷ୍ଟା କରିବି । କଥାବାର୍ତ୍ତା କରୁ କରୁ ଗାଁ ଭିତରକୁ ନେଇ ଆସିବି । ସେତେବେଳକୁ ଗରିବ, ଶାମ, ଗୁଣ୍ଡୁଚି ଝାଡ଼ ଜଙ୍ଗଲ ଭିତରେ ଶିଖରଚଣ୍ଡୀଙ୍କ ନିକଟରେ ଛପି ରହିବ ଏବଂ ସନେଇ ଯାଇ ପଦ୍ମପୋଖରୀ କୂଳରେ କାପୁରାକୁ ଖବର ଦେବ–କପୁରା ! କେଶବ ଗଛରେ ଚଢ଼ି ଜାଳେଣି କାଠ କାଟୁ କାଟୁ ଗଛରୁ ପଡ଼ିଯାଇଛି । ଗୋଡ଼ ହାତ ଭାଙ୍ଗିଯାଇଛି । ମୁଣ୍ଡ ଫାଟି ଯାଇଛି । ପଡ଼ିଛି ଶିଖରଚଣ୍ଡୀଙ୍କ ନିକଟରେ । ଶୀଘ୍ର ଦୌଡ଼ିଆ । ଏ କଥା ଶୁଣିପକାଇ କାହାକୁ ନ ଡାକି ବିକଳରେ ଶିଖରଚଣ୍ଡୀ ପର୍ଯ୍ୟନ୍ତ ଦୌଡ଼ିବ ସେ । ସେତେବେଳକୁ ବଣ ଭିତରେ ଅନ୍ଧାର ଘନୀଭୂତ ହୋଇଥିବ, ତା’ପରେ ତୁମ ଦେଖିଲା କାମ ତୁମେ କରିବ ।”

 

ମନେଇ ଦାସର ପରାମର୍ଶ ଶୁଣି ସତେଜ ହୋଇଉଠିଲେ ସମସ୍ତେ । ଅଣ୍ଟା ଭିଡ଼ି କହିଲା ଗରିବ–‘‘ପାରିବୁ…ପାରିବୁ ମଉସା ! ତୁମେ ମୋଟେ ଚିନ୍ତା କର ନାହିଁ । ଆମେ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହୋଇ ପଡ଼ୁଛୁ ।”

 

ଉଠିଲେ ଚାରିଜଣଯାକ ଯୁବକ । ତାଙ୍କ ମନ ଭିତରେ ଜଳି ଉଠିଲା ପ୍ରତିହିଂସାର ବହ୍ନି । ସେମାନେ ଭାବିଲେ ଆମ ସମାଜକୁ ନଷ୍ଟ କରୁଛି, ବିପଥଗାମୀ କରୁଛି କେବଳ ସେହି ଆଦିବାସୀ ବାଳିକା କାପୁରା । ତାକୁ ଶେଷ କରିଦେଲେ ଗଉଡ଼ିଆ କେଳା ସମାଜ ପୁଣି ଏକହୋଇ ରହିଯିବ ।

 

ଯୁବକମାନଙ୍କର ମନର ଉତ୍ତାପ ଅନୁମାନ କରିନେଇ ମନେ ମନେ ଶକୁନିର ହସ ହସିଲା ମନେଇ ଦାସ । ଭାବିଲା ସେ–ଏଥର ମୋର ଗାଁ ଭତରେ ଅଖଣ୍ଡ ରାଜତ୍ୱ, ଆମର ଗାଁ ଫାଟିବ ନାହିଁ । ମୁଁ ମୁଖିଆ ହୋଇ ରହିପାରିବି ଚିରଦିନ ।

 

ତା’ପରେ ଠିଆହୋଇ ଶାମ, ଗୁଣ୍ଡୁଚି, ସଦେଇ ଏବଂ ଗରିବଙ୍କ ପିଠିରେ ହାତ ବୁଲାଇ କହିଲା–‘‘ଟୋକାଏ ! ତୁମେ କେଳା ଜାତିର ମାନ ରଖିବ । ପଦ୍ମକେଶରୀପୁରର ଏକତା ଫେରାଇ ଆଣିବ । ଆବଶ୍ୟକ ମନେହେଲେ ଆମେ ନୂଆ ହୋଇ ତିଆରି ହୋଇଥିବା ପଦ୍ମପୋଖରୀ କୂଳର ଘରଗୁଡ଼ିକୁ ମଧ୍ୟ ଭାଙ୍ଗିରୁଜି ଉଡ଼ାଇ ଦେବା । ସେ ପୋଖରୀ ହୁଡ଼ା ଆମ ଗାଁର । ତା’ ଦେହରେ ବାର ଜାତିର ଲୋକେ ରହିବେ କାହିଁକି ?”

 

ମୁଣ୍ଡ ଟୁଙ୍ଗାରି ସମର୍ଥନ କରି ଆଗକୁ ଆଗେଇବାରେ ଲାଗିଲେ ଯୁବକମାନେ । ଫାଙ୍କା ହସ ହସି ସେମାନଙ୍କୁ ଏକ ଲୟରେ ଚାହିଁଥିଲା ମନେଇ ଦାସ ।

 

ସେଦିନ ଅପରାହ୍ନର ଆକାଶ ଶ୍ରୀପର୍ବତର ଚୂଡ଼ା ଉପରେ ଏକ ଅପୂର୍ବ ବର୍ଣ୍ଣଛଟାର ଶୋଭା ସୃଷ୍ଟି କରିଥିଲା । ହସୁଥିଲା ଶ୍ରୀପର୍ବତ ଅତୀତର ଗୌରବ ମୁଣ୍ଡରେ ବହି । ଦିନେ ଏ ପର୍ବତ ଥିଲା ଜୈନ, ବୌଦ୍ଧ ଏବଂ ସନାତନ ଆର୍ଯ୍ୟ ଧର୍ମର ପ୍ରଚାରକମାନଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ । ଆଜି ହୁଏତ ସେ ପ୍ରଚାରକ ନାହାନ୍ତି, ସେ ସାଧକ ନାହାନ୍ତି ତଥାପି ମୌନ ସନ୍ନ୍ୟାସୀ ଭଳି ନିଜ ଦାର୍ଶନିକ ଭାବରାଜିକୁ ବହନ କରି ମୁଣ୍ଡଟେକି ଠିଆ ହୋଇଛି ସେ । ଶ୍ରୀପର୍ବତର ପାଦଦେଶ ଘଞ୍ଚ ଜନବସତିରେ ପରିଣତ ହୋଇଛି ଏବଂ ଅତୀତର ଜନବସତି ପୂର୍ଣ୍ଣ ସାରଙ୍ଗଗଡ଼ ଭଗ୍ନଜାନୁ ସୈନିକ ଭଳି କ୍ରନ୍ଦନ କରି ରୋମନ୍ଥନ କରୁଛି ଅତୀତକୁ । ତଥାପି....

 

କେଳାବସ୍ତିରେ ଅପରାହ୍ନର ଧୂମକୁଣ୍ଡଳୀ ଆକାଶକୁ ଖେଦି ହୋଇ ଭାସିଚାଲିଛି ଶ୍ରୀପର୍ବତ ଆଡ଼େ । ସେହି ଧୂମକୁଣ୍ଡଳୀ କହୁଛି–କେବଳ ପଦ୍ମକେଶରୀପୁରର ଗଉଡ଼ିଆ ସାପୁଆକେଳା ନୁହଁନ୍ତି–କଟକ, ପୁରୀ ଏବଂ ବାଲେଶ୍ଵର ଇତ୍ୟାଦି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବାସ କରନ୍ତି ଅନେକ ଜାତିର କେଳା । ଏମାନେ ଏକ ସ୍ଵତନ୍ତ୍ର ଉପଜାତିର ଲୋକ । ଜାତିଆଣ ଦୃଷ୍ଟିରୁ ଏମାନଙ୍କର ସ୍ଵତନ୍ତ୍ର ପରମ୍ପରା ନାହିଁ । କଳହପ୍ରିୟ ଏବଂ ଗରିବ ଏ କେଳା ସମ୍ପ୍ରଦାୟ । ଗଣ୍ଡିଆ, ସବାଖିଆ, ନଳୁଆ, ମାଟିଆ, ବାଜିକାରିଆ, ଅଇରି ଗଉଡ଼, ଚାଉଳିଆ, ଘୁଷୁରିଆ, ପଠାଣିଆ, କାଜୁଆ, ମାଳିକଟା, ନାଗେଶ୍ଵରୀଆ ଏବଂ ସାପୁଆକେଳାଙ୍କ ମଧ୍ୟରୁ ଘୁଷୁରିଆ କେଳା କଟକର ଖାନନଗର, ସବାଖିଆ ଜଟଣୀର ଅହିରାଜପୁର, ନାଗେଶ୍ୱରୀଆ ପୁରୀ ଜିଲ୍ଲାର ଗୋପ, ବାଜିକାରିଆ କନ୍ଦରପୁର, ପଠାଣିଆ କେଳା ବାଳକାଟୀର ବାୟାପଡ଼ା, ମୁଣ୍ଡପୋତା କେଳା ବ୍ରହ୍ମପୁର, କାଜୁଆ କେଳା ଭଦ୍ରଖର କଣ୍ଟି, ନଳୁଆ କେଳା କେନ୍ଦାଳ ନିକଟ ମଙ୍ଗଳପୁର, ମାଟିଆ କେଳା କାକଟପୁରର ତିରଣକଣ୍ଟା, ଦୁମ୍‌ଦୁମା କେଳା ବାରଙ୍ଗର ଜାଲି ଏବଂ କଣ୍ଡରା କେଳା ଓ ସାପୁଆକେଳା ପଟିଆ ପଦ୍ମକେଶରୀପୁରରେ ପରିଦୃଷ୍ଟ ।

 

ଏମାନେ କହନ୍ତି, ପ୍ରଥମେ କେଳା ବୋଲି କିଛି ଜାତି ନଥିଲା । ଧାତୁଦଗ୍ଧ କେଳା ନାମରେ ଜଣେ ବ୍ୟକ୍ତି ଥିଲା । ସେ ଥିଲା ଧାତୁ ଦ୍ରବ୍ୟର ଭଲ କାରିଗର । ତା’ର ଛଅ ଝିଅ । ଏ ଛଅ ଝିଅଙ୍କୁ ବିବାହ କରିବା ପାଇଁ ନାନ୍‌ଚଳା, ସନ୍ତୋଷଗୁରୁ, ଦ୍ଵାରୀ, ଯୋଗୀ, ବାଗୁତି ଏବଂ ପାତ୍ର ନାମକ ଛଅଜଣ ଯୁବକ ପ୍ରସ୍ତାବ ଦେଲେ । କିନ୍ତୁ ଧାତୁଦଗ୍ଧ ଭଣ୍ଡାରୀ ନାୟକ ଏ ପ୍ରସ୍ତାବରେ ରାଜି ହେଲାନାହିଁ । କାରଣ ସ୍ତ୍ରୀ ଏବଂ ସେ ଚଳିବା ପାଇଁ ଆଉ କିଛି ସାହାରା ନଥିଲା । ତେଣୁ ଶେଷରେ ରାଜାଙ୍କ ନିକଟିକୁ କଥା ଗଲା । ରାଜା ଆଦେଶ ଦେଲେ ଝିଅମାନଙ୍କୁ ସେ ଯୁବକଙ୍କ ସହିତ ବିବାହ ଦେବା ପାଇଁ । ଶେଷରେ ଭାତ ଏବଂ ପର୍ବତ କାଉଁରିଆ ଶାଗ ରନ୍ଧାଯାଇ ବିବାହ ସମ୍ପନ୍ନ ହେଲା ।

 

ନାନ୍‌ଚଳା, ସନ୍ତୋଷ ଗୁରୁ ଏବଂ ଦ୍ଵାରୀ ତିନି ଝିଅଙ୍କୁ ବିବାହ କରି ତାମଲି, ଖୁରୁଡ଼ା ଏବଂ କାଳନ୍ଦୀ ଜାତିର ଲୋକ ସୃଷ୍ଟିକଲେ । ଏମାନଙ୍କ ବ୍ୟତୀତ ଯୋଗୀ, ବାଗୁତି, ପାତ୍ର ଏବଂ ଧାତୁଦଗ୍ଧ ଭଣ୍ଡାରୀ ନାୟକ ଚାରି ବନ୍ଧୁ ଦଳ ସୃଷ୍ଟିକଲେ–ସେମାନେ ହେଲେ ନନ୍ଦଗୁରୁ, ପ୍ରସାଦ, ପରମାଣିକ ଏବଂ ନାୟକ । ଏଇ ଚାରି ଦଳର ବ୍ୟକ୍ତିଙ୍କ ସହିତ କଣ୍ଡରାକେଳା ମଧ୍ୟ ଅଛନ୍ତି । ପଦ୍ମକେଶରୀପୁରର କେଳା ଝିଅ କଣ୍ଡରାକୁ ବିବାହ କରି ସୃଷ୍ଟି ହୋଇଥିଲେ କଣ୍ଡରା କେଳା । କଥା ଅଛି ଥରେ କେଳାମାନେ ଜୀବିକାର୍ଜନ ପାଇଁ ଦଳ ବାନ୍ଧି ଯାଉଥିବା ସମୟରେ ଗୋଟିଏ ଝିଅକୁ ଭଲ ପାଇଲା ଗାଁର କଣ୍ଡରା ଚୌକିଦାର । ଝିଅଟି ଗର୍ଭବତୀ ହୋଇଗଲା । ତେଣୁ କେଳାମାନେ କଣ୍ଡରା ଲୋକକୁ ବାଧ୍ୟ କଲେ ଝିଅଟିକୁ ବିବାହ କରିବା ପାଇଁ । କଣ୍ଡରା ପ୍ରସ୍ତାବରେ ରାଜି ହେଲା ଏବଂ ଅନୁରୋଧ କଲା ଆଉ ଗୋଟିଏ ଝିଅ ତା’ର ସାନ ଭାଇକୁ ଦେବା ପାଇଁ । କେଳାମାନେ ସମ୍ମତ ହେଲେ ଓ ତା’ର ସାନ ଭାଇ ହାତରେ ଆଉ ଗୋଟିଏ ଝିଅ ଦେଲେ । ଏଇ ଦୁଇ ଭାଇଙ୍କୁ କେନ୍ଦ୍ରକରି ସୃଷ୍ଟି ହେଲା କଣ୍ଡରା କେଳା । ସେମିତି କେଳା ଝିଅ ଓ ପଠାଣଙ୍କୁ ନେଇ ଜନ୍ମନେଲେ ପଠାଣିଆ କେଳା ।

 

ଏଇ ଗଉଡ଼ିଆ ସାପୁଆକେଳା ପ୍ରଥମେ ମେଦିନାପୁର ଅଞ୍ଚଳରୁ ଆସି ରହିଥିଲେ ତିଗିରିଆ ନିକଟରେ । ସମୟ କ୍ରମେ ସେଠାରୁ ଗଲେ ଟାଙ୍ଗି ଗୋଡ଼ିପାଟଣା । ତା’ପରେ ପହଞ୍ଚିଲେ ଏଇ ପଟିଆ ନିକଟରେ ।

 

ଏମାନେ ଗରିବ । ସାପ ଖେଳାଇବା ପ୍ରଧାନ ଜୀବକା । ବର୍ଷସାରା ଗାଁକୁ ଗାଁ ବୁଲନ୍ତି ଦଳବଦ୍ଧ ହୋଇ । ଛଅରୁ ବାର ପରିବାରଙ୍କୁ ନେଇ ସୃଷ୍ଟିହୁଏ ଦଳ । କେବଳ ଦୋଳ, ରଜ, ଦଶହରା ଏବଂ ପୟା ଅମାବାସ୍ୟା ଇତ୍ୟାଦି ପର୍ବମାନଙ୍କରେ ଫେରି ଆସନ୍ତି ଘରକୁ । ଏମାନେ ଜୀବିକା ପାଇଁ ଗାଁକୁ ଗାଁ ଗଲାବେଳେ ସଙ୍ଗରେ ସ୍ତ୍ରୀ ଏବଂ ପିଲାମାନଙ୍କୁ ଘେନି ଯାଆନ୍ତି–କେବଳ ଗର୍ଭବତୀ ଓ ରୋଗଗ୍ରସ୍ତ ସ୍ତ୍ରୀ ରହେ ଘରେ ।

 

କୌଣସି ଗ୍ରାମକୁ ଯିବା ପୂର୍ବରୁ ଗାଁରେ ଆଲେଚନା ହୁଏ । ଅଞ୍ଚଳ ସମ୍ପର୍କରେ ଟିକିନିଖି ଖବର ନିଆଯାଏ, ବାତ୍ୟା ମରୁଡ଼ି କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟର ବିଚାର ପରେ ଆରମ୍ଭ ହୁଏ ଏମାନଙ୍କର ଯାତ୍ରା ।

 

ବିଦେଶ କରି ଯାଉଥିବା ଦଳଟିର ଜଣେ ହୁଏ ଦଳପତି । ସେ ବାଟ କଢ଼ାଏ । ଆବଶ୍ୟକ ମନେହେଲେ ଗୋଟିଏ ଦଳ ଦୁଇ ତିନି ଦଳରେ ବିଭକ୍ତ ହୋଇ ଯାତ୍ରା କରନ୍ତି ବିଭିନ୍ନ ସ୍ଥାନକୁ । ଏମାନେ ନିଜକୁ କହନ୍ତି ମାଙ୍ଗତା, ଅର୍ଥାତ୍ ମାଗି ବଞ୍ଚିବା ଏମାନଙ୍କର ଧର୍ମ ।

 

ଜାତି ଧର୍ମ ନିର୍ବିଶେଷରେ ସବୁଘରୁ ଖାଆନ୍ତି କେଳାମାନେ । ଏମାନଙ୍କର ଯୌନ ଚର୍ଯ୍ୟାରେ ବାଛବିଚାର ନାହିଁ । ବିବାହ ଏମାନଙ୍କର ପବିତ୍ର ବନ୍ଧନ ନୁହେଁ–ଏକ ସାମାଜିକ ଚୁକ୍ତି । ଏ ଚୁକ୍ତି ଯେକୌଣସି ସମୟରେ ରଦ୍ଦ ହୋଇପାରେ । ବିବାହ ପାଇଁ ବୟସ ଅବା ଯୋଗ୍ୟତା ବିଚାରକୁ ନିଆଯାଏ ନାହିଁ । ଯେକୌଣସି ରମଣୀର ସ୍ଵାମୀ ନ ଥିଲେ ସେ ଅଯୋଗ୍ୟା ବୋଲି ବିବେଚିତ ହୁଏ-। ଖୁବ୍ କମ୍ ବୟସରେ ବିବାହ କରନ୍ତି ଏମାନେ ।

 

କେଳା ସମାଜର ନିୟମ ଅନୁସାରେ ଗୋଟିଏ ବାପ ମାଆଙ୍କର ପୁଅ ଝିଅ ପରସ୍ପର ବିବାହ କରି ପାରିବେ ନାହିଁ କିମ୍ବା ସ୍ତ୍ରୀର ବଡ଼ ଭଉଣୀ ସାନ ଭାଇର ସ୍ତ୍ରୀକୁ ବିବାହ କରିହେବ ନାହିଁ-। ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ତା’ ବଡ଼ ଭଉଣୀକୁ ବିବାହ କରିହେବ ଏବଂ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ସାନଭାଇର ସ୍ତ୍ରୀକୁ ମଧ୍ୟ ବିବାହ କରିହେବ, କିନ୍ତୁ କେଳା ସମାଜ ବାହାରେ ଅନ୍ୟ ଜାତିରେ ବିବାହ କରିବା ମନା । ଏ ହେଲା ସେର୍‌ହିର ନିୟମ । ଠିକ୍ ସେମିତି ସଦାମତ୍ ନିୟମ ଅନୁସାରେ କନ୍ୟା ବରର କଥା ମାନିବ ଏବଂ ସାଙ୍ଗଆଙ୍କ ପ୍ରଥା ଅନୁସାରେ ନବ ବିବାହିତ ଦମ୍ପତି ପାଇଁ ପୁଅର ବାପ ମାଆ ଗୋଟାଏ ବର୍ଷ ସାହାଯ୍ୟ କରିବେ । ସେମାନେ ନିଜ ଗୋଡ଼ରେ ନିଜେ ଠିଆହୋଇ ପାରିଲେ ଗୋଟାଏ ବର୍ଷ ପରେ ଭିନ୍ନ ପରିବାର ଗଠନ କରିବେ । ପୁଅର ବାପ ମାଆ ନବ ଦମ୍ପତିଙ୍କୁ ସାହାଯ୍ୟ ନ କଲେ ଝିଅର ବାପ ମାଆ ଜାତିଆଣ ସଭାରେ ଆପତ୍ତି କରି ପାରନ୍ତି । ଆଉ ଗୋଟିଏ ପ୍ରଥା ହେଲା ଭାରଆଙ୍କ । ଏ ପ୍ରଥା ଅନୁସାରେ ବହୂର ପ୍ରଥମ ଗର୍ଭ ସମୟରେ ଶାଶୁ ଶଶୁର ବହୂ ପାଖରେ ରହିବେ । ଝିଅ ବାପଘରେ ଥିଲେ ଶାଶୁ ଶଶୁର ବହୂ ପାଖରେ ରହିବେ-। ଝିଅ ବାପଘରେ ଥିଲେ ଶାଶୁ ଯାଇ ଘର କାମରେ ସାହାଯ୍ୟ କରିବେ । ବହୁରୂପ ପ୍ରଥା ଅନୁଯାୟୀ କେଳାମାନେ ଘର ଛଡ଼ା ଅନ୍ୟ ସ୍ଥାନରେ ଜନ୍ମ କିମ୍ବା ମୃତ୍ୟୁକୁ ଦୋଷାବହ ବୋଲି ବିଚାର କରନ୍ତି-

 

ଗଉଡ଼ିଆ ସାପୁଆକେଳା ପରିବାରରେ ବିବାହ ପାଇଁ ଝିଅ ମାଆର ମତାମତ ଅଧିକ ଆବଶ୍ୟକ ।

 

ପ୍ରଥମ ବିବାହ ମୁଖ୍ୟତଃ ବାପ ମାଆ ଠିକ୍ କରନ୍ତି । ପୂର୍ବରୁ ବିବାହ ନିର୍ଦ୍ଧାରିତ ହୋଇଗଲେ ଝିଅ ପୁଅର ଘର କାମରେ ସହଯୋଗ କରିପାରେ, ସେଥିପାଇଁ ଖାଇବା ପିନ୍ଧିବା ମଧ୍ୟ ସେ ପାଇପାରେ । କିନ୍ତୁ ଶୋଇବା ପାଇଁ ରାତିରେ ଫେରିଆସେ ନିଜ ଘରକୁ । ଏ କେଳା ବସ୍ତିରେ କେତେକ ପୁରୁଷ ନିଜ ସ୍ତ୍ରୀଙ୍କ ଅପେକ୍ଷା ବୟସରେ ମଧ୍ୟ ଛୋଟ ।

 

ଏ ସମାଜରେ ପ୍ରେମ ବିବାହ ମଧ୍ୟ ପ୍ରଚଳିତ । ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ହେଲେ ମୁଦି ଆଦାନ ପ୍ରଦାନ କରାଯାଏ । ଏହାଛଡ଼ା ସାଧାରଣ ଲୋକ ଦେଖିବା ପରି ସ୍ଥାନରେ ପୁଅ ଝିଅ ପରସ୍ପର ଗୋବର ଫିଙ୍ଗାଫିଙ୍ଗି ହେଲେ ଧରି ନିଆଯାଏ ଯେ–ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଗଲା, କିମ୍ବା ସାଧାରଣ ସ୍ଥାନରେ ଝିଅର ଲୁଗା ଧରି ପୁଅ ଟାଣିଲେ ପ୍ରେମ ଜମାଟ ବାନ୍ଧେ । ଏପରି ଘଟଣା ଘଟିବା ପରେ କେହି ବିବାହ ପାଇଁ ଅରାଜି ହେଲେ ଜାତିଆଣ ସମାଜ ପୁଅ ଅବା ଝିଅଙ୍କୁ ଦଣ୍ଡ ବିଧାନ କରି ପାରନ୍ତି ।

 

ବିବାହ ପ୍ରସ୍ତାବ ପୁଅର ବାପ ମାଆ ଝିଅର ବାପ ମାଆଙ୍କୁ ଜଣାନ୍ତି । ତା’ପରେ ଝିଅର ବାପ ମାଆ ଅବା ଦାଦା ଗାଆଁର ଅନ୍ୟ ଦୁଇଜଣ ମୁଖିଆଙ୍କ ସହିତ ପୁଅ ଘରକୁ ଯାଇ କଥା ଠିକ୍ କରି ଜାତିଆଣ ସଭାକୁ ଜଣାଇ ଦିଅନ୍ତି ।

 

ଏ ସବୁ ପ୍ରାଥମିକ ବ୍ୟବସ୍ଥା ପରେ ନାହାକକୁ ପଚାରି ବିବାହ ଦିନ ନିର୍ଦ୍ଧାରିତ ହୁଏ । ପୂର୍ବେ କେଳା ସମାଜରେ ଯେକୌଣସି ଦିନ ବିବାହ ହେଉଥିଲା । ଏବେ ନାହାକର ପରମର୍ଶ ଅନୁସାରେ ଦିନ ଠିକ୍ ହେଉଛି । ତା’ପରେ ଜାତିଆଣ ସଭା ଜଣେ ବିବାହିତ ଅବା ଅବିବାହିତ ଟୋକା ଏବଂ ଜଣେ ଟୋକୀଙ୍କୁ ବ୍ରାହ୍ମଣ ବ୍ରାହ୍ମଣୀ କରନ୍ତି । ଗୋଟିଏ ବନ୍ଧୁ ଦଳର ପୁଅ ଝିଅ ବିବାହ କରୁଥିଲେ ଅନ୍ୟ ତିନିବନ୍ଧୁ ଦଳରୁ ତିନି ଯୋଡ଼ି ବ୍ରାହ୍ମଣ ବ୍ରାହ୍ମଣୀ ଠିକ୍ କରିବାକୁ ହୁଏ । କୌଣସି ଦୁଇ ବନ୍ଧୁ ଦଳରୁ ପୁଅ ଝିଅ ବିବାହ କରୁଥିଲେ ଅନ୍ୟ ଦୁଇ ବନ୍ଧୁ ଦଳରୁ ବ୍ରାହ୍ମଣ ବ୍ରାହ୍ମଣୀ ଠିକ୍ ହୁଅନ୍ତି-

 

ବାହାଡ଼ା ଫୁଲର ହାର ପ୍ରସ୍ତୁତ କରନ୍ତି ବ୍ରାହ୍ମଣ ଏବଂ ବ୍ରାହ୍ମଣୀ । ଏଇ ବ୍ରାହ୍ମଣ ବ୍ରାହ୍ମଣୀ ପ୍ରଥମେ ଯାଇ ଝିଅକୁ ମାଳ ଓ ସିନ୍ଦୂର ଦିଅନ୍ତି । ଏମାନେ ଚାରି ପତରିଆ ପଙ୍ଖା, ଚନ୍ଦନ ଏବଂ ଫୁଲ ନେଇ ଜାତିଭାଇଙ୍କର ଚର୍ଚ୍ଚା କରନ୍ତି, ତା’ପରେ ଶୋଭାଯାତ୍ରା ଆରମ୍ଭ ହୁଏ । ବାଜା ବାଜେ, ଝିଅକୁ ପୁଅ ଘରକୁ ଅଣାଯାଏ । ଝିଅ ଆସି ବିବାହ ପାଇଁ ନିର୍ମିତ ବେଦୀ ନିକଟରେ ଅପେକ୍ଷା କରେ । ଏଠାରେ ମାଳ ବଦଳ ହୁଏ । ଝିଅ ଡାହାଣ ହାତ ଆଙ୍ଗୁଳିରେ ସିନ୍ଦୂର ଟିପା ନେଇ ପୁଅର ବାମ ବାହୁରେ ଦିଏ ଏବଂ ବାମ ହାତରେ ଡାହାଣ ବାହୁରେ ଦିଏ । ତା’ପରେ ଝିଅ ପୁଅର ବାମ ହାତର କାଣି ଆଙ୍ଗୁଳି ଧରେ । ଏ ସମୟରେ ବ୍ରାହ୍ମଣ ବ୍ରାହ୍ମଣୀ ସେମାନଙ୍କୁ ଜାତିଆଣ ବ୍ୟକ୍ତିମାନଙ୍କ ନିକଟକୁ ନେଇ ଯାଆନ୍ତି । ହୁଳହୁଳି ପଡ଼େ । ଗୀତ ଗାନ କରାଯାଏ ଏବଂ ଶୋଇଯାତ୍ରାରେ ପୁଣି ଝିଅ ଘରକୁ ଯିବାକୁ ହୁଏ । ସେଠାରେ ପହଞ୍ଚିବା ପରେ ବ୍ରାହ୍ମଣ ବ୍ରାହ୍ମଣୀ ବରକନ୍ୟାଙ୍କୁ ଖାଇବାକୁ ଦିଅନ୍ତି । ଏବେ ଏପରି ବିବାହରେ ହୋମ ହେଉଛି, କଳସ ବସୁଛି, ଦୋଳ ମୁକୁଟ ମଧ୍ୟ ବ୍ୟବହୃତ ହେଉଛି ।

 

ବିବାହ ଦିନ କେଳା ଗ୍ରାମର ଲୋକେ କାମ ବନ୍ଦ କରି ବିବାହରେ ଯୋଗ ଦିଅନ୍ତି । ଏମାନଙ୍କୁ ମଦ ବିତରଣ କରନ୍ତି ପ୍ରସାଦ ଦଳର ବ୍ୟକ୍ତିଗଣ । ଏ ବିବାହ ବନ୍ଧନ ପୁଣି ଅକ୍ଳେଶରେ ଛିଡ଼ିଯାଇ ପାରେ । ମନୋମାଳିନ୍ୟ, ରୋଗ ବୈରାଗ କିମ୍ବା ଯୌନ ଅକ୍ଷମତାରେ ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ପାରନ୍ତି । ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଛାଡ଼ପତ୍ର ଦେବାବେଳେ ଜାତିଆଣ ସଭାରେ କୁଟା ଖଣ୍ଡକୁ ଦିଖଣ୍ଡ କରି ସ୍ଵାମୀ କହେ–ମୋର ଆଜିଠାରୁ ସ୍ତ୍ରୀ ସହିତ କୌଣସି ସମ୍ପର୍କ ନାହିଁ । ସ୍ତ୍ରୀ ମଧ୍ୟ ଠିକ୍ ସେମିତି କହେ । ତା’ପରେ ଜଣେ ଜାତିଭାଇ ସେମିତି କୁଟା ଖଣ୍ଡକୁ ଦିଖଣ୍ଡ କରି ସମ୍ପର୍କ ଛିଡ଼ାଇଦିଏ-। ସାବ୍ୟସ୍ତ ହୁଏ ଛାଡ଼ପତ୍ର । ଛାଡ଼ପତ୍ର ପରେ ସ୍ତ୍ରୀ ସ୍ଵାମୀକୁ ଗହଣା ଗଣ୍ଠି ଫେରାଇ ଦିଏ-। ସ୍ତ୍ରୀର ପିଲାମାନଙ୍କ ଉପରେ ଅଧିକାର ରହେ ନାହିଁ । କିନ୍ତୁ ଛୁଆ ବର୍ଷକରୁ ଛୋଟ ହୋଇଥିଲେ ବର୍ଷକ ପାଇଁ ସ୍ତ୍ରୀ ପାଖରେ ରହେ ଏବଂ ସ୍ତ୍ରୀ ଗର୍ଭବତୀ ଥିବାବେଳେ ଛାଡ଼ପତ୍ର କାର୍ଯ୍ୟକାରୀ ହୁଏ ନାହିଁ-। କାରଣ ସ୍ଵାମୀର ଅଧିକାର ଥାଏ ଗର୍ଭସ୍ଥ ସନ୍ତାନ ଉପରେ ।

 

କେଳା ଜାତିର ମହିଳାମାନେ ଜାତିଆଣ ସଭାରେ ଭାଗନେଇ ପାରନ୍ତି । ଏମାନଙ୍କର ସ୍ଵାଧୀନତାରେ ଆଞ୍ଚ ଆସେ ନାହିଁ । ଏପରି କି ଅନ୍ୟମାନଙ୍କୁ ଦେଖାଇ କେଳା ପୁରୁଷ ସ୍ତ୍ରୀର ପାଦ ମଚାଳିଦିଏ । ଏ କେଳା ଜାତିର ଲୋକେ ପିଲାଙ୍କୁ ବେଶୀ ଭଲ ପାଆନ୍ତି ନାହିଁ । ପିଲାମାନେ ସ୍ଵାଧୀନଚେତ୍ତା । ଏମାନେ ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତି ଛୋଟ ଅବସ୍ଥାରେ ।

 

ସେହି ବିଚିତ୍ର ଗଉଡ଼ିଆ ସାପୁଆକେଳା ଜାତିର ମଣିଷ କେଶବ । କାନ୍ଧରେ ଜାଳେଣି କାଠଧରି ଏବଂ ବାଡ଼ିଟାକୁ ଢିରାଦେଇ ଫେରୁ ଫେରୁ ଭବୁଛି ମନେ ମନେ–ମୁଁ ସାନ୍ତାଳୀ ଝିଅ କାପୁରାକୁ ବିବାହ କଲେ ନୂଆ ସାନ୍ତାଳୀ କେଳା ସମାନ ସୃଷ୍ଟି କରିବି । ରହିବି ପଦ୍ମପୋଖରୀ କୂଳରେ ନିର୍ମିତ ପ୍ରାସାଦରେ । ଅପରାହ୍ନର ଲୋହିତ ସୂର୍ଯ୍ୟ କିରଣରେ ଆହୁରି ସତେଜ ଦିଶୁଛି ତା’ର ମୁଖମଣ୍ଡଳ । ଚିନ୍ତା କରୁଛି ସେ–କାପୁରା ଏବଂ ଫୁଲମନିକୁ ପଦ୍ମପୋଖରୀ କୂଳରେ ନୂଆ ଘର ସଜାଇବା କାମରେ ଲଗାଇ ଆସିଥିଲି ଜାଳେଣି କାଠ ସଂଗ୍ରହ ପାଇଁ ଚନ୍ଦକା ଝାଡ଼ ଜଙ୍ଗଲ ଭିତରକୁ । ସେମାନଙ୍କର କାମ ଶେଷ ହୋଇଥିବ । ଫେରିଆସିଥିବେ ସେମାନେ ଏକୁଟିଆ ବରମୂଳର କୁଡ଼ିଆ ଭିତରକୁ । ଜାଳେଣି କାଠ ଧରି ପହଞ୍ଚିଲେ ଆଜି ସହଳ ସହଳ ରୋଷେଇ ଶେଷକରି ଖାଇପିଇ ଶୋଇପଡ଼ିବୁ । ଆସନ୍ତାକାଲି ମନ୍ତ୍ରୀ ଆସିବେ ଗୃହ ଉଦ୍‌ଘାଟନ ପାଇଁ, ପଟିଆ କଡ଼ର ନୂଆ ରେଳ ରାସ୍ତାରେ ମଧ୍ୟ ସକାଳୁ ସକାଳୁ ନୂଆ ହୋଇ ରେଳ ଚାଲିବ । ତେଣୁ ସହଳ ଉଠି ଆମେ ଲାଗିଯିବୁ ପୁଣି କାମରେ । ଆସନ୍ତାକାଲି ଆଉ ଝାଡ଼ ଜଙ୍ଗଲକୁ ଆସି ଜାଳେଣି କାଠ ସଂଗ୍ରହ ସମ୍ଭବପର ହେବନାହିଁ । ଏମିତି ଭାବୁ ଭାବୁ ପଟିଆ ତଳ ଆମ୍ବତୋଟା ନିକଟରେ ପାଦଦେଲା କେଶବ । ଚାହିଁଲା ପଶ୍ଚିମ ଆକାଶକୁ–ସୂର୍ଯ୍ୟ ଅସ୍ତହୋଇ ସାରିଛନ୍ତ । ଦୂର ଶ୍ରୀପର୍ବତ ଆଡ଼ୁ ଅନ୍ଧାର ଜମାଟବାନ୍ଧି ଆସୁଛି । ଏମିତି ସମୟରେ କାହାର ଡାକ ଶୁଣି ଅଟକିଗଲା କେଶବ ।

 

–“କିଏ ? ମନେଇ ମଉସା ?”

 

–“ହଁ କେଶବ ! ମୁଁ ମନେଇ ମଉସା । କ’ଣ ଜଙ୍ଗଲକୁ କାଠପାଇଁ ଯାଇଥିଲୁ ?”

 

–“ହଁ ।”

 

–‘‘ଛୋଟା ଗୋଡ଼ରେ ଜଙ୍ଗଲକୁ କାଠପାଇଁ ଆସୁଛୁ କାହିଁକି ?”

 

ମନେଇ ମଉସାର ଦରଦ ଦେଖି ଆଶ୍ଚର୍ଯ୍ୟ ହେଉଥିଲା କେଶବ । କହିଲା–“କ’ଣ କରିବି, କାଠ ଦି’ଖଣ୍ଡ ନ ଆଣିଲେ ରୋଷେଇ ହବ କେମିତି ?”

 

ବଳିପଡ଼ି କହିଲା ମନେଇ ଦାସ–‘‘ଆରେ କେଶବ ! ତୁ ଅମନା ହେଉଛୁ କାହିଁକି କହିଲୁ-? ମୁଁ କ’ଣ କେତେବେଳେ ତୋର ଅମଙ୍ଗଳ ଚାହେଁ ? ତୁ ସାପୁଆକେଳା ସମାଜର ମଣିଷ-। ପାଠଶାଠ ପଢ଼ିଛୁ । ତତେ ଭଲବାଟକୁ ଆଣିବା ମୋର କାମ । ତୋ ଦୁଃଖ ଦେଖିଲେ ମୋ ଆଖିରେ ଲୁହ ଆସୁଛି ।”

 

–“କ’ଣ କହୁଛ ମନେଇ ମଉସା ।” ନ ବୁଝିବା ପରି କହିଲା କେଶବ ।

 

ମନେଇ ଦାସ କହିଲା–‘‘ନାଇଁ, ମୁଁ ତୋତେ ତୋ ବାହାଘର କଥା କହୁଥିଲି । ଟୋକାବେଳେ ଏମିତ ଅନେକ ଘଟଣା ଘଟେ । ସେମିତି ତୋର ଘଟିଛି । ସେଥିରେ ତୁ ଭାଙ୍ଗିପଡ଼ୁଛୁ କାହିଁକି ? ସେ ସାନ୍ତାଳୀ ଝିଅଟାକୁ ପାଖରୁ ବାହାର କରିଦେ, ଫୁଲମନିକୁ ପୁଣି ବାହାହେଇ ପଡ଼ । ମୁଁ ତୁମ ଘରଖଣ୍ଡିକ ଫେରାଇ ଦେଉଛି–ସେଠି ସୁଖରେ ଦୁଇଜଣଯାକ ରୁହ ।’’

 

ଚିହିଁକି ଉଠିଲା କେଶବ, କହିଲା–“ଆଉ ଗାଁ ଭିତରେ ମୋର ଘର ଲୋଡ଼ା ନାହିଁ ମନେଇ ମଉସା ! ଆସନ୍ତାକାଲି ତ ମୋତେ ନୂଆ ଘର ମିଳିବ, ମୁଁ କାପୁରାକୁ ବାହାହେଇ ସେହି ଘରେ ରହିବି । ଫୁଲମନିକୁ ମଧ୍ୟ ଭଲ ପିଲାଟିଏ ଦେଖି ବାହା କରେଇ ଦେବି । ତମେ ଆଉ ମୋ କଥା ଚିନ୍ତା କରନାହିଁ ।”

 

ନରମ ଗରମ ଏବଂ ଉପଦେଶ ଛଳରେ ଆହୁରି କେତେ କ’ଣ କହିବାକୁ ଚେଷ୍ଟା କରୁଥିଲା ମନେଇ ଦାସ । କେଶବର କାନରେ କିନ୍ତୁ ଏସବୁ କିଛି ପଶୁ ନ ଥିଲା । ସେ ହସୁଥିଲା ସହଜ ଭାବେ କୌଣସି କଥା ଗ୍ରହଣ ନ କରି । ଏମିତ ଆଲୋଚନା କରୁ କରୁ ଦୁଇଜଣଯାକ ଆଗେଇ ଆସିଥିଲେ ପଦ୍ମକେଶରୀପୁର ଗାଁ ମୁଣ୍ଡ ଯାଏ ।

 

ହଠାତ୍ କେଶବ କହିଲା–‘‘ହଉ ମନେଇ ମଉସା ! ତୁମେ ଯାଅ, ଅନ୍ଧାର ହେଲାଣି–ମୁଁ ଯାଉଛି ।”

 

ଆଉ କିଛି ନ କହି ଠିଆହୋଇ ରହିଲା ମନେଇ ଦାସ । କେଶବ ବାଟ ଭାଙ୍ଗି ଚାଲିଲା ଏକୁଟିଆ ବରମୂଳ କୁଡ଼ିଆ ଆଡ଼େ ।

 

ଏଣେ ନୂଆ ଘରକୁ ସଫାସୁତୁରା କରି ସଜାଇବା କାମରେ ଲାଗିଥିଲେ ଫୁଲମନି ଏବଂ କାପୁରା । ମାଠିଆ ମାଠିଆ ପାଣି ପଦ୍ମପୋଖରୀରୁ ବହି ଆଣୁଥିଲା ଫୁଲମନି, ପାଣି ଢାଳି ଝାଡ଼ୁରେ ସଫା କରୁଥିଲା କାପୁରା । ଏମିତି ଦିନସାରା ଖଟି ଖଟି ସୂର୍ଯ୍ୟାସ୍ତ ପରେ ଫୁଲମନି କହିଲା–“ଭାଉଜ, ଦିନ ସାରା ପାଣି ବହି ବହି ଅଣ୍ଟା ପିଠି ଲାଗିଗଲାଣି, କାଲି ପୁଣି ଅନ୍ଧାରୁଆ ବେଳୁ ଆସିବାକୁ ହେବ । ତୁମେ ଛାତ ଉପରେ ଚଢ଼ି ଆମ୍ବ ଡାଳୁଆ ବାନ୍ଧ । ମୁଁ ଯାଉଛି ଘରେ ଟିକେ ବିଶ୍ରାମ ନେବି ।’’ କାପୁରା କହିଲା–‘‘ହଁ...ହଁ ...ତୁମେ ଯାଅ ଫୁଲମନି । ମୁଁ ଆମ୍ବ ଡାଳୁଆ ବାନ୍ଧିସାରି ଫେରିବି ।” ତା’ପରେ ଫୁଲମନି ପାଣି ବୁହା ମାଠିଆକୁ ରଖି ଦେଇ ମୁହାଁଇଲା ପଦ୍ମକେଶରୀପୁର ଆଡ଼େ । କାପୁରା ଛାତ ଉପରେ ଚଢ଼ି ବାନ୍ଧିବାରେ ଲାଗିଗଲା ଆମ୍ବ ଡାଳୁଆ ।

 

ସେତେବେଳକୁ ପଦ୍ମପୋଖରୀ ହୁଡ଼ାରେ ଛାପିଛାପିକିଆ ଅନ୍ଧାର ବିଛାଡ଼ି ହୋଇ ପଡ଼ିଥିଲା, ଅନ୍ୟ ମଜୁରିଆମାନେ କାମ ଶେଷ କରି ପୋଖରୀରେ ମୁହଁ ହାତ ପଖାଳି ଫେରିବାକୁ ଆରମ୍ଭ କରିଥିଲେ । ସାମ୍ୟବାଦୀ ଦଳର କର୍ମୀ ଏବଂ ଶାସକ ଦଳର ପେଟୀ ନେତାମାନେ ମଧ୍ୟ ଆଗାମୀ କାଲି ପାଇଁ ପ୍ରସ୍ତୁତ ହେବାକୁ ସ୍ଥାନ ଛାଡ଼ି ଚାଲିଯାଇ ସାରିଥିଲେ । କେବଳ ପାଣ ସାହି, କମାର ସାହି ଏବଂ କୁମ୍ଭାର ସାହିର କେତେଜଣ ବ୍ୟକ୍ତି କଦଳୀ ଗଛ ପୋତୁଥିଲେ ପ୍ରାସାଦ ସମ୍ମୁଖରେ ।

 

ଏତିକିବେଳେ ଅନ୍ଧାର ଭିତରେ ଦୌଡ଼ି ଦୌଡ଼ି ଆସିଲା ସଦେଇ, ବଡ଼ ପାଟିରେ ଚିତ୍କାର କରି ଡାକୁଥିଲା ସେ–‘‘କାପୁରା, କାପୁରା ।”

 

ଛାତ ଉପରେ ଠିଆ ହୋଇପଡ଼ିଲା କାପୁରା–“କିଏ ?”

 

–“ମୁଁ ସଦେଇ କାପୁର, ତତେ ଗୋଟିଏ ଖବର ଦେବାକୁ ଦୌଡ଼ି ଆସିଛି ।”

 

–“କି ଖବର ?” ପ୍ରଶ୍ନ କଲା କାପୁରା ।

 

–“ଶିଖରଚଣ୍ଡୀ ମନ୍ଦିର ପାଖ ଶାଳ ଗଛରେ ଚଢ଼ି କେଶବ ଜାଳେଣି କାଠ କାଟୁଥିଲା ।”

 

–“କ’ଣ ହେଲା ?” ଚମକି ପଡ଼ି କହିଲା କାପୁରା ।

 

–‘‘ଗଛରୁ ପଡ଼ିଯାଇ କେଶବର ମୁଣ୍ଡ ଫାଟି ଯାଇଛି । ହାତ ଭାଙ୍ଗି ଯାଇଛି, ମୂର୍ଚ୍ଛା ହୋଇ ପଡ଼ିଯାଇଛି ସେ । ମନ୍ଦିର ସାମନାରେ ଶୁଆଇ ଦେଇ ତା’ର ଚେତା ଫେରାଇବାକୁ ଚେଷ୍ଟା କରୁଛନ୍ତି ଗୁଣ୍ଡୁଚି, ଗରିବ, ଶାମ ।”

 

–“ଏଁ…ନୂଆବାବୁ ଗଛରୁ ପଡ଼ିଯାଇଛନ୍ତି ?” କହୁ କହୁ ଆଖି ପିଛଡ଼ାକେ ଛାତ ଉପରୁ ତଳକୁ ଡେଇଁ ଧାଇଁଲା ସେ, ଧାଇଁଲା ଚନ୍ଦକା ଝାଡ଼ ଜଙ୍ଗଲ ଭିତର ଶିଖରଚଣ୍ଡୀ ମନ୍ଦିର ଆଡ଼େ । ଏଇ କେତେ ଦିନ ଭିତରେ ସେ ଫୁଲମନି ସହିତ ଅନେକ ଥର ଯାଇଛି ଏହି ଶିଖରଚଣ୍ଡୀ ମନ୍ଦିର ନିକଟକୁ । ତେଣୁ ବାଟ ତା’ର ଅଜଣା ନୁହେଁ.… । ରାତି ଅନ୍ଧାରକୁ ବେଖାତିର କରି ଦୌଡ଼ିବାରେ ଲାଗିଛି କାପୁରା ମାଆ ଶିଖରଚଣ୍ଡୀଙ୍କୁ ସ୍ମରଣ କରି କରି ।

 

କଣ୍ଟା, ଝଟା, ପଥର ଢିମାକୁ ଖାତିର ନାହିଁ । ପାଦରେ ଫୁଟୁଛି କଣ୍ଟା, ଛିଡ଼ୁଛି ପାଦ ପଥର ଖଣ୍ଡ ବାଜି, ତଥାପି ଧାଇଁଛି କାପୁରା ଅଣନିଃଶ୍ଵାସୀ ହୋଇ ଶିଖଚଣ୍ଡୀଙ୍କ ମନ୍ଦିର ଆଡ଼େ, ମୁହଁରେ ବିକଳ ଡାକ–ନୂଆବାବୁ ! ନୂଆବାବୁ ।

 

ପ୍ରତିଧ୍ଵନି ସୃଷ୍ଟି କରୁଛି ଚନ୍ଦକା ବନଭୂମି । ଉତ୍ତର ଦେଉଛି ଆଦିବାସୀ ସାନ୍ତାଳୀ ଝିଅ କାପୁରାକୁ । କୁଆଡ଼େ ଦୌଡ଼ିଛୁ କାପୁରା ? ମଣିଷର ଚକ୍ରାନ୍ତକୁ ତୁ କ’ଣ ବୁଝିପାରୁ ନାହୁଁ । କିନ୍ତୁ ଚନ୍ଦକା ଝାଡ଼ ଜଙ୍ଗଲର ସେ ଉତ୍ତର ଶୁଭୁ ନ ଥିଲା କାପୁରାକୁ । ସେ ଦୌଡ଼ିଥିଲା ସାମୁଦ୍ରିକ ଅନ୍ଧାର ଭିତରେ ଜୀବନର ମୋହ ତୁଟାଇ ତା’ ନୂଆବାବୁ ପାଇଁ ।

 

ଠିକ୍ ଶିଖରଚଣ୍ଡୀଙ୍କ ମନ୍ଦିର ସମ୍ମୁଖରେ ଠିଆ ହୋଇଗଲା ସେ–ଡାକିଲା ଆହୁରି ଚିତ୍କାର କରି–‘‘ନୂଆବାବୁ !” କମ୍ପି ଉଠିଲା ମନ୍ଦିର ସହିତ ବନଭୂମି ସେ ଚିତ୍କାରରେ ।

 

“କାହାଁନ୍ତି ? କାହାଁନ୍ତି ମୋର ନୂଆବାବୁ?” କାପୁରାର ମନ ଭିତରେ କାରୁଣ୍ୟ । ଆଖି ପିଛୁଡ଼ାକେ ଦୌଡ଼ି ଦୌଡ଼ି ମନ୍ଦିର ଚାରିପଟେ ଘୂରି ଆସିଲା ସେ–“ନୂଆବାବୁ ! ନୂଆବାବୁ !”

 

ମନ୍ଦିର ପଛପଟ ଶାଳଗଛ କଡ଼ରୁ ବାହାରି ଆସିଲା ଗୁଣ୍ଡୁଚି–‘‘କିଏ କାପୁରା କିଲୋ ? କେଶବକୁ ଖୋଜୁଛୁ ?’’

 

–“ହଁ ଗୁଣ୍ଡୁଚି ଭାଇ ! କାହାନ୍ତି…କାହାନ୍ତି ମୋ ନୂଆବାବୁ ?’’

 

–‘‘ହେଇ ସେପାଖ ଢାଲୁ ଉପରେ ଗଛରୁ ପଡ଼ିଯାଇଛି କେଶବ । ମୁଣ୍ଡ ଫାଟି ଯାଇଛି, ଗୋଡ଼ ହାତ ଭାଙ୍ଗି ଯାଇଛି, ଆମେ ତା’ କାନ ଫୁଙ୍କି ଚେତା ଆଣିବାକୁ ଚେଷ୍ଟା କରୁଛୁ । ଆ ମୋ ସାଙ୍ଗରେ… ମୁଁ ଦେଖାଇ ଦେବି ତୋତେ ।”

 

ଉଦ୍‍‍ବେଳିତ ଏବଂ ଆଶାନ୍ୱିତ ହୋଇ ଗୁଣ୍ଡୁଚି, ସଙ୍ଗରେ ଛୁଟି ଚାଲିଲା କାପୁରା । ଗୁଣ୍ଡୁଚି କାପୁରାର ଗୋଟାଏ ହାତ ଧରି ଆଗେଇ ନେଲା ଜଙ୍ଗଲ ଭିତରକୁ । ସେମାନେ ଅଳ୍ପ ବାଟ ଯାଇଛନ୍ତି କି ନାହଁ କଡ଼ ଶିଆରି ଲଟା ଭିତରୁ ବାହାରି ଆସିଲେ ଗରିବ ଏବଂ ଶାମ, ସେମାନଙ୍କ ଆଖିରୁ ନିଆଁ ଝରୁଥିଲା । ହଠାତ୍ ଏମାନଙ୍କର ଆବିର୍ଭାବ ଦେଖି ଡରିଗଲା କାପୁରା । ଠିଆ ହୋଇଯାଇ କହିଲା ସେ–“ମୋତେ କୁଆଡ଼େ ନେଇ ଯାଉଛ ଗୁଣ୍ଡୁଚି ଭାଇ ?”

 

ଆଗକୁ ଆଗେଇ ଆସି ତାତ୍ସଲ୍ୟ କରି କହିଲା ଗରିବ–‘‘କୁଆଡ଼େ ନେଉଛୁ ଜାଣିପାରୁ ନାହୁଁ ? ତୁ ଆମ ସାହିରୁ କେଶବକୁ ଅଲଗା କରି ନେଇଛୁ । ଆମେ ତତେ କେଶବଠାରୁ ଅଲଗା କରି ଆଣିଛୁ, ନୂଆ କରି ଏ ଚନ୍ଦକା ଜଙ୍ଗଲ ଦେଖେଇବୁ । ତତେ ଏଇ ଜଙ୍ଗଲ ଭିତରେ ଖେଳେଇବୁ-।”

 

ଗରିବର କଥା ଶୁଣି ସନ୍ଦିହାନ ହୋଇଉଠିଲା କାପୁରା । ମୁହୂର୍ତ୍ତକ ମଧ୍ୟରେ ଜାଣିନେଲା ସେ–ନୂଆବାବୁଙ୍କ ନାମରେ ମିଛ କଥା କହି ତାକୁ ଭୁଲେଇ ଆଣିଛି ସଦେଇ ଏ ଘନ ଜଙ୍ଗଲ ଭିତରକୁ ।

 

ଏତିକିବେଳେ ହସିଉଠିଲା ଶାମ । କହିଲା... ‘‘ଆଚ୍ଛା ଆଦିବାସୀ ଟୋକୀ ! ତୁ କେଳା ଜାତିର ମୁଖିଆ ମନେଇ ଦାସ କଥା ଜାଣିନୁ ? କେଶବକୁ ଶିଖେଇ ତା’ ସାଙ୍ଗରେ ବିବାଦ ଲଗେଇଛୁ । ଆଜି ଦେଖିବୁ ମନେଇ ଦାସ କ’ଣ କରିପାରେ ।”

 

–“ଏଁ... ମନେଇ ମଉସା ??” କଣ୍ଠ ରୁଦ୍ଧ ହୋଇ ଆସିଲା କାପୁରାର ।

 

ଚିତ୍କାର କଲାପରି କହିଉଠିଲା ଗୁଣ୍ଡୁଚି–‘‘ହଁ ମନେଇ ଦାସ । ସଭାକରି ଆମକୁ କହିଛି–ତୋତେ ଶେଷକରି ଦେବାକୁ ହେବ । ତା’ହେଲେ କେଶବ ପୁଣି ଫୁଲମନିକୁ ବାହାହେବ । ପଦ୍ମପୋଖରୀ କୂଳ ବର ମୂଳରୁ ଆମ ଗାଁକୁ ଫେରିଯିବ । ଆମେ ଆସନ୍ତାକାଲି ରାତିରେ ପୁଣି ପଦ୍ମପୋଖରୀ ହୁଡ଼ାରେ ନୂଆ ଘରଗୁଡ଼ିକ ଉପରେ ଚଢ଼ୋଉ କରି ଭାଙ୍ଗିରୁଜି ମାଟିରେ ମିଶାଇ ଦେବୁ । ବ୍ୟୋମକେଶ ଆଚାର୍ଯ୍ୟଙ୍କ ମୁଣ୍ଡରେ ଠେଙ୍ଗା ପାହାର ଦେବୁ ।”

 

ସେତେବେଳକୁ କାପୁରାର ଚାରିକଡ଼ରେ ଘେରି ଯାଇଥିଲେ ଗୁଣ୍ଡୁଚି, ଶାମ ଏବଂ ଗରିବ-। ଭୟଭୀତା ହୋଇ ଚିତ୍କାର କଲା କାପୁରା–“ମୋତେ ଛାଡ଼ିଦିଅ…ମୋତେ ଛାଡ଼ିଦିଅ ।” ବିଦ୍ରୂପର ହସ ହସି କାପୁରାର ଲୁଗା କାନିଟି ଧରି ଜୋରକରି ଟାଣିନେଲା ଗରିବ । ଖସିଗଲା ଛୋଟ ଲୁଗାଖଣ୍ଡକ । ଅପ୍ରସ୍ତୁତ ହୋଇପଡ଼ିଲା କାପୁରା । ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଇଜ୍ଜତ ବଞ୍ଚାଇବା ପାଇଁ ବ୍ୟଥିତା ହେଉଥିଲା ସେ । କାନ୍ଦୁଥିଲା କଇଁ କଇଁ ଅଚାନକ ଆକ୍ରମଣରେ ।

 

ଏତିକିବେଳେ କାପୁରାର ଦୁଇ ହାତକୁ ଧରି ନିଜଆଡ଼େ ଟାଣିନେବାକୁ ଚେଷ୍ଟା କରୁଥିଲା ଶାମ । ତିନି ଦିଗରୁ ଆକ୍ରମଣରେ କମ୍ପିଉଠିଲା ଆଦିବାସୀ ବାଳିକା କାପୁରା । ମାନ ଇଜ୍ଜତ ଛାଡ଼ି ହାତ ଉଠାଇ ଗୋଟାଏ ଧକ୍‌କା ଦେଲା କେଳା ଯୁବକ ଶାମକୁ । ଲମ୍ବ ହୋଇ ଭୂମି ଉପରେ ଗଡ଼ି ପଡ଼ିଲା ଶାମ । କିନ୍ତୁ ଠିକ୍ ସେତିକିବେଳେ ଗୁଣ୍ଡୁଚି ପଛରୁ ଭିଡ଼ିନେଲା ତା’ର କେଶରାଶିକୁ । ପଛକୁ ଉହୁଙ୍କି ପଡ଼ିଲା ସେ । ଏଇ ସୁଯୋଗରେ ଉଦ୍ଧତ ଗରିବ ଝାମ୍ପଦେଲା ତା’ ଉପରକୁ । ଟାଙ୍ଗରା ଚଟାଣ ଉପରେ ଚିତ୍ ହୋଇ ପଡ଼ିଗଲା କାପୁରା । କାଳବିଳମ୍ବ ନକରି ତା’ ଉପରେ ପଡ଼ିଗଲା ଗୁଣ୍ଡୁଚି ଯୌବନର ଉନ୍ମତ୍ତ ନିଶାରେ । ଆଉ ପ୍ରତିରୋଧ କରିବାର ଶକ୍ତି ନଥିଲା କାପୁରାର । ପଦ୍ମପୋଖରୀ ହୁଡ଼ାରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଆସିଥିବା ଅବଶ ଗୋଡ଼ ହାତ ସ୍ଥିର ହୋଇଯାଇଥିଲା, ତିନିଜଣ ଉଦ୍ଧତ ଯୁବକଙ୍କର ଆକ୍ରମଣରେ ।

 

ଜଣକ ପରେ ଜଣେ ଅତ୍ୟାଚାର ଆରମ୍ଭ କରିଥିଲେ କାପୁରା ଉପରେ । କହୁଥିଲେ ପାଟିକରି–‘‘ମନେଇ ମଉସାଙ୍କ ନିର୍ଦ୍ଦେଶ, ତତେ ଏଇ ବଣ ଭିତରେ ଶେଷ କରିଦେବୁ ।”

 

ଘନ ଘନ ଅତ୍ୟାଚାର ଫଳରେ ସଂଜ୍ଞା ହରାଉଥିଲା କାପୁରା । ସହ୍ୟ କରୁଥିଲା ସବୁକିଛି ନୀରବରେ ଆଖିବୁଜି ।

 

ଏମିତି ସମୟରେ ବଣ ଭିତରୁ ପାଟିକରି ଉଠିଲା ମନେଇ ଦାସ–“କିରେ ଟୋକାଏ, ତମେ କ’ଣ ସବୁ ସାରିଦେବ, ଆମକୁ କିଛି ଭାଗ ଦେବନାହିଁ ?”

 

ମନେଇ ଦାସର ପାଟି ଶୁଣି କାପୁରାକୁ ଛାଡ଼ି ଘୁଞ୍ଚି ଆସିଲେ ସମସ୍ତେ । ଅପେକ୍ଷାକରି ରହିଲେ ପରବର୍ତ୍ତୀ ନିର୍ଦ୍ଦେଶକୁ । ପାଖକୁ ଲାଗିଆସି ମନେଇ ଦାସ କହିଲା–‘‘ନାଇଁରେ ଟୋକାଏ ! ତୁମ ଅଇଁଠା କ’ଣ ମୁଁ ଖାଇବି ? ଶୀଘ୍ର କାମ ଶେଷକର ।”

 

କଥାଟା ବୁଝି ନପାରି ଆଁ କରି ଚାହିଁ ରହିଲା ଗୁଣ୍ଡୁଚି ମନେଇ ଦାସକୁ ।

 

ଜୋରଦେଇ କହିଲା ମନେଇ–“ବୋକାଙ୍କ ପରି ଅନେଇଛୁ କ’ଣ ? ବଡ଼ ପଥର ଖଣ୍ଡେ ଉଠାଇ ଛେଚିଦେ ତା’ ମୁହଁ ଉପରେ । ଚିରଦିନ ପାଇଁ କେଳା ସାହିର ଶତ୍ରୁ ଶେଷ ହେଇଯାଉ ।’’

 

ମନେଇ ମଉସାଙ୍କ ନିର୍ଦ୍ଦେଶରେ ଉତ୍ସାହିତ ହୋଇ ଝପ୍‌ଟିଯାଇ ବଡ଼ ପଥର ଖଣ୍ଡେ ଉଠାଇ ଆଣିଲା ଗୁଣ୍ଡଚି । ଅନେଇଥିଲେ ସମସ୍ତେ ଆଦିବାସୀ ବାଳିକା କାପୁରାକୁ । ଉଲଗ୍ନ ହୋଇ ପାହାଡ଼ିଆ ଚଟାଣ ଉପରେ ପଡ଼ିଛି ସେ । ତିନିଜଣ ଯୁବକଙ୍କ ଅତ୍ୟାଚାରରେ ରକ୍ତାକ୍ତ ଶରୀର ଝଲସି ଉଠୁଛି ବିଜୁଳି ଚମକରେ ।

 

ପଥର ଖଣ୍ଡଟି ଧରି କାପୁରାର ମୁଣ୍ଡ ପାଖରେ ଠିଆ ହେଲା ଗୁଣ୍ଡୁଚି । ଅନ୍ଧାର ଭିତରେ ପ୍ରସ୍ତୁତ ହେଉଛି ସେ–ପଥରଟିକୁ ମୁହଁରେ ଛେଚି ଦେବା ପାଇଁ ।

 

ଏମିତିବେଳେ ପ୍ରବଳ ହେଣ୍ଟାଳ କରି ମହାବଳବାଘଟାଏ ଝାମ୍ପମାରି ପଶିଗଲା ଶିଆରି ଲଟା ଭିତରେ ବୋଧହୁଏ ମିରିଗ ଛୁଆ ପଛରେ ଗୋଡ଼େଇ ଗୋଡ଼େଇ । ବାଘର ହେଣ୍ଟାଳରେ ଗୁଣ୍ଡୁଚିର ହାତରୁ ଖସିପଡ଼ିଲା ପଥର ଖଣ୍ଡଟି । ଆଉ ଅପେକ୍ଷା ନ କରି ବାଘର ହେଣ୍ଟାଳରେ ଭୟଭୀତ ହୋଇ ସ୍ଥାନଛାଡ଼ି ପଳାଇବାକୁ ଚେଷ୍ଟାକଲା ମନେଇ ଦାସ । ପରେ ପରେ ଶାମ, ଗରିବ ଏବଂ ଗୁଣ୍ଡୁଚି ମଧ୍ୟ ଦୌଡ଼ିବାକୁ ଆରମ୍ଭକଲେ ଅନ୍ଧାର ଭିତରେ ଗ୍ରାମ ଅଭିମୁଖେ । ଭାବୁଥିଲେ ସେମାନେ–ସତେ ଅବା ଚନ୍ଦକା ଜଙ୍ଗଲର ମହାବଳବାଘ ଗୋଡ଼ାଇଛି ପଛେ ପଛେ ପ୍ରତିଶୋଧ ନେବା ପାଇଁ । ବିଶ୍ରାମ ନେବାକୁ ସମୟ ନାହିଁ, ନିଃଶ୍ଵାସ ନେବାକୁ ସୁଯୋଗ ନାହିଁ । କଣ୍ଟା, ଝଟା, ପଥର ନ ମାନି ଦୌଡ଼ିଛନ୍ତି ସେମାନେ ପ୍ରାଣ ବିକଳରେ ।

 

ଘନ ଘନ ବିଜୁଳି ଶେଷରେ ହଠାତ୍ ତୁଆଏ ବର୍ଷା ହୋଇଗଲା । ଝିଙ୍କାରିର ଶବ୍ଦରେ ମୁଖରିତ ହୋଇଉଠିଲା ବନଭୂମି । ପତର ଝଡ଼ା ଟୁପ୍‌ଟୁପ୍ ବର୍ଷା ପାଣିରେ ଧୀରେ ଚେତା ଫେରିଲା କାପୁରାର । ଆଖି ଖୋଲିଲା ସେ । ଚତୁର୍ଦ୍ଦିଗ ଅନ୍ଧକାର । ସୁ ସୁ ପବନର ଗର୍ଜନ, ଅତ୍ୟାଚାରୀମାନେ ଦେହ ଉପରେ ଅକଥନୀୟ ଅତ୍ୟାଚାର ପରେ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି । ନିର୍ଜନ ବନଭୂମି ।

 

ମୁଣ୍ଡ ଉଠାଇ ବସିବାକୁ ଚେଷ୍ଟା କଲା କାପୁରା, ଥରୁଛି ଦେହ ହାତ, ଭାରସାମ୍ୟ ରଖି ପାରୁନାହିଁ ସେ । କାନ୍ଦିଲା ମନେ ମନେ ନୂଆବାବୁଙ୍କୁ ମନରେ ପକାଇ । ପରମୁହୂର୍ତ୍ତରେ ନିଷ୍ଠୁରା ହେଲା ସେ–ମନେଇ ଦାସ, ଶୋଷକ ମନେଇ ଦାସ, ଅତ୍ୟାଚାରୀ ମନେଇ ଦାସ, ଆଦିବାସୀ ଝିଅ କାପୁରା–ତୋ ଉପରେ ପ୍ରତିଶୋଧ ନେବ–ପ୍ରତିଶୋଧ । ଏ ଯୁଗର ଶୋଷକ ଅତ୍ୟାଚାରୀ କେବଳ ଧନଶାଳୀ ପ୍ରାସାଦବାସୀ ନୁହଁନ୍ତି, ତୋ ପରି କେତେକ ଅସାମାଜିକ ବ୍ୟଭିଚାରୀ ମଧ୍ୟ । ତୋ ଉପରେ ପ୍ରତିଶୋଧ ନେବାକୁ ହେବ । ସରଳା ଆଦିବାସୀ କୁମାରୀ କେମିତି ଭୟଙ୍କରୀ ହୋଇପାରେ, ତୋତେ ଦେଖାଇ ଦେବାକୁ ହେବ ।

 

ଏମିତି ଚିନ୍ତା କରୁ କରୁ ରାଗରେ ଆହୁରି ଥରିବାକୁ ଲାଗିଲା କାପୁରା, ଅଣ୍ଡାଳିବସିଲା ଛୋଟ ଲୁଗା ଖଣ୍ଡକୁ ଉଲଗ୍ନ ଦେହଟାକୁ ଘୋଡ଼ାଇବା ପାଇଁ ।

 

ମନେଇ ଦାସ ନିକଟରୁ ଫେରି ଜାଳେଣି କାଠ ପୁଳାଟିକୁ ବରଗଛ ମୂଳରେ ଥୋଇ ବିଶ୍ରାମ ନେଲା କେଶବ । ଅପେକ୍ଷା କରି ରହିଲା କାପୁରାର ଫେରନ୍ତା ବାଟକୁ । ଅନ୍ଧାର ଘୋଟି ଆସିଥିଲା । ବୋଧହୁଏ କାପୁରାର କାମ ଶେଷ ହୋଇ ନାହିଁ । ତେଣୁ ତା’ର ଫେରିବାରେ ଡେରି ହେଉଛି । ସେ ଆଉ ଅପେକ୍ଷା କରିବ କାହିଁକି ? ବିଳମ୍ବ ନ କରି ଭାତ ମୁଠିଏ ଚୁଲିରେ ବସାଇଲା କେଶବ । ସମୟ ଗଡ଼ିଲା, ରୋଷେଇ ଶେଷ ହେଲା, ତଥାପି କାପୁରାର ଦେଖା ନାହିଁ । ବ୍ୟସ୍ତ ହୋଇଉଠିଲା ସେ । କ’ଣ କରିବ ? ଧାଇଁଯିବ ନୂଆଘର ଆଡ଼େ ? କିନ୍ତୁ ଲାଭ କ’ଣ ? କାମ ନ ସରିଥିଲେ ସେ ଆସିବ କେମିତି ! ଆସୁ କେତେବେଳେ ଆସୁଛି । ମୁଁ ଖାଇ ସାରି–ତା’ ପାଇଁ ରଖି ଦେଇ ବିଶ୍ରାମ ନେବା ଭଲ । ଆସନ୍ତାକାଲି ସକାଳୁ ପୁଣି କାମରେ ଲାଗିବାକୁ ପଡ଼ିବ ।

 

ଏମିତି ଚିନ୍ତା କରି ମୁଠିଏ ଖାଇ ବର ସିଅରେ ମୁଣ୍ଡ ଦେଇ ଶୋଇବାକୁ ଚେଷ୍ଟା କଲା କେଶବ । ଆଖିକୁ ନିଦ ଆସୁନାହିଁ । କେତେ ନୂଆ କଳ୍ପନା ମନରେ ଉଲ୍ଲାସ ଖେଳାଉଛି । କାପୁରାକୁ ନେଇ ନୂଆ ଘରେ ରହିବି, ନୂଆ ସଂସାର କରିବି, ନୂଆ ମଣିଷ ସୃଷ୍ଟିରେ ବିଭୋର ହେବି । ଏମିତି ଚିନ୍ତା କରି ବାରମ୍ବାର କଡ଼ ଲେଉଟାଉଛି ସେ । ଇତିମଧ୍ୟରେ ତୁଆଏ ବର୍ଷା ବର ମୂଳକୁ ଓଦା କରି ଯାଇଛି । ସେ ପ୍ରତି ଖାତିର ନାହିଁ କେଶବର, କୁଡ଼ିଆ ବାହାରକୁ ଗୋଡ଼ ଦୁଇଟାକୁ ଲମ୍ବାଇ ବସିଛି ସେ, ଭିଜୁଛି ଗୋଡ଼ ଦୁଇଟା ବର୍ଷା ପାଣିରେ । ବେଳେବେଳେ ଚମକି ପଡ଼ୁଛି ବିଜୁଳି ଚମକରେ–ଆସିଲା କି କାପୁରା ?

 

ହୁଡ଼ୁକା ପବନରେ ଫଡ଼ ଫଡ଼ ହୋଇ ଉଡ଼ି ଉଠୁଛନ୍ତି ରାତ୍ରିରେ ଆଶ୍ରିତ ଗଛର ପକ୍ଷୀମାନେ । ହସୁଛି କେଶବ ମନେ ମନେ–ଆରେ ଚଢ଼େଇମାନେ, ବାହାର ପାଣି ପବନ ଝଡ଼ ବର୍ଷା ତୁମର ସହଚର । ତୁମେ ସେ ପବନକୁ ଡରୁଛ କାହିଁକି ?

 

ଏମିତି କେତେ କ’ଣ ଚିନ୍ତା କରୁ କରୁ ଆଖିକୁ ନିଦ ଆସିଯାଇଛି କେଶବର, ଶୋଇ ପଡ଼ିଛି ସେ ସପନପୁରୀର ରାଜକୁମାର ପରି ବରମୂଳ କୁଡ଼ିଆ ଭିତରେ । ଏତିକିବେଳେ ଟଳି ଟଳି କୁଡ଼ିଆ ନିକଟରେ ପହଞ୍ଚିଛି କାପୁରା–ନଥ୍ କରି ବସି ପଡ଼ିଛି ବରମୂଳକୁ ଆଉଜି । ଚାଉଁକରି ନିଦ ଭାଙ୍ଗି ଯାଇଛି କେଶବର, ପାଟି କରି ଉଠିଛି ସେ–କିଏ କାପୁରା ?

 

–“ହଁ ନୂଆବାବୁ ।”

 

–“ତୁ ଏପର୍ଯ୍ୟନ୍ତ କୋଉଠିଥିଲୁ କାପୁରା ! ତତେ ଅପେକ୍ଷା କରି ମୁଁ ଅଧୀର ହୋଇ ସାରିଲିଣି ।”

 

–“ମତେ ଆଉ ଅପେକ୍ଷା କର ନାହିଁ ନୂଆବାବୁ ।”

 

ହସିଲା କେଶବ, ଉଠି ବସୁ ବସୁ କହିଲା–‘‘କ୍ଳାନ୍ତ ଲାଗିଲାଣି ପରା ? କୁଆଡ଼େ ଯାଇଥିଲୁ ?”

 

–“ଶିଖରଚଣ୍ଡୀଙ୍କ ନିକଟକୁ ।”

 

–“ଏଁ, ଏତେ ରାତିରେ ଶିଖରଚଣ୍ଡୀଙ୍କ ପାଖକୁ ଯାଇଥିଲୁ ?”

 

–“କ’ଣ ନୂଆ ଘର ପାଇଁ ଭୋଗ ମନାସିବାକୁ ?”

 

–“ହଁ…. ନୂଆ ଜୀବନ ଆରମ୍ଭ କରିବାକୁ ।”

 

–“ବାଘ ଭାଲୁ ହାବୁଡ଼ରେ ପଡ଼ିନାହୁଁ ତ !” କହିଲା କେଶବ ।

 

–“ହଁ, ବାଘମାନେ ମତେ ଆକ୍ରମଣ କଲେ ନୂଆବାବୁ ।”

 

–“ଏଁ ବାଘ ! ତୁ ବଞ୍ଚିଲୁ କେମିତି କାପୁରା ?”

 

–‘‘ଆଦିବାସୀ ସାନ୍ତାଳୀ ଝିଅ ବାଘ ଆକ୍ରମଣକୁ ସହିନେଲା ନୂଆବାବୁ, ବାଘମାନେ ଛାଡ଼ି ପଳାଇଲେ ମତେ ବାଘୁଣୀ କରି ।”

 

ଆଉଟିକେ ହସିଲା କେଶବ । କହିଲା–“ହଉ ହଉ ମାଆ ଶିଖରଚଣ୍ଡୀ ତତେ ବଞ୍ଚେଇ ଦେଇଛନ୍ତି । ତୁ ଖାଇ ପିଇ ଶୀଘ୍ର ଶୋଇପଡ଼, ଆସନ୍ତାକାଲି ପୁଣି ସକାଳୁ ଉଠିବାକୁ ହେବ ।”

 

ଦେହର ବେଦନା ଚାପିରଖି କହିଲା କାପୁରା–“ଆଉ ଭୋକ ନାହିଁ, ନୂଆବାବୁ ! ଖାଇ ଖାଇ ପେଟ ପୂରି ଯାଇଛି । କିନ୍ତୁ ମନର ଭୋକ ମରିନାହିଁ । ଆସନ୍ତାକାଲି ମନ୍ତ୍ରୀ ଆସିବା ପୂର୍ବରୁ ସେ ଭୋକ ମେଣ୍ଟିବ ! ଭାଙ୍ଗିବ ବର ମୂଳର ଏ କୁଡ଼ିଆ ।”

 

–‘‘ନୂଆ ଘର ପାଇ ଏ ପୁରୁଣା ନୂଆବାବୁକୁ ଭୁଲି ଯିବୁ ନାହିଁ ତ କାପୁରା ?”

 

–“ନା ନୂଆବାବୁ ! ଏ ପୁରୁଣା ଦେହକୁ ନୂଆବାବୁଙ୍କୁ ଦେବି ନାହିଁ । ନୂଆବାବୁଙ୍କ ଲାଗି ନୂଆ ରୂପ ନେବି । ନୂଆ ଘର ଚାରି ପାଖରେ ଘୂରିବୁଲିବି ସବୁଦିନ ।”

 

ଏଥର ହସରେ ଫାଟି ପଡ଼ି କହିଲା କେଶବ–“ହଉ କାପୁରା, କାଲି କହିବୁ ତୋର ଅସରନ୍ତି ଗପ । ଆଜି ଆଖି ବୁଜି ଶୋଇପଡ଼, ରାତି ଅନେକ ହେଲାଣି ।”

 

କହୁ କହୁ ଶୋଇବାକୁ ଚେଷ୍ଟାକଲା କେଶବ । ମାତ୍ର ଅଳ୍ପ ସମୟ ମଧ୍ୟରେ ନିଦରେ ଘୁଙ୍ଗୁଡ଼ି ମାରିଲା ସେ । କିନ୍ତୁ କାପୁରା ଆଖିରେ ନିଦ ନାହିଁ । ଜାଳେଣି କାଠ ପୁଳା ଦେହରୁ ବ୍ୟୋମକେଶ ବାବୁଙ୍କ ପ୍ରଦତ୍ତ ଫାର୍ଶାଟିକୁ କାଢ଼ି ମୁଣ୍ଡ ତଳେ ଦେଇ ଆକାଶ ପାତାଳ ଚିନ୍ତା କରୁଛି ଆଖିବୁଜି । ଆସୁଛନ୍ତି ତା’ ମନ ଭିତରକୁ କେତେ ଡାଆଣୀ ଚିରଗୁଣି ଡାଳେଇଷୁଣୀ ଡାକିନୀ ଛିନ୍ନମସ୍ତା ଏବଂ ଧୂମାବତୀ । ରକ୍ତ ଶୋଷଣ କରୁଛନ୍ତି ସେମାନେ ଅତ୍ୟାଚାରୀ ମଣିଷମାନଙ୍କର । ପୁଣି କଡ଼ ଲେଉଟାଇଛି କାପୁରା । ଦେହର ଯନ୍ତ୍ରଣାରେ ଅଧୀର ହେଉଛି ସେ, ଜଳୁଛି କ୍ଷତ ବିକ୍ଷତ ବକ୍ଷଦେଶ, ଗଣ୍ଡଦେଶ ଏବଂ ଜାନୁଦେଶ । ସହ୍ୟକରି ନ ପାରି ବେଳେବେଳେ ସେହି କ୍ଷତ ବିକ୍ଷତ ଅଞ୍ଚଳରେ ହାତ ବୁଲାଇ ଆଣୁଛି ସେ । ଓଦା ହୋଇଉଠୁଛି ହାତର ପାପୁଲି । ବୋଧହୁଏ ବହି ପଡ଼ୁଥିବା ତାଜା ରକ୍ତରେ ରଞ୍ଜିତ ହୋଇ ଯାଉଛି ତା’ର ହାତ । ସେହି ରକ୍ତକୁ ନେଇ ପୁଣି ମୁଣ୍ଡରେ ମାରୁଛି କାପୁରା, ଶପଥ କରୁଛି ତା’ ସାନ୍ତାଳୀ ସମାଜର ଦେବତାଙ୍କ ଉଦ୍ଦେଶ୍ୟରେ ହାତ ଉଠାଇ ।

 

ପୁଣି ବେଳେବେଳେ ନିଜକୁ ସମ୍ଭାଳି ନ ପାରି ଉଠି ଆସୁଛି କେଶବର ମୁଣ୍ଡ ପାଖକୁ । ହାତ ବଢ଼ାଉଛି–ତା’ କପାଳର କେଶ ରାଶିକୁ ସଜାଡ଼ି ଦେବା ପାଇଁ । ଫେରି ଆସୁଛି ତା’ର ହାତ ପର ମୁହୂର୍ତ୍ତରେ । ଭାବୁଛି ସେ–“ନା ନା ନୂଆବାବୁଙ୍କ କପାଳରେ ହାତ ଦେବାକୁ ଯେ ମୁଁ ଅଯୋଗ୍ୟ ହେଇପଡ଼ିଛି । ଆଉ କେଉଁ ସାହସରେ ତାଙ୍କ ଦେହରେ ହାତ ଦେବି, ମନରେ ଉଷୁମ ଆଣି ଦେବି ଏ ବର୍ଷା ରାତିକୁ ଆହୁରି ବର୍ଷଣମୁଖୀ କରିବା ପାଇଁ ! ହତାଶ ମନରେ ଫେରୁଛି କାପୁରା ବର ମୂଳକୁ । ବସି ରହୁଛି ଦେହର ଯନ୍ତ୍ରଣା ଭୁଲିବା ଲାଗି । କିନ୍ତୁ ମନର ଯନ୍ତ୍ରଣାରେ କାତର ହେଉଛି ସେ, ଉତ୍ତେଜିତ ହେଉଛି ବେଳକୁ ବେଳ । ହିଂସ୍ର ମନକୁ ଆୟତ୍ତ କରିବା ପାଇଁ ସକ୍ଷମ ହେଉ ନାହିଁ କାପୁରା, ଠିଆ ହୋଇପଡ଼ି ପଦଚାରଣ କରୁଛି କୁଡ଼ିଆ ଚାରିପଟେ । ପୁଣି ବିଶ୍ରାମ ସ୍ଥାନକୁ ଫେରି ଆସୁଛି ଆହତା ବାଘୁଣୀ ପରି ପରମୁହୂର୍ତ୍ତରେ । ଏମିତି ଦେହ ଏବଂ ମନର ଯନ୍ତ୍ରଣା ଭିତରେ ରାତ୍ରି ଶେଷ ହେବାକୁ ବସିଲା । ପୂର୍ବାକାଶ ସାମାନ୍ୟ ଫର୍ଚ୍ଚା ହୋଇଆସିଲା । କିନ୍ତୁ ନିଆଁ ଜଳିଲା କାପୁରାର ଆଖିରେ ବନାଗ୍ନି ପରି । ଥରେ ନୂଆବାବୁଙ୍କ ଆଡ଼େ ଚାହିଁ ଦେଇ ଉଠିଲା ସେ ରୁଦ୍ର ଆବେଗରେ ।

 

ସେତେବେଳକୁ ରାତ୍ରିର ଶେଷ ପ୍ରହରର ନିଦରେ ବିଭୋର ହୋଇ କଡ଼ ଲେଉଟାଇ ପୁଣି ଶୋଇବାକୁ ଚେଷ୍ଟା କରୁଥିଲା କେଶବ । ସ୍ଵପ୍ନ ଦେଖୁଥିଲା ସେ–“ମନ୍ତ୍ରୀ ଆସିଛନ୍ତି । ନୂଆ ଗୃହର ଉଦ୍‌ଘାଟନ ଉତ୍ସବ ପାଇଁ ପଦ୍ମପୋଖରୀ ହୁଡ଼ାରେ ଜମିଉଠିଛି ଲୋକ ଗହଳି । ଘନ ଘନ ମାଇକ୍ ଚିତ୍କାରରେ କମ୍ପି ଉଠୁଛି ସମଗ୍ର ଅଞ୍ଚଳ । ନିଜେ ବ୍ୟୋମକେଶ ବାବୁ ଘୋଷଣା କରୁଛନ୍ତି–‘‘କେଳା ବସ୍ତିର କେଶବ ଦାସ, ଫୁଲମନି ଦାସ ପାଇଛନ୍ତି ପ୍ରଥମ ବ୍ଲକ୍‌ର ଦ୍ଵିତୀୟ ଏବଂ ତୃତୀୟ କ୍ୱାଟର । ସେମାନେ ମନ୍ତ୍ରୀ ମହୋଦୟଙ୍କ ହାତରୁ ତାଙ୍କ ପଟ୍ଟା ନେଇ ଯାଆନ୍ତୁ । ପ୍ରଥମ କ୍ୱାଟରଟିରେ ମୁଁ ନିଜେ ରହିବି । ତେଣୁ ପ୍ରଥମେ ମୁଁ ପଟ୍ଟାଟି ମନ୍ତ୍ରୀ ମହୋଦୟଙ୍କ ହାତରୁ ଗ୍ରହଣ କରୁଛି । ଏପରି ଘୋଷଣା ପରେ ପ୍ରବଳ କରତାଳି ମଧ୍ୟରେ ମଞ୍ଚ ଉପରକୁ ଆଗେଇ ଯାଇଛନ୍ତି ନିଜେ କେଶବ ଏବଂ ପଛେ ପଛେ ଫୁଲମନି ।

 

ନିଦ ଭାଙ୍ଗିଗଲା କେଶବର । ସକାଳ ହୋଇଗଲାଣି । ସୂର୍ଯ୍ୟ କିରଣ ପଡ଼ି ପଦ୍ମପୋଖରୀ ହୁଡ଼ା ଶୋଭାବନ୍ତ ଦିଶିଲାଣି । ଅସ୍ଥିର ହୋଇ ଡାକିଲା କେଶବ–“କାପୁରା ! କାପୁରା-! ଠିକ୍ ସେତେବେଳକୁ ଛିକ୍‌ ଛିକ୍ ଶବ୍ଦ କରି ହର୍ଣ୍ଣ ଦେଇ ‘ନବ’ ନିର୍ମିତ ରେଳପଥ ଉପରେ ଟ୍ରେନ୍ ଗଡ଼ି ଆସି ଅଟକି ଗଲା କିଛି ଦୂରରେ । ଏ ଟ୍ରେନ୍‌ର ଗତି ସହିତ ଦ୍ରୁତ ଗତିରେ ଗଡ଼ି ଚାଲିଲା କେଶବର ମନର ଟ୍ରେନ୍ । ଗଳା ଫଟାଇ ଡାକୁଥିଲା ସେ–“କାପୁରା; କାପୁରା ! ବଡ଼ ଡେରି ହୋଇ ଗଲାଣି । ଗଲୁ କୁଆଡ଼େ ? ସକାଳୁ ସକାଳୁ ସବୁ କାମ ଶେଷ କରିବାକୁ ହେବ । ଦଶଟା ବେଳକୁ ମନ୍ତ୍ରୀ ଆସିବେ । ନୂଆ ଘର ପାଇଁ ପଟ୍ଟା ବାଣ୍ଟିବେ । କାପୁରା ! ଶୀଘ୍ର ବାହାରି ପଡ଼ ।”

 

କିନ୍ତୁ କାପୁରା କାହିଁ ? କୁଆଡ଼େ ଗଲା ସେ ! ବ୍ୟସ୍ତ ବ୍ୟଥିତ ବିବ୍ରତ ହୋଇ ବାଡ଼ିଟାକୁ ଢିରା ଦେଇ ଚାରିଆଡ଼େ ଧାଇଁବାକୁ ଲାଗିଲା କେଶବ, ଡାକୁଥିଲା ସେମିତି ଉଚ୍ଚ କଣ୍ଠରେ– “କାପୁରା-! କାପୁରା !”

 

ଭାବୁଥିଲା କେଶବ ମନେ ମନେ–“କାପୁରା କ’ଣ ପଦ୍ମପୋଖରୀକୁ ଯାଇଛି ନିତ୍ୟକର୍ମ ଶେଷ କରିବାକୁ ! କିନ୍ତୁ କାହିଁ ! ପୋଖରୀ ହୁଡ଼ାରେ ତ କେହି ଦିଶୁ ନାହାନ୍ତି ! ତେବେ କୁଆଡ଼େ ଗଲା ସେ ! ଆହୁରି କଣ୍ଠ ଫଟାଇ ଡାକିଲା କେଶବ–“କାପୁରା…କାପୁରା…କାପୁରା….”

 

ଠିକ୍ ସେତିକିବେଳକୁ ପଦ୍ମକେଶରୀପୁର ଆଡ଼ୁ ଦୌଡ଼ି ଦୌଡ଼ି ଆସି ଥାମ୍ ହୋଇ ଠିଆ ହୋଇଗଲା ପଞ୍ଚୁ ଦାସ–ଛେପ ଢୋକି କହିଲା–“କେଶବ ! କୁଆଡ଼େ ଗଲା କାପୁରା ? ମନେଇ ମଉସାଙ୍କୁ ସେ ତୋ ଫାରସାରେ ଦିଗଡ଼ କରି ଦେଇ ଦୌଡ଼ି ପଳାଇ ଆସିଛି ଏଇ ଆଡ଼େ । ଗାଁରେ ହା ହୁଲର ପଡ଼ିଯାଇଛି । ମନେଇ ମଉସାଙ୍କ କଟା ମୁଣ୍ଡରୁ ବହୁଛି ପିଚ୍ ପିଚ୍ ରକ୍ତ ।”

 

–“ଏଁ କ’ଣ କହିଲୁ ପଞ୍ଚୁଭାଇ ! କାପୁରା ମନେଇ ମଉସାଙ୍କୁ ହାଣି ଦେଇ ପଳେଇ ଆସିଛି ?”

 

ଏତକ କହୁ କହୁ କାଠ ପାଲଟି ଯାଇଥିଲା କେଶବ । ଜୀବନହାନୀ ଭାବରେ ବାଡ଼ିଟାକୁ ଢିରା ଦେଇ ପଦ୍ମପୋଖରୀ ଆଡ଼କୁ ଦୌଡ଼ି ଯାଉ ଯାଉ ପୁଣି ଡାକିବାକୁ ଚେଷ୍ଟାକରୁଥିଲା ସେ–‘‘କାପୁରା ! ଏ କ’ଣ କଲୁ କାପୁରା ? କୁଆଡ଼େ ଗଲୁ କାପୁରା ? ଏ ନୂଆବାବୁକୁ ତୋ ସାଙ୍ଗରେ ନେଇ ଯାଆ କାପୁରା !’’

 

କେଶବର ଲହରି ଭଙ୍ଗା ଡାକ ଥରି ଥରି ମିଳେଇ ଯାଉଥିଲା ଦୂର ପଟିଆ ଗାଆଁର ଆମ୍ବତୋଟା ଦେହରେ । ସେହି ଡାକ ପଛରେ ଗୋଡ଼େଇ ଗୋଡ଼େଇ ପଦ୍ମପୋଖରୀ ହୁଡ଼ା ଉପରକୁ ଉଠିଲା କେଶବ, ଡାକିଲା ଏଥର ଦେହର ସମସ୍ତ ଶକ୍ତି ଖଟେଇ । ଦ୍ରୁତ ଗତିରେ ଚାଲିବାକୁ ଆରମ୍ଭ କଲା ଆଗରୁ ଆଗକୁ ।

 

ହଠାତ୍ ଆଗରେ ଠିଆ ହୋଇ ଯାଇ କେଶବର ପଥରୋଧ କଲେ ଯୁବ ନେତା ବ୍ୟୋମକେଶ ଆଚାର୍ଯ୍ୟ, କହିଲେ–‘‘ଆଉ କାହାକୁ ଡାକୁଛୁ କେଶବ ? କାପୁରା ଆଉ ନାହିଁ । ଟାଉଟର ମନେଇ ଦାସଙ୍କୁ ହତ୍ୟାକରି ନିଜେ ପ୍ରାଣ ବିସର୍ଜନ କରିଛି ଟ୍ରେନ୍ ତଳେ ।”

 

–“ବାବୁ !” ଚିତ୍କାର କରି ଗଛ କାଟିଲା ପରି କଚାଡ଼ି ହୋଇପଡ଼ିଲା କେଶବ । ସେତେବେଳକୁ ପଦ୍ମପୋଖରୀ ହୁଡ଼ା ଉପରେ ଜମା ହୋଇସାରିଥିଲେ ପଟିଆ ଏବଂ ପଦ୍ମକେଶରୀପୁରର ଲୋକେ । କେଶବକୁ ଉଠାଉ ଉଠାଉ କହିଲେ ବ୍ୟୋମକେଶବାବୁ–‘‘ମୁଁ ସକାଳୁ ସକାଳୁ ସବୁ ଖବର ଶୁଣିସାରିଛି କେଶବ । ମନେଇ ଦାସ କୌଶଳ କରି ଗତକାଲି ରାତିରେ କାପୁରା ଉପରେ ଅତ୍ୟାଚାର କରାଇଥିଲା, ଆସନ୍ତାକାଲି ନବ ନିର୍ମିତ ଗୃହଗୁଡ଼ିକୁ ଭାଙ୍ଗିରୁଜି ମାଟିରେ ମିଶାଇ ଦେବାକୁ ଯୋଜନା କରିଥିଲା । ତା’ର ପ୍ରତିବାଦ କରି ମନେଇ ଦାସକୁ ହତ୍ୟା କରିଛି କାପୁରା ଏବଂ ନିଜେ ପ୍ରାଣ ବିସର୍ଜନ କରିଛି–ନୂଆ ଗୃହ ପାଇଁ ଏବଂ ଅତ୍ୟାଚାର ବିନାଶ ପାଇଁ ।”

 

–“ବାବୁ : ମତେ ଛାଡ଼ ବାବୁ, ମତେ ଛାଡ଼ ।”

 

କେଶବର ହାତ ଧରି ସାନ୍ତ୍ୱନା ଦେଉ ଦେଉ ପୁଣି କହିଲେ ବ୍ୟୋମକେଶବାବୁ–“ ଆଉ ବ୍ୟସ୍ତ ହୋଇ ଲାଭ କ’ଣ କେଶବ ? ମୁଁ ନିଜେ ଦେଖି ଆସିଲି–ଟ୍ରେନ୍‌ ଚକା ତଳେ କାପୁରାର ମୁଣ୍ଡ ପେଶି ହୋଇ ଯାଇଛି । କିଛି ଦୂରରେ ପଡ଼ିଛି ରକ୍ତାକ୍ତ ଫାର୍ଶାଟି । ସେ ଦୃଶ୍ୟ ଦେଖିଲେ ତୁ ସହ୍ୟ କରିପାରିବୁ ନାହିଁ । ମନକୁ ବୁଝାଇ ମୋ ସହିତ ଫେରିଆ, କାପୁରାର ସ୍ମୃତିରେ ନୂତନ ସମାଜ ସୃଷ୍ଟି ପାଇଁ ।”

 

–“ବ୍ୟୋମକେଶବାବୁ !” ଭୋ ଭୋ ହୋଇ କାନ୍ଦି ଉଠିଲା କେଶବ ।

 

ଉପରକୁ ମୁହଁ ଟେକି କହିଲେ ବ୍ୟୋମକେଶ ବାବୁ–“ମୁଁ ସାମାନ୍ୟ ଜଣେ ଆଦିବାସୀ ଝିଅର ସାହସ ଦେଖି ବିସ୍ମିତ ହୋଇଛି କେଶବ, ତା’ ସ୍ମୃତିରେ ମୁଁ ସ୍ଵପ୍ନ ଦେଖିବି ଏଇ ନୂତନ ଗ୍ରାମର-।”

 

–‘‘ବାବୁ !” ଆଶ୍ଚର୍ଯ୍ୟ ହୋଇ ଚାହିଁଲା କେଶବ ।

 

ବ୍ୟୋମକେଶବାବୁ କହିଲେ–‘‘ଆଜି ଏହି ନୂତମ ଗ୍ରାମର ନାମ ହେବ କାପୁରା ଗ୍ରାମ । ତା’ର ବ୍ରୋଞ୍ଚ ମୂର୍ତ୍ତି ମଧ୍ୟ ଶୋଭା ପାଇବ ଏଇ ପଦ୍ମପୋଖରୀ କୂଳରେ । ସେ ହତ୍ୟାକାରିଣୀ ଅପରାଧିନୀ ନୁହେଁ….ସଂସ୍କାରମୁଖୀ ମହିଳା ସହିଦ । ?”

 

ଏଥର ତଳକୁ ମୁହଁ କଲା କେଶବ–ତା’ ଆଖିର ଶ୍ରାବଣୀ ବର୍ଷାରେ ଭିଜି ଯାଉଥିଲା ପଦ୍ମପୋଖରୀର ହୁଡ଼ା ।

 

କେଶବର ପିଠିରେ ହାତ ପକାଇ ବ୍ୟୋମକେଶବାବୁ କହିଲେ–“ଏ ସଂଗ୍ରାମ ଏଇଠି ଶେଷ ହୋଇନି କେଶବ । ସାପୁଆକେଳା ବସ୍ତିର ଯୁବକମାନଙ୍କର ବୈପ୍ଳବିକ ସାମାଜିକ ବିବର୍ତ୍ତନର ପ୍ରତିନିଧି ହେବୁ ତୁ, ସେମାନେ ଚାହାନ୍ତି–ଆମେ ଶିକ୍ଷିତ ହେବୁ, ଅନ୍ୟ ଜାତିର ଲୋକଙ୍କ ସହିତ ମିଶିବୁ, ନୂତନ ସମାଜ ଗଠନ କରିବୁ । ତୁ ହେବୁ ସେହି ନୂତନ ସମାଜ ଗଠନର ପୁରୋଧା-।”

 

–“ବାବୁ !” କାତର ହୋଇ ଅନାଇ ରହିଥିଲା କେଶବ । ପୁଣି ମୁହଁ ଖୋଲିଲେ ବ୍ୟୋମକେଶ ବାବୁ ! କହିଲେ–‘‘କାପୁରା ବଦଳି ମୋ ସାନ ଭଉଣୀ ସୁମନା ହେବ ତୋର ସ୍ତ୍ରୀ ଏବଂ ଗଉଡ଼ିଆ ସାପୁଆକେଳା ଝିଅ ଫୁଲମନିକୁ ବିବାହ କରିବି ମୁଁ । ଆମେ ରହିବା ଏଇ ନୂଆ ଘରେ । ସୃଷ୍ଟି କରିବା ଏକ ଜାତି, ବର୍ଣ୍ଣ, ସମ୍ପ୍ରଦାୟହୀନ, ଧନୀ, ବଡ଼ ଲୋକ, ପୁଞ୍ଜିପତିହୀନ ସମାଜ-। ଆମର ମନ୍ତ୍ର ହେବ–ଲଙ୍ଗଳ ଯାହାର ଜମି ତା’ର…ରହିବାକୁ ଘର ଦିଅ…ଖାଇବାକୁ ଖାଦ୍ୟ-। ଆମେ ହେବା ସଂସ୍କାରମୁଖୀ ଶ୍ରମିକ ସମାଜର ମଣିଷ । ବିଶ୍ଵାସ ରଖିବା ନିଜ ହାତ ଉପରେ-।”

 

ବ୍ୟୋମକେଶଙ୍କ ମୁହଁକୁ ବୋକା ଭଳି ଚାହିଁ ରହିଥିଲା କେଳା ଯୁବକ କେଶବ ନିର୍ବାକ୍ ନିଷ୍ପନ୍ଦ ନୟନରେ ।

 

ସେତେବେଳକୁ ଶ୍ରୀପର୍ବତର ଚୂଡ଼ା ଉପରେ ସକାଳର ସୂର୍ଯ୍ୟ ସୃଷ୍ଟି କରିଥିଲା ଏକ ଅପୂର୍ବ ବର୍ଣ୍ଣଛଟା ଏବଂ ପଦ୍ମପୋଖରୀର ତରଙ୍ଗହୀନ ବକ୍ଷରେ ଶୋଭା ପାଉଥିଲା ଅନେକ ପ୍ରସ୍ଫୁଟିତ ଲାଲ ପଦ୍ମ ।

 

ଉତ୍ତେଜନାରେ କେଶବ ଢିରା ଦେଇ ଚାଲୁଥିବା ବାଡ଼ିଟିକୁ ଫିଙ୍ଗିଦେଲା ସେହି ପାଣି ଭିତରକୁ । ବାଡ଼ିଟି ତୀର ବେଗରେ ଛୁଟିଯାଇ ପୋଖରୀର ପଙ୍କରେ ପୋତି ହୋଇ ଠିଆହୋଇ ରହିଗଲା ଭୂମି ସହିତ ସମକୋଣ କରି ।

Image